Unknown

 

 

 

 

 

 

 

 

 

 

 

ସନ୍ତାନ-ସେତୁ

ଯଦୁନାଥ ଦାଶ ମହାପାତ୍ର

 

 

 

 

 

 

 

 

 

 

ଶ୍ରୀ ଅପର୍ତ୍ତି ଦାଶ–ହିନ୍ଦୋଳଗଡ଼

କରକମଳେଷୁ....

 

ଲେଖକ

 

ଚରିତ୍ର ପରିଚିତ

 

ପୁରୁଷ :

 

ନୀଳମାଧବର ବାପା–କଲେକ୍‍ଟରଙ୍କ ପେସ୍କାର

 

କଲେକ୍‍ଟର–ବ୍ରିଟିଶ ଅମଳର ଗୋରା ସାହେବ

 

ନୀଳମାଧବ–ଉପନ୍ୟାସର ନାୟକ

 

କୃପାସିନ୍ଧୁ–ନୀଳମାଧବର ବନ୍ଧୁ, ରାଜନୈତିକ ନେତା

 

ହୀରାଲାଲ–ଗୁଜୁରାଟୀ ବ୍ୟବସାୟୀ, ନୀଳମାଧବର ଶ୍ୱଶୁର

 

ପ୍ରଭୁଲାଲ, ଶ୍ୟାମଲାଲ–ହୀରାଲାଲଙ୍କ ପୁତ୍ର, ନୀଳମାଧବର ଶାଳକଦ୍ୱୟ

 

ଜଗଦୀଶ ମିଶ୍ର–ଡେପୁଟୀ ମାଜିଷ୍ଟ୍ରେଟ, ପରେ ଆଇ.ଏ.ଏସ୍‌. ପାହ୍ୟାକୁ ଉନ୍ନୀତ

 

ଚନ୍ଦ୍ରମାଧବ–ନୀଳମାଧବର ପୁତ୍ର, ପରେ ଆଇ.ଏ.ଏସ୍‌. ଅଫିସର

 

ସୁଧାମୟ ଦାସ–ଏସ୍‌.ଡ଼ି.ଓ.

 

ଅବିନାଶ ସେନ୍‌–ଆଇ.ଏ.ଏସ୍‌. ପାହ୍ୟାର ଶାସନ ସଚିବ

 

ମାଧ–ଜଗଦୀଶ ମିଶ୍ରଙ୍କ ଘରର ଚାକର

 

କୁଶ–ଜେଲ୍‌ଦଣ୍ଡ ଭୋଗୁଥିବା ବାଳକ

 

ସ୍ତ୍ରୀ :

 

ନୀଳମାଧବର ମା’

 

ଉଷା–ହୀରାଲାଲଙ୍କ କନ୍ୟା ଓ ନୀଳମାଧବର ସ୍ତ୍ରୀ

 

ନୟନା ମିଶ୍ର–ଜଗଦୀଶ ମିଶ୍ରଙ୍କ ସ୍ତ୍ରୀ

 

ରାଧାରାଣୀ–ସୁଧାମୟ ଦାସ ଏସ୍‌.ଡ଼ି.ଓ.ଙ୍କ ସ୍ତ୍ରୀ

 

ଲଳିତା–ପ୍ରଭୁଲାଲର ସ୍ତ୍ରୀ

 

ରାଣୀ–ଜଗଦୀଶ ଓ ନୟନାଙ୍କ କନ୍ୟା

☆☆☆

 

ସେତେବେଳେ ମୋର ବୟସ ବା କେତେ ହେବ ? ବିଶ୍ୱକବି ରବୀନ୍ଦ୍ରନାଥ ପିଲାମାନଙ୍କର ଯେଉଁ ବୟସକୁ ଘୋର ସନ୍ଦେହ କରିଛନ୍ତି ଓ ଯେଉଁ ବୟସ ନାଁରେ କଳଙ୍କର ଛାପ ଲେପାଯାଇଛି, ମୋ ବୟସ ପ୍ରାୟ ସେତିକି । ଚଉଦବର୍ଷରେ ପହଞ୍ଚିଥିବା ଏଇ ମୁଁ ମୋ ବାପାମା’ଙ୍କର ଥିଲି ଏକମାତ୍ର ସନ୍ତାନ । ତେଣୁ ଘରର ସବୁଯାକ ଶ୍ରଦ୍ଧା ସ୍ନେହ ଅଜାଡ଼ିହୋଇପଡ଼ୁଥିଲା ମୋ ଉପରେ । ବାପା ଥିଲେ କିରାଣି; ତେଣୁ କିଛିଟା ପ୍ରାକ୍‌ଟିକାଲ୍‌ । ସେ ଚାହୁଁଥିଲେ ମୁଁ ଅନ୍ତତଃ ସର୍ବନିମ୍ନ ଯୋଗ୍ୟତା ହାସଲ କରି ତାଙ୍କରି ପରି କିରାଣିଟିଏ ହୁଏଁ । ଯଦି ଅଧିକ ଯୋଗ୍ୟତା ହାସଲ କରି ହାକିମସ୍ତରକୁ ଯାଇପାରେ ତେବେ ତାଙ୍କର ତ ମହାଭାଗ୍ୟ ! ସେ ସବୁବେଳେ ମା’ଙ୍କୁ କହନ୍ତି–ବୁଝିଲ, ନୀଳୁ ଉପରେ ସବୁବେଳେ ସତର୍କ ଦୃଷ୍ଟି ରଖିଥିବ । ଆଜିକାଲି ଦିନକାଳ ଯାହା ହେଲାଣି ନା, ପିଲାମାନଙ୍କୁ ଟିକିଏ ଆଖିଛଡ଼ା କରିଦେଲେ ସେମାନେ କୁସଙ୍ଗରେ ପଡ଼ି ନିଜର ଭବିଷ୍ୟତଟାକୁ ନଷ୍ଟ କରିଦେବେ ।

 

ମା’ ସବୁବେଳେ ମୋ ପକ୍ଷ ନେଇ କଥାବାର୍ତ୍ତା କରନ୍ତି । ସେ କହନ୍ତି–ତୁମେ ଦେଖିବ, ମୋ ନୀଳୁ କେବେ ଇତର ପିଲାଙ୍କପରି ହେବ ନାହିଁ । ସେ ପାଠ ପଢ଼ି ତୁମ ନାଁ ନିଶ୍ଚୟ ରଖିବ ।

 

ବାପା–ମା’ଙ୍କର ଏକ କଥାବାର୍ତ୍ତା ବେଳେବେଳେ ମୋର କର୍ଣ୍ଣଗୋଚର ହୁଏ । ମୁଁ ଭାବେ–ବାପା–ମା’ଙ୍କର ଇଚ୍ଛା ଯାହା, ମୁଁ ସେଥିରୁ ବାହାରିଯିବି କାହିଁକି ? ଆଉ ତ ବର୍ଷ ଦିଇଟା । ତା’ପରେ ମୁଁ ମାଟ୍ରିକ୍‌ ପାସ୍‌ କରି ବାପାଙ୍କ ବେକିଂରେ ନିଶ୍ଚେ କୋଉ ଅଫିସ୍‌ରେ ଭର୍ତ୍ତିହୋଇଯିବି । ତା’ପରେ ମୋପାଇଁ ଖୋଜାହବ ମୋ’ଠୁ ସାନ କନିଆଟିଏ । ବାହାଘର ହବ । ବାଜାରୋଷଣି ନେଇ ବରବେଶ ହୋଇ ମୁଁ ବେଶ୍‌ ଜାକଜକମରେ ବାହାହେବାକୁ ଯିବି । ଆମ ଘରକୁ ନୂଆହେଇ ଝିଅଟିଏ ଆସିବ । ତା’ ସହିତ କଥା କହି କେତେ ରାତି କେତେ ଦିନ ପୁହାଇଦେବି । ଆମର ପୁଣି ପୁଅ–ଝିଅ ହେବେ । ସଂସାର ହସିଉଠିବ ।

 

ଆମ ଘର ଆମ ଗାଁ ଧଉଳି ପାହାଡ଼ ନିକଟରେ ଥିବା ମାୟାପୁର ଗାଁରେ ହେଲେବି ଆମେ ପୁରୀ ସହରରେ ରହୁଛୁ । ସେଇଠି କଲେକ୍‌ଟରିଏଟ୍‌ରେ ବାପାଙ୍କର ଚାକିରି । କଲେକ୍‍ଟର ସାହେବଙ୍କର ପେସ୍କାରପଦକୁ ବାପା ପ୍ରମୋସନ୍‌ ପାଇଛନ୍ତି ବର୍ଷେ ହେଲା । ଏଇ ପେସ୍କାର ହବା ପରଠୁ ବାପା ସକାଳ ୭ରୁ ରାତି ୧୦ ପର୍ଯ୍ୟନ୍ତ କଲେକ୍‍ଟରଙ୍କ ବଙ୍ଗଳାରେ କଟାନ୍ତି । ଦିପହରବେଳେ ମୁଁ ଯେତେବେଳେ ସ୍କୁଲ୍‍କୁ ଯାଇଥାଏ, ସେତିକିବେଳେ ଆସି ତରତରକରି ଖାଇନେଇ ପୁଣି ସାଇକେଲ୍‌ ଚଢ଼ି ବାହାରିଯାଆନ୍ତି । ଦିନେ ଦିନେ ଆସିବାକୁବି ସମୟ ପାଆନ୍ତି ନାହିଁ । ଯୋଉ ଦିନ କିଛି ମିଟିଙ୍ଗ୍‍ ଥାଏ ବା କଲେକ୍‍ଟର ଗସ୍ତରେ ଯାଆନ୍ତି ସେଦିନ ବାପା ଆଉ ଆସିପାରନ୍ତି ନାହିଁ ।

 

ବାପା ନ ଆସିଲେ ମା’ ଭାରି ବ୍ୟସ୍ତ ହୁଅନ୍ତି । ମନେମନେ ଭାବନ୍ତି, ଭାତମୁଠେ ତାଙ୍କ ପାଖକୁ ପଠେଇଦେବେ । ମାତ୍ର କେମିତି ପଠେଇବେ ? କାହା ହାତରେ ପଠେଇବ ? ବାପା ଅନେକ ସମୟରେ ଯିବାବେଳେ କହିଯାଆନ୍ତି ସେଦିନ ସେ ଆସିପାରିବେ କି ନାହିଁ । ମା’ ଆଶା କରୁଥାନ୍ତି ସେଦିନ ମୋର ସ୍କୁଲ୍‍ଯିବାଟା ବନ୍ଦ ହୁଅନ୍ତା କି ଦିପହରେ ଭାତଦି’ଟା ନେଇ ମୁଁ ବାପାଙ୍କ ପାଖରେ ପହଞ୍ଚେଇ ଦେଇଆସନ୍ତି । ଦି’ ଚାରିଥର ସ୍କୁଲ୍ ବନ୍ଦ କରି ମୁଁ ବି ଯାଇଛି; ମାତ୍ର ମୋର ଏଇ ଯିବାରେ ବାପା ମା’ଙ୍କ ଉପରେ ଅଧିକ ଅସନ୍ତୁଷ୍ଟ ହୋଇଛନ୍ତି ।

 

–ମୋର ଖାଇବା ନ ହେଲା ନାହିଁ, ପିଲାଟାର ସ୍କୁଲ୍ ବନ୍ଦ କରି ମୋ ପାଖକୁ ପଠାଉଛ-?

 

ମା’ କିଛି ନ କହି ଚୁପ୍‌ ରହନ୍ତି ।

 

ଆଉ ଭାତ ଯାଏଁ ନାହିଁ । ବାପା ନ ଆସିବା ଦିନ ସେଇଠି ଅମଲା କ୍ୟାଣ୍ଟିନ୍‌ରୁ ଜଳଖିଆ ଖାଇନିଅନ୍ତି । ମା’ଙ୍କର ସେଥିପାଇଁ ବିଶେଷ ଅନୁରୋଧ ଥାଏ–ପୁଅ ନ ଗଲା ନାହିଁ; ତୁମେ ଯେମିତି ହେଲେ, ଭାତ ନ ହେଉପଛେ, ସେଠି ଜଳଖିଆ ଖାଇନବ । ଦିନଟା ସାରା ଖାଡ଼ା ଖାଡ଼ା ଉପବାସ ରହିବ ନାହିଁଟି !

 

ବାପା ବାହାରେ ହୋଟେଲଭାତ ଖାଆନ୍ତି ନାହିଁ ।

 

ମୁଁ ନୀଳକଣ୍ଠ ବିଦ୍ୟାଳୟରେ ପଢ଼େ । ମୋ ପଢ଼ାପାଇଁ ବାପା ଦି’ଜଣ ଟିଉସନ୍‌ ମାଷ୍ଟରଙ୍କର ବ୍ୟବସ୍ଥା କରିଥାନ୍ତି । ଜଣେ ପଢ଼ାନ୍ତି ଇଂରାଜୀ ଓ ଆଉ ଜଣେ ଅଙ୍କ । ଅଙ୍କଟା ମୋର ଭଲ ହୁଏ; କିନ୍ତୁ ଇଂରାଜୀରେ ମୁଁ ଖୁବ୍‌ କଞ୍ଚା । ବାପା ଏକଥା ଜାଣି ମନେମନେ ଭାବନ୍ତି–କିରାଣି ହବାକୁ ହେଲେ କିଛିଟା ଇଂରାଜୀଜ୍ଞାନ ଦରକାର; ଅଙ୍କରେ ପାରଙ୍ଗମ ହେଲେ ଇଂରାଜୀରେ କଞ୍ଚା ଥିଲେ ମଧ୍ୟ ଚଳିଯିବ ।

 

ଏ ଯୋଉ ସମୟର କଥା, ସେତେବେଳକୁ ଭାରତବର୍ଷ ସ୍ୱାଧୀନ ହେଇ ନଥିଲା । ଇଂରେଜମାନେ ଆମକୁ ଶାସନ କରୁଥିଲେ । ଶାସନକର୍ତ୍ତାମାନେ ଆମ ଭାଷା ନ ଜାଣି ଯେପରି ଖଣ୍ଡି ଓଡ଼ିଆରେ ବିକୃତଭାବେ କହି ତାଙ୍କର ମନର ଭାବକୁ ବୁଝାଇ ଦେଇପାରୁଥିଲେ, ଆମେ ସ୍ୱଦେଶୀମାନେ ସେହିପରି ଖଣ୍ଡିଆ ଇଂରାଜୀରେ ଆମ ମନର ଭାବଟାକୁ ସାହେବମାନଙ୍କୁ ବୁଝେଇଦେଇ ପାରୁଥିଲେ ଚଳିଯାଉଥିଲା ।

 

ମୋ’ରି ଅଭିଜ୍ଞତାରୁ ଦିନକର କଥା ମୁଁ କହୁଚି । ସେ ଦିନ ସ୍କୁଲ୍ ଛୁଟି ଥାଏ । ବାପା ସେଦିନ ଖାଇବାକୁ ଆସିପାରି ନଥିଲେ । ମୁଁ ତାଙ୍କ ଖାଇବା ନେଇ ଯାଇଥିଲି । ଗୋଟେ ବାଜିଲାଣି ସେତେବେଳକୁ । ସାହେବ ସେ ଦିନ ଭାରି କାର୍ଯ୍ୟବସ୍ତ ଥିଲେ । ସେହି ଦିନ ଚାରିଟାବେଳକୁ କମିଶନର ସାହେବ କଲେକ୍‍ଟର ସାହେବଙ୍କ ଅଫିସ୍‌ ତଦାରଖ ପାଇଁ ଆସିବା କଥା । ସାହେବ ତେଣୁ ବାପାଙ୍କୁ ଅଟକେଇ ନଥିପତ୍ର ସବୁ ଠିକ୍‌ଠାକ୍‌ କରୁଥାନ୍ତି । ମୁଁ ଭାତର ଟିଫିନ୍‌ କେରିୟରଟି ଧରି ବାହାରେ ଅପେକ୍ଷା କରିଥାଏ । ସାହେବ ଆଉ ବାପାଙ୍କର କଥୋପକଥନ ମୋତେ ଶୁଭୁଥାଏ-। ସାହେବ ପଚାରିଲେ–What about your lunch Peskar ?

 

ବାପା ଉତ୍ତର ଦେଲେ–Today I am no lunch Saheb.

 

ସାହେବ କହିଲେ–Thank you for your sincerity.

 

ବାପା କହିଲେ–Your most obedient servant Sir.

 

ଆଉଥରେ । ମୁଁ ସେମିତି ଭାତ ନେଇ ଅପେକ୍ଷା କରିଥାଏ । ସାହେବ ସେଦିନ ଭାରି ବିବ୍ରତ ଥାଆନ୍ତି । ଉପରକୁ କ’ଣ ଗୋଟାଏ ରିପୋର୍ଟ ଯିବା କଥା । କମିଶନର ସାହେବ ତିନିଥର ଟେଲିଗ୍ରାମ୍‌ କଲେଣି । ସେଦିନ ସାହେବ ବସି ରିପୋର୍ଟ ତିଆରି କରି ପଠାଇବେ । ସାହେବ ଡାକିବେ, ଟାଇପିଷ୍ଟ ଟାଇପ୍ କରିବ ।

 

ସାହେବ ଡାକିଲେ–ଷ୍ଟେନୋବାବୁ, ଷ୍ଟେନୋବାବୁ !

 

ଷ୍ଟେନୋବାବୁ ନ ଯିବାରୁ ବାପା ବାହାରିଆସି ଷ୍ଟେନୋବାବୁଙ୍କୁ ଖୋଜିଲେ । ମୋତେ ଦେଖି ମୋ ଆଡ଼କୁ ମଧ୍ୟ ଚାହିଁଲେ ନାହିଁ । ଷ୍ଟେନୋବାବୁଙ୍କୁ ନ ପାଇ ଯାଇ ସାହେବଙ୍କୁ କହିଲେ–Steno Babu gone lunch.

 

ସାହେବ କହିଲେ–Go and call him from his house.

 

ବାପା କହିଲେ–I going Sir.

 

ତା’ପରେ ବାପା ଆଉ ଖାଇବେ କ’ଣ ! ସାଇକେଲ ନେଇ ଦଉଡ଼ିଲେ ଷ୍ଟେନୋବାବୁଙ୍କ ଘରକୁ । ସେ ଯିବାପରେ ମୁଁ ସେଠି ଥିବା ଅଡ଼ରଲି ପିଅନକୁ ପଚାରିଲି–ଷ୍ଟେନୋବାବୁ କୋଉଠି ରହନ୍ତି ?

 

ସେ କହିଲା–ଏଠୁ ଦି’ ମାଇଲ ବାଟ ।

 

ଦେଢ଼ଘଣ୍ଟା ଅପେକ୍ଷା କଲାପରେ ବାପା ଓ ଷ୍ଟେନୋବାବୁ ଆସିଲେ । ସାହେବ ନ ଖାଇ ନ ପିଇ ସେମିତି ଅଫିସ୍‍ରେ ବସି କାଗଜପତ୍ର ଦେଖୁଥାନ୍ତି ।

 

ସାହେବ ଥିଲେ ବାପାଙ୍କ ଉପରେ ଭାରି ଖୁସି । ବାପା ଯେମିତି ନଖାଇ ନପିଇ ଏପରିକି ରାତି ରାତି ନ ଶୋଇ ମଧ୍ୟ ସାହେବଙ୍କୁ ସାହାଯ୍ୟ କରୁଥିଲେ, ଆଉ କେହି ସେମିତି କରୁ ନଥିଲେ । ସାହେବଙ୍କ ଅଫିସ୍‍ରେ ମେଟ୍ରିକ୍‌ ପାସ୍‌ କରିଥିବା କିରାଣି ବହୁତ ଥିଲେ ମଧ୍ୟ, ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ମୋ ବାପାଙ୍କୁ ସାହେବ ଭାରି ଭଲପାଉଥିଲେ ।

 

ବାପାବି ସାହେବଙ୍କୁ ସନ୍ତୁଷ୍ଟ କରିବାପାଇଁ ନିର୍ବିକାର ଭାବରେ ସବୁ କାମ କରିଯାଉଥିଲେ-। ବାପା ଯେତେବେଳେ ତାଙ୍କ ସହିତ ଟୁର୍‌ରେ ଯାଆନ୍ତି, ତାଙ୍କ ମନ ମିଜାଜକୁ ଚାହିଁ ଯେତେବେଳେ ଯାହା କରିବା କଥା ତାହାହିଁ କରିଥାନ୍ତି । ଖାଇବାପାଇଁ ସାହେବ ଯାହା ଯାହା ଭଲ ପାଆନ୍ତି, ପିଇବାପାଇଁ ଯୋଉ ମଦ ତାଙ୍କର ପ୍ରିୟ ଏବଂ ସାହେବଙ୍କର ଅନ୍ୟାନ୍ୟ ସବୁ ଆବଶ୍ୟକତା ଯୋଉଥିରେ ସାହେବ ଖୁସି ହୁଅନ୍ତି, ସେସବୁର ନିଖୁଣ ଆୟୋଜନ ବାପାହିଁ କରିଥାନ୍ତି ।

 

ବାପାଙ୍କ ଉପରେ ଖୁସି ହୋଇ ସବ୍‌ଡ଼େପୁଟୀ ହବାପାଇଁ ସାହେବ ସୁପାରିସ୍‍ କଲେ । ସୁପାରିସ୍‍ କାର୍ଯ୍ୟକାରୀ ହେଲା । ବାପା କିନ୍ତୁ ସାହେବଙ୍କୁ ଛାଡ଼ି କୁଆଡ଼କୁ ଗଲେ ନାହିଁ । ସାହେବଙ୍କର ପର୍ଶନାଲ୍‌ ଆସିଷ୍ଟାଣ୍ଟ୍‌ ହେଇ ତାଙ୍କରି ପାଖରେ ରହିଲେ ।

 

ମୁଁ ମାଟ୍ରିକ୍‌ ଦ୍ୱିତୀୟ ଶ୍ରେଣୀରେ ପାସ୍‌ କଲି । ସେ ଦିନ ବାପା ମୋତେ ନେଇଯାଇ ସାହେବଙ୍କ ସହିତ ଭେଟକରାଇଦେଲେ । ସାହେବ କହିଲେ–Very good, Very good.

 

ବାପା କହିଲେ–Hoojoor, service for my son.

 

ସାହେବ କହିଲେ–He is too young. Let him read. Send him to Ravenshaw College.

 

ସାହେବଙ୍କ କଥା ଉପରେ ଆଉ କଥା କହିବାର ଯୁ’ ବାପାଙ୍କର ନଥିଲା । ମୁଁ ଭାବିଥିଲି, ବାପାଙ୍କ ଇଚ୍ଛା ପୂରଣ କରି ମାଟ୍ରିକ୍‌ ପାସ୍‌ କରିଯିବାପରେ ପାଠପଢ଼ାର କଷ୍ଟ ମୋତେ ଆଉ ବହନ କରିବାକୁ ପଡ଼ିବ ନାହିଁ । ଏଣିକି ମୁଁ ଚାକିରି କରିବି । ସ୍ୱାଧୀନ ହେବି । କିନ୍ତୁ ସାହେବ ବାପାଙ୍କୁ ଯେଉଁ ଉପଦେଶ ଦେଲେ ସେହି ଉପଦେଶ ଅନୁସାରେ ବାପା କାମ କଲେ । ବେଶୀ ପାଠ ପଢ଼ିଲେ ବଡ଼ ହାକିମଟାଏ ହୋଇପାରିବି । ମୋର ନାମ ରେଭେନ୍‌ସା କଲେଜରେ ଲେଖାହେଲା ।

 

ସେତେବେଳେ ଓଡ଼ିଶାର ରାଜଧାନୀ କଟକ । ସେଇଠି ରହୁଥିଲେ ଲାଟ୍ ସାହେବ । କଟକ ଥିଲା ଓଡ଼ିଶାର ପ୍ରାଣକେନ୍ଦ୍ର । ଐତିହାସିକ ଏଇ କଟକ ସହର । ଦୁଇ ପାଖରେ ଦୁଇ ବଡ଼ ନଦୀ–ମହାନଦୀ ଓ କାଠଯୋଡ଼ି । ଜୋବ୍ରା ଆନିକଟ ଥିଲା ଆମ ପାଖରେ ସବୁଠୁ ଆକର୍ଷଣୀୟ । ମୁଁ ରହୁଥିଲି ଜୋବ୍ରା ନିକଟବର୍ତ୍ତୀ ଏକ ମେସ୍‌ରେ । ପୁରୀ ଖୋର୍ଦ୍ଧା ଆଡ଼ର ସର୍ବମୋଟ କୋଡ଼ିଏ ଜଣ ପିଲା ଆମେ ସେଠି ରହିଥାଉ । ନାଁ ଦେଇଥାଉ ସ୍ୱାଧୀନ ମେସ୍‌ । ସେ ସମୟରେ ସ୍ୱାଧୀନ ଶବ୍ଦଟା ବଡ଼ ଗୋଳମାଳ ସୃଷ୍ଟି କରୁଥିଲା । ଭାରତବର୍ଷର ସ୍ୱାଧୀନତା ପାଇଁ ଚାରିଆଡ଼େ ବିପ୍ଳବର ବହ୍ନି ଜଳୁଥିଲା । କଂଗ୍ରେସର ‘ଭାରତଛାଡ଼’ ପ୍ରସ୍ତାବ ପରେ ମହାତ୍ମାଗାନ୍ଧୀଙ୍କ ସମେତ ନେତୃତ୍ୱବୃନ୍ଦଙ୍କର ଜେଲବରଣ ଓ ଅପେକ୍ଷାକୃତ ଯୁବନେତୃତ୍ୱ ହାତରେ ସ୍ୱାଧୀନତା ଆନ୍ଦୋଳନ ଭିନ୍ନ ରୂପ ନେଇଥିଲା-। ୧୯୪୨ ମସିହାରେ ଭାରତର ବିଭିନ୍ନ ସ୍ଥାନରେ ଗୋରା ସରକାର ଗୁଳି ଚଳେଇ ଅନେକ ଲୋକଙ୍କୁ ମାରିଦେଇଥିଲେ । ଓଡ଼ିଶା ସେଥିରୁ ବାଦ୍‌ ଯାଇ ନଥିଲା ।

 

ଏହି ଅଗ୍ନିର ଝଲକ ଆମ ତରୁଣ ମନକୁ ବିପ୍ଳବାତ୍ମକ କରିଥିଲା । ହଠାତ୍‌ ଦିନେ ସକାଳେ ଆମ ମେସ୍‌ ପାଖରେ ପୋଲିସ୍‌ ଜମାହେଲେ ଓ ମେସ୍‌ ଭିତର ଖାନ୍‌ତଲାସ୍ ହେଲା । ସ୍ୱାଧୀନ ମେସ୍‌ ନାଁଟାରୁ ସେମାନେ ଭାବୁଥିଲେ ଯେ ଆମେମାନେ ମଧ୍ୟ ଏଇ ସ୍ୱାଧୀନବାଲାଙ୍କ ଘନିଷ୍ଠ ସହଯୋଗରେ ଅଛୁ ।

 

ସେମାନଙ୍କ ଧାରଣା ସମ୍ପୂର୍ଣ୍ଣ ଅମୂଳକ ନହେଲେହେଁ, ତାହାର ଯେକୌଣସି ଏକ ନିଶ୍ଚିତ ଭିତ୍ତିଭୂମି ଥିଲା, ତାହା ନୁହେଁ । ମହାତ୍ମା ଗାନ୍ଧୀଙ୍କ ଆହ୍ୱାନ ଆମ ମନପ୍ରାଣକୁ ଆନ୍ଦୋଳିତ କରୁଥିଲା ସତ୍ୟ; ମାତ୍ର ଆମେ ଏ ଆନ୍ଦୋଳନରେ କୌଣସି ପ୍ରକାର ସକ୍ରିୟ ଭାଗ ନେଉ ନଥିଲୁ । କିନ୍ତୁ ଏଇ ଖାନ୍‌ତଲାସି ଆମ ମନରେ ଆଣିଦେଲା ନୂତନ ଉନ୍ମାଦନା–ଆମକୁ କଲା ଭୟରହିତ । ହଠାତ୍‌ ଦିନେ ସକାଳେ ଆମେ କଲେଜକୁ ଯାଇ ଉଡ଼ୁଥିବା ଇଂରେଜ ପତାକା ଇଉନିୟନ୍‌ ଜ୍ୟାକ୍‌କୁ ଓହ୍ଲାଇଦେଇ ତା’ ଜାଗାରେ ଟାଙ୍ଗିଦେଲୁ କଂଗ୍ରେସ୍‌ର ତ୍ରିରଙ୍ଗାପତାକା । ପ୍ରିନ୍‌ସିପାଲ ସାହେବ ପୋଲିସ୍‍କୁ ଖବରଦେଲେ । ଆମେ ସବୁ ଗିରଫ୍‍ ହେଲୁ ।

 

ମୋର ଏଇ ଗିରଫ୍‍ ସମ୍ୱାଦ ପୁରୀରେ ଯାଇ ପହଞ୍ଚିଲା । ସେ ଦିନ ରାତିସାରା କୁଆଡ଼େ ବାପା ମା’ ଶୋଇନାହାନ୍ତି; ଜଗନ୍ନାଥଙ୍କ ନାଁରେ ଅଖଣ୍ଡ ଦୀପ ଜାଳି ମୋତେ ସତ୍‌ପଥକୁ ଆଣିବାପାଇଁ ପ୍ରାର୍ଥନା କରିଛନ୍ତି । ମୁଁ ଯଦି ସ୍ୱାଧୀନବାଲାଙ୍କ ସହିତ ମିଶିଯାଏ ତାହାହେଲେ ତାଙ୍କ ଚାକିରି ଅବସ୍ଥା କ’ଣ ହେବ ?

 

ସତକୁସତ ଗୋରା କଲେକ୍‍ଟର ସାହେବ ବାପାଙ୍କୁ ଡାକି କହିଲେ–ତୁମ ପୁଅ ଭୟଙ୍କର କାମରେ ହାତ ଦେଇଛି । ତୁମେ ତାକୁ ଠିକ୍‌ ବାଟକୁ ନ ଆଣିପାରିଲେ ତୁମକୁ ଚାକିରିରୁ ଡିସ୍‌ମିସ୍‌ କରିବି ।

 

ବାପାଙ୍କ କାନ୍ଦଣା ସେଦିନ ତାଙ୍କ ପିତୃମାତୃ–ବିୟୋଗ ଦିନର କାନ୍ଦଣାଠାରୁ ବଳିଗଲା । ସେ ସାହେବଙ୍କ ଗୋଡ଼ ଧରି ଶପଥ କଲେ, ମତେ ନିଶ୍ଚୟ ଠିକ୍‌ ବାଟକୁ ନେଇ ଆସିବେ । ଯଦି ମୁଁ ମତ ପରିବର୍ତ୍ତନ ନ କରେ ତେବେ ମୋ ନାଁ ବରଂ କଟେଇ ଆଣିବେ । ମୋତେ ଏସବୁ କରିବାକୁ ଆଉ ସୁଯୋଗ ଦେବେ ନାହିଁ ।

 

ମୋ ତରଫରୁ ବାପା କଲେକ୍‍ଟରଙ୍କୁ କ୍ଷମାମାଗି ବଣ୍ଡ୍‌ ଲେଖିଦେଲେ । ମୁଁ ଖଲାସ ହେଇ ଆସିଲି । ବାପା ଆସି ମୋତେ ପୁରୀ ନେଇଗଲେ । ଘଣ୍ଟା ଘଣ୍ଟା ଧରି ବୁଝେଇଲେ । ପରଦିନ କଲେକ୍‍ଟରଙ୍କୁ ପାଖକୁ ନେଇ ତାଙ୍କ ଗୋଡ଼ ଧରାଇଲେ । ମୋର ଯୁବକ ମନର ସବୁ କିଛି ଉନ୍ମାଦନା ପାଣିଫୋଟକା ପରି କୁଆଡ଼େ ମିଳାଇଗଲା । ମୁଁ ପାଠ ନ ପଢ଼ି ଏଇସବୁ ଭୀଷଣ ଷଡ଼ଯନ୍ତ୍ରରେ ଲିପ୍ତ ରହିଲେ ମୋର ପାଠପଢ଼ା ବନ୍ଦ ହେବ ଓ ବାପାଙ୍କ ଚାକିରି ଯିବ । ବାପାଙ୍କ ଚାକିରି ଗଲେ ଆମର ସନ୍ନସଂସ୍ଥାନର ବାଟ ବନ୍ଦହେଇଯିବ । ଦ୍ୱନ୍ଦ୍ୱରେ ପଡ଼ିଲି; ମାତ୍ର ବାଟ କିଛି ନଥିଲା । ଦୁଇମାସ କାଳ କଲେଜଠୁ ଦୂରରେ ରହି କାଳ କାଟିବାକୁ ପଡ଼ିଲା । ହାତରେ କାମ କିଛି ନାହିଁ । ଖାଇପିଇ ଏଠିସେଠି ବୁଲି ବୁଲି ସମୟ ବିତାଇଲି । ସନ୍ଧ୍ୟାରେ ସେଇ ସମୁଦ୍ରବାଲି ଉପରେ ବସି ଅନନ୍ତ ନୀଳସାଗର ଆଡ଼େ ଚାହିଁରହି ମୋର ମନେହୁଏ–ଏ ସମୁଦ୍ର କି ସୁନ୍ଦର, ପୁଣି କି ଭୀଷଣ । ଜୀବନଟା ମଧ୍ୟ ଠିକ୍‌ ସେହିପରି । ଭଲ ଆଉ ମନ୍ଦର ସମ୍ମିଶ୍ରଣ ।

 

ଦେଶବ୍ୟାପୀ ସ୍ୱାଧୀନତା ଆନ୍ଦୋଳନ କ୍ରମଶଃ ଏକ ନିଶ୍ଚିତ ରୂପ ନେଲା । ଜେଲ୍‌ରେ ଥିବା ନେତାମାନେ ଖଲାସ ହେଲେ । କଲେଜ ଖୋଲିଲା । ପାଠ ପଢ଼ାପଢ଼ି ଆରମ୍ଭ ହେଲା । ମୁଁ ପୁଣି ଫେରିଆସିଲି । ଦେଖିଲି ସ୍ୱାଧୀନ ମେସ୍‌ ବନ୍ଦ ହୋଇଯାଇଚି । ଆମ ଜିନିଷପତ୍ର ସେଠି କିଛି ନାହିଁ । ଘରର ମାଲିକ ଆମକୁ ଆଉ ସେ ଘରକୁ ଭଡ଼ାଦେବାକୁ ରେଜି ନୁହନ୍ତି । ସେଇ ମେସ୍‌ପାଇଁ ତାଙ୍କୁ ମଧ୍ୟ ଅକଥନୀୟ ଅତ୍ୟାଚାର ସହିବାକୁ ପଡ଼ିଚି ।

 

ନିକଟବର୍ତ୍ତୀ ରଏମନ୍‌ ଛକରେ ଆଉ ଗୋଟିଏ ଘରର ବ୍ୟବସ୍ଥା କରି ପୁଣି ଆମେ କେତେଜଣ ଆଉ ଏକ ମେସ୍‌ ଆରମ୍ଭ କଲୁ । ଏଥର ଆଉ ସେମିତି କିଛି ଗୋଳମାଳିଆ ନାଁ ନ ରଖି ମେସ୍‌ର ନାମକରଣ କଲୁ ବୀଣାପାଣି । ବୀଣାପାଣି ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ; ତେଣୁ ତାଙ୍କରି ନାଁଟା ଛାତ୍ରମାନଙ୍କ ପକ୍ଷେ ସବୁଠୁ ନିରାପଦ ।

 

ଦେଶ ସ୍ୱାଧୀନ ହେଲା । ଭାରତବର୍ଷରେ ଥିବା ଗୋରାଲୋକେ ତାଙ୍କ ନିଜ ଦେଶକୁ ଫେରିଗଲେ । ଏଇ ସମୟରେ ବାପାଙ୍କର ଯୋଉ ଦୁଃଖ, ତାହା ଭାଷାରେ ବର୍ଣ୍ଣନାକରିବା ମୋର ସାଧ୍ୟାତୀତ ।

 

ବାପା କୁଆଡ଼େ ଗୋରା କଲେକ୍‍ଟର ସାହେବ ଯିବାବେଳେ ପୁରୀ ଷ୍ଟେସନ୍‌ରେ ଟ୍ରେନ୍‌ପାଖରେ ଭାବ ଗଦ୍‌ଗଦ୍ କଣ୍ଠରେ କହିଲେ–ସାହେବ ! ତୁମେ ଯୁଆଡ଼େ ଯାଉଛ ମୋତେ ସେଇଆଡ଼େ ନେଇଯାଅ । ତୁମ ଶାସନରୁ ଯାଇ ମୁଁ ଆଉ କାହାରି ଶାସନରେ ଚାକିରି କରିବାକୁ ଚାହେଁନା ।

 

ସାହେବଙ୍କ କମ୍ପାଟ୍‍ମେଣ୍ଟ ଭିତରୁ ବାପା ଆସିବାକୁ ଏକଦମ୍‌ ନାରାଜ । ଗାଡ଼ି ଛାଡ଼ିବାବେଳ ହେବାରୁ ବାପାଙ୍କୁ ଜୋର୍‌ କରି ତଳକୁ ଓହ୍ଲାଇଅଣାଗଲା । ଘରେ ପହଞ୍ଚିବା ପର୍ଯ୍ୟନ୍ତ ସେ ଯେମିତି ଆଉ ସ୍ୱଜ୍ଞାନରେ ନଥିଲେ ।

 

ତାଙ୍କର ଭାରି ଦୁଃଖ ଯେ, ସାହେବ ଅମଳରେ ମୋର ଚାକିରି ହେଇପାରିଲା ନାହିଁ । ସ୍ୱଦେଶୀ ଶାସନରେ ନିଜଭିତରେ ଚାକିରିବାକିରି କ୍ଷମତାପାଇଁ ବାଡ଼ିଆପିଟା ଚାଲିବ । ଏ ଦିଗରୁ ତ ସାହେବମାନେ ଥିଲେ ନିଃସ୍ୱାର୍ଥପର । ସାହେବଙ୍କ ସୁନଜରରେ ଥରେ ପଡ଼ିଲେ ଆଉ ଅସୁବିଧା କିଛି ନଥିଲା । ସେ ସୁଯୋଗ ହାତଛଡ଼ା ହେଇଯିବାରୁ ବାପାଙ୍କର ଅନୁଶୋଚନାର ଅନ୍ତ ରହିଲା ନାହିଁ । କିନ୍ତୁ କ’ଣ ବା କରାଯିବ ? ବାପା ଚାହିଁଲେ ତ ଆଉ ଇଂରେଜମାନେ ଏ ଦେଶକୁ ଫେରିଆସିବେ ନାହିଁ ।

 

ଚତୁର୍ଦ୍ଦିଗର ବାତାବରଣ ସମ୍ପୂର୍ଣ୍ଣ ଶାନ୍ତ । ସ୍କୁଲ୍‍ କଲେଜମାନଙ୍କରେ ସ୍ୱାଭାବିକ ଅବସ୍ଥା । ଇଣ୍ଟରମିଡ଼ିଏଟ୍‌ ପାସ୍‌ କରିବାପରେ ବାପା ଚାହିଁଲେ ମୁଁ ବି.ଏ. ପଢ଼େ । ଜିଲା ସଦରମହକୁମାମାନଙ୍କରେ ସେତେବେଳକୁ ଗୋଟାଏ ଗୋଟାଏ କଲେଜ ପ୍ରତିଷ୍ଠା ହେଇସାରିଲାଣି-। ମୋର କିନ୍ତୁ ଇଚ୍ଛା ନୁହେଁ ପୁଣି ପୁରୀକୁ ଫେରିଯିବା । ସ୍ୱାଧୀନ ଭାରତବର୍ଷରେ ବାପାଙ୍କର ପୁଣି ପଦୋନ୍ନତି ହେଇଚି । ଦରମାବି କିଛି ବଢ଼ିଚି । ସେ ଆଉ ପୂର୍ବପରି ବ୍ରିଟିଶ ଶାସନପାଇଁ ଝୁରି ହେଉ ନାହାନ୍ତି । ସେ ଆନନ୍ଦରେ ମୋତେ ଅନୁମତି ଦେଇଦେଲେ ବି.ଏ. ପାଠଟା କଟକରେହିଁ ପଢ଼ିବାପାଇଁ ।

 

ପୁଣି ସେଇ ମେସ୍‌ ଜୀବନ । ସନ୍ଧ୍ୟାରେ ଜୋବ୍ରା ଆନିକଟ୍‌ ପାଖରେ ପଦଚାରଣ । ବେଳେବେଳେ କିଲା ମଇଦାନରେ ବଡ଼ବଡ଼ ସଭା ଦେଖିବାକୁ ଆମେ ଯାଉ । ସେଥର ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁ ଆସିଥିଲେ । ତାଙ୍କ ସଭାପାଇଁ କିଲା ମଇଦାନ ବେଶ୍‌ ସୁନ୍ଦର ସଜାହୋଇଥିଲା । ତାଙ୍କ ସଭାକୁ ଯିବାପାଇଁ ଆଜି ଆଉ କାହାରି ଡର ନାହିଁ । ହାକିମହୁକୁମା ଅଧ୍ୟାପକ ଏପରିକି ଆମ ପ୍ରିନ୍‍ସିପାଲ, କଲେକ୍‍ଟର, କମିଶନର ସମସ୍ତେ ଯାଇ ସଭାର ପ୍ରଥମ ଧାଡ଼ିରେ ଆସୀନ । ଜବାହରଲାଲ ନେହେରୁ ହିନ୍ଦୀଭାଷାରେ ଯେଉଁ ଭାଷଣ ଦେଲେ ତା’ର ସାରମର୍ମ ଆମେ କିଛି କିଛି ବୁଝିପାରିଲୁ । ସ୍ୱାଧୀନ ଭାରତବର୍ଷର ଉନ୍ନତିପାଇଁ ସମସ୍ତଙ୍କୁ ନିଃସ୍ୱାର୍ଥପର ଭାବରେ କଠିଣ ପରିଶ୍ରମ କରିବାକୁ ପଡ଼ିବ । ଏ ଦେଶରୁ ଦାରିଦ୍ର୍ୟ ଓ ମୂର୍ଖତାକୁ ଦୂର ନ କଲେ ଏ ସ୍ୱାଧୀନତାର ଅର୍ଥ କିଛି ରହିବ ନାହିଁ । ସ୍ୱାଧୀନ ଭାରତକୁ ଗଠନ କରିବାପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଜଣାଇଲେ । ସେଦିନ ପ୍ରଧାନମନ୍ତ୍ରୀଙ୍କ ଏଇ ବକ୍ତୃତା ଶୁଣୁ ଶୁଣୁ ଜାତୀୟତାଭାବରେ ଆମ ଅନ୍ତର ପୂରିଉଠୁଥିଲା । ଓଡ଼ିଶାର ନେତାମାନେ ଏଇ ସଭାରେ ଭାଷଣ ଦେଇ ଅତୀତ ଓଡ଼ିଶାର ଶୌର୍ଯ୍ୟବୀର୍ଯ୍ୟ ସମ୍ପର୍କରେ ଆମକୁ ସଚେତନ କରାଇଦେଲେ । ସଭାର ପଶ୍ଚାତ୍‌ ଦିଗରେ ଥିବା ଭଗ୍ନସ୍ତୂପ ଯାହାକି ବାରବାଟୀ ଦୁର୍ଗ ନାମରେ ପରିଚିତ ଥିଲା, ତା’ର ଇତିହାସ ଶୁଣୁ ଶୁଣୁ ଆମେ ରୋମାଞ୍ଚିତ ହେଇ ଉଠୁଥିଲୁ । କାହିଁ ସେଦିନର ସେ ନବତଳ ପ୍ରାସାଦ । ଏଇ ଦୁର୍ଗରୁହିଁ ହୋଇଥିଲା କାଞ୍ଚି ଅଭିଯାନ । ଏହି ଦୁର୍ଗରେହିଁ ଘଟିଥିଲା ପ୍ରତାପରୁଦ୍ର ଦେବ ଓ ଶ୍ରୀଚୈତନ୍ୟଦେବଙ୍କର ମଧୁର ମିଳନ । ଶ୍ରୀଚୈତନ୍ୟଦେବ ବାରବାଟୀରୁ ବିଦାୟ ନେଇ ଚଉଦୁଆର ଦୁର୍ଗକୁ ମହାନଦୀ ପଥରେ ଯାତ୍ରା କରିଥିଲେ । ସେ ଯେଉଁଦିନ ଯାଇଥିଲେ, ସେ ଦିନର ସ୍ମାରକୀସ୍ୱରୂପ ଆମେ ଆଜି ସେହି ଘାଟରେ ବାଲିଯାତ୍ରା ଉତ୍ସବ ପାଳନ କରୁଛୁ । ଏ ଦୁର୍ଗ ଦେଖିଚି କେତେ ଆକ୍ରମଣ । କଳାପାହାଡ଼ ଧ୍ୱଂସର ପ୍ରଳୟ ଘଟାଇ ଏ ଦୁର୍ଗକୁ ଅଧିକାର କରିଥିଲା । ମରହଟ୍ଟାମାନେବି ଦଖଲ କରିଥିଲେ; ମାତ୍ର କେହି ଏ ଦୁର୍ଗକୁ ମାଟିରେ ମିଶାଇଦବାର ପ୍ରୟାସ କରି ନଥିଲେ । ମାତ୍ର ବଣିକ ଇଂରେଜ ଜାତି ଏ ଦୁର୍ଗକୁ ଦଖଲ କରିନବାପରେ ଏହାକୁ ଭାଙ୍ଗି ଏହାରି ପଥରରେ କଟକ ସହରର ପ୍ରଧାନ ରାସ୍ତା ନିର୍ମାଣ କଲେ । ହାୟରେ ଦୁର୍ଭାଗ୍ୟ !

 

ପୁଣି ଥରେ ଇଂରେଜ ଜାତି ବିରୁଦ୍ଧରେ ରକ୍ତ ତାତିଉଠିଲା; କିନ୍ତୁ ଆମେ ଉପାୟହୀନ । ପ୍ରତିଶୋଧ କିପରି ବା ନିଅନ୍ତୁ ? ସେମାନେ ଆଜି କାହାନ୍ତି ? ମନରେ ଭାରି ଦୁଃଖ ହେଲା ସେମାନେ ଏ ଦେଶ ଛାଡ଼ିଯିବା ପୂର୍ବରୁ ଆମେ ଯା’ ଜୟୀ ରାଜଗୁରୁ, ବାଜି ରାଉତ, ଲକ୍ଷ୍ମଣ ନାୟକ ପ୍ରଭୃତିଙ୍କ ମୃତ୍ୟୁର ପ୍ରତିଶୋଧ ନେଇପାରିଲୁ ନାହିଁ ।

 

ବାରବାଟୀ ଆଜି ଆମ ସ୍ମୃତିପଟରୁ ବିସ୍ମୃତ । ଯଦି ସେଠି ଆଧୁନିକ ଷ୍ଟାଡ଼ିୟମ୍ ନିର୍ମିତ ହୋଇ ନଥାନ୍ତା, ଆମେ ଆଜି ବାରବାଟୀର ନାମ ମଧ୍ୟ ଉଚ୍ଚାରଣ କରୁ ନଥାନ୍ତୁ । ଇତିହାସର ଛାତ୍ର ହିସାବରେ ମୁଁ ବେଳେବେଳେ ରାଗରେ ଜଳିଉଠେ, ଆଉ ବେଳେବେଳେ ମଥାପୋତି ମହାକାଳର ଭଙ୍ଗୁର ଲୀଳାକୁ ସହିନିଏ ।

 

କ୍ଲାସ୍‌ରେ ଅଧ୍ୟାପକ ପଢ଼ାନ୍ତି–ଚଣ୍ଡାଶୋକଙ୍କର ଧର୍ମାଶୋକରେ ପରିଣତ ହେବା କଥା । ଯୁଦ୍ଧର ବିଭୀଷିକା, ମୃତ୍ୟୁର ତାଣ୍ଡବ, ରକ୍ତର ହୋରିଖେଳ ପରେ ଅଶୋକଙ୍କର ପରିବର୍ତ୍ତନ । କିଏ କଲା ଏଇ ପରିବର୍ତ୍ତନ ? ଧୀବରକନ୍ୟା କାରୁବାକୀ ?–ଇତିହାସ ନୀରବ ।

 

ମୋରି ଗାଁ ମାୟାପୁର ନିକଟରେ ତ କଳିଙ୍ଗ–ଯୁଦ୍ଧ ଘଟିଯାଇଥିଲା । ଯୁଦ୍ଧର ରକ୍ତଦାଗ ଆଜି ନାହିଁ । କିନ୍ତୁ ମୂକ ସାକ୍ଷୀରୂପେ ଧଉଳିପାହାଡ଼–ଦୟାନଦୀ ଆଜିବି ତ ରହିଚି । ରହିଚିବି ତ ଆମ ଗାଁ । ସେ କ’ଣ ଦେଖି ନଥିବ ! ଆମରି ଗାଁର, ଆମରି ଘରର କେଉଁ ପୂର୍ବପୁରୁଷ ଏଇ କଳିଙ୍ଗ–ଯୁଦ୍ଧରେ ମୃତ୍ୟୁବରଣ କରିଥିବାର ଦୃଶ୍ୟକୁ ?

 

ବାରବାଟୀ ଦୁର୍ଗର ଗଡ଼ଖାଇ ନିକଟରେ ଠିଆହୋଇ ରକ୍ତ ମୋର ଟକ୍‌ଟକ୍‌ ହେଇ ଫୁଟିଉଠେ । ମନେପଡ଼େ ଦିନେ ଓଡ଼ିଶାର ସୀମା ଥିଲା ଗଙ୍ଗାଠାରୁ ଗୋଦାବରୀଯାଏ ପରିବ୍ୟାପ୍ତ । ସେ ସୀମାକୁ ଖଣ୍ଡବିଖଣ୍ଡିତ କରି ଓଡ଼ିଶାକୁ ପଙ୍ଗୁ କଲା କିଏ ? ଏଇ ଇଂରେଜ ଜାତି । ଓଡ଼ିଶା ବାହାରେ ରହିଯାଇଥିବା ଓଡ଼ିଆ ଅଞ୍ଚଳକୁ ଆମେ କ’ଣ ଫେରାଇ ଆଣିପାରିଲୁ ? ମେଦିନୀପୁର, ଜାମସେଦ୍‌ପୁର, ଚାଇଁବସା, ରାୟପୁର, ମଞ୍ଜୁଷା, କାକିନଡ଼ା, ଓ୍ୟାଲଟିୟର, ବିଜୟନଗର ପ୍ରଭୃତି ଓଡ଼ିଆ ଅଞ୍ଚଳ ଓଡ଼ିଶାରେ ଆଜି ନାହିଁ । ପୁଣି ସେସବୁ ଅଞ୍ଚଳକୁ ଆମ ସହିତ ସାମିଲ କରିବାର ନିଷ୍ଠାବି ଆମର ନାହିଁ । ଯେଉଁମାନେ ଓଡ଼ିଶାକୁ ଏକ କରିବାପାଇଁ ଆଜୀବନ ସଂଗ୍ରାମ କରିଗଲେ, ଓଡ଼ିଆ ଭାଷା ସଂସ୍କୃତିକୁ ଅକାଳମୃତ୍ୟୁ ମୁଖରୁ ରକ୍ଷାକରିବାପାଇଁ ଦଧୀଚି ପରି ମୃତ୍ୟୁବରଣ କଲେ, ସେମାନଙ୍କର ସ୍ମୃତିବି ଆମ ନିକଟରେ କ୍ରମଶଃ ନିଷ୍ପ୍ରଭ ହେଇଆସୁଚି ।

 

କ୍ଲାସ୍‍ରେ ଆମ ଇତିହାସ ଅଧ୍ୟାପକ ଓଜସ୍ୱିନୀ ଭାଷାରେ ପାଇକ–ବିଦ୍ରୋହର ବୀରତ୍ୱ–ଗାଥା, ପୁରୀ, ଭୁବନେଶ୍ୱର, କୋଣାର୍କ ମନ୍ଦିରର ଶିଳ୍ପଚାତୁରୀ ଏବଂ ଜଗନ୍ନାଥଙ୍କର ଅଲୌକିକତା ସମ୍ପର୍କରେ କହନ୍ତି । ମାତ୍ର ଅତୀତର ଏଇ ଯଶୋଗାନର ମୂଲ୍ୟ କ’ଣ ଯଦି ତାହା ଆମକୁ ଭବିଷ୍ୟତ ପାଇଁ ଉଦ୍‌ବୁଦ୍ଧ ନ କଲା ?

 

ଇଂରେଜ ଯାଇଛି । ଆମେ ଏବେ ନିଜକୁ ନିଜେ ଶାସନ କରୁଛୁ; କିନ୍ତୁ ଗୋଟାଏ ଐତିହାସିକ ପୁରାତନ ଜାତିର ହୃତଗୌରବକୁ ଫେରାଇଆଣିବର ଉଦ୍ୟତ କିଏ କରୁଛି ? ନା ସରକାର, ନା ଆମେ ?

 

ସାମାନ୍ୟ ଦୁଇଜଣ ବିଶ୍ୱାସଘାତକ ଶିଖିମନାଇଙ୍କ କୁଚକ୍ରାନ୍ତରେ ଗୋଟିଏ ସ୍ୱାଧୀନ ଜାତି ପରାଧୀନ ଜାତିରେ ପରିଣତ ହେଲା, ଆଉ ଆମେ ଲକ୍ଷ ଲକ୍ଷ ବୀର ଓଡ଼ିଆ....ତା’ର ଉଦ୍ଧାରପାଇଁ କି ଯୋଜନା ଗ୍ରହଣ କଲୁ । ବକ୍‌ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ କ’ଣ ଆମ ପାଖରେ ଚିର ଦିନପାଇଁ ନିରର୍ଥକ ହେଇ ରହିଗଲେ !

 

ମୋ ଆଖିକି ଲୁହ ଆସେ । କ୍ଷମତାପାଇଁ ଲଢ଼େଇ ଆରମ୍ଭ ହେଇଯାଇଚି । ପୁଣି ସେଇ ଚକ୍ରାନ୍ତର ଜାଲ । ଆମେ ସବୁ ନିରୀହ ତଣ୍ଡୁଳଲୋଭୀ ପକ୍ଷୀଦଳ ।

 

ମୁୀଁ ବି.ଏ. ପାସ୍‌ କରିବା ପରେ ପରେହିଁ ବାପା ଚାକିରିରୁ ଇଚ୍ଛାକୃତ ଅବସର ନେଲେ । ତାଙ୍କୁ ଆଉ ଭଲ ଲାଗିଲାନାହିଁ । ସେ କହନ୍ତି, ଚାକିରି ଜୀବନରେ ତାଙ୍କ ଉପରେ ଯେଉଁ ଅନ୍ୟାୟ ହେଲା, ତାକୁ ସେ ସହିଯାଇଥାନ୍ତେ ବା କିପରି ?

 

ହଠାତ୍‌ ତାଙ୍କୁ ତଳକୁ ଖସାଇ ତାଙ୍କ ତଳବାଲାଙ୍କୁ ଉପରକୁ ପ୍ରମୋସନ୍‌ ଦେଇଦିଆଗଲା-। ତଳବାଲାଙ୍କର ସୁପାରିସ୍ ଅଛି; ବାପାଙ୍କର ନାହିଁ । ତଳବାଲା ହେଲେ ବାପାଙ୍କ ଉପର ହାକିମ-। ବାପା ଗଣତାନ୍ତ୍ରିକ ପନ୍ଥା ଗ୍ରହଣ କରି ଏଥିପାଇଁ ଆପତ୍ତି ଉଠାଇଲେ । ଛ’ମାସ ବିଚାର ପରେ ବାପାଙ୍କ ଆପତ୍ତି ନାମଞ୍ଜୁର ହେଲା । ତଳବାଲାଙ୍କ ଅଧୀନରେ ଆଉ ଚାକିରି କରିବାକୁ ତାଙ୍କ ମନ ବଳିଲାନାହିଁ ।

 

ବାପା ଅବସର ନେଲେ । ପୁରୀ ସହର ଛାଡ଼ି ମାୟାପୁର ଗାଁକୁ ଫେରିଆସିଲେ । ଗାଁରେ ଯାହା ସାମାନ୍ୟ ଜମି ଥିଲା, ତାହାକୁ ଚଷି ଗୁଜୁରାଣ ମେଣ୍ଟାଇବେ ଏବଂ ତାଙ୍କର ବଡ଼ ଭରସା ମୁଁ । ବି.ଏ. ପାସ୍‌ କରିଚି, ନିଶ୍ଚୟ କିଛି ଗୋଟାଏ ଭଲ ଚାକିରି ପାଇବି । ଆଉ ଚିନ୍ତା କ’ଣ ରହିବ ? ମୋପାଇଁ ଚାକିରିର ଅନୁସନ୍ଧାନ ଚାଲିଲା । ପୁରୀରୁ ଗାଁ, ଗାଁରୁ ପୁରୀ....ଦଉଡ଼ି ଦଉଡ଼ି ବର୍ଷେ ଚାଲିଗଲା ।

 

ଇତିମଧ୍ୟରେ ଓଡ଼ିଶାର ରାଜଧାନୀ କଟକରୁ ଭୁବନେଶ୍ୱରକୁ ଚାଲିଆସିଛି । ଭୁବନେଶ୍ୱରର ଯୋଉ ପାଖଟା ସମ୍ପୂର୍ଣ୍ଣ ଜଙ୍ଗଲ ଥିଲା, ସେଇ ପାଖରେ ତିଆରି ଚାଲିଚି ନୂଆ ରାଜଧାନୀ–ପ୍ରକାଣ୍ଡ କୋଠା ବାଡ଼ି–ଲାଟଭବନ, ସଚିବାଳୟ, ବିଧାନସଭା ପ୍ରଭୃତି । ବାପାଙ୍କ ପରାମର୍ଶରେ ସେଠିକିବି ମୋତେ ଦଉଡ଼ିବାକୁ ପଡ଼ିଲା ।

 

ଏମିତି ଧାଇଁ ଧାଇଁ ମୁଁ ଥକିପଡ଼ିଲି । ମୋର ସବୁ ସ୍ୱପ୍ନ ମୋ ଅଲକ୍ଷ୍ୟରେ ଅନ୍ତର୍ହିତ ହୋଇଗଲା । ଇତିହାସ ହେଲା ମୋ ପାଖରେ ମିଥ୍ୟା । ମୁଁ ସତେ ଅବା ଏକ ଅଦାବେପାରୀ, ଇତିହାସ–ରୂପକ ଜାହାଜ ସହିତ ମୋର କିଛିହିଁ ସମ୍ପର୍କ ନାହିଁ ।

 

ମୁଁ ଦିନସାରା ବୁଲିବୁଲି କ୍ଳାନ୍ତ ହେଇ ଫେରେ । ବାପା–ମା’ ସତୃଷ୍ଣ ନୟନରେ ମୋ ଫେରିବା ବାଟକୁ ଚାହିଁ ବସିଥାଆନ୍ତି । ମୋ ମୁହଁ ଦେଖି ସେମାନେ ଆଉ କିଛି ପଚାରନ୍ତି ନାହିଁ । ରାତ୍ରି ମାଡ଼ିଆସେ । ସେଇ ରାତ୍ରିର ଘନକୃଷ୍ଣ ଡେଣା ତଳେ ଚାପି ଦେଇ ମୁଁ ଅଣନିଃଶ୍ୱାସୀ ହେଇପଡ଼େ ।

 

ବାପାଙ୍କର ପେନ୍‌ସନ୍‌ ମିଳିନାହିଁ । ମିଳିବାକୁ ଆଉରି ଡେରି ହେବ । ଇଂରେଜ ଅମଳ ଚାକିରିର କାଗଜପତ୍ରର ସନ୍ଧାନ ଏଯାଏ ମିଳିନାହିଁ । ଗଚ୍ଛିତ ଟଙ୍କାବି ସେମିତି କିଛି ନାହିଁ ଯୋଉଥିରେ ଆମେ ବେଶ୍‌ କିଛି ବର୍ଷ କଟେଇ ଦେଇପାରିବୁ । ବସି ଖାଇଲେ ନଈବାଲିବି ସରିଯାଏ । ଆମେ ତିନିଜଣ ବସି ବସି ଆଉ କେତେଦିନ ସଞ୍ଚିତ ଯତ୍‌କିଞ୍ଚିତ୍‌ ଧନର ଉପଯୋଗ କରିବୁ ?

 

କଲେଜ ଜୀବନର କେତେକ ବନ୍ଧୁ ଯେଉଁମାନେ ମହାତ୍ମା ଗାନ୍ଧୀଙ୍କ ଡାକରାରେ କଲେଜ ଛାଡ଼ିଥିଲେ, ଜେଲ୍‌ବି ଯାଇଥିଲେ, ସେମାନଙ୍କ ମଧ୍ୟରୁ ଅନେକେ ବର୍ତ୍ତମାନ ଭୋଟରେ ଜିଣି ଏମ୍‌.ଏଲ୍‌.ଏ., ମନ୍ତ୍ରୀ ହେଲେଣି ।

 

ବାପା ଦିନେ ମୁହଁ ଖୋଲି ମତେ କହିଲେ–ନୀଳୁ, କାହାକୁ କହିବି ? ମୁଁ ତ ଭୁଲ୍‌ କରିଚି-। ତୁ ଜେଲ୍‌ ଯାଇଥିଲୁ । ତୋପାଇଁ ମୁଁ କ୍ଷମା ମାଗି ତୋତେ ଜେଲ୍‌ରୁ ମୁକୁଳେଇ ଆଣି ତୋ ଜୀବନଟାକୁ ନଷ୍ଟ କରିଦେଲି । ତୁ ଯଦି କିଛିଦିନ ଜେଲ୍‌ରେ ରହିଯାଇଥାନ୍ତୁ, ସେଠୁ ଫେରି ତ ନେତା ସାଜି ଏମ୍‌.ଏଲ୍‌.ଏ. ବା ମନ୍ତ୍ରୀ ଖୁବ୍‌ ସହଜରେ ହେଇପାରିଥାନ୍ତୁ । ତୋ ଜେଲ୍‌ ଯିବାରେ ନହେଲେ ମୋ ଚାକିରିଟା ଯାଇଥାନ୍ତା; କିଛି କ୍ଷତି ହେଇ ନଥାନ୍ତା । ମୁଁ ସେତେବେଳେ କ’ଣ ଜାଣିଥିଲି ଦେଶଟା ସ୍ୱାଧୀନ ହବାପରେ ସବୁକିଛି ସୁବିଧା ସୁଯୋଗପାଇଁ ଜେଲ୍‌ ଯିବାଟାହିଁ ହେବ ଏକମାତ୍ର ସୁପାରିସ୍‌ପତ୍ର ।

 

ବାପାଙ୍କର ଏଇ ମନସ୍ତାପର ମୂଲ୍ୟ ବର୍ତ୍ତମାନ ବା କ’ଣ ଅଛି ? ଯାହା ଯାଇଚି ସେ କ’ଣ ଆଉ ଫେରିବ ? ଜୀବନରେ ସୁଯୋଗ ବହୁବାର ଆସେନା । ଯେତେବେଳେ ଆସେ, ତାକୁ ଯଦି ହାତଛଡ଼ା କରିଦିଆଯାଏ, ତେବେ ପଛକୁ ଅନୁତାପ କରିବାକୁ ପଡ଼େ ।

 

ସେମାନେ ତ ମୋହରି ସାଙ୍ଗସାଥୀ । କଲେଜରେ ଇଉନିୟନ ଜେକ୍‌ ପତାକା ବଦଳରେ ସ୍ୱଦେଶୀ ପତାକା ଉଡ଼େଇ ଆମେ ଯେ କେତେ ଜଣ ଜେଲ୍‌ ଯାଇଥିଲୁ, ତା’ ଭିତରୁ ଆଠଜଣ ବର୍ତ୍ତମାନ ଏମ୍‌.ଏଲ୍‌.ଏ. ଓ ଜଣେ ଉପମନ୍ତ୍ରୀ ।

 

ବାପା କହିଲେ–ଯାହା ହେବାର ତ ହେଇଯାଇଚି, ଏବେ କ୍ଷମତାରେ ଥିବା ତୋର ସାଙ୍ଗସାଥୀମାନଙ୍କ ପାଖକୁ ଯାଇ ଚାକିରିଟେ ଯୋଗାଡ଼ କର ।

 

ତା’ ଛଡ଼ା ଅନ୍ୟ ଉପାୟ ବା ମୋର କ’ଣ ଥିଲା ?

 

ଏକଦା ମୋର ରୁମ୍‌ମେଟ୍‌ ଥିବା ଏବଂ ଅଧୁନା ଉପମନ୍ତ୍ରୀ ହୋଇଥିବା ମୋର ଘନିଷ୍ଠ ବନ୍ଧୁ କୃପାସିନ୍ଧୁ ମୋତେ ଏ ଦିଗରେ ସାହାଯ୍ୟ କଲେ । ଯେଉଁଦିନ ସଚିବାଳୟରେ ମୁଁ ତାଙ୍କ ସହିତ ସାକ୍ଷାତ କଲି ଏବଂ ମୋର ଦୁରବସ୍ଥା ତଥା ମୋ ପରିବାରର ଅସହାୟ ଅବସ୍ଥା କଥା ତାଙ୍କୁ କହିଲି, ସେ ସଙ୍ଗେ ସଙ୍ଗେ ଟେଲିଫୋନ୍‌ କରି ସେଇ ସଚିବାଳୟରେହିଁ ମୋପାଇଁ ଚାକିରିଟିଏ ଯୋଗାଡ଼ କରିଦେଲେ । ମୁଁ ବର୍ତ୍ତମାନ ସେକ୍ରେଟେରିଏଟ୍‌ର ଅମଲା, ଯାହାର ଅନ୍ୟ ନାମ ଆସିଷ୍ଟାଣ୍ଟ୍‌ । ଶାନ୍ତିର ନିଃଶ୍ୱାସ ମାରିଲି । ବାପାଙ୍କୁ ଯାଇ ଏ ସମ୍ୱାଦ ଦେଲି । ଅତଳ ଦରିଆରେ ଆଶ୍ରୟ ମିଳିଥିବାରୁ ବାପା ଏଥିରେ ଖୁସି ହେବେ ବୋଲି ମୁଁ ଭାବିଲି; ମାତ୍ର ସେ ସନ୍ତୁଷ୍ଟ ହେଲେ ନାହିଁ । କାରଣ ସେ ତ ହେଲେ ଅବସର ନବାବେଳକୁ ହାକିମ । ହାକିମର ପୁଅ ହେଇ ମୁଁ ଯଦି ହାକିମ ନ ହେଇ କିରାଣିଟିଏ ହେଲି, ସେଥିରେ ଯେ କେହି ପିତା କ୍ଷୁବ୍ଧ ହେବା କଥା । ତଥାପି...

 

ଅଗତ୍ୟା ଏଇ ଚାକିରିକୁ ଆଦରିନେବା ଛଡ଼ା ଆଉ କିଛି ପନ୍ଥା ତ ମୋ ଆଗରେ ନଥିଲା-। ବାପା କ’ଣ ସତରେ ଭୁଲିଗଲେ ଯେ ତାଙ୍କ ଜୀବନ ମଧ୍ୟ ସେ ଏଇ କିରାଣି ଚାକିରିରୁ ଆରମ୍ଭ କରିଥିଲେ । ସାହେବ ଅନୁଗ୍ରହ କରି ନଥିଲେ ତାଙ୍କୁବି ତ ଶେଷପର୍ଯ୍ୟନ୍ତ ଏଇଭଳି ଏକ ଚାକିରିରେ ରହିବାକୁ ପଡ଼ିଥାନ୍ତା । ଅବଶ୍ୟ ପ୍ରତ୍ୟେକଙ୍କର କିଛି ନା କିଛି ଉଚ୍ଚାଭିଳାଷ ରହିବା ଉଚିତ; ମାତ୍ର ଭବିଷ୍ୟତର ଅଭିଳାଷ ପାଇଁ ବର୍ତ୍ତମାନକୁ ତ ଜଳାଞ୍ଜଳି ଦିଆଯାଇପାରିବ ନାହିଁ ।

 

ଯଥା–ନିର୍ଦ୍ଧାରିତ ସମୟରେ ମୁଁ ଯାଇ ଚାକିରିରେ ଯୋଗଦେଲି । ଉପରେ ବାପା ସିନା ଖୁବ୍‌ ସନ୍ତୁଷ୍ଟ ହୋଇଛନ୍ତି ବୋଲି ଦେଖେଇ ହଉ ନଥିଲେ; କିନ୍ତୁ ଯୋଉଦିନ ମୋ ଚାକିରି ଆରମ୍ଭ ସେଇଦିନ ସକାଳେ ବାପା ମା’ ଉଭୟ ଲିଙ୍ଗରାଜ ମନ୍ଦିରକୁ ଯାଇ ପାଞ୍ଚଟଙ୍କା ଖର୍ଚ୍ଚ କରି ଭୋଗ କରିଥିଲେ ।

 

ମୁଁ ବି ଲିଙ୍ଗରାଜଙ୍କୁ ମୁଣ୍ଡିଆମାରି କହିଥିଲି–ହେ ବାବା ଲିଙ୍ଗରାଜ ! ମୋ ଭବିଷ୍ୟତକୁ ଉଜ୍ଜ୍ୱଳ କର । ବାପାଙ୍କର ଦୁଃଖ ଦୂର ହେଉ ।

 

ମୋ ଚାକିରି କରିବାରେ ବାପାଙ୍କର ଦୁଃଖ ଦୂରହେଲା ସତ୍ୟ; କିନ୍ତୁ ମୋ ଉପରକୁ ଆଉ ଏକ ନୂତନ ବିପଦ ମାଡ଼ିଆସିଲା । ସେଇଟା ହେଉଚି ମୋ ବିବାହପ୍ରସଙ୍ଗ ।

 

ଚାକିରି କଲି । ତୁରନ୍ତ ଘରକୁ ବୋହୂଟିଏ ଆସିବା ଦରକାର । ବାପା ମା’ ଉଭୟ ପାଣି ପିଇ କନ୍ୟା ସନ୍ଧାନରେ ଲାଗିପଡ଼ିଲେ ।

 

ଏ ସମ୍ପର୍କରେ ମୋର ମତାମତ ନବାର ଆବଶ୍ୟକତା ସେମାନେ ଅନୁଭବ କରିନାହାନ୍ତି-। ଚାକିରି କରି ଜୀବନରେ ସ୍ଥାୟୀ ହୋଇଯିବାପରେ ଘରକୁ ଘରଣୀ ଯେ ଦରକାର, ଏହା ବହୁ ପୁରାକାଳରୁ ପ୍ରଚଳିତ ରହିଆସିଚି । ପୁଅ ବା ଝିଅର ମତାମତ ପ୍ରତି କେହି ଗୁରୁତ୍ୱ ଦିଅନ୍ତିନାହିଁ ।

 

ମୁଁ ଭାରି ଅଡ଼ୁଆରେ ପଡ଼ିଲି । ଘରେ ଯଦି ମୋର ନାନୀଟିଏ ବା ଭାଉଜଟିଏ ଥାନ୍ତେ, ସେମାନଙ୍କୁ ମୁଁ ମୋ ମନର କଥା କହିପାରନ୍ତି; ମାତ୍ର ସେ ସୁଯୋଗ ମୋର ନାହିଁ । ମା’ଙ୍କୁ କେମିତି କହିବି ଏ ସୁଯୋଗ ସବୁବେଳେ ମୁଁ ଖୋଜୁଥାଏ । ସେମାନେ ଯୋଉଠି ଯୋଉଠି ମୋ ବିବାହପାଇଁ ପ୍ରସ୍ତାବ ପକାଉଥାନ୍ତି, ସେ ସବୁ ଜାଗାରେ ମୁଁ ବାହାହବାକୁ ରାଜି ନୁହେଁ । ମୋ ଗୋପନ ପ୍ରେମର କାହାଣୀ ମୁଁ ଆଜିଯାକେ କାହାରିକୁ କହି ନଥିଲି; ମାତ୍ର ଆଜି ମୋତେ ବାଧ୍ୟ ହେଇ କହିବାକୁ ପଡ଼ୁଚି-

 

ମୋ କଲେଜ–ଜୀବନର କଥା । ବୀଣାପାଣି ମେସ୍‌ରେ ମୁଁ ରହୁଥିବାବେଳେ ମୁଁ ହିଁ ଥିଲି ସେ ମେସ୍‍ର ଏକମାତ୍ର ପାନଖିଆ ଛାତ୍ର । ଆମ ମେସ୍‌ର ଠିକ୍‌ ପଛପଟେ ଥାଏ ଘରମାଲିକଙ୍କର ଏକତାଲା କୋଠା । ମୁଁ ଯେଉଁ ରୁମ୍‌ଟାରେ ରହୁଥିଲି, ଠିକ୍‌ ତା’ର ସାମନାସାମନି ରୁମ୍‌କୁ ନେଇହିଁ ରୋମାଞ୍ଚ ଆରମ୍ଭ ହେଇଥିଲା । ମୋ ଝରକା ଓ ସେ ରୁମ୍‌ର ଝରକା ମୁହାଁମୁହିଁ । ସେ ରୁମ୍‌ରେ ରହୁଥିଲା ଘରମାଲିକଙ୍କ ଝିଅ । ବୟସ ସେତେବେଳକୁ ତା’ର ଷୋଳ କି ସତର । ମୁଁ ତା’ଠୁ ପ୍ରାୟ ଆଉ ତିନି ଚାରିବର୍ଷ ବଡ଼ । ଝିଅଟି ଗୋରୀ ହେଲେ କ’ଣ ହେବ ମୁହଁରେ କିଛି ବସନ୍ତର ଦାଗ ରହିଯାଇଥିଲା । ସେ ପାନ ଖାଉଥିଲା । ପାନ ଆଣିବାପାଇଁ ସେ କଲେଜ ଆଡ଼କୁ ଲମ୍ୱିଯାଇଥିବା ରାସ୍ତାର ଛକ ପାଖକୁ ପ୍ରତିଦିନ ସକାଳେ ଦିପହରେ ଓ ସନ୍ଧ୍ୟାରେ ଯାଏଁ । ସେଇ ପାନଦୋକାନରେ ପ୍ରତିଦିନ ତା’ର ମୋର ଦେଖାହୁଏ । ଏକପ୍ରକାର ପାନ ଆମେ ଖାଉଥିଲୁ ।

 

ଦୋକାନରେ ଏବଂ ରୁମ୍‌ରେ ସାମନାସାମନି ବହୁବାର ସାକ୍ଷାତ ପରେ ଆମେ ଦୁହେଁ ପରସ୍ପରର ପରିଚିତ ହେଇଯାଇଥିଲୁ । ଏଇ ପରିଚୟର ସୁଯୋଗ ନେଇ ଦିନେ ସେ ତା’ ରୁମ୍‌ରେ ଥାଇ ଝରକାରେ ହାତ ବଢ଼ାଇ ମୋତେ ପାନ ମାଗିବସିଲା । ଇସ୍‌ ! ସେଦିନ ମୋ ମନର ଯେଉଁ ଅବସ୍ଥା, ଦେହରେ ଯେଉଁ ପୁଲକ, ଅନ୍ତରରେ ଯେଉଁ ଶିହରଣ, ତାକୁ ଆଜି ମୁଁ ଭାଷାରେ ପ୍ରକାଶ କରିପାରିବି ନାହିଁ । ଅବା ସେ ଅନୁଭୂତି ଭାଷାର ଅତୀତ ।

 

ଝିଅଟା ମୁଚୁକି ମୁଚୁକି ହସୁଥାଏ, ଆଉ ହାତ ବଢ଼େଇ କହୁଥାଏ–ମୁଁ ସକାଳେ ପାନ ଆଣିବାକୁ ଯାଇପାରିଲିନି । ଅଛି ଯଦି ଦିଅନ୍ତୁ ।

 

ମୁଁ ସେଦିନ ଯଥାସମୟରେ ଯାଇ ପାନ ଆଣିଥିଲି । ଝିଅଟି ହାତକୁ ପୁଟୁଳାଟିଯାକ ବଢ଼େଇଦେଲି ।

 

ସେ କହିଲେ–ଆରେ, ସବୁଗୁଡ଼ା ଦେଇଦେଲେ ନା କ’ଣ ! ଖଣ୍ଡେ ଦିଅନ୍ତୁ ।

 

ମୁଁ କହିଲି–ତୁମେ ପରା ଆଜି ଯାଇପାରିନାହଁ । ସବୁ ରଖ । ମୁଁ ପୁଣି ଯାଇ ମୋର ଆଣିବି ।

 

ଝିଅଟି ହସିଲା ଓ ପୁଟୁଳାଟି ରଖିଲା । ସେଇଦିନ ପ୍ରଥମ କରି ମୁଁ ତା’ ଆଖିତଳେ ନୂଆ ଏକ ଭାଷାର ସନ୍ଧାନ କଲି । ସେ ଯେମିତି କ’ଣ ‌ଖୋଜୁଚି ।

 

ଏମିତି ହେଲା–ପ୍ରତିଦିନ ସକାଳେ ଝରକାରେ ତାକୁ ନ ଦେଖିବାଯାଏ ମୋତେ ଆଉ କିଛି ଭଲ ଲାଗୁ ନଥିଲା । ସକାଳେ ଉଠି ପୁଣ୍ୟବନ୍ତ ଲୋକେ ଦିଅଁ ମୁଖ ଦର୍ଶନ କଲାପରି ପ୍ରତିଦିନ ତା’ ମୁହଁ ଦେଖିବା ହେଲା ମୋର ସବୁଠୁ ବଡ଼ ଆକର୍ଷଣ ।

 

ସେଦିନ ପାନଦୋକାନରୁ ପାନ ନେଇ ଆମେ ଦୁହେଁ ଏକାସଙ୍ଗରେ ଆସିଲୁ । ସେ ଆଗେଆଗେ, ଆଉ ମୁଁ ଠିକ୍‌ ତା’ର ପଛେ ପଛେ । ମାତ୍ର ରାସ୍ତାରେ ତା’ ସହିତ ପଦେ କଥା ହେବାକୁ ମୋର ସାହସ ହେଉ ନଥାଏ । ତା’ର ଗତି ଥାଏ ମନ୍ଥର । ବୋଧହୁଏ ଇଚ୍ଛାକରି ସେ ଖୁବ୍‌ ଆସ୍ତେ ଆସ୍ତେ ଯାଉଥାଏ । ମୋର ଗତି ଥାଏ ତା’ଠୁ ଖର । ମୋରବି ଇଚ୍ଛାଥାଏ ମୁଁ ଟିକିଏ ଦ୍ରୁତଗତିରେ ତା’ର ପାଖାପାଖି ହେଇଯାଏ; କିନ୍ତୁ ଏପରି ହେଲା ଯେ ମୋର ଦ୍ରୁତପାଦକୁ ତା’ ନିକଟରେ ମୁଁ ଆଉ ଅଟକାଇ ପାରିଲି ନାହିଁ । ତାକୁ ଟପି ଆଗେଇଗଲି । ଦେହରୁ ଝାଳ ବୋହିଗଲା । ଭାବିଲି, କି ଦୁଃସାହସ ମୁଁ କରୁଚି; କିନ୍ତୁ ଯାହା ଭାବିଲେବି ପାଦଟା ପୁଣି ମନ୍ଥର ହେଇଆସିଲା । ସେ ମୋ ପାଖାପାଖି ହେଇ ହସିଦେଲା ଓ ତା’ ଘରକୁ ଚାଲିଗଲା । ମୁଁ ବି ମୋ ରୁମ୍‌କୁ ଯାଇ ଦେଖିଲି ଯେ ସେ ତା’ ଝରକା ଖୋଲିଦେଇ ମୋରି ଆଡ଼କୁ ଚାହିଁଚି ଓ ହସୁଚି । ସେଦିନ ତା’ ହସରେ ଥିଲା ଯେମିତି ତାଚ୍ଛଲ୍ୟ ଭାବ । ସେ ହୁଏତ ମୋତେ ଜଣାଇଦେବାକୁ ଚାହୁଁଥିଲା–ଛି ଛି, ଏମିତି ଭୟାଳୁ ହେଲେ କ’ଣ ଚଳିବ ?

 

ଆକର୍ଷଣଟା ବଢ଼ୁଥିଲା । ଏମିତି ହେଲା ଯେ ସେ ଆଉ ପାନଦୋକାନକୁ ପାନ କିଣିବାପାଇଁ ଯାଏନା । ମୁଁ ତା’ପାଇଁ ପାନ ନେଇଆସି ତାକୁ ଦିଏ । ବେଳେବେଳେ ସେ ପାନଖଣ୍ଡକରୁ ଅଧେ ଖାଇ ଆଉ ଅଧକ ମୋତେ ଦେଇଦିଏ; ଆଉ ବେଳେବେଳେ ମୁଁ ବି ସେଇୟା କରେ । ରାତିର ଅନ୍ଧାରରେ ଝରକାଦେଇ ତା’ର ଗୋରା ହାତଟା ବାହାରକୁ ବଢ଼ାଇଦିଏ, ଆଉ ମୁଁ ସେ ହାତର ସ୍ପର୍ଶପାଏ ।

 

ଦିନେ ଏକ ଦୁଃସାହସିକ କାମ କରିବସିଲି । ବାହାରକୁ ଲମ୍ୱିଆସିଥିବା ସେଇ ହାତଟାରେ ପାନପୁଟୁଳା ରଖିବା ପୂର୍ବରୁ ମୋ ମୁହଁ ପାଖକୁ ଟାଣିଆଣିଲି । ସେ କିନ୍ତୁ ଛାନିଆହେଇ ତା’ ହାତଟାକୁ ଟାଣିନେଲା; ଆଖିରେ କଠୋରତା ପ୍ରକାଶ କଲା । ମୋତେ ଶାସନ କରିବାର ଭଙ୍ଗି ଦେଖାଇଲା । ମୁଁ ଭୟରେ କିଛି ନ କହି ପାନପୁଟୁଳାଟି ତା’ ଝରକା ଉପରେ ରଖିଦେଲି । ସେ ପାନତକ ନେଇ ହଠାତ୍‌ ଝରକାକୁ ବନ୍ଦ କରିଦେଲା ।

 

ସେଦିନ ରାତିସାରା ମୁଁ ଶୋଇନାହିଁ । କାହିଁକି ମୁଁ ଏ ଅନ୍ୟାୟ ଆଚରଣ ଦେଖାଇଲି । ତାକୁ ଏମିତି ଭାବରେ ରଗେଇଦବାଦ୍ୱାରା ମୋର କି ଲାଭହେଲା ? ମୁଁ ଅସ୍ଥିର....ରାତିରେ କିଛି ଖାଇଲିନି । ମନରୁ ସବୁତକ ହସ ମରିଗଲା । ତା’ ପରଦିନ କ୍ଲାସ୍‌ ଛାଡ଼ି କଲେଜରୁ ପଳାଇଆସିଲି-। ପୂଝାରି ଚାକର ଆରାମରେ ଘୁଙ୍ଗୁଡ଼ି ଫୁଟଉଥାନ୍ତୁ । ସାରା ମେସ୍‌ଟାରେ ମୁଁ ଏକାଏକା-। ମନରେ ସାହସ ସଞ୍ଚୟ କରି ସକାଳଠୁ ଖୋଲା ନ ହେଉଥିବା ସେପାଖ ଝରକାଟା ମୁଁ ଖୋଲିଲି-। ଦେଖିଲି ତା’ ପାଖ ଝରକାଟାବି ବନ୍ଦ ହେଇଚି । ମୁଁ ଆଉ ମୋ ଝରକା ବନ୍ଦ ନ କରି ଖୋଲା ରଖିଲି ଓ ଖଟ ଉପରେ ଶୋଇରହି ତା’ ଝରକାଆଡ଼େ ନିର୍ନିମେଷ ନୟନରେ ଚାହିଁ ରହିଲି-

 

ସତରେ କ’ଣ ଏ ଝରକା ଆଉ କୌଣସି ଦିନ ଖୋଲିବନାହିଁ ? ସାମାନ୍ୟ ଭୁଲପାଇଁ କି ମନସ୍ତାପ ମୋତେ ଭୋଗିବାକୁ ପଡ଼ିଲା !

 

ହଠାତ୍‌ ଖଟ୍‌ କରି ଆବାଜ ହେଲା । ମୋ ଆଖି ଦି’ଟା ତଳକୁ ହୋଇଗଲା । ମୁଁ ଆଉ ସିଧା ସିଧା ସେ ଝରକା ଆଡ଼କୁ ଅନେଇ ପାରିଲିନାହିଁ । ସେ କିନ୍ତୁ ମୋ ଆଡ଼କୁ ଚାହିଁଲା । ହସିଲା-। ମୁଁ ମୋର ହଜିଯାଇଥିବା ସାହସକୁ ଫେରିପାଇଲି । ଧୀରେ ଧୀରେ ଉଠି ରୁମ୍‌ରେ ପଦଚାରଣା କଲି । ସେ କାଶିଲା; ମୋର ଦୃଷ୍ଟି ଆକର୍ଷଣ କରିବାର ଇଙ୍ଗିତ ଦେଲା ।

 

ମୁଁ ଝରକା ପାଖକୁ ଆଗେଇଗଲି । ସେ ଅତି ଧୀର କଣ୍ଠରେ ପଚାରିଲା–ମୋ ପାନ ?

 

ଅପ୍ରସ୍ତୁତ ହେଲି । ନବ କି ନାହିଁ ଏଇୟା ଭାବି ମୁଁ ସେଦିନ ତା’ପାଇଁ ପାନ ଆଣି ନଥିଲି-। ତାକୁ ଇଙ୍ଗିତ ଦେଲି ଅପେକ୍ଷା କର; ମୁଁ ସଙ୍ଗେ ସଙ୍ଗେ ନେଇ ଆସୁଚି । ପାନ ଆଣିଦବାରୁ ହସି ହସି ନେଲା, ଆଉ ମୋ ହାତଟାକୁ ଟିପି ଦେଲା ।

 

ମୁଁ ବୁଝିପାରିଲିନି ୟା’ର ମାନେ । ଏତେ ରାଗ ପରେ ପୁଣି ଏଭଳି ବ୍ୟବହାର ଯେ ସେ କରିବ, ଏହା ମୋର କଳ୍ପନାତୀତ ଥିଲା ।

 

ପୁଣି ଚାଲିଲା ଆମର ନିତିଦିନର ଖେଳ । ତା’ପରେ ଯୋଉ ହାତକୁ ସେଦିନ ସେ ମୋ’ଠାରୁ ଟାଣିନେଉଥିଲା, ସେଇ ହାତକୁ ସ୍ୱେଚ୍ଛାରେ ମୋ ମୁହଁ ପାଖକୁ ବଢ଼େଇଦେଲା । ତା’ର ସେଇ ହାତ ଉପରେ ମୁଁ ବାରମ୍ୱାର ଚୁମ୍ୱନ ଦେଲି । ପୁଣି ଏକ ନୂତନ ଉନ୍ମାଦନା ମୋ ମନପ୍ରାଣକୁ ଆଚ୍ଛନ୍ନ କଲା ।

 

ଆଉ ଦିନେ ସନ୍ଧ୍ୟାରେ ପାନଦୋକାନକୁ ଯିବାପାଇଁ ମୁଁ ତାକୁ ନିର୍ଦ୍ଦେଶ ଦେଲି । ଉଦ୍ଦେଶ୍ୟ ଥିଲା କିଛି କଥାବାର୍ତ୍ତା କରିବା ଓ.....

 

ସେଦିନ ପ୍ରଥମ କରି ତା’ ନାଁଟା ମୁଁ ଜାଣିଲି । ଆଉ ତା’ର ସମ୍ପୂର୍ଣ୍ଣ ପରିଚୟବି । ନାଁ ତା’ର ଉଷା ପଟେଲ । ସେମାନେ ଗୁଜୁରାଟୀ । ଉଷାର ବାପା ଆଜିକି ପ୍ରାୟ ଚବିଶବର୍ଷ ତଳେ ବ୍ୟବସାୟ କରିବାକୁ ଏଠିକି ଆସିଥିଲେ । ଉଷାର ଜନ୍ମ ଏଇଠି । ସେମାନଙ୍କର ଆଗରୁ ଖୁବ୍‌ ବଡ଼ ବ୍ୟବସାୟ ଥିଲା; ମାତ୍ର ଏବେ ନାହିଁ । ତା’ ବାପା ଅନେକ କ୍ଷତି ସହିବାପରେ ଏବେ ସାମାନ୍ୟ ନଡ଼ିଆ ବ୍ୟବସାୟ କରୁଛନ୍ତି । ପୁରୀରୁ ନଡ଼ିଆ ଆଣି ଗୁରୁରାଟକୁ ପଠଉଚନ୍ତି । ଘରଭଡ଼ାରୁ କିଛି ଟଙ୍କା ପାଉଛନ୍ତି । ଉଷା ତା’ ବାପା–ମା’ଙ୍କର ବଡ଼ ଝିଅ । ଉଷା ତଳେ ଆଉ ଦୁଇଟି ଭାଇ ଅଛନ୍ତି । ସେମାନେ ସ୍କୁଲ୍‍ରେ ପଢ଼ୁଛନ୍ତି । ସପ୍ତମ ଶ୍ରେଣୀ ପାସ୍‌ ପରେ ଉଷାର ପାଠପଢ଼ା ଶେଷ । ବିବାହ ହେବ ହେବ ହେଇ ତିନିବର୍ଷ ହେଲା ହେଇପାରିନି । କଟକରେ ତାଙ୍କ ଜାତିର ଭଲ ପାତ୍ର ମିଳୁନାହାନ୍ତି । ଦୂରରେ ବିବାହ ଦବାର ଖର୍ଚ୍ଚ କରିବାକୁ ସେମାନେ ଅକ୍ଷମ ।

 

ଏଇଭଳି ଏକ ପରିସ୍ଥିତିରେ ଉଷା ସହିତ ମୋର ପରିଚୟ, ଘନିଷ୍ଠତା ।

 

ଉଷା ସେଦିନ ସନ୍ଧ୍ୟାରେ ମୋତେ ତାଙ୍କ ଘରକୁ ଡାକିନେଲା । ତା’ ବାପା ଦୋକାନରୁ ଫେରନ୍ତି ରାତି ନ’ରେ । ଘରେ ମା’ ଥାନ୍ତି । ତା’ ମା’ ମୋତେ ଦେଖି ଭାରି ଖୁସି ହେଲେ । ଗୁଜୁରାଟୀ ସେଓ–ଗାଣ୍ଠିଆ ଚା’ ଖାଇବାକୁ ଦେଲେ । ଭାରି ମେଳାପୀ ମଣିଷଟି ସେ ।

 

ତାଙ୍କ ଘରକୁ ଯିବାପରେ ଆମେ ଦୁହେଁ ଯେମିତି ଆହୁରି ନିକଟତର ହୋଇଗଲୁ ।

 

ତା’ ପରଦିନ ଉଷାକୁ ନେଇ ସଞ୍ଜବେଳେ ମୁଁ ରିକ୍ସାରେ ବୁଲିଆସିଲି । ରିକ୍ସାରେ ପାଖପାଖ ବସି ଯିବାର ସେ ଯେଉଁ ଉଷ୍ମତା ତା’ ପ୍ରଥମ କରି ସେଦିନ ମୁଁ ଅନୁଭବ କଲି । ତା’ ମୁହଁ ଆଉ ମୋ ମୁହଁ ସେଦିନ ରିକ୍ସାରେ ଏକ ହେଇଗଲା । ଅନବରତ ତାହାରି ଚିନ୍ତା । ତା’ ଛଡ଼ା ଏ ସଂସାର ମୋତେ ଶୂନ୍ୟ ଦିଶିଲା ।

 

ଆମର ହାବଭାବ ଦେଖି ମେସ୍‌ର ପିଲାମାନେ ମୋତେ ଥଟ୍ଟା କରିବାକୁ ଆରମ୍ଭ କଲେ-। କେହି କେହି ମୋ ‌ଖାତା ଉପରେ ଲେଖିଦେଲେ ଶ୍ରୀମାନ ନୀଳମାଧବ ପଟେଲ । ସେମାନଙ୍କର ବ୍ୟବହାରରେ ମୁଁ ଲଜ୍ଜିତ ହେଲି ସତ; କିନ୍ତୁ ମନେମନେ ଭାବିଲି–ହଉ, କେତେ ଥଟ୍ଟା କରୁଚ କର-। ଓଡ଼ିଆପୁଅ ଯେ ଖାଲି ଓଡ଼ିଆ ଝିଅକୁ ବାହାହବ ଏମିତି ତ କିଛି କଥା ନାହିଁ । ମୁଁ ଯୋଉଦିନ ବରବେଶରେ ଆସି ଉଷାକୁ ଆମ ଘରକୁ ନେଇଯିବି ସେଦିନ ତୁମ ମୁହଁସବୁ ଯଦି କଳା ନପଡ଼ିଯିବ....ଦେଖିବ, ଦେଖିବ ।

 

ଉଷାକୁ ମୁଁ ବିଭାହେଲେ କ୍ଷତି କ’ଣ ? ବାହା ନହେଲେ ପରା ଜୀବନଟା ଅପୂର୍ଣ୍ଣ ରହିଯାଏ । ଜୀବନରେ ପୂର୍ଣ୍ଣତା ଆଣିବାପାଇଁ ଜୀବନସଙ୍ଗିନୀଟିଏ ଦରକାର । ସମ୍ପୂର୍ଣ୍ଣ ଅଜଣା ଅଶୁଣା ସଙ୍ଗିନୀଠାରୁ ଏ ତ ବେଶ୍‌ । ଯୋଉଠି ମନର ମେଳ, ସେଠି ତ ରାଜଯୋଟକ ।

 

ଦିନେ ଉଷାକୁ ପଚାରିଲି–ଉଷା, ମୁଁ ଯଦି ତୁମକୁ ବାହା ହବାକୁ ଚାହେଁ, ତୁମ ବାପାମା’ ସେଥିରେ ରାଜି ହେବେ ?

 

ଉଷା ମୋ ମୁହଁକୁ ଚାହିଁଦେଇ ଆଖି ତଳକୁ କଲା । ତା’ର ବେପରୁଆ ମୁହଁରେ ଲାଜର ରକ୍ତିମା ଭରିଗଲା । ସେ ହଁ କି ନା କିଛି ନ କହି ତାଙ୍କ ଘରକୁ ପଳାଇଗଲା ।

 

ରାତିରେ ମୁଁ କେବଳ ସେଇ କଥାହିଁ ଚିନ୍ତା କରୁଥିଲି । ଅନେକ ନିୟମକାନୁନରେ ବନ୍ଧା ଆମ ଏଇ ସମାଜ ଭିତରୁ ବାହାରିଯାଇ ମୁଁ ଯଦି ଏଭଳି ଏକ ସାହସିକ କାମ କରିବସେ, ବରଂ ପ୍ରଶଂସା ପାଇବି ସିନା, କେହି ତ ମୋତେ ନିନ୍ଦା କରିବେନି । ମା’ଙ୍କୁ ମୁଁ ମୋ କଥାରେ ରାଜିକରେଇଦେବି; କିନ୍ତୁ ବାପାଙ୍କୁ....ମା’ ହୁଅନ୍ତୁ, ବାପା ହୁଅନ୍ତୁ, ମୁଁ ବି.ଏ. ପାସ୍‌ ନ କରିବା ପର୍ଯ୍ୟନ୍ତ କେହି ତ ଏ ପ୍ରସ୍ତାବରେ ରାଜିହେବେ ନାହିଁ । ଖାଲି ପାସ୍‌ କଲେ ଯେ ହେଇଯିବ ତା’ ମଧ୍ୟ ନୁହେଁ । ଅନ୍ନସଂସ୍ଥାନ ପାଇଁ ଚାକିରିର ବ୍ୟବସ୍ତା ନହେଲେ ମୁଁ ନିଜେବି ଏ ଦାୟିତ୍ୱ ତୁଲେଇବି କେମିତି ?

 

ତେଣୁ ସେତେବେଳେ ସ୍ଥିରକଲି ଆଗ ପାସ୍‌, ତା’ପରେ ଚାକିରି, ତା’ପରେ ବିବାହ–ପ୍ରସଙ୍ଗ ।

 

ମୁଁ ଚୁପ୍‌ରହିଲି ।

 

ଉଷା କିନ୍ତୁ ଦିନେ ସେ ପ୍ରସ୍ତାବ ଉତ୍ଥାପନ କରି ମୋତେ ଅବାକ୍‌ କରିଦେଲା । ପାନ ନେଇ ସାଥିରେ ଫେରୁ ଫେରୁ ସେ କହିଲା–ସେ ଦିନ ଯୋଉକଥା କହୁଥିଲେ, ସେ ବିଷୟରେ କ’ଣ ହେଲା ?

 

ଯଦିଓ କିଛିଦିନ ଆଗରୁ ମୁଁ ତାକୁ ଏ ପ୍ରଶ୍ନଟା ପଚାରିଥିଲି, ସେଦିନ ତା’ ପ୍ରଶ୍ନର କିଛି ଜବାବ ଦବାକୁ ମୁଁ ପ୍ରସ୍ତୁତ ନଥିଲି । ମୋତେ ନୀରବ ରହିବାର ଦେଖି ସେ ପୁଣି କହିଲା–ମୁଁ ସେଇତା ଚାହୁଁଚି । ମୁଁ ତା’ ହାତକୁ ଚାପିଧରି କହିଲି–ଉଷା, ତୁମ ଛଡ଼ା ଆଉ କାହାକୁ ମୁଁ ଏ ଜୀବନରେ ଗ୍ରହଣ କରିବିନାହିଁ । ତୁମକୁ ମୁଁ ଜବାବ ଦଉଚି । ମୁଁ ବି.ଏ. ପାସ୍‌ କରି ଚାକିରି ପାଇବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡ଼ିବ ।

 

ସେ ଆଉ କିଛି କହିଲା ନାହିଁ । ମନେହେଲା, ଯେମିତି ସେ ମାନିନେଲା ।

 

ବି.ଏ. ପାସ୍‌ ଖବର ବାହାରିବାପରେ ମୁଁ ତାଙ୍କ ଘରକୁ ଯାଇଥିଲି । ସେଦିନ ସେ ମୋ ସହିତ ସିନେମା ଦେଖିବାକୁ ଯାଇଥିଲା । ସାଙ୍ଗରେ ଛୋଟ ଭାଇ ଦି’ଜଣବି ଯାଇଥିଲେ । ଆମେ ଦୁହେଁ ପାଖାପାଖି ବସିଥିଲୁ । ସିନେମାରୁ ଫେରି ତାଙ୍କରି ଘରେ ସେଦିନ ଖାଇ ମେସ୍‌କୁ ଫେରିଥିଲି-। ଚାକିରି ପାଇବାପରେ ଯିବି ଯିବି ହେଇ ଆଉ ଯାଇ ନଥିଲି । ଉଷା କି ଅବସ୍ଥାରେ ଥିବ କେଜାଣି-? ମୋ ଉପରେ ତା’ର ଆଉ ଆସ୍ଥା ଥିବ କି ନାହିଁ....ଏ ସବୁ ବିଷୟରେ ଜାଣିବାପାଇଁ ରବିବାର ଦେଖି ଦିନେ ମୁଁ ଗଲି । ଯେଇ ଦେଖିଲି ମେସ୍‌ର ଅବସ୍ଥା ପରିବର୍ତ୍ତିତ ହୋଇଯାଇଚି-। ମୁଁ ଥିଲାବେଳେ ପୂଝାରି ଚାକରମାନେ ବିଦାହେଇଯାଇଚନ୍ତି । ମୋ ଚିହ୍ନା ପିଲା ଆଉ କେହି ନାହାନ୍ତି-। ପାସ୍‌ କରି ଅବା ପଢ଼ା ଛାଡ଼ି କିଏ କୁଆଡ଼େ ଚାଲିଗଲେଣି । ଅଚିହ୍ନା ପିଲାରେ ମେସ୍‌ ଭର୍ତ୍ତି-। ଏପରି ଅବସ୍ଥାରେ ମୁଁ ମଧ୍ୟ ମେସ୍‌ର ସମ୍ପୂର୍ଣ୍ଣ ଅଚିହ୍ନା । ଭିତରକୁ ଯିବାର ଅଧିକାର ମୋର ଆଉ ନହିଁ-। ଗେଟ୍‌ ପାଖରେ ବସିଥିବା ନୂଆ ଚାକରଠାରୁ ମେସ୍‌ର ଏଇସବୁ ଖବର ସଂଗ୍ରହ କରି ମୁଁ ଉଷା ଘରଆଡ଼େ ଗଲି ।

 

ଉଷାର ମା’ ରନ୍ଧାବଢ଼ା କରୁଥାନ୍ତି । ରବିବାର ବୋଲି ବାପା ମଧ୍ୟ ଘରେ ଥାନ୍ତି । ଉଷା ସଦ୍ୟ ଗାଧୋଇସାରି ଫେରିଥାଏ । ଓଦାଲୁଗା ପିନ୍ଧି ତା’ କୋଠରିକି ଯାଉ ଯାଉ ବାଟରେ ମୋ ସାମନାରେ ପଡ଼ିଗଲା । ସର୍ବାଙ୍ଗ ତା’ର ସରମରେ ଝାଉଁଳିପଡ଼ିଲା ।

 

ହୀରାବାବୁ (ଉଷାର ବାପା) କହିଲେ–ବାବୁ, ତୁମର ସବୁ ଭଲ ତ ? କେତେବେଳେ ଆସିଲ ?

 

ମୁଁ ତାଙ୍କୁ ନମସ୍କାର ଜଣାଇ କହିଲି–ବର୍ତ୍ତମାନ ପହଞ୍ଚିଲି ।

 

ସେ ପୁଣି ଆରମ୍ଭ କଲେ ତାଙ୍କ ନିଜ କଥା–ତୁମେ ସବୁ ଚାଲିଗଲାପରେ ଏ ଯୋଉ ନୂଆ ପିଲା–ପଞ୍ଝାକ ଆସିଚନ୍ତି; ଏମାନେ ଛ’ମାସ ହେଲା ଆମ ଭଡ଼ା ଦେଇନାହାନ୍ତି । ଆଜି ଦେବେ, କାଲି ଦେବେ କହି ସମୟ ଗଡ଼ାଉଚନ୍ତି । ଜୋର୍‌କରି ମାଗିଲେ ଓଲଟି ଧମକ ଦଉଚନ୍ତି । ଭଲ ହେଇଚି ବାବୁ, ତୁମେ ଆସିଚ । ଟିକିଏ ବୁଝିଦେଇଯିବ ।

 

ତା’ପରେ ସେ ବଡ଼ପାଟିରେ ଉଷାକୁ ଡାକି କହିଲେ–ଉଷା, ନୀଳୁବାବୁ ଆସିଚି ।

 

ତାହାହେଲେ ଉଷା ସହିତ ମୋର ସମ୍ପର୍କ ସେ କ’ଣ ଜାଣିସାରିଚନ୍ତି ? ନହେଲେ ତାକୁ ଡାକି ମୋ ଆସିବା କଥା କହିଲେ କାହିଁକି ? ମୁଁ ଉଷାର କିଏ ବା ଏ ଘର ସହିତ ମୋର କି ସମ୍ପର୍କ ହେଲାଣି ?

 

ତଥାପି ଆତ୍ମସନ୍ତୋଷରେ ମୋ ମନ ଭରିଗଲା । ଉଷା ଉପରେ ମୋର ପ୍ରଚ୍ଛନ୍ନ ଅଧିକାର ସମ୍ପର୍କରେ ମୁଁ ଅଧିକ ସଚେତନ ହେଲି ।

 

ଉଷା ଲୁଗାପଟା ପିନ୍ଧି ପ୍ରସାଧନ ଶେଷକରି ମୋତେ ଆସି ତା’ ରୁମ୍‌କୁ ଡାକିନେଲା । ଏ ମଧ୍ୟ ଏକ ନୂଆ ଅନୁଭୂତି । ଘରେ ଅନ୍ୟ ମଣିଷ ଥାଉଁଥାଉଁ ଉଷା ଉପରେ ମୋର ଭାର ନ୍ୟସ୍ତହେବା ଓ ଉଷା ସାଦରେ ତାହା ଗ୍ରହଣ କରିବାରେ ମୁଁ ତୃପ୍ତି ଅନୁଭବ କଲି । ଉଷା ମୋତେ ବସେଇ ଦେଇ ରୋଷେଇଘରକୁ ଯାଇ କିଛି ଜଳଖିଆ ନେଇ ଆସିଲା; କହିଲା–ମା’ ଦେଲା, ଖାଅ-

 

ମୁଁ ତା’ ମୁହଁକୁ ଚାହିଁଲି । ବେଶ୍‌ ପ୍ରଫୁଲ୍ଲ । କହିଲି–ତୁମେ ତ ଗାଧୋଇସାରି କିଛି ଖାଇନାହଁ । ତୁମେ ଖାଇବ ନାହିଁ ?

 

ସେ କହିଲା–ମୁଁ ଖାଇବି । ତୁମେ ଆଗ ଖାଅନା ।

 

ମୁଁ ଆଳୁର ଚପ୍‌ଟାଏ ନେଇ ତା’ ମୁହଁରେ ଗୁଞ୍ଜିଦେଲି ।

 

ସେ କହିଲା–ତୁମେ ଭାରି ଦୁଷ୍ଟ ହେଇଯାଇଚ ।

 

ସେ ଆଳୁଚପ୍‍ଟାକୁ ମୁହଁରେ ପୂରେଇ ଘରୁ ବାହାରିଗଲା । ଯିବାବେଳେ ମୋତେ କହିଗଲା–କିଛି ଛାଡ଼ିବନି, ସବୁ ଖାଇଦବ । ମୁଁ ଚା’ ନେଇଆସୁଚି ।

 

ମୋ ମନ ଭିତରେ ଦ୍ୱନ୍ଦ୍ୱ ଆରମ୍ଭ ହେଇଯାଇଚି । ଚାକିରି ପାଇଲିଣି ବୋଲି କହିବି କି ନାଇଁ । ଯଦି କହେ, ତା’ର ପରବର୍ତ୍ତୀ ବ୍ୟବସ୍ଥା ? ଯୋଉଥିପାଇଁ ସେ ଏପର୍ଯ୍ୟନ୍ତ ପ୍ରତୀକ୍ଷମାଣ !

 

ସେ ଚା’ ନେଇ ଆସିଲା । ମୋତେ ସେ ଘରର ଆତ୍ମୀୟତା ଭାରି ଭଲ ଲାଗୁଥିଲା । ସେ ଘରର ଭଙ୍ଗା ଚେୟାର ସୁଦ୍ଧା ମମତାର ଏକ ସାମଗ୍ରୀ ହୋଇ ଉଠୁଥିଲା । ପରିବାରର ପ୍ରତ୍ୟେକ ହୋଇଉଠୁଥିଲେ ମୋର ଏକାନ୍ତ ଆପଣାର । ଉଷା ଉପରେ ମୋର ଅଧିକାରକୁ ସଭିଏଁ ଯେମିତି ମାନିନେଇସାରିଲେଣି ।

 

ଚା’ ଖାଉ ଖାଉ ଉଷା କହିଲା–ବାପା ଗୁଜୁରାଟକୁ ଗୋଟେ ଓ୍ୟାଗନ୍‌ ନଡ଼ିଆ ପଠେଇଥିଲେ । କୋଉଠି କ’ଣ ଷ୍ଟ୍ରାଇକ୍‌ ହେଲା ଯେ ବାଟରେ ଗାଡ଼ି ପାଞ୍ଚଦିନ ଅଟକିରହିଲା । ଅଧେ ନଡ଼ିଆ ପଚିଯିବାରୁ ବାପାଙ୍କର ବହୁତ କ୍ଷତି ହେଲା ।

 

ଏ ଖବରରେ ମୁଁ ବି ଦୁଃଖିତ ହେଲି । ସେମାନଙ୍କ ଅବସ୍ଥା ଏକେ ତ ଭଲ ନଥିଲା, ତା’ ସାଙ୍ଗକୁ ପୁଣି ଏ ଦୁରବସ୍ଥା ।

 

କହିଲି–ଯେମିତିଭାବରେ ବନ୍ଦ ହରତାଳ ପ୍ରଭୃତି ହଉଚି, ଏ ଦେଶର ଅବସ୍ଥା ସାଙ୍ଘାତିକ ହେଇଯିବ । ତୁମ ବାପାଙ୍କର ଅନେକଗୁଡ଼ାଏ ଟଙ୍କା ଲୋକସାନ ହେଇଯାଇଥିବ । କ’ଣ କହିବ, ଭାଗ୍ୟ ଖରାପ ପଡ଼ିଲେ ସବୁ ବିପଦ ମାଡ଼ିଆସେ ।

 

ତା’ପରେ ସେ ହଠାତ୍‌ ପଚାରିଲା–ତୁମ ଚାକିରି କଥା କ’ଣ ହେଲା ?

 

–ଚାକିରି ?

 

କି ଉତ୍ତର ଦେବି, ସହସା ମୁଁ ସ୍ଥିର କରିପାରିଲି ନାହିଁ ।

 

ସେ ପୁଣି ପଚାରିଲା–କେବେ ଚାକିରି ମିଳିବ ? କେତେଦିନ ଆଉ ଅପେକ୍ଷା କରିବା ?

 

ତା’ ମୁହଁର ସରଳତା ମୋତେ ସତ କହିବାକୁ ବାଧ୍ୟ କଲା । ମୁଁ କହିଲି–ଚାକିରି ମିଳିଯାଇଚି । ସେଇ ଖବର ଦବାପାଇଁ ମୁଁ ଆସିଚି ।

 

ମୋର ଏଇ ସମ୍ୱାଦରେ ଆକାଶର ଚାନ୍ଦଟା ଯେମିତି ତା’ ହାତରେ ଖସିପଡ଼ିଲା । ସେ ମୋ ପାଦ ଛୁଇଁ ପ୍ରଣାମ କରି ମୋ ଗୋଡ଼ର ଧୂଳି ନେଇ ମୁଣ୍ଡରେ ମାରିଲା । ମୁଁ ତାକୁ ମୋ ଛାତି ଉପରକୁ ଆଉଜେଇ ଆଣି ତା’ ଓଠରେ ମୋ ଓଠ ଲଗେଇଦେଲି । ଝାଳରେ ସେ ବୁଡ଼ିଗଲା । ଛୋଟ ରୁମ୍‌ଟା କେଉଁ ଏକ ମନମତାଣିଆ ଗନ୍ଧରେ ସୁରଭିତ ହେଇଉଠିଲା ।

 

ମା’ ବାହାରୁ ଆଦେଶ କଲେ–ଉଷା ! ନୀଳବାବୁଙ୍କୁ ଛାଡ଼ିବୁନାହିଁ । ସେ ଏଇଠି ଭାତ ଖାଇବେ ।

 

ଉଷା ମୁହଁଟାକୁ ପଣତରେ ପୋଛି ବାହାରିଗଲା । ମୁଁ ତା’ରି ଶୋଇବା ଖଟ ଉପରେ ବସିଥାଏ । ଚୁମ୍ୱନ ପଥର ଲୁହାକୁ ଟାଣିଧରିଲା ପରି ସେଦିନ ସେ ଶେଯ ମୋତେ ଯେମିତି ଟାଣିଧରିଥିଲା । ଶେଯ ଛାଡ଼ି ମୁହୂର୍ତ୍ତକ ପାଇଁ ଉଠିବାକୁ ଇଚ୍ଛା ହେଉ ନଥିଲା ।

 

ଉଷାର ସାନଭାଇ ଦି’ଜଣ ବଜାର ଯାଇଥିଲେ । ଫେରିଆସିଲେଣି । ସେମାନଙ୍କ ପାଟି ଶୁଭୁଚି । ଉଷା ସେ ଦି’ଜଣଙ୍କୁ ନେଇ ମୋ ପାଖରେ ଆସି ପୁଣି ହାଜର ହୋଇଗଲା । ସେମାନେ ଦୁଇ ତିନିଖଣ୍ଡି ହିନ୍ଦୀ ପତ୍ରିକା କିଣିଆଣିଛନ୍ତି । ମୋତେ ନମସ୍କାର କରି ମୋ ହାତକୁ ସେଗୁଡ଼ାକ ବଢ଼ାଇଦେଲେ । ଉଷା ସେମାନଙ୍କୁ କହିଲା–ଯାଅ ଗାଧୋଇପଡ଼ । ଖାଇସାରି ମେଟିନୀ ଯିବା ।

 

ମୁଁ ଉଷା ମୁହଁକୁ ଚାହିଁଲି । ସେ ହସୁଚି । ସେମାନେ ଚାଲିଯିବା ପରେ କହିଲା–ମେଟିନୀ ଯିବା କଥା କହି ସେମାନଙ୍କୁ ଗାଧୋଇବାକୁ ପଠେଇ ଦେଇ ନଥିଲେ ସେମାନେ କ’ଣ ଏ ଘର ଛାଡ଼ି ଯାଇଥାନ୍ତେ ?

 

ମୁଁ ବେଶ୍‌ ବୁଝିପାରିଲି–ଉଷା ଏକାନ୍ତ ନିର୍ଜନରେ ମୋତେ ଚାହେଁ । ଯେଉଁଠି ଖାଲି ମୁଁ ଥିବି, ଆଉ ସେ ଥିବ । ଅନ୍ୟର ଉପସ୍ଥିତି ବରଦାସ୍ତ କରାଯିବ ନାହିଁ ।

 

ଖାଇବା ଶେଷହବା ପରେ କିଛି ସମୟପାଇଁ ଉଷାର ଖଟ ଉପରେ ବିଶ୍ରାମ ନେଲି । ତା’ ଦୁଇଭାଇଯାକ ଆସି ଲଗେଇଲେ ମେଟିନୀ ଶୋ’ ସିନେମା ଯିବାପାଇଁ । ଟଙ୍କା ଦେଲି ଟିକଟ କାଟିଆଣିବାକୁ । ଉଷା ଶୁଣିଲା, କିଛି ମନ୍ତବ୍ୟ ଦେଲାନାହିଁ । ଏଇ ମେଟିନୀ ଯିବାରେ ତା’ରବି ସମର୍ଥନ ଥିଲା ।

 

ସିନେମାରେ ପାଖାପାଖି ଲଗାଲଗି ହେଇ ବସିବାର ଆନନ୍ଦ । ଉଷା ପୂରାମାତ୍ରାରେ ମୋର ହେଇଯାଇଚି ।

 

ଆମ ଦୁହିଁଙ୍କର ମନର ଅବସ୍ଥାକୁ ଯଦି ବିଶ୍ଳେଷଣ କରାଯାଏ, ତାହାହେଲେ ଜଣାପଡ଼ିବ ଯେ, ଆମେ ଦୁହେଁ ଏକ ଶକ୍ତ ବନ୍ଧନରେ ବନ୍ଧାହେଇସାରିଲୁଣି । ଖାଲି ଅପେକ୍ଷା ଲୌକିକ ଅନୁଷ୍ଠାନକୁ ।

 

ସେ ଦିନର ରାତ୍ରିଟା ଥିଲା କିନ୍ତୁ ଅତ୍ୟନ୍ତ ଯନ୍ତ୍ରଣାଦାୟକ । ସିନେମା ଫେରିବା ପରେ ମା’ କହିଲେ–ଆଜି ରାତିରେ ଆଉ କାହିଁକି ଯିବ ? ସକାଳେ ଉଠି ଚାଲିଯିବ ।

 

ଭାବିଲି ମୋପାଇଁ ଏହା ଏକ ଅପୂର୍ବ ସୁଯୋଗ । ନିଜକୁ ମୁଁ ଆଉ ଭାଗ୍ୟହୀନ ବୋଲି ଭାବୁ ନଥିଲି । ମୋର ଯେଉଁ ସାଙ୍ଗସାଥୀମାନେ ବଡ଼ ପାହ୍ୟାରେ ଅଛନ୍ତି, ସେମାନଙ୍କଠୁ ମୁଁ ତ କମ୍‌ ସୁଖୀ ନୁହେଁ ।

 

ଉଷା ଘରେ ରାତ୍ରି–ଯାପନ । ଯୋଉ ସୁଯୋଗପାଇଁ ମୁଁ ଉତ୍କଣ୍ଠିତ ହୋଇ ଚାହିଁରହିଥିଲି ସେ ସୁଯୋଗ ଯେ ଏମିତି ଅଯାଚିତ ଭାବରେ ଆସିଯିବ, ତାହା ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି ।

 

ରାତି ଖାଇବା ଶେଷ ହବାପରେ ମୁଁ ଉଷାର ରୁମ୍‌ ଭିତରକୁ ଗଲି । ମୁଁ ଯିବା ପୂର୍ବରୁ ଉଷା ବିଛଣା ଝଡ଼ାଝଡ଼ି କରି ସେ ଘରେ ସୁଗନ୍ଧ–ଧୂପ ଜାଳିଦେଇଥାଏ । ପିଇବାପାଣି ମୁଣ୍ଡ ପାଖରେ ରଖିଦେଇଥାଏ ।

 

ମୁଁ କବାଟ ଖୋଲା ରଖି ଶୋଇଲି । ଭାବୁଥିଲି ଆଲୁଅ ନିଭେଇବି ନା ଜଳୁଥିବ । ନିଭେଇଦବାଟା ବରଂ ଭଲ । ଏ ମୁହୂର୍ତ୍ତରେ ଅନ୍ଧାରହିଁ ପରମବନ୍ଧୁ; ଆଲୋକହିଁ ପରମ ଶତ୍ରୁ । ଆଲୁଅ ଲିଭେଇଦେଲି । ଛାତି ଖାଲି ପଡ଼ୁଥାଏ, ଉଠୁଥାଏ । ନିଃଶ୍ୱାସର ଗତି ପ୍ରଖର ହେଉଥାଏ । କେତେବେଳେ ସେ ଆସିବ ? ଭାରି ଶୋଷ । ଘନଘନ ଉଠି ପାଣି ପିଉଥିଲି ।

 

ରୁମ୍‌ ବାହାର ବାରଣ୍ଡାରେ କାନ୍ଥଘଡ଼ିଟାଏ ଟିକ୍‌ ଟିକ୍‌ ଆବାଜ କରି ତା’ର ଉପସ୍ଥିତି ଜଣେଇଦଉଥାଏ । ନଅଟାବେଳେ ମୁଁ ବିଛଣାକୁ ଆସିଲି । ୟା’ ଭିତରେ କେତେବେଳେ ଦଶ ଏଗାର ଯେ ବାଜିସାରିଥିଲା ତା’ ମୋତେ ଜଣାନାହିଁ । ଏବେ ଏକ ଦୁଇ କରି ଘଡ଼ିରେ ଠଂ ଠଂ ବାରଟା ବାଜିଲା । ମୁଁ ବିଛଣାରୁ ଉଠିଲି । ଆସ୍ତେ ଆସ୍ତେ କବାଟ ମେଲା କରି ବାରଣ୍ଡାକୁ ଆସିଲି । ସବୁଆଡ଼ ଅନ୍ଧାର–ଶୂନଶାନ୍‌ । ତେବେ କ’ଣ ସେ ଆସିବନି ? ମୋତେ ଭାରି ହତାଶ ଲାଗୁଥିଲା ।

 

ଘଡ଼ିରେ ଗୋଟାଏ ବାଜିଲା । ମୁଁ ନିରାଶ ହେଲି । ମନକୁ ରାଗ ଆସିଲା । ଯଦି ଆସିବାର ନଥିଲା, ତାହାହେଲେ ମୋତେ ଏମିତି ଭାବରେ ଅଟକାଇବାର ମାନେ କ’ଣ ?

 

ଭାବୁ ଭାବୁ କେତେବେଳେ ମୋତେ ନିଦ ଆସିଯାଇଚି । ନିଦ ଭାଙ୍ଗିଲାବେଳକୁ ଦେଖେ ଉଷା ଆସି ମୋ ପାଖରେ ଠିଆହେଇ ମୋ ମୁଣ୍ଡରେ ହାତ ବୁଲଉଛି । ମୁଁ ତା’ ହାତକୁ ଦୂରେଇଦେଲି । ସେ ପୁଣି ହାତଟାକୁ ନେଇ ମୋ ମୁହଁ ଉପରେ ବୁଲେଇଲା । ମୁଁ ତା’ ହାତଟାକୁ ମୋ ଓଠ ଉପରେ ଚାପିଧରି କହିଲି–ଆସିଲ’ନି କେମିତି ?

 

ତା’ ଆଖିରେ ଲୁହ । କହିଲା–ମୁଁ ଜାଣେ ତୁମକୁ ଭାରି କଷ୍ଟ ହେଉଥିବ । କିନ୍ତୁ ଆସିବାର ଉପାୟ ନଥିଲା, କେମିତି ଆସିଥାନ୍ତି ?

 

ସତେ କି ଚେତନା ଫେରିପାଇଲି । ସେ କେମିତି ଆସିଥାନ୍ତା ? ଏ ପରିବାରଟି ସହିତ ବନ୍ଧୁତ୍ୱର ସମ୍ପର୍କ ଛଡ଼ା ମୋର ଆଉ କି ସମ୍ପର୍କ ଅଛି ? କିଛି ସମ୍ପର୍କ ନଥାଇ ସେମାନେ ଯୋଉ ବ୍ୟବହାର ଦେଖେଇଚନ୍ତି, ସେତିକି କ’ଣ ମୋ ପାଖରେ ଯଥେଷ୍ଟରୁ ଅଧିକ ନୁହେଁ ? ଉଷା ସହିତ ବିବାହ ପୂର୍ବରୁ ପିତାମାତା–ଭାଇ–ପରିବେଷ୍ଟିତ ପରିବାରରେ ରାତ୍ରିଯାପନ ପାଇଁ ସେ ମୋ ପାଖକୁ ଆସିଥାନ୍ତା କିପରି ?

 

ଉଷା ଆଖିରେ ଲୁହ ଲାଗିରହିଚି । ସେ ଲୁହ ବା ମୋତେ କହୁଚି–ଏ ଲୁହ ଶୁଖିବାର ବ୍ୟବସ୍ଥା ଜଲଦି କର । ବିରହ ଯେ ଅସହ୍ୟ ।

 

ବିଦାୟ ନେଇ ଆସିବା ପୂର୍ବରୁ ମୁଁ ପୁଣି ଥରେ ଉଷାକୁ ଅଭୟ ଦେଇ ଆସିଲି ।

 

ଖଣ୍ଡଗିରି ପାଖକୁ ଲାଗିଚି ଗାଁଟା–ଇନ୍ଦୁପୁର । ଏଇମାତ୍ର ବାପା ମା’ ସେ ଗାଁରୁ ଫେରିଲେ-। ମୁଁ ଅଫିସ୍‌ରୁ ଫେରି ନିଜ ହାତରେ ଚା’ ତିଆରି କରି ଖାଇନେଇ ମୋ କୋଠରି ଭିତରେ ଶୋଇ ଶୋଇ ଅଫିସ୍‍ଫେରନ୍ତା ବାଟରେ କିଣିଆଣିଥିବା ‘ସନ୍‌ଡ଼େ’ ମାଗାଜିନ୍‌ଟା ପଢ଼ୁଥାଏ-। ଚାଞ୍ଚଲ୍ୟକର ସମ୍ୱାଦ । ଯଥେଷ୍ଟ ଯୌତୁକ ଆଣି ନଥିବାରୁ ସଦ୍ୟବିବାହିତା ବୋହୂକୁ ଶ୍ୱଶୁର ଶାଶୁ ଉଭୟେ ମିଳି କିରାସିନି ଢାଳି ପୋଡ଼ି ମାରିଦେଇଛନ୍ତି । ପିତୃମାତୃଭକ୍ତ ପୁଅ ଏ ଘଟଣାପରେ ଫେରାର ହେଇଯାଇଚି ।

 

ନୀଳୁ, ନୀଳୁ ଡାକି ମା’ ଭିତରକୁ ପଶିଆସିଲେ । ମାଗାଜିନ୍‌ଟାକୁ ତକିଆ ପାଖରେ ରଖିଦେଇ ମୁଁ ଉଠି ବସିପଡ଼ିଲି । ମା’ଙ୍କ ମୁହାଁଟା ବେଶ୍‌ ପ୍ରଫୁଲ୍ଲ ଦେଖାଯାଉଚି । କେଉଁଠି କୋଉ ଗଡ଼ ଜୟକରି ଆସିଚନ୍ତି ବୋଧହୁଏ ।

 

ମା’ ମୋ ପାଖରେ ବସିଲେ । କହିଲେ–ଏତେ ଆଡ଼େ ଦଉଡ଼ିବା ପରେ ଆଜି ଯିବାଟା ସଫଳ ହେଲା । ଆମ ମନ ମାନିଯାଇଚି । ଘରଦ୍ୱାର ଜମିବାଡ଼ି ଯେମିତି, ଝିଅଟାର ରୂପଗୁଣବି ସେମିତି । ବାପା ତ କଥା ପକ୍କା କରିଦେଇ ଆସିଥାନ୍ତେ । ମୁଁ ଖାଲି କହିଲି–ପୁଅକୁ ଟିକିଏ ପଚାରିବା । ଝିଅ ନ ଦେଖୁ ପଛେ, ଝିଅର ଫଟୋଟେ ଦେଖି ସେ ତା’ ମତ ଦଉ । ଦେଖ୍‌, ଏଇ ଫଟୋଟା ତୋପାଇଁ ଆଣିଚୁ ।

 

ଲଫାଫା ଭିତରୁ ପୋଷ୍ଟ୍‍କାର୍ଡ଼୍ ସାଇଜର ଫଟୋଟେ କାଢ଼ି ମା’ ‘ସନ୍‌ଡ଼େ’ ମାଗାଜିନ୍ ଉପରେ ରଖିଦେଇ ଚାଲିଗଲେ । ଯିବାବେଳେ କହିଗଲେ–ତୁ ଫଟୋ ଦେଖୁଆ । ମୁଁ ଚାହା ଆଣୁଚି-

 

ଇଚ୍ଛା ଥାଉ ବା ନଥାଉ ଫଟୋଟା ଉପରେ ମୁଁ ଆଖି ବୁଲେଇଆଣିଲି । ଝିଅଟା ଯେ ଅସୁନ୍ଦରୀ ତା’ ମୁଁ କହୁନାହିଁ; କିନ୍ତୁ ମୋ ପାଖରେ ଅନ୍ୟ ଝିଅର ସୌନ୍ଦର୍ଯ୍ୟର ଅର୍ଥ କ’ଣ ? ଫଟୋଟାକୁ ଚାହିଁ ମୋ ମନରେ ଦୟା ଆସୁଥିଲା । ପରଝିଅ । ଏକ ସୁନ୍ଦର ଓ ମଜବୁତ ଭବିଷ୍ୟତ ପାଇଁ ସେ ଅପେକ୍ଷା କରିଚି । ସେ ନିଶ୍ଚୟ ଆଶା କରୁଥିବ ତା’ ସ୍ୱାମୀର ଅଖଣ୍ଡ ପ୍ରେମ । ସ୍ୱପ୍ନ ଦେଖୁଥିବ ମଧୁକ୍ଷରା ବାସରରାତ୍ରିର ଯାଦୁ–ପରଶା ମୁହୂର୍ତ୍ତ । ହିନ୍ଦୁ ବିବାହ ଅବିଚ୍ଛେଦ୍ୟ–ଏ ବିବାହ ସ୍ୱାମୀ–ସ୍ତ୍ରୀକୁ ଇହକାଳ ଓ ପରକାଳର ବନ୍ଧନରେ ଛନ୍ଦିଦିଏ । ସେ ନିଶ୍ଚୟ ଚାହୁଁଥିବ ଅନାସ୍ୱାଦିତ ଏଇଭଳି ଏକ ବିବାହ ।

 

ଧରିନିଆଯାଉ ମୁଁ ତାକୁ ବିବାହ କଲି । ସେ ସ୍ୱାମୀଠୁ ଯାହା ଆଶାକରେ, ମୋ’ଠୁ କ’ଣ ତା’ ପାଇବ ?

 

ବାପା–ମା’ଙ୍କୁ କେମିତି ବୁଝେଇବି ମୁଁ କ’ଣ ଚାହେଁ ? କିନ୍ତୁ ବର୍ତ୍ତମାନ ଯଦି ମୁଁ ନ ବୁଝାଏ, ଆଉ ଗୋଟାଏ ଝିଅର ଜୀବନ ନଷ୍ଟ ହେଇଯିବ ।

 

ଏଇ ଝିଅର ଫଟୋ ସହିତ ମୁଁ ଉଷାର ଜୀବନ୍ତ ଚେହେରାର ତୁଳନା କରୁଥିଲି । ମୋର ଯେ ଏକାନ୍ତ ନିଜର ହେଇସାରିଚି, ସେ ଯାହାହେଉ ପଛେ ତା’ ତୁଳନାରେ ସ୍ୱର୍ଗର ଅପସରୀ ମଧ୍ୟ ମୋ ପାଖରେ ତୁଚ୍ଛ । ଶ୍ୱେତାଙ୍ଗ ପ୍ରେମିକର ଆଖି ମେଘ–ମେଦୁର ଇଜିପ୍‌ସୀୟ ମହିଳାଙ୍କ ମଧ୍ୟରେ ହେଲେନ୍‌ର ସୌନ୍ଦର୍ଯ୍ୟ ମଧ୍ୟ ଦେଖେ । ଗୁଜୁରାଟୀ ଝିଅ ଉଷା ଅବସ୍ଥାଚକ୍ରରେ ଆର୍ଥିକ ପରିସ୍ଥିତି ଦୃଷ୍ଟିରୁ ଦରିଦ୍ର ହେଇପାରେ; ମାତ୍ର ପ୍ରେମ ଓ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଦରିଦ୍ର ନୁହେଁ । ନିଜେ ତିଆରି କରି କପେ ଚା’ ତ ଖାଇଥିଲି । ମା’ ଏବେ ଆଉ କପେ ଆଣି ଆଗରେ ଥୋଇଦେଲେ ।

 

କହିଲେ–ଫଟୋ ଦେଖିଲୁ ? ମନ ମାନିଲା ? ତା’ ବାପରଘର ଗୋଟାଏ ରଜାଗଡ଼ପରି-। ପରସ୍ତ ପରସ୍ତ କରି ଭିତରକୁ ପାଞ୍ଚ ପରସ୍ତ । ହାତୀପରି କୋଡ଼ିଏଟା ଗୋରୁ ବାନ୍ଧିଦେଇଛି । ସାତ ଆଠଟା ଦୁଧିଆଳୀ । କିଛି ବାଛିବାକୁ ନାହିଁ । ଝିଅ ତ ଗୋଟିଏ ଚାଉଳରେ ଗଢ଼ା ।

 

ମୁଁ ବାଧାଦେଇ କହିଲି–ମା’ ! ତାଙ୍କ ଘରଦ୍ୱାର ଗାଈଗୋରୁରୁ ଆମକୁ ମିଳିବ କ’ଣ ? ଆମେ କ’ଣ ଯାଇ ସେଠି ରହିବା ? ଆମକୁ ଆମ ଭାଗ୍ୟ ନେଇ ତ ଏଇ ଘରେ ରହିବାକୁ ପଡ଼ିବ ।

 

ମା’ କହିଲେ–ଲୋକ ବିପଦ–ଆପଦ ପାଇଁ ବନ୍ଧୁ ବାନ୍ଧନ୍ତି । ଯୋଉ ବନ୍ଧୁ ବିପଦ–ଆପଦରେ ଠିଆନହେଇ ପାରିବ, ସେ କି ବନ୍ଧୁ ?

 

ମୁଁ ପୁଣି କହିଲି–ମା’, ଏତେ ବଡ଼ଘରୁ ବୋହୂ କରି ଆଣିଲେ, ସେ ତୁମକୁ ଶାଶୁ ବୋଲି ଖାତିର କରିବ ତ ? ଆମର ଏଇ ମାଟିଘରେ ସେ ଚଳିପାରିବ ତ ?

 

ମା’ ଟିକିଏ ଥମିଗଲେ ।

 

–ମା’ । ବଡ଼ଘରୁ ବାହାହେଲେ ହୁଏତ ମୋଟା ଯୌତୁକ ମିଳିପାରେ । ହେଲେ ପରଘରର ଦାନରେ ନିଜ ଘର କେବେ କ’ଣ ପୂରିଉଠିପାରିବ ?

 

ମା’ କହିଲେ–ଆରେ ପାଗଳା, ଆମେ କ’ଣ ତାଙ୍କୁ ଯୌତୁକ ମାଗୁଚୁ ? ସେ ବିଷୟରେ ଆମେ ଉଁ କି ଚୁ କିଛି କହିନୁ । ତୋ ଶ୍ୱଶୁର ତ ଆପେଆପେ ଗୋଟେ ଫଟଫଟିଆ ଦେବେ ବୋଲି କହିଲେ । ଦିନ ଦିନ କେତେ ସାଇକେଲ ପେଲି ପାଞ୍ଚ ମାଇଲ ବାଟ ଯାଉଥିବୁ, ଆସୁଥିବୁ ? ତୁ ଖାଲି ହଁ କଲେ ଏଇ ଲଗନ୍‍ରେ ବାହାଘର । ମୋର ଆଉ କ’ଣ ବଳବଅସ ଆସୁଚି ଚୁଲି ଫୁଙ୍କିବାକୁ-? ବୋହୂ ଆସିଲେ ଘରର ଯାବତୀୟ ଦାୟିତ୍ୱ ତା’ ଉପରେ ଦେଇ ମୁଁ ଟିକିଏ ନିଃଶ୍ୱାସ ମାରିବାକୁ ବେଳ ପାଇବି । ଏଣିକି ଏ ଘର–ସଂସାର ତୁମର ।

 

ସ୍ନେହମୟୀ ଜନନୀ ! ତୁମର ଋଣ କେବେ ଶୁଝାଯାଇପାରେନା; କିନ୍ତୁ ମୋତେ ଏ ଯୋଉ ବିଷମ ସମସ୍ୟାରେ ପକଉଚ, ସେଥିରୁ ମୁକ୍ତି ପାଇବାର ବାଟ କାହିଁ ? ମା’ ହେଇ ପୁଅର ମନକଥା ତୁମେ ଯଦି ନ ବୁଝିବ, ବୁଝିବ ଆଉ କିଏ ?

 

ମା’ଙ୍କ ପାଖରେ ସବୁକଥା କହିପକାଇଲି । ସେ କହିଲେ–ପୁଅ, ତୋର ଯୋଉଠି ମନ, ଆମେ କାହିଁକି ସେଠି ବାଧା ଦବୁ ? କିନ୍ତୁ ଗୁଜୁରାଟୀ ଝିଅ ତ ମେମ୍‌ ପରି ହେଇଥିବ, ପେଣ୍ଟ୍‌ ପିନ୍ଧୁଥିବ, ଟେବୁଲ୍‌ ପକେଇ ଖାଉଥିବ ! ତାକୁ ଆଣି ଆମେ କ’ଣ ଏଠି ସମ୍ଭାଳି ପାରିବା ?

 

ମା’ଙ୍କ ଭ୍ରମ ଦୂର କରିବାପାଇଁ ମୁଁ ଉଷାର ଟିକିନିଖି ବର୍ଣ୍ଣନା ତାଙ୍କ ପାଖରେ କରିଗଲି । ମୋ ଡାଏରି ଭିତରୁ କାଢ଼ି ତା’ର ଛୋଟ ଫଟୋଟିଏ ତାଙ୍କ ହାତକୁ ବଢ଼େଇଦେଲି । ସେ ଫଟୋଟାକୁ ଭଲ କରି ଦେଖିଲେ । ସେମିତି କିଛି ଅପସନ୍ଦ ହେଲା ବୋଲି ମନେହେଲାନି ।

 

କହିଲେ–ହଉ, ମୁଁ ତୋ ବାପା ସହିତ କଥାବାର୍ତ୍ତା କରି ତୋତେ କହିବି ।

 

ମା’ ଚାଲିଗଲେ । ମୋତେ ବେଶ୍‌ ଉଶ୍ୱାସ ଲାଗିଲା । ଏତେ ଦିନ ଯୋଉ ବୋଝଟା ମୋ ମନକୁ ଭାରାକ୍ରାନ୍ତ କରିଥିଲା, ସେ ଖସିଯିବାରୁ ମୋତେ ହାଲ୍‌କା ବୋଧହେଲା ।

 

ମା’–ବାପାଙ୍କ ଭିତରେ ଏ ସଂକ୍ରାନ୍ତରେ କଥାବାର୍ତ୍ତା ଯୁକ୍ତିତର୍କ ଚାଲିବ । ଚାଲୁ । ମୁଁ ଟିକିଏ ବାହାରକୁ ଚାଲିଯିବା ଦରକାର । ମୋର ଅନୁପସ୍ଥିତିରେ ସେମାନେ ମନଖୋଲା କଥାବାର୍ତ୍ତା କରିପାରିବେ । ମୁଁ ରହିଲେ ସେମାନଙ୍କ ପାଇଁ ଅଡ଼ୁଆ । ପେଣ୍ଟ୍ ପିନ୍ଧି, ସାର୍ଟ୍ ଗଳେଇ, ଜୋତା ମାଡ଼ି ମୁଁ ବାହାରିଗଲା । ରାଜଧାନୀ ନିର୍ମାଣର ପ୍ରଥମ ପର୍ଯ୍ୟାୟ କାମବି ସେତେବେଳକୁ ସରି ନଥାଏ । ଯାହା ଦୋକାନବଜାର ଥାଏ ପୁରୁଣା ଭୁବନେଶ୍ୱରରେ । ନୂଆ ଭୁବନେଶ୍ୱର ସନ୍ଧ୍ୟାପରେ ନିର୍ଜନ ନିଶୂନ ହେଇପଡ଼େ ।

 

ମୁଁ ସାଇକେଲ ଚଳେଇ ପୁରୁଣା ଭୁବନେଶ୍ୱର ଆଡ଼େ ଆସିଲି । ଲିଙ୍ଗରାଜ ମନ୍ଦିର ପାଖରେ ସାଇକେଲ ଅଟକିଲା । ଦର୍ଶନପାଇଁ ଭିତରକୁ ଗଲି; ଦୀପ ଜାଳିଲି । ମନକଥା ଠାକୁରଙ୍କୁ ଜଣାଇଲି ।

 

ମନ୍ଦିର ପାଖରେ ଜଣେ ଦି’ ଜଣ ସାଙ୍ଗଙ୍କ ସହିତ ଦେଖାହେଲା । ଦୁରାଗତ ଯାତ୍ରୀଙ୍କ ଯୋଗୁଁ ବିନ୍ଦୁସାଗରେ ଆଡ଼ିରେ ଭିଡ଼ ଜମିଚି । ଯାତ୍ରୀଙ୍କ ଭିତରୁ ଅଧିକାଂଶ ବଙ୍ଗାଳୀ । ବଙ୍ଗାଳୀ ପରିବାରମାନେ ଏଠି ଘରଭଡ଼ା ନେଇ ମାସ ମାସବି ରହନ୍ତି । ଭୁବନେଶ୍ୱର ଏକ ସ୍ୱାସ୍ଥ୍ୟ–ନିବାସ ।

 

ୟାଡ଼େ ସ୍ୟାଡ଼େ ଟହଲ ମାରି ରାତି ନ’ଟାରେ ଘରକୁ ଫେରିଲି । ଦେଖିଲି, ମା’ବାପାଙ୍କ ଭିତରେ ସେମିତି ଆଲୋଚନା ଚାଲିଚି । ଦୁହେଁ ଏକାଠି ବସିଚନ୍ତି । ରୋଷେଇପାଇଁ ଚୁଲି ଲାଗିନାହିଁ-। ମୋତେ ଦେଖି ସେମାନଙ୍କ ଆଲୋଚନା ବନ୍ଦ ହେଲା । ମା’ ଉଠିଗଲେ ରୋଷେଇଘରକୁ-। ମୁଁ ଚାଲିଗଲି ମୋ ରୁମ୍‌ ଭିତରକୁ ।

 

ସେଦିନ ରାତିରେ ମା’ ବାପାଙ୍କ ଆଲୋଚନାର ଫଳ କ’ଣ ହେଲା କିଛି ଜାଣିପାରିଲି ନାହିଁ । ମନକୁ ମୋର ସନ୍ଦେହ ଛୁଇଁଲା । ବାପା ରାଜି ହେଇଯାଇଥିଲେ ମା’ ତ ସେ ସୁସମ୍ୱାଦଟା ମୋତେ ଦେଇସାରନ୍ତେଣି । ମା’ କିଛି କହୁନାହାନ୍ତି ଯେତେବେଳେ, ନିଶ୍ଚୟ ମୁଁ ଏ ବିଷୟକ ସିଦ୍ଧାନ୍ତରେ କିଛି ବ୍ୟାଘାତ ଘଟିଚି । ପରଦିନ ସକାଳେ ଚା’ ଦବାବେଳେ ମା’ କହିଲେ–ନୀଳୁ ! ବାପା ଯୋଉଠି କଥା ପକେଇଛନ୍ତି, ତୁ ସେଇଠି ମାନିଯା । ଗୁଜୁରାଟୀ ଘର କଥାରେ ବାପା ଜମା ରାଜି ହଉନାହାନ୍ତି ।

 

ସତେ କି ମୋ ମୁଣ୍ଡରେ ବଜ୍ରାଘାତ । ବାପା ରାଜି ନହେଲେ ମୁଁ କ’ଣ କରିବି ? ଗୋଟେ ନିରୀହା ଝିଅର ଜୀବନ ମୋରିପାଇଁ ନଷ୍ଟ ହେଇଯିବ ! ଜୀବନରେ ମୁଁ ଶାନ୍ତି ପାଇବି କେମିତି ?

 

ଛାତ୍ରଜୀବନର ଅନେକ ଆକାଂକ୍ଷା ପୋଡ଼ି ଛାରଖାର ହେଇଯାଇଚି । କ’ଣ ହବାକୁ ମୁଁ ଚାହୁଁଥିଲି, ଆଉ ହେଲି କ’ଣ ? ସଚିବାଳୟର ଏଲ୍‌.ଡ଼ି. ଆସିଷ୍ଟାଣ୍ଟ୍‌–ଶାସନକଳର ସର୍ବନିମ୍ନ କର୍ମଚାରୀ । ଏ ଅବସ୍ଥାକୁ ମୁଁ ସ୍ୱାଗତ କରି ନେଇଚି । ସେଇଥିପାଇଁ ମୋର ଆଉ ଦୁଃଖ ନାହିଁ କି ଅନୁଶୋଚନା ନାହିଁ; କିନ୍ତୁ ଉଷା ବ୍ୟତୀତ ଅନ୍ୟକୁ ବିବାହ କରିବାର ପ୍ରସ୍ତାବକୁ ମୁଁ ସ୍ୱାଗତ କରିପାରିବି ନାହିଁ ।

 

ମୋର ମନେପଡ଼ୁଚି ଦୁଃଖ–ଜର୍ଜରିତ ଉଷା–ବାପାଙ୍କର ମଳିନ ମୁହଁ–ତା’ ମା’ଙ୍କର ବ୍ୟସ୍ତତା । ସେ ପରିବାରପାଇଁ ମୋର ଯଥେଷ୍ଟ କର୍ତ୍ତବ୍ୟ ଅଛି । ସେ କର୍ତ୍ତବ୍ୟ କରିନପାରିଲେ ମୁଁ ମଣିଷରେ ଗଣାହେବି କାହିଁକି ?

 

ମା’ଙ୍କୁ କହିଲି–ମା’ ! ବାପାଙ୍କୁ ତୁମେ ଭଲକରି ବୁଝାଅ । ସେ ତ ପୁରୁଣାକାଳିଆ ମଣିଷ; ହେଲେବି ମୂର୍ଖ ନୁହନ୍ତି । ସାହେବଙ୍କ ସାଙ୍ଗରେ କାମ କରିଚନ୍ତି । ସେ ଯଦି ଏମିତି ବାଛବିଚାର କରିବେ ଏ ଦେଶ, ଏ ସମାଜ ଆଗେଇବ କେମିତି ? ସେମାନେ ଗୁଜୁରାଟୀ–ଆମଠୁ ଆହୁରି ନୈଷ୍ଠିକ । ମାଛ ମାଂସ ଖାନ୍ତି ନାହିଁ । ପିଆଜ ରସୁଣବି ତାଙ୍କ ଘରକୁ ଯାଏନା । ଆମ ଜାତିର ବ୍ରାହ୍ମଣମାନଙ୍କଠାରୁବି ସେମାନେ ଆଉରି ଶୁଦ୍ଧ । ଉଷା ଆଉ ତା’ର ଭାଇମାନଙ୍କର ଜନ୍ମ ଏଇଠି । ଓଡ଼ିଆ ପାଠ ପଢ଼ିଚନ୍ତି । ଖାଲି ନାଁରେ ଗୁଜୁରାଟୀ ହେଲେ କ’ଣ ହବ, ସବୁ ବିଷୟରେ ସେମାନେ ଓଡ଼ିଆ । ମୋ କଥାରେ ଯଦି ବିଶ୍ୱାସ ନ ହଉଚି ତମେ ଆଉ ବାପା ଯାଇ ତାଙ୍କ ଘରର ଚାଲିଚଳନ ଦେଖିଆସ ।

 

ମା’ ଛୋଟ ‘ହଉ’ଟିଏ କହି ଚାଲିଗଲେ ।

 

ବାପା ଭାରି ଗମ୍ଭୀର ଦେଖାଯାଉଥାନ୍ତି । ମୁଁ ତାଙ୍କ ସାମନାକୁ ବାହାରି ପରୁ ନଥାଏ । ମୁଁ ଜଣେ ଅପରାଧୀ ଭଳି ମୋର ମନେହେଉଥାଏ । ମା’ କୌଣସିମତେ ବାପାଙ୍କୁ ରାଜି କରେଇପାରିଲେ ନାହିଁ । ଉଷାକୁ ଦେଖିଯିବା ପ୍ରସ୍ତାବରେବି ନୁହେଁ । ତାଙ୍କର ଦୃଢ଼ ମତ–ଅଜ୍ଞାତ–କୁଳଶୀଳ ଏକ ଗୁଜୁରାଟୀ ପରିବାର ସହିତ ଆମର ବନ୍ଧୁତା ହେଇନପାରେ ।

 

ବାପାଙ୍କ ସାମନାସାମନି ହେଇ ତାଙ୍କୁ ଏ ବିଷୟରେ କିଛି କହିବାର ସାହସ ମୋର ନଥିଲା । ମୁଁ ଯାହା କହିବାର କଥା ମା’ଙ୍କ ଜରିଆରେ କହୁଥିଲି । ମା’ ଯାଇ ବାପାଙ୍କ ସହିତ କଥାବାର୍ତ୍ତା କରୁଥିଲେ । ମୋ ମନର ଭାବ ମା’ ବୁଝିଥିଲେହେଁ ବାପାଙ୍କୁ ଏ ବିଷୟରେ ରାଜିକରେଇବା ତାଙ୍କ ଶକ୍ତିର ଅତୀତ ଥିଲା ।

 

ବାପା ଥିଲେ ଭାରି ଜିଦ୍‌ଖୋରିଆ । ସେ ଥରେ ଯାହା ବୁଝନ୍ତି ସେଥିରୁ ତାଙ୍କୁ ଆଉ ଅନ୍ୟ ବାଟକୁ ଆଣିବା ସହଜ ନୁହେଁ । ସେ ଯେତେବେଳେ ଇଚ୍ଛାକୃତ ଅବସର ନେଲେ ତାଙ୍କର ବହୁତ ବନ୍ଧୁ ହିତୈଷୀ ତାଙ୍କୁ ଏ ପଥରୁ ନିବୃତ୍ତ ହେବାପାଇଁ ଅନେକ ବୁଝେଇଥିଲେ । ମାତ୍ର ସେ କାହାରି କଥା ଶୁଣିଲେ ନାହିଁ । ମୋ ମନର ଅବସ୍ଥା ସାଙ୍ଘାତିକ । ଉଷାକୁ ବାହାହବା ପାଇଁ କହିବାଟା କ’ଣ ଏମିତି ଅନ୍ୟାୟ ! ମୁଁ ତ ଶୁଣିଚି, ଏ ଦେଶର କେତେ ବିଦ୍ୱାନ ଲୋକ ପାଶ୍ଚାତ୍ୟ ଦେଶରୁ ବାହାହେଇଚନ୍ତି । ବିବାହିତାମାନେ ବେଶ୍‌ ଆମ ସମାଜ ସହିତ ନିଜକୁ ଖାପ ଖୁଆଇ ନେଇପାରିଛନ୍ତି । ସେମାନେ ଯଦି ଭାରତୀୟ ସମାଜରେ ଚଳିଯାଇପାରିଲେ, କଟକୀ ଝିଅ ଉଷା ଆମ ଘରେ ଚଳିଯାଇପାରିବନି କାହିଁକି ? ବାପା ପାଠ ପଢ଼ି ଚାକିରି କରିଥିଲେବି ତାଙ୍କ ମନଟା ସେ ଅମଳର ହେଇ ରହିଯାଇଚି । ସେଇ ଏକ ପୁରୁଣା କୁସଂସ୍କାର ତାଙ୍କୁ ଘାରିଚି–ଓଡ଼ିଆ ପୁଅ ଓଡ଼ିଆ ଝିଅକୁ ବାହାହବ; ସେ ପୁଣି ଏକଜାତିର ହୋଇଥିବ । ନହେଲେ ପ୍ରଣବ ଅଶୁଦ୍ଧ । ଭଗବାନଙ୍କର ସୃଷ୍ଟିଟା ଯେମିତି ଅପବିତ୍ର ହେଇଯିବ । ମୁଁ ଯଦି ସଚିବାଳୟର କିରାଣି ନ ହେଇ ଏମ୍‌.ଏଲ୍‌.ଏ.ଟେ ହେଇଥାନ୍ତି ! ସେତେବେଳେ ବାପା କ’ଣ ମୋ କଥାରେ ହଁ ଭରି ନଥାନ୍ତେ ! ମୋର ବିଶ୍ୱାସ–ଖାଲି ତ ‘ହଁ’ କହି ନଥାନ୍ତେ, ମୁଁ ଯେ ତାଙ୍କ ପୁଅ ହେଇ ସମାଜରେ ଏକ ବିପ୍ଳବ ଅଣେଇପାରିଲି ଏଥିପାଇଁ ସେ ଗର୍ବ ଅନୁଭବ କରିଥାନ୍ତେ । ଘର ଘର ବୁଲି ଏ କଥା କହି ନିଜର ବଡ଼ିମା ଦେଖେଇଥାଆନ୍ତେ ।

 

ସେଇ ଏକା ମଣିଷ । ଭିନ୍ନ ଅବସ୍ଥାରେ ଭିନ୍ନ ବ୍ୟବସ୍ଥା ହେଇଥାନ୍ତା । ମୋର ଦୁର୍ଭାଗ୍ୟ । ତାଙ୍କରି ଯୋଗୁଁ ତ ମୋତେ ଜେଲରୁ କ୍ଷମା ମାଗି ଆସିବାକୁ ପଡ଼ିଥିଲା । ବାପା ଏବେ କହନ୍ତି–ଭାରତବର୍ଷର ଏ ଅବସ୍ଥା ହବ ବୋଲି ଜାଣିଥିଲେ ସେ କ’ଣ ସେତେବେଳେ ବଣ୍ଡ୍‌ ଲେଖି ମୋତେ ଜେଲରୁ ଖଲାସ କରିଥାନ୍ତେ ? ଗୋରା ସାହେବ ପାଖରେ ରହି ଭାରତ ଯେ ସ୍ୱାଧୀନ ହବ ୟା’ର ବିନ୍ଦୁ–ବିସର୍ଗ ସେ ବି ତ ଜାଣିପାରି ନଥିଲେ । ଆଉ ସାହେବଜାତିଟା ଏପରି ଏକ ଜାତି, ତାଙ୍କଠୁ କଥା ଆଦାୟ କରିବା ଭାରି କଷ୍ଟ । ଯେତିକି ଦରକାର ସେତିକି ସେମାନେ କହନ୍ତି । ହାତେ ମାପି ଚାଖଣ୍ଡେ ଚାଲନ୍ତି । ବାପା ଏବେବି ଇଂରେଜଜାତିର ସ୍ତାବକ ହେଇ ରହିଯାଇଚନ୍ତି; କିନ୍ତୁ କାମରେ ପୂରା ସ୍ୱଦେଶୀ । ଏ ଦେଶର ଯାବତୀୟ କୁସଂସ୍କାର ଖଣି । କହିବାକୁ ସଂକୋଚ ବୋଧ ହଉଚି । ବାପା ଯୋଉ ଲୁଗା ପିନ୍ଧି କଚେରିକୁ ଯାଉଥିଲେ, କଚେରିରୁ ଫେରିବାପରେ ସେ ଲୁଗାସବୁ ଧୁଆ ହେଉଥିଲା । ଅଧୁଆଲୁଗା ଆମ ଏରୁଣ୍ଡିବନ୍ଧ ଡେଇଁ ଘରଭିତରକୁ ଯାଉ ନଥିଲା । ଆମ ଘର ଆଗରେ ଥିବା ମହାଦେବ ପୋଖରୀରେ ରୀତିମତ ବୁଡ଼ପକେଇ ବାପା ଘରକୁ ଫେରୁଥିଲେ । ସାହେବ ଚାଲିଗଲା ପରେବି ବାପାଙ୍କର ଏ ଅଭ୍ୟାସ ଯାଉ ନଥିଲା । ଏବେବି ଗଲାଣି କୋଉଠି ? ସେ ଯୋଉଦିନ ବାହାରକୁ ଯାଆନ୍ତି ସାଙ୍ଗେ ସାଙ୍ଗେ ଆସି ଲୁଗା ଧୁଅନ୍ତି । ବାହାରେ ଯୋଉମାନଙ୍କୁ ସେ ଛୁଇଁକରି ଆସନ୍ତି ସେମାନେ ସବୁ କୋଉ ଜାତିର ତାହା ଯେତେବେଳେ ସେ ନ ଜାଣନ୍ତି, ଲୁଗା ଧୋଇ ଘରଭିତରକୁ ପଶିବା ଭଲ । ଆମ ଘରେ ଠାକୁରଙ୍କ ଫଟୋ ସ୍ଥାପନ ହେଇଥାଏ । ବାପାଙ୍କ ଚାକିରିକାଳରେ ସେସବୁ ଫଟୋ–ପୂଜାର ଦାୟିତ୍ୱ ମା’ ନେଇଥିଲେ । ଏବେ ବାପା କରନ୍ତି । ଗାଧୋଇସାରିବାପରେ ଘଣ୍ଟାଏ ପୂଜାକର୍ମରେ ସେ କଟାନ୍ତି । ଓଦାଲୁଗା ପିନ୍ଧି ଏକ ଘଣ୍ଟା ସେ କଟାନ୍ତି । ଓଦା ଲୁଗାରେ କିଛି ବାରଣ ନାହିଁ । ଓଦାଲୁଗା ପିନ୍ଧି ତୁମେ ଯାହାକୁ ଛୁଇଁଲେବି ସେଥିରେ ଦୋଷ ନାହିଁ । କଲେଜ ପଢ଼ିବାକୁ ଯିବା ପୂର୍ବରୁ ମୋତେବି ଏଇ ନିୟମ ମାନିବାକୁ ପଡ଼ୁଥିଲା । ସ୍କୁଲ୍‍ରୁ ଫେରିବା ପରେ ଜାମାପେଣ୍ଟ୍‌ ଧୁଆହଉଥିଲା । ମୋ କଲେଜ ଜୀବନରେ ଏ ସବୁର ଆଉ ପ୍ରୟୋଜନ ପଡ଼ିଲା ନାହିଁ । ପ୍ରଥମ ଦିନ କଲେଜରୁ ଫେରି ମୁଁ ଅବଶ୍ୟ ମା’ଙ୍କୁ ପଚାରିଥିଲି । ମା’ କହିଥିଲେ–ହଁ ଥାଉ, ରଙ୍ଗିନ ପେଣ୍ଟ୍‌ ଜାମା ତ ପିନ୍ଧିଚୁ; ନ ଧୋଇଲେ ଚଳିବ । ରଙ୍ଗିନ ଲୁଗା ମାରାହୁଏ ନାହିଁ; ଧଳାଲୁଗାହିଁ ମାରାହୁଏ ।

 

ମା’ କହିଲେ–ବାପା ପଚାରୁଥିଲେ ତୁ ସେ ଗୁଜୁରାଟୀଲୋକ ଘରେ କିଛି ଖାଇଛୁ କି ନାହିଁ ? ସେମାନେ ସିନା ଗୁଜୁରାଟୀ; କିନ୍ତୁ ତାଙ୍କର ଅସଲ ଜାତିଟା କ’ଣ ?

ମୁଁ ସେସବୁର କ’ଣ କିଛି ଖବର ରଖିନି । ମୁଁ କହିଲି–ଠିକ୍‌ କି ଜାତି ମୁଁ ଜାଣେନା, କିନ୍ତୁ ସେମାନେ ଉଚ୍ଚ ଜାତିର । ପଟେଲ କ’ଣ ନୀଚ ଜାତିର ହୁଅନ୍ତି ?

–ବାପା କହୁଥିଲେ ହୁଅନ୍ତି ।

ସର୍ବନାଶ । ଏ ଆଉ ଏକ ବିପଦ ।

ମୁଁ କହିଲି–ମା’, ଆମ ଏ ଓଡ଼ିଶାଟା ପରା ଜଗନ୍ନାଥଙ୍କ ଦେଶ । ଜଗନ୍ନାଥ ପରା ଜାତିଭେଦ ମାନନ୍ତି ନାହିଁ । ତାଙ୍କ ମହାପ୍ରସାଦକୁ ବ୍ରାହ୍ମଣ ଚଣ୍ଡାଳ ଏକାପତରରେ ବସି ଖାଆନ୍ତି । ଠାକୁରଙ୍କ ପାଖରେ ଯେତେବେଳେ ଜାତିଭେଦ ନାହିଁ, ଆମେ କାହିଁକି ମାନିବା ?

ମା’ ଦୀର୍ଘ ନିଃଶ୍ୱାସ ପକେଇଲେ–କାହିଁ ଜଗନ୍ନାଥ, ଆଉ କାହିଁ ଆମେ ?

ସମାଜର କୁସଂସ୍କାର ନିକଟରେ ସବୁ ମୁକ୍ତି ହାରମାନେ । ଏଇଭଳି ଏକ ପରିସ୍ଥିତିରେ ମୋ ବିବାହବିଷୟକ ନିଷ୍ପତ୍ତି ବିଳମ୍ୱିତ ହେଲା । ବାପା ଯଦିଓ ତାଙ୍କ ମତରେ ଦୃଢ଼; କିନ୍ତୁ ମୋର ଏକାନ୍ତ ଅନିଚ୍ଛାରେ ସେ ତାଙ୍କ ମତଟାକୁ ଜାହିର କରିବେ ନାହିଁ । ସେ କ’ଣ ବୁଝୁନାହାନ୍ତି ମୁଁ ଆଉ ସେ କଳାର ସ୍କୁଲ୍‍କୁ ଯାଉଥିବା ହାଫ୍‌ପେଣ୍ଟ୍‌ପିନ୍ଧା ପିଲା ହେଇ ବର୍ତ୍ତମାନ ନାହିଁ । ମୁଁ ଚାକିରି କରି ଆତ୍ମନିର୍ଭରଶୀଳ ହେଲିଣି ଯେତେବେଳେ, ମୁଁ ଯଦି ମୋ ମତ ଅନୁସାରେ ଗୁଜୁରାଟୀ ଘରେ ବିଭାହେଇ ପରିବାର ତ୍ୟାଗକରି ଚାଲିଯାଏ !

 

ତେଣୁ ବାପା ନରମ ହେଇଆସିଲେ । ନରମମାନେ ନୁହେଁ ଯେ ସେ ତାଙ୍କ ମତପରିବର୍ତ୍ତନ କଲେ; ବରଂ ବୁଝେଇ ସୁଝେଇ ମୋତେ ତାଙ୍କ ସହିତ ଏକମତ ହେବାକୁ ଚେଷ୍ଟା କଲେ । ସେଦିନ ତାଙ୍କର ଗମ୍ଭୀର ମୁହଁରେ ହସ ଫୁଟିଉଠିଲା । ଚା’ ଖାଉ ଖାଉ ମତେ ଡାକିଲେ । ମୁଁ ଯିବାରୁ କହିଲେ–ବସ୍‌ । ମୁଁ ତାଙ୍କ ପାଖରେ ବସିଲି । ମା’ବି ଆସି ପହଞ୍ଚିଲେ । ବାପା ମୋ ମୁହଁକୁ କଣେଇ କଣେଇ ଚାହିଁ ନ ଚାହିଁବାପରି ଭାବ ଦେଖେଇ କହିଲେ–କ’ଣ ଠିକ୍‌ କଲୁ ?

 

ଏ ପ୍ରଶ୍ନର ହଠାତ୍‌ କି ଜବାବ ମୁଁ ଦେବି ? ତା’ପରେ ଠିକ୍‌ କରିବାର ଭାର କ’ଣ ମୋ ଉପରେ ଅଛି ? ମୋ ମତ ତ ସ୍ପଷ୍ଟ ଭାବରେ ମୁଁ କହିଦେଇଛି । ତେଣିକି ଠିକ୍‌ କରିବାର ଭାରଟା ସେମାନଙ୍କ ଉପରେ ।

 

ମୋର ନୀରବତା ଦେଖି ବାପା ପୁଣି କହିଲେ–ଅଜ୍ଞାତକୁଳଶୀଳସ୍ୟ ବାସୋଦେୟ ନ କସ୍ୟଚିତ୍‌ । ସେମାନେ କୋଉ ଦୂରରୁ ଆସି ଏଠି କିଛିଦିନ ପାଇଁ ବସା ବାନ୍ଧି ରହିଛନ୍ତି । ସେମାନଙ୍କ ସମ୍ପର୍କରେ କିଛି ନ ଜାଣି, ସେ ଘର ସହିତ ସମ୍ପର୍କ ବାନ୍ଧିବା କ’ଣ ବୁଦ୍ଧିମାନ୍‌ର କାମ ହେବ ? ତୁ ତ ପାଠପଢ଼ୁଆ ପିଲା । ତୋତେ ମୁଁ ବୁଝେଇବି କ’ଣ ? ମୁଁ ଯୋଉଠି ଠିକ୍‌ କରୁଚି ସେ ଘରକୁ କୋଉ ଗୁଣରେ ବାଛିବାର ନାହିଁ । ତୁ ଯଦି ଚାହୁଁ ତୋତେ ଝିଅ ଦେଖେଇବାକୁ ସେମାନଙ୍କର ଆପତ୍ତି ନାହିଁ-

 

ମା’ ପାଳିଦେଲେ–ମୁଁ ତ ସେଇୟା କହୁଚି । ନୀଳୁ ନିଜେ ଯାଇ ଝିଅ ଦେଖୁ । ତମେ ତାଙ୍କୁ ସେୟା ଖବର ଦେଇଦିଅ । ପୁଅ ଯାଇ ଦେଖିବ ।

 

ବାପା କହିଲେ–ଠିକ୍‌ ଅଛି । ମୁଁ ଆଜି ଖବର ପଠେଇଦଉଚି ।

ହେ ଭଗବାନ ! ଏ ପୁଣି କି ବିଷମ ସମସ୍ୟା ! ଏ ପଥ ଯେ ଆହୁରି କଠିଣ !

ମୁଁ ଭୀରୁପରି ଆଉ କ’ଣ ନୀରବ ରହିଲେ ଚଳିବ ? ମୋର ନୀରବତାଟାକୁ ବାପା ମୋର ସମ୍ମତି ବୋଲି ଧରିନେବେ । ମୁଁ ମନରେ ଅନେକ ସାହସ ସଞ୍ଚୟ କରି ବାରମ୍ୱାର ଛେପ ଢୋକି ମୁହଁ ଖୋଲିବାକୁ ଚେଷ୍ଟା କଲି । ବାପାଙ୍କୁ ଲକ୍ଷ୍ୟ କରି କହିବି ବୋଲି ଭାବୁ ଭାବୁ ପାଟିରୁ ବାହାରିପଡ଼ିଲା–ମା’ !

ମା’ ବେଶ୍‌ ଦରଦମିଶା କଣ୍ଠରେ କହିଲେ–କ’ଣ କହୁଚୁ ?

ମୋ ପାଟିରୁ କିନ୍ତୁ ଆଉ କିଛି ବାହାରିଲା ନାହିଁ । ଚାଲାକ ବାପା ମୋ ମୁହଁକୁ ଚାହିଁ ମୋ ମନର ଭାବଟା ବୋଧହୁଏ ବୁଝିନେଲେ । କହିଲେ–ତୁ ଯଦି ଚାହୁଁଚୁ ଏ ବିଷୟରେ ଆଉରି ଭାବ । ଆମେ ଯୋଉଠି ଠିକ୍‌ କରିଚୁ, ସେଠି ଯଦି ତୋର ମନ ନ ମାନେ ତୁ ଅନ୍ୟଠି ବାହା ହ । ହେଲେ ଆମରି ଜାତିଭାଇ ଭିତରୁ ବାହା ହ ।

ମା’ ସକାଳୁ ସକାଳୁ ଗାଧୋଇ ରୋଷେଇଘରକୁ ପଶନ୍ତି । ନ’ଟା ସୁଦ୍ଧା ମୋତେ ଭାତ ଖାଇ ଅଫିସ୍ ଯିବାକୁ ପଡ଼େ । ସେ ଗାଧୋଇବାକୁ ଗଲେ, ବାପା ଦାଣ୍ଡଆଡ଼େ ଗଲେ । ମୁଁ ଏକାଟିଆ ଠିଆହୋଇ ରହିଥିଲି ।

 

ସେ ଦିନ ଅଫିସ୍‍ରେ ପହଞ୍ଚି ଡାକରେ ଆସିଥିବା ଯୋଉ ଚିଠିଖଣ୍ଡକ ପାଇଲି ସେ ଚିଠିଟା ଆସିଥିଲା ଉଷାଠାରୁ । ଉଷାର ପ୍ରଥମ ଚିଠି । ବେଶ୍‌ ପରିଷ୍କାର ଓଡ଼ିଆ ଅକ୍ଷରରେ ଗୋଲ ଗୋଲ କରି ଲେଖିଚି :

 

ପ୍ରିୟତମ !

 

ତୁମେ ଗଲାପରେ ମନ ଆଉ କୋଉଠି ଲାଗୁନି । ସେ ଦିନ ରାତିରେ ମୋ’ପାଇଁ ବହୁତ କଷ୍ଟ ପାଇଲ; ହେଲେ ମୁଁ ଆଉ କ’ଣ କରିଥାନ୍ତି ! ତମେ କହିଥିଲ ଚାକିରି କଲେ ମୋତେ ତୁମ ଘରକୁ ନେଇଯିବ ବୋଲି । ଏବେ ଚାକିରି ତ କଲଣି । ଆଉ ଡେରି କାହିଁକି କରୁଚ ? ତୁମେ ଚିଠି ପାଇ ଶୀଘ୍ର ଆସ । ମୁଁ ଏ ବିଷୟ ମୋ ମା’ଙ୍କୁ କହିଚି । ସେ ବାପାଙ୍କୁ କହିଚନ୍ତି । ସେମାନଙ୍କର ଏଥିରେ ଆପତ୍ତି ନାହିଁ । ମୁଁ ଆସିବା ବାଟକୁ ଚାତକପରି ଚାହିଁରହିଲି । ଇତି ।

 

ତୁମର ଉଷା

 

ଚିଠିଟାକୁ ବାରମ୍ୱାର ପଢ଼ିଲି । ଗୋଟିଏ ଓଡ଼ିଆ ଝିଅ ଯେଭଳି ଭାବରେ ଚିଠି ଲେଖିଥାନ୍ତା, ଏ କ’ଣ ତା’ଠୁ ଭିନ୍ନଭାବରେ ଲେଖିଚି ? ଗୋଟିଏ ଓଡ଼ିଆ ଝିଅର ମନର ଭାବ ଯାହା, ଏ ଝିଅର ମନର ଭାବ କ’ଣ ତାହାଠୁ ଅଲଗା ? ଯଦି ନୁହେଁ ଆମେ ମଣିଷ–ମଣିଷ ଭିତରେ ଏଭଳି କୃତ୍ରିମ ପାଚେରି ତିଆରି କରଉଚୁ କାହିଁକି ? ପ୍ରବଳ ଇଚ୍ଛା ହଉଥିଲା ଏ ଚିଠିଟାକୁ ମା’ଙ୍କୁ ପଢ଼େଇ କହିବି–ମା’ ! ମୁଁ ଆଗରୁ କହି ନଥିଲେ ଏ ଚିଠିଟା ଯେ ଜଣେ ଗୁଜୁରାଟୀ ଝିଅ ଲେଖିଚି, ତୁମେ କ’ଣ ଜାଣିପାରିଥାନ୍ତ ? ମାତ୍ର ଏ ଚିଠିଟାକୁ ମା’ଙ୍କ ପାଖରେ ପଢ଼ିବାର ଅଧିକାର ମୋର ନାହିଁ । ଉଷାର ଏହା ମୋ ପାଖକୁ ଏକାନ୍ତ ବ୍ୟକ୍ତିଗତ ଚିଠି । ଏ ଚିଠି କ’ଣ ଅନ୍ୟକୁ ପଢ଼ିବାକୁ ଦିଆଯାଇପାରେ ? ବିଶେଷକରି ବାପା ମା’ ଭଳି ଗୁରୁଜନଙ୍କ ପାଖରେ ?

 

କୌଣସି କାମରେ ମନ ଲାଗୁନାହିଁ । ଅଫିସର ବଡ଼ବାବୁ ଗୋଟାଏ ଫାଇଲ୍‌ପାଇଁ ତନାଘନା ଲଗେଇଚନ୍ତି । ବିଧାନସଭାର କୋଉ ପ୍ରଶ୍ନର ଉତ୍ତର କୁଆଡ଼େ ସେହି ଫାଇଲ୍‌ରେ ଅଛି । ଆଜି ପାଞ୍ଚଟା ସୁଦ୍ଧା ଯିବ । ଫାଇଲ୍‌ ମୋ’ରି ପାଖରେ ଥିଲା । ଫାଇଲ୍‌ର ପାହାଡ଼ ଭିତରେ କୋଉଠି ରହିଯାଇଚି । ବଡ଼ବାବୁ ନିଜେ ଆସି ପାଖରେ ଛିଡ଼ା ହେଇଗଲେ । କହିଲେ–ବାବୁ, ଚିଠିପଢ଼ା ଛାଡ଼ି ଫାଇଲ୍‌ଟା ଆଗ ଖୋଜ । ଯୋଉ ଫାଇଲ୍‌କୁ ଯୋଉଠି ରଖିବାର କଥା ସେମିତି ଭାବରେ ନରଖି ଏସବୁ କ’ଣ କରିଚ ? ଏ ଫାଇଲ୍‌ଗୁଡ଼ାକୁ ସବୁ ସଜାଡ଼ି କରି ରଖ । ଅଫିସ୍‌ଟାକୁ କ’ଣ ଅଳିଆଗଦା ବୋଲି ଭାବିଚ ?

 

ବଡ଼ବାବୁ ଭାରି କଡ଼ାଲୋକ । ହେଲେ ମୋ ବାପାଙ୍କ ସହିତ ତାଙ୍କର ପରିଚୟ ଓ ଏକଦା ବାପାଙ୍କର ଅଧସ୍ତନ ଥିବାରୁ ସେ ମୋତେ କେବେ କିଛି କହନ୍ତି ନାହିଁ; କିନ୍ତୁ ଆଜି ତାଙ୍କର ଏ ବ୍ୟବହାର ମୋତେ ଭାରି ବାଧିଲା । ହେଲେବି ମୁଁ ତାଙ୍କର ଅଧସ୍ତନ କର୍ମଚାରୀ; ମୋର ତ ପୁଣି ନିଜର ମାନ–ସମ୍ମାନ ଅଛି । ଏ ଅଫିସ୍‌ରେ ମୁଁ ହିଁ କ’ଣ ଏକା କାମ କରୁନାହିଁ ? କାମ ନ କରିବାଟା ତ ବର୍ତ୍ତମାନ ଫେସନରେ ପରିଣତ ହେଇଗଲାଣି । କିଏ କାହାର କର୍ତ୍ତୃତ୍ୱ ମାନୁଚି !

 

ବଡ଼ବାବୁ ଯେ ଖାଲି କହିଲେ ତାହା ନୁହେଁ, ନିଜେ ରହି ଫାଇଲ୍‌ ଖୋଜିବାରେ ଲାଗିଲେ-। ସବୁଗୁଡ଼ାକ ଫାଇଲ୍‌କୁ ଦୁଇଘଣ୍ଟା କାଳ ଘଣ୍ଟାଘଣ୍ଟି କରିବାପରେ ସେ ଫାଇଲ୍‌ଟା ମିଳିଲା-। ସେ ଫାଇଲ୍‌ଟାକୁ ଧରି ଚାଲିଗଲେ । ମୁଁ ଆଉ ଜଣେ ସହକାରୀ ମିଶି ଗଦାହେଇଥିବା ଫାଇଲ୍‌ଗୁଡ଼ାକ ଯଥାସ୍ଥାନରେ ସଜେଇ ରଖୁ ରଖୁ ପାଞ୍ଚଟା ବାଜିଗଲା ।

 

ଉଷାର ଚିଠିଟା ମୋ ଛାତିପକେଟରେ ଅଛି । ଆଜି ମୁଁ ଯେ ଏତେଗୁଡ଼ାଏ କାମ କରିଗଲି, ତାହା ବୋଧହୁଏ ସେହି ଚିଠିର ପ୍ରେରଣା । ସାମାନ୍ୟ ଏଇ ଚିଠିଟା ମୋ ସର୍ବାଙ୍ଗକୁ ଉଷ୍ଣ କରିଦେଇଥାଏ । ତାକୁ ଆଉଥରେ ଅତିଶୀଘ୍ର ଦେଖିବାପାଇଁ ମନ ବ୍ୟାକୁଳ ହେଇଉଠୁଥାଏ । ମା’ ବାପାଙ୍କ ଜ୍ଞାତସାରରେ ମୁଁ ଆଉ କଟକ ଯିବା ସମ୍ଭବ ନୁହେଁ; କାରଣ ଗଲେ ସେମାନେ ଜାଣିବେ ଯେ ମୁଁ ସେଇଠିକି ଯାଇଛି; ବରଂ ଅଫିସ୍‌ରୁ ଦିନେ ଛୁଟିନେଇ ଅଫିସ୍‌ ସମୟ ଭିତରେ କଟକ ଯାଇ ଫେରିଆସିବି ସେଇୟାହିଁ କଲି ।

 

ଉଷା କହିଲା–ମୁଁ ଜାଣିଥିଲି ତୁମେ ଆସିବ ବୋଲି ।

 

ମୁଁ ପଚାରିଲି–କେମିତି ?

 

ସହଜ ଉତ୍ତର–ମୋ ଚିଠି ପାଇବାପରେ ତୁମେ କ’ଣ ନ ଆସି ରହିପାରିଥାନ୍ତ ?

 

କି ବିଶ୍ୱାସ ତା’ର ମୋ ଉପରେ ! ମୁଁ କିନ୍ତୁ ତା’ର ସେ ବିଶ୍ୱାସକୁ ଅତୁଟ ରଖିବାପାଇଁ କ’ଣ କରୁଛି ? ମୁଁ ନିଜକୁ ନିଜେ ଧିକ୍‌କାର କଲି । ମୁଁ ଯଦି କିଛି ନ କରିପାରେ, ତାହାହେଲେ ଏଠକି ଆସୁଚି କାହିଁକି ? ଏ ଆସିବାଟା କ’ଣ ଅନ୍ୟାୟ ନୁହେଁ ? ମୁଁ ଆସିବାଦ୍ୱାରା ସେ ଉତ୍ସାହିତ ହେଉଚି; ନ ଆସିଲେ ଭାଙ୍ଗିପଡ଼ିବ । ମୁଁ ତ୍ରିଶଙ୍କୁ ଅବସ୍ଥାରେ ପଡ଼ିଚି ।

 

ବାପା ଦୋକାନରୁ ଫେରିନାହାନ୍ତି ଭାଇମାନେ ବାହାରକୁ ଯାଇଛନ୍ତି । ଆଇ.ଏ. ପରୀକ୍ଷା ଫଳ କେବେ ବାହାରିବ, ସେଇ ବିଷୟ ବୁଝିବାପାଇଁ । ଆଉ ମା’ ରୋଷେଇଘରେ ବ୍ୟସ୍ତ । ଉଷାର କଣ୍ଠଦେଶରେ ମୋର ବାହୁକୁ ଜଡ଼ାଇ ମୁଁ ଭାବୁଥିଲି–ୟାକୁ ଛାଡ଼ି ମୁଁ କ’ଣ ରହିପାରିବି ?

 

ଅନ୍ତରର ଗଭୀର ପ୍ରଦେଶରୁ ଉତ୍ତର ଆସୁଥିଲା–ନା ।

 

–ମୋତେ ଛାଡ଼ି ସେ ବି କ’ଣ ରହିପାରିବ ?

 

ସେଇ ସମାନ ଉତ୍ତର ।

 

ଶେଷରେ କ’ଣ ବାପା ମା’ ଘରର ବନ୍ଧନ ଛାଡ଼ି ମତେ ଦୂରେଇଯିବାକୁ ପଡ଼ିବ ?

 

ବାପା ମା’ ! ନିଜର ରକ୍ତ ଦେଇ ମତେ ମଣିଷ କରିଚନ୍ତି । ସେମାନଙ୍କ ବୃଦ୍ଧାବସ୍ଥାରେ ଏକମାତ୍ର ଭରସାର ସ୍ଥଳ ମୁଁ । ମୁଁ ଏଭଳି ଏକ କାଣ୍ଡ କରିବସିଲେ ସେମାନେ ହାହାକାର କରି ମରିଯିବେ । ସେମାନଙ୍କ ଯନ୍ତ୍ରଣା–ଜର୍ଜରିତ ମୃତ୍ୟୁକୁ ମୁଁ ସହିପାରିବି କେମିତି ?

 

ଏ ପାଖରେ ମଧ୍ୟ ସେହିଭଳି ପରିସ୍ଥିତି । ଉଷାର ସମ୍ପର୍କକୁ ମୁଁ ଯଦି କାଟିଦିଏ ସେ ବି କ’ଣ ଚରମ ଯନ୍ତ୍ରଣାରେ ଛଟପଟ ହେବନି ? ଯଦି ଆତ୍ମହତ୍ୟା କରିଦିଏ....

 

ସେଦିନ ଉଷାକୁ ଏକାନ୍ତ ନିଭୃତରେ ପାଇ ମୁଁ ମନଇଚ୍ଛା ବ୍ୟବହାର କରିପାରିଥାନ୍ତି । ସେ ବି ବାଧା ଦେଇ ନଥାନ୍ତା । କିନ୍ତୁ ପାରିଲିନି । ଯୋଉଟା ଏପର୍ଯ୍ୟନ୍ତ ସମ୍ଭବ ହେଇନାହିଁ, ସେଇଟାକୁ ଆଜି ସମ୍ଭବ କରାଇବା ପାଇଁ ମୋ ବିବେକ ମୋତେ ବାଧାଦେଲା ।

 

ମୋର ଅନ୍ୟମନସ୍କତା ଯୋଗୁଁ ବାରମ୍ୱାର କାମରେ ଅବହେଳା ହେଉଥିବାରୁ ମୋ ନାଁରେ ପ୍ରସିଡ଼ିଂ ହେଇଚି । ବାପାଙ୍କ କାନକୁ ଏ କଥା ଗଲା । ସେ ପ୍ରସିଡ଼ିଂଟାକୁ ଦେଖି ତା’ର ଗୋଟାଏ କୈଫିୟତ୍‌ ତିଆରି କରିଦେଲେ । ମୋତେ କହିଲେ–ଇଂରେଜୀରେ କୋଉଠି ଭୁଲଭାଲ ଥିବ, ଦେଖିନେଇ ଟାଇପ୍‌ କରେଇ ଦେଇଦେ ।

 

ଇଂରେଜ ଅମଳରେ ଇଂରେଜୀ ଭୁଲ ହବାର ଭୟ ବାପାଙ୍କର ନଥିଲା; କିନ୍ତୁ ସ୍ୱାଧୀନ ଭାରତରେ ଇଂରେଜୀ ଭୁଲ ହେଇଗଲେ ଦଣ୍ଡ ପାଇବାକୁ ପଡ଼ୁଚି । ଶୁଦ୍ଧ ଇଂରେଜୀ ଜ୍ଞାନ ନଥିଲେ ଚାକିରିପାଇଁ ତାହା ଅଯୋଗ୍ୟତା ବୋଲି ଧରାଯାଉଚି ।

 

ବାପାଙ୍କ ଡ୍ରାଫ୍‌ଟାକୁ ଟାଇପ୍‌ କରି ମୁଁ ଦେଇଦେଲି ।

 

ବାପା ଉପଦେଶ ଦେଲେ–କୌଣସି ଚାକିରିରେ କାମରେ ଅବହେଳା ଘୋର ଅନ୍ୟାୟ-। କର୍ତ୍ତବ୍ୟପାଳନବେଳେ ଆଉ କିଛି ଭାବନା ମନରେ ରହିବା ଉଚିତ ନୁହେଁ । ଯେ ଠିକ୍‌ ଠିକ୍‌ ନିଜ କର୍ତ୍ତବ୍ୟ କରିଯାଏ, ଚାକିରିକାଳ ଭିତରେ ତା’ ଗୋଡ଼ରେ କଣ୍ଟା ବାଜେନା ।

 

ମା’ ମୋ ମନର ରୋଗଟାକୁ ଠିକ୍‌ ଭାବରେ ଜାଣିଛନ୍ତି । ସେଦିନ ଜିଦ୍‌କରି ବାପାଙ୍କୁ ସେ କହିଲେ–ନୀଳୁ ମନ ଯୋଉଠି କହୁଚି ସେଇଠି ତାକୁ ବାହା କରେଇଦିଅ । ସେ ବି ତ ଗୋଟେ ଝିଅ । ବାପା ତାଙ୍କ ସ୍ୱଭାବ–ଗାମ୍ଭୀର୍ଯ୍ୟରେ ପଚାରିଲେ–ଆଚ୍ଛା, ତୁମେ ଏ ବିଷୟରେ ଅଧିକା କିଛି ଜାଣ ? ନୀଳୁ ସେ ଝିଅ ସାଙ୍ଗରେ କ’ଣ ମିଳାମିଶା କରିଚି ?

 

ମା’ ବା କ’ଣ ଜାଣିଚନ୍ତି ? କେତେବାଟ ମୁଁ ଯାଇଛି ସେ କଥା ଆମ ଦିହିଁଙ୍କ ଛଡ଼ା ଆଉ କିଏ ଜାଣେ ?

 

ମା’ କହିଲେ–ଏ ସବୁ କଥା ମୁଁ ପୁଅଟାକୁ ପଚାରିବି କେମିତି ? ଦେଖାଚାହାଁ ତ ହେଇଚନ୍ତି । ଆଉ କ’ଣ ହେଇଚି ନ ହେଇଚି ସେଗୁଡ଼ା ମୁଁ ଜାଣିବି କେମିତି ?

 

ବାପା ପୁଣି ଗମ୍ଭୀର ହେଲେ ।

 

ସୌଭାଗ୍ୟକୁ ମତେ କେହି ଏ ବିଷୟରେ କିଛି ପଚାରିଲେନି । ପଚାରିଥିଲେ ମୁଁ ତ ସ୍ପଷ୍ଟ ମନାକରିଦେଇଥାନ୍ତି । ନ ପଚାରି ସେମାନେ ଧରିନେଲେ ମୁଁ ବୋଧହୁଏ ଅନେକ ବାଟ ଆଗେଇଯାଇଚି ।

 

ବାପା ତ ଜଣେ ମୋରାଲିଷ୍ଟ୍‌ । ଚରିତ୍ର ବଦଳରେ ସେ ସବୁକିଛି ଦାନ କରିଦେଇପାରନ୍ତି-। ତାଙ୍କ ଚାକିରିକାଳ ଭିତରେ ସେ ଚାହିଁଥିଲେ ପ୍ରଚୁର ଅର୍ଥ ଉପାର୍ଜନ କରିପାରିଥାନ୍ତେ । ମାତ୍ର ନିଜପାଇଁ ସେ କିଛି କରିନାହାନ୍ତି । ସାହେବଙ୍କୁ ସନ୍ତୁଷ୍ଟ କରିବାପାଇଁ ଯାହା କରିଚନ୍ତି, ସେଇଟା ତାଙ୍କ କର୍ତ୍ତବ୍ୟର ଅଙ୍ଗ ବୋଲି ସେ ଧରିନେଇଥିଲେ ।

 

ଗୋଟାଏ ଝିଅର ସତୀତ୍ୱ ନେଇସାରି ତାକୁ ପ୍ରତ୍ୟାଖ୍ୟାନ କରିବାଟା ଚରମ ଅନ୍ୟାୟ-। ବାପାଙ୍କର ନିଜ ବିବେକ ମଧ୍ୟ ଏଭଳି ଅନ୍ୟାୟକୁ ସମର୍ଥନ କରିପାରିବ ନାହିଁ ।

 

କ’ଣ ହେଲା କେଜାଣି, ଉଷାକୁ ମୁଁ ବିଭାହବାପାଇଁ ବାପା ରାଜି ହେଇଗଲେ । ସେଦିନ ମୋର ମନରେ ଯେଉଁ ଆନନ୍ଦ ତାକୁ ପ୍ରକାଶ କରିବାପାଇଁ ଭାଷା ନାହିଁ ।

 

ଉଷାର ସତୀତ୍ୱ ମୋ ହାତରେ କଳୁଷିତ ହେଇଚି ବୋଲି ମୁଁ ବିଜୟ ହାସଲ କଲି, ନା ସେ ସମ୍ପର୍କର ପବିତ୍ରତା ରକ୍ଷା କରିପାରିଚି ବୋଲି ବିଜୟ ହାସଲ କଲି ତାହା ମୁଁ ଜାଣେ ନାହିଁ । ହୁଏତ ବାପାଙ୍କ ପାଖରେ ଯାହା ସତ୍ୟ, ମୋ ପାଖରେ ତାହା ଅସତ୍ୟ....ବିପରୀତଟାହିଁ ସତ୍ୟ । ସେ ଯା’ ହେଉନା କାହିଁକି ମାଛଟା ଧରାହୋଇସାରିବା ପରେ ଆଉ ଗୋଳିଆ ପାଣିକି ଯିବାର ଆବଶ୍ୟକତା କ’ଣ ?

 

ମୋରି ପ୍ରସ୍ତାବ ଅନୁସାରେ ବାପା ମା’ ଉଭୟ ଉଷା ଘରକୁ ଯାଇ ନିର୍ବନ୍ଧ କରିଆସିଲେ-। ସେଠୁ ଫେରିବାପରେ ଉଭୟଙ୍କ ମତ ସମ୍ପୂର୍ଣ୍ଣ ପରିବର୍ତ୍ତିତ ହେଇଗଲା । ତାଙ୍କ ଘରେ ଏମାନେ ଜାଣିପାରିଲେନାହିଁ ଯେ ସେମାନେ ଓଡ଼ିଆ ନୁହନ୍ତି, ଗୁଜୁରାଟୀ ।

 

ଉଷା ମୁହଁରେ ସାମାନ୍ୟ କେତେଟା ବସନ୍ତର ଦାଗ ଛଡ଼ା ଆଉ କିଛି ଖୁଣ ନାହିଁ । ତା’ପରେ ମୁଁ ବାକ୍‌ଦାନ କରିବାପରେ ତା’ର ରୂପର ତର୍ଜମା ସେମାନେ ବା କାହିଁକି କରିବେ ?

 

ଯଥାସମୟରେ ବନ୍ଧୁବାନ୍ଧବ ଆତ୍ମୀୟସ୍ୱଜନଙ୍କ ସହିତ ବରବେଶରେ ଯାଇ ମୁଁ ଉଷାର ପାଣିଗ୍ରହଣ କଲି । ଉଷାର ବାପା ବିଶେଷ ଯୌତୁକଦବା ଅବସ୍ଥାରେ ନଥିଲେ; ମାତ୍ର ସାଧାରଣତଃ ଯାହା ଦିଆଯାଏ, ତାଙ୍କ ଦବାଟା ତା’ଠୁ କିଛି କମ୍‌ ନଥିଲା । ସେସବୁ ବିଷୟରେ ବାପା କିଛି ପାଟି ଫିଟେଇଲେ ନାହିଁ । ସେ ଭଲକରି ଜାଣନ୍ତି କିଛି କହିବା ନିରର୍ଥକ । ମୁଁ ଏଭଳି ଅବସ୍ଥାକୁ ଯାଇଥିଲି, ଖାଲି ଫୁଲମାଳ ବଦଳିକରି ଉଷାକୁ ଯଦି ନେଇଆସିଥାନ୍ତି, ସେଥିରେବି ସେ ଆପତ୍ତି କରି ନଥାନ୍ତେ-

 

ଉଷା ଆମ ଘରକୁ ଆସି ପୂରାପୂରି ଓଡ଼ିଆଣୀ ପାଲଟିଯାଇଚି । ମା’ଙ୍କର ତ ତାକୁ ଉଚ୍ଛ୍ୱସିତ ପ୍ରଶଂସା । ଚଉଠିର ମଧୁଶଯ୍ୟା ପୂର୍ବରୁହିଁ ସେ ମା’ ବାପାଙ୍କର ପାଦସେବା ଆରମ୍ଭ କରିଦେଇଚି । ମା’ ତାକୁ ସେଦିନ କହିଲେ–ତୁ କି ଗୁଜୁରାଟୀ ଝିଅଲୋ ? ଯା....ଗୋଟାଏ ମିଛ ଭାବନା ନେଇ ପୁଅଟାକୁ ଯା’ ଆମେ ଏତେଦିନ କଷ୍ଟ ଦେଲୁ ?

 

ମା’ ତାକୁ ଏଇକଥା କହିଛନ୍ତି ବୋଲି ଚଉଠିରାତିରେ ସେ ମୋତେ କହିଲା । ମୁଁ ଭାରି ଖୁସି ହେଲି ଉଷାର ଯୋଗ୍ୟତାପାଇଁ । ସେ ଯେ ନିଜର ବ୍ୟବହାରରେ ସମସ୍ତଙ୍କୁ ସନ୍ତୁଷ୍ଟ କରିପାରିଚି ଏଇଟା ମୋର ମଧ୍ୟ କମ୍‌ ସୌଭାଗ୍ୟ ନୁହେଁ ।

 

ଚଉଠିରାତିର କ୍ଳାନ୍ତ ମୁହୂର୍ତ୍ତପରେ ସେ ମୋତେ ହସି ହସି କହିଲା–ଆଗରୁ ଏ ସମ୍ପର୍କ ହେଇଥିଲେ କ’ଣ ଭଲହେଇଥାନ୍ତା ?

 

ମୁଁ କହିଲି–ହେଇନି ବୋଲି କିଏ କହୁଚି ?

 

ମୋର ଏ କଥାରେ ସେ ଆଶ୍ଚର୍ଯ୍ୟ ହେଲା । କହିଲା–ଏମିତି କ’ଣ କହୁଚ ? ଆଉ ସିନା କିଏ ଜାଣିନି, ଆମେ ତ ଜାଣିଚେ ।

 

ମୁଁ ତା’ କାନ ପାଖରେ ଚୁପି ଚୁପି କହିଲି–ମୋ ବାପା–ମା’ଙ୍କର ଧାରଣା ବିବାହ ପୂର୍ବରୁ ଆମର ଏ କାମ ହେଇଚି ।

 

ସେ ବିସ୍ମିତ ହେଇ ନିଜ ଜିଭ କାମୁଡ଼ିଲା–ହେ....ମିଛକଥା ।

 

ମୁଁ କହିଲି–ତାଙ୍କର ସେ ଧାରଣା ହୁଏତ ହେଇ ନଥିଲେ ଆମ ବାହାଘର ହେଇପାରି ନଥାନ୍ତା । ସେ କହିଲା–

 

ସେଇଥିପାଇଁ ତୁମେ ତାଙ୍କୁ ଡାହାମିଛ କଥା କହିଲ । ସେମାନେ ମୋ ବିଷୟରେ କି ଖରାପ ଧାରଣା କରିଥିବେ ।

 

ମୁଁ କହିଲି–ଖାଲି ତୁମେ ନୁହ, ଉଭୟଙ୍କ ବିଷୟରେ । ସେଭଳି ଧାରଣା କଲେ ବୋଲି ତ ବାହାଘର ପାଇଁ ରାଜିହେଲେ । ଯଦି ଆମର ବାହାଘର ହେଇପାରି ନଥାନ୍ତା, ଆମ ଅବସ୍ଥା କ’ଣ ହେଇଥାନ୍ତା ?

 

କ’ଣ ହେଇଥାନ୍ତା, ତାହା ବର୍ତ୍ତମାନ କଳ୍ପନାର ଅତୀତ । ଆଜିର ଏ ଆନନ୍ଦ ନିରାନନ୍ଦରେ ପରିଣତ ହେଇଥାନ୍ତା । ହୁଏତ ଆଜିର ଏ ଜୀବନ ମୃତ୍ୟୁର ଶୀତଳ ସ୍ପର୍ଶରେ ଜଡ଼ ପାଲଟିଯାଇଥାନ୍ତା-। ଉଷା ଆଉ ନୀଳମାଧବଙ୍କର ଏ ପୃଥିବୀକୁ ଆସିବା ହେଇଯାଇଥାଆନ୍ତା ଅକାରଣ ।

 

ବର୍ତ୍ତମାନ ଓଲଟା ଚିନ୍ତାର ପ୍ରୟୋଜନ କ’ଣ ? ଜୀବନରେ ଚରମ ଆନନ୍ଦର ମୁହୂର୍ତ୍ତ....ଯୋଉ ମୁହୂର୍ତ୍ତ ଭବିଷ୍ୟତକୁ ପରିଣତ କରିବ ସ୍ୱର୍ଗରାଜ୍ୟରେ । ଯୋଉଥିପାଇଁ ଭଗବାନ ମଣିଷର ଯୌବନାବସ୍ଥାର ସୃଷ୍ଟି କରିଚନ୍ତି । ତା’ ନହେଲେ ତ ଶୈଶବପରେ ବାର୍ଦ୍ଧକ୍ୟ ଆସନ୍ତା; ମାତ୍ର ସ୍ରଷ୍ଟା ତାହା ଚାହାନ୍ତିନି । ଯୌବନହିଁ ଜୀବନର ପୂର୍ଣ୍ଣତା ଆଣେ । ଯୌବନପାଇଁହିଁ ମଣିଷଜାତି ନାରୀପୁରୁଷ ଦୁଇ ଶ୍ରେଣୀରେ ବିଭକ୍ତ । ଯୌବନ ନଥିଲେ ପୁରୁଷତ୍ୱ ଓ ନାରୀତ୍ୱର ଅର୍ଥ କ’ଣ ରହନ୍ତା ? ସମଗ୍ର ସୃଷ୍ଟିହିଁ ହୁଅନ୍ତା ନିରର୍ଥକ ।

 

ଉଷାକୁ ପାଇ କେବଳ ଚଉଠି ରାତି ନୁହେଁ, ଗୋଟେ ପରେ ଗୋଟେ ସବୁଯାକ ରାତ୍ରିହିଁ ଚଉଠି ରାତି ହେଲା ।

 

ମଣିଷ ଏକ ଅଦ୍ଭୁତ ଜୀବ, ଯାହାକୁ ସମସ୍ୟା କେବେ ଛାଡ଼େନା । କିଛି ସମସ୍ୟା ଅନାହୂତ ହୋଇ ଆସେ; ଆଉ କିଛି ମଣିଷ ନିଜେହିଁ ସୃଷ୍ଟିକରେ । ସମସ୍ୟା ଓ ତା’ର ସମାଧାନ ପାଇଁ ଉଦ୍ୟମ ଭିତରେହିଁ ଜୀବନ ଗତିକରେ ଆଗକୁ । ସମସ୍ୟା–ରହିତ ଜୀବନ ସ୍ଥାଣୁ ପାଲଟିଯାଏ-। ସମସ୍ୟା ନଥିଲେ ଜୀବନର ସ୍ୱାଦ ନଥାନ୍ତା, ଅଗ୍ରଗତିବି ନଥାନ୍ତା ।

 

ବିବାହରୂପକ ସମସ୍ୟାକୁ ଅତିକ୍ରମ କରିଯିବା ପରେ ମୋ ବିରୁଦ୍ଧରେ ହୋଇଥିବା ପ୍ରସିଡ଼ିଂ ଆହୁରି ଉତ୍କଟ ଆକାର ଧାରଣ କଲା । ସତ କହିବାକୁ ଗଲେ ଅଫିସ୍‌ରେ ମୋର ଶତ୍ରୁପକ୍ଷର ଲୋକ କିଛି ଥିଲେ, ଯେଉଁମାନେ ମୋତେ ଚାହୁଁଥିଲେ ବିପଦରେ ପକାଇବାକୁ । ବାପାଙ୍କ ଉପରେ ଈର୍ଷାଥିବା କିଛି କର୍ମଚାରୀ ଯେଉଁମାନେ ଆଜିବି ଚାକିରିରେ ଅଛନ୍ତି ଏବଂ ସଚିବାଳୟରେ କାମ କରୁଛନ୍ତି, ସେଇମାନଙ୍କ ଭିତରୁ କେତେକ ଏ ଚକ୍ରାନ୍ତର ଅଗ୍ରଣୀ । ଆମ ଅଫିସର ବଡ଼ବାବୁ ତନ୍ମଧ୍ୟରେ ମୁଖ୍ୟ । ସେତେବେଳେ କୁଆଡ଼େ ବାପାଙ୍କର ଓ ତାଙ୍କର ଆଦୌ ପଡ଼ୁ ନଥିଲା । ସେ ଥିଲେ ବାପାଙ୍କର ଅଧସ୍ତନ । ବାପାଙ୍କ କଥାରେ ସାହେବ ତ ଖୁବ୍‌ ବିଶ୍ୱାସୀ ଥିଲେ; ତେଣୁ ଅନ୍ୟ କିରାଣିମାନଙ୍କର ଦୋଷତ୍ରୁଟି ବାପା ସାହେବଙ୍କ ଦୃଷ୍ଟିକୁ ଆଣିଲେ, ସାହେବ ସେମାନଙ୍କୁ ତାଗିଦ କରୁଥିଲେ; ବେଳେବେଳେ ଦଣ୍ଡିତବି କରୁଥିଲେ । ଆମ ଅଫିସ୍‌ର ବଡ଼ବାବୁ ସେତେବେଳେ ବାପାଙ୍କ କଥାରେହିଁ ଦଣ୍ଡିତ ହେଇଥିଲେ । ସାହେବ ତାଙ୍କ ପ୍ରମୋସନ୍‌ ତିନିବର୍ଷ ବନ୍ଦ କରିଦେଇଥିଲେ । ସେଇ ପୂର୍ବ ରାଗ ବର୍ତ୍ତମାନ ମୋ’ରି ଉପରେ ଶୁଝଉଛନ୍ତି । ମୁଁ ଏ କଥାର ବିନ୍ଦୁ–ବିସର୍ଗ କିଛି ଜାଣି ନଥିଲି; ବାପାଙ୍କଠୁ ଶୁଣିଲି । ବାପାବି ମନେମନେ ଶଙ୍କିତ ହେଇଉଠିଲେ । କିଛି କାରଣ ନଥାଇବି ଜଣେ ଲୋକର ସର୍ବନାଶ କରାଯାଇପାରେ ।

 

ବାପା ମୋତେ କହିଲେ–ନୀଳୁ, ତୁ ଏକ କାମ କର । ସେ ବଡ଼ବାବୁ ପାଖରେ ତୋ ଚାକିରି କେବେହେଲେ ନିରାପଦ ନୁହେଁ । ତା’ର ତ ପେନ୍‌ସନ୍‌ ନବାକୁ ଆଉରି ପାଞ୍ଚ–ଛ’ବର୍ଷ ଥିବ-। ସେ ଚାହିଁଲେ ଏଇ ପାଞ୍ଚ–ଛ’ବର୍ଷ ଭିତରେ ତୋର କ୍ଷତି କରିଦେଇପାରିବ । ତୁ ବରଂ ତୋ ସାଙ୍ଗ ମନ୍ତ୍ରୀଙ୍କୁ କହି ଅନ୍ୟ କୋଉ ବିଭାଗକୁ ବଦଳି ହେଇଯା ।

 

ବାପାଙ୍କର ଏଇ ପରାମର୍ଶ ଅନୁସାରେ ମୁଁ ଦିନେ ଯାଇ ମୋ ବନ୍ଧୁଙ୍କୁ ସବୁକଥା କହିଲି । ସେତେବେଳକୁ ସେ ଅବଶ୍ୟ ଭାରି ବ୍ୟସ୍ତଥିଲେ । କାରଣ ମନ୍ତ୍ରିମଣ୍ଡଳ ସେତେବେଳେ ଅସ୍ଥିରତା ଭିତରଦେଇ ଗତିକରୁଥିଲା । କେତେବେଳେ ଯେ ଭାଙ୍ଗିବ ଏଇଭଳି ଅନିଶ୍ଚିତ ଅବସ୍ଥା । ତା’ ସତ୍ତ୍ୱେ ବନ୍ଧୁ ମୋତେ ଅନୁଗୃହୀତ କଲେ । ମୁଖ୍ୟ ଶାସନ ସଚିବଙ୍କୁ ଡାକି ମୋର ଅସୁବିଧା କଥା ବୁଝେଇଦେଲେ । ସାତଦିନ ଭିତରେ ମୋର ଅନ୍ୟ ବିଭାଗକୁ ବଦଳି ହେଲା । ତା’ପରେ ମୋ ବିରୁଦ୍ଧରେ ଚାଲିଥିବା ପ୍ରସିଡ଼ିଂ ମଧ୍ୟ ଡ୍ରପ୍‌ ହେଲା । ମୁଖ୍ୟ ଶାସନ ସଚିବ ମୋ ପ୍ରସିଡ଼ିଂର କାଗଜପତ୍ର ଦେଖି ନିଜେ ଆଦେଶ ଦେଲେ ଏବଂ ବଡ଼ବାବୁଙ୍କୁ ଡାକି ଗାଳିଗୁଲଜ କଲେ । ବିଚରା ବଡ଼ବାବୁଙ୍କ ମୁହଁ ସେଦିନ କଳା ପଡ଼ିଗଲା । ସେ ଜାଣି ନଥିଲେ ମନ୍ତ୍ରୀଙ୍କ ସହିତ ମୋର ବନ୍ଧୁତା । ସବୁ ଜାଣିସାରିବା ପରେ ଦିନେ ଡାକି କହିଲେ–ନୀଳମାଧବବାବୁ ! ଯାହା ହବାର ତ ହେଇଗଲାଣି । ଆପଣଙ୍କ ବାପା ମୋର ଗୁରୁସ୍ଥାନୀୟ । ମୁଁ ତାଙ୍କୁ ଭାରି ଭକ୍ତିକରେ । ଆପଣ ତାଙ୍କରି ପୁଅ ବୋଲି ମୁଁ ଜାଣି ନଥିଲି । ଆଉ କାହିଁକି ସେଆଡ଼େ ରହିବେ ? ଏବେ ଆମ ଡିପାଟ୍‍ମେଣ୍ଟକୁ ଫେରି ଆସନ୍ତୁ-

 

ମୁଁ ତାଙ୍କୁ ନମସ୍କାର ଜଣେଇ କହିଲି–ସାର୍‌, ଆପଣ ପୂର୍ବ କଥା ସବୁ ଭୁଲି ଯାଆନ୍ତୁ । ମୁଁ ଆଉ ଏଠିକି ସହସା ଆସିବି କେମିତି ? ଗୋଟାଏ ନୂଆ ଜାଗାକୁ ଯାଇଛି, ସେଠି କିଛିଦିନ ରହେ ।

 

ବଡ଼ବାବୁ ଚୁପ୍‌ ରହିଲେ । ସତରେ ସେ କ’ଣ ଚାହୁଁଥିଲେ ମୁଁ ପୁଣି ଫେରିଆସେ ବୋଲି-! ମୋର ବେକିଂ ଯେ ତାଙ୍କଠୁ ଜୋର୍‌ ଓ ମୁଁ ଚାହିଁଲେ ତାଙ୍କର ମଧ୍ୟ କ୍ଷତି କରି ଦେଇପାରିବି, ଏଇ ଭୟରେ ସେ ହୁଏତ ଏମିତି ସାଉଁଳିଆ କଥା କହୁଥିଲେ ।

 

ବର୍ତ୍ତମାନ ମୁଁ ବିପଦମୁକ୍ତ । ଅଫିସ୍‌ ଆସି ପହଞ୍ଚିବାକ୍ଷଣି ଇଚ୍ଛାହୁଏ ପୁଣି ଘରକୁ ଫେରିଯିବାକୁ । ୟା’ ଭିତରେ ଉଷାର ଦି’ଭାଇ ଆସି ଆମ ଘରେ ଦୁଇଦିନ ରହି ଫେରିଗଲେଣି । ହୁଏତ ଆମ ଗାଁଘର ତାଙ୍କ ମନକୁ ପାଇ ନଥିବ । ଜୀବନରେ ସେମାନେ ଗାଁ ଦେଖି ନଥିଲେ । ଉଷା ଆମ ଘରକୁ ଆସିବା ପୂର୍ବରୁବି ଗାଁ ଦେଖି ନଥିଲା । କିନ୍ତୁ ବେଶ୍‌ ସୁନ୍ଦର ଭାବରେ ସେ ଆମଘରେ ନିଜକୁ ଖାପ ଖୁଆଇ ନେଲା । ଦି’ଥର ମୋ ସାଙ୍ଗରେ ଆସି ଲିଙ୍ଗରାଜ ମନ୍ଦିର, ରାଜରାଣୀ ମନ୍ଦିର ପ୍ରଭୃତି ବୁଲିଗଲାଣି । ପୁରୀ ଯିବାକୁ ତା’ର ଭାରି ଇଚ୍ଛା । ବାପ ମା’ଙ୍କ ସହିତ ପିଲାଟିବେଳେ ଥରେ ମାତ୍ର ଯାଇଥିଲା । ସେତେବେଳେ ଯାହା ଦେଖିଥିଲା, ସେସବୁ ଆଉ ତା’ର ମନେ ନାହିଁ ।

 

ମା’ ତ ପୁରୀରେ ରହି ରହି ଆସିଛନ୍ତି । ଜୀବନର ଅଧାରୁ ବେଶି ସମୟ ସେଇଠି କଟେଇଛନ୍ତି । ତେଣୁ ତାଙ୍କୁ ଆଉ ସାଙ୍ଗରେ ନେବା ଦରକାର ପଡ଼ିଲା ନାହିଁ । ରବିବାର ସକାଳେ ଆମେ ଗଲୁ । ସୋମବାର ସକାଳେ ଫେରିବୁ । ପୁରୀରେ ବାପାମା’ଙ୍କ ପାଖରେ ମୁଁ ବି ତ ଅନେକ ସମୟ କଟେଇଚି; କିନ୍ତୁ ଆଜି ଉଷା ସହିତ ବଡ଼ଦାଣ୍ଡରେ ପାଦ ଦବାକ୍ଷଣି ପୁରୀ ସହରଟା ମୋତେ ନୂଆ ନୂଆ ଲାଗିଲା । ସମୁଦ୍ରକୂଳରେ ଗୋଟାଏ ହୋଟେଲରେ ରୁମ୍‌ଟିଏ ନେଇ ରହିଲୁ । ଦିପହର ଗଡ଼େଇ ଚାରିଟାବେଳକୁ ମନ୍ଦିର ଆସିଲୁ । ବଡ଼ଦାଣ୍ଡରେ ବେଶ୍‌ ଭିଡ଼ । ଅନେକ ବିଦେଶୀ ଯାତ୍ରୀ । ଓଡ଼ିଶା ଏବଂ ଭାରତ ବାହାରର । ସିଂହଦ୍ୱାର ସମ୍ମୁଖରେ ଶଙ୍ଖଶାମୁକା ଖେଳଣାର ବିପଣି । ଉଷାକୁ କହିଲି–ଆଗ ଚାଲ, ଠାକୁର ଦର୍ଶନ କରି ଆସିବା । ପରେ କିଛି କିଣାକିଣି କରିବା । ଉଷା ଜଗନ୍ନାଥ, ଲକ୍ଷ୍ମୀ ଓ ବିମଳାଙ୍କ ପାଖରେ ଦୀପ ଜାଳିଲା । ଫୁଲମାଳ ଦେଲା । ସାଷ୍ଟାଙ୍ଗ ପ୍ରଣିପାତ କରି ଯାହା ମନାସିବା କଥା ମନାସିଲା ।

 

ଏକାଟିଆ ଦେବଦର୍ଶନ ଓ ସସ୍ତ୍ରୀକ ଦେବଦର୍ଶନ ଭିତରେ ଅନେକ ପାର୍ଥକ୍ୟ ମୁଁ ଅନୁଭବ କଲି । ବିବାହ ପରେ ଦୁଇଟି ମନ ଏକ ହେଇ ପ୍ରାର୍ଥନା କରେ । ବିଶେଷତଃ ସ୍ତ୍ରୀମାନଙ୍କର ପ୍ରାର୍ଥନା ନିଜଠୁ ସ୍ୱାମୀପୁତ୍ର ପାଇଁ ବେଶି । ସ୍ୱାମୀ ପୁତ୍ରଙ୍କର ମଙ୍ଗଳରେ ସେମାନଙ୍କର ମଙ୍ଗଳ । ଆମର ତ ପୁତ୍ର ଲାଭ ହୋଇନାହିଁ । ତେଣୁ ଉଷାର ପ୍ରାର୍ଥନା ମୋରି ମଙ୍ଗଳପାଇଁ ।

 

ଠାକୁର ଦର୍ଶନ ପରେ ସେ ପ୍ରସ୍ତାବ କଲା ପ୍ରସାଦ ଖାଇବାପାଇଁ । ମୁଁ କହିଲି–ବାହାରୁ ଯଦି କିଛି କିଣିବ କିଣିସାର । ଶେଷରେ ପ୍ରସାଦ ପାଇ ଚାଲିଯିବା ।

 

ଆମେ ଲକ୍ଷ୍ମୀମନ୍ଦିରରେ କିଛି ସମୟ ବସିଲୁ । ତା’ପରେ ବାହାରକୁ ଆସିଲୁ । ଉଷା ଶାମୁକାର କିଛି ଖେଳଣା କିଣିଲା । ମାଟିର ବଡ଼ ହାତୀଟାଏ କିଣିଲା । ମୁଁ ପଚାରିଲି–ଏ ହାତୀଟା କ’ଣ କରିବ ? ତୁମର କ’ଣ ଏ ହାତୀ ସହିତ ଖେଳିବାର ବଅସ ଅଛି ?

 

ସେ ହସିଲା । କହିଲା–ନେଇଥିଲେ, କାମରେ ଆସିବ ।

 

ପୁତ୍ରାର୍ଥେ ତ୍ରିୟତେ ଭାର୍ଯ୍ୟା । ଉଷା ମନ ଭିତରେ ମା’ ହବାର ସ୍ୱପ୍ନ କ’ଣ ଉଙ୍କି ମାରିଲାଣି ! ତାହାହେଲେ ତ ସର୍ବନାଶ । ପୁଅମାନେ ସାଧାରଣତଃ ଶୀଘ୍ର ବାପ ହବାକୁ ଚାହାନ୍ତିନି-। ଝିଅମାନେ ୟା’ର ଠିକ୍‌ ଓଲଟା । ବାହାଘର ପରେ ଚାହାନ୍ତି ସନ୍ତାନ । ସନ୍ତାନଟିଏ ହେଇଯିବାପରେ ପତ୍ନୀ ଏବଂ ଜନନୀର ଦ୍ୱନ୍ଦ୍ୱ ଆରମ୍ଭ ହୁଏ । ବିଚରା ପତିକୁ ସନ୍ତାନପାଇଁ କିଛି ତ୍ୟାଗ କରିବାକୁ ପଡ଼େ ।

 

ସମୁଦ୍ରକୂଳରେ ଜ୍ୟୋତ୍ସ୍ନାପ୍ଳାବିତ ରାତି । ରୁମ୍‌ ଭିତରକୁ ସମୁଦ୍ର ଢେଉର ଶବ୍ଦ, ସମୁଦ୍ର ମାଡ଼ି ଆସିବାଭଳି ମାଡ଼ି ଆସୁଚି । ଉଷା ଆଶଙ୍କା କରୁଚି କୁଆଡ଼େ ସମୁଦ୍ର ମାଡ଼ି ଆସିବ । ଯିଦ ମାଡ଼ି ଆସେ....

 

ପବନର ଜୋର୍‌ର ଘରଟା ଯଦି ଉଡ଼ିଯାଏ....

 

Unknown

ଧେତ୍‌ । କି ସବୁ ଅବାସ୍ତବ ଚିନ୍ତା । ଦୋତାଲା ଉପରକୁ ସମୁଦ୍ର ମାଡ଼ି ଆସିବ ନା ପବନରେ ମଜବୁତ ତିଆରି ଘରଟା ଉଡ଼ିଯାଇପାରିବ ?

 

ଛୋଟ ଏକ ଚଢ଼େଇଟେ ପରି ସେ ମୋ ପେଟ ପାଖରେ ଜାକି ହେଇ ଶୋଇଚି । ମୋର ଅଭୟଦାନ ତା’ର ଭୟ ଭାଙ୍ଗିପାରୁନାହିଁ । ଝରକା ଦେଇ ଜହ୍ନ ଆଲୁଅରେ ସମୁଦ୍ରର ଉଚ୍ଚ ଢେଉଗୁଡ଼ାକ ତ ଦେଖାଯାଉଚି । ରାତିର ନିଃଶବ୍ଦତା ଯୋଗୁଁ ସେ ଶବ୍ଦ ହେଉଚି ଭୟଙ୍କର । ସମୁଦ୍ର ପାଖରେ ରହିବାର ମଧୁରତାକୁ ନଷ୍ଟ କରି ଉଷା ଝରକାକୁ ବନ୍ଦ କରିଦେଲା । ମୋର ପ୍ରତିବାଦ ସେ ଶୁଣିଲାନାହିଁ ।

 

କହିଲା–ଝରକା ଖୋଲା ରହିଲେ ଏ ଶବ୍ଦରେ ସାରା ରାତି ମୁଁ ଶୋଇ ପାରିବିନାହିଁ ।

 

ମୁଁ କହିଲି–ରାତିଟା ନ ଶୋଇଲେ ପୁରୀ ଆସିବାଟା ସବୁଦିନ ପାଇଁ ମନେରହିବ ।

 

ସେ ପୁଣି ଉଠି ଝରକା ଖୋଲିଦେଲା । କହିଲା–ରାତିସାରା ଗପ କୁହ, ମୁଁ ଶୁଣିବି ।

 

କି ଗପ କହିବି ? ମୁଁ ତ ଗପକାର ନୁହେଁ । ତା’ ହେଇଥିଲେବା ବନେଇଚୂନେଇ ନାନାପ୍ରକାର ଗଳ୍ପ କହିପାରନ୍ତି । ସେ ଦିଗରେ ମୋର ଯୋଗ୍ୟତା ଶୂନ ।

 

ମୁଁ କହିଲି–ତୁମେ ରାତିସାରା ଗୀତ ଗାଅ ।

 

ସେ କହିଲା–ଗାଇପାରୁଥିଲେ ତୁମକୁ କ’ଣ କହିବାକୁ ପଡ଼ିଥାନ୍ତା; ଆପେଆପେ ଗାଇଥାନ୍ତି ।

 

ତାହାହେଲେ କ’ଣ କରାଯିବ ? ଗପ ନାହିଁ କି ଗୀତ ନାହିଁ । ସାରା ରାତି ଉଜାଗର ରହିବାର ଉପାୟ ? ନବବିବାହିତ ଦମ୍ପତିଙ୍କ ପାଖରେ ରାତି ଉଜାଗର ଏକ ସମସ୍ୟା ନୁହେଁ ବୋଲି ସେଦିନ ରାତିରେ ଆମେ ଅନୁଭବ କଲୁ । ଶୋଇବାର ଇଚ୍ଛା ନଥିଲେବି ଭୋରବେଳକୁ ନିଦ ମାଡ଼ିଆସିଲା । ଝରକା ବନ୍ଦ କରିବାର ଆବଶ୍ୟକତା ସେ ଆଉ ଅନୁଭବ କଲାନାହିଁ ।

 

ନିଦ ଭାଙ୍ଗିବାବେଳକୁ ସକାଳ–ସୂର୍ଯ୍ୟ ଆସି ଆମ ମୁହଁ ଉପରେ ପଡ଼ିଲାଣି । ମୁଁ କହିଲି–ଯାଃ, ଗୋଟାଏ ବଡ଼ ଜିନିଷ ଆମେ ମିସ୍‌ କଲେ ।

 

ସେ ପଚାରିଲା–କ’ଣ ?

 

ମୁଁ କହିଲି–ସୂର୍ଯ୍ୟୋଦୟ ।

 

ସେ କହିଲା–କେମିତି ?

 

ମୁଁ କହିଲି–ଏଠି ସୂର୍ଯ୍ୟୋଦୟଟାହିଁ ଦେଖିବାର କଥା । କଅଁଳା ବାଛୁରୀପରି ସୂର୍ଯ୍ୟ ଡିଆଁମାରି ଉପରକୁ ଉଠେ । ସେତେବେଳେ ସେ ଥାଏ ସମ୍ପୂର୍ଣ୍ଣ ଲାଲ; ସତେ ଅବା ସଦ୍ୟୋଜାତ ରକ୍ତ ଜୁଡ଼ୁଜୁଡ଼ୁ ଶିଶୁଟିଏ ।

 

ମୁଁ ଦେଖିବି ।

 

ବର୍ତ୍ତମାନ ଆଉ କେମିତି ସମ୍ଭବ ? ଆଜି ଆଉ କ’ଣ ସେ ସମୁଦ୍ର ଭିତରୁ ଉଠିବ ? ଆଉ କେବେ ଆସିଲେ ଦେଖିବ ।

 

ନା ନା, ଆଜି ବରଂ ରହିଗଲେ.....

 

ଅଫିସ୍ ।

 

ନ ଗଲେ ।

 

ଚାକିରିରେ ତା’ ହୁଏନା । ଏ ତ ତୁମ ବାପାଙ୍କ ବ୍ୟବସାୟ ନୁହେଁ ଯେ ଇଚ୍ଛାକଲେ ଦୋକାନ ଚାବି ନ ଖୋଲି ଘରେ ରହିଯାଇପାରିବ । ବିନା ଅନୁମତିରେ ରହିବା ଚାକିରି ପକ୍ଷରେ କ୍ଷତିକାରକ ।

 

ସେ ବୁଝିଗଲା । ସାତଟା–ବସ୍‌ ଧରି ଆମେ ଫେରିଆସିଲୁ ।

 

ସେଠାରୁ ଫେରିବାପରେ ସେ ପୁଣି ଚାହିଁଲା ଥରେ କଟକ ଯାଇ ବାପା ମା’ଙ୍କୁ ଦେଖିବାପାଇଁ । ସେଥିରେ ମୋର ଯଦିଓ କିଛି ଆପତ୍ତି ନଥିଲା; କିନ୍ତୁ ମୋ ବାପା ମା’ ଆପତ୍ତି ଉଠେଇଲେ । ବାପଘରକୁ ଯିବାର ନିମନ୍ତ୍ରଣ ନ ଆସିଲେ, ସେ କେମିତି ଯିବ ? ଆଉ ମୋ ଯିବାପାଇଁ ତ ଅନେକ ପ୍ରକାର କଟକଣା । ଜ୍ୱାଇଁନିମନ୍ତ୍ରଣ ଆସିବ । ପ୍ରଥମ ଥର ଜ୍ୱାଇଁ ଗଲେ ତା’ପାଇଁ ନୂଆ ବାସନ, ନୂଆ ଶେଯ, ନୂଆ ପୋଷାକ–ଅନ୍ୟୂନ ହଜାରେ ଟଙ୍କା ଖର୍ଚ୍ଚ ।

 

ମା’ ଦେଖେଇ ଦେଖେଇ ମତେ କହିଲେ–ଏ କ’ଣ, ‘ଦେଲା ନାରୀ, ହେଲା ପାରି ।’ ହଇରେ ବାହାଘର ପରେ କାହିଁ ତୋ ଶ୍ୱଶୁରଘର ତ କିଛି ଖୋଜ୍‍ଖବର ନଉନାହାନ୍ତି । ତୋତେ ନ ଡାକିଲେ ନାହିଁ–ଝିଅକୁ ନେବେନି ?

 

ଉଷା ରାତିରେ ମୋତେ ପଚାରିଲା–ବାପାଙ୍କୁ ଏ ବିଷୟରେ ଚିଠି ଲେଖିବି କି ?

 

ମୁଁ ନାହିଁ କଲି–ତାଙ୍କର ଯାହା ବର୍ତ୍ତମାନ ଅବସ୍ଥା, କାହିଁକି ତାଙ୍କୁ ଖର୍ଚ୍ଚାନ୍ତ କରେଇବା ?

 

ମୁଁ ସିନା ନାହିଁ କଲି, ଆମ ସମାଜର ନିୟମ କିନ୍ତୁ ବଡ଼ କଠୋର । କାହାରି ଆର୍ଥିକ ଅବସ୍ଥାକୁ ସେ ଭ୍ରୂକ୍ଷେପ କରେନା । ବାହା, ବ୍ରତ, ମୃତାହ ଆଦିରେ ତୁମର ସମ୍ୱଳ ଥାଉ ନଥାଉ, ତୁମକୁ ହଜାର ହଜାର ଖର୍ଚ୍ଚ କରିବାକୁ ପଡ଼ିବ । ଜମିବାଡ଼ି ଥିଲେ ବିକ୍ରିକର–ଧାର କରଜ କର–ଶୁଝିନପାରିଲେ ଘରତଳି ନିଲାମ ହୋଇଯାଉ ପଛେ ସାମାଜିକ ମର୍ଯ୍ୟାଦା ରକ୍ଷାକରିବାକୁ ପଡ଼ିବ । ହାୟରେ ହିନ୍ଦୁ ସମାଜ ! ହାୟ ତୁମର ନିୟମ !

 

ସେ ନିୟମକୁ କ’ଣ ସରଳ କରାଯାଇପାରିବ ନାହିଁ ? କିନ୍ତୁ ଏସବୁ କଥା କହିବାକୁ ମୁଁ କିଏ ? ସମାଜରେ ନେତୃସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଏ ଦିଗରେ ଚିନ୍ତା କରୁନାହାନ୍ତି କାହିଁକି-? ଯେଉଁମାନେ ଚାହିଁଲେ ସମାଜର କିଛି ପରିବର୍ତ୍ତନ ହେଇପାରନ୍ତା, ଯେଉଁମାନେ ପୁରୁଣା ନିୟମକୁ ଭାଙ୍ଗି ତା’ ଜାଗାରେ ନୂତନ ଏବଂ ମଙ୍ଗଳକାରକ ପ୍ରଥାର ପ୍ରଚଳନ କରିପାରନ୍ତେ, ସେମାନେ ଯଦି ନୀରବ ରହନ୍ତି, ତାହାହେଲେ ଏ ସମାଜ ପୁରୁଣାରୁ ପୁରୁଣା ହେବ ସିନା, ସମୃଦ୍ଧିର ଏରୁଣ୍ଡିବନ୍ଧ ମଧ୍ୟ ଛୁଇଁବନାହିଁ ।

 

ଇଂରେଜ ଶାସନର ଅବସାନଟା କ’ଣ ସ୍ୱାଧୀନତା ! ଇଂରେଜ ବୁର୍ଜୋୟାଙ୍କ ବଦଳରେ ଦେଶୀ ବୁର୍ଜୋୟାଙ୍କ ଅଧିଷ୍ଠାନ କ’ଣ ସ୍ୱାଧୀନତା ! ସାବାଳକ ଭୋଟପ୍ରଥାର ପ୍ରଚଳନହିଁ କ’ଣ ଆମର ସର୍ବସ୍ୱ !

 

ମୋ ବିବେକର ଦଂଶନ ମତେ ସହିବାକୁ ପଡ଼େ । ବିବେକ ସହିତ ଯୁଦ୍ଧ କରି ପୁଣି ସନ୍ଧି ସ୍ଥାପନ କରିବାକୁ ପଡ଼େ । ବାପା ଗାଁରେ ଆସି ସ୍ଥାୟୀହେଇ ରହିଲାପରେ ଗାଁଲୋକେ ଭଲମନ୍ଦରେ ତାଙ୍କୁ ପଚାରନ୍ତି । ବାପା ଚାହିଁଲେ ଆମ ଗାଁଟାରେ ଅନେକ କିଛି ପରିବର୍ତ୍ତନ ହୋଇପାରନ୍ତା, ଅନେକ ନୂଆ କଥା କରି ଆମେ ଅନ୍ୟକୁ ଦେଖେଇ ଦେଇପାରନ୍ତୁ; କିନ୍ତୁ ହେଉଚି କେଉଁଠି ? ପୂରାତନକୁ ଛାଡ଼ି ଆମେ ଆଗେଇପାରୁନାହୁଁ । ଖୁବ୍‌ ବେଶି ହେଲେ ବେଳେବେଳେ ନୂଆ ବୋତଲରେ ସେଇ ପୁରୁଣା ମଦକୁ ଭର୍ତ୍ତି କରୁଚୁ ।

 

ଗାଁରେ ଜଣେ ବିଧବା ପୁତ୍ରବତୀ ହେଲେ । ବିବାହର ଦୁଇବର୍ଷ ପରେ ତାଙ୍କର ସ୍ୱାମୀ ବିୟୋଗ ଘଟିଥିଲା । ତା’ପରେ ତାଙ୍କର ମୃତଦାର ଶ୍ୱଶୁରଙ୍କ ସହିତ ଅବୈଧ ସମ୍ପର୍କ ସ୍ଥାପନର ପରିଣତି । ଚୁପ୍‌ଚାପ୍‌ ସବୁ ଥିଲା; କିନ୍ତୁ ବିଧବାଟିର ସନ୍ତାନ ଜନ୍ମପରେ କଥାଟା ପ୍ରଘଟ ହୋଇଗଲା-। ଘରକର୍ତ୍ତା ବାପାଙ୍କର ପରାମର୍ଶ ଲୋଡ଼ିଲେ । ବାପା ତତ୍‌କ୍ଷଣାତ୍‌ ଆଦେଶ ଦେଲେ–ସେ ପାପିଷ୍ଠା ନାରୀକୁ ତୁମେ ଏବେବି ଘରେ ରଖିଚ ? ଶୀଘ୍ର ତାକୁ ବହିଷ୍କାର କର । ଅସହାୟା ନାରୀ, ତା’ ପ୍ରତି ଏଇ ଦଣ୍ଡ । ମାତ୍ର ଯେ ଏସବୁ ଭିଆଇଲେ ତାଙ୍କର କ’ଣ ହେଲା ? ଏବେ ମୁଁ ସେ ମହିଳାକୁ ଆମ ସଚିବାଳୟ ପାଖରେ ପୁଅଟିକୁ କାନ୍ଧରେ ପକାଇ ଭିକ ମାଗୁଥିବାର ଦେ‌ଖେ । ସମ୍ପର୍କରେ ସେ ମୋର ଖୁଡ଼ୀ ହେବେ । ହଠାତ୍‌ ଦିନେ ମୋତେ ଦେଖି ସେ ଲୁଗାକାନିରେ ମୁହଁ ଢାଙ୍କିଦେଲେ-। ଲଜ୍ଜାରେ ନୁହେଁ, ଭୟରେ । ଯେ ତାଙ୍କୁ ନିର୍ବାସନ ଦଣ୍ଡ ଦେଇଚନ୍ତି, ମୁଁ ତ ତାଙ୍କରି ପୁଅ । ସେ ଏମିତି ଭିକ ମାଗୁଚନ୍ତି ଜାଣିଲେ ପୁଣି ଯଦି ତାଙ୍କ ପ୍ରତି ଆଉ କିଛି ଅତ୍ୟାଚାର ହୁଏ । ଏ ଘଟଣାର ମାସକ ପରେ ଦେଖିଲି ସେ ଆଉ ଭିକ ମାଗୁନାହାନ୍ତି । ତାଙ୍କ ବେଶ–ପୋଷାକ ବଦଳିଯାଇଚି । ଆଖିରେ କଜ୍ଜ୍ୱଳ, ପାଦରେ ଅଳତା । ଚାରିଟା ପାଞ୍ଚଟାବେଳେ ସେ ସଚିବାଳୟ ଫାଟକ ପାଖରେ ଆସି ଠିଆ ହଉଚନ୍ତି । ଭିକ୍ଷାର ଉଦ୍ଦେଶ୍ୟରେ ନୁହେଁ–ରାତ୍ରିପାଇଁ ଗ୍ରାହକ ଯୋଗାଡ଼ କରିବା ଉଦ୍ଦେଶ୍ୟରେ ।

 

କି ଘୃଣ୍ୟ ଏଇ ସମାଜ ! ବାପା ଯଦି ଦେଖିଯାଇପାରନ୍ତେ, ତାଙ୍କରିପାଇଁ ତାଙ୍କ ପରିବାରର ବୋହୂଟିର ଆଜି ଏ ଅବସ୍ଥା ! ସେ ବୋହୂଟିର ଶ୍ୱଶୁର ବୋହୂକୁ ଘରୁ ତଡ଼ିଦେବାପରେ ପୁଣି ସାମାଜିକ ନିୟମକୁ ଅକ୍ଷରେ ଅକ୍ଷରେ ପାଳନ କରି ଗ୍ରାମର ଏକ ଷୋଡ଼ଶୀ କନ୍ୟାକୁ ଦ୍ୱିତୀୟ ଦାରରୂପେ ଗ୍ରହଣ କରିଚନ୍ତି । ଉକ୍ତ ବିବାହ ଉତ୍ସବରେ ଗାଁର ଅଧିକାଂଶ ଲୋକ ନିମନ୍ତ୍ରିତ ହୋଇ ଯୋଗଦେଇଥିଲେ । କାହିଁ କେହି ତ ସାମାନ୍ୟତମ ପ୍ରତିବାଦ ମଧ୍ୟ କଲେନାହିଁ । ପଞ୍ଚାବନବର୍ଷ ବୟସର ବୃଦ୍ଧଙ୍କ ସହିତ ଷୋଡ଼ଶୀ କନ୍ୟାର ବିବାହ ! ଏହାକୁ ପୁଣି ସମାଜର ନିର୍ଲଜ୍ଜ ଅନୁମୋଦନ ! କେଡ଼େ ଚମତ୍କାର !

 

ଯୋଉ ମା’ ଆଗେ ଉଷାକୁ ଉଚ୍ଛ୍ୱସିତ ପ୍ରଶଂସା କରୁଥିଲେ–ତା’ର ଗୁଣଗାରିମା ସାଇପଡ଼ିଶାଙ୍କ ଆଗରେ ବଖାଣୁଥିଲେ, ସେଇ ମା’ଙ୍କର ପରିବର୍ତ୍ତନ ଦେଖି ମୁଁ ବି ଆଶ୍ଚର୍ଯ୍ୟ ହେଲି । ଏଣିକି ଟିକିଏ ଟିକିଏ କଥାରେ ସେ ବିରକ୍ତ ହେଇ ଉଠୁଥିଲେ । ମୁଁ ଥିବାବେଳେ କିଛି କହନ୍ତିନାହିଁ; କିନ୍ତୁ ମୁଁ ଅଫିସ୍‌ ଚାଲିଗଲାପରେ ଏଣିକି ପ୍ରାୟ ନାଟ ଲାଗେ । ଅଧିକାଂଶ ଦିନେ ମୁଁ ଫେରି ଦେଖେ ଉଷା ମୁହଁ ଭାରି କରି ବସିଚି । ମୋର ବୁଝିବାକୁ ବାକି ରହେନାହିଁ ଯେ ଘରେ କିଛି ନା କିଛି ଅପ୍ରୀତିକର ପରିସ୍ଥିତି ଘଟିଯାଇଚି ।

 

ମା’ଙ୍କର ବାକ୍ୟବାଣ ସବୁ ତା’ ବାପଘରକୁ କେନ୍ଦ୍ରକରି–ତା’ ବାପଘର ଛୋଟଲୋକ, ମତେ ପାଲରେ ପକେଇ ଠକେଇ ଦେଇଛନ୍ତି ଇତ୍ୟାଦି । ଏ ସମ୍ପର୍କରେ ବାପଘରକୁ କିଛି ନ ଲେଖିବାକୁ ମୁଁ ଉଷାକୁ ମନାକଲି ସିନା, କିନ୍ତୁ ମତେ ଲୁଚେଇ ସେ ଲେଖିଦେଲା । ସେଦିନ କୁଆଡ଼େ ନ ଲେଖିବାର ଚାରା ନଥିଲା ।

 

ମୁଁ ଅଫିସ୍ ଯିବାପରେ ମା’ ବୋହୂକୁ ପଚାରିଲେ–ହଇଲୋ ବୋହୂ, ତୁମର ଜାତିପତି କ’ଣ ?

 

ଶାଶୁଙ୍କର ଏ ପ୍ରଶ୍ନରେ ବୋହୂ ତାଜୁବ । ବିବାହର ଏତେ ଦିନପରେ ହଠାତ୍‌ ଏ ପ୍ରଶ୍ନ କାହିଁକି ଉଠିଲା । ବୋହୂର ନୀରବତାପରେ ଶାଶୁ ପୁଣି କହିଲେ–ବୋହୂ, ତୁ ତୋ ବାପ ମା’ର ଅସଲ ଝିଅ ନା ତୋତେ କୋଉଠୁ ପାଇ ଆଣିଥିଲେ ?

 

ମା’ଙ୍କର ଏ ପ୍ରଶ୍ନ ଉଷାକୁ ଭୟଭୀତ କରିଦେଲା । ଏଭଳି ଅବାନ୍ତର ପ୍ରଶ୍ନର କି ଜବାବ ସେ ଦିଅନ୍ତା ?

 

ମା’ ପୁଣି କହିଲେ–ତୋ ବାପ ବିଞ୍ଚିଚି ତ ? ତୋ ମା’ ଅଛି ତ ? କାହିଁ ବାପା–ମା’ ଥିବାଭଳିଆ ତ ଜଣାପଡ଼ୁନି ।

 

ଉଷା ବୁଝିପାରିଲା । ଚିଠି ନ ଲେଖି ସେ ଚୁପ୍‌ ରହିଯାନ୍ତା କେମିତି ?

 

ଚିଠି ପାଇ ଉଷାର ଦି’ ଭାଇଯାକ ଏକାସାଙ୍ଗରେ ଆମ ଘରେ ପହଞ୍ଚିଲେ । ପଡ଼ିଶାଘରୁ ଜୋଇଁ ନିମନ୍ତ୍ରଣର ନିୟମକାନୁନ ବୁଝି ଉଷା ସେମାନଙ୍କୁ ଲେଖିଥିଲା ଯେପରି ଆସିବାକୁ, ସେମାନେ ଠିକ୍‌ ସେହିପରି ଆସିଥିଲେ । ତାଙ୍କରିଠୁ ଶୁଣିଲି ତାଙ୍କ ବାପାଙ୍କର ନଡ଼ିଆ ବ୍ୟବସାୟ ଆଉ ନାହିଁ । ବାପା ଆଉ ଦୁଇପୁଅ ମିଶି ଡାଲିଚାଉଳ ବ୍ୟବସାୟ ଆରମ୍ଭ କରିଚନ୍ତି । ନିଜର ଗୁଜୁରାଣ ଯାହା ମେଣ୍ଟୁଚି ତା’ଠୁ ଅଧିକ କିଛି ହଉନି ।

 

ସେ ଯା ହଉ, ବାପା–ମା’ଙ୍କର ଅନୁମତି ନେଇ, ଅଫିସ୍‌ରୁ ତିନିଦିନ ପାଇଁ ଛୁଟିର ବ୍ୟବସ୍ଥା କରି ଆମେ ଗଲୁ । ସତରେ ସେମାନଙ୍କ ଅବସ୍ଥା ବର୍ତ୍ତମାନ ଦୟନୀୟ; କିନ୍ତୁ ସେ ଅବସ୍ଥା ସହିତ ସମାଜର ଯାଏଁ ଆସେ କ’ଣ ?

 

ଆମେ ଯିବା ପୂର୍ବରୁ ମା’ ପଡ଼ିଶାଘରର ଏକ ବୋହୂକୁ ଡକେଇ ତା’ରି ମାଧ୍ୟମରେ ଉଷାକୁ ଲମ୍ୱା ତାଲିକା ଧରେଇଦେଇଥିଲେ । ପୂରା ସେଟ୍‌ ଶେଯ, ପୂରାସେଟ୍‌ ବାସନ, ପୂରାସେଟ୍‌ ବସ୍ତ୍ର (ଉଭୟଙ୍କର), ତା’ ଛଡ଼ା ଆସିବାବେଳେ ଜ୍ଞାତିକୁଟୁମ୍ୱ ଗ୍ରାମବାସୀମାନଙ୍କ ଖାଇବାପାଇଁ ଯଥେଷ୍ଟ ମିଷ୍ଟାନ୍ନ ଏବଂ ଅନ୍ୟାନ୍ୟ ବହୁ ପଦାର୍ଥ ଯାହା ଦେବା ନିତାନ୍ତ ଆବଶ୍ୟକ । ଆଉ ଗୋଟିଏ କଥା ଉଷାକୁ ଗୋପନରେ କୁହାଯାଇଥିଲା । ତାହା ହେଉଚି ମୁଁ ତ ପ୍ରତିଦିନ ଘରୁ ଅଫିସ୍ ଆସୁଚି । ବାପାଙ୍କ ଅମଳର ପୁରୁଣା ସାଇକେଲ୍‌ରେ ମୋତେ ଆସିବାକୁ ପଡ଼ୁଚି । ବିବାହ ସମୟରେ ଆମେ ତ କିଛି ଯୌତୁକ ନେଇନାହୁଁ । ସାମାନ୍ୟ ଏଇ ସାଇକେଲ୍‌ଟେ ତାଙ୍କର ଦବା ନିହାତି ଦରକାର । କାହାକୁ ସେ ଦଉଚନ୍ତି ? ନିଜ ଜୋଇଁର ସୁବିଧା ପାଇ ଏତକ ଯୋଉ ଶ୍ୱଶୁରଘର ନ କରିବ ସେ କି ଶ୍ୱଶୁରଘର ?

 

ଏଇ ସବୁ ଜିନିଷ ନ ନେଇ ମୁଁ ଯଦି ଯାଏଁ ଘରେ କୁରୁକ୍ଷେତ୍ର ଯୁଦ୍ଧ ଯେ ଘଟିବ, ଏଥିରେ ମୋର ତିଳେମାତ୍ର ସନ୍ଦେହ ନାହିଁ । ଶ୍ୱଶୁରଘରେହିଁ ଉଷା ମୋତେ ଏ ସବୁ କଥା କହିଲା ଏବଂ ତା’ ସହିତ ସେ ମୋତେ କହିଲା ଏଇ ସବୁ ଜିନିଷ ଦବାପାଇଁ ତା’ ବାପା ତା’ ମା’ଙ୍କର ଥିବା ଶେଷସମ୍ୱଳ କିଛି ଅଳଙ୍କାର ବିକ୍ରିକରିବାକୁ ସ୍ଥିର କରିଛନ୍ତି ।

 

ମୁଁ ଲଜ୍ଜିତ ହେଉଥିଲି ଯେତିକି, କ୍ରୋଧାନ୍ୱିତ ହେଉଥିଲି ସେତିକି । ଶେଷରେ ଉଷାକୁ କହିଲି–ଦେଖ ଉଷା, ମୁଁ କିଛି ନେବିନି । ଆଉ ତୁମ ବାପା ଯଦି ତୁମ ମା’ଙ୍କ ଅଳଙ୍କାର ବିକ୍ରୟ କରନ୍ତି ମୁଁ ଏ ଜୀବନରେ ଆଉ ତୁମ ଘରର ସୀମା ମାଡ଼ିବିନି ।

 

ଉଷା ମୋତେ ବୁଝେଇଲା–ଦେଖ, ମୁଁ ତ ଏ ଘରର ଝିଅ । ମୋ ପ୍ରତି ତ ବାପା ମା’ଙ୍କର କିଛି କର୍ତ୍ତବ୍ୟ ଅଛି । ସବୁ କଥାକୁ ଚିନ୍ତାକରି ତୁମେ ଏଥିରେ ବାଧା ଦିଅନି ।

 

ମୁଁ କିନ୍ତୁ ମୋ ନିଷ୍ପତ୍ତିରେ ଅଟଳ ।

 

ଫେରିଗଲା ପରେ ଘରେ ଯୋଉ ପରିସ୍ଥିତି ଉପୁଜୁ ପଛେ, ଏଭଳି ଅବିବେକୀ, ଅମଣିଷ ମୁଁ ହେଇପାରିବିନି । ଉଷା କାନ୍ଦିଲା; କିନ୍ତୁ ସେ କାନ୍ଦଣାରେ ମୁଁ ଟଳିଲିନି । ଉଷାର ମା’ କାନ୍ଦିଲେ, ହେଲେ ସେ କାନ୍ଦଣା ମୋ ପାଖରେ ନିରର୍ଥକ ହେଲା । ମୁଁ କହିଲି–ଉଷା ବହୁଦିନ ପରେ ବାପଘରକୁ ଆସିଛି । ସେ ଥାଉ । ମାସେ ପରେ ମୁଁ ଆସି ନେଇଯିବି । ମୁଁ ବରଂ ଚାଲିଯାଉଛି ।

 

ସତକୁସତ ସେ ଦିନ ମୁଁ ଚାଲିଆସିଲି । ଆସିବାବେଳେ ଉଷାର ସେଇ ବିକଳ ମୁହଁ ମୋ ଛାତିରେ ଆଘାତ ହାଣିଲା । ଏ କ’ଣ ? ମୁଁ ତ ତାକୁ ଛାଡ଼ପତ୍ର ହେଇ ଚାଲିଯାଉନାହିଁ । ଗୋଟାଏ ପରିସ୍ଥିତିର ମୁକାବିଲା କରିବାପାଇଁ ମୁଁ ଯାଉଛି ।

 

ଏମିତି ଘରେ ପହଞ୍ଚିଯିବାର ଦେଖି ମା’ କହିଲେ–କିରେ ନୀଳୁ, ଏ କ’ଣ ?

 

ମୁଁ ପଚାରିଲି–କାହିଁକି, କ’ଣ ହେଲା କି ?

 

ମା’ କହିଲେ–ତୋ’ ହଳଦିଆ ଗୋଡ଼ଧୂଆ ଜିନିଷସବୁ ରଖି ଦେଇ ଆସିଲୁ କି ? ଆଉ ବୋହୂ କାହିଁ ? ତାକୁ ଛାଡ଼ିଦେଇ ଆସିଲୁ କାହିଁକି ?

 

ମୁଁ କହିଲି–ତା’ ଦିହ ଭଲ ନାହିଁ । କିଛିଦିନପରେ ଯାଇ ତାକୁ ନେଇ ଆସିବି ।

 

ମା’ଙ୍କୁ ଆଉ କିଛି କହିବାର ସୁଯୋଗ ନ ଦେଇ ସେମିତି ସାଇକେଲ୍‌ଟା ଧରି ମୁଁ ଅଫିସ୍ ପଳାଇଆସିଲି । ମା’ ଚୁପ୍‌ଚାପ୍‌ ମୋ ଆସିବା ବାଟକୁ ଚାହିଁରହିଥିଲେ ।

 

ଚାରି ପାଞ୍ଚ ଦିନ ପରେ । ମା’ ମୋତେ ଦିନେ ସନ୍ଧ୍ୟାବେଳେ କହିଲେ–ନୀଳୁ, ସେ ଘର ଆଉ ସେ ବୋହୂ ଆମର ପସନ୍ଦ ନୁହେଁ ।

 

ମୁଁ ହଠାତ୍‌ ଯେମିତି ଆକାଶରୁ ତଳକୁ ଖସିପଡ଼ିଲି । ମନେମନେ ଭାବିଲି–ତୁମ ପସନ୍ଦ–ଅପସନ୍ଦରେ ବିଶେଷ କ’ଣ ଯାଏଆସେ ? ମୁଁ ସ୍ୱାମୀ–ମୋ ସ୍ତ୍ରୀ ଯଦି ମୋର ପସନ୍ଦ, ତୁମର ଅପସନ୍ଦ ହେବାର କାରଣ ବା କ’ଣ ?

 

ପୁଣି ସେ କହିଲେ–କ’ଣ କ୍ଷତି ହ’ନ୍ତାରେ ? ତୋ ବାପାବି ସେଇକଥା କହୁଥିଲେ । ସେ ମନେମନେ ଆଉ ଗୋଟିଏ କନିଆଁ ତୋପାଇଁ ଠିକ୍‌ କରିଚନ୍ତି । ତୁ ଆଜି ହଁ କଲେ, କାଲି ସକାଳେ ସେମାନେ ତତେ ଧରିନେଇ କନ୍ୟା ସଅଁପି ଦେବେ ।

 

ମୁଁ ନିର୍ବାକ୍‌ ! ସ୍ତମ୍ଭୀଭୂତ ।

 

–ମା’ ! ତୁମେ ଝିଅ ଜନ୍ମ କରିନାହଁ ସତ; କିନ୍ତୁ ନିଜେ ତ ଦିନେ ଝିଅ ଥିଲ । ଏଭଳି ପ୍ରସ୍ତାବ ଦଉଚ କେମିତି ? ସେତେବେଳେ ଯଦି ମୁଁ ତୁମ କଥା ମାନି ତାକୁ ବାହାହେଇ ନଥାନ୍ତି, ସେ ବରଂ ଏକପ୍ରକାର ହେଇଥାନ୍ତା; କିନ୍ତୁ ଆଜିର ଏ ପ୍ରସ୍ତାବ କେବଳ ମୋତେ ସାରା ଜୀବନ ହନ୍ତସନ୍ତ କରିବାପାଇଁ ।

 

ମା’ଙ୍କର ଧୈର୍ଯ୍ୟଚ୍ୟୁତି । ସେ ଆଶା କରୁଚନ୍ତି ମୁଁ ଜଲଦି ‘ହଁ’ ପଦଟିଏ କହିଦେଲେ ସେ ବିଜୟ–ଗର୍ବରେ ବାପାଙ୍କ ପାଖକୁ ଯାଇ କହନ୍ତେ–ଆଜି ରାତିରେ ଯାଇ ସବୁକଥା ପକ୍କା କରିଦେଇଆସ ! ବାପା ମୁଚୁକି ହସି ପଚାରନ୍ତେ–ପୁଅ ରାଜି ହେଲା ତ ? ମା’ ମୁହଁରେ ତହୁଁ ବଳି ହସ ଫୁଟେଇ କହନ୍ତେ–ରାଜି ନ ହେଇ ଯିବ କୁଆଡ଼େ ? ମୋ କଥା ମାନିବନି ୟା କ’ଣ ହେଇପାରେ ? ଯେତେହେଲେବି ସେ ପରା ପୁଅ, ଆଉ ମୁଁ ତା’ର ମା’.....

 

ଭାବୁଥିଲି–ଏମାନେ କ’ଣ ଏ ଘରେ ମୋତେ ଆଉ ରଖେଇଦେବେନି ? ମୁଁ ଯଦି ଏଠୁ ଚାଲିଯାଇ ଅନ୍ୟତ୍ର ବସାଘର କରି ରହେ.....

 

ମା’ ମୋ ନୀରବତାରେ ଉତ୍ସାହିତ ହୋଇ କହିଲେ–ବାପା, ଆମେ କେବେ ତୋର ଅମଙ୍ଗଳ ପାଞ୍ଚୁନୁ । ଯାହା କରୁଚୁ ସବୁ ତୋ’ରି ମଙ୍ଗଳପାଇଁ । କନିଆଁ କ’ଣ ଅଭାବ ହେଇଚନ୍ତି ? ବାପା ଯାହାକୁ ପସନ୍ଦ କରିଛନ୍ତି, ମୋରବି ତାକୁ ପସନ୍ଦ । ମୋର ପସନ୍ଦ ହେଲେ ତୋରବି ପସନ୍ଦ.....

 

ମୁଁ ଆଉ କେତେ ସମୟ ବା ଚୁପ୍‌ ରହିପାରନ୍ତି ? କହିଲି–ମା’ ! ବର୍ତ୍ତମାନ ଏସବୁ ପ୍ରଶ୍ନ ଉଠୁଚି କାହିଁକି ?

 

ମା’ ତତ୍‌କ୍ଷଣାତ୍‌ କହିଲେ–ସେମିତି ବୋହୂଟେ ଯଦି ଆଣିଥାନ୍ତୁ, ଆମେ କାହିଁକି ଏତେ ଚିନ୍ତା କରୁଥାନ୍ତୁ ?

 

ମୁଁ ଆହୁରି କଠୋର ହେଲି–ମୋପାଇଁ କାହାରି ଚିନ୍ତାକରିବା ଦରକାର ନାହିଁ । ମୋତେ ଆଉ ଏମିତି କଥା କେବେ କହିବ ନାହିଁ ମା’ !

 

ମା’ ଦାଣ୍ଡପଟକୁ ଚାଲିଗଲେ । ବାପା ସେଇଠି ଅନ୍ଧାରରେ ବସି ମାଳା ଗଡ଼ଉଥିଲେ । ମା’ ଯିବାରୁ ମାଳଗଡ଼ା କାମ ବନ୍ଦରହିଲା । ଉଭୟ ଏ ବିଷୟ ନେଇ କିଛି ସମୟ କ’ଣ ଆଲୋଚନା କଲେ । ରାତି ଖାଇବାବେଳେ ଦେଖିଲି ଉଭୟଙ୍କ ମୁହଁ ଗମ୍ଭୀର; ମୋ ସହିତ କିଛି କଥାବାର୍ତ୍ତା ନାହିଁ-। ମା’ ରାନ୍ଧିବାଢ଼ି ମୋ ପାଖରେ ମୋ ଖାଇବା ବସେଇ ଦେଇଗଲେ । ଦ୍ୱିତୀୟ ଥର ଆଉ କ’ଣ ନେବି ନନେବି ସେକଥା ଆଉ ସେଦିନ ପଚାରିଲେନାହିଁ । ମୁଁ ବି କିଛି ନ କହି ଖାଇଦେଇ ଉଠିପଡ଼ିଲି । ହାତ ମୁହଁ ଧୋଇ ଶୋଇବାଘର ଭିତରକୁ ଯାଇ କବାଟ ବନ୍ଦ କରିଦେଲି-। ସାରା ଘରଟା ମୋତେ ଖାଁ–ଖାଁ ଲାଗିଲା । ଉଷାର ଅଭାବ ମର୍ମେମର୍ମେ ଅନୁଭବ କଲି । ଆଲଣାରେ ଥିବା ତା’ର ଛିଣ୍ଡା ଶାଢ଼ିଟାକୁ ଆଣି ବିଛଣାଚଦର ଉପରେ ପାରିଦେଇ ତା’ରି ଉପରେ ଶୋଇଲି-। ଠିକ୍‌ ତାହାରି ସ୍ପର୍ଶ । ସେ ଯେମିତି ଆସି ମୋରି ପାଖରେ ଶୋଇପଡ଼ିଚି । ଚୁପି ଚୁପି ମୋ ସହିତ କଥା କହୁଚି । ମୁହଁଟା ବିମର୍ଷ । ସହର ମୃତ୍ୟୁ ଘଟିଚି ଯେମିତି । କେହି ଅବା ତା’ ମୁହଁର ହସକୁ ମାରିଦେଇଚି । ମୁଁ ତା’ ଅଣ୍ଟାରେ ଆଙ୍ଗୁଳିମାରି ତାକୁ ହସେଇବାକୁ ଚେଷ୍ଟା କରୁଚି । ସେ ହସୁନାହିଁ-। ମୋତେ ଇଙ୍ଗିତରେ କହୁଚି–ଶୋଇପଡ଼ । କାଲି ହସିବା । ହସିହସି ଫାଟିପଡ଼ିବା । ଆଜି ନୁହେଁ-

 

କାଲି । କାଲିବି ସେଇ ଶୂନ୍ୟତା । ନାଃ, ତାକୁ ଯାଇ ନେଇ ଆସିବାକୁ ହେବ । ବିନା ଦୋଷରେ ସେ ଯାଇ ବାପଘରେ ନିର୍ବାସନ–ଦଣ୍ଡ ଭୋଗକରିବ କାହିଁକି ? ତାକୁ ଯାଇ ନେଇଆସିବି ଭାବୁଚି, ଏଇ ସମୟରେ ତା’ ମା’ଙ୍କ ମୃତ୍ୟୁ ସମ୍ୱାଦ ପାଇଲି । ବଡ଼ଶଳା ପ୍ରଭୁଲାଲ ଟେଲିଗ୍ରାମ୍ କରିଥିଲା । ଅଫିସ୍‍ରୁ ଫେରି ଟେଲିଗ୍ରାମ୍‍ଟା ବାପାଙ୍କୁ ଦେଲି । ସେ ପଢ଼ି ମା’କୁ ଶୁଣେଇଦେଲେ । ତା’ପରେ ଉଭୟ ନୀରବ ରହିଲେ....ରାମ–ରୁମା କିଛି କହିଲେ ନାହିଁ ।

 

ଘଣ୍ଟାଏ ପରେ ମା’ଙ୍କର ପୁଣି ଆବିର୍ଭାବ ହେଲା । ସେ ଆସି ‘ନୀଳୁ’ ଡାକି ଚୁପ୍‌ଚାପ୍‌ ଠିଆହୋଇ ରହିଲେ । ମୁଁ ତାଙ୍କ ମୁହଁକୁ ଚାହିଁପାରୁ ନଥିଲି । ସତ କହିବାକୁ ଗଲେ ଅନିଚ୍ଛାକୃତ ଘୃଣା ମୋ ମନକୁ ଢାଙ୍କିରଖୁଥିଲା । ପ୍ରଥମକରି ସେ ଦିନ ମୁଁ ଅନୁଭବ କଲି ବାପା ଆଉ ମା’ ଉଭୟ ଯେମିତି ମୋର ଆଉ ହିତାକାଂକ୍ଷୀ ନୁହନ୍ତି । ମା’ ପଚାରିଲେ–ନୀଳୁ ! ତୋ ବାପା ପଚାରୁଚନ୍ତି; ତୁ ତାକୁ ପାଳିବୁ ?

 

ହଠାତ୍‌ ଯେମିତି ମୋ ମୁହଁଟା ଲାଲ୍‌ ପଡ଼ିଗଲା । ଦିନର ଆଲୁଅ ଥିଲେ ମା’ ସେଇଟା ସ୍ପଷ୍ଟ ଲକ୍ଷ୍ୟ କରିପାରିଥାନ୍ତେ; କିନ୍ତୁ ରାତିର ଅନ୍ଧକାରରେ ମୋ ମୁହଁର ଭାବଟା ସେ ଜାଣିପାରିଲେ ନାହିଁ ।

 

ପୁଣି କହିଲେ–ତାଙ୍କର ଜାତିପତି ତ ଏଯାଏ ଆମେ କିଛି ଜାଣିଲୁନାହିଁ । ଆଗରୁ ଯାହା ହେଇଯାଇଚି, ଯାଇଚି । ଏବେ ତ ଆଉ ସେ ବୋହୂକୁ ନେଇ ଆମେ ଆଉ ଏ ଗାଁରେ ଚଳେଇପାରିବା ନାହିଁ । ବାପା କହୁଚନ୍ତି, ଗାଁଟାକୁ ଛାଡ଼ି ଆମେ ଚଳିବା କେମିତି ?

 

ଗଭୀର ଦୀର୍ଘଶ୍ୱାସ ତୁହାକୁ ତୁହା ମୋ ଛାତି ଚିରି ଉଠୁଥିଲା । ରାଗ ବଦଳରେ ମୋ ଆଖିରେ ଉଠୁଥିଲା କରୁଣତାର ଜୁଆର । ମା’ ମୋର ସ୍ନେହମୟୀ ଜନନୀ । ଦଶମାସ ମୋତେ ଗର୍ଭରେ ବହନକରି ନିଜର ଜୀବନ–ମୃତ୍ୟୁ ସହିତ ସଂଗ୍ରାମ କରିଥିଲେ । ମୁଁ ଶୁଣିଚି, ମୋରି ଜନ୍ମ ସମୟରେ ମା’ଙ୍କର ଜୀବନ–ସଙ୍କଟ ଦେଖାଦେଇଥିଲା । ମୋର ଜନ୍ମରାତି ଥିଲା ଏକ ଭୟଙ୍କର ରାତି । ମେଘ–ପବନରେ ସାରା ପୃଥିବୀ ଯେମିତି ଚିତ୍କାର କରି ଉଠୁଥିଲା; ସତେ ବା ପ୍ରଳୟ ହେବ-! ସତେବା ଅଶୁଭ–ଅଶନି ମଣିଷକୁ ଜାଳି ପୋଡ଼ି ଛାରଖାର କରିଦେବ ।

 

ଯୋଉ ଘରେ ଆଜି ମା’ଙ୍କର ସାମନାସାମନି ହେଇଚି, ଏଇ ହଉଚି ସେଇ ଘର, ଯୋଉଠି ମା’ ରକ୍ତ–ଜୁଡ଼ୁବୁଡ଼ୁ ହେଇ ଘନଘନ ସଂଜ୍ଞା ହରାଉଥିଲେ । ବାପା ପିଣ୍ଡାରେ ବସି ହାତ ଯୋଡ଼ି ପ୍ରଳାପ କରୁଥିଲେ–ହେ ପ୍ରଭୁ, ରକ୍ଷାକର ! ହେ ପ୍ରଭୁ, ରକ୍ଷାକର ! ଦୀର୍ଘ ଚାରି ଘଣ୍ଟାର ଅନିଶ୍ଚିତ ଅବସ୍ଥାପରେ ମୁଁ ଭୂମିଷ୍ଠ ହୋଇଥିଲି । ରକ୍ତଶୂନ୍ୟତା ଯୋଗୁଁ ମା’ ପୁଣି ଚେତା ହରେଇଥିଲେ । ଗାଉଁଲି ଧାଈଟା ହସିହସି ଆସି ବାପାକୁ କହିଥିଲା–‘ଟଙ୍କା ପକାଅ, ଶାଢ଼ି ଦିଅ, ପୁଅ ହେଇଚି ।’ ସେଇ ପୁଅ ମୁଁ–ସେଇ ମା’ ଏ । ଯୋଉ ମା’ ମତେ ନିଜର ଜୀବନଠୁ ବଳି ଭଲପାଉଥିଲେ, ହଠାତ୍‌ ତାଙ୍କର ଏ ପରିବର୍ତ୍ତନ କାହିଁକି ? ମୋ ତରଫରୁ ବାପମା’ଙ୍କ ପ୍ରତି କୌଣସି ଅବହେଳା ମୁଁ କରିନି । ମୁଁ ସେଭଳି ପୁଅ ମଧ୍ୟ ନୁହେଁ । ବାପା–ମା’ଙ୍କ ପ୍ରତି ପୁଅମାନଙ୍କର ଦୁର୍ବ୍ୟବହାର ମୁଁ ଦେଖିଚି । ଏଇ ସଚିବାଳୟରେ ମୋ ବନ୍ଧୁବାନ୍ଧବମହଲରେ ମଧ୍ୟ ଏମିତି ଘଟଣା ଘଟିଚି–ବାପ ସର୍ବସ୍ୱାନ୍ତ ହେଇ ପୁଅକୁ ପାଠ ପଢ଼େଇଚି । ଯୋଗ୍ୟ ପାତ୍ରୀ ସନ୍ଧାନ କରି ବିବାହ ଦେଇଚି । ବିବାହ ପରେ ସ୍ୱାମୀ ସ୍ତ୍ରୀ ଅଲଗା ବସାନେଇ ରହିଚନ୍ତି । ବାପା–ମା’ଙ୍କର ଭଲମନ୍ଦରେ କୌଣସି ଅଂଶୀଦାର ନହେଇ ସେମାନେ ସେମାନଙ୍କ ଜୀବନ ବିତେଇଦଉଚନ୍ତି ।

 

ମୁଁ କ’ଣ ତାହା କରିପାରନ୍ତି ନାହିଁ ? କିନ୍ତୁ ପିତାମାତାଙ୍କର ବାର୍ଦ୍ଧକ୍ୟ ସମୟରେ ମୁଁ ନିଜର କର୍ତ୍ତବ୍ୟରୁ ବିଚ୍ୟୁତ ହେବାକୁ ଚାହେଁନା । ସେଇ ଯେ ପିଲାବେଳେ ପଢ଼ିଥିଲି–‘ପିତା ବଡ଼ ଆକାଶଠୁ, ମାତା ବଡ଼ ପୃଥିବୀ ଅପେକ୍ଷା’ ତାହାହିଁ ମୋ ମନରେ ସର୍ବଦା ନିନାଦିତ ହେଉଛି ।

 

ପୂର୍ବରୁ ବାପା ମା’ ଯେ ଏମିତି ଥିଲେ, ତାହା ନୁହେଁ । କିନ୍ତୁ ବର୍ତ୍ତମାନ ମୁଁ ଦେଖିଚି, ବାର୍ଦ୍ଧକ୍ୟ ଯୋଗୁଁ ବାପା ଖୁବ୍‌ ଲୋଭାସକ୍ତ ହେଇଚନ୍ତି । ସାଂସାରିକ ପଦାର୍ଥ ପ୍ରତି ତାଙ୍କର ଆସକ୍ତି ବଢ଼ିଯାଇଚି । ଗାଁର ଭଲମନ୍ଦରେବି ଲାଭ ଯେଉଁଠି ନାହିଁ; ସେଠି ସେ କଥା କହୁନାହାନ୍ତି । ତାଙ୍କ ମୁହଁ ବନ୍ଦ କରିବାପାଇଁ ଗାଁର ଭ୍ରଷ୍ଟାଚାରୀ ଲୋକମାନେ ମଧ୍ୟ ତାଙ୍କୁ ଅର୍ଥାଦି ଦ୍ରବ୍ୟ ଆଣି ଭେଟି ଦଉଚନ୍ତି ।

 

ଆମ ଘର ଆଗରେ ଏବେ ଛୋଟିଆ ଚଉପାଢ଼ିଟିଏ ବାପା ତିଆରି କରିଚନ୍ତି । ସକାଳେ ଗାଧୁଆପାଧୁଆ ସାରି ମୁଣ୍ଡରେ ଚିତାଚଇତନ କାଟି ସେ ଦିପହର ପର୍ଯ୍ୟନ୍ତ ସେଇଠି ବସନ୍ତି । ଗାଁର କିଛି ନିକମା ଲୋକ ସେଇଠି ଆସି ଭିଡ଼ ଜମାନ୍ତି । ଚାଲେ ପରଘର–ଚର୍ଚ୍ଚା । ବିଶେଷଭାବରେ ଗାଁର ଝିଅ ବୋହୂମାନଙ୍କର ଚାରିତ୍ରିକ ଆଲୋଚନା । ସକାଳ ଓଳି ସେଇଠି ଗ୍ରାମ୍ୟ–ସମସ୍ୟାର ସୃଷ୍ଟି ହୁଏ, ପୁଣି ରାତିକି ହୁଏ ସେଇଠି ତା’ର ସମାଧାନ । ବାପା ମଝିରେ ମଝିରେ ପରାମର୍ଶ ପାଇଁ ପୁରୀ ମୁକ୍ତିମଣ୍ଡପ ପଣ୍ଡିତମାନଙ୍କ ପାଖକୁ ଯାଆନ୍ତି । ଖାଲି ଆମ ଗାଁରେ ଯେ ବାପାଙ୍କର ପ୍ରତିପତ୍ତି ବଢ଼ିଚି ତାହା ନୁହେଁ । ଆମ ଗାଁକୁ ଘେରି ରହିଥିବା ଅନ୍ୟାନ୍ୟ ଗାଁରେ ମଧ୍ୟ ସେ ଜଣେ ଶାସ୍ତ୍ରଜ୍ଞ ପଣ୍ଡିତ ଭାବରେ ପରିଚିତ ହେଇଗଲେଣି । ବେଳେବେଳେ ରାଜଧାନୀ ଭୁବନେଶ୍ୱରରୁ ମଧ୍ୟ ତାଙ୍କୁ ଡକରା ହେଉଛି । ବାପା ଏଣିକି ଜୋତା ବଦଳରେ କାଠର କଠଉ ବ୍ୟବହାର କରୁଚନ୍ତି । ସାର୍ଟ୍ ବଦଳରେ ଚଦର କାନ୍ଧରେ ପକଉଚନ୍ତି । ବେକରେ ନାଇଚନ୍ତି ମୋଟା ରୁଦ୍ରାକ୍ଷମାଳା । ବାପାଙ୍କର ସିନା ରୂପଭେଦ ସବୁ ବଦଳିଚି; କିନ୍ତୁ ମା’ଙ୍କର ତ ବଦଳି ନାହିଁ । ତାହାହେଲେ ସେ କ’ଣ ଖାଲି ବାପାଙ୍କର ଇଚ୍ଛାକୁ ନିଜେ କିଛି ନ ବୁଝି ନ ଶୁଝି ମୋ ପାଖରେ ଆସି ଗାଇଯାଉଛନ୍ତି ? ନିଜେ ଯଦି ସବୁ ବୁଝନ୍ତେ, ମୋର ହେଇ ବାପାଙ୍କୁ ତ କହିପାରନ୍ତେ । ତେଣୁ ମୁଁ ତାଙ୍କୁ ବୁଝେଇବାକୁ ଚେଷ୍ଟାକଲି । ମୋ ଆଖିରୁ ଧାରଧାର ଲୁହ ଝରିଲା । ମୋ ଲୁହ ଦେଖି ମା’ଙ୍କର ହୃଦୟବି ତରଳିଗଲା । ସେ ମୋ ଆଖିର ଲୁହ ପୋଛିଦେଇ କହିଲେ–ନୀଳୁ, ବାପାଙ୍କର ଯୋଉଥିରେ ଖୁସି, ତୁ ପୁଅ ହେଇ ସେଇଟା କରିବା ତୋର ଧର୍ମ । ବାପାଙ୍କ ମନରେ ଦୁଃଖ ଦେଲେ ତୋର ଅମଙ୍ଗଳ ହବ ।

 

ମୁଁ କହିଲି–ମା’, ବାପାଙ୍କ କଥା ମାନି ଗୋଟାଏ ନିର୍ଦ୍ଦୋଷ ଝିଅର ସର୍ବନାଶ କରିବା କ’ଣ ମୋର ଧର୍ମ ? ଆଜି ଯଦି ସେ ତୁମର ଝିଅ ହେଇଥାନ୍ତା ? ମୁଁ ତାକୁ ଘରୁ ତଡ଼ିଦେଲେ ସେ ଯିବ କୁଆଡ଼େ ? ସାରା ଜୀବନ ସେ ଲୁହ ଢାଳିବ । ତା’ର ସେ ଲୁହରେ ମୋର କ’ଣ ଅମଙ୍ଗଳ ହବ ନାହିଁ ?

ବାପାଙ୍କ ସପକ୍ଷରେ ମା’ ଆଉ କିଛି ଯୁକ୍ତି ବାଢ଼ିଲେ ନାହିଁ । ତାଙ୍କର ଦୁର୍ବଳ ମୁହୂର୍ତ୍ତର ସୁଯୋଗ ନେଇ ମୁଁ ପୁଣି କହିଲି–ଧର୍ମତଃ ଉଷା ମୋର ସ୍ତ୍ରୀ–ତୁମର ବୋହୂ । ତା’ର ମା’ ମୋର ଶାଶୁ । ଶାଶୁଙ୍କ ମୃତ୍ୟୁକୁ ଜୋଇଁ ନ ପାଳିବାଟା କେଉଁ ଶାସ୍ତ୍ରରେ ଅଛି ? ବାପାଙ୍କର ବିଚାର–ବୁଦ୍ଧି କ’ଣ ଏଇୟା ? ଆଈ–ମଲାପରେ ସେ କ’ଣ ଅଶୌଚ ପାଳି ନଥିଲେ ?

‘ହଁ ପାଳିଥିଲେ । ଘାଟରେ ଯାଇ ଛ’ର ହେଇଥିଲେ ।’–ମା’ଙ୍କର ସାଦାସିଧା ଉତ୍ତର ।

ମୋର ପୁଣି ପାଲଟା ପ୍ରଶ୍ନ–ବାପା ଯଦି ତାଙ୍କ ଶାଶୁକୁ ପାଳିଥିଲେ, ମୁଁ ମୋ ଶାଶୁକୁ ନ ପାଳିବି କେମିତି ?

ମା’ କହିଲେ–ବାପାଙ୍କ ଶାଶୁ କ’ଣ ଅନ୍ୟ ଜାତିର ଥିଲେ ?

ମୁଁ କହିଲି–ଉଷା କ’ଣ ଆମଠୁ ଜାତିରେ ଛୋଟ ? ସେ ଓଡ଼ିଆ ନୁହେଁ । ହେଲେ ମା’, ଆମ ଦେଶ ସ୍ୱାଧୀନ ହୋଇଯିବାପରେ ଆମେ ତ ସମସ୍ତେ ଭାରତମାଆର ସନ୍ତାନ । ଗୁଜରାଟୀ, ବଙ୍ଗାଳୀ, ବିହାରୀ, ତେଲୁଗୁ, ତାମିଲ, ଓଡ଼ିଆ ଭାଷାଭାଷୀମାନେ ଭାଷାର ପାର୍ଥକ୍ୟ ଯୋଗୁଁ କ’ଣ ହିନ୍ଦୁ ନୁହନ୍ତି ? ମୁଁ ହିନ୍ଦୁ ହେଇ ହିନ୍ଦୁକୁ ବିବାହ କରିଚି । ଖ୍ରୀଷ୍ଟାନ୍‌ ବା ମୁସଲମାନ ତ ବିବାହ କରିନି; ତେଣୁ ବାପାଙ୍କର ଆପତ୍ତିର କାରଣ କ’ଣ ?

ମୋର ଏ ଯୁକ୍ତି ଉପରେ ମା’ଙ୍କର ଆଉ କହିବାର କିଛି ନଥିଲା । ମୁଁ ମୋ ମନୋଭାବକୁ ଆଉରି ସ୍ପଷ୍ଟ କରିଦେବାପାଇଁ କହିଲି–ସେମାନଙ୍କର ଆର୍ଥିକ ଅସ୍ୱଚ୍ଛଳତା ଯୋଗୁଁ ସେମାନେ ତୁମେ ସନ୍ତୁଷ୍ଟ ହେବାଭଳି ଯୌତୁକ ଆମକୁ ଦେଇନାହାନ୍ତି । କିନ୍ତୁ ସେଇଟା ତ ଆଉ ଝିଅର ଦୋଷ ନୁହେଁ-। ଯେଉଁ ଝିଅ ଗରିବ ଘରେ ଜନ୍ମ ହେଇଚି, ତା’ର କ’ଣ ବାହାହବାର ଅଧିକାର ନାହିଁ ? ବାହାଘର ପରେ ଉଷା କ’ଣ ଏ ଘରେ ତୁମକୁ କିଛି ହତାଦର କରିଚି ? ତୁମକୁ କ’ଣ ଶାଶୁର ସମ୍ମାନ ସେ ଦେଇନାହିଁ ? କ’ଣ ତା’ର ଅପରାଧ ? କହ ମା’ ! କ’ଣ ପାଇଁ ତା’ର ସର୍ବନାଶ କରିବାକୁ ତୁମେ ଚାହୁଁଚ ? ଉଷାକୁ ବାହାର କରିଦେଇ ଏ ଘରକୁ ଆଉ ଗୋଟାଏ ବୋହୂ ଆଣିଲେ ସେ ଯଦି ମୋର ପସନ୍ଦ ନହୁଏ ! ସେତେବେଳେ ତାକୁ ବାହାର କରିଦେଇ ଆଉ ଗୋଟେ ବୋହୂ ଆଣିବା–ଏମିତି କ’ଣ ଚାଲିଥିବ ନା ଚାଲିବା ସୁନ୍ଦର ହେବ ? ବାପାଙ୍କୁ ତୁମେ ବୁଝେଇଦିଅ ମା’ ! ସେ ଏସବୁ ପ୍ରଶ୍ନ ଆଉ ଉଠାନ୍ତୁ ନାହିଁ ।

ମା’ ବୁଝିଗଲେ । କହିଲେ–ତୋର ହେଇ ତୋ ବାପାଙ୍କୁ ମୁଁ ନିଶ୍ଚୟ ବୁଝେଇବି । ତୁ ଆଉ କାନ୍ଦନା ।

ମା’ କିନ୍ତୁ ବାପାଙ୍କୁ ବୁଝେଇ ପାରିଲେ ନାହିଁ । ବାପା ୟା’ ଭିତରେ ଜାଣିପାରିଛନ୍ତି ଯେ ଉଷାର ପରିବାର ବ୍ରାହ୍ମଣ ନୁହନ୍ତି । ସେ ଯେଉଁ ଦିନ ଉଷା ଘରକୁ ନିର୍ବନ୍ଧ କରିବାକୁ ଯାଇଥିଲେ, ସେଦିନ ହୀରାବାବୁଙ୍କ (ମୋ ଶ୍ୱଶୁର) କାନ୍ଧରେ ପଇତା ଥିବାର ଦେଖି ସେ ଧରିନେଇଥିଲେ ଯେ ସେ ବ୍ରାହ୍ମଣ; କିନ୍ତୁ ପରେ ମୋ ଶଳା ଯେତେବେଳେ ଆମ ଘରକୁ ଆସିଥିଲା, ତାହାଠୁ ବୁଝିଥିଲେ ଯେ ତା’ର ବ୍ରତଘର କେବେ ହେଲା ? ଶଳାର ଇତସ୍ତତଃ ଭାବ ଓ ତାଙ୍କ ଘରେ କାହାରି ବ୍ରତ ହୁଏ ନାହିଁ ଜାଣି ସେ ଅସଲ କଥାଟା ଠଉରେଇ ନେଇଥିଲେ ।

ବାପା ମା’ଙ୍କ ସହିତ ମଧ୍ୟ କଥାବାର୍ତ୍ତା କରିବା ବନ୍ଦ କରିଦେଲେ । ଏଥିରେ ମୋର ବରଂ ଲାଭହେଲା । ଆଗରୁ ମା’ ବାପା ଥିଲେ ଏକ, ମୁଁ ଥିଲି ଅଲଗା । ବର୍ତ୍ତମାନଠାରୁ ମା’ ମୁଁ ହେଲୁ ଏକ, ବାପା ହେଲେ ଅଲଗା ।

ବାପାଙ୍କ ଘୋର ଅନିଚ୍ଛା ସତ୍ତ୍ୱେ ମୁଁ ଶାଶୁଙ୍କ ଦଶାହ କର୍ମକୁ ଗଲି । ସେଠାରୁ ଫେରିବାବେଳେ ଉଷାକୁ ସାଙ୍ଗରେ ନେଇଆସିଲି ।

ବାପା ଆଉ ଆମ ରୋଷେଇରେବି ଖାଇଲେ ନାହିଁ । ଅଲଗା ଚୁଲି–ଅଲଗା ରୋଷେଇବାସ ନିଜ ହାତରେ କଲେ । ତିନି ଚାରି ଦିନ ବାପାଙ୍କର ଏ କଷ୍ଟ ଦେଖିବାପରେ ମା’ ତାଙ୍କପାଇଁ ରୋଷେଇ କଲେ । ବିଚାରୀ ଉଷା ଘରର ଏ କାରବାର ଦେଖି ଭୟଙ୍କର ଡରିଗଲା । ତାହାରିପାଇଁ ଯେ ଘରର ଏ ଅବସ୍ଥା ହେଇଚି, ତାହା ସେ ବୁଝିବାକୁ ବାକି ରହିଲାନାହିଁ ।

ମା’ ଉଭୟ ବାପା ଓ ମୋ ଭିତରେ ସେତୁ ପରି କାମ କଲେ । ଏମିତି ଭାବରେ ଦିନଗୁଡ଼ା ଆଗେଇଗଲା ।

ଉଷା ଗର୍ଭବତୀ । ପିଲା ହବାର ଆନନ୍ଦରେ ମୁଁ ଅଧୀର ହେଇଉଠିଲି । ମା’ଙ୍କୁ ଏ ସମ୍ୱାଦ ଦେଲି । ସେ ‌ଖୁସିହେଲେ । ଉଷାକୁ ଚୁଲିପାଖରୁ ଦୂରରେ ରଖି ନିଜେ ରୋଷେଇବାସର ଦାୟିତ୍ୱ ନେଲେ । ମା’ ଏ ଦାୟିତ୍ୱ ନେବାପରେ ବାପା ଆଉ ଅଲଗା ରୋଷେଇ ନକରି ମା’ଙ୍କ ରୋଷେଇରୁହିଁ ଖାଇଲେ; କିନ୍ତୁ ମା’ଙ୍କୁ ତାଗିଦ୍‌ କରିଦେଲେ–ବୋହୂ ଯେମିତି ରୋଷେଇଘରକୁ ନ ଯାଏଁ ।

ମା’ ମଧ୍ୟ ଉଷାକୁ କହିଲେ–ବୋହୂ, ତୁ ରୋଷେଇଘରକୁ ଯିବୁନାହିଁ । ତୁ ରୋଷେଇଘରକୁ ଗଲେ ତୋ ଶ୍ୱଶୁର ପୁଣି ଅଲଗା ଖାଇବେ । ତା’ଠୁ ତୁ ଦୂରେଇ ରହ । ତୋର ତ ଏକ୍ଷଣି ଅସୁବିଧା ଅବସ୍ଥା । ଚୁଲି ପାଖକୁ ଗଲେ ଛୁଆର କ୍ଷତି ହବ । ନ ଯିବାଟା ଭଲ ।

ଉଷା ପକ୍ଷରେ ଏହା ଏକ ଅସହ୍ୟ ଯନ୍ତ୍ରଣା । ଘରର ବୋହୂ ହେଇ ରୋଷେଇଘରକୁ ଯିବାର ଅଧିକାରରୁ ବଞ୍ଚିତ ହେବାକୁ କିଏ ଚାହେଁ ? ରୋଷେଇ ଘରକୁ ନ ଯାଇ ସେ ବା ଦିନଟା ସାରା କରିବ କ’ଣ ? ଦିନେ ସେ ପ୍ରସ୍ତାବ ଦେଲା–ତା’ ମା’ ମରିଯିବାପରେ ତା’ ବାପା ଖୁବ୍‌ ଅସୁବିଧା ଭୋଗ କରୁଚନ୍ତି । ତେଣୁ ସେ କଟକ ଚାଲିଯିବ । ଏଠି ଏମିତି ରହିବାଠାରୁ ସେଠି ଯାଇ ରହିବା ବରଂ ଭଲ ।

ଏ ପ୍ରସ୍ତାବରେ ମୁଁ ଅରାଜି ନୁହେଁ । ମାତ୍ର ବାପାମା’ଙ୍କ ମତାମତକୁ ସମ୍ପୂର୍ଣ୍ଣ ଅବଜ୍ଞା କରାଯାଇନପାରେ । ମୁଁ ମା’ଙ୍କୁ ଏ କଥା କହିଲି । ମା’ ମନା କଲେ । ଗର୍ଭାବସ୍ଥାରେ ନଈନାଳ ପାରିହେଇ ଯିବାକୁ ମନା ।

ମୁଁ କହିଲି–ଉଷାକୁ କଟକ ପଠେଇ ଦେଲେ ବାପା ଯଦି ଶାନ୍ତିରେ ରହିବେ, ତୁମେ କାହିଁକି ମନାକରୁଚ ମା’ ?

ମା’ କହିଲେ–ବାପାଙ୍କୁ ପଚାରି ମୁଁ କହିବି ।

ବାପାବି ରାଜି ହେଲେ ନାହିଁ । ଏଥିରେ ମୁଁ ଦୁଃଖିତ ହେବି ନା ସୁଖୀ ହେବି ? ଅନ୍ତତଃ ଗର୍ଭାବସ୍ଥାରେ ଘରର ବୋହୂକୁ ନଛାଡ଼ିବାର ବିଧି ଯେ ପାଳନ କଲେ, ସେଇଟା ବରଂ ମୋ ପକ୍ଷରେ ଆନନ୍ଦର କାରଣ ହେଲା । ବୋହୂ ବୋଲି ଉଷାକୁ ତ ସାମାନ୍ୟ ସ୍ୱୀକୃତି ମିଳିଲା । ସେଥିରେ ସେ ବି ଖୁସି ହେଲା ।

ମାତ୍ର ରୋଷେଇଘରର ଦ୍ୱାର ତା’ପାଇଁ ଉନ୍ମୁକ୍ତ ହେଲା ନାହିଁ । ମା’ କିନ୍ତୁ ବୋହୂର ଠିକ୍‌ ସମୟରେ ଗାଧୋଇବା, ଠିକ୍‌ ସମୟରେ ଖାଇବା ଉପରେ ବେଶ୍‌ ନଜର ରଖୁଥିଲେ । ମା’ର ଖାଦ୍ୟ ଉପରେ ଗର୍ଭସ୍ଥ ଶିଶୁର ଖାଦ୍ୟ ନିର୍ଭରକରେ । ଭଲ ଖାଦ୍ୟ ଖାଇଲେ ଶିଶୁ ହୃଷ୍ଟପୁଷ୍ଟ ହେବ ।

ଅନାଗତ ଶିଶୁ ଉପରେ ମା’ଙ୍କର ଏଇ ମମତାରେ ମୁଁ ଆଶ୍ୱସ୍ତ ହେଲି ।

ଯଥାସମୟରେ ଉଷାର ଗର୍ଭ ଚିରି ଜନ୍ମନେଲା ଏକ ପୁତ୍ରସନ୍ତାନ । ମା’ ଭାରି ଖୁସି ହେଲେ ଆଉ ବାପାଙ୍କର ମନର ଭାବ ଯଦିଓ ପ୍ରକାଶ୍ୟରେ କିଛି ଜଣାପଡ଼ିଲା ନାହିଁ; କିନ୍ତୁ ଘରେ ଅଶୌଚ ହେଇଚି ବୋଲି ସେ ନିଜେ ଘରର ଠାକୁରଙ୍କୁ ପୂଜା ନକରି ଅନ୍ୟ ବ୍ରାହ୍ମଣଙ୍କଦ୍ୱାରା କରାଇଲେ ।

ପୁଅର ଏକୋଇଶିଆ ହେବ । ମା’ ବାପାଙ୍କୁ କହି ଶ୍ୱଶୁରଙ୍କ ପାଖକୁ ଚିଠି ଲେଖେଇଲେ-। ଘୋର ଅନିଚ୍ଛାରେ ବାପା ଲେଖିଲେ । ଏକୋଇଶିଆ ଦିନ ସକାଳେ ଶ୍ୱଶୁର ଆସି ପହଞ୍ଚିଲେ-। ସାଙ୍ଗରେ ଆଣିଥିଲେ ପ୍ରଚୁର ଗୁଜୁରାଟୀ ମିଠା ଏବଂ ନାତିପାଇଁ ସୁନାବଳା ଓ ସୁନାହାର-। ଉଷା–ମା’ଙ୍କର ଥିବା ଗହଣା ଯାହାକୁ ବିକି ସେ ମୋ’ପାଇଁ ସରଞ୍ଜାମ ଦେବାର ପ୍ରସ୍ତାବ କରିଥିଲେ ଓ ଯୋଉ ପ୍ରସ୍ତାବ ମୋର ଅନିଚ୍ଛାଯୋଗୁଁ କାର୍ଯ୍ୟକାରୀ ହେଇ ପାରି ନଥିଲା, ସେଇ ସବୁ ଗହଣାକୁ ଭାଙ୍ଗି ସେ ନାତିପାଇଁ ଏସବୁ ଗଢ଼େଇ ଆଣିଥିଲେ । ସେ ଜିନିଷତକ ନେଇ ମା’ ବାପାଙ୍କୁ ଦେଖେଇଲେ । ବାପା ଦେଖିଲେ ଓ କହିଲେ–ନାତିକୁ ପିନ୍ଧେଇ ଠାକୁରଙ୍କ ପାଖରେ ଜୁହାର କରିଆଣ ।

ବାପା ସମୁଦିଙ୍କୁ ପାଖରେ ବସେଇ ଗପ୍‍ସପ୍ କଲେ । ଦୁଇପହରେ ଗାଁଲୋକଙ୍କୁ ଖାଇବାପାଇଁ ଡକାହେଇଥିଲା ଓ ଭାତ ସହିତ ମାଛତରକାରୀର ବ୍ୟବସ୍ଥା ହେଇଥିଲା । ଖାଦ୍ୟ–ସାମଗ୍ରୀ ଆମିଷ ହେଇଯାଇଥିବ ବୋଲି ଶ୍ୱଶୁର ଆମ ଘରେ ଭାତ ଖାଇଲେ ନାହିଁ । ବାପା କହିଲେ–ସମୁଦି, ଓଡ଼ିଶାରେ ଏତେଦିନ ରହିବାପରେବି ତୁମେ ମାଛଖିଆ ଶିଖିଲ ନାହିଁ ? ମାଛ ନ ଖାଅ, ଭାତ, ନିରାମିଷ ତରକାରୀ ଖାଇବାରେ ଆପତ୍ତି କ’ଣ ?

ଶ୍ୱଶୁର କହିଲେ–ନା ନା, ଆପଣଙ୍କ ଘରେ ସବୁ ଛୁଆଁ ହେଇଥିବ । ଜୀବନରେ ଯାହା କରିନାହିଁ, ଆଉ ଏ ବୁଢ଼ାକାଳରେ ତା’ କରିବି କାହିଁକି ?

ବାପା ଶ୍ୱଶୁରଙ୍କର ନୈଷ୍ଠିକତାରେ ବିସ୍ମିତ ହେଲେ ଓ ବୋଧହୁଏ ତାଙ୍କ ଦୃଷ୍ଟିଭଙ୍ଗୀର ସାମାନ୍ୟ ପରିବର୍ତ୍ତନ କଲେ; କିନ୍ତୁ ଏ ପରିବର୍ତ୍ତନ କେବଳ ଏଇ ନୈଷ୍ଠିକତା ପାଇଁ ଅଥବା ସେ ଆଣିଥିବା ଜିନିଷପତ୍ର ପାଇଁ, ତାହା ଜାଣିବା ମୋର କଷ୍ଟସାଧ୍ୟ ଥିଲା ।

ଖୁବ୍‌ ଧୁମ୍‍ଧାମ୍‍ରେ ନହେଲେ ମଧ୍ୟ ଖୁବ୍‌ ଭଲଭାବରେ ପୁଅର ଏକୋଇଶିଆ ଉତ୍ସବ ପାଳିତ ହେଲା । ପୁତ୍ରବତୀ ହୋଇଥିବାରୁ ଉଷା ମଧ୍ୟ ହେଲା ମା’ଙ୍କର ଆଦରର ପାତ୍ରୀ । ନାତିକି ନେଇ ମା’ଙ୍କର ସମୟ କଟିଯାଏ । ସେ ବେଳେବେଳେ ତାକୁ ନେଇ ବାପାଙ୍କ କୋଳରେ ଦେଇଆସନ୍ତି । କ୍ରମଶଃ ଘର ସାମନା ଚଉପାଢ଼ି ହେଲା ମୋ ପୁଅର ସକାଳ ଓଳି ଶୋଇବା ଜାଗା-

ବାପାହିଁ ପୁଅର ନାମକରଣ କଲେ ଚନ୍ଦ୍ରମାଧବ । ଚନ୍ଦ୍ରପକ୍ଷ ରାତିରେ ଜନ୍ମ ହେଇଥିବାରୁ ଚନ୍ଦ୍ର ଓ ଘରେ ପୂଜା ପାଉଥିବା ମାଧବ–ବିଗ୍ରହଙ୍କ ନାମରୁ ମାଧବ ନିଆଯାଇ ପୁଅର ନାମ ରଖାଗଲା ଚନ୍ଦ୍ରମାଧବ ।

ବାପାଙ୍କ ଅନୁରୋଧରେ ମୋ ଶ୍ୱଶୁର ଆମ ଘରେ ସାତଦିନ ରହିଗଲେ । ସେ ସାତଦିନଯାକ ଆମଘରକୁ ଆମିଷ ଆସିନାହିଁ–ତରକାରୀରେ ପିଆଜ ରସୁଣ ପଡ଼ିନାହିଁ–ଉଷନା ଚାଉଳ ପରିବର୍ତ୍ତେ ଅରୁଆ ଚାଉଳ ରନ୍ଧାହେଇଚି । ଶ୍ୱଶୁର ଆସିବାବେଳେ ଭଲ ଗୁଆଘିଅ ଦୁଇ କେଜି ଆଣିଥିଲେ । ସେ ଘିଅ କଟକର ନୁହେଁ–ଗୁଜୁରାଟରୁ ଆସିଥିବା ଖାଣ୍ଟି ଘିଅ । ଅରୁଆନ୍ନ ସହିତ ଏଇ ଘିଅ ଖାଇବାପରେ ବାପା ଏଣିକି ଉଷୁନା ଚାଉଳ ପରିବର୍ତ୍ତେ ଅରୁଆ ଖାଇବାକୁ ବେଶି ଆଗ୍ରହ ପ୍ରକାଶ କଲେ ।

ନାତିକୁ ନେଇ ବାପାମା’ଙ୍କର ସମୟ କଟିଗଲା । ଚନ୍ଦ୍ରମାଧବ ଜନ୍ମ–ନକ୍ଷତ୍ର ଗଣନା କରି ବାପା ଗଣକ ଡକାଇ ତା’ର କୋଷ୍ଠୀ ବା ଜନ୍ମପତ୍ରିକା ତିଆରି କରିଥିଲେ । ସେ କୁଆଡ଼େ ଖୁବ୍‌ ଉଚ୍ଚକୋଟୀର ଜାତକ ପାଇଛି । ତା’ ଯୋଗୁଁ ଆମ ବଂଶର ନିଶ୍ଚିତ ଉନ୍ନତି ହବ ।

ଭବିଷ୍ୟତରେ କ’ଣ ହେବ ଜାଣେନା କିନ୍ତୁ ବର୍ତ୍ତମାନ ହୁଏତ ତାହାରି ଯୋଗୁଁ ଉଷାର ଦୁଃସମୟ କଟିଗଲା । ସେ ଆଉ ଆମ ଘରେ ଅବାଞ୍ଛିତା ନୁହେଁ–ଭାଗ୍ୟବତୀ ଜନନୀ । ଆମ ପରିବାର ଉପରେ ଢାଙ୍କିଥିବା ମେଘ ଅପସରିଗଲା ।

 

ଗେଜେଟେଡ଼୍‌ ପାହ୍ୟାକୁ ମୋର ପ୍ରମୋସନ୍‌ ହେଇଚି । ଡେପୁଟି ମାଜିଷ୍ଟ୍ରେଟ ହେଇ ମୋର ବଦଳି ହେଇଚି ଦୂର ଜିଲାର ଏକ ଛୋଟ ସବ୍‌ଡ଼ିଭିଜନକୁ । ମୋ’ରି ପୁଅ ଚନ୍ଦ୍ରମାଧବର ଗ୍ରହଜୋର୍‌ରୁ ମୋର ଏ ପ୍ରମୋସନ୍‌ ହେଇଚି ବୋଲି ବାପାଙ୍କର ଦୃଢ଼ମତ । ନୂଆ ଜାଗାରେ ଯାଇ କାମରେ ଯୋଗଦେଲି । ନାଁ ସବ୍‌ଡ଼ିଭିଜନ୍‌; କିନ୍ତୁ ଜାଗାଟା ଖୁବ୍‌ ଛୋଟ । ଆମେ ମାତ୍ର ତିନିଜଣ ଡେପୁଟୀ ମାଜିଷ୍ଟ୍ରେଟ ସେଠି ଆଉ–ଏସ୍‌.ଡ଼ି.ଓ., ସେକେଣ୍ଡ୍ ଅଫିସର ଓ ଥାର୍ଡ଼ ଅଫିସର । ମୋର ନିଯୁକ୍ତି ଥାର୍ଡ଼ ଅଫିସର ପଦରେ । ଜାଗା ଛୋଟ ହେଲେ କ’ଣ ହେବ, କ୍ୱାଟର୍‍ର ସୁବିଧା ଅଛି । ଜଏନ୍‌ କରିବାର ମାସେ ପରେ ମୁଁ ଯାଇ ଉଷାକୁ ନେଇଆସିଲି । ମା’ ଯଦିଓ ନାତିପାଇଁ ଖୁବ୍‌ ମନଖରାପ କଲେ; ବାପା କିନ୍ତୁ ଆଗ୍ରହରେ ଆମକୁ ବିଦାୟ ଦେଲେ । ଆସିବାବେଳେ କହିଆସିଲି, ମାସେ ପରେ ଯାଇ କିଛିଦିନପାଇଁ ମା’ଙ୍କୁ ନେଇଆସିବି । ସେଥିରେ ବାପା ହଁ ଭରିଲେ ।

 

ଏଠାରେ ସର୍ବମୋଟ ଆମେ ତିନିଜଣ ମାଜିଷ୍ଟ୍ରେଟ ଗେଜେଟେଡ଼୍‌ ପାହିଆର ଅଫିସର; ତେଣୁ ଆମର ପରିସର ଖୁବ୍‌ ସୀମିତ । ଏସ୍‌.ଡ଼ି.ଓ. ଥାଆନ୍ତି ଦୂରରେ । ଆମେ ଦୁଇ ଜଣ ସେକେଣ୍ଡ ଓ ଥାର୍ଡ଼ ଅଫିସର ଥାଉ ପାଖାପାଖି ଦୁଇଟି କ୍ୱାଟର୍‍ରେ । ସେକେଣ୍ଡ୍ ଅଫିସର ଜଗଦୀଶ ମିଶ୍ରଙ୍କ ଘର ପୁରୀ ଜିଲାର ନୟାଗଡ଼ ଅଞ୍ଚଳରେ । ଏକା ଜିଲାର ବୋଲି କି କ’ଣ, ଆମ ଦି’ଜଣଙ୍କ ଭିତରେ ଖୁବ୍‌ ଶୀଘ୍ର ବନ୍ଧୁତା ଜମିଗଲା ।

 

ଦିନେ ରବିବାରରେ ମୋ ପରିବାର ଏବଂ ଜଗଦୀଶବାବୁଙ୍କ ପରିବାର ନିକଟରେ ଥିବା ପ୍ରସିଦ୍ଧ ଏକ ଚଣ୍ଡୀମନ୍ଦିରକୁ ଗଲୁ । ଦୁଇପହରେ ସେଇଠି ପ୍ରସାଦ ଖାଇଲୁ । ଜଗଦୀଶବାବୁଙ୍କର ଗୋଟିଏ ଝିଅ–ଚାରି ମାସର । ତାଙ୍କ ସ୍ତ୍ରୀ ଉଷା ସହିତ ବେଶ୍‌ ବନ୍ଧୁତା ଜମେଇଛନ୍ତି । ସେଦିନ ମନ୍ଦିରରେ ସେ ଉଷାକୁ କହିଲେ ଯେ ପ୍ରଥମେ ତାଙ୍କର ବିବାହ ମୋ ସହିତ ଲାଗିଥିଲା । ମୋ ବାପା ଖୁବ୍‌ ଜିଗର କରୁଥିଲେ; ମାତ୍ର ଆମ ଘରର ଅବସ୍ଥା ଭଲ ହେଇନଥିବାରୁ ଓ ମୁଁ ସେତେବେଳେ କିରାଣି ଥିବାରୁ ତାଙ୍କ ବାପା ଏ ପ୍ରସ୍ତାବରେ କୁଆଡ଼େ ଆଦୌ ରାଜି ହେଲେ ନାହିଁ ।

 

ମୁଁ ଉଷାଠୁ ଏକଥା ଶୁଣିବା ପରେ ସେ ସମୟରେ ବାପା ଯେଉଁ ପ୍ରସ୍ତାବ ପକେଇଥିଲେ ସେଇ ସବୁ କଥା ମୋର ମନେପଡ଼ିଲା । ଖଣ୍ଡଗିରି ପାଖ ଇନ୍ଦୁପୁର ଗାଁରେ ଯୋଉ ଝିଅ ସହିତ ମୋର ପ୍ରସ୍ତାବ ପଡ଼ିଥିଲା, ଯାହାର ବାପା ଅନେକ ଯୌତୁକ ଲୋଭ ଦେଖେଇ ମୋ ବାପାଙ୍କୁ ବଶ କରିଥିଲେ, ମିସେସ୍‌ ମିଶ୍ର ତାହାହେଲେ ସେଇ ଝିଅ । ଏଇ କଥା ଜାଣିବା ପରେ ତାଙ୍କ ବିଷୟରେ ମୋର କୌତୂହଳ ବଢ଼ିଲା ।

 

ଶ୍ରୀମତୀ ମିଶ୍ର ବୟସରେ ଉଷାଠୁ ସାନ ହେବେ । ଦେଖିବାକୁ ବେଶ୍‌ ସୁଶ୍ରୀ ଓ ଢଙ୍ଗଢ଼ାଙ୍ଗରେ ଖୁବ୍‌ ଆଧୁନିକା । ବିଦ୍ୟାରେ ମେଟ୍ରିକ୍ୟୁଲେସନ୍‌ ଟପିନାହାନ୍ତି । କଥା କହିବାରେ ଇସ୍ପାତ । ନହେଲେ ତାଙ୍କର ମୋ ସହିତ ବିବାହ ପ୍ରସ୍ତାବ ପଡ଼ିଥିବାବେଳର ଘଟଣାକୁ ଠିକ୍‌ ଓଲଟା ଭାବରେ ବନେଇ–ଚୁନେଇ ଉଷାକୁ କହିପାରିଥାନ୍ତେ କିପରି ? ମୁଁ ଭାବିଲି ସେଦିନ ମୋ ବାପାଙ୍କର ଅଧିକ ଆଗ୍ରହର ସୁଯୋଗ ନେଇ ଶ୍ରୀମତୀ ମିଶ୍ର ଆଜି ମୋତେ ଏଭଳି ଆଘାତ ଦେଇପାରିଲେ । ମୋର ପୌରୁଷକୁ ଏହା ବାଧିଲା । ସତରେ କ’ଣ ତାଙ୍କ ବାପା ଏଥିରେ ଅରାଜି ଥିଲେ ନା ମୋର ଅନିଚ୍ଛାପାଇଁ ଏ ପ୍ରସ୍ତାବ ଭାଙ୍ଗିଗଲା ? ଉଷା ହୁଏତ ଜାଣିନାହିଁ; କିନ୍ତୁ ମୁଁ ତ ଜାଣିଚି । ସେ କ’ଣ ମୋ ଆଗରେ ଏ କଥା କହିପାରିବେ ? କିନ୍ତୁ ଉଷାକୁ ବା କୋଉ ସାହସରେ କହିଲେ ? ସେ କ’ଣ ଧରିନେଇଥିଲେ ଯେ ଉଷା ଏସବୁ ବିଷୟ ମୋତେ କହିବନାହିଁ ? ସ୍ୱାମୀ ସ୍ତ୍ରୀ ମଧ୍ୟରେ ଗୋପନୀୟ କିଛି କ’ଣ ରହିଯାଏ ? ରହିଯାଇପାରେ ?

 

ପତି ପତ୍ନୀ ।

 

ପୁରୁଷ ସ୍ତ୍ରୀ ।

 

ଶିବ ଓ ଶକ୍ତି ।

 

ଜଣେ ଅନ୍ୟଜଣଙ୍କର ପରିପୂରକ । ଜଣକ ବିନା ଅନ୍ୟ ଜଣେ ଚେତନାଶୂନ୍ୟ । ଏ ଦୁହିଁଙ୍କର ମିଳନରେ ସ୍ରଷ୍ଟାର ସୃଷ୍ଟି ହୁଏ ସାର୍ଥକ । ଜଣକ ପାଖରେ ଅନ୍ୟ ଜଣଙ୍କର ମନପ୍ରାଣ ବନ୍ଧା-। ଯୋଉଠି ବ୍ୟତିକ୍ରମ, ସେଇଠି ଜୀବନ ଅସୁଖକର । ବିବାହ ସେଇଠି ଯନ୍ତ୍ରଣାମୟ ।

 

ଜଗଦୀଶବାବୁ ବେଶ୍‌ ଅମାୟିକ ଭଦ୍ରଲୋକ । ଖୁବ୍‌ ଧୀରେ ଧୀରେ କଥା କହନ୍ତି । ଘରଭିତରେ କଥା କହୁଥିଲେ ବାହାରେ କିଛି ଜାଣିହୁଏ ନାହିଁ । ଜଣାପଡ଼େ ଶ୍ରୀମତୀ ମିଶ୍ର ଠିକ୍‌ ୟାର ଓଲଟା । ଘରଭିତରେ ସେ କଥା କହୁଥିଲେ ବା ହସୁଥିଲେ ଆମ କ୍ୱାଟର୍‍ଟାବି ସେ ଶବ୍ଦରେ ଫାଟିପଡ଼େ ।

 

ବେଳେବେଳେ ଶ୍ରୀମତୀ ମିଶ୍ରଙ୍କର କ୍ରୋଧ–ବର୍ଷିତ ପାଟିତୁଣ୍ଡ ମଧ୍ୟ ଆମେ ଶୁଣିବାକୁ ପାଉ । ସେ ପାଖରେ ପାଟି ହେଲେ ଏ ପାଖରେ ଉଷା ଶଙ୍କିତ ହେଇ କଥାବାର୍ତ୍ତା କରେ ।

 

ଶ୍ରୀମତୀଙ୍କଠୁ ଗାଳି ଶୁଣି ଜଗଦୀଶବାବୁ ରାଗିଉଠି ଦିପଦ କହିବାର ଆମେ କେବେ ଶୁଣିନାହୁଁ । ତାଙ୍କ ଘରେ ବାରତେର ବର୍ଷର ଚାକର ପିଲାଟିଏ ଥାଏ । ସମୟ ସମୟରେ ଶ୍ରୀମତୀ ମିଶ୍ର ସେ ପିଲାଟାକୁ ଯେପରି ମାଡ଼ମାରନ୍ତି, ସେ ଶବ୍ଦରେ ଜଣେ ମୂର୍ଚ୍ଛା ହେଇଯିବ । ଦେଖିଲେ ତ ପ୍ରାଣ ଛାଡ଼ିଯିବା କଥା ।

 

ନାରୀ ଶାନ୍ତିଦାୟିନୀ, ନାରୀ ପୁଣି ଅଶାନ୍ତିକାରିଣୀ । ଶ୍ରୀମତୀ ମିଶ୍ରଙ୍କର ରୁଷ ବ୍ୟବହାରରେ ତାଙ୍କ ଅଫିସର ପିଅନ ପର୍ଯ୍ୟନ୍ତ ରୁଷ୍ଟ । ଏପରି ପରିସ୍ଥିତି ଯାହା ପରେ କି ଆଉ କୌଣସି ପିଅନ ତାଙ୍କ ବସା ମାଡ଼ନ୍ତିନାହିଁ ।

 

ତାଙ୍କ ପାଖରେ ଥିବା ପିଅନ ବର୍ତ୍ତମାନ ମୋ ପାଖରେ ଅଛି । ସେ ତାଙ୍କ ପରିବାର ସମ୍ପର୍କରେ ଯାହା–ତାହା କହେ । ସେ ସବୁ କଥାକୁ ଯଦି ସତ୍ୟ ବୋଲି ଧରିନିଆଯିବ, ତାହାହେଲେ ଆମକୁ ଏଇ ସିଦ୍ଧାନ୍ତରେ ପହଞ୍ଚିବାକୁ ହେବ ଯେ–ଶ୍ରୀମତୀ ମିଶ୍ର ଜଣେ ଚରିତ୍ରହୀନା ନାରୀ ।

 

କିନ୍ତୁ କାହିଁକି ? ରୂପଗୁଣ ଆଚାର–ବ୍ୟବହାର କେଉଁଥିରେ ଜଗଦୀଶବାବୁ ଊଣା ?

 

ଶ୍ରୀମତୀ ମିଶ୍ର ଜଗଦୀଶବାବୁଙ୍କୁ ମୁହେଁ ମୁହେଁ କହନ୍ତି–ଯା’ବେ, ଭାରି ଚାକିରି ଦେଖଉଚ-। ମୋ ବାପା ତୋ ଭଳିଆ ଦଶଟାକୁ ଏମିତି ଚାକିରି ରଖିପାରିବ ? ଏମିତି ଚାକିରି କରିଚି ଯେ ପାଞ୍ଚବର୍ଷ ଭିତରେ ଗୋଟେ ସୁନାହାର ତିଆରି ହେଇ ପାରିଲା ନାହିଁ । ଛୁଆଟାପାଇଁ ବାପା ଯଦି ହାରଟେ ଦେଇ ନଥାନ୍ତେ, ସେ ବି ତ ଫୁଙ୍ଗୁଳା ବେକରେ ରହିଥାନ୍ତା । ଚାକିରିଆ ହେଇଚୁ–ହାକିମି କରୁଚୁ–କେତେ ଖଣ୍ଡ ଶାଢ଼ି ମୋପାଇଁ କିଣିଦେଲୁଣି ? ଅଲାଜୁକ, ମରଦପଣିଆ ଦେଖଉଚୁ ?

 

ଜଗଦୀଶବାବୁ କହନ୍ତି–ନୟନା ! କେତେ ବଡ଼ପାଟି କରୁଚ ? ଆରପାଖ ଘରେ ସେମାନେ ଶୁଣିଲେ କ’ଣ କହିବେ ?

 

ନୟନା ଆହୁରି ଜୋରରେ ପାଟିକରନ୍ତି–ଯା ଯା, ମୋତେ ଆରପାରି ଘରର ଭୟ ଦେଖଉଚି । ମୁଁ ଆଉ ଜାଣିନି । ତା’ରି ବାହାଘର ପାଇଁ ତା’ ବାପ ପରା ଆମ ଘରେ ମାସ ମାସ ଅଧିଆ ପଡ଼ିଥିଲା । ସେଟା କୋଉ ମଣିଷ ? ତୋତେ ବାହାହେଇ ମୋର ସର୍ବନାଶ ହେଇଗଲା । ମୁଁ ଯଦି ଗୋଟେ ଆଇ.ଏ.ଏସ୍‌.କୁ ବାହା ହେଇଥାନ୍ତି.....

 

ବିଚରା ଜଗଦୀଶବାବୁ ପାଟି ବନ୍ଦକରି ଚୁପ୍‌ ହେଇ ରହିଯାନ୍ତି ।

 

ଉଷା ପ୍ରଥମ ପ୍ରଥମ ବେଳ ମିଳିଲେ ତାଙ୍କ ଘରକୁ ଯାଉଥିଲା । ପରେ ନୟନାମାନଙ୍କ ଅସଲ ରୂପ ଜାଣିବାପରେ ବର୍ତ୍ତମାନ ଆଉ ଯାଉନାହିଁ ।

 

ଛୋଟିଆ ବଜାରରେ ନୟନାକୁ ନେଇ ବହୁତ ବଦ୍‌ଆଲୋଚନା ହୁଏ । ସେ ବଜାରକୁ ନିଜେ ଯାଆନ୍ତି । ଅନେକ ସମୟରେ ଦୋକାନରୁ ଜିନିଷ ନେଇ ଆସନ୍ତି, କହିଆସନ୍ତି ପଇସା ପଠେଇଦେବେ । ମାତ୍ର କେବେ ପଇସା ପଠାନ୍ତି ନାହିଁ । ଛୋଟିଆ ଜାଗାରେ ହାକିମପତ୍ନୀକୁ କିଏ ବା ପଇସା ମାଗିବ ?

 

ଜଗଦୀଶବାବୁଙ୍କର ନିଜ ଘରଣୀ କଥା ଚିନ୍ତାକରି ଦାରୁଭୂତମୁରାରି ଅବସ୍ଥା । ତାଙ୍କୁ ଦେଖିଲେ ଏଣିକି ମୋର ତାଙ୍କ ପ୍ରତି ସମବେଦନା ଆସେ । ତା’ ସହିତ ମୁଁ ନିଜକୁ ଭାଗ୍ୟବାନ ମନେକରେ । ଜୀବନରେ କେତେ ବଡ଼ ବିପଦରୁ ମୁଁ ଯେ ମୁକ୍ତି ପାଇଛି ତାହା ବର୍ତ୍ତମାନ ମୁଁ ବେଶ୍‌ ଉପଲବ୍ଧି କରିପାରୁଚି । ଭାଗ୍ୟେ ପୂର୍ବରୁ ଉଷା ସହିତ ମୋର ଘନିଷ୍ଠତା ହେଇଥିଲା ବୋଲି ସିନା; ନହେଲେ ମୋ ଅବସ୍ଥା ତ ସରିଥିଲା । ଜୀବନଯାକ କାନ୍ଦୁଥାନ୍ତି । ମୋ ଜୀବନ ଯନ୍ତ୍ରଣାର ଭାଗ ବାପ ନା ମା’ କିଏ ନେଇଥାନ୍ତେ ?

 

ଆରପାଖ କ୍ୱାଟର୍‍ର ଏଇ ଅବସ୍ଥାରେ ଆମ କ୍ୱାଟର୍‍ଟା ଆମକୁ ବିଷପରି ଲାଗୁଚି । ଏଠୁ ଯଦି ଆମେ ଅନ୍ୟ ଆଡ଼କୁ ବସା ବଦଳ କରିପାରନ୍ତୁ, ବଞ୍ଚିଯାନ୍ତୁ । କିନ୍ତୁ ସେ ସୁଯୋଗ ଏଠି ବା କାହିଁ-?

 

ଦିନେ ଦିନେ ସନ୍ଧ୍ୟାପରେ ଏସ୍‌.ଡ଼ି.ଓ.ଙ୍କ ଜିପ୍‌ ଜଗଦୀଶବାବୁଙ୍କ ଘରକୁ ଆସେ । ଜିପ୍‌ ଦେଖି ମୁଁ ଭାବେ ଏସ୍‌.ଡ଼ି.ଓ. ବୋଧହୁଏ ଜଗଦୀଶବାବୁଙ୍କୁ ଡାକି ପଠାଇଚନ୍ତି । ସେଦିନ ଦୈବାତ୍‌ ହାଟରୁ ଫେରିବାବେଳେ ଦେଖିଲି ଜିପ୍‌ରେ ଯାଉଛନ୍ତି ନୟନା । ଘରେ ଆସି ଶୁଣିଲି ଆରପାଖରୁ ଜଗଦୀଶବାବୁଙ୍କ କଣ୍ଠସ୍ୱର । ସେ ଚାକର ଟୋକାକୁ କହୁଚନ୍ତି–ମାଧ ! ମା’ ତ ବୁଲିଗଲେ ଯେ କେତେ ରାତିରେ ଫେରିବେ କେଜାଣି । ଯିବାବେଳେ କହିଗଲେ ରୁଟି ତରକାରୀ କରି ଖାଇନବା ପାଇଁ । ଘରୁ ଅଟା ବାହାର କରି ରୋଷେଇଘରକୁ ଚାଲ । ଅଟା ଦଳାଦଳି କର । ଝିଅ ଶୋଇଗଲା ପରେ ମୁଁ ଯାଉଚି । ସେ ଦିନ ପ୍ରାୟ ରାତି ବାରଟାବେଳେ ଜିପ୍‌ ଫେରିବାର ଶବ୍ଦ ଓ କଲିଂବେଲ୍‌ର କ୍ରିଂ କ୍ରିଂ ଆବାଜ ମୁଁ ଶୁଣିଥିଲି ।

 

ଏସ୍‌.ଡ଼ି.ଓ. ସୁଧାମୟ ଦାସ । ଘରେ ସ୍ତ୍ରୀ ରାଧାରାଣୀ ଓ ପାଞ୍ଚଟି ସନ୍ତାନ । ତାଙ୍କ ପରିବାରରେ ସ୍ତ୍ରୀ କର୍ତ୍ତୃତ୍ୱହୀନା; ସ୍ୱାମୀ ସର୍ବଶକ୍ତିମାନ । ସୁଧାମୟ ଯେତିକି ଉଗ୍ର ପ୍ରକୃତିର ଲୋକ, ରାଧାରାଣୀ ସେତିକି ନିରୀହ ପ୍ରକୃତିର । ମାଛିକି ‘ମ’ ବୋଲି କହନ୍ତିନି । ସବୁ ଅତ୍ୟାଚାର ମୁଣ୍ଡପାତି ସହିନିଅନ୍ତି । ଏସ୍‌.ଡ଼ି.ଓ. କହନ୍ତି ତାଙ୍କ ସ୍ତ୍ରୀଙ୍କର ମୁଣ୍ଡ ଗୋଳମାଳ ଅଛି ବୋଲି । କିନ୍ତୁ ତାଙ୍କ ପିଅନମାନେ କହନ୍ତି–ମା’ଙ୍କର ମୁଣ୍ଡ ଗୋଳମାଳ ନାହିଁ ଆଜ୍ଞା ! ସାହେବ ତାଙ୍କୁ ମରାଧରା କଲେ ତାଙ୍କ ମୁଣ୍ଡ ବେମାରି ବାହାରେ । ଏସ୍‌.ଡ଼ି.ଓ. କହନ୍ତି, ତାଙ୍କ ସ୍ତ୍ରୀ ସବୁବେଳେ ଅସୁସ୍ଥ, ବେମାରିଆ । ପିଅନମାନ କହନ୍ତି–ନାହିଁ ଆଜ୍ଞା, ମା’ ଅସୁସ୍ଥ ହେବେ କାହିଁକି ? ସାହେବଙ୍କ ମାଡ଼ପିଟାରେ ସେ ବେମାର ପଡ଼ନ୍ତି । କିଏ ସହିବ ? ରାତି ନଅଟା ଦଶଟାବେଳକୁ ସାହେବଙ୍କର ଆଉ ହୋସ୍‌ ନଥାଏ-। ଘରେ କ’ଣ କମ୍‌ ଜିନିଷ ଭଙ୍ଗାଭଙ୍ଗି କରନ୍ତି । ମା’ ଭୟରେ ସେତେବେଳେ ଆଗକୁ ବାହାରନ୍ତିନି । ଯୋଉଦିନ ଦୈବାତ୍‌ ସାମନାକୁ ଚାଲିଯାନ୍ତି, ସେ ଦିନ ମାଡ଼ର ଖଇ ଫୁଟିଯାଏ । ସାହେବଙ୍କର ଭାରି ବଦଖୋଇ ଅଛି ଆଜ୍ଞା ! କେବେ ସେ ଏଠୁ ବିଦାହେବେ; ଆମ ଦୁଃଖ ଯିବ ।

 

ନୟନା ଏସ୍‌.ଡ଼ି.ଓ.ଙ୍କୁ ଭାଇ ବୋଲି ଡାକନ୍ତି । ଭାଉଜ ଅସୁସ୍ଥ ହେଲେ ତାଙ୍କୁ ଡକରା ପଡ଼େ । ଭାଇ ଘରକୁ ଭଉଣୀ ଯାଏଁ, ସେଥିରେ କାହାରି କିଛି କହିବାର ନାହିଁ ।

 

ମୁଁ ଏକଥା ମାନୁଚି; କିନ୍ତୁ ଭାଇଘରୁ ଭଉଣୀ ଯଦି ଅଧରାତିରେ ଅସଂଯତ ଅବସ୍ଥାରେ ଫେରେ, ସେଥିରେ କାହାରି କିଛି କହିବାର ଅଛି କି ନାହିଁ ?

 

ବ୍ରିଟିଶ ରାଜତ୍ୱ ସମୟରେ ଗୋରା ହାକିମମାନେ ରାତିରେ ମାତାଲ ହଉଥିଲେ । ସେମାନଙ୍କ ଦେଶ ଶୀତପ୍ରଧାନ ଦେଶ ହେଇଥିବାରୁ ସେମାନେ ଏଥିରେ ଅଭ୍ୟସ୍ତ । ମାତ୍ର ଆମେ ଭାରତୀୟମାନେ ଇଂରେଜ ଜାତିର ଭଲଗୁଣଗୁଡ଼ାକ ବର୍ଜନ କରି ତାଙ୍କର ଦୋଷଗୁଡ଼ିକୁହିଁ ଆଦରି ନେଇଛୁ । ତାଙ୍କ ବେଶପୋଷାକ, ଆଦବକାଇଦା, ପାନାଭ୍ୟାସ ଆମକୁ ଏତେ ଆଚ୍ଛନ୍ନ କରି ବସିଛି ଯେ ଆମେ କେବଳ ତାକୁଇ ନେଇ ବ୍ୟସ୍ତ ।

 

ଲୋକେ ଭୋଟ ଦେବାର ଅଧିକାର ପାଇଛନ୍ତି ଏବଂ ସାବ୍ୟସ୍ତ କରୁଛନ୍ତି । ସ୍ୱାଧୀନ ଦେଶର ଅବସ୍ଥା ଉପରଆଡ଼କୁ ନ ଯାଇ ତଳଆଡ଼କୁ ଆସୁଛି । ସାମ୍ପ୍ରଦାୟିକତାର ବିଷ ଯୋଗୁଁ ଭାରତଭୂମି ଦିଖଣ୍ଡ ହେଲା । ତଥାପି ତ ସେ ବିଷରୁ ଆମକୁ ମୁକ୍ତି ମିଳିଲାନାହିଁ । ଏଇ ସେଦିନ ତ ପଶ୍ଚିମ–ବଙ୍ଗ, ଉତ୍ତର–ପ୍ରଦେଶ ଓ ବିହାର ପ୍ରଭୃତି ରାଜ୍ୟରେ ପୁଣି ହଣାକଟା ଆରମ୍ଭ ହେଇଗଲା । ମହାତ୍ମାଙ୍କର ରାମରାଜ୍ୟ କାହିଁ କେତେ ଦୂରରେ ! ଶାସନର ଅଧୋଗତି ଘଟୁଛି । ମୁଁ ଭାବୁଥିଲି ବରଂ ସଚିବାଳୟର ଚାରିକାନ୍ଥ ଭିତରେ ମୁଁ ଭଲଥିଲି, ବାହାରକୁ ଆସି ଅଣନିଃଶ୍ୱାସୀ ହେଇଯାଉଚି-

 

ଲୋକେ ଆମଠୁ ନ୍ୟାୟ ବିଚାର ଆଶା କରନ୍ତି ଏବଂ ଆମେ ସନ୍ଧ୍ୟା ପରେ ଦାମୀ ପାନୀୟ ଆବଶ୍ୟକ କରୁ । ତେଣୁ ଆମକୁ ନିଜ ବିବେକ ସହିତ ସାଲିସ୍‌ କରିବାକୁ ପଡ଼େ । ନ୍ୟାୟ ବର୍ତ୍ତମାନ ବିକ୍ରିର ବସ୍ତୁ ହେବାକୁ ଯାଉଛି ।

 

ବେଳେବେଳେ ଉପରିସ୍ଥ ବ୍ୟକ୍ତିମାନଙ୍କର ଶୁଭାଗମନ ପାଇଁ ଆମକୁ ଆୟୋଜନ କରିବାକୁ ପଡ଼େ । ଆୟୋଜନ ଠିକ୍ ଥିଲେ ସବୁ ଠିକ୍, ଟିକିଏ ଏପାଖ ସେପାଖ ହେଲେ ଆମ ଚରିତ୍ର–ପଞ୍ଜିକାରେ ଲିପିବଦ୍ଧ ହୁଏ–ଆମେ ଅଯୋଗ୍ୟ ଅଫିସର । ଆମର ଭବିଷ୍ୟତ ହୁଏ ଅନ୍ଧାର ।

 

ଏଇଭଳି ଏକ ଘଟଣା ମୋ’ରି ଜୀବନରେହିଁ ଘଟିଗଲା । କମିଶନର ସାହେବଙ୍କ ଆସିବାର ପ୍ରୋଗ୍ରାମ ଆସିବାପରେ ତାଙ୍କପାଇଁ ଆୟୋଜନ କରିବାର ଦାୟିତ୍ୱ ଏସ୍‌.ଡ଼ି.ଓ. ମୋ’ରି ଉପରେ ଦେଇଥିଲେ । ମୁଁ ଏ ବିଷୟରେ କିଛି ଜାଣେନା । ସାଧାରଣ ଭାବରେ ଖାଇବା–ପିଇବାର ବ୍ୟବସ୍ଥା ମୁଁ କରିଥିଲି ଯୋଉଟା ତାଙ୍କ ଆଖିରେ ଖୁବ୍‌ ନିମ୍ନ ଧରଣର ହେଇଗଲା । ମାସେ ଗଲାପରେ ଚିଠି ପାଇଲି ଯେ–ଅଫିସର ହେବାର ଯୋଗ୍ୟତା ମୋର ନାହିଁ । ଏ ଦିଗରେ ମୋର ଉନ୍ନତି ନହେଲେ, ମୋତେ ତଳକୁ ଖସାଇଦିଆଯିବ । ମୋ ଆୟୋଜନରେ ଏସ୍‌.ଡ଼ି.ଓ. ଖୁବ୍‌ ରାଗି ମତେ କହିଥିଲେ–ନୀଳମାଧବବାବୁ, ଆପଣ ଆମର ମାନସମ୍ମାନ ସବୁ ଦିଗଣ୍ଡା ଦିକଡ଼ା କରିଦେଲେ । ଛି ଛି, ଯଦି ଟଙ୍କାର ବ୍ୟବସ୍ଥା କରିନପାରିଲେ, ମୋତେ କହିଲେନି । ଆପଣ ପରା ଏଠିକାର ରେଭେନ୍ୟୁ ଅଫିସର....

 

ରେଭେନ୍ୟୁ ଅଫିସର ହିସାବରେ ମୋର ରୋଜଗାରଟା ମୋ ଦରମାରୁ ଅଧିକହେବା ଉଚିତ । ଯଦି ନ ହେଲା ମୁଁ ଅଯୋଗ୍ୟ ଅଫିସର । ଶୁଣିଲି, ମୋ ପୂର୍ବରୁ ଯେ ରେଭେନ୍ୟୁ ଅଫିସର ଥିଲେ, ସେ କୁଆଡ଼େ ଏସ୍‌.ଡ଼ି.ଓ.ଙ୍କ ଘରକୁ ମଝିରେ ମଝିରେ ‘ଡାଲା’ ପଠଉଥିଲେ । ‘ଡାଲା’ ଅର୍ଥ ଉପହାର–ସାମଗ୍ରୀ–ଖାଦ୍ୟ, ପାନୀୟ, ପୋଷାକପତ୍ର, ଅଳଙ୍କାର ଏପରିକି ପିଲାଙ୍କ ଖେଳଣା ପର୍ଯ୍ୟନ୍ତ । ଯେହେତୁ ଏ କାମପାଇଁ ମୋର ଯୋଗ୍ୟତା ନାହିଁ; ତେଣୁ ମୁଁ ଅଯୋଗ୍ୟ । ଯୋଗ୍ୟତାର ମାପକାଠି ଯଦି ଏଇୟା ହୁଏ, ମୁଁ ନାଚାର । କାହାକୁ ଅବା କହିବି ମୋର ଦୁଃଖ ? ଶୁଣିବ କିଏ ? ଯୋଉମାନେ ଶୁଣନ୍ତେ ସେଇମାନଙ୍କ ପାଇଁ ତ ଆଜି ମୋର ଏ ଅବସ୍ଥା ।

 

ମୋର ଅଯୋଗ୍ୟତା ସମ୍ପର୍କରେ ଶ୍ରୀମତୀ ମିଶ୍ରବି ମୋତେ କହିବାକୁ ଛାଡ଼ିଲେ ନାହିଁ । ସେ ଦିନ ତାଙ୍କ ଘରକୁ ମୋତେ ଡକେଇନେଇ କହିଲେ–ମିଶ୍ରବାବୁ, କମିଶନରଙ୍କ ପାର୍ଟିବେଳେ ଆପଣ ଏ କ’ଣ କଲେ ? କୌଣସି ଲେଡ଼ିଙ୍କୁ ଡାକିଲେ ନାହିଁ ?

 

ମୁଁ କହିଲି–ସେଠିକି ଲେଡ଼ିମାନଙ୍କୁ ଡକାଯାଏ ବୋଲି ମୁଁ ଜାଣି ନଥିଲି ।

 

ସେ କହିଲେ–ଜାଣି ନଥିଲି କହିଲେ ହେଲା ? ଆପଣଙ୍କର ଏ ସବୁ ଜାଣିବା ଦରକାର-। ଯେମିତି କରିଚନ୍ତି, ତା’ ଫଳ ପାଇବେ ଯେ.....

 

ସତକୁସତ କମିଶନରଙ୍କ ଏକାକଲମଗାରକେ ମୁଁ ଡେପୁଟୀ ମାଜିଷ୍ଟ୍ରେଟ ହେବାର ଯୋଗ୍ୟତା ହରାଇ ବସିଲି । ମୋତେ ପୁଣି ମୋର ପୂର୍ବ ସ୍ଥାନକୁ ଫେରାଇ ଦିଆଗଲା । ଯିବାବେଳେ ଏହାର ଗୁରୁତ୍ୱ ମୁଁ ବିଶେଷଭାବରେ ଉପଲବ୍ଧି କରିପାରି ନଥିଲି । ସଚିବାଳୟରେ ପୁଣି କାମରେ ଯୋଗଦେବାପରେ ବୁଝିଲି ମୁଁ କ’ଣ ପାଇଲି, ଆଉ କ’ଣ ହରେଇଲି । ସପରିବାର ପୁଣି ଘରକୁ ଫେରି ବାପାଙ୍କୁ ସମସ୍ତ କଥା କହିବାପରେ ସେ ମା’ଙ୍କ ପାଖରେ ମନ୍ତବ୍ୟ ଦେଲେ–ନୀଳୁକୁ ଏତେ ପାଠ ପଢ଼େଇଲି ସତ, କିନ୍ତୁ ସେ ମଣିଷ ନହେଇ ଅମଣିଷ ହେଲା ।

 

ମୁଁ ବାପାଙ୍କୁ ପଚାରିଲି–ଏ ସମ୍ପର୍କରେ ଆଉ କିଛି କରିହେବ କି ?

 

ସେ କହିଲେ–ମୋର ଡେପୁଟୀ ମାଜିଷ୍ଟ୍ରେଟ ନିଯୁକ୍ତିଟା ଅସ୍ଥାୟୀ ଥିଲା । ତେଣୁ ପ୍ରତିକାର ଆଉ କିଛି ନାହିଁ । ମୋର ଯୋଗ୍ୟତାବଳରେ ଅସ୍ଥାୟୀ ଚାକିରିଟାକୁ ସ୍ଥାୟୀ କରାଇପାରିଥାନ୍ତି; ମାତ୍ର ଅଯୋଗ୍ୟପଣିଆ ଯୋଗୁଁ ତାକୁ ହରାଇଲି ।

 

ପୂର୍ବ ସ୍ଥାନକୁ ଫେରିଆସିବା ସଙ୍ଗେ ସଙ୍ଗେ ମୋର ବେତନ ମଧ୍ୟ କମିଗଲା । ମୋର ସହକର୍ମୀମାନେ ମୋର ଏ ଦୁରବସ୍ଥାରେ ଥଟ୍ଟା କଲେ । କିଏ କହିଲେ–ବାବୁ ଯାଇଥିଲେ ପୈତୃକ ଚାକିରି ଛାଡ଼ି ହାକିମି କରିବାକୁ; ଚେଁକାଏ ପାଇଲେ । ଆଉ କିଏ କହିଲେ–ହାକିମ ହବାର ଯୋଗ୍ୟତା ନଥିଲେ ଯାହା ହବାର କଥା ତାହାହିଁ ହେଲା । କେତେକ କହିଲେ–‘ପୁନର୍ମୂଷିକୋ ଭବଃ-।’ ସହିବାକୁ ପଡ଼ିଲା । ଆପଣା ହସ୍ତେ ଜିହ୍ୱା ଛେଦି–କେ ତା’ର ଅଛି ପ୍ରତିବାଦୀ ?

 

ସତରେ ମୁଁ ଅଯୋଗ୍ୟ ! ଅବସ୍ଥା ସହିତ ଯେ ତାଳଦେଇ ନ ଚାଲିପାରେ ତାକୁ ଅଯୋଗ୍ୟ କୁହାଯିବନି ତ କ’ଣ କୁହାଯିବ ? ଦୋଷ ନଥିଲେ ଲୋକ ଦଣ୍ଡ ପାଇବ କାହିଁକି ? ଯୋଗ୍ୟ ଲୋକ କ’ଣ ଦଣ୍ଡିତ ହୁଏ ? ଯଦି ନହୁଏ, ତେବେ ମାନବପୁତ୍ର ଯିଶୁ, ମହାତ୍ମା ଗାନ୍ଧୀ, ଜନ୍‌ କେନେଡ଼ିମାନେ ଦଣ୍ଡିତ ହେଲେ କିପରି ? ସେମାନେ କ’ଣ ଅଯୋଗ୍ୟ ଥିଲେ ନା ଦୋଷ କରିଥିଲେ ?

 

ବିଚିତ୍ର ଏଇ ସଂସାର । ବିଚିତ୍ର ୟାର ବୁଝାମଣା । ସଭ୍ୟତା ନାଁରେ ସଂସାରଭରି ନାରକୀୟ କାଣ୍ଡ । ନ୍ୟାୟ ନାଁରେ ଅନ୍ୟାୟର ରାଜୁତି । ବିଚାର ନାଁରେ ଅବିଚାରର ବୀଭତ୍ସତା ।

 

ମୋର କୌଣସି ଦୋଷ ନଥିଲା । ତଥାପି ମୁଁ ଦଣ୍ଡିତ ହେଲି । ମୋ ମନରେ ପ୍ରତିକ୍ରିୟା-। ସେ ପ୍ରତିକ୍ରିୟା ଆହୁରି ବହୁଗୁଣିତ ହେଲା, ଯେତେବେଳେ ମୁଁ ଆସିବାର ଠିକ୍‌ ମାସକ ପରେ ଜଗଦୀଶବାବୁଙ୍କର ସଚିବାଳୟକୁ ବଦଳି ହେଲା ଏବଂ ସେ ଯୋଗଦେଲେ ମୁଁ ଚାକିରି କରୁଥିବା ବିଭାଗର ଅଣ୍ଡର୍ ସେକ୍ରେଟାରି ଭାବରେ । ଏହା କ’ଣ ବିଧିର ବିଡ଼ମ୍ୱନା । ଅବଶ୍ୟ ଜଗଦୀଶବାବୁଙ୍କ ବିରୁଦ୍ଧରେ ମୋର କିଛି କହିବାର ନଥିଲା; କିନ୍ତୁ ତାଙ୍କ ସହଧର୍ମିଣୀ ନୟନା ମିଶ୍ର ? ସେ ପୁଣି ମୋ ଭାଗ୍ୟକୁ ତାଚ୍ଛଲ୍ୟ କରିବେ ଏବଂ ତାହାହିଁ ହେବ ମୋ ପକ୍ଷରେ ଯମଯନ୍ତ୍ରଣା । ହେ ଭଗବାନ-! କର୍ତ୍ତବ୍ୟର ଚାପରେ ମୋତେ କେବେହେଲେ ଜଗଦୀଶବାବୁଙ୍କ ଘରକୁ ଯିବାକୁ ନପଡ଼ୁ, ନୟନା ସହିତ ମୋର ସାକ୍ଷାତ ନ ହେଉ; କିନ୍ତୁ ଏହା କ’ଣ ମୁଁ ଖାଲି ଭାବିଲେ ହେଇଯାଏ-? ଏକା ବିଭାଗରେ ସେ ଅଣ୍ଡର୍‌ ସେକ୍ରେଟାରି, ମୁଁ ହେଡ଼୍–ଆସିଷ୍ଟାଣ୍ଟ୍ । ଯିବାକୁ ଯେ ନ ପଡ଼ିବ, ଏହା କିଏ କହିପାରିବ ? ବରଂ ଯିବାକୁ ପଡ଼ିବ, ଏହା ବେଶି ଭାଗ ସତ୍ୟ ।

 

ମନ୍ତ୍ରୀ ଆବଶ୍ୟକ କରୁଥିବା ଏକ ଜରୁରୀ ଫାଇଲ୍‌ ନେଇ ଦିନେ ସକାଳେ ମୋତେ ଅଣ୍ଡର୍ ସେକ୍ରେଟାରିଙ୍କ ଘରକୁ ଯିବାକୁ ପଡ଼ିଲା । ମୁଁ ପହଞ୍ଚିବାବେଳକୁ ସେ ବାଥ୍‌ରୁମ୍‌ରେ ଥିଲେ । ବୈଠକଖାନାଘରେ ଫାଇଲ୍‌ ଧରି ମୋତେ ଅପେକ୍ଷା କରିବାକୁ ପଡ଼ିଲା । ସେଇ ସମୟ ଭିତରେ ଶ୍ରୀମତୀ ମିଶ୍ରଙ୍କ ସହିତ ସାକ୍ଷାତ୍‌ ହେଇଗଲା । ମୁଁ ଦରଜାଆଡ଼କୁ ପଛକରି ବସିଥିଲି । ପର୍ଦ୍ଦାଚ୍ଛାଦିତ ଘରଭିତରେ ସେ ହୁଏତ ପ୍ରଥମେ ହଠାତ୍‌ ମୋତେ ଚିହ୍ନିପାରିଲେନାହିଁ; ଟିକିଏ ଚାହିଁରହିଲେ । ତା’ପରେ କହିଲେ–ନୀଳମାଧବବାବୁ ନା ? ନମସ୍କାର ! ନମସ୍କାର !

 

ମୁଁ ଉଠିପଡ଼ି ପ୍ରତିନମସ୍କାର ଜଣାଇଲି । ଉପରିସ୍ଥ ଅଫିସର ବା ତାଙ୍କ ସ୍ତ୍ରୀମାନଙ୍କୁ ଏମିତି ସମ୍ମାନ ଜଣାଇବା ଅଧସ୍ତନ କର୍ମଚାରୀମାନଙ୍କର କର୍ତ୍ତବ୍ୟ ।

 

ସେ ପୁଣି ପଚାରିଲେ–ଆଉ ସବୁ ଭଲ ତ ? ଏଠି କୋଉଠି ଅଛନ୍ତି ? ଆପଣଙ୍କର ଶ୍ରୀମତୀଙ୍କ ଖବର କ’ଣ ? ପୁଅ ଭଲ ଅଛି ?

 

ଏକାସାଙ୍ଗରେ ଗୁଡ଼ାଏ ପ୍ରଶ୍ନ ସେ କରିଗଲେ । ମୁଁ ଉତ୍ତର ଦେଲି–ହଁ ସବୁ ଭଲ । ମୁଁ ପ୍ରତିଦିନ ଗାଁରୁ ଆସୁଛି । ଘରେବି ସବୁ ଭଲ ।

 

‘‘ବସନ୍ତୁ । ମୁଁ ଚା’ ପଠାଉଚି’’–କହି ସେ ଭିତରକୁ ଚାଲିଗଲେ ।

 

ମୁଁ ଯୋଉ ଆଶଙ୍କା କରୁଥିଲି, ସେପରି କିଛି ନ ଦେଖି ମୁଁ ବିସ୍ମିତ ହେଲି । ଯେଉଁ ଶ୍ରୀମତୀ ମିଶ୍ରଙ୍କୁ ମୁଁ ଆଗରୁ ଦେଖିଥିଲି, ଏ କ’ଣ ସେ ନୁହନ୍ତି ? ନା, ଏଠାକୁ ଆସି ସେ ବଦଳିଯାଇଛନ୍ତି । ଅଥବା ଗୋଟିଏ ଛୋଟିଆ ସବ୍‌ଡ଼ିଭିଜନର ସେକେଣ୍ଡ୍‌ ଅଫିସର ଏବଂ ବିରାଟ ସଚିବାଳୟର ଅଣ୍ଡର୍‌ ସେକ୍ରେଟାରି, ପାହ୍ୟା ସମାନ ହେଲେବି, ସମ୍ମାନ ଏବଂ କର୍ତ୍ତୃତ୍ୱ ଦୃଷ୍ଟିରୁ ଦୁହିଁଙ୍କ ଭିତରେ କ’ଣ କିଛି ତାରତମ୍ୟ ଥାଏ ?

 

ଶ୍ରୀମତୀ ମିଶ୍ର ନିଜେ ନ ଆସି ଚାକର ହାତରେ ଚା’ ପଠେଇଦେଲେ । ମୁଁ ଚା’ ଖାଉ ଖାଉ ଜଗଦୀଶବାବୁ ଆସିଲେ । ଫାଇଲ୍‌ଟାକୁ ନେଇ ଏପାଖ ସେପାଖ ଟିକିଏ ଦେଖି କହିଲେ–ମନ୍ତ୍ରୀ ତନାଘନା ଲଗେଇଛନ୍ତି । ସଙ୍ଗେ ସଙ୍ଗେ ନେଇ ତାଙ୍କ ଘରେ ଫାଇଲ୍‌ଟା ଦେଇଆସିବାକୁ ହେବ ।

 

ମୁଁ ଯିବି, ଦେଇ ଆସିବି ?–ପଚାରିଲି ।

 

ନା, ଆପଣ କାହିଁକି ଯିବେ ? ମୁଁ ଯାଉଛି–କହି ସେ ଫାଇଲ୍‌ ଧରି ବାହାରି ପଡ଼ିଲେ । ସ୍କୁଟର୍ ଷ୍ଟାର୍ଟ୍ କରି ଚାଲିଗଲେ । ମୁଁ ସାଇକେଲ୍‌ ଚଢ଼ି ପଛେ ପଛେ ଆସିଲି । ସାଇକେଲ୍‌ଟା ଦି’ହାତ ଗଡ଼ିଚି କି ନାହିଁ ଜଗଦୀଶବାବୁଙ୍କ ଘରର ଚାକର ଧାଇଁ ଆସି କହିଲା–ମା’ ଡାକୁଛନ୍ତି ।

 

ଆଶ୍ଚର୍ଯ୍ୟ ଲାଗିଲା । ମା’ ପୁଣି କାହିଁକି ଡାକୁଚନ୍ତି ? ତାଙ୍କ ସହିତ ଦେଖାହେଇ ଯେତିକି ସୌଜନ୍ୟତା ଦେଖେଇବାର କଥା, ମୁଁ ଦେଖେଇସାରିଛି । ପୁଣି କାହିଁକି ?

 

ଫେରିଲି । ସେ ବୈଠକଖାନା ଘରେ ମୋତେ ଅପେକ୍ଷାକରି ଠିଆ ହେଇଥିଲେ । କହିଲେ–ମୁଁ ଆସୁ ଆସୁ ଆପଣ ଚାଲିଗଲେ ଯେ.....

 

ମୋର ତାଙ୍କ ପାଖରେ ଆଉ କାମ ବା କ’ଣ ଥିଲା ଯେ ମୁଁ ତାଙ୍କପାଇଁ ଅପେକ୍ଷା କରିଥାନ୍ତି ? ଏଥର କିନ୍ତୁ ତାଙ୍କୁ ଦେଖି ମୁଁ ଶଙ୍କିତ ହେଉଥିଲି । ମୁଁ ଏବେ ଆଉ ତାଙ୍କ ସ୍ୱାମୀଙ୍କର ସହକର୍ମୀ ନୁହେଁ ତ ! ଅଧସ୍ତନ । ତାଙ୍କ ପ୍ରଶ୍ନର କିଛି ଉତ୍ତର ନଦେଇ ମୁଁ ଚୁପ୍‌ଚାପ୍‌ ଠିଆ ହେଇ ରହିଲି ।

 

ସେ କହିଲେ–ନୀଳମାଧବବାବୁ, ଏଠିକି ଆମେ ଆସିବାପରେ ଅନେକ ସମସ୍ୟା । ରାଜଧାନୀ ସିନା, କିନ୍ତୁ ଏଠି ଚଳିବା ଯେ କେଡ଼େ କଷ୍ଟକର......

 

ମୋ ପାଟିରେ ଭାଷା ନାହିଁ ।

 

ସେ ପୁଣି କହିଲେ–ପାଞ୍ଚଦିନ ହେଲା ଚାକରଟୋକାକୁ ବଜାରକୁ ପଠଉଚି ଅମୂଲ ଆଣିବାପାଇଁ । ପାଉନାହିଁ । ଏ ବା କୋଉଠି ବଜାର ଯାଇ ଅମୂଲ ଆଣୁଛନ୍ତି ! ଆପଣ ଜାଣନ୍ତି ତ ଅମୂଲ ନହେଲେ ଝିଅ ଆଉ କିଛି ଖାଏନା । ଯୋଉଠୁ ହେଲେ ଗୋଟେ ଦି’ଟା ଅମୂଲ ଯୋଗାଡ଼କରି ସନ୍ଧ୍ୟା ସୁଦ୍ଧା ଆଣିଦେବେ ।

 

ଏତକ କହି ସେ ପୁଣି ଭିତରକୁ ଚାଲିଗଲେ । ମୁଁ ଭାବିଲି ପଇସା ଆଣିବାକୁ ଗଲେ ବୋଧହୁଏ । କିନ୍ତୁ ଏ ପ୍ରକାର ପରିସ୍ଥିତିରେ କୌଣସି ଅଧସ୍ତନ କର୍ମଚାରୀ ପଇସା ନେବା ଠିକ୍‌ ହେବ କି ନାହିଁ, ସେ ସମ୍ପର୍କରେ ମୁଁ ଦ୍ୱନ୍ଦ୍ୱରେ ପଡ଼ୁଥିଲି । ମୋର ସି.ସି.ଆର. ତ ତାଙ୍କରି ସ୍ୱାମୀଙ୍କ ହାତରେ । ଥରେ ସି.ସି.ଆର.ରେ କୁମନ୍ତବ୍ୟ ଯୋଗୁଁ ଚାକିରିରେ ମୋର ଅଧୋଗତି ହେଇଚି । ପୁଣି ଯଦି କୁମନ୍ତବ୍ୟ ମିଳେ, ଆହୁରି ଅଧୋଗତି ହେବ । କ’ଣ କରିବି ? ସେ ଆସିବା ପୂର୍ବରୁ ଯଦି ଚାଲିଯାଏ, ମୋ ଚାଲିଯିବାଟାକୁ ସେ ମଧ୍ୟ ଭଲଭାବରେ ଗ୍ରହଣ କରି ନ ପାରନ୍ତି । ତେଣୁ ମୋତେ ଅପେକ୍ଷା କରିବାକୁ ପଡ଼ିବ । ସେ ପଇସା ଯାଚିଲେ କହିବାକୁ ପଡ଼ିବ–ପଇସା ବର୍ତ୍ତମାନ ରଖନ୍ତୁ । ମୁଁ ଆଗେ ଆଣେ; ତା’ପରେ ପଇସା ଦେବେ । ପଇସାପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ ।

 

ଅପେକ୍ଷାକଲି । ପନ୍ଦର ମିନିଟ ଗଲା । ଚାକରକୁ ପଚାରିଲି–ମା’ କାହାନ୍ତି ?

 

ସେ କହିଲା–ବାଥ୍‌ରୁମ୍‌ରେ ।

 

ମନରେ ଆହୁରି ସଂଶୟ । କ’ଣ କରିବି ? ପଇସା ଦେବାର ଥିଲେ ଦେଇ ତ ସେ ବାଥ୍‌ରୁମ୍‌କୁ ଯାଇଥାନ୍ତେ । ମୋତେ ଠିଆକରେଇ ଦେଇ ବାଥ୍‌ରୁମ୍‌କୁ ଚାଲିଗଲେ ଯେତେବେଳେ....

 

ଅପେକ୍ଷା କରି ଲାଭ ନାହିଁ । ମୁଁ ଆଗ ବୋଧହୁଏ ନେଇଆସିବାଟା ଠିକ୍‌ ହେବ । ସେତେବେଳେ ସେ ପଇସା ଯାଚିଲେ ମୁଁ ମୋ କରିବା କାମ କରିବି ।

 

ଚାଲିଆସିଲି । ସଚିବାଳୟ ଯାଇ ସହଳ ସହଳ ଅଫିସ୍‌ କାମ ସାରି ବଜାର ଗଲି । ମୋ ପୁଅପାଇଁବି ଅମୂଲ ଦରକାର । ଗତକାଲିଠାରୁ ଉଷା ମୋତେ ଜଣେଇଦେଇଥିଲା ଘରେଥିବା ଅମୂଲ ପୁଅର ଆଉ ଦିଦିନ ଯିବ ।

 

ଅନେକ ଚେଷ୍ଟା କରି ଟିଣ ପିଛା ପାଞ୍ଚଟଙ୍କା ଅଧିକ ଦେଇ ଦୁଇଟି ଅମୂଲ କିଣିଲି । ଦୋକାନୀ କହିଲେ–ଖୋଲାରେ ନେବା ଠିକ୍‌ ହେବନାହିଁ । ଆପଣ ଗୋଟେ ଥଳି ଆଣନ୍ତୁ । ସେଇଥିରେ ଭର୍ତ୍ତିକରି ନେଇଯିବେ । ପାଞ୍ଚ ପାଞ୍ଚ ଦଶ ଉପରେ ପୁଣି ଅଢ଼େଇଟଙ୍କାର ଥଳି ଜୋରିମାନା । ଥଳିରେ ଭର୍ତ୍ତିକରି ସାଇକେଲ୍‌ ଆଗରେ ଥଳି ଝୁଲେଇ ଠିକ୍‌ ସନ୍ଧ୍ୟାବେଳେ ତାଙ୍କ ଘରେ ପହଞ୍ଚିଲି । ଜଗଦୀଶବାବୁ ମାର୍କେଟିଙ୍ଗ୍ ପାଇଁ ବାହାରିଗଲେଣି । ଶ୍ରୀମତୀ ମିଶ୍ର ମୋ’ରି ଅପେକ୍ଷାରେ ଥିଲେ । ମୋ ହାତରେ ଥଳି ଦେଖି ପଚାରିଲେ–ପାଇଲେ ?

 

ମୁଁ କିଛି ଉତ୍ତର ଦବାପୂର୍ବରୁ ମୋ ହାତରୁ ଥଳିଟାକୁ ନେଇ ଦୁଇଟି ଟିଣ ଥିବାର ଦେଖି କହିଲେ–ମେନି ଥାଙ୍କ୍‍ସ ।

 

ଥଳି ହସ୍ତରେ ସେ ଭିତରକୁ ଚାଲିଗଲେ; ଆଉ ଫେରିଲେ ନାହିଁ । ମୋରି ବୋକାମି । ମୁଁ ଯଦି ଗୋଟିଏ ଥଳି ନ କିଣି ଦୁଇଟି କିଣିଥାନ୍ତି ଓ ଗୋଟିଏ ତାଙ୍କ ହାତକୁ ବଢ଼େଇ ଦେଇଥାନ୍ତି ତାହାହେଲେ ମୋ ପୁଅପାଇଁ ଗୋଟାଏ ରହିଯାଇଥାନ୍ତା । କିନ୍ତୁ ବର୍ତ୍ତମାନ ତାଙ୍କୁ ବା ଆଉ କ’ଣ କହିହେବ ! ଅଗତ୍ୟା ମୁଣ୍ଡକାନ ଆଉଁସି ମୋତେ ଫେରିଆସିବାକୁ ପଡ଼ିଲା ।

 

ଖାଲିହାତରେ ଘରେ ପହଞ୍ଚିବାର ଦେଖି ଉଷା ମୋତେ କହିଲା–ସଞ୍ଜଠୁ ଅମୂଲ ନାହିଁ । ଏତେ କରି କହିଥିଲି, ଅମୂଲ ଆଣିଲ ନାହିଁ ଯେ.....

 

ଉଷାକୁ ମିଛ କହିବି ନା ସତ କହିବି ?

 

ବଜାରରେ ଅମୂଲ ମିଳିଲା ନାହିଁ ?

 

ଆଣିଥିଲି ବାଟରେ ଚୋରି ହେଇଗଲା ?

 

ବା.....

 

ମାସ ଶେଷ ହବାକୁ ଆଉ ଚାରିଦିନ ଥାଏ । ଦରମାତକ ଶେଷ ହେଇଯାଇଚି । ଦୁଧ ନ ଖାଇ ଶୋଇପଡ଼ିଥିବା ପୁଅ ଉଠି କାନ୍ଦୁଚି ।

 

ମୁଁ କହିଲି–ନିଦରେ ଜାଣିପାରିବ ନାହିଁ । ବାଲିପାଣିରେ ଚିନି ମିଶେଇ ବୋତଲରେ ପିଆଇଦିଅ ।

 

ଦୁଶ୍ଚିନ୍ତାରେ ମୋର ସମୟ କଟୁଚି । ଚାକିରିରେ ଅବନତିକୁ ମୁଁ ସହିନେଇ ପାରନ୍ତି; କିନ୍ତୁ ଶ୍ରୀମତୀ ନୟନା ମିଶ୍ରଙ୍କର ମୋତେ ବାରମ୍ୱାର ଡାକିବା ଓ କିଛି ଜିନିଷ ଆଣିବାପାଇଁ ଫରମାସ କରିବା ମୋତେ ଖୁବ୍‌ ବାଧୁଚି । କିରାଣି ହେଲେବି ‘ଆତ୍ମସମ୍ମାନ’ ବୋଲି ଗୋଟାଏ ଜିନିଷ ମୋର ଅଛି । କିଛିଦିନ ହାକିମାତିବି କରିଚି । ପୁଣି ଏଇ ସେହି ନୟନା ମିଶ୍ର, ଯାହାଙ୍କୁ ବିଭାହବାଟା ମୋର ନିଶ୍ଚିତ ହେଇଯାଇଥିଲା । ଆମ ବିବାହ ପ୍ରସ୍ତାବର ଅସଲ କଥାଟା ଆଉ କିଏ ଜାଣୁ ନ ଜାଣୁ, ସେ ତ ଜାଣିଛନ୍ତି । ଚଣ୍ଡୀମନ୍ଦିରରେ ମୋ ସ୍ତ୍ରୀକୁ ଯୋଉ କଥା ସେ କହିଥିଲେ, ସେଇଟା କେବଳ ତାଙ୍କର ବଡ଼ପଣିଆ ଦେଖେଇବାପାଇଁ । ମୋତେ ଦେଖିଲେ ସେ ଲାଜେଇଯିବାର କଥା; ସମ୍ଭ୍ରମତା ରକ୍ଷା କରିବାର କଥା । ସେ ସବୁ କୁଆଡ଼େ ଗଲା ? ତାଙ୍କର ବ୍ୟବହାରଟା ଏଭଳି ହେଉଛି ଯେପରି କି ମୁଁ ତାଙ୍କ ସ୍ୱାମୀଙ୍କର ଜଣେ ପିଅନ ।

 

ଗୋଟାଏ ମାସରେ ମୁଁ ହିସାବ କରି ଦେଖିଲି ତାଙ୍କର ବରାଦୀ ଜିନିଷ କିଣି ଦବାପାଇଁ ମୋର ଖର୍ଚ୍ଚ ହୋଇଛି ଦୁଇଶହ ପାଞ୍ଚଟଙ୍କା, ସେ କ’ଣ ଭାବୁଛନ୍ତି ମୁଁ କିଛି ଉପୁରି ରୋଜଗାର କରୁଛି-?

 

ଲାଞ୍ଚ ନବାଟାକୁ ମୁଁ ଘୃଣା କରେ । ନବାର ଅନେକ ସୁଯୋଗ ଥାଇବି ମୁଁ ନିଏନା । ଅନେକେ ଆସନ୍ତି ସେମାନଙ୍କ ଫାଇଲ୍‌ରେ ଭଲ ସୁପାରିସ୍ ପାଇଁ । ମୁଁ ବି ଅନେକଙ୍କୁ ସାହାଯ୍ୟ କରେ; କିନ୍ତୁ କୌଣସି ପ୍ରତିଦାନର ଆଶା ନ ରଖି । ମୁଁ ଭଲଭାବରେ ଜାଣେ, ଲାଞ୍ଚପଇସାଟା ଟକ୍‌ଟକ୍‌ ଫୁଟୁଥିବା ଗରମ ପାଣି, ଦେହରେ ପଡ଼ିଲେ ଫୋଟକା ହେଇଯିବ । ଲାଞ୍ଚ ନେଲେ ମଣିଷ ଅମଣିଷ ପାଲଟିଯାଏ । ମଣିଷ ଜୀବନ କ୍ଷଣସ୍ଥାୟୀ । ସଂସାରକୁ ଆମେ ଆସୁ କେତୋଟି ବର୍ଷପାଇଁ-। ମଣିଷକୁ ନେଇହିଁ ସୃଷ୍ଟିର ସାର୍ଥକତା–ପଶୁପକ୍ଷୀ ଜାନୁଆରଙ୍କୁ ନେଇ ନୁହେଁ । ଯେଉଁ କେତେ ବର୍ଷ ବଞ୍ଚି ଆମେ ସଂସାରରେ ଲୀଳାଖେଳା କରୁ, ସେଇ ଦିନଗୁଡ଼ିକୁ ଯଦି ଆମେ ଖାଲି କୁକର୍ମ କରି କଟେଇଦେଉ, ତାହାହେଲେ ଆମେ କ’ଣ ମଣିଷ–ପଦରେ ଗଣାହବୁ ? ସବୁପ୍ରକାର ଅପକର୍ମ କରି ଆମେ ନିଜକୁ ନିଜେ ଠକାଇବାର ଚେଷ୍ଟା କରୁ–ଏ ଜନ୍ମକୁ ବ୍ୟର୍ଥ କରୁ । ଆଉ ଯଦି ପୁନର୍ଜନ୍ମ ଥାଏ, ତାକୁ ମଧ୍ୟ କଳୁଷିତ କରୁ ।

 

ସୃଷ୍ଟିରେ ମଣିଷ ସବୁଠୁ ବୁଦ୍ଧିମାନ୍‌ ହେଇ ମଧ୍ୟ ନିଜର କର୍ତ୍ତବ୍ୟ ଭୁଲିଯାଏ କେମିତି ?

 

ମୋ ବାପା ମୋତେ ଲାଞ୍ଚ ନବାକୁ ବା ଦବାକୁ ଶିକ୍ଷା ଦେଇନାହାନ୍ତି । ତାଙ୍କର କୁସଂସ୍କାର କିଛି ଅଛି ମୁଁ ମାନୁଛି; କିନ୍ତୁ ଜୀବନରେ ଚାକିରି କରି କେବଳ ହକ୍‌ ଦରମାଗଣ୍ଡାକ ଛଡ଼ା ଉପୁରି ପଇସା ଗୋଟାଏବି ସେ ଘରକୁ ଆଣିନାହାନ୍ତି । ଏବେ ଅବଶ୍ୟ ସେ ଭିନ୍ନ ବାଟରେ ଗତିକରୁଛନ୍ତି । ମାତ୍ର ତାଙ୍କର ଏବର ଚଳଣି ମୋ ଉପରେ କିଛି ମାତ୍ର ପ୍ରଭାବ ପକାଇନାହିଁ । ମୋର ଶିଖିବାର ବୟସବେଳେ ମୁଁ ତାଙ୍କ ଜୀବନରୁ ଲାଞ୍ଚ ନବା ଶିଖିନାହିଁ ।

 

ଲାଞ୍ଚ ନ ନେଇ ଅନ୍ୟକୁ ମୁଁ ଲାଞ୍ଚଦେବି କିପରି ? ତା’ପରେ ଜଗଦୀଶବାବୁଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ଅଛି । ସେ କ’ଣ ଚାହାଁନ୍ତି ତାଙ୍କ ଘରଣୀଙ୍କୁ ମୁଁ ଏପରି ଲାଞ୍ଚ ଦିଏ ? ସେ କ’ଣ ଏସବୁ କଥା ଜାଣନ୍ତି ? ନା ଉପରେ ବିରାଡ଼ି ବୈଷ୍ଣବ ହେଇ ଭିତରେ ଭିତରେ ସେ ଏଗୁଡ଼ାକୁ ସମର୍ଥନ କରୁଛନ୍ତି ? ମଣିଷର ଭିତରଟାକୁ ଚିହ୍ନିବା ଭାରି କଷ୍ଟ । କିଛି ମଣିଷ ଅଛନ୍ତି, ଯେଉଁମାନଙ୍କର ଦୁଇଟି ରୂପ ଥାଏ–ଗୋଟାଏ ବାହ୍ୟ ଓ ଅନ୍ୟଟି ଆଭ୍ୟନ୍ତରୀଣ । ବାହାରେ ଦେବତା, ଭିତରେ ସୟତାନ ବା ବାହାରେ ସୟତାନ, ଭିତରେ ଦେବତା–ଏ ପ୍ରକୃତିର ମଣିଷ ଅଛନ୍ତି, ଯୋଉମାନଙ୍କୁ ଚିହ୍ନିବା ଭାରି କଷ୍ଟ । ଜଗଦୀଶବାବୁ କ’ଣ ଏଇ ଶ୍ରେଣୀୟ ?

 

ଭାବି ଭାବି ମୁଁ କିଛି କୂଳକିନାରା ପାଏନା । ହୁଏତ ଜଗଦୀଶବାବୁ ଏ ସବୁ କିଛି ଜାଣନ୍ତି ନାହିଁ । ହୁଏତ ଜାଣି ସମର୍ଥନ କରୁଛନ୍ତି ଅଥବା ସମର୍ଥନ ନ କରୁଥିଲେ ମଧ୍ୟ ଉଦ୍ଧତ–ସ୍ତ୍ରୀଙ୍କୁ କିଛି କହିପାରୁନାହାନ୍ତି । ସେ ଯାହା କିଛି ହେଉ, ମୁଁ କେତେଦିନ ଏମିତି ତାଙ୍କ ପରିବାରର ଶିକାର ହେଉଥିବି ?

 

ଦିନେ ଫରମାସ ଆସିଲା–ତାଙ୍କ ଝିଅପାଇଁ ଗୋଟାଏ ତିନିଚକିଆ ସାଇକେଲ୍‌ ଦରକାର-। ଭାବୁଥିଲି, ମୁହେଁ ମୁହେଁ କହିଦେବି–ଆଉ ଏସବୁ ମୋଦ୍ୱାରା ହେଇପାରିବ ନାହିଁ । କିନ୍ତୁ କହିପାରିଲି କୋଉଠି ? ନୟନା ମିଶ୍ରଙ୍କ ସାମନାରେ କହିବାର ସମସ୍ତ ସାହସ ମୁଁ ହରାଇବସେ-

 

କାହିଁକି ଏପରି ହୁଏ ?

 

ଯୌନତତ୍ତ୍ୱର ନିୟମ ଅନୁସାରେ ନାରୀପାଖରେ ପୁରୁଷ ସବୁଦିନେ ଦୁର୍ବଳ । ସେଇ ଦୁର୍ବଳତା କ’ଣ ମୋତେ ଘାରେ ? ନା, ମୁଁ ସ୍ୱୀକାର କରିପାରିବି ନାହିଁ । ଏଇଟା କ’ଣ ସତ୍ୟ ? ଯଦି ସତ୍ୟ, ଉଷା–ଉପାଖ୍ୟାନ କ’ଣ ମିଥ୍ୟା ? କିନ୍ତୁ ଏ କଥା ମୁଁ ନିଶ୍ଚିତ ଭାବରେ କହିପାରେ, ଅବିବାହିତ ଥିବାବେଳେ ଯୋଉ ଦୁର୍ବଳତା ମୋର ଥିଲା, ବିବାହ ପରେ ସେ ଦୁର୍ବଳତାରୁ ମୁଁ ସମ୍ପୂର୍ଣ୍ଣ ମୁକ୍ତ । ଏଥିରେ ଅବଶ୍ୟ ମୋର କିଛି ଗର୍ବ କରିବାର ନାହିଁ । ଏହା କେବଳ ଉଷା ଯୋଗୁଁହିଁ ସମ୍ଭବ ହେଇଛି ।

 

ଉଷା ସୁଗୃହିଣୀ । ସୁଗୃହିଣୀମାନେହିଁ ସ୍ୱାମୀମାନଙ୍କର ମନୋରଞ୍ଜନ କରିପାରନ୍ତି । ଅଭାବର ତାଡ଼ନା ନଥିଲେ ଖୋଜିବାର ଆବଶ୍ୟକତା ନଥାଏ । ଅନ୍ୟ କାହା ମୁହଁକୁ ଚାହିଁବାର ଆବଶ୍ୟକତା ବା ମୋର କ’ଣ ? ପୁଣି ନୟନା ମିଶ୍ରଙ୍କ ଭଳି ଜଣେ ବଦମିଜାଜୀ, ଉପରମୁହୀଁ, ରୁକ୍ଷଭାଷିଣୀ ନାରୀ ପ୍ରତି ଆକର୍ଷଣ ଜାତହେବା କସ୍ମିନ୍‌କାଳେ ସମ୍ଭବ ହେଇପାରେ ? ଅତିମାତ୍ରାରେ ସ୍ତ୍ରୈଣ ଓ କାମୁକ ପୁରୁଷ ନହେଲେ ଏଭଳି ନାରୀଙ୍କ ମୁହଁକୁ କେହି ଅନାଏ ନାହିଁ । ବୋଧହୁଏ ଏଇ କାରଣରୁ ମୁଁ ତାଙ୍କ ମୁହଁକୁ ଚାହିଁପାରେନାହିଁ କି ତାଙ୍କ କଥାର କୌଣସି ଜବାବ ଦିଏ ନାହିଁ । ସାଇକେଲ୍‌ କଥା ଶୁଣି ସେ ଦିନ ମଧ୍ୟ ମୁଁ ନୀରବରେ ଚାଲି ଆସିଲି ।

 

ମୋ ପୁଅ ଓ ତାଙ୍କ ଝିଅ ଉଭୟ ପିଲା । ତାଙ୍କ ଝିଅର ସାଇକେଲ୍‌ ଦରକାର, ମୋ ପୁଅର କ’ଣ ଦରକାର ନାହିଁ ? ସାଇକେଲ୍‌ଟେ ମିଳିଲେ ମୋ ପୁଅ କ’ଣ ଚଢ଼ିବ ନାହିଁ ? ମୋ’ଭଳି ଲୋକ ଯେ ନିଜପାଇଁ ସାଇକେଲ୍‌ଟେ କିଣିପାରୁନାହିଁ, ସେ ଅନ୍ୟ ପିଲାପାଇଁ ସାଇକେଲ୍‌ଟେ କିଣିଦବ ବା କିପରି ?

 

ସେ ବିଭାଗରେ ଜଗଦୀଶବାବୁଙ୍କ ଅଧୀନରେ ରହିବା ଆଉ ସମ୍ଭବ ନୁହେଁ । ତେଣୁ ମୁଁ ଅନ୍ୟ ଏକ ବିଭାଗକୁ ବଦଳିପାଇଁ ତତ୍‌ପରଦିନ ଚେଷ୍ଟା କଲି । କିନ୍ତୁ ଯାହା ମୁଁ ଦେଖିଲି, ହଜାରେ ଟଙ୍କା ଖର୍ଚ୍ଚ ନ କଲେ ବଦଳିହବା ସମ୍ଭବ ନୁହେଁ ।

 

ମା’ ସେତେବେଳକୁ ରୋଗରେ ଶଯ୍ୟାଶାୟୀ । ବାପାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହୁନାହିଁ । ବାପାମା’ଙ୍କ ପାଇଁ ଔଷଧ ଖର୍ଚ୍ଚ ଆମ ଘରେ ବଢ଼ିଯାଇଚି । ସ୍ୱାସ୍ଥ୍ୟ ଭଲ ରହୁ ନଥିବାରୁ ବାପା ଆଉ ପୂର୍ବପରି ରୋଜଗାରର ଫନ୍ଦି କରିପାରୁନାହାନ୍ତି । ପରିଶ୍ରମ କରିବା ମଧ୍ୟ କଷ୍ଟ ହେଇପଡ଼ୁଚି । ସେ ରକ୍ତଚାପରେ ଆକ୍ରାନ୍ତ ଆଉ ମା’ଙ୍କର ରକ୍ତଶୂନ୍ୟତା । ସର୍ବାଙ୍ଗ ଶେତା ପଡ଼ିଯାଇଚି । ଏତେ ଦୁର୍ବଳ ହେଇ ପଡ଼ିଚନ୍ତି ଯେ ତାଙ୍କୁ ବେଳେବେଳେ ଉଠେଇବାକୁ ବସେଇବାକୁ ପଡ଼ୁଚି । ଏ ସବୁ ଦାୟିତ୍ୱ ଉଷା ଉପରେ । ଦିନକୁ ଚବିଶିଘଣ୍ଟାରୁ ମୁଁ ଘରେ ବାରଘଣ୍ଟା ଥାଏ । ତା’ ଭିତରୁ ଆଠଘଣ୍ଟା ଶୟନ ସମୟ । କାମ କରି କରି ଉଷା ହାଲିଆ ହେଇଯାଏ; ପିଲାର ତତ୍ତ୍ୱାବଧାନରେ ଅବହେଳା କରେ । ନିଜ ସ୍ୱାସ୍ଥ୍ୟ ପ୍ରତି ନଜର ଦିଏ ନାହିଁ । କ୍ରମଶଃ ମୁଁ ଲକ୍ଷ୍ୟକଲି, ସେ ଯେମିତି ତା’ ଯୌବନକୁ ସ୍ୱେଚ୍ଛାରେ ବିଦାୟଦେଇ ପ୍ରୌଢ଼ତ୍ୱକୁ ଡାକିଆଣୁଚି ।

 

ମନ ବେଳେବେଳେ ବିଦ୍ରୋହ କରିଉଠେ । ମୁଁ ନା ସେଇ ବିପ୍ଳବୀ ଯୁବକ, ଯେ କି ବ୍ରିଟିଶ–ସିଂହ ବିରୁଦ୍ଧରେ ଲଢ଼ିବାକୁ ଝାମ୍ପ ଦେଇଥିଲା ? କଥାରେ କଥାରେ ରକ୍ତ ଯାହାର ଟକମଟ କରି ଫୁଟିଉଠୁଥିଲା ? ଓଡ଼ିଶାର ବୀରତ୍ୱ କାହାଣୀ ଯାହାର ମନକୁ ଉତ୍ତେଜିତ କରୁଥିଲା ?

 

ବ୍ୟବଧାନ ବା କେତୋଟା ବର୍ଷ ? ମୁଁ ମନକୁ ମନ ଚିତ୍କାର କରି ଉଠିଲି–ମୁଁ ଅତ୍ୟାଚାରିତ ହେଇ ଆଉ ମୂକ ହେଇ ରହିବାକୁ ଚାହେଁନା । ଥରେ ଲଢ଼ିଥିଲି । ସେ ଲଢ଼ିବା ଅଧାରୁ ବନ୍ଦ ହେଇ ଯାଇଚି । ଯୋଉମାନଙ୍କ ସହିତ ଲଢ଼ୁଥିଲି ସେମାନେ ଚାଲିଯାଇଚନ୍ତି । ତାଙ୍କ ସ୍ଥାନରେ ନୂଆ ଲୋକ ଆସିଯାଇଛନ୍ତି । ରଙ୍ଗର ପରିବର୍ତ୍ତନ ହେଇଚି; କିନ୍ତୁ ସେ ଢାଞ୍ଚାର ତ କିଛି ପରିବର୍ତ୍ତନ ହେଇନି । ସେ ରହିଚି, ରହିଚି ସେଇ ବୁରୋକ୍ରାସି, ସେଇ କାର୍ଯ୍ୟପ୍ରଣାଳୀ, ସେଇ ବ୍ୟବହାର ।

 

ମୁଁ ପୁଣି ଲଢ଼ିବି ଏଇ ବୁରୋକ୍ରାସି ବିରୁଦ୍ଧରେ । ସେଇ ବୁଢ଼ା ଫକୀର ଅଧାଲଙ୍ଗଳା ରହି ଖାଲି କ’ଣ ଗୋରା ଚମଡ଼ା ବିରୁଦ୍ଧରେ ଲଢ଼ୁଥିଲା ? ସେ ପରା ଚାହୁଁଥିଲା ଅନ୍ୟାୟର, ଦୁର୍ନୀତିର ଅବସାନ ! ପ୍ରଜାର ମଙ୍ଗଳ ! ରାମ–ରାଜ୍ୟ !

 

କିନ୍ତୁ ଲାଲ୍‌ଫିତା ତାହା କ’ଣ କରେଇଦବ ?

 

ତେଣୁ ମୋତେହିଁ ଲଢ଼ିବାକୁ ପଡ଼ିବ । କାରଣ ମୁଁ ଲଢ଼ି ନାହିଁ ଶେଷପର୍ଯ୍ୟନ୍ତ । ଯେଉଁମାନେ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ସେମାନେ ଆଜି ତାଙ୍କ ଲଢ଼ିବାର ସୁଫଳ ପାଉଛନ୍ତି । ସେମାନଙ୍କର ଆଉ ଲଢ଼ିବାର ନାହିଁ । ଯେଉଁମାନେ ଲଢ଼ି ନଥିଲେ, ସେମାନଙ୍କର ଲଢ଼ିବାର ବେଳ ଆସିଚି । ସେଇ ଏକା ଲଢ଼ିବା । ରାଜନୈତିକ ସ୍ୱାଧୀନତା ମିଳିଚି; ହେଲେ ଅର୍ଥନୈତିକ ସ୍ୱାଧୀନତା ମିଳିଚି କାହିଁ ? ଯାହା ବାକି ରହିଯାଇଚି, ତା’ପାଇଁବି ସଂଗ୍ରାମ ଦରକାର । ମୁଁ ଲଢ଼ିବି ଅନ୍ୟାୟ ବିରୁଦ୍ଧରେ, ଅତ୍ୟାଚାର ବିରୁଦ୍ଧରେ; ଶୋଷଣ, ଅନାଚାର, ଲାଞ୍ଚ, ମିଛ, ଦୁର୍ନୀତି ବିରୁଦ୍ଧରେ ଲଢ଼ିବି । ଲଢ଼ିବି, ଲଢ଼ିବି ।

 

ହେ ଉଦ୍ଧର୍ତ୍ତା, ମୋତେ ଉଦ୍ଧାର କର । ଲଢ଼ିବାପାଇଁ ଶକ୍ତି ଦିଅ । ସୁଯୋଗ ଦିଅ ।

 

ସୁଯୋଗ ଆସିଗଲା । ସଚିବାଳୟ ଅଧସ୍ତନ କର୍ମଚାରୀ ସଂଘର ବାର୍ଷିକ ଅଧିବେଶନକୁ ଯାଇଥିଲି । ପିଅନ ଓ କିରାଣିମାନେ ସେମାନଙ୍କ ବସ୍‌ମାନଙ୍କଦ୍ୱାରା କି ଭଳି ଭାବରେ ଲାଞ୍ଛିତ, ନିର୍ଯାତିତ ହେଉଛନ୍ତି ସେ ସମ୍ପର୍କରେ ବହୁ ବକ୍ତା ସେମାନଙ୍କ ବ୍ୟକ୍ତିଗତ ଅନୁଭୂତି ବର୍ଣ୍ଣନା କଲେ । ପିଅନମାନଙ୍କୁ ବାସନ ମାଜିବାକୁ, ମଇଳାଲୁଗା ସଫା କରିବାକୁ କୁହାଯାଉଚି । କିରାଣିମାନଙ୍କୁ ବଜାରସଉଦା କରିବା, ପିଲାଙ୍କୁ ସାଇକେଲ୍‌ରେ ନେଇ ସ୍କୁଲ୍‍ରେ ଛାଡ଼ିବା ପ୍ରଭୃତି କାମ କରିବାରେ ବ୍ୟବହାର କରାଯାଉଚି । ଇଂରେଜମାନଙ୍କ ଅମଳରେ ପିଅନ କିରାଣିମାନେ ଯେଉଁ କାମ କରୁଥିଲେ, ସ୍ୱାଧୀନ ଭାରତବର୍ଷରେ ଯଦି ସେମାନେ ସେଇ କାମଗୁଡ଼ାକ କଲେ, ତେବେ ତାଙ୍କୁ ସ୍ୱାଧୀନତା ମିଳିଲା କେଉଁଠି ? ଯୋଉ ଦାସତ୍ୱକୁ ସେଇ ଦାସତ୍ୱ ।

 

ଜଣେ ପିଅନ ଅଭିଯୋଗ କଲେ ତାଙ୍କ ଅଫିସରଙ୍କ ସ୍ତ୍ରୀ ତାଙ୍କୁ ଯାବତୀୟ ନ କରିବା କର୍ମ କରିବାକୁ କହୁଚନ୍ତି । ସେ ନ କରୁଥିବା ଯୋଗୁଁ ତାଙ୍କୁ ମିଥ୍ୟା ଅଭିଯୋଗରେ ସସ୍‌ପେଣ୍ଡ୍‌ କରାଯାଇଛି ।

 

ଆଉ ଜଣେ ଅଭିଯୋଗ କଲେ–ସେ ତାଙ୍କ ଅଫିସରଙ୍କ ପତ୍ନୀଙ୍କ ମୁହଁରେ ଜବାବ ଦେବାରୁ ସେ ରାଗିଯାଇ ତତଲା ଖୁରୁଣି ଆଣି ତାଙ୍କ ପିଠିରେ ଚିଆଁ ଦେଇଚନ୍ତି ।

 

ଜଣେ କିରାଣିଙ୍କ ଅଭିଯୋଗ ତାଙ୍କ ଅଫିସରଙ୍କ ସ୍ତ୍ରୀଙ୍କ ଚରିତ୍ରକୁ ନେଇ । ଭଦ୍ରମହିଳା ଗୋପନରେ ଅନ୍ୟଜଣେ ଅଫିସରଙ୍କ ପାଖକୁ ପ୍ରେମପତ୍ର ଲେଖନ୍ତି; କିରାଣିଙ୍କୁ ବ୍ୟବହାର କରାଯାଏ ଉଭୟଙ୍କ ଚିଠି ଗୋପନରେ ନବାଆଣିବା ପାଇଁ । ଏଭଳି ହୀନକାମ ଦି’ଚାରିଥର କରିବାପରେ କିରାଣିଟି ଅନିଚ୍ଛା ପ୍ରକାଶ କରିବାରୁ ତାଙ୍କୁ ଅନ୍ୟ ବିଭାଗକୁ ବଦଳି କରାଯାଇଛି ଓ ପ୍ରେମିକ ଅଫିସର ନିଜର ଜଣେ ବିଶ୍ୱସ୍ତ କିରାଣିକୁ ସେ ସ୍ଥାନରେ ନିଯୁକ୍ତି ଦେଇଛନ୍ତି । ମୁଁ ମଧ୍ୟ ଉତ୍ତେଜିତ ହୋଇ ମୋର ଅନୁଭୂତିସବୁକୁ ଗରମାଗରମ ଭାଷାରେ ପ୍ରକାଶ କଲି ଓ ସମସ୍ତଙ୍କଠାରୁ ହାତତାଳି ଆଦାୟ କରିନେଲି । କର୍ମକର୍ତ୍ତା ନିର୍ବାଚନରେ କର୍ମଚାରୀ ସଂଘର ସଂପାଦକ ଭାବରେ ମୋତେ ନିର୍ବାଚିତ କରାଗଲା । ଆନନ୍ଦରେ ମୁଁ ସେ ଦାୟିତ୍ୱ ଗ୍ରହଣ କଲି ।

 

ଅଫିସରମାନଙ୍କ ଅନ୍ୟାୟ ବିରୁଦ୍ଧରେ ଲିଖିତ ଭାବରେ ଜଣାଇବା ପାଇଁ ସଭ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଗଲା । ମୋ ପାଖରେ ଅଭିଯୋଗପତ୍ର ଜମା ହେଲା । ସଂଘର କାର୍ଯ୍ୟକାରୀ କମିଟିରେ ସେସବୁର ଆଲୋଚନା ହୋଇ ସିଦ୍ଧାନ୍ତ ହେଲା–ଏ ସମ୍ପର୍କରେ ମୁଖ୍ୟ ଶାସନ–ସଚିବଙ୍କ ସହିତ ଆଲୋଚନା କରାଯିବ । ପ୍ରତିକାର ନ ମିଳିଲେ ମନ୍ତ୍ରୀସ୍ତରୀୟ ଆଲୋଚନା ପାଇଁ ବ୍ୟବସ୍ଥା କରାଯିବ ।

 

ଜଗଦୀଶବାବୁଙ୍କ ବିରୁଦ୍ଧରେ ତାଙ୍କ ପିଅନର ଅଭିଯୋଗ । ଅଭିଯୋଗଟା ଠିକ୍‌ ତାଙ୍କ ବିରୁଦ୍ଧରେ ନୁହେଁ, ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ । ପିଅନର ଗୋଟିଏ ଦୁଧିଆଳୀ ଜର୍ସିଗାଈ ଅଛି । ଦୁଇମାସ ହେବ ସେ ଦୈନିକ ଦୁଇଲିଟର କ୍ଷୀର ତାଙ୍କୁ ଯୋଗାଉଛି । ବିଚରା ପିଅନ ପଇସା ମାଗିପାରୁନାହିଁ, ସେ ବି ଯାଚିକରି ଦେଉନାହାନ୍ତି । ଦୁଇମାସ ପୂରିଗଲା ପରେ ସେ ଦିନେ ବାବୁଆଣୀଙ୍କ ପାଖରେ ପଇସା କଥା ଉଠେଇଲା । ତା’ପରେ ବାବୁଆଣୀ ରୁଦ୍ରମୂର୍ତ୍ତି ଧରି ତାକୁ ଶୋଧାଶୋଧି କରିଛନ୍ତି । ସାତଦିନ ହେଲା ସେ ଆଉ ତାଙ୍କ ଘରକୁ ଯାଉନାହିଁ କି କ୍ଷୀର ଦେଉନାହିଁ; ଫଳରେ ଦୁଇଦିନ ତଳେ ତାକୁ ଅବାଧ୍ୟତା ଅଭିଯୋଗରେ ସସ୍‌ପେଣ୍ଡ୍‌ କରାଯାଇଛି । ଅବଶ୍ୟ ସସ୍‌ପେଣ୍ଡ୍‌ କରିଛନ୍ତି ଜଗଦୀଶବାବୁ; ନୟନା ମିଶ୍ର ନୁହେଁ । କିନ୍ତୁ କାହା କଥାରେ ? କିଏ ସେ ଅଭିଯୋଗକାରିଣୀ ? ସେ କ’ଣ ନୟନା ମିଶ୍ର ନୁହନ୍ତି ?

 

ଭାବୁଥିଲି ନୟନା ମିଶ୍ରଙ୍କ ବିରୁଦ୍ଧରେ ମୁଁ ବି ଅଭିଯୋଗ କରିବି; ମାତ୍ର କଲି ନାହିଁ । ନ କରିବାର କାରଣ ମୁଁ ଭାବିଲି ସେଇଟା କଲେ ଅନ୍ୟାନ୍ୟ ସହକର୍ମୀଙ୍କ ଆଖିରେ ମୋର ସମ୍ମାନହାନି ଘଟିବ ଓ ଲାଭଠାରୁ ମୋର କ୍ଷତି ହେବ ଅଧିକ । ତା’ପରେ ମୁଁ ନିଜେ ଅଭିଯୋଗ କଲେ ଅନ୍ୟ ଅଭିଯୋଗଗୁଡ଼ିକ ସମ୍ପର୍କରେ ମୋର ନିରପେକ୍ଷତା ଉପରେ ଆଞ୍ଚ ଆସିବ । ବରଂ ପିଅନ କରିଥିବା ଅଭିଯୋଗ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଁ ଉପଯୁକ୍ତ ପ୍ରତିଶୋଧ ନେଇ ପାରିବି ।

 

ମୁଖ୍ୟ ଶାସନ–ସଚିବ ଆଲୋଚନା ପାଇଁ ମୋତେ ଓ ଆମ ସଂଘର ସଭାପତିଙ୍କୁ ଡାକିଲେ । ଆମେ ଦୃଢ଼ସ୍ୱରରେ ଜଣାଇଲୁ–ଅଫିସରମାନଙ୍କର ସେଇ ପୁରୁଣାକାଳିଆ ମନୋବୃତ୍ତିର ପରିବର୍ତ୍ତନ ହେଉ । ଯେଉଁମାନଙ୍କ ବିରୁଦ୍ଧରେ ନିର୍ଦ୍ଦିଷ୍ଟ ଅଭିଯୋଗମାନ କରାଯାଇଚି, ତାହାର ବିଭାଗୀୟ ତଦନ୍ତ କରାଯାଇ ସଂପୃକ୍ତ ଅଫିସରମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯାଉ ।

 

ମୁଖ୍ୟ ଶାସନ–ସଚିବ ସବୁ ଶୁଣିଲେ ଓ ସେ ଏ ସଂକ୍ରାନ୍ତରେ କ’ଣ କରିବେ ତାହା ଆମକୁ ଜଣାଇବାପାଇଁ ସାତ ଦିନ ସମୟ ନେଲେ ।

 

ପ୍ରଥମ ଆଲୋଚନାରେ ମୋର ମନେହେଲା ମୁଁ ଯେମିତି ଗଡ଼ ଜୟ କରି ଫେରିଚି । ମୋର ପ୍ରଫୁଲ୍ଲତା ଦେଖି ଉଷା କହିଲା–କ’ଣ ହୋଇଚି ? ପୁଣି ତୁମର ପ୍ରମୋସନ୍ ହେଲା କି ?

 

ମୁଁ କହିଲି–ହେଇନାହିଁ । ହେବା ବାଟରେ ।

 

ଆମ ସଂଘର ଦୃଢ଼ତାରେ ସମଗ୍ର ସଚିବାଳୟରେ ଏକ ଚାଞ୍ଚଲ୍ୟ ଖେଳିଯାଇଚି । ଅଫିସରମାନେ ମୋତେ ଦେଖି ନମସ୍କାର କରିବାକୁ ଆରମ୍ଭ କରିଛନ୍ତି । କେତେକ ତ ଗୋପନରେ ତାଙ୍କ ଘରକୁ ଚା’ପାଇଁ ନିମନ୍ତ୍ରଣ କରିସାରିଲେଣି । ସବୁଠୁ ଆଶ୍ଚର୍ଯ୍ୟ ଲାଗିଲା ସ୍ୱୟଂ ଜଗଦୀଶବାବୁଙ୍କ ନିମନ୍ତ୍ରଣ–ତାହା ପୁଣି ଗୋପନୀୟ ନୁହେଁ; ପ୍ରକାଶ୍ୟ । ନିଜ ହାତରେ ସେ ଲେଖିଚନ୍ତି–

 

ନୀଳମାଧବବାବୁ,

 

ଆଜି ସନ୍ଧ୍ୟାରେ ଚା’ ଟେବୁଲ୍‌ରେ ଆପଣଙ୍କୁ ଭେଟିବାର ଅପେକ୍ଷାରେ ରହିଲି । ନିଶ୍ଚୟ ଆସିବେ । ଇତି ।

 

ଜଗଦୀଶ

 

ମୁଁ ଏ ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ କଲି । ଚିଠିର ଉତ୍ତରରେ ଲେଖିଦେଲି–କ୍ଷମା କରିବେ । ଆଜି ସନ୍ଧ୍ୟାରେ ଆମ ସଂଘର କାର୍ଯ୍ୟକାରୀ କମିଟିର ବୈଠକ ଥିବାରୁ ମୁଁ ଆପଣଙ୍କ ନିମନ୍ତ୍ରଣ ରକ୍ଷାକରିବାକୁ ଅକ୍ଷମ ।

 

ପରଦିନ ପୁଣି ଏକ ଚିଠି । ରାତ୍ରି–ଭୋଜନର ନିମନ୍ତ୍ରଣ; କିନ୍ତୁ ଏ ସବୁ ନିମନ୍ତ୍ରଣ ମୋ ପକ୍ଷରେ ଗ୍ରହଣ କରିବା କ’ଣ ସମ୍ଭବ ? ଗଲିନାହିଁ ।

 

ତା’ ପରଦିନ ଶ୍ରୀମତୀ ନୟନା ମିଶ୍ରଙ୍କଠାରୁ ଚିଠି ପାଇଲି । ପତ୍ରବାହକ ମାଧ । ଶ୍ରୀମତୀ ମିଶ୍ର ଲେଖିଛନ୍ତି–

 

ପ୍ରିୟ ନୀଳମାଧବବାବୁ,

 

ନମସ୍କାର ନେବେ । ମୋ’ରି କଥା ଅନୁସାରେ ବାବୁ ଆପଣଙ୍କୁ ଆମ ଘରକୁ ଆସିବାପାଇଁ ଚିଠି ଲେଖିଥିଲେ । ମୁଁ ବାବୁଙ୍କୁ ସମ୍ପୂର୍ଣ୍ଣ ଭରସା ଦେଇଥିଲି ଯେ ଆପଣ ଚିଠି ପାଇ ନିଶ୍ଚୟ ଆସିବେ । ଆପଣଙ୍କର ଆମର ସମ୍ପର୍କ ତ ଆଜିର ନୁହେଁ । ଆପଣ ଆମ ବାବୁଙ୍କର ସହକର୍ମୀ ଭାବରେ ଦିନେ ତ ଆମରି ବସା ପାଖରେ ରହୁଥିଲେ । ମୁଁ ଆପଣଙ୍କୁ ବନ୍ଧୁ ଭାବରେହିଁ ଆମ ଘରକୁ ଆସିବାକୁ ଚାହିଁଥିଲି । ମାତ୍ର ମୋର କି ଅପରାଧ ଯୋଗୁଁ ଆପଣ ଯେ ଆସିଲେ ନାହିଁ, ତାହା ମୁଁ ବୁଝିପାରୁନାହିଁ । ଆପଣ ନ ଆସିବାରୁ ବାବୁ ଖୁବ୍‌ ମନସ୍ତାପରେ ଅଛନ୍ତି । ଆପଣଙ୍କ ସହିତ ମୋର ଅନେକ କଥା ଅଛି । ତେଣୁ ଆପଣଙ୍କର ସମସ୍ତ କାମ ଶେଷ କରି ଆଜି ଆମ ସହିତ ରାତ୍ରିଭୋଜନରେ ଯୋଗଦେବାକୁ ମୁଁ ବ୍ୟକ୍ତିଗତ ଭାବରେ ଅନୁରୋଧ ଜଣାଉଛି । ଆଶା, ଫାଙ୍କି ଦେବେନାହିଁ । ଇତି ।

 

ଆପଣଙ୍କ ଅପେକ୍ଷାରେ.....

ନୟନା ମିଶ୍ର

 

ଚିଠିଟାକୁ ବାରମ୍ୱାର ପଢ଼ିଲି । ମୋ’ରି ଉପରିସ୍ଥ ହାକିମଙ୍କ ସ୍ତ୍ରୀ ଲେଖିଛନ୍ତି । କ’ଣ କରିବି ? ମୁଁ ତ ଭୀରୁ ନୁହେଁ, ଯିବାକୁ ଡରିବି କାହିଁକି ? ମୁଁ ଖାଇବି ନଖାଇବି ଅଲଗା କଥା; କିନ୍ତୁ ତାଙ୍କର ସାମନାସାମନି ନ ହେବି କାହିଁକି ? ସେ କ’ଣ କହିବାକୁ ଚାହାନ୍ତି ନ ଶୁଣିବି କାହିଁକି ?

 

ହୁଏତ ଏଇଟାକୁ ମୋର ଦୁର୍ବଳତା ବୋଲି କୁହାଯାଇପାରେ । ସତ କହିବାକୁ ଗଲେ ମୁଁ ଯେତେବେଳେ ନୟନାଙ୍କ କଥା ଭାବେ, ସେତେବେଳେ ମୋର ମନେ ପଡ଼ିଯାଏ ମୋ ବାପା–ମା’ଙ୍କର ସେଦିନ ରାତିରେ ଇନ୍ଦୁପୁର ଗାଁରୁ କନ୍ୟା ଦେଖି ଫେରିବାପରେ ମୋ ଉପରେ ଯେଉଁ ଅଟଳ ବିଶ୍ୱାସ । ସେମାନଙ୍କ ପସନ୍ଦ ମୁତାବକ ମୁଁ ଯଦି ବିବାହ କରିଥାନ୍ତି, ତାହାହେଲେ ନୟନା ତ ହେଇଥାନ୍ତେ ମୋରି ଘରର ଘରଣୀ । ମୁଁ ତାଙ୍କୁ ନେଇ କିଭଳି ଜୀବନଯାତ୍ରା ନିର୍ବାହ କରିଥାନ୍ତି, ତାହା ବର୍ତ୍ତମାନ ଚିନ୍ତାର ବିଷୟ ନୁହେଁ; କିନ୍ତୁ ତାଙ୍କ ସହିତ ମୁଁ ବେଦିରେ ବସିଥାନ୍ତି । ଆମର ହାତଗଣ୍ଠି ପଡ଼ିଥାନ୍ତା । ପୁରୋହିତ ବ୍ରାହ୍ମଣ ଉଚ୍ଚାରଣ କରିଥାନ୍ତେ ଯଥା ନଳସ୍ୟ ଦମୟନ୍ତୀ । ଆମର ମଧୁଶଯ୍ୟା ହେଇଥାନ୍ତା । ନୟନାଙ୍କର ପ୍ରତିଟି ଅଙ୍ଗର ନିବିଡ଼ ସ୍ପର୍ଶରେ ମୁଁ ହୋଇଥାନ୍ତି ରୋମାଞ୍ଚିତ ।

 

ସ୍ତ୍ରୀ ଯେତେ ଉଗ୍ର ହେଉ ପଛେ ରାତିର ସେଇ ମୁହୂର୍ତ୍ତରେ ସେ ପୁରୁଷର ବଶ୍ୟତା ସ୍ୱୀକାର କରେ । ଏହାହିଁ ଚିରନ୍ତନ ରୀତି ।

 

ନୟନା ମୋ ପ୍ରତି ତାଚ୍ଛଲ୍ୟ ବ୍ୟବହାର ଦେଖେଇଛନ୍ତି । ମୋତେ ଯେ ବନ୍ଧୁଭାବରେ ଦେଖିନାହାନ୍ତି, ତାହା ତାଙ୍କ ପୂର୍ବ ବ୍ୟବହାର ସ୍ପଷ୍ଟ କରି ଦେଇଚି । ମାତ୍ର ଆଜିର ଏ ଚିଠି.....

 

ଯିବାର କୌତୂହଳକୁ ଦମନ କରିପାରିଲି ନାହିଁ । କାରଣ ମୋ ପ୍ରତି ତାଚ୍ଛଲ୍ୟ ବ୍ୟବହାର ଦେଖେଇଥିବା ଅଫିସର–ପତ୍ନୀ ଆଜି ଯଦି ଦୟନୀୟ ବ୍ୟବହାର ଦେଖାନ୍ତି, ତାହା କ’ଣ ମୋ ଲକ୍ଷ୍ୟର ସଫଳତା ନୁହେଁ ? ମୁଁ ତ ତାଙ୍କୁ ଚରମ ଦଣ୍ଡରେ ଦଣ୍ଡିତ କରିବାକୁ ଚାହେଁନା । ଅନୁତାପହିଁ ତାଙ୍କପାଇଁ ଯଥେଷ୍ଟ ଦଣ୍ଡ । ସେ ଯଦି ଅନୁତାପ କରନ୍ତି.....

 

ତେଣୁ ମୁଁ ଗଲି । ନୀରବରେ । ସମସ୍ତଙ୍କ ଅଲକ୍ଷ୍ୟରେ । ମୁଁ କିଣା ହେଇ ଯିବାର ପାତ୍ର ନୁହେଁ, ମୋର ମନୋବଳ ଅଛି । ଦମ୍ଭ ଅଛି । ଦେଖାଯାଉ.....

 

ଏ କ’ଣ ଆଉ ଏକ ନୟନା ମିଶ୍ର ? ମୁଁ କ’ଣ ଆଉ ଏକ ନୀଳମାଧବ ?

 

ନିଜେ ଆସି ସେ ମୋତେ ପାଛୋଟିନେଲେ, ଯେମିତି ଅନେକ ସମୟ ଧରି ସେ ମୋତେ ଅପେକ୍ଷା କରିଥିଲେ । ଏହା ଯେ ମୋର ସ୍ୱପ୍ନାତୀତ । ତାଙ୍କର ଆଦର ଆପ୍ୟାୟନରେ ମୁଁ ଯଦିଓ ବିସ୍ମିତ ହେଲି; କିନ୍ତୁ ଅଧିକ ସମୟ ସେଠାରେ ରହିବାକୁ ଚାହୁଁ ନଥିଲି । ରାତ୍ରିଭୋଜନ ତ ଏକବାରେ ନୁହେଁ ।

 

ଚା’ ଦେଲେ । ଚା’ ଖାଇ ପଚାରିଲି–କ୍ଷମା କରିବେ । କ’ଣ ପାଇଁ ଡାକିଥିଲେ ଶୀଘ୍ର କଥା ଶେଷ କଲେ ମୁଁ ପୁଣି ଘରକୁ ଫେରିବି । ବେଶି ରାତି ହେଲେ ଏକାଏକା ଯିବା ସମ୍ଭବ ନୁହେଁ-। ଜଗଦୀଶବାବୁ କହିଲେ–ନୟନା କ’ଣ ପାଇଁ ଡାକିଚି ତା’ସହିତ ଆଗେ କଥାବାର୍ତ୍ତା କରନ୍ତୁ । ଏତକ କହି ଭଦ୍ରଲୋକ ଯେ ଭିତରକୁ ଗଲେ, ପ୍ରାୟ ଆଉ ପନ୍ଦର ମିନିଟ୍‌ ତାଙ୍କର ଦେଖାମିଳିଲା ନାହିଁ । ନୟନା ମଧ୍ୟ ଭିତରେ । ମାଧକୁ ପଚାରି ବୁଝିଲି ସେ ରୋଷେଇଘରେ ରନ୍ଧାବଢ଼ାରେ ବ୍ୟସ୍ତ-। ଏକାଏକା ମୋତେ ବସେଇରଖି ଭିତରେ ରହିବା କି ଅଭଦ୍ରତା । ଆସିଲି କାହିଁକି-? ନା ଆଉ ବସିରହିବା ସମ୍ଭବ ନୁହେଁ । ମାଧକୁ ଡାକି କହିଲି–ଭିତରେ କହିଦେ, ମୁଁ ଏବେ ଯାଉଛି-

 

ମାଧ ମୋ ବାର୍ତ୍ତା ନେଇ ଭିତରେ ଦେଇ ଫେରିଆସି ମୋତେ କହିଲା–ମା’ କହିଲେ, ଆପଣ ଆଉ ଟିକିଏ ବସନ୍ତୁ, ସେ ଆସୁଚନ୍ତି ।

 

ଟିକିଏ ବସିବାପରେ ନୟନା ଆସିଲେ । କହିଲେ–ଏ କେମିତି କଥା, ନୀଳମାଧବବାବୁ-? ଆମେ ଆପଣଙ୍କୁ ରାତ୍ରିଭୋଜନ ପାଇଁ ଡାକିଚୁ । ମୁଁ ନିଜେ ସେଥିପାଇଁ ରନ୍ଧାବଢ଼ା କରୁଚି-। ଆପଣ ଚାଲିଯିବେ କ’ଣ କହୁଚନ୍ତି ?

 

ମୁଁ କହିଲି–ଦେଖନ୍ତୁ ଆଜ୍ଞା, ପାଞ୍ଚମାଇଲ ବାଟ ମୋତେ ସାଇକେଲରେ ଯିବାକୁ ପଡ଼ିବ-। ରାତି ବେଶି ହେଲେ ନିଛାଟିଆ ରାସ୍ତାରେ ଏକାଏକା ଯିବା ସମ୍ଭବ ନୁହେଁ-। ଖାଇବାଟା କ’ଣ ବଡ଼କଥା ? କ’ଣ ପାଇଁ ଡାକିଥିଲେ ସେ ସଂକ୍ରାନ୍ତରେ କଥାବାର୍ତ୍ତା ହେଇଗଲେ ଭଲ ହୁଅନ୍ତା-

 

ନୟନା କହିଲେ–ଆଉ ଅଳ୍ପ ସମୟ ଭିତରେ ରନ୍ଧାବଢ଼ା ଶେଷ ହେଇଯିବ; ମୁଁ ତ ନିଜେ ମରିପଡ଼ି ସେଥିପାଇଁ ଲାଗିଚି । ଆଉ ଟିକିଏ ବସନ୍ତୁ । ନହେଲେ ପୁଅ ରାଣ ପକେଇଦେବି ଯେ, ଯାଇପାରିବେନି ।

 

ହଠାତ୍‌ ଏଇ ଆନ୍ତରିକତାରେ ମୁଁ ଆତ୍ମବିସ୍ମୃତ ହେଲି । ତାଙ୍କର ଏ ପ୍ରକାର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଚାଲିଆସିବା ମୋ ପକ୍ଷରେ କେମିତି ସମ୍ଭବ ହେବ ? ବାଧ୍ୟ ହେଲି ବସିବାକୁ । ସେ ଭିତରକୁ ଗଲେ ରୋଷେଇଘରେ ପଶିବେ । ରନ୍ଧାବଢ଼ା କରିବାକୁ ଆଉ କିଏ ଅଛି ? ଯେଉଁ ପିଅନଟି ଏ କାମ କରୁଥିଲା, ତା’ ଅବସ୍ଥା ତ ମୋତେ ଜଣା । ସେ ତ ଆଉ ଆସୁନାହିଁ । ମାଧ ସାହାଯ୍ୟକାରୀ । ରାତି ନ’ଟା ବାଜିଲା । ମୋର ସମ୍ପୂର୍ଣ୍ଣ ଧୈର୍ଯ୍ୟଚ୍ୟୁତି । ନୟନା ମିଶ୍ର ପୁଣି ଥରେ ବାହାରକୁ ଆସିଲେ–ସବୁ ରେଡ଼ି । ମୁଁ ବଢ଼ାବଢ଼ି କରୁଚି ।

 

ନ ଖାଇବାର ବାଟ କାହିଁ ? କିନ୍ତୁ ଖାଲି ଖାଇବାପାଇଁ କ’ଣ ସେମାନେ ମୋତେ ଡାକିଛନ୍ତି । ମୁଁ ଅପେକ୍ଷା କରୁଥିଲି ସେମାନେ ଯଦି ପିଅନର ଅଭିଯୋଗ କଥା ଉତ୍ଥାପନ କରନ୍ତି ମୁଁ ତାଙ୍କୁ ସ୍ପଷ୍ଟଭାବେ କହିବି ଯେ–ସଂଘ ଯାହାର ବିଚାର ହାତକୁ ନେଇଚି, ସେ ସମ୍ପର୍କରେ ମୁଁ ଏକାଏକା କିଛି କହିପାରିବି ନାହିଁ ।

 

ଭୋକବି ଲାଗିଲାଣି ଅସମ୍ଭବ । ଭିତରେ ଟେବୁଲ୍‌ ଉପରେ ଖଡ଼ଖଡ଼ ଶବ୍ଦ । ମାଧ ଆସି କହିଲା–ଆସନ୍ତୁ ।

 

ବୋଫେ ଟାଇପ୍‌ ଡିନର । ଟେବୁଲ୍‌ ଉପରେ ସବୁ ବଢ଼ାବଢ଼ି ହେଇ ପାତ୍ରରେ ରହିଚି । ନୟନା ପ୍ଲେଟ ସଜେଇ ରଖୁଚନ୍ତି । ତିନିଙ୍କର ଏକତ୍ର ଭୋଜନ । ଟେବୁଲ୍‌ର ଗୋଟାଏ ପାଖରେ ବସିଥାଉ ମୁଁ ଓ ଜଗଦୀଶବାବୁ । ଆମର ସାମନାସାମନି ବସିଥାନ୍ତି ନୟନା । ଖାଇବା ଆରମ୍ଭ କରିବା ପୂର୍ବରୁ ଜଗଦୀଶବାବୁ କହିଲେ–ଆଜି ଚାକର–ରନ୍ଧା କିଛି ନାହିଁ । ସବୁ ନୟନା ରାନ୍ଧିଛି ।

 

ନୟନା ହଠାତ୍‌ କହିଉଠିଲେ–ମୁଁ କ’ଣ ରାନ୍ଧି ଜାଣେ ଯେ ମୋ ରନ୍ଧା ମନକୁ ପାଇବ ? ତାଙ୍କ ଘରର ଗୁଜୁରାଟୀ ଘରଣୀ ବହୁ ପ୍ରକାର ରାନ୍ଧିଶିଖିଥିବେ । ମୁଁ କୋଉଠୁ ଶିଖିବି ? ବାପଘରେ ତ ମୋର ରାନ୍ଧିବାର ସୁଯୋଗ ନଥିଲା । ବାହାଘର ପରେ ଯାହା ଶିଖିଚି । ମୁଁ ନିଜେହିଁ ମୋ ନିଜ ଗୁରୁ, କେହି ମୋତେ ଶିଖେଇନାହିଁ ।

 

ଭଦ୍ରତା ଖାତିରିରେ ମୁଁ କହିଲି–ଆପଣଙ୍କ ରାନ୍ଧଣା ଅତି ଚମତ୍କାର ହେଇଚି ।

 

ସେ ହସିଲେ । ଏଇଟା ଖାଆନ୍ତୁ ସେଇଟା ଖାଆନ୍ତୁ କହି ମୋତେ ଅନେକ ଖୁଆଇଲେ । ମୁଁ ବି ଆକଣ୍ଠ ଗ୍ରାସ କଲି । ରୁଚିକର ଖାଦ୍ୟ ପାଇଲେ ଅଧିକ ଖାଇଦେବା ସଚରାଚର ଦେଖାଯାଏ-। ଖାଇସାରିବାବେଳକୁ ରାତି ଦଶ ବାଜିଯାଇଥିଲା । ମୁଁ ଭାବୁଥିଲି ଫେରିବି କେମିତି-?

ଜଗଦୀଶବାବୁ କହିଲେ–ଏତେ ରାତିରେ ନିଛାଟିଆ ବାଟରେ କ’ଣ ଫେରି ପାରିବେ । ନୟନା ଆଜି ଆପଣଙ୍କୁ ଅଡ଼ୁଆରେ ପକେଇଦେଲା ।

ନୟନା କହିଲେ–ସେଥିପାଇଁ କ୍ଷମା ମାଗୁଛି ।

ଜଗଦୀଶବାବୁ କହିଲେ–ବରଂ ରାତିଟା ଆମ ଘରେ ଶୋଇପଡ଼ନ୍ତୁ । କାଲି ଭୋର ଭୋର ଉଠି ଚାଲିଯିବେ ।

ନୟନା କହିଲେ–ତୁମେ କିଭଳି କଥା କହୁଚ । ଏଠି ଶୋଇପଡ଼ିଲେ କାଲି ଘରେ କୈଫିୟତ୍‌ ଦବାକୁ ପଡ଼ିବନି ?

ଏଇ କଥାରେ ଦୁଇଜଣଯାକ ହସିଉଠିଲେ । ମୋ ମୁହଁ ଲାଲ୍‌ ପଡ଼ିଗଲା ।

ନୟନା କହିଲା–ବୁଝିଲେ ନୀଳମାଧବବାବୁ ! ସବୁ ଦୋଷ ମୋର । ଖାଇବାକୁ ଡାକି ତ ଦୋଷ କରିଚି; ପୁଣି ଏତେ ରାତିରେ ଯଦି ନିଛାଟିଆ ବାଟରେ ଆପଣଙ୍କୁ ଘରକୁ ପଠେଇଦିଏ ଓ ଭଗବାନ ନକରନ୍ତୁ ବାଟରେ ଯଦି କିଛି ଅଘଟଣ ଘଟିଯାଏ, ମୋ ଦୋଷ ଆହୁରି ବଢ଼ିଯିବ । ତା’ଠାରୁ କାଲି ଘରେ ଗାଳି ଶୁଣିବେ ପଛେ, ରାତିରେ ଯିବାର ଦୁଃସାହସ କରନ୍ତୁ ନାହିଁ ।

‘ହଁ’–ଜଗଦୀଶବାବୁ ପାଳିଦେଲେ ।

କିନ୍ତୁ ମୁଁ ନଗଲେ ମୋ ଅବସ୍ଥା କ’ଣ ହବ ? ଉଷା ସାରା ରାତି ଅନିଦ୍ରା ରହି ଦୁଶ୍ଚିନ୍ତାରେ କଟେଇବ । ମୁଁ ସକାଳେ ଯାଇ ତାକୁ କି କୈଫିୟତ୍‌ ବା ଦେବି ? କେଉଁଠି ଅଟକିଲି ? କେଉଁ କାମରେ ଅଟକିଲି ? ଯିବି ନା ଯିବିନାହିଁ–ଏଇ ଦ୍ୱନ୍ଦ୍ୱ ଯୋଗୁଁ ମୁଁ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରୁ ନଥିଲି । ଯିବା ତ ଆବଶ୍ୟକ; କିନ୍ତୁ ଏକାଏକା ଯିବି କେମିତି ? ମଝି ବାଟଟା ଏତେ ନିଛାଟିଆ ଯେ ଦିନ ଦିପହରେବି ଏକା ଯିବାକୁ ଡରଲାଗେ । ରାତିଅଧରେ ସାଇକେଲ୍‌ରେ ଏକାଏକା ଯିବା ଯେ ଚରମ ଦୁଃସାହସ ଏଥିରେ ସନ୍ଦେହ ନାହିଁ ।

ଜଗଦୀଶବାବୁଙ୍କ ଆଖି ବୁଜିଆସୁଥିଲା । ନୟନା କହିଲେ–ଖାଇସାରିବାମାତ୍ରେ ତୁମ ଆଖି ତ ନିଦରେ ବନ୍ଦ ହେଇଯାଏ । ବିଛଣା ଧରିଲେ ତ ତୁମେ ଚେତା ହରାଅ । ଉପରେ ଶଗଡ଼ ଚାଲିଗଲେବି ତୁମ ନିଦ ଭାଙ୍ଗେନାହିଁ । ଏମିତିକା ମଣିଷ.....

ଜଗଦୀଶବାବୁ କହିଲେ–କ’ଣ ପୁଣି ଠିକ୍‌ ହେଲା ?

ନୟନା କହିଲେ–ଯାହା ହବାର କଥା ହବ । ତୁମେ ଯାଅ ଶୋଇବ । ମୁଁ ତାଙ୍କ ବ୍ୟବସ୍ଥା ବୁଝୁଚି ।

ଜଗଦୀଶବାବୁ ଚାଲିଗଲେ । ନୟନା କହିଲେ–ଆଉ ଭାବୁଚନ୍ତି କ’ଣ ? ପାଖଘରେ ମୁଁ ବିଛଣା କରି ଦେଉଛି; ଆରାମରେ ଶୋଇପଡ଼ିବେ । ବାକି ଉଷା ପଚାରିଲେ, କହିବେ ନାହିଁଟି ମୁଁ ଆପଣଙ୍କୁ ଅଟକେଇ ନେଲି ବୋଲି । ନୋହିଲେ ସେ ବି ଶେଷରେ ମୋତେ ସନ୍ଦେହ କରିବସିବ ।

ହସି ଦେଇ ସେ ପାଖଘରେ ବିଛଣା ସଜାଡ଼ିବାକୁ ଚାଲିଗଲେ । ମୋ ମନରେ ହଠାତ୍‌ କାହିଁକି କେଜାଣି ଭୟର ସଂଚାର ହେଉଥିଲା । ବିଛଣାର ବ୍ୟବସ୍ଥା କରି ଆସି ମୋତେ ଡାକିଲେ । ମୁଁ ବି ମନ୍ତ୍ରଚାଳିତ ପରି ତାଙ୍କର ଅନୁଗମନ କଲି । ଘରେ ବିଛଣା କରି ଧୂପ ଲଗେଇ ଦେଇଛନ୍ତି ।

ଏକ ଆଶ୍ଚର୍ଯ୍ୟ ଅନୁଭୂତି । ଆୟୋଜନ ଦେଖି ମନେହେଲା–ମୁଁ କ’ଣ ଏ ଘରେ ଜୋଇଁ କୁଣିଆ ! ହଠାତ୍‌ ନୟନାଙ୍କର ଏ ପରିବର୍ତ୍ତନ କାହିଁକି ? ତାଙ୍କ ପିଅନ ସଂଘ ନିକଟରେ ଅଭିଯୋଗ କରିଚି; ତେଣୁ ଭୟ ? ତା’ ତ ନୁହେଁ । ଭୟର ସୂଚନା କାହିଁ ? କ’ଣ ତାଙ୍କ ମତଲବ ?

ସ୍ତ୍ରୀୟାଂ ଚରିତ୍ରମ୍‌ ପୁରୁଷସ୍ୟ ଭାଗ୍ୟମ୍‌

ଦେବୋ ନ ଜାନାତି କୁତଃ ମନୁଷ୍ୟାଃ ?

 

ସେ ପଚାରିଲେ–ସଙ୍ଗେ ସଙ୍ଗେ ଶୋଇବେ ନା ଗପ କରିବାର ଅଭ୍ୟାସ ଅଛି ?

 

ମୁଁ କିଛି କହିଲି ନାହିଁ । ସେ ବାହାରକୁ ଯାଇ ସଙ୍ଗେ ସଙ୍ଗେ ଫେରିଆସିଲେ । ମୁଁ ସେମିତି ଠିଆହୋଇ ରହିଥିଲି । ସେ କହିଲେ–ଖଟକୁ ଯାଉନାହାନ୍ତି ? ମୁଁ ଯାଇ ଖଟ ଉପରେ ବସିଲି । ସେ କହିଲେ–ଆପଣଙ୍କ ବସ୍‌ ନିଦରେ ଶୋଇ ଘୁଙ୍ଗୁଡ଼ି ମାରିଲେଣି । ଏମିତିକା ମଣିଷ ସେ, ଖାଇସାରିବାପରେ ମିନିଟିଏବି ଚାହିଁ ରହିପାରିବେନି ।

 

ମୁଁ ଟିକିଏ କୌତୁକ କରି କହିଲି–ଇଂରାଜୀରେ ଥିବା Early to bed and early to rise କଥାଟାକୁ ସେ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି । ସ୍ୱାସ୍ଥ୍ୟପକ୍ଷରେ ସେଇଟା ଭଲ ।

 

ସେ କହିପକାଇଲେ–ସ୍ୱାମୀର ସ୍ୱାସ୍ଥ୍ୟ ଯଦି ସ୍ତ୍ରୀର କାମରେ ନ ଲାଗିଲା, ସେ ସ୍ୱାସ୍ଥ୍ୟର ମୂଲ୍ୟ କ’ଣ ? ସ୍ୱାସ୍ଥ୍ୟକୁ ଯେ ଜଗିବ ସେ ବ୍ରହ୍ମଚାରୀ ରହିବା ଦରକାର । ବୁଝିଲେ, ଆପଣମାନେ ଯୋଉମାନେ ଦଶରୁ ପାଞ୍ଚ ଯାଏଁ ଅଫିସ୍ କରନ୍ତି ଓ ରାତି ହେଲେ ଅଚେତ ହୋଇ ଶୋଇପଡ଼ନ୍ତି, ସେମାନେ ସବୁ ବିବାହ କରିବା ଉଚିତ ନୁହେଁ ।

 

ମୁଁ ନୟନାଙ୍କ ପାଖରେ ଏଯାଏ ନିଜକୁ ମୁକ୍ତ କରିପାରି ନଥିଲି; କିନ୍ତୁ ତାଙ୍କର କଥାଗୁଡ଼ାକ ଶୁଣି ମୁଁ ଆଉ ମୋର ଗାମ୍ଭୀର୍ଯ୍ୟ ରଖିପାରିଲି ନାହିଁ । ହସିପକାଇଲି । ସେ ବୋଧେ ଟିକିଏ ଉତ୍ସାହିତ ହେଲେ । କହିଲେ–ଆପଣ ଖାଇସାରି କୁମ୍ଭକର୍ଣ୍ଣ ଭଳି ନିଦ୍ରାଯିବାକୁ ଆପଣଙ୍କ ସ୍ତ୍ରୀ ବୋଧହୁଏ ପସନ୍ଦ କରୁ ନଥିବେ ।

 

ମୋ ସହିତ ଏସବୁ ଆଲୋଚନାର ଅର୍ଥ ଏବଂ ଉଦ୍ଦେଶ୍ୟ ମୁଁ ବୁଝି ପାରୁ ନଥିଲି । ସେ ଚୌକି ଛାଡ଼ି ଖଟ ଉପରେ ମୋରି ପାଖରେ ବସିଲେ । କହିଲେ–ନୀଳମାଧବବାବୁ, ଆପଣ ମୋ ଉପରେ ଅନେକ ରାଗିଥିବେ । ବାବୁ କହୁଥିଲେ, ଆପଣ କର୍ମଚାରୀ ସଂଘର ସେକ୍ରେଟାରି ହବାପରେ ଆମ ବିରୁଦ୍ଧରେ କୁଆଡ଼େ ଯୁଦ୍ଧ ଘୋଷଣା କରିଛନ୍ତି । ଯାହା କିଛି ହେଇଚି, ସବୁ ଦୋଷ ମୋର । କ’ଣ କରିଥାନ୍ତି କହନ୍ତୁ । ବାବୁ ତ ଭୋଳାମହେଶ । ଘର କଥା କିଛି ବୁଝନ୍ତିନି । ସେ ଯେ ଏ ଘରର ଜଣେ ମଣିଷ, ସେକଥାବି ଅନେକ ସମୟରେ ଭୁଲିଯାଆନ୍ତି । କେତେ ତାଙ୍କୁ ତିଆରିବି । ସେ ହେଲେ ‘‘ଯେତେ ମାଠିକୁ ମାଠ, ମୁଁ ତ ସେଇ ଦରପୋଡ଼ା କାଠ ।’’ ଯାହା ଟଙ୍କା ମିଳୁଛି ତା’ ନିଅଣ୍ଟ । ତାଙ୍କ ଘରେବି ଏମିତି କିଛି ସମ୍ୱଳ ନାହିଁ ଯେ ଆଣି ସମୟ ଅସମୟରେ ଚଳେଇନେବୁ । ବାହାଘର ପରେ ମୋ ବାପାବି କାହିଁକି ଆମକୁ ଚଳେଇବେ । ଥରେ–ଅଧେ ସିନା ଚଳେଇପାରନ୍ତି; କିନ୍ତୁ ସବୁ ସମୟରେ ବାପଘରେ ମୁଁ ହାତ ପତେଇବି କାହିଁକି ? ଛୁଆଟା ଅମୂଲ ବିସ୍କୁଟ୍‍ ଦୁଧ ଛଡ଼ା ଆଉ ତ କିଛି ଖାଉନି । ସେଥର ଆପଣ ଦି’ଟା ଅମୂଲ ଆଣିଦେଲେ ବୋଲି ଚଳିଗଲି । ନହେଲେ ୟାଙ୍କ ଉପରେ ନିର୍ଭର କରି ରହିଥିଲେ ଛୁଆଟା ଖାଡ଼ାଖାଡ଼ା ଉପାସ ରହିଥାନ୍ତା ? ବାଧ୍ୟହେଇ ଆପଣଙ୍କୁ କହିଥିଲି । ସେମିତି ଆମ ପଡ଼ିଶା ସବୁଘର ପିଲାଙ୍କର ତିନିଚକିଆ ସାଇକେଲ୍‌ ଅଛି । ସେଗୁଡ଼ା ଦେଖି ଆମ ଝିଅ କାନ୍ଦୁଚି । ବାବୁଙ୍କୁ କହି କହି ଶୁଣିଲେ ନାହିଁ । ଏପର୍ଯ୍ୟନ୍ତବି କହିଲି–ଯଦି ଟଙ୍କା ନାହିଁ ପ୍ରୋଭିଡ଼େଣ୍ଟ୍‌ ଫଣ୍ଡ୍‍ରୁ କିଛି ଟଙ୍କା ଆଣ । ତା’ବି ଆଣିଲେ ନାହିଁ । ତାଙ୍କ ସାନଭଉଣୀ ବାହାଘରବେଳକୁ ଆଣିବେ ।

 

ମୁଁ ପଚାରିଲି–ବାବୁ ଯାହା ଦରମା ପାଉଛନ୍ତି, ସେଥିରେ ଚଳିପାରୁନାହାନ୍ତି କିପରି ? କାପିଟାଲରେ ଆପଣଙ୍କ ବାବୁଙ୍କଠୁ କମ୍‌ ଦରମା ପାଉଥିବା ଲୋକ ତ ପୁଣି ପରିବାର ଚଳେଇ ରହିଚନ୍ତି ।

 

ସେ କହିଲେ–ବାବୁଙ୍କ ଘରେ ତାଙ୍କ ବାପା–ମା’ ସାନଭଉଣୀ ସାନଭାଇ ପ୍ରଭୃତିଙ୍କ ଖର୍ଚ୍ଚ ବାବଦକୁ ମାସିକ ଦୁଇଶହ ଟଙ୍କା ପଠାଇଦିଆଯାଏ । ସାନଭାଇ ବି.ଏ. ପଢ଼ୁଚି, ତା’ କଲେଜ ଖର୍ଚ୍ଚପାଇଁ ତାକୁ ମାସକ ଦୁଇଶହ ଟଙ୍କା ଦିଆଯାଏ । ୟା’ପରେ ଆଉ ଯାହା ରହେ, ସେଥିରେ ଘର ଚଳିବ କେମିତି ଆପଣ କହନ୍ତୁ ।

 

ସତରେ, ମାସିକ ଦରମାରୁ ଚାରିଶହ ଟଙ୍କା ଯିବାପରେ ଆଉ ଯାହା ରହିବ, ସେଥିରେ ଚଳିବା ଏକବାରେ ସମ୍ଭବ ନୁହେଁ ।

 

ସେ କହିଲେ–ଆପଣ ବୋଲି ସିନା ମୁଁ କହିପାରିଲି; ଆଉ କାହାକୁ କ’ଣ କହିପାରିଥାନ୍ତି-? ଆପଣଙ୍କୁ ଦେଖିବା ଦିନଠୁ ପର ବୋଲି ଭାବିନାହିଁ । ସବୁବେଳେ ମନେହେଉଛି ଆପଣ ମୋର ଅତି ନିଜର ।

 

ଶ୍ରୀମତୀ ମିଶ୍ର ଦୀର୍ଘନିଃଶ୍ୱାସ ପକାଇଲେ । ଏତେବେଳେ ମୁଁ ତାଙ୍କ ମୁହଁକୁ ଭଲ କରି ଚାହିଁଲି । ସେ ମୁହଁରେ କେଉଁ ଏକ ଅବ୍ୟକ୍ତ ବେଦନାର ସ୍ପଷ୍ଟ ଛାପ । ସେ ବୋଧହୁଏ ମୋ ଆଡ଼କୁ ଆଉ ଟିକିଏ ଘୁଞ୍ଚି ଆସିଲେ ।

 

କହିଲେ–ମୋ ଭାଗ୍ୟ ଖରାପ । ଗୋଟାଏ ପିଅନର କେଇଟା ବା ଟଙ୍କା ମୁଁ ଦେଇପାରୁନାହିଁ । ଝିଅପାଇଁ ଖଣ୍ଡେ ଭଲ ପୋଷାକ କରିପାରୁନାହିଁ । ଆଉ ମୋର ଯେଉଁ ଦୁଃସାଧ୍ୟ ରୋଗ ତା’ର ଚିକିତ୍ସାପାଇଁ କଲିକତା ଯାଇପାରୁନାହିଁ ।

 

–ଦୁଃସାଧ୍ୟ ରୋଗ ! ତା’ପାଇଁ ପୁଣି କଲିକତା ଯିବା ପ୍ରୟୋଜନ ! କ’ଣ ହେଇଚି ?

 

–ଆପଣ ଜାଣି ଲାଭ ? ନା, ନା, କେହି ଜାଣିବା ଦରକାର ନାହିଁ । ସଂସାରରେ ଜନ୍ମ ହେଲେ ଦିନେ ତ ମରିବାକୁ ପଡ଼ିବ । ମୁଁ ନହେଲେ ମରିବା ସମୟ ହବା ଆଗରୁ ମରିଯିବି । ସେଥିପାଇଁ ମୋର ଦୁଃଖ ନାହିଁ । ଖଣ୍ଡେ କାଠ ଯାହା, ଆମ ବାବୁ ସେଇୟା । ନହେଲେ କଟକର ବଡ଼ଡ଼ାକ୍ତରମାନେ ଯେତେବେଳେ ରୋଗଟାପାଇଁ କଲିକତା ଯିବାକୁ ପରାମର୍ଶ ଦଉଚନ୍ତି, ସେତେବେଳେ ସେ କ’ଣ ଯାଇ ପାରନ୍ତେନି ! ଟଙ୍କା ନାହିଁ ତ ମୋ ବାପା ଦବାକୁ ରାଜି । କିନ୍ତୁ ମୁଁ ତ ଏକାଏକା ଯାଇ କଲିକତାରେ ଡାକ୍ତର ଦେଖେଇପାରିବିନି ।

 

ମୁଁ ଜାଣିବାକୁ ଚାହୁଁଥିଲି କ’ଣ ଏମିତି ଦୁଃସାଧ୍ୟ ରୋଗ ତାଙ୍କୁ ହେଇଚି । ସେ ଅଭିମାନରେ କହୁ ନଥିଲେ । ପୁରୁଷଜାତିଟା ପ୍ରତି ତାଙ୍କର ଅବିଶ୍ୱାସ ଆସିଚି ।

 

ସେ ଅନୁନୟ ବିନୟ କରି କହିଲେ–ଏଇ ଅବସ୍ଥାରେ ଆପଣ ଯଦି ଆମ ଉପରେ ନିଜର ରାଗ ସୁଝେଇବାକୁ ଚାହାନ୍ତି, ଆମେ କ’ଣ କରିବୁ ? ମୋର ସର୍ବନାଶ ହେଇଯିବ । ଆପଣ ଆମର ହେଇ ଆମକୁ ସାହାଯ୍ୟ କରନ୍ତୁ । ସେ ପିଅନର କ୍ଷୀର ପଇସା କାଲି ଆମେ ଦେଇଦବୁ । ଆପଣ ସମାଧାନ କରିଦିଅନ୍ତୁ ।

 

ମୁଁ କହିଲି–ସଂଘର ଅନ୍ୟ ସଭ୍ୟମାନଙ୍କ ସହିତ ପରାମର୍ଶ କରି ମୁଁ କାଲି କହିବି ।

 

ସେ କହିଲେ–ସଚିବାଳୟର ମୁଖ୍ୟ ଶାସନ–ସଚିବ ବାବୁଙ୍କୁ ଡାକି କହିଚନ୍ତି, ଆଜି ଭିତରେ କ୍ଷୀର ପଇସା ନ ଦେଲେ ସେ ବାବୁଙ୍କୁ ଦଣ୍ଡ ଦେବେ । ଆମ ବାବୁଙ୍କର କୌଣସି କଥା ସେ ଶୁଣିଲେ ନାହିଁ । କ୍ଷୀର ତ ନେଇଚୁ, ମନାକଲେ କେହି କ’ଣ ବିଶ୍ୱାସ କରିବେ ?

 

ସେ ବ୍ୟସ୍ତହେଇ ମୋ ହାତ ଧରିପକେଇଲେ । ମୁଁ କହିଲି–ଏମିତି ଅଧୀର ହେଉଛନ୍ତି କାହିଁକି ? ଯାହା ହବ ଦେଖାଯିବ ।

 

ସେ କହିଲେ–ମୋ ଉପରେ ଆପଣଙ୍କ ଧାରଣା ବଦଳିଛି କି ନାହିଁ କହନ୍ତୁ ?

 

ମୁଁ କହିଲି–ଅବସ୍ଥାଚକ୍ରରେ ପଡ଼ି ମଣିଷ କେତେବେଳେ କ’ଣ କରେ, ହୁଏତ ପରେ ସେ ନିଜେ ସେଥିପାଇଁ ଅନୁତାପ କରେ । ଆପଣ ଯେତେବେଳେ ନିଜର ଭୁଲ ବୁଝିସାରିଲେଣି ଓ ସେଥିପାଇଁ ନିଜେ ଦୁଃଖ ପ୍ରକାଶ କରୁଚନ୍ତି, ସେଥିରେ ମୋର ଆଉ କ’ଣ କହିବାର ଅଛି ? ମୁଁ ଆପଣଙ୍କ ପିଅନ ସହିତ କଥାବାର୍ତ୍ତା କରି ତାକୁ କହିବି, ଆସି ପଇସା ନେଇଯିବ ।

 

ସେ କହିଲେ–ଆପଣ ନେଇ ତାକୁ ଦେଇଦେବେ ।

 

ମୁଁ କହିଲି–ଖାଲି ଦେଇଦେଲେ ତ ହେବ ନାହିଁ । ତାକୁ ସସ୍‌ପେଣ୍ଡ୍‌ କରାଯାଇଛି । ସେ ସମ୍ପର୍କରେ ମଧ୍ୟ କାର୍ଯ୍ୟାନୁଷ୍ଠାନ କରାଯିବା ଦରକାର ।

 

ସେ କହିଲେ–ବାବୁ କହୁଥିଲେ, ତାକୁ ହଠାତ୍‌ ପୁଣି ଚାକିରିରେ ଜଏନ୍‌ କରିଦେଲେ ପ୍ରସିଡ଼ିଂଟା ମିଛ ହେଇଯିବ । ସେତେବେଳେ ବାବୁଙ୍କ ଉପରକୁ ଆଞ୍ଚ ଆସିପାରେ ।

 

ମୁଁ କହିଲି–ନା ନା, ସବୁକଥା ସମାଧାନ କରିଦିଆଯିବ; କିଛି ଅସୁବିଧା ହବନି ।

 

ସେ ଆଶ୍ୱସ୍ତ ହେଲେ । ତାଙ୍କ ଆଖିରେ ନିଦ ଭରିଆସୁଥିଲା । ସେ ହାଇ ପରେ ହାଇ ମାରୁଥିଲେ । ମୁଁ କହିଲି–ଏବେ ଯାଆନ୍ତୁ, ଶୋଇବେ ।

 

ସେ କହିଲେ–ଜୀବନର ଅଧା ତ ଶୋଇ ଶୋଇ କଟେଇ ଦେଇ ସାରିଲିଣି; କେତେ ଶୋଇବି ? ଆପଣଙ୍କ ସହିତ ଏମିତି ବସି ଗପ କରିବାର ସୁଯୋଗ କ’ଣ ଆଉ ମିଳିବ ? ସତରେ, ଆପଣଙ୍କ ପ୍ରତି ଯୋଉ ବ୍ୟବହାର ମୁଁ କରିଚି, ସେଥିପାଇଁ ଖୁବ୍‌ ଦୁଃଖିତ ।

 

–ପୁଣି ସେ ପଛକଥାର ପୁନରାବୃତ୍ତି କାହିଁକି ? ତାକୁ ଦୁଃସ୍ୱପ୍ନ ପରି ଭୁଲିଯବା ଭଲ ।

 

ସେ କହିଲେ–ଆପଣଙ୍କୁ ଖାଲି ଦେହରେ କେବେ ଦେଖି ନଥିଲି । ଆପଣଙ୍କ ସ୍ୱାସ୍ଥ୍ୟ ଖୁବ୍‌ ଲୋଭନୀୟ । କ’ଣ କରି ଏମିତି ଅତୁଟ ସ୍ୱାସ୍ଥ୍ୟ ରଖିଚନ୍ତି ?

 

ମୋ ଆଖିକିବି ନିଦ ଘାରିଆସୁଥିଲା । ତଥାପି ସେ ଯାଉ ନଥିଲେ । କ’ଣ ଆଉ ବାକି ରହିଗଲା ଯେ ଯୋଉଥିପାଇଁ ସେ ଯାଉନାହାନ୍ତି ।

 

ସେ କହିଲେ–ନୀଳମାଧବବାବୁ, ମୁଁ ଯଦି ୟା’ରି ଭିତରେ କଲିକତା ଯିବାର ଯୋଗାଡ଼ କରେ, ଆପଣ ଦିନେ ଦିଦିନପାଇଁ ମୋ ସହିତ ଯାଇ ପାରିବେ ?

 

ମୁଁ କହିଲି–ସେ ବେଳ ଆସୁ ।

 

ସେ କହିଲେ–ହଉ, ମୁଁ ଯାଉଛି । ଆପଣ ଏବେ ଶୁଅନ୍ତୁ । ଏକାଏକା ଶୋଇ ମୋତେ ଗାଳିଦେବେନି ।

 

ସେ ଚାଲିଗଲେ । ମୁଁ ଆଶ୍ୱସ୍ତିର ଏକ ନିଃଶ୍ୱାସ ମାରି ଘର ଭିତରୁ କବାଟ ବନ୍ଦ କରିଦେଲି ।

 

ଭୋର ଭୋର ନିଦ ଭାଙ୍ଗିଗଲା । ମୁଁ ଉଠିପଡ଼ିଲି । ମୋ ଆଖିରୁ ରାତିର ନିଶା କଟିଯାଇଥିଲା । ଘରଭିତରେ ଶୂନଶାନ୍‌ । ନୟନା ଓ ଜଗଦୀଶବାବୁ ଏ ମୁହୂର୍ତ୍ତରେ ନିଶ୍ଚୟ ଖୁବ୍‌ ଆରାମରେ ଶୋଇରହିଥିବେ । ବାହାରଟା ପରିଷ୍କାର ହେଇଗଲାଣି । ମୁଁ ଆଉ ମୁହୂର୍ତ୍ତେ କାଳବିଳମ୍ୱ ନ କରି କାହାରିକୁ କିଛି ନ କହି ସାଇକେଲ୍‌ ଧରି ବାହାରିପଡ଼ିଲି । ନୟନା ଆସି ସାମନାରେ ଠିଆହେଇଗଲେ । –ଏ କ’ଣ ? ସେ ରାତିସାରା ଶୋଇନାହାନ୍ତି ?

 

କହିଲେ–ଆପଣଙ୍କ ପାଇଁ ଚା’ ବସେଇ ସାରିଚି ।

 

ମୁଁ କହିଲି–ଥାଉ । ମୁଁ ଶୀଘ୍ର ଯାଏଁ ।

 

ସେ କହିଲେ–ଦୁଇ ମିନିଟ୍‌ରେ ଆଣୁଚି ।

 

ମୁଁ ବାରଣ୍ଡାରେ ଠିଆହେଇଗଲି । ସତକୁସତ ସେ ଭିତରକୁ ଯାଇ ସାଙ୍ଗେ ସାଙ୍ଗେ ଚା’ ନେଇ ଆସିଲେ । ଠିଆ ଠିଆ ପିଇଦେଇ ମୁଁ ବାହାରି ଆସିଲି ।

 

ଆସିବାବେଳେ ସେ କହିଲେ–ନମସ୍କାର । ମଝିରେ ମଝିରେ ଆସିବେ । ଯାହା କହିଛି ସେଗୁଡ଼ା ଯେମିତି ଆଜି ଭିତରେ କରିଦିଅନ୍ତି ।

 

ସାଇକେଲ୍‌ ପବନ ପରି ଚଳେଇ ମୁଁ ଚାଲିଚି–ପଡ଼ିଲେ ଛ’ ଖଣ୍ଡ ହେଇଯିବି ।

 

ଗାଁମୁଣ୍ଡରେ ପହଞ୍ଚିବାମାତ୍ରେ ହଠାତ୍‌ କାହିଁକି କେଜାଣି ମନଟା ଏକ ଅଜଣା ଆଶଙ୍କାରେ ଥରିଉଠିଲା । ଗାଁମୁଣ୍ଡରୁ ଆମ ଘର ଚାଲି ଚାଲି ଗଲେ ପାଞ୍ଚମିନିଟ୍‌ର ରାସ୍ତା । ସାଇକେଲ୍‌ର ପେଡ଼ାଲରେ ଗୋଡ଼ ଅଟକିଯାଉଚି । ଘରେ ପହଞ୍ଚିବାକୁ ତିନିମିନିଟ୍‌ ସମୟ ଲାଗିଲା । ଘରଟାକୁ ଚାହିଁଦେଇ ମୁଁ ଆଉରି ଜୋରରେ ଥରି ଉଠିଲି । କ’ଣ ଅଘଟଣ ଘଟିଗଲା କି ?

 

ବାହାରେ ଚାରି ପାଞ୍ଚଜଣ କୁଟୁମ୍ୱ ବସିଚନ୍ତି । ସନା କକେଇ ଦାଣ୍ଡଦୁଆରେ ଠିଆ ହେଇ ସେମାନଙ୍କୁ କ’ଣ କହୁଛନ୍ତି । ଏକ ନିରାନନ୍ଦମୟ ପରିବେଶ ଘରଟାକୁ ଯେମିତି ଆଚ୍ଛନ୍ନ କରି ରଖିଚି-। ମୁଁ ଭାବିପାରୁନାହିଁ ମୋର ଗୋଟିଏ ରାତିର ଅନୁପସ୍ଥିତିରେ କ’ଣ ସବୁ ଘଟିଯାଇଚି-

 

ମୁଁ ଯାଇ ପିଣ୍ଡାକୁ ସାଇକେଲ୍‌ଟା ଡେରିଦେଲି । ପାଦ ଦି’ଟା ଖୁବ୍‌ ଚଞ୍ଚଳ ହେଇ ଉଠିଚନ୍ତି-। ସନା କକେଇ ବା ଅନ୍ୟମାନେ କେହି କିଛି ମୋତେ କହିଲେ ନାହିଁ । ମୁଁ ସିଧା ଘରଭିତରକୁ ଗଲି, କି ବିପଦ ଘଟିଛି ତା’ର ସାମନାସାମନି ହେବାପାଇଁ ।

 

ପଶିଗଲି ମୋ ଶୋଇବାଘରକୁ । ପୁଅ ଏକାଟିଆ ଶୋଇଛି । ଉଷା ଗଲା କୁଆଡ଼େ ? ଘର ଚାରିପାଖରେ ଭାରି ସତର୍କ ଭାବରେ ଆଖି ବୁଲେଇ ଆଣିଲି । କୌଣସି ଅଶୁଭ ସୂଚନା ନାହିଁ-। ସାର୍ଟ୍ କାଢ଼ିଲି । ଗଳାଖଙ୍କାର ମାରିଲି । ଉଷା ଯଦି ପାଖରେ କୋଉଠି ଥିବ, ଧାଇଁଆସିବ ।

 

ସତରେ ଉଷା ଆସି ଦରଜା ଆରପାଖରେ ଠିଆହେଲା–ତୁମେ କାଲି ରାତିରେ କୋଉଠି ରହିଲ ? ମା’ ତୁମକୁ ବହୁତ ଖୋଜୁଥିଲେ ।

 

–ଖୋଜୁଥିଲେ ? ମାନେ ?

 

ଏଇ ରାତି ତିନିଟାଠୁ ଡାକିଲେ ଆଉ ଶୁଣୁନାହାନ୍ତି । ସନା କକେଇ ଆସି ଦେଖି କହିଲେ ଜୀବନ ନାହିଁ । ବାପାଙ୍କର ରକ୍ତଚାପ ବଢ଼ିଯାଇଚି । ସେ ଶୋଇ ଗଁ–ଗଁ ହେଉଛନ୍ତି । ଘରେ କିଏ ଅଛି ଯେ କାହାକୁ ଯାଇ କୋଉଠୁ ଡାକିବି ? ତୁମେ ଥିଲେ ଅବା କୋଉ ଡାକ୍ତରକୁ ଯାଇ ଡାକିଆଣିଥାନ୍ତ । କେବେ କୋଉଠି ରାତିରେ ରୁହନି, କାଲି କ’ଣ ହେଲା ?

 

ମୁଁ ନିର୍ବାକ୍‌–ନିସ୍ପନ୍ଦ । ସ୍ଥାଣୁପରି ଠିଆହେଇ ରହିଚି । ମା’ ଆଉ ନାହାନ୍ତି । ବାପାଙ୍କର ଆଉ ଏ ଘରର ସମସ୍ତ ବନ୍ଧନ କାଟି ସେ ଚାଲିଯାଇଛନ୍ତି । କେତେ କଷ୍ଟ ସହି ଦଶମାସ ଗର୍ଭରେ ଧାରଣ କରି ସେ ମୋତେ ମଣିଷ କରିଥିଲେ । ଶେଷବେଳରେ ତାଙ୍କ ସେବା କରିପାରିଲି ନାହିଁ । ତାଙ୍କ ମୁହଁରେ ମୁନ୍ଦେ ପାଣି ଦେଇ ପାରିଲି ନାହିଁ । ଧିକ୍‌ ମୋତେ !

 

ମା’ ଶୋଇରହିଥିବା ଘରକୁ ଯାଇ ତାଙ୍କ ମୁହଁକୁ ଚାହିଁଲି । ହୃଦୟ ଫାଟି ପଡ଼ିଲା । ଉଷା ପୁଣି ଯାଇ ତାଙ୍କ ମୁଣ୍ଡପାଖରେ ବସିରହିଲା । କହିଲା–ଆଗେ ଯାଇ ବାପାଙ୍କୁ ଦେଖ ।

 

ପାଖଘରେ ବାପା ଶୋଇଥିଲେ । ଦେହରେ ଏକ ଚାଦର ଘୋଡ଼େଇ ହେଇଥିଲେ । ଗଳାରୁ ଗଁ–ଗଁ ଆବାଜ ଉଠୁଥିଲା । ମୁଁ ଯାଇ ଚାଦର ଆଡ଼େଇ ଦେଇ ଦେହରେ ହାତମାରି ଡାକିଲି–ବାପା ! ବାପା !

 

ସେ ବି ତାଙ୍କ ହାତରେ ଅଣ୍ଡାଳି ଅଣ୍ଡାଳି ମୋ ହାତ ଉପରେ ହାତ ରଖି କହିଲେ–ବାପା ନୀଳୁ ! କାଲି ରାତିରେ କୁଆଡ଼େ ଥିଲୁ ? ତୋ ମା’କୁ ଦେଖିଲୁ, ବଞ୍ଚିଛି କି ନାହିଁ ।

 

ମୁଁ କହିଲି–ବାପା ! ଆପଣଙ୍କ ଦେହ କେମିତି ଲାଗୁଛି ?

 

–ମୁଣ୍ଡଟା ଏତେ ଭାରି ହେଇଚି ଯେ ଉଠେଇ ହେଉନାହିଁ । ତୁ ତ ଆସି ପହଞ୍ଚିଲୁଣି । ମୋର ଆଉ ଚିନ୍ତା ନାହିଁ । ତୁ ଆଗ ତୋ ମା’କୁ ଯାଇ ଦେଖ । ମୁଁ ଆପେଆପେ ଠିକ୍‌ ହେଇଯିବି ।

 

ବାହାରେ ସନା କକେଇ କୋକେଇ ସଜାଡ଼ୁଥିଲେ । ମୋତେ କହିଲେ–ବାବୁ, କାଲି ରାତିରେ କାହା ଓଳିତଳେ ରହିଗଲ ? ପାଠଶାଠ ପଢ଼ି ଭଲ ପୁଅ ହେଇଚ । ଏବେ ମା’ ମୁହଁରେ ତୁମେ ନିଆଁ ଦଉଚ, ନା ତୁମ କାମ ମୁଁ କରିଦେବି ?

 

ମୋତେ ଏ ପ୍ରଶ୍ନ ପଚରାଯାଉଚି କାହିଁକି ? ଯାହା କରଣୀୟ ମୁଁ ତା’ କରିବି । ମୁଁ କ’ଣ ଜାଣିଥିଲି କାଲି ରାତିରେ ଏ ବିପଦ ଘଟିଯିବ ବୋଲି ।

 

ଭିତରୁ ଉଷା କହିଲା–ମା’ ନ ଉଠିବାଯାଏ ମୁଁ ତ ତାଙ୍କୁ ଛାଡ଼ି ଯାଇପାରୁନି । ପୁଅ କେତେବେଳେ ଉଠିବ, ତୁମେ ନିଘା ରଖିଥିବ ।

 

ଶବ ନବାର ବ୍ୟବସ୍ଥା କରିବାକୁ ସନା କକେଇଙ୍କୁ ବେଶି ବେଳ ଲାଗିଲା ନାହିଁ । ‘ହରିବୋଲ’ ‘ହରିବୋଲ’ କହି ସେମାନେ ମା’ଙ୍କ ମରଶରୀରକୁ ଘରୁ କାଢ଼ିନେଇ ଦାଣ୍ଡଦୁଆରେ ଥୁଆହେଇଥିବା କୋକେଇରେ ଶୁଆଇଦେଲେ । ‘ହରିବୋଲ’ ଶବ୍ଦ ଶୁଣି ବାପା ପାଟିକରି ଉଠିଲେ–କ’ଣ ହେଲା ? କ’ଣ ମରିଗଲା ? ହେ ଭଗବାନ...ତାକୁ ନେଇଗଲ, ଆଉ ମୁଁ ? ନୀଳୁ.....

 

ବାପାଙ୍କ ପାଖକୁ ଆଉ ଯିବାକୁ ବେଳ ନଥିଲା । ସନା କକେଇଙ୍କ ତନାଘନା କାନ୍ଧ ଲଗାଅ; କାନ୍ଧ ଲଗାଅ ।

 

–ରାମନାମ ସତ୍ୟ ହେ...ହରିବୋଲ...ହରିବୋଲ ।

 

ଅହ୍ୟ ନାଗରା ବାଜିଲା । ସନା କକେଇ ବାଟରେ କହିଲେ–ତୋ ମା’ ଭାଗ୍ୟବତୀରେ ନୀଳୁ ! ବୁଢ଼ା ଆଗରୁ ବାଟ କାଟି ଅହ୍ୟ ଥାଉଁଥାଉଁ ଚାଲିଗଲା ।

 

–ମରିବାରେ ପୁଣି ଭାଗ୍ୟ କ’ଣ ?

 

–ତୁମେ ସବୁ ପାଠ ପଢ଼ି ଶାସ୍ତ୍ର–ଫାସ୍ତ୍ର ଆଉ ମାନୁନ । ସଧବାର ମରଣ ଆଉ ବିଧବାର ମରଣ ଭିତରେ କ’ଣ କିଛି ତଫାତ୍‌ ନାହିଁ ?

 

ଗାଁ ଶେଷରେ ଶ୍ମଶାନ । ଜୁଇଗାତ ଖୋଳାସରିଥିଲା । କାଠଚିରା ମଧ୍ୟ ଶେଷ ହେଇଥିଲା । ସନା କକେଇ ପ୍ରଚଳିତ ପ୍ରଥାନୁଯାୟୀ ସମସ୍ତ କାମ ଶେଷ କରି ଖଞ୍ଜା ହେଇଥିବା କାଠ ଉପରେ ମଡ଼ାକୁ ଶୁଆଇ ଦେଇ ମତେ କହିଲେ–ଦିଅ ବାବୁ, ଏବେ ମୁଖାଗ୍ନି । ହୁତ୍‌ହୁତ୍‌ ହେଇ ନିଆଁ ଜଳିଉଠିଲା । ମଣିଷର ଶେଷ ଚିତା । ମର୍ମନ୍ତୁଦ ଏଇ ଚିତାର ଦୃଶ୍ୟ । ରାଜା ପ୍ରଜା, ଧନୀ ଦରିଦ୍ର, ମୂର୍ଖ ପଣ୍ଡିତ, ସବଳ ଦୁର୍ବଳ ସଭିଏଁ ଦନେ ଏଇ ଚିତାର ଆଶ୍ରୟ ନେବେ । ମୃତ୍ୟୁ ଏକ ନିରାଟ ସତ୍ୟ; ଜାଣି ମଧ୍ୟ ଲୋକେ ସେମାନଙ୍କ ଆଚାର–ବ୍ୟବହାରରେ ସେମାନେ ଯେମିତି ଅମର, ଏଇଭଳି ବ୍ୟବହାର ଦେଖାନ୍ତି । ଆଶ୍ଚର୍ଯ୍ୟ ! କିଏ ନ ମରିବ ? ତଥାପି ଆମର ଅସରନ୍ତି କାମନା । ଆକାଶଛୁଆଁ ଆଶା । ସମୁଦ୍ରର ଲୋଭ ।

 

ଦୁଇଘଣ୍ଟା ଭିତରେ ଶ୍ମଶାନର କାମ ସରିଗଲା । ମଡ଼ାଚଣ୍ଡିଆମାନେ ସ୍ନାନ ସାରି ଘରକୁ ଫେରିଲେ । ବାପା ଆସି ଦାଣ୍ଡପିଣ୍ଡାରେ ବସିଥିଲେ । ଘରଭିତରୁ ପିଣ୍ଡା ପର୍ଯ୍ୟନ୍ତ ସେ କୁଆଡ଼େ ଗୁରୁଣ୍ଡି ଗୁରୁଣ୍ଡି ଆସିଥିଲେ । ଉଷାର ବାରଣ ନ ମାନି ଦୁଇଘଣ୍ଟା ହେଲା ପିଣ୍ଡାରେ ବସି ସେ ଡହଳବିକଳ ହଉଚନ୍ତି । ମୁଁ ଆସିବାରୁ ସେ ପ୍ରଖର ନିଃଶ୍ୱାସ ଛାଡ଼ି ମୋତେ କହିଲେ–ତାକୁ ଯୋଉଠି ଛାଡ଼ି ଆସିଲୁ, ମୋତେ ସେଇଠିକି ନେଇ ଚାଲ । ମୁଁ ଆଉ ଘରଭିତରକୁ ଯିବିନାହିଁ ।

 

ପରିସ୍ଥିତିରେ ପଡ଼ି ମଣିଷ ଏମିତି ଅବୁଝା ହେଇପଡ଼େ । ସନ୍ଧ୍ୟା ପର୍ଯ୍ୟନ୍ତ ବୁଝେଇ ମଧ୍ୟ ଆମେ ତାଙ୍କୁ ଘର ଭିତରକୁ ଆଣିପାରିଲୁନାହିଁ କି ତାଙ୍କ ପାଟିରେ କିଛି ଖାଦ୍ୟ ଦେଇପାରିଲୁ ନାହିଁ । ସନ୍ଧ୍ୟା ପରେ ପରେ ତାଙ୍କର ପ୍ରଳାପ ଆରମ୍ଭ ହେଲା । ବେଳେବେଳେ ମନବୋଧ ଚଉତିଶାର ପଦ ଆଉଡ଼ାଇଲେ ।

 

କହଇ ମନ ଆରେ ମୋ ବୋଲ କର ।

Unknown

କଳାଶ୍ରୀମୁଖ ବାରେ ଦେଖିବା ଚାଲରେ.....

କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ ।

କି ଘେନି ଯିବୁ ତୋର ଛୁଟିଲେ ଘଟରେ....

 

ରାତି ଦଶ ବାଜିଗଲା । ବାପାଙ୍କର ଗୀତ ବନ୍ଦ ହେଇଗଲା । ପିଣ୍ଡାରେ ସେ ଲମ୍ୱତମ୍ୱ ହେଇ ଶୋଇଛନ୍ତି । ହାତଗୋଡ଼ ନିସ୍ତବ୍ଧ । ଭୟ ପାଇ ମୁଁ ପୁଣି ଧାଇଁଲି ସନା କକେଇଙ୍କ ଘରକୁ । ସେ ଅଳ୍ପ ଅଳ୍ପ କବିରାଜିବିଦ୍ୟା ଜାଣନ୍ତି । ନାଡ଼ି ଦେଖି ରୋଗ ନିର୍ଣ୍ଣୟ କରନ୍ତି । ଦିନର କ୍ଳାନ୍ତିରେ ସେ ଶୋଇପଡ଼ିଥିଲେ । ମୋର ଆକୁଳ ଡାକରାରେ ଉଠି ଆସି କହିଲେ–କିରେ, ବାପାବି ଟିକେଟ କାଟିଲେ କି ? ମୁଁ ଜାଣିଥିଲି ବୁଢ଼ାବୁଢ଼ୀ ଏକାସାଙ୍ଗରେ ଯିବେ ।

 

–ଏ କ’ଣ କହୁଚ କକେଇ ?

 

ଉତ୍ତର ନ ଦେଇ ସେ ମୋ ସାଙ୍ଗରେ ଆସିଲେ । ବାପାଙ୍କ ଦେହରେ ହାତ ମାରିଦେଇ କହିଲେ–ପୁଣି କୋକେଇ ଦରକାର । ଆଉ ଦେଖୁଚୁ କ’ଣ ? ସବୁ ସରିଗଲାଣି ।

 

ବାପାବି ଚାଳିଗଲେ । କାନ୍ଦିବାକୁ ମୋ ଆଖିରେ ଆଉ ଲୁହ ନଥିଲା । ମୁଁ ପାଷାଣ ପାଲଟିଯାଇଥିଲି ଯେମିତି ।

 

ସନା କକେଇ କହିଲେ–କି ସୁଖ ମରଣ । ପୁଣ୍ୟବଳ ଥିଲା ବୋଲି ସିନା ଦି’ଜଣ ଏକାସାଙ୍ଗରେ ଆଗପଛହେଇ ଚାଲିଗଲେ । ସବୁ ବିଧିର ବିଧାନ । ହଉ, ତୁ ଟିକିଏ ବୁଢ଼ାକୁ ଜଗି ବସିଥା, ମୁଁ ଯାଇ ପୁଣି ସମସ୍ତଙ୍କୁ ଡାକିଆଣେ ।

 

ଉଷା ବଡ଼ପାଟିରେ ବାହୁନୁଚି ।

 

ସାଇପଡ଼ିଶା ଓ ସାରା ଗାଁର ଲୋକେ ଆସି ପହଞ୍ଚିଗଲେ । ବାପା ଥିଲେ ଗାଁର ମୁରବି । ତାଙ୍କୁ ହରାଇ ଆଜି ହୁଏତ ଗାଁଟା ମୁରବିଶୂନ୍ୟ ହେଇଗଲା । ଗାଁ ଆକାଶରୁ ଏକ ଉଜ୍ଜ୍ୱଳ ତାରକା ଖସିପଡ଼ିଲା ।

 

ସନା କକେଇ କହିଲେ–ବାସି ମଡ଼ା ନକରି ରାତାରାତି ସବୁକାମ ସାରିଦବା । ଉଷା ଭୀଷଣ ଡରୁଚି । ଆମେ ସବୁ ଶ୍ମଶାନ ଚାଲିଗଲା ପରେ ପୁଅକୁ ନେଇ ସେ ଏକାଏକା ଘରେ ରହିପାରିବନି ବୋଲି କହିଲା । ମୁଁ ଚଟ୍‌ପଟ୍‌ ଯାଇ ପଡ଼ିଶାଘରୁ ପାରନାନୀକୁ ଡାକି ଆଣିଲି । ତାକୁ ଉଷା ପାଖରେ ଛାଡ଼ିଦେଇ ଆମେ ଶ୍ମଶାନ ବାହାରିଲୁ । ସାରା ଗାଁଟା ଆମ ସହିତ ଯାଉଛି । ସନା କକେଇ ମଝିରେ ମଝିରେ ଶ୍ଳୋକ ବୋଲି ବୁଝେଇ ଦଉଛନ୍ତି ଯେ–ଏଇଭଳି ମରଣ ପ୍ରତ୍ୟେକ ଲୋକର କାମ୍ୟ ।

 

ବାପା ମା’ ଉଭୟଙ୍କୁ ଏମିତିଭାବରେ ହରାଇ ମୁଁ ଏକାନ୍ତ ନିଃସ୍ୱ ହେଇ ପଡ଼ିଲି । ଉଭୟଙ୍କ ମୃତାହ କର୍ମ ମୋ ଶକ୍ତିଠୁ ଅଧିକ ଭାବରେ କଲି । ଗ୍ରାମବାସୀମାନେ ଭୂରି–ଭୋଜନରେ ଖୁବ୍‌ ପ୍ରୀତହେଲେ । ତୃତୀୟ ଦିନରୁ ବାରଦିନ ପର୍ଯ୍ୟନ୍ତ ମୋ ଶ୍ୱଶୁର ଆସି ସବୁ କାମ ବୁଝାବୁଝି କରୁଥିଲେ । ମୁଖାଗ୍ନି ଦେଇଥିବାରୁ ମୁଁ ତ ଅସ୍ପୃଶ୍ୟ ହେଇଥିଲି । ସେ ଆସି ନଥିଲେ କାମ ମୋଟେ ଉଠି ନଥାନ୍ତା । ମୋ ପାଖରେ ଗଚ୍ଛିତ ଟଙ୍କା କିଛି ନଥିଲା । ବାପା ରଖିଥିଲେ ସାତଶହ ଟଙ୍କା । ସବୁକାମ ମୁଣ୍ଡ ଲଗେଇ ସାରିବାବେଳକୁ ପ୍ରାୟ ତିନିହଜାର ଟଙ୍କା ଖର୍ଚ୍ଚ ହେଇଯାଇଥିଲା । ଶ୍ୱଶୁର ହଜାରେ ଟଙ୍କା ସାହାଯ୍ୟ କରିଥିଲେ । ହଜାରେ ଟଙ୍କା ହ୍ୟାଣ୍ଡ୍‍ନୋଟ୍ ଲେଖିଦେଇ ଗାଁର ଜଣେ ଲୋକଙ୍କଠାରୁ କରଜ କରିବାକୁ ପଡ଼ିଲା ।

 

ଦଶାହ କର୍ମ ପରେହିଁ ଅସଲ ସମସ୍ୟା ଆରମ୍ଭ ହେଲା । ଘରଟା ଖାଁ ଖାଁ ଲାଗୁଛି । ଏକାସାଙ୍ଗରେ ଦି’ଜଣ ମୁରବି ଘରୁ ଚିରଦିନପାଇଁ ବିଦାହେଇଗଲେ । ମୁଁ ସକାଳ ନ’ଟାରୁ ଅଫିସ୍‌ ଯାଏଁ ଯେ, ଫେରେ ରାତି ଆଠଟାରେ । ପ୍ରତିଦିନ ଫେରିବାବେଳେ ମୋତେ ବଜାର–ସଉଦା ଶେଷ କରି ଫେରିବାକୁ ପଡ଼େ । ଏବେ ସନ୍ଧ୍ୟାପରେ ଆଉ ଏକା ରହିବାକୁ ଉଷା ନାରାଜ । ଅନ୍ଧାରରେ ପିଣ୍ଡାକୁ ଯିବାକୁବି ସେ ଡରୁଚି । କୋଉଠି ଖଡ଼୍‌କିନି ଶବ୍ଦଟାଏ ହେଲେ ସେ ଛାନିଆ । ମା’ ଆଉ ବାପାଙ୍କ ମୁହଁ ସବୁବେଳେ ମନେପଡ଼ି ତାକୁ ଭୀଷଣ ଡରଲାଗୁଚି । ଭୂତର ଭୟ । କାଲି ଯେଉଁମାନେ ଆମକୁ ସାହସ ଦେଉଥିଲେ, ଆଜି ସେଇମାନେ ଭୂତ ହେଇ ଆମକୁ ଡରାଉଛନ୍ତି । ସନ୍ଧ୍ୟାପୂର୍ବରୁ ମୋତେ ଅଫିସ୍‌ରୁ ଫେରିବାକୁ ପଡ଼ୁଚି ।

 

ନୟନା ମିଶ୍ର ମୋର ଏ ଦୁଃସମ୍ୱାଦ ପାଇ ସହାନୁଭୂତି ଜଣେଇ ମୋତେ ପତ୍ର ଲେଖିଥିଲେ, ଆଉ ଅନୁରୋଧ କରିଥିଲେ, କାମ ପରେ ଯାଇ ତାଙ୍କୁ ଦେଖା କରିବାକୁ । ଯିବାର ଆଉ ଇଚ୍ଛାନାହିଁ । ସୁଯୋଗବି ନାହିଁ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବାରଘଣ୍ଟା ସମୟରୁ ନ’ଘଣ୍ଟା ଅଫିସ୍‌ପାଇଁ ବିନିଯୋଗ କରିବାକୁ ପଡ଼ୁଛି । ଯିବି ବା କେତେବେଳେ ?

 

ଏଇ ପରିସ୍ଥିତିରେ ମୁଁ ତାଙ୍କ ବିଷୟ କିଛି କରିପାରିନାହିଁ । ସେ ଖୁବ୍‌ ବ୍ୟସ୍ତ ହେଇ ଉଠିଲେଣି । ଭୁବନେଶ୍ୱରରେ ମୋର ବସାଘର ଥିଲେ ସେ ହୁଏତ କେତେଥର ଆସିସାରନ୍ତେଣି । ଅଫିସ୍‌ ବୋଲି ଆସିପାରୁନାହାନ୍ତି । ଘନଘନ ଚିଠି ଲେଖିବାକୁ ଆରମ୍ଭ କରିଛନ୍ତି; ତଥାପି ମୋର ଯିବା ସମ୍ଭବ ହେଇନାହିଁ ।

 

ସେଦିନ ଅଫିସ୍‌ରେ ଜଗଦୀଶବାବୁ ତାଙ୍କ ରୁମ୍‌କୁ ମୋତେ ଡକେଇ ପଠେଇଲେ । କହିଲେ–ନୀଳମାଧବବାବୁ, ଆପଣଙ୍କ ଦୁଃସମ୍ୱାଦରେ ଆମେ ମର୍ମାହତ । କାମଦାମ ସବୁ ସୁରୁଖୁରୁରେ ହେଇଗଲା ତ ?

 

ମୁଁ କହିଲି–ବିପଦ ଯେତେବେଳେ ଆସେ ତ ଏକାଏକା ଆସେନା ! ଏକାଦିନେ ବାପା ମା’ ଦୁହେଁ ଚାଲିଗଲେ । ମୁଁ ବର୍ତ୍ତମାନ ଅସହାୟ ହେଇପଡ଼ିଚି ।

ସେ କହିଲେ–ଆପଣ ଟିକିଏ ଆଜି ସନ୍ଧ୍ୟାରେ ଆମ ଘର ଆଡ଼େ ଆସନ୍ତେନି ? ଆପଣଙ୍କ ପାଇଁ ଘରେ ପ୍ରତିଦିନ ଝଗଡ଼ା । ମୁଁ କୁଆଡ଼େ ଆପଣଙ୍କୁ ନେଇପାରୁନାହିଁ ।

ମୁଁ କହିଲି–ପ୍ରତିଦିନ ଗାଁରୁ ଆସି ମୋତେ ଅଫିସ୍‌ କରିବାକୁ ପଡ଼ୁଚି । ଯେଉଁଦିନ ରାତିରେ ଆପଣଙ୍କ ଘରେ ରହିଗଲି, ସେଇଦିନ ରାତିରେହିଁ ମା’ ଚାଲିଗଲେ । ପୁଅ ହେଇ ତାଙ୍କ ଶେଷବେଳରେ ମୁଁ ରହିପାରିଲିନି । ଜୀବନଭରି ଅବସୋସ ମୋର ରହିଗଲା ।

ସେଇଥିପାଇଁ ତ ଆମେ ବେଶି ଦୁଃଖିତ–ସେ କହିଲେ ।

–ମୁଁ କେତେବେଳେ ସୁବିଧା ଦେଖି ଯିବି ।

ଉଷା ଚାହୁଁଥିଲା କିଛିଦିନ ପାଇଁ କଟକ ଯିବ । ଏ କେତେ ଦିନ ସେ ଯେମିତି ଅଣ–ନିଃଶ୍ୱାସୀ ହେଇ କାଳ କାଟିଚି । ଯଦି କିଛିଦିନ କଟକ ଯାଏଁ, ବିଚାରୀ ଟିକିଏ ବିଶ୍ରାମ ନେଇପାରିବ-। କଟକରେ ଶ୍ୱଶୁରଙ୍କ ଘରେ ରନ୍ଧାରନ୍ଧି ପାଇଁ ପୂଝାରି ଅଛି–ବାସନମଜା ଓ ଅନ୍ୟାନ୍ୟ ଘରକାମ ପାଇଁ ଠିକା କାମବାଲୀ ରହିଛି । ଉଷାର ସେଠି ଅସୁବିଧା କିଛି ନାହିଁ ।

 

ରବିବାର ଦେଖି ଦିନେ ଆମେ କଟକ ଗଲୁ । ଆମକୁ ଦେଖି ଶ୍ୱଶୁର କାନ୍ଦିପକାଇଲେ । ପ୍ରଭୁଲାଲ ଓ ଶାମଲାଲ୍‌ ମଧ୍ୟ ଆଖିରୁ ଲୁହ ଝରେଇଲେ । ରାତିଟି ରହି ପରଦିନ ସକାଳେ ମୁଁ ଚାଲିଆସିଲି । ଅଫିସ୍‌ରେ ମାଧ ଆସି ଜଗିବସିଲା–ମା’ କହିଚନ୍ତି ଆପଣଙ୍କୁ ନ ନେଇ ଯିବିନାହିଁ ।

 

ମୁଁ କହିଲି–ତୁ ଯା, ମୁଁ ଚାରିଟାବେଳକୁ ଯିବି ।

 

ସେ ଚାଲିଗଲା । ମୁଁ ସଂଘ ଅଫିସ୍‌କୁ ଯାଇ ସଂଘର ଅନ୍ୟାନ୍ୟମାନଙ୍କ ସହିତ ଲଞ୍ଚ୍ ସମୟରେ କଥାବାର୍ତ୍ତା ହେଲି । କିଛି ସମାଧାନ ହେଇନାହିଁ । ମୁଖ୍ୟ ଶାସନ–ସଚିବ ଅଭିଯୁକ୍ତ ଅଫିସରମାନଙ୍କୁ ଡାକି ତାଗିଦ୍‌ କରି କହିଚନ୍ତି–ପିଅନ କିରାଣିମାନଙ୍କ ସହିତ ଯାହାର ଯାହା ଗଣ୍ଡଗୋଳ ରହିଚି, ତାକୁ ଅତି ଶୀଘ୍ର ସମାଧାନ କରିଦିଅ । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମଧ୍ୟ ମୁଖ୍ୟ ଶାସନ–ସଚିବଙ୍କୁ ଡାକି କହିଛନ୍ତି ।

 

ଅଫିସରମାନଙ୍କ ମନରେ ଆହୁରି ବେଶି ଆତଙ୍କ ଖେଳିଯାଇଚି । ଏଣିକି ପିଅନମାନଙ୍କୁ ଘର କାମରେ ଲଗାଇବା ଆଉ ସମ୍ଭବ ନୁହେଁ । ଯେଉଁଠି ପିଅନମାନେ ସ୍ୱେଚ୍ଛାରେ ଅଫିସରମାନଙ୍କ ଘରକୁ ଯାଇ ଏସବୁ କରି ଓଳିଏ ଖାଇବାର ବ୍ୟବସ୍ଥା କରୁଛନ୍ତି, ସେଠି କହିବାର କିଛି ନଥିଲେବି ସଂଘ ତାହା କରାଇଦେବାକୁ ଚାହୁଁନାହିଁ । ଏପରି ପରିସ୍ଥିତି ଆରମ୍ଭ ହେଇଚି, କେତେ ଜଣ ପିଅନ ଲୁଚି ଲୁଚି ଯାଇ ଅଫିସରମାନଙ୍କ ଘରକାମ କରୁଛନ୍ତି । କିଛି ସ୍ୱାର୍ଥ ମଧ୍ୟ ସେଥିରେ ରହିଚି । ଯେମିତି ଓଳିଏ ଖାଇବା, ବଜାର ପଇସାରୁ କିଛି ହାତପଇଠ କରିବା ଓ ଅନ୍ୟାନ୍ୟ କେତେ ଦୁର୍ବଳତାର ଶିକାର ହେବା ପ୍ରଭୃତି । ଏସବୁ ପିଅନମାନଙ୍କ ସଂଖ୍ୟାବି କମ୍‌ ନୁହେଁ । ଯେଉଁମାନେ ନିର୍ଦ୍ଦୟ ଓ କୃପଣ ଅଫିସରମାନଙ୍କ ପାଖରେ ରହିଛନ୍ତି, ସେମାନେ ଅଫିସରମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛନ୍ତି ।

 

ସେ ଯାହାହେଉ ମୁଖ୍ୟ ଶାସନ–ସଚିବଙ୍କ ଧମକରେ ଅଫିସରମାନେ ଭୟଭୀତ ହେଇ ପଡ଼ିଚନ୍ତି । ପିଅନମାନେ ଅଫିସରମାନଙ୍କର ବ୍ୟକ୍ତିଗତ ଚାକର ନୁହନ୍ତି । ସେମାନେ ଶାସନକଳର ନିମ୍ନତମ କର୍ମଚାରୀ । ଅଫିସର କାମ ପରେ ସେମାନଙ୍କର ଛୁଟି । ଇଂରେଜମାନଙ୍କ ଅମଳରୁ ରହିଆସିଥିବା ପ୍ରଥା ସ୍ୱାଧୀନ ଦେଶରେ ଆଉ ଚଳିବ ନାହିଁ । ମୁଁ ଚେଷ୍ଟାକଲି ଜଗଦୀଶବାବୁଙ୍କ ସହିତ ତାଙ୍କ ପିଅନର ଗୋଟାଏ ବୁଝାମଣା କରାଇଦେବାପାଇଁ । ମାତ୍ର ସଂଘର ସଭ୍ୟମାନେ କହିଲେ–ସମସ୍ତଙ୍କ ସହିତ ସମାଧାନ ନହେଲେ ଏମିତି ଗୋଟିକିଆ ସମାଧାନ ହେବା ଉଚିତ ନୁହେଁ-। ତା’ କଲେ ସଂଘର ଏକତା ନଷ୍ଟ ହେଇଯିବ ।

 

ସଂଘର ସଭ୍ୟମାନେ ଚାହୁଁଥିଲେ କିଛି ଅଫିସର ଏଥିପାଇଁ ଦଣ୍ଡିତ ହେବା ଉଚିତ । ତାହାହେଲେ ସବୁଦିନପାଇଁ ଏ ପ୍ରଥା ବନ୍ଦ ହେଇଯିବ ।

 

ଇଚ୍ଛାଥିଲେବି ଜଗଦୀଶବାବୁଙ୍କୁ ମୁଁ କିପରି ସାହାଯ୍ୟ କରିବି ? ଖାଲି କ୍ଷୀରପଇସା କଥା ହେଇଥିଲେ କ’ଣ ଗୋଟାଏ କରିହୁଅନ୍ତା; କିନ୍ତୁ ଜଗଦୀଶବାବୁ ମିଛ ଅଭିଯୋଗରେ ତାକୁ କାର୍ଯ୍ୟରୁ ସାମୟିକ ଅନ୍ତର କରି ଅସୁବିଧା ସୃଷ୍ଟି କରିଚନ୍ତି । ପ୍ରସିଡ଼ିଂଟାକୁ ଅଧାବାଟରୁ ବନ୍ଦ କରିଦେଲେ, ତା’ର ନିର୍ଦ୍ଦୋଷତା ପ୍ରମାଣ ହେବା ସଙ୍ଗେ ସଙ୍ଗେ ଅଫିସରଙ୍କର କୁମତଲବଟାବି ପ୍ରମାଣିତ ହେଇଯିବ ।

 

କ’ଣ କରାଯିବ ?

 

ସଂଘର ସଭ୍ୟମାନେ ଦାବି କଲେ ମୁଖ୍ୟ ଶାସନ–ସଚିବ ଅଭିଯୋଗ ଦରଖାସ୍ତଗୁଡ଼ିକ ଶୀଘ୍ର ଅନୁସନ୍ଧାନ କରି ଦୋଷୀ ସାବ୍ୟସ୍ତ ଅଫିସରମାନଙ୍କ ପ୍ରତି ଦଣ୍ଡବିଧାନ ନ କଲେ କଲମ–ଛାଡ଼ ଆନ୍ଦୋଳନ ଆରମ୍ଭ ହେବ । ‘କର୍ମଚାରୀ ଏକତା ଜିନ୍ଦାବାଦ’ ଶବ୍ଦରେ ବୈଠକ ଶେଷ ହେଲା । ପରଦିନ ସଂଘର ମତାମତ ଆମେ ମୁଖ୍ୟ ଶାସନ–ସଚିବଙ୍କୁ ଜଣାଇଦେଲୁ । ଖୁବ୍‌ ଶୀଘ୍ର ଅନୁସନ୍ଧାନ କରାଯିବ ବୋଲି ସେ ଆମ୍ଭମାନଙ୍କୁ ପ୍ରତିଶ୍ରୁତି ଦେଲେ ।

 

ଅଫିସ୍‌କୁ ଫେରି ଟେବୁଲ ଉପରେ ଗୋଟାଏ ଲଫାଫା ଚିଠି ଥିବାର ଦେଖିଲି ମୋର ପ୍ରାୟ ଚିଠି ଆସେନା । ବିବାହପୂର୍ବରୁ ଉଷାଠୁ ଯେଉଁ ଚିଠି ପାଇଥିଲି ତା’ପରେ ଆଉ କୌଣସି ଡାକଚିଠି ମୁଁ ପାଇନାହିଁ । ଖୋଲି ଦେଖିଲି ଚିଠିଟି ଉଷାଠୁ ଆସିଚି । ମୋର ଅଦର୍ଶନରେ ସେ ବ୍ୟସ୍ତ ହେଇପଡ଼ିଲାଣି । ଶୀଘ୍ର ଯିବାପାଇଁ ଅନୁନୟ କରି ଲେଖିଚି ।

 

ସେହି ଦିନହିଁ ଗଲି ଓ ପରଦିନ ସକାଳେ ଫେରିଆସିଲି । ରାତିରେ ଶ୍ୱଶୁର ପ୍ରଭୁଲାଲ ଓ ଶ୍ୟାମଲାଲର ବିବାହ ପ୍ରସଙ୍ଗ ଉତ୍ଥାପନ କଲେ । ତାଙ୍କ ସଂପ୍ରଦାୟର କମ୍‌ ଲୋକ ଓଡ଼ିଶା ଭିତରେ ରହନ୍ତି । ସେଇ ସୀମିତ ସମାଜ ଭିତରୁହିଁ ଦୁହିଁଙ୍କପାଇଁ ଦୁଇଟି ବୋହୂ ବାଛିବାକୁ ପଡ଼ିବ । ବାଲେଶ୍ୱର ଓ ବାରିପଦାରୁ ଦୁଇଟି ପ୍ରସ୍ତାବ ଅଛି । ଶ୍ୱଶୁରଙ୍କର ଇଚ୍ଛା ମୁଁ ଯାଇ କନ୍ୟା ଦେଖିଆସେ । ମୁଁ ଯଦି ପସନ୍ଦ କରେ–ତାଙ୍କର ଆପତ୍ତି କିଛି ରହିବନାହିଁ, ପ୍ରଭୁଲାଲ ଶ୍ୟାମଲାଲରବି ନୁହେଁ । ସେମାନେ ମଧ୍ୟ ଉଷାକୁ ଏ କଥା ଜଣେଇ ଦେଇଛନ୍ତି ।

 

ଶ୍ୱଶୁର ଆଉ ବିଶେଷ ଭାବରେ ବାହାରକୁ ଯିବା ଆସିବା କରୁନାହାନ୍ତି । ପୁଅମାନଙ୍କ ହାତରେ ବ୍ୟବସାୟ ବଢ଼ିଚି । ସେମାନେ ବେଶ୍‌ ଏକ ସମ୍ମାନଜନକ ଅବସ୍ଥାରେ ଆସି ପହଞ୍ଚିଗଲେଣି । ଘରେ ସ୍ତ୍ରୀଲୋକ କେହି ନାହାନ୍ତି । ତେଣୁ ଘରକୁ ବୋହୂ ଆଣିବାଟା ଜରୁରୀ ହେଇପଡ଼ିଚି ।

 

ଆଗାମୀ ସପ୍ତାହରେ ଲାଗଲାଗ ତିନିଦିନ ଛୁଟି ଅଛି । ସେହି ଛୁଟିରେ ଯିବି ବୋଲି କହିଆସିଲି ।

 

ନୟନାଙ୍କ କଥା ଭାବି ମୋତେ ଖରାପ ଲାଗୁଥିଲା । ତାଙ୍କୁ ଜବାବ ଦେଇଥିଲି ଗୋଳମାଳଟାକୁ ସମାଧାନ କରିଦେବି ବୋଲି; ମାତ୍ର ପାରିଲି ନାହିଁ । ଅଭିଯୋଗ ଅନୁସନ୍ଧାନ ପାଇଁ ମୁଖ୍ୟ ଶାସନ–ସଚିବ ଦିନ ଧାର୍ଯ୍ୟ କରିଦେଇ ସାରିଲେଣି । ଆମ ସଂଘ ଅଫିସ୍‌କୁ ତାରିଖ ଜଣେଇଦେଇଛନ୍ତି ।

 

ଜଗଦୀଶବାବୁ ଓ ନୟନା ମୋ ସମ୍ପର୍କରେ କ’ଣ ଭାବୁଥିବେ ? ସେ ଦିନ ରାତିରେ ନୟନାଙ୍କର ଏତେ ଆଦର ଆପ୍ୟାୟନ...ମୁଁ ନିଜକୁ ନିଜେ ଅପରାଧୀ ବୋଲି ଭାବୁଥିଲି ।

 

ତାଙ୍କ ଘରକୁ ମୁଁ ବା ଆଉ ଯାଆନ୍ତି କେମିତି ? ଗଲେ ସେ କ’ଣ ଭାବିବେ ? ଜବାବ ଦେଇ ଆସି ଭିତରେ ତାଙ୍କ ଚେର କାଟିବାର ବନ୍ଦୋବସ୍ତ କରିଚି । ତାଙ୍କ ସହିତ ବିଶ୍ୱାସଘାତକତା କରିଚି । ସେମାନେ ମୋର ଏ ଚକ୍ରାନ୍ତ ବୁଝିପାରିଚନ୍ତି । ଆଉ କାହିଁ ଯିବାପାଇଁ ଡାକରା ନାହିଁ ।

 

ସେ ଦିନ ରାତିରେ ତାଙ୍କ ଘରକୁ ନ ଯାଇଥିଲେ ବରଂ ଭଲ ହେଇଥାନ୍ତା । ଗଲି କାହିଁକି-?

 

ନୟନା ମିଶ୍ର ନିରାଶ ହେଇଥିବେ ।

 

କିନ୍ତୁ ମୋର ବା ଚାରା କ’ଣ ଥିଲା ? ମୁଁ ତ ତାଙ୍କପାଇଁ ଚେଷ୍ଟାକରୁଥିଲି; ସଂଘ କିନ୍ତୁ ମାନିଲାନି । ମୁଁ କ’ଣ କରିଥାନ୍ତି । ଖୁବ୍‌ ବେଶି ତାଙ୍କର ହେଇ କହିଥିଲେ ସଂଘ ମୋତେ ଅବିଶ୍ୱାସୀ ଆଖିରେ ଦେଖିଥାନ୍ତା–ମୋତେ ସନ୍ଦେହ କରିଥାନ୍ତା । ନୟନା ମିଶ୍ରଙ୍କୁ କାପିଟାଲରେ ନ ଜାଣିଚି କିଏ-

 

ସେ ଦିନ ଘରକୁ ଯିବା ବାଟରେ ରାଜମହଲ ଛକ ପାଖରେ ମାଧର ଦେଖା ହେଇଗଲା-। ଆପଣାଛାଏଁ ମୁଁ ସାଇକେଲ୍‌ରୁ ଓହ୍ଲାଇପଡ଼ିଲି ।

 

ମାଧ କିରେ, ଏଠି କ’ଣ କରୁଚୁ ? –ପଚାରିଲି ।

 

ଚାଟ୍‌ କିଣୁଚି ବାବୁ । –ସେ ଉତ୍ତର ଦେଲା ।

 

–ତୋ ବାବୁଆଣୀ କେମିତି ଅଛନ୍ତି ?

 

ସେ ହସିଲା । ଚୁପି ଚୁପି ମତେ କହିଲା–ବାବୁଆଣୀ ଆଉ ଅବିନାଶବାବୁ ହେଇଟି ମଟରରେ ବସିଛନ୍ତି । ମୁଁ ଚାଟ୍ ନଉଚି; ସେମାନେ ଖାଇବେ ।

 

ଅବିନାଶବାବୁ ? କୋଉ ଅବିନାଶବାବୁ ?–ମୁଁ ପଚାରିଲି ।

 

ସେ କହିଲା–ଅବିନାଶବାବୁ ମ । ତମ ଡିପାଟ୍‍ମେଣ୍ଟର ସେକ୍ରେଟାରି ।

 

ଆମ ଡିପାଟ୍‍ମେଣ୍ଟର ସେକ୍ରେଟାରି ମିଷ୍ଟର୍ ଅବିନାଶ ସେନ୍‌, ଆଇ.ଏ.ଏସ୍‌. । ମୁଁ ବିଶ୍ୱାସ କରିପାରୁ ନଥିଲି, ସେ ଆସି ନୟନା ମିଶ୍ରଙ୍କ ସହିତ ଚାଟ୍‌ ଖାଉଛନ୍ତି !

 

ସେମାନଙ୍କୁ ଦେଖିବାକୁ ମୋର କୌତୂହଳ ହେଲା । ମାଧକୁ ପୁଣି ପଚାରିଲି–ତୁମ ବାବୁ ସାଙ୍ଗରେ ଅଛନ୍ତି ନା ?

 

ମାଧ କହିଲା–ବାବୁ ପରା ସନ୍ଧ୍ୟା ବସ୍‌ରେ ସମ୍ୱଲପୁର ଟୁର୍‌ରେ ବାହାରିଗଲେ ।

 

ମୁଁ ଦୂରରେ ଠିଆହେଇଥିବା କାର୍‌ର ପଛପଟକୁ ଚାଲିଗଲି । ସ୍ଥାନଟା ଅପେକ୍ଷାକୃତ ଅନ୍ଧାରିଆ । କାର୍‌ଭିତରେ ଦୁଇଜଣଙ୍କର ଅସଂଯତ ବ୍ୟବହାର ।

 

ଇଚ୍ଛା ହେଉଥିଲା କାର୍‌ପାଖକୁ ଯାଇ ସେମାନଙ୍କୁ ତାଗିଦ୍‌ କରିଦେବି । ଜଣେ ଦାୟିତ୍ୱପୂର୍ଣ୍ଣ ସର୍ବୋଚ୍ଚ ପାହ୍ୟାର ଅଫିସର–ଆଉ ଜଣେ ବିବାହିତା ନାରୀ । ସେମାନଙ୍କ ପକ୍ଷେ ଏଭଳି ଦାୟିତ୍ୱହୀନ ଆଚରଣ ଶୋଭାପାଏନା । ଶାସନକଳରେ ଏ ବି ଏକପ୍ରକାର ଦୁର୍ନୀତି । କର୍ମଚାରୀ ସଂଘର ସେକ୍ରେଟାରି ହିସାବରେ ମୁଁ ଏସବୁ ଦୁର୍ନୀତିକୁ ପଦାରେ ପକେଇଦବା କଥା । ମନେପଡ଼ିଲା–ଯୁଦ୍ଧ କରିବାକୁ ମୁଁ ଶପଥବଦ୍ଧ । ଅଫିସରମାନଙ୍କୁ ଜବଦ କରିବାର ଚାବି ମୋ ହାତରେ । ମୁଁ ଏ ସୁଯୋଗ ଛାଡ଼ିବି କାହିଁକି ?

 

ନୟନା ମିଶ୍ର ! ସେ ଦିନ ରାତିରେ ତୁମକୁ ଏକାଟିଆ ପାଇଥିବାର ସୁଯୋଗ ନେଇ ମୁଁ ଯଦି ତୁମ ପ୍ରତି ଅସଦ୍‌ବ୍ୟବହାର କରିଥାନ୍ତି, ତୁମେ ତ କିଛି ଆପତ୍ତି କରିପାରି ନଥାନ୍ତ । ମୁଁ ତୁମର ନାରୀତ୍ୱକୁ ସମ୍ମାନ ଦେଇ ତାହା କରି ନଥିଲି । ଯଦିଓ ମୋତେ ତୁମର ଅତୀତ ଜଣାଥିଲା ତଥାପି ମୁଁ ନିଜକୁ ସଂଯତ କରିଥିଲି । ମୁଁ ଚାହୁଁଥିଲି ତୁମର ଏକ ସୁନ୍ଦର ଶାନ୍ତିମୟ ପାରିବାରିକ ଜୀବନ । କିନ୍ତୁ ମୋର ସେ ସଂଯମତା ଥିଲା କ’ଣ ଆଜିର ଏଇ ଦୃଶ୍ୟ ଦେଖିବାପାଇଁ ?

 

ଇତିହାସ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ନାରୀପାଇଁ କେତେ ନା କେତେ ପ୍ରଳୟ କାଣ୍ଡ ଘଟିଯାଇଚି । ହେଲେନ୍‌, ସୀତା, ପଦ୍ମାବତୀ, ସଂଯୁକ୍ତାମାନଙ୍କ ପାଇଁ କେତେ ରାଜ୍ୟ ଛାରଖାର ହେଇଯାଇଚି । କାରୁବାକୀ କିମ୍ବଦନ୍ତୀ ଯଦି ସତ୍ୟ ହୋଇଥାଏ ତାହାହେଲେ ସେଇ ଧୀବରକନ୍ୟା ପାଇଁ କଳିଙ୍ଗର ଲକ୍ଷେ ସୈନ୍ୟ ମୃତ, ଲକ୍ଷେ ସୈନ୍ୟ ବନ୍ଦୀ ହୋଇଥିଲେ ! ମୋ’ରି ଗାଁ ପାଖ ଧଉଳିପାହାଡ଼ ପାଦଦେଶରେ ଚଣ୍ଡାଶୋକର ସେଇ ଲୋମହର୍ଷଣକାରୀ ଯୁଦ୍ଧରେ ମୋ’ରି ପୂର୍ବପୁରୁଷ କେହି ଯେ ମରି ନଥିବେ ତାହା ନୁହେଁ । ନାରୀପାଇଁ ରକ୍ତାକ୍ତ ହେଇଚି ମଣିଷ–ସଭ୍ୟତା-। ତୁମେ ସେଇ ନାରୀ ! ଶାସନକଳକୁ କଳଙ୍କିତ କରିବା ଆଗରୁ ତୁମର ମରଣ ଯଦି ହୁଅନ୍ତା-। ମୁଁ ଆଜି ତୁମର ମୃତ୍ୟୁହିଁ କାମନା କରୁଚି ।

 

ମାଧ ଆଣି ସେମାନଙ୍କ ହାତରେ ଚାଟ୍‌ ପ୍ଲେଟ ଧରାଇଦେଲା । ଅବିନାଶବାବୁ ମାଧକୁ କହିଲେ ଦୋକାନକୁ ଯାଇ ଖାଇବାକୁ । ସେ ପୁଣି ଚାଲିଗଲା ।

 

ମୋ ମନରେ ରାଗ ଯେତିକି ଆସୁଥିଲା, ଅବିନାଶବାବୁଙ୍କ ପ୍ରତି ଈର୍ଷାବି ସେତିକି ଆସୁଥିଲା । ନୟନା ମିଶ୍ର ମୋର କେହି ନୁହେଁ; କିନ୍ତୁ ତାଙ୍କପାଇଁ ମୁଁ ବେଳେବେଳେ ଅହେତୁକ ଆଗ୍ରହ ପ୍ରକାଶ କରୁଚି କାହିଁକି ? ସେ ଜାହାନ୍ନମକୁ ଗଲେ ମୋର କ’ଣ ଅଛି ?

 

ଦିନେ ଯୋଉ ନିରୀହ ଜଗଦୀଶବାବୁଙ୍କ ଉପରେ ମୋର ଦୟା ଆସୁଥିଲା, ଆଜି ତାଙ୍କ ଉପରେ ମୋର ରାଗ ଆସୁଚି । ତାଙ୍କପାଇଁ ଆଉ ମୋ ହୃଦୟରେ ସମବେଦନା ନାହିଁ । ଅପାତ୍ରରେ ସମବେଦନା ଜଣାଇବା ନିରର୍ଥକ ।

 

ମୋ ମନରେ ଝଡ଼ର ଆନ୍ଦୋଳନ । ସେମାନେ ଚାଟ୍‌ଖିଆ ଶେଷକରି ଚାଲିଗଲେ । ମାଧବି ତାଙ୍କ ଗାଡ଼ିରେ ବସି ଚାଲିଗଲା । ବାହାରର ଆଲୋକରୁ ମୁଁ ଅନ୍ଧାରରାସ୍ତା ଉପରକୁ ସାଇକେଲ୍‌ ଗଡ଼ାଇଲି । ସାରା ରାତି ଏଇ କଥାହିଁ ଭାବିଲି ।

 

ସେ ଦିନ ରାତିରେ ନୟନା ମିଶ୍ର କ’ଣ ମୋ’ଠୁ ଏମିତି କିଛି ବ୍ୟବହାର ଆଶା କରୁଥିଲେ-? ଏବଂ ମୁଁ ଥିଲି ଭୀରୁ, କାପୁରୁଷ ?

 

ତିନିଦିନ ପରେ ମାଧଠୁହିଁ ଶୁଣିଲି ଯେ–ଅବିନାଶବାବୁ ଓ ନୟନା ଡାକ୍ତରୀ ପରୀକ୍ଷାପାଇଁ କଲିକତା ଯାଉଛନ୍ତି । ପଚାରିଲି ମାଧକୁ–ତୋ ବାବୁଆଣୀଙ୍କି କି ରୋଗ ହେଇଚି କି-?

 

ସେ କହିଲା–କ’ଣ ଗୁପ୍ତରୋଗ । ମୁଁ କେମିତି କହିବି ?

 

ଗୁପ୍ତରୋଗ ! ହେ ଭଗବାନ ! ତାକୁ ସହସ୍ର ରୋଗର ଖଣି କର । ମୁଁ ଯେ ଆଉ ତା’ କଥା କଳ୍ପନା କରିପାରୁନାହିଁ । ତା’ ମୁଁ ଚିନ୍ତା କରିପାରୁନାହିଁ ।

 

ନୟନା ମିଶ୍ର ବିବାହିତା । ତାଙ୍କ ସ୍ୱାମୀଙ୍କର ତାଙ୍କ ଦେହ ଉପରେ ଷୋଳପଣ ଅଧିକାର-। ହିନ୍ଦୁ ବିବାହ ଇହକାଳ ପରକାଳର ବନ୍ଧନ । ବିବାହିତା ନାରୀ ଉପରେ ପରପୁରୁଷର ଅଧିକାର ସମାଜର ଏକ ବ୍ୟତିକ୍ରମ । ବେଶ୍ୟାପ୍ରୀତି–ପରକୀୟା ପ୍ରୀତି ମଧ୍ୟରେ ତଫାତ୍‌ କ’ଣ-? ବରଂ ବେଶ୍ୟା ଉପରେ କୌଣସି ନିର୍ଦ୍ଦିଷ୍ଟ ପୁରୁଷର ଅଧିକାର ନଥାଏ । ଯଦି ଥାଏ ତାହା ସାମୟିକ-। କିନ୍ତୁ ବିବାହିତା ନାରୀ ଚରିତ୍ରହୀନା ହେବା ସୃଷ୍ଟିର କଳଙ୍କ । ପରିବାରକୁ ଧ୍ୱଂସ ମୁଖକୁ ଟାଣିନିଏ-। ସନ୍ତାନମାନଙ୍କ ଉପରେ ଏହାର କୁପ୍ରଭାବ ପଡ଼େ । ବିବାହିତ ପୁରୁଷ ପରସ୍ତ୍ରୀକୁ କୁପଥକୁ ନେବା ଅପେକ୍ଷା ବେଶ୍ୟାସକ୍ତ ହେବା ବରଂ କାମ୍ୟ । ଅବିନାଶବାବୁଙ୍କୁ ମୁଁ ଏତେଦିନ ଖୁବ୍‌ ଭକ୍ତି କରିଆସିଥିଲି । ଆମ ବିଭାଗର ସବୁ କର୍ମଚାରୀ ତାଙ୍କୁ ଭକ୍ତିକରନ୍ତି । ତାଙ୍କର ବ୍ୟବହାର ଖୁବ୍‌ ଭଲ-। ସେ କ୍ୱଚିତ୍‌ ରାଗନ୍ତି । ଖୁବ୍‌ ଧୀରେ ଧୀରେ କଥା କହନ୍ତି । ତାଙ୍କ ବିରୁଦ୍ଧରେ ଦୁର୍ବ୍ୟବହାରର ଅଭିଯୋଗ କେହି କେବେ କରିନାହିଁ । ବେଶ୍‌ ସୁନ୍ଦର ମଣିଷଟିଏ; କିନ୍ତୁ ସେହି ସୁନ୍ଦର ମଣିଷଟିର ଆଜି ଏହି ଅସୁନ୍ଦର ଆଚରଣ ଦେଖି ମୁଁ ଆଶ୍ଚର୍ଯ୍ୟ ହେଉଥିଲି । ଭଦ୍ରଲୋକଙ୍କ ପ୍ରତି ମୋ ମନରେ ଘୃଣା ଜାତ ହେଉଥିଲା । ସେ କ’ଣ ମହାକାଳଫଳ ! ଉପରେ ସୁନ୍ଦର, ଚିରିଦେଲେ ଭିତରଟା ନାରଖାର ! ଭଦ୍ରତାର ଖୋଳପିନ୍ଧା ଅଭଦ୍ରମାନଙ୍କଦ୍ୱାରା ଭରପୂର ଆଜିର ସମାଜ ! ସେଇମାନଙ୍କ ବିରୁଦ୍ଧରେ ସଂଗ୍ରାମକୁ ତୀବ୍ରତର କରିବାକୁ ପଡ଼ିବ । ଯେମିତି କରିଥିଲେ ମହମ୍ମଦ, ଜେମସ୍‌, ଗାନ୍ଧୀ-

 

ହେ ହିନ୍ଦୁର ଭଗବାନ ! ସଂସାରରୁ ଅନ୍ୟାୟ ଅନୀତି ବିଲୋପ କରିବାପାଇଁ ତୁମେ ପରା ଅବତାର ଗ୍ରହଣ କରେ ? ପରିତ୍ରାଣାୟ ସାଧୂନାଂ, ବିନଶାୟ ଚ ଦୁଷ୍କୃତାଂ, ଧର୍ମ ସଂସ୍ଥାପନାର୍ଥାୟ, ସମ୍ଭାବମି ଯୁଗେଯୁଗେ । କାହିଁ ଏ ଯୁଗରେ ତୁମର ସେ ଅବତାର ? କାହାନ୍ତି ନୃସିଂହ, ବାମନ, ରାମ-? ଆଜିବି ତ ଏ ପୃଥିବୀରେ ହିରଣ୍ୟକଶିପୁ, ବଳି, ରାବଣମାନଙ୍କର ଅଭାବ ନାହିଁ ! ଅନ୍ୟାୟର ବିଲୋପପାଇଁ ଭଗବାନ ଯଦି ଅବତାର ଗ୍ରହଣ ନ କଲେ, ସେ ଦାୟିତ୍ୱ ତାହାହେଲେ ନେବ କିଏ-?

 

ଅବିନାଶବାବୁ ଓ ନୟନା କଲିକତାରୁ ଫେରିଆସିଛନ୍ତି । ମାଧ ସହିତ ପୁଣି ଦେଖାହେଲା । ଆଗେ ସେ ସିନା ଅବୋଧ ଅଜ୍ଞାନ ବାଳକ ଥିଲା; ମାତ୍ର ବର୍ତ୍ତମାନ ସେ ଖୁବ୍‌ ଚାଲାକ ଚତୁର ହେଇଗଲାଣି । କହିଲା–ବାବୁ ! ସେମାନେ କଲିକତାରୁ କାଲି ଫେରିଆସିଚନ୍ତି । ବାବୁଆଣୀଙ୍କ ରୋଗ କୁଆଡ଼େ ମାମୁଲି ବୋଲି ସେଠିକା ଡାକ୍ତର କହିଲେ । ବାବୁଆଣୀ ବେଶ୍‌ ଖୁସି ଦେଖାଯାଉଚନ୍ତି । ଅବିନାଶବାବୁ ଆମ ଘରେ ବସିଚନ୍ତି । ମୁଁ ଆସିଚି ଅଣ୍ଡା ନବାକୁ । ନେଲେ ଭଜାଯିବ । ସେ ଖାଇବେ । ବାବୁ, କଲିକତାରୁ ତିନିଚାରିଟା ବୋତଲ ଆଣିଚନ୍ତି । ମୁଁ ଦେଖିଆସିଚି-। ବାବୁଆଣୀ ସେ ବୋତଲକୁ ଆଲମାରିରେ ଲୁଚେଇ ରଖିଚନ୍ତି । ଆଜିବି ଆମ ବାବୁ ନାହାନ୍ତି-। ଟୁର୍‌ରେ ବାଲେଶ୍ୱର ଯାଇଚନ୍ତି । ବାବୁଙ୍କର କ’ଣ ଇଚ୍ଛା କି ଯିବାକୁ ? ବାବୁଆଣୀ ତ ତାଙ୍କୁ ଘରେ ରଖେଇ ଦଉନାହାନ୍ତି । କହୁଚନ୍ତି ଟୁର୍‌ରେ ଗଲେ ଅଧିକା ପଇସା ମିଳିବ । ସେକ୍ରେଟାରି ନିଜେ ନଯାଇ ସବୁ ଆଡ଼କୁ ବାବୁଙ୍କୁ ପଠେଇଦଉଚନ୍ତି । ଟୁର୍‌ରେ ଗଲେ ଅଧିକା ପଇସା ମିଳିବ ବୋଲି ସେକ୍ରେଟାରିଙ୍କୁ କହି ବାବୁଆଣୀ ଏ ସବୁ ବ୍ୟବସ୍ଥା କରୁଚନ୍ତି । ବାବୁ, କଲିକତାରୁ ଗୋଟେ ତିନି ଚକିଆ ସାଇକେଲ୍‌ ଆସିଚି । ଆଉରି କେତେ ସବୁ ଜିନିଷ । ବାବୁଆଣୀଙ୍କର କି ସୁନ୍ଦର ଶାଢ଼ି-। ମୋପେଇଁବି ପେଣ୍ଟ୍‌ ଗୋଟେ ଆସିଚି ।

 

ପାଟିରୁ ବାହାରିପଡ଼ିଲା–ଆଉ ତୁମ ବାବୁଙ୍କପାଇଁ ?

 

ମାଧ ଫେଁକିନି ହସି ପକେଇ କହିଲା–ହେଃ, ବାବୁ କ’ଣ ଏ ସବୁ ନେବେ ?

 

ଦେଖିଲି ମାଧବି ତା’ ବାବୁଆଣୀଙ୍କି ସନ୍ଦେହ କରିଚି ଓ ତାଙ୍କର ଏପରି କାମକୁ ସମର୍ଥନ କରୁନାହିଁ ।

 

ମାଧ କହିଲା–ବାବୁ ! ଆମ ବାବୁଆଣୀ ମୋ ହାତରେ ତମକୁ ଆସିବାପାଇଁ କେତେଥର ଖବର ପଠେଇଲେ । ତମେ ସେତେବେଳେ ଯାଇଥିଲେ.....

 

ଏତିକି କହି ସେ ବନ୍ଦ ହେଇଗଲା । ମୁଁ ପାଦ ପୂରଣ କରି ପଚାରିଲି–ଯାଇଥିଲେ କ’ଣ ହେଇଥାନ୍ତା ?

 

ସେ କହିଲା–ଅବିନାଶବାବୁ ତ ସେତେବେଳେ ଆସୁ ନଥିଲେ.....

 

ମୁଁ ମନେମନେ ଭାବିଲି–ଯାଇଥିଲେ ମୁଁ ଅବିନାଶବାବୁଙ୍କ ସ୍ଥାନଟାକୁ ପୂରଣ କରିଥାନ୍ତି !

 

ପ୍ରକାଶ୍ୟରେ କିଛି କହିଲିନାହିଁ । କ’ଣ ବା କହିବି ? ପୁଣି ମାଧ ଭଳି ଜଣେ ଲୋକକୁ । ତା’ର ବୁଦ୍ଧିର ସୀମା ଭିତରେ ସେ ଯେତିକି ଭାବିପାରିଚି, ସେତିକି କହିଚି । ତା’ ଦୃଷ୍ଟିରୁ ସେ ଯେଉଁଟା କହିଚି, ସେଇଟା ନିର୍ଭୁଲ ।

 

ଆଉ ମୋ ଦୃଷ୍ଟିରୁ ?

 

ମୁଁ ଜଣେ ସ୍ୱଳ୍ପବେତନଭୋଗୀ କିରାଣି; ସ୍ତ୍ରୀ–ପୁତ୍ର ପରିବେଷ୍ଟିତ ପରିବାରରେ ବାସକରେ-। ଜୀବନରେ ସର୍ବନିମ୍ନ ଆବଶ୍ୟକତା ପୂରଣ କରିବା ପରେ ମୋ ହାତରେ ଆଉ କିଛି ନଥାଏ-। ମୁଁ କ୍ଲବ୍‌କୁ ଯାଏନା । ଜୀବନରେ କେବଳ ଗୋଟିଏ ନାରୀର ମୁହଁହିଁ ମୋତେ ଆକର୍ଷିତ କରିଆସିଚି-। ସେ ମୁହଁ ପ୍ରତି ଅବିଚାର କରିବା କଥା ମୁଁ ଚିନ୍ତାଇ କରିପାରେନା । ଏ ଦିଗରୁ ମୁଁ ହୁଏତ ‘ରକ୍ଷଣଶୀଳ’ ଆଖ୍ୟା ପାଇପାରେ । ଯଦି ପାଏ ସେଥିରେ ମୋର ଆନନ୍ଦ । ହୋଟେଲର ମାଛ–ମାଂସଠାରୁ ଘରର ଶାଗ–ଭାତ ମୋର ପ୍ରିୟ । ମୁଁ ଜାଣିଛି କେଉଁ ବାଟରେ ମୁଁ ଯିବି, ମୋର କର୍ତ୍ତବ୍ୟ କ’ଣ ? ଅବଶ୍ୟ କର୍ତ୍ତବ୍ୟ କହିଲେ କେବଳ କିରାଣିର କଲମଚାଷ ନୁହେଁ । ମୁଁ କିରାଣି ଅଫିସ୍ ଭିତରେ; ଆଉ ଅଫିସ୍ ବାହାରେ ସ୍ୱାଧୀନ ଦେଶର ଜଣେ ନାଗରିକ । ତେଣୁ ତ ଅଫିସ୍ କାମ ବ୍ୟତୀତ ବାହାରର କିଛି ଚିନ୍ତା ମୁଁ କରେ । ସେଇ ଚିନ୍ତା ଭିତରେ ଆସନ୍ତି ଜଗଦୀଶବାବୁ, ଅବିନାଶବାବୁ, ନୟନା ମିଶ୍ର ପ୍ରଭୃତି । ସେଇ ଚିନ୍ତା ଭିତରେ ଆସେ କର୍ମଚାରୀ ସଂଘ । ଗାନ୍ଧୀହିଁ ମୋର ଆଦର୍ଶ । ସାରା ଭାରତବର୍ଷର ଆଦର୍ଶ; ଯଦିଓ ତାଙ୍କୁ ହତ୍ୟା କରିବାପରେ ଆମେ ତାଙ୍କୁ ଭୁଲିଗଲୁଣି । ଗାନ୍ଧୀନାମକ କନାକୁ ରଖି ଆଦର୍ଶନାମକ କର୍ପୂରକୁ ଆମେ ଉଡ଼େଇଦେଇଚୁ ଆକାଶର ଶୂନ୍ୟତା ଭିତରକୁ । ଗାନ୍ଧୀ ଆଜି ଭାରତବର୍ଷର ଇତିହାସର ଶେଷ ଅଧ୍ୟାୟ ।

 

ମୋ ଘରର ସାମନା ଦରଜାରେ ମୁଁ ଗାନ୍ଧୀଙ୍କର ଏକ ବିରାଟ ଫଟୋ ଟାଙ୍ଗିଦେଇଚି । ବାହାରକୁ ଆସିବାବେଳେ ତାଙ୍କରି ମୁହଁ ଚାହିଁ ତାଙ୍କୁ ପ୍ରଣାମ ଜଣେଇ ମୁଁ ଆସେ । ଫେରିବାବେଳେ ପ୍ରଣାମ ଜଣେଇ ଘର ଭିତରକୁ ପଶେ । ବେଶ୍‌, ସେତିକିରେ ତାଙ୍କ ଅମର ଆତ୍ମା କୃତାର୍ଥ, ମୁଁ ବି କୃତାର୍ଥ ।

 

ଜଗଦୀଶବାବୁଙ୍କ ପିଅନର ଅଭିଯୋଗ ସମ୍ପର୍କରେ ତଦନ୍ତ ହେବା ତାରିଖରେ ମୁଖ୍ୟ ଶାସନ–ସଚିବ ଦିଲ୍ଲୀ ଚାଲିଯାଇଥିବାରୁ ତାହା ପୁଣି ପନ୍ଦର ଦିନ ଗଡ଼ିଗଲା । ମୁଖ୍ୟ ଶାସନ–ସଚିବ ଚିଠି ଲେଖି ସଂଘକୁ ଜଣେଇଦେଲେ ।

 

ସଂଘ ଅଫିସ୍‌ରେ ସେ ଦିନ ଏ ନେଇ ତୀବ୍ର ଆଲୋଡ଼ନ । ମୁଖ୍ୟ ଶାସନ ସଚିବଙ୍କ ବିରୁଦ୍ଧରେ ବିଷୋଦ୍‌ଗାର କଲେ ବହୁ ବକ୍ତା । ମୁଁ କହିଲି–ଏପରି ଅଧୈର୍ଯ୍ୟ ହେବା ଶୋଭନୀୟ ନୁହେଁ । ସରକାରୀ କାମରେ ସେ ଦିଲ୍ଲୀ ଯାଇଛନ୍ତି । ଅପେକ୍ଷା କରାଯାଉ । ପାଣିରେ ବାସକରି କୁମ୍ଭୀର ସହିତ ଝଗଡ଼ା କରିବା–ତା’ ପୁଣି କୁମ୍ଭୀରମାନଙ୍କ ସମ୍ରାଟ ସହିତ ବାଞ୍ଛନୀୟ ନୁହେଁ । ଯେତିକି ଅଫିସରଙ୍କ ବିରୁଦ୍ଧରେ ଅଭିଯୋଗ ଆସିଚି, ସେତିକିର ବିଚାର ସରୁ; ତା’ପରେ ଅନ୍ୟମାନଙ୍କ ସହିତ ଶତ୍ରୁତା । ମୁଖ୍ୟ ଶାସନ–ସଚିବ କ’ଣ ବିଚାର କରୁଚନ୍ତି, କରିସାରନ୍ତୁ ।

 

ମୋର ଏ କଥାରେ ସେ ଦିନ ସମସ୍ତେ ଶାନ୍ତ ହେଲେ । ଆମେ ଅପେକ୍ଷା କରି ରହିଲୁ ତାଙ୍କର ତଦନ୍ତ ଓ ତଦନ୍ତର ଫଳାଫଳକୁ ।

 

ଇତିମଧ୍ୟରେ କନ୍ୟା ଦେଖିବାପାଇଁ ବାରିପଦା ଓ ବାଲେଶ୍ୱର ଯାଇ ମୁଁ ଫେରିଆସିଚି । ଉଭୟ ଜାଗାରେ କନ୍ୟା ପସନ୍ଦ ହେଇଚନ୍ତି । ଘର ଭଲ, ଲୋକ ଭଲ । ବ୍ୟବସାୟ ମଧ୍ୟ ଉଭୟ ପରିବାରରେ ବେଶ୍‌ ବଡ଼ ଧରଣର । ଦୁଇଟିଯାକ ଝିଅ ମେଟ୍ରିକ୍‌ ପାସ୍ କରିଚନ୍ତି । ସୁଶ୍ରୀ ଓ ଆଧୁନିକା । ସେମାନଙ୍କର ଦୁଇଟି ଫଟୋ ମଧ୍ୟ ମୁଁ ଆଣିଥିଲି । ଫଟୋ ଦେଖି ଘରେବି ସମସ୍ତଙ୍କର ପସନ୍ଦ ହେଲା । ପ୍ରଭୁ ଓ ଶାମ ଫଟୋ ଦେଖି ମୁଚୁକି ମୁଚୁକି ହସି ନୀରବ ରହିଲେ । ଉଷା ସେମାନେ ସମ୍ମତ ବୋଲି ବାପାଙ୍କୁ ଜଣାଇଦେବାପରେ ବିବାହ ପ୍ରସ୍ତାବ ପକ୍କା କରାଯାଇ କନ୍ୟାଘରକୁ ଚିଠି ଦିଆଗଲା ।

 

ଶ୍ୱଶୁର କହିଲେ–ବାବୁ, ତୁମେ ଆଠ ଦଶ ଦିନ ଛୁଟି ଆଣି ଏସବୁ ଦାୟିତ୍ୱ ତୁଲାଅ । ମୋର ଆଉ କିଏ ଅଛି ଯେ ଏସବୁ କଥା ବୁଝିବ । ବାହାଘର ଶେଷ ପର୍ଯ୍ୟନ୍ତ ଉଷା ଏଠି ରହୁ । ତୁମେ ସକାଳେ ଯାଇ ସଞ୍ଜରେ ଆସିବା ତ ସମ୍ଭବ ହେବନାହିଁ । ଛୁଟି ନେଇ ରହିଯାଅ ।

 

ମୁଁ କହିଲି–ବାହାଘର ଦିନ ପାଖେଇ ଆସିଲେ ମୁଁ ଛୁଟି ନେବି । ବର୍ତ୍ତମାନ ସକାଳେ ଯାଇ ସଞ୍ଜରେ ଆସିବି । ଅସୁବିଧା କିଛି ହେବନାହିଁ ।

 

ମୁଁ ପ୍ରତ୍ୟହ ଯା–ଆସ କଲି ସତ୍ୟ, କିନ୍ତୁ ଏଥିରେ ଆମ ସଂଘର ଅନ୍ୟ ବନ୍ଧୁମାନେ ଖୁବ୍‌ ବିରକ୍ତ ହେଇ ଉଠିଲେ । ମୁଖ୍ୟ ଶାସନ–ସଚିବ ସବୁ ଅଭିଯୋଗର ତଦନ୍ତପାଇଁ ଟାଳ–ମଟାଳ କରୁଛନ୍ତି । ଆଉ ଅପେକ୍ଷା କରାନଯାଇ ଧର୍ମଘଟ କରାଯାଉ ।

 

ମୋର ଅସୁବିଧା କଥା ଦର୍ଶାଇ ମୁଁ ସଂଘକାର୍ଯ୍ୟରୁ ପନ୍ଦରଦିନ ପାଇଁ ଅବ୍ୟାହତି ନେଲି । ସହକାରୀ ସଂପାଦକଙ୍କୁ ସଂପାଦକ ଦାୟିତ୍ୱ ତୁଲାଇବା ପାଇଁ ସଂଘ ନିର୍ଦ୍ଦେଶ ଦେଲା । ମୁଁ ପୂରାପୂରି ଶଳାମାନଙ୍କ ବାହାଘରରେ ବ୍ୟସ୍ତ ରହିଗଲି । ନ ରହନ୍ତି ବା କେମିତି ? ବିବାହ ଖୁବ୍‌ ସୁରୁଖୁରୁରେ ହେଇଗଲା । ବିବାହ ପରେ ପରେ ସବୁ କାମ ତୁଟାଇ ମୁଁ ଚାଲିଆସିଲି । ଉଷା ଇଚ୍ଛାକଲା ବାପାଘରେ ଆଉରି ମାସେ ଖଣ୍ଡେ ରହିବ । ସେ ଯେ ଖାଲିଟାରେ ଇଚ୍ଛାକଲା ତା’ ନୁହେଁ । ନୂଆହେଇ ଆସିଥିବା ବୋହୂମାନେ ଆଉ କିଛିଦିନ ତା’ର ସାନ୍ନିଧ୍ୟ ଚାହିଁଲେ-। ଶ୍ୱଶୁରବି କହିଲେ–ସେ ଆଉ କିଛିଦିନ ରହି ଘରକରଣା ବିଷୟରେ ବୋହୂମାନଙ୍କୁ ତାଲିମ ଦେଇ ଯାଉ । ସାନଶଳା ଶ୍ୟାମଲାଲ କହିଲା–ଦିଦିକି ତମେ ଯଦି ନେଇଯିବ ତାକୁ ଆଉ ଏ ଘର ମଡ଼େଇ ଦେବିନି । ଅଗତ୍ୟା ଉଷା ଆଉ ମୁନ୍ନାକୁ ଛାଡ଼ି ମୋତେ ଚାଲିଆସିବାକୁ ପଡ଼ିଲା ।

 

ଫେରିଆସି ମୋତେ ଜଣାଗଲା ସବୁ ଯେମିତି ବିଭ୍ରାଟ ହେଇଯାଇଚି । ମୋ ଅନୁପସ୍ଥିତିରେ ସଚିବାଳୟରେ କର୍ମଚାରୀମାନେ ମୁଖ୍ୟ ଶାସନ–ସଚିବଙ୍କୁ ଘେରାଉ କରିଛନ୍ତି । ରାତି ନ’ଟା ପର୍ଯ୍ୟନ୍ତ ଅଫିସ୍‍ରୁ ଘରକୁ ଯିବାକୁ ଦେଇ ନାହାନ୍ତି । ଅଫିସର ଏବଂ କର୍ମଚାରୀମାନଙ୍କର ସମ୍ପର୍କ ଖୁବ୍‌ ତିକ୍ତ ହେଇଯାଇଚି ।

 

ମୁଁ ପହଞ୍ଚିବା ପରେ ପରେ ମୁଖ୍ୟ ଶାସନ–ସଚିବ ମୋତେ ଡକାଇଲେ । ସଂଘ ତରଫରୁ ସଂଘବଦ୍ଧ ହେଇ ଯିବାରେ ଭୟ କିଛି ନଥାଏ । କିନ୍ତୁ ଏକାଏକା ଯିବା ଓ ମୁଖ୍ୟ ଶାସନ ସଚିବଙ୍କ ସାମନାସାମନି ହେବା ଖୁବ୍‌ ଦୁରୂହ ବ୍ୟାପର । ଇତିମଧ୍ୟରେ ମନ୍ତ୍ରିମଣ୍ଡଳ ଭାଙ୍ଗିଯାଇଚି ଓ ଲାଟ୍‌ଶାସନ ଜାରି ହେଇଚି । ବୁରୋକ୍ରାସି ହାତରେ ସମସ୍ତ କ୍ଷମତା ।

 

ମୁଁ ଶଙ୍କିତ ହେଇଗଲି । ମନ୍ତ୍ରିମଣ୍ଡଳ ଏମିତି ଅଚାନକ ଭାଙ୍ଗିଯିବ ବୋଲି କିଏ ଜାଣିଥିଲା-?

 

ସ୍ଲିପ୍‌ ଦେବାର ଅଧଘଣ୍ଟା ପରେ ସେ ମୋତେ ଡାକିଲେ । କହିଲେ–ବସ ।

 

ମୁଁ ବସିଲି । ସେ ତାଙ୍କ ଫାଇଲ୍‌ ଉପରେ ମନୋନିବେଶ କରିଥିଲେ । ମୁଁ ତାଙ୍କ ମୁହଁକୁ ଚାହିଁ ସତକୁସତ ଡରିଯାଉଥିଲି । ମୋର ଜ୍ୱାଳାମୟୀ ବକ୍ତୃତା, ଅଫିସରମାନଙ୍କୁ ପାନେ ଶିକ୍ଷା ଦବାର ଅଭିଳାଷ, ଗାନ୍ଧିଜୀଙ୍କର ‘କିରାଣିର ସ୍ୱର୍ଗ’ ମୋତେ ଯେମିତି ଉପହାସ କରି କହୁଥିଲା–ବାଘ ଆଉ ଛେଳି ଗୋଟାଏ ଘାଟରେ ପାଣି ପିଇବାର ତୁମେ ଦେଖିଚ ?

 

ମୁଖ୍ୟ ଶାସନ–ସଚିବ ଖୁବ୍‌ ଗମ୍ଭୀର ପ୍ରକୃତିର ଲୋକ । ଆଜି କାହିଁକି ଆଉରି ବେଶି ଗମ୍ଭୀର ଦେଖାଯାଉଥିଲେ । ମୋତେ ବସିବାକୁ କହିଦେଇ ସେ ତାଙ୍କ କାମରେ ଲାଗିଛନ୍ତି; ମୋର ଉପସ୍ଥିତି ବିଷୟରେ ଗୁରୁତ୍ୱହିଁ ଦେଉନାହାନ୍ତି । ମୁଁ ବା କିପରି ତାଙ୍କୁ ମନେପକାଇଦେବି ଯେ–ତାଙ୍କର ଡାକରାରେ ମୁଁ ଆସି ଘଣ୍ଟାଏ ହେଲା ତାଙ୍କୁହିଁ ଅପେକ୍ଷା କରିଚି ।

 

ସେ ତାଙ୍କ ଷ୍ଟେନୋକୁ ଡାକିଲେ । ମୋତେ କହିଲେ–ବାବୁ, ତୁମେ ଟିକିଏ ବାହାରକୁ ଯାଅ । ମୁଁ ଏଇଟା ଡିକ୍‌ଟେସନ୍‌ ଦେଇଦିଏ । ତା’ପରେ ତୁମକୁ ଡାକିବି ।

 

ମୁଁ ଉଠି ବାହାରକୁ ଚାଲିଆସିଲି । ତାଙ୍କର ଡିକ୍‌ଟେସନ୍‌ ଦେବାକୁ ପନ୍ଦର ମିନିଟ୍‌ ଲାଗିଲା । ଷ୍ଟେନୋବାବୁ ବାହାରିଆସିବା ପରେ ମୋତେ ଡାକରା ହେଲା ।

 

ସେ ମୋତେ କହିଲେ–କ’ଣ ବାବୁ ? ତୁମେ ସବୁ ଏମିତି ଆମ ବିରୁଦ୍ଧରେ ଲାଗିଥିବ ନା ସଚିବାଳୟରେ କିଛି କାମ ହେବ ? ଦେଖୁଚ, ଓଡ଼ିଶାଟା କେତେ ପଛରେ ପଡ଼ିଚି । ଏ ରାଜ୍ୟର ଲୋକେ ଭଲକରି ମୁଠେ ଭାତ ପାଉନାହାନ୍ତି । ପିଲାଙ୍କ ପଢ଼ିବାପାଇଁ ସବୁଆଡ଼େ ସ୍କୁଲ୍ ଦିଆଯାଇପାରୁନାହିଁ । ଗାଁ ଲୋକଙ୍କପାଇଁ ଡାକ୍ତରଖାନାର ବ୍ୟବସ୍ଥା ହୋଇପାରୁନାହିଁ । ଅନ୍ୟ ରାଜ୍ୟସବୁ କେତେ ଆଗେଇ ଯାଉଛନ୍ତି । ଆଉ ଏଠି ତୁମେସବୁ ସଂଘ କରି ମିଛେ ମିଛେ ଅଫିସରମାନଙ୍କୁ ହଇରାଣ କରୁଚ । କ’ଣ ତୁମମାନଙ୍କର ମତଲବ ?

 

ମୁଁ ସାହସ ସଞ୍ଚୟ କରି କହିଲି–ସାର୍‌ ! ଆପଣ ସବୁର ବିଚାର କରିଦେଲେ ଅଶାନ୍ତିଟା ମେଣ୍ଟିଯାଆନ୍ତା । ଡେରି ହେବାଯୋଗୁଁ ଅସନ୍ତୋଷଟା ବଢ଼ୁଚି ।

 

ମୁଖ୍ୟ ଶାସନ–ସଚିବ ଗଳାକୁ ଆଉ ଟିକିଏ ଉପରକୁ ଚଢ଼େଇ କହିଲେ–ପିଅନମାନେ ଅଫିସରମାନଙ୍କ ଘରକୁ ଯିବେ ନାହିଁ; ସେମାନେ କ’ଣ ଅଫିସରମାନଙ୍କ ଚେୟାରରେ ବସି ଦେଶକୁ ଶାସନ କରିବେ ?

 

ତାଙ୍କ କହିବାର ଭଙ୍ଗି ମୋତେ ସଶଙ୍କିତ କଲା । ତଥାପି ଠିକ୍‌ ଏଇ ସମୟରେ ମୁଁ ଯଦି ଡରିଯାଇ ପଛଘୁଞ୍ଚା ଦିଏ, ତେବେ ସଂଘର ଲକ୍ଷ୍ୟହାସଲ କରିବା ଦିଗରେ ସବୁ ଚେଷ୍ଟା ବିଫଳ ହେଇଯିବ । ତେଣୁ ମୁଁ କହିଲି–

 

ସାର୍‌, ପିଅନମାନେ ଅଫିସରମାନଙ୍କ ଚେୟାରରେ ବସିବେ ବୋଲି ସଂଘ ତ କହୁନାହିଁ-। ସେମାନେ ଅଫିସ୍‍ରେ ସେମାନଙ୍କ କର୍ତ୍ତବ୍ୟ ଖିଲାଫ୍‌ କଲେ ଆପଣ ସେମାନଙ୍କୁ ଦଣ୍ଡ ଦିଅନ୍ତୁ-। ମାତ୍ର ଅଫିସରମାନେ ସେମାନଙ୍କୁ ଘରକାମରେ ଲଗେଇବେ, ସେମାନେ କୌଣସି କାମରେ ଅନିଚ୍ଛା ପ୍ରକାଶ କଲେ ମିଛ ଅଭିଯୋଗରେ ସେମାନଙ୍କୁ ଶାସ୍ତି ଦେବେ, ଏଇଟା କ’ଣ ନ୍ୟାୟ-?

 

ସେ ମୋ ମୁହଁକୁ ଚାହିଁଲେ । ତାଙ୍କ ଚାହାଣିର କଠିଣତାରେ ମୋର ସଞ୍ଚିତ ଦମ୍ଭ ଭାଙ୍ଗିଯାଉଥିଲା । ମୋ ପାଦତଳେ ମୃତ୍ତିକା ତଳକୁ ତଳକୁ ଖସିଯାଉଥିଲା ଓ ମୁଁ ଉପରକୁ ଉଠିବାକୁ ଚେଷ୍ଟା କରି ବ୍ୟର୍ଥ ହେଉଥିଲି ।

 

ମୁଖ୍ୟ ଶାସନ–ସଚିବ ଗର୍ଜିଉଠିଲେ–କ’ଣ କହିଲ ? ମିଥ୍ୟା ଅଭିଯୋଗ ? ଅଫିସରମାନେ ଖାଲି ମିଥ୍ୟା ଅଭିଯୋଗ କରୁଛନ୍ତି; ଆଉ ତମେ ସବୁ ପିଅନମାନଙ୍କୁ ମତେଇ ଅଫିସରମାନଙ୍କ ନାମରେ ମିଥ୍ୟା ଅଭିଯୋଗ କରୁନାହଁ ? ଅଭିଯୋଗ ଯଦି ମିଥ୍ୟା ପ୍ରମାଣିତ ହୁଏ ତମେ କି ଶାସ୍ତି ନେବ ?

 

ମୁଁ ହଠାତ୍‌ ଉପରୁ ତଳକୁ ଖସିପଡ଼ିଲି ଯେମିତି । ମୁଖ୍ୟ ଶାସନ–ସଚିବ ଏ କ’ଣ କହୁଚନ୍ତି ? ପିଅନମାନଙ୍କ ଅଭିଯୋଗ ମିଥ୍ୟା ? ଏହା କେବେ ତ ହେଇ ନ ପାରେ । ସଂଘ ତରଫରୁ ପ୍ରତ୍ୟେକଟି ଅଭିଯୋଗର ସତ୍ୟାସତ୍ୟ ବିଷୟ ଅନୁସନ୍ଧାନ କରି କେବଳ ସତ ଅଭିଯୋଗଗୁଡ଼ିକହିଁ ବିଚାରପାଇଁ ଦିଆଯାଇଚି । ମୋ ଜାଣିବାରେ କେଉଁଟା ମିଥ୍ୟା ନୁହେଁ । ତେଣୁ ମୁଁ କହିଲି–ସାର୍‌, ପିଅନମାନଙ୍କ ଅଭିଯୋଗ ସତ କି ମିଛ ଆପଣ ତଦନ୍ତ କଲେ ଜାଣିପାରିବେ ।

 

ସେ ଆହୁରି ଜୋରରେ ଗର୍ଜିଉଠିଲେ–Your Sangha is an association of liers and yourrare a lier–ତୁମେ ସବୁ ମିଛୁଆ ସଂଘ ଗଢ଼ିଚ ।

 

ମୁଁ ଚୁପ୍‌ ହେଇଗଲି । ବୋଧହୁଏ କୌଣସି କାରଣରୁ ତାଙ୍କର ମୁଡ଼୍‌ ଆଜି ଭଲ ନାହିଁ । ଆଉ ଏସବୁ ବିଷୟରେ ଆଜି ତର୍କ–ବିତର୍କ ନକରି ମୁଁ ତାଙ୍କ ସାମନାରୁ ଚାଲିଆସିବାକୁ ଚାହୁଁଥିଲି । ମାତ୍ର ସେ କହିଲେ–ତୁମେ କେତେ ସତ କହୁଚ, ତା’ର ପ୍ରମାଣ ମୁଁ ଦଉଚି । ତାଙ୍କ ଟେବୁଲ୍‌ ଡ୍ରୟାରରୁ ଖଣ୍ଡେ କାଗଜ କାଢ଼ି ସେ ମୋ ହାତକୁ ବଢ଼ାଇଦେଇ କହିଲେ–ପଢ଼ । କ’ଣ ଏସବୁ ଚାଲିଚି ଏଠି ? ଭାତହାଣ୍ଡିରୁ ଗୋଟାଏ ଚିପିବା ଯାହା, ସବୁଗୁଡ଼ାକୁ ଚିପିବା ସେୟା ।

 

ସେ କାଗଜଖଣ୍ଡକ ମୁଁ ଦେଖିଲି । ନିଜକୁ ନିଜେ ବିଶ୍ୱାସ କରିପାରିଲିନି । ଏହା କେମିତି ସମ୍ଭବ ହେଲା ?

 

ଜଗଦୀଶବାବୁଙ୍କ ପିଅନ ହାତକାଟି ଲେଖିଦେଇଚି । ଜଗଦୀଶବାବୁ ତା’ ପ୍ରତି କିଛି ଦୁର୍ବ୍ୟବହାର କରିନାହାନ୍ତି । ଦୁଧ ଯୋଗାଉଥିବା ବାବଦ ତା’ର କୌଣସି ପଇସା ବାକି ନାହିଁ । ସେ ସବୁ ପଇସା ମାସକୁ ମାସ ନେଇନେଇଛି । ସଂଘର ସେକ୍ରେଟେରି (ଅର୍ଥାତ୍‌ ମୁଁ) ମିଛରେ ତାକୁ ଲଗାଇ ଜଗଦୀଶବାବୁଙ୍କ ନାଁରେ ଦରଖାସ୍ତ କରାଇଛି । ଜଗଦୀଶବାବୁଙ୍କ ସ୍ତ୍ରୀ ଖୁବ୍‌ ଭଲ ମଣିଷ....ଇତ୍ୟାଦି ।

 

ମୁଖ୍ୟ ଶାସନ–ସଚିବ କହିଲେ–ତୁମ ଅଭିଯୋଗର ନମୁନା ଦେଖିଲ ତ ? କୁହ କାହାକୁ ଦଣ୍ଡ ଦେବି ? ଜଗଦୀଶବାବୁଙ୍କୁ ନା ତୁମକୁ ?

 

ମୁଁ ସତେ ଯେମିତି କୌଣସି ଏକ ଗୁରୁଚାପରେ ପାତାଳକୁ ଦବିଯାଉଥିଲି । ‘‘ଯା’ର ଜନ୍ୟ କରି ଚୋରି ସେଇ ବଲେ ଚୋର !’’

 

ମୋ ମୁହଁରେ ଆଉ ଉଷା ନଥିଲା । ଦେହରେ ଜୀବନ ଥିଲା କି ନାହିଁ ତା’ବି ସନ୍ଦେହ । ଏଇ ସମୟରେ ହଠାତ୍‌ ମୁଖ୍ୟ ଶାସନ–ସଚିବଙ୍କ ଟେଲିଫୋନ୍‌ ବାଜି ଉଠିଲା । ସେ ମୋ ଆଡ଼ୁ ଦୃଷ୍ଟିଫେରାଇ ଟେଲିଫୋନ୍‌ ଧଇଲେ । ସେଆଡ଼ିକା କଥା ଶୁଣି ଠିଆହୋଇ ପଡ଼ିଲେ । କହିଲେ–Yes Sir, reaching in no time. ଟେଲିଫୋନ୍‌ ରଖିଦେଇ କହିଲେ–ଲାଟ୍‌ ସାହେବ ଡାକିଲେଣି, ମୁଁ ଯାଉଛି । କାଲି ତୁମ ସହିତ କଥାବାର୍ତ୍ତା ।

 

ସେ ଚାଲିଗଲେ । ମୋର କୌଣସି ଇନ୍ଦ୍ରିୟ କାମ କରୁ ନଥିଲା । ମୁଁ ସେମିତି ସ୍ଥାଣୁପରି ରହିଥିଲି । ତାଙ୍କ ପ୍ରାଇଭେଟ୍‌ ସେକ୍ରେଟେରି ଆସି କହିଲେ–ନୀଳମାଧବବାବୁ, ଏବେ ଯାଆନ୍ତୁ । ସାହେବ ଆଉ ଏଠିକି ଆସିବେ ନାହିଁ । ଲାଟ୍‌ ସାହେବଙ୍କ ଭବନରୁ କୋଠିକି ଯିବେ । ଆମେ ଏବେ ଅଫିସ୍‌ ବନ୍ଦକରି ଯିବୁ ।

 

ତାଙ୍କ କଥାରେ ମୋର ସମ୍ବିତ ଫେରିଲା । ମୁଁ ସବୁ ଜାଣି ମଧ୍ୟ ଏପର୍ଯ୍ୟନ୍ତ ଠିକ୍‌ ଜାଣିପାରି ନଥିଲି ମୁଖ୍ୟ ଶାସନ–ସଚିବ ମୋ ସାମନାରେ ନାହାନ୍ତି ବୋଲି । ପ୍ରାଇଭେଟ୍‌ ସେକ୍ରେଟେରିଙ୍କ କଥା ଶୁଣି ମୁଁ ବାହାରକୁ ଚାଲିଆସିଲି; ଆଉ ଆମ ଅଫିସ୍‌କୁ ଗଲି ନାହିଁ । ଭାବୁଥିଲି ସଂଘ ଅଫିସ୍‌କୁ ଯିବି ବୋଲି । ତା’ବି ଇଚ୍ଛା ହେଲା ନାହିଁ । ହଠାତ୍‌ ସାରା ଜଗତଟାକୁ ମୁଁ ଅବିଶ୍ୱାସ କରି ବସିଲି । ବିଶ୍ୱାସଘାତକତାର ଚରମ ଦୃଶ୍ୟ ମୋ ଆଗରେ ଅଭିନୀତ ଦେଇଗଲା । କିନ୍ତୁ କିଏ ଏହାର ନାୟକ ବା ନାୟିକା ? ଜଗଦୀଶବାବୁ, ନୟନ ମିଶ୍ର, ଅବିନାଶ ସେନ୍‌ ନା ନିଜେ ମୁଖ୍ୟ ଶାସନ–ସଚିବ ? ଅଭିଯୋଗକାରୀ ପିଅନକୁ ହାତକରି ମୋ ବିରୁଦ୍ଧରେ ଲେଖାଇନେବା କାହାର ବୁଦ୍ଧି ?

 

ସଚିବାଳୟରୁ ବାହାରିବାପରେ ମୋତେ ଆଉ ଘରକୁ ବାଟ ଦିଶିଲା ନାହିଁ । ଏକାନିଃଶ୍ୱାସକେ ମୁଁ ଯାଇ ପହଞ୍ଚିଗଲି ଜଗଦୀଶବାବୁଙ୍କ ଘରେ । ଜଗଦୀଶବାବୁ ଅନୁପସ୍ଥିତ । ନୟନା ମିଶ୍ର ସାମନା ବଗିଚାରେ ଟହଲ ମାରୁଚନ୍ତି ଆଉ ଅଭିଯୋଗକାରୀ ସେଇ ପିଅନଟି ଗଛରେ ପାଣି ଦଉଚି ।

 

ନୟନା ମିଶ୍ର ମୋତେ ଦେଖି ଗେଟ୍‌ ପାଖକୁ ଚାଲିଆସିଲେ । କହିଲେ–ଆରେ, ଆପଣ ଯେ ! ଦେଖା ତ ନଥିଲା, ଆଜି ହଠାତ୍‌.....

 

ମୁଁ କହିଲି–ଆପଣମାନେ ମୋତେ ବାଧ୍ୟ କଲେ ଆସିବାପାଇଁ ।

 

ନୟନା ମିଶ୍ର ହୋ–ହୋ ହସିଉଠିଲେ–କ’ଣ ଯେ ଆପଣ କହୁଚନ୍ତି ? ଆପଣ କର୍ମଚାରୀ ସଂଘର ସେକ୍ରେଟାରୀ । କେତେ ବଡ଼ ପାହ୍ୟାରେ ଅଛନ୍ତି । ଅଫିସରମାନଙ୍କୁ ଉଠଉଚନ୍ତି, ନଚଉଚନ୍ତି । ଆମେ ପୁଣି ଆପଣଙ୍କୁ ବାଧ୍ୟ କରିବୁ ? ବୁଝିଲେ ନୀଳମାଧବବାବୁ, ଜୀବନରେ ସୁଯୋଗ ଥରେ ଆସେ । ଜାଣି ଜାଣି ସେ ସୁଯୋଗକୁ ହାତଛଡ଼ା କରିଦେଲେ ଆଉ ଆସେନା ।

 

ମୁଁ କହିଲି–ମୁଁ ଆପଣଙ୍କଠୁ କୌଣସି ସୁଯୋଗ ଆଦାୟ କରିବାକୁ ଆସିନାହିଁ । ମୁଁ କେବଳ ପଚାରିବାକୁ ଆସିଚି–ଆପଣ ଆପଣଙ୍କର ଏଇ ପିଅନଟିକୁ ହାତକରି ମୋ ବିରୁଦ୍ଧରେ ଏ ଷଡ଼ଯନ୍ତ୍ର କରୁଛନ୍ତି କାହିଁକି ?

 

ସେ ପୁଣି ହୋ–ହୋ ହସି ଉଠିଲେ । କହିଲେ–ଓ, ଏଇ କଥା । ଆମେ ଆପଣଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛୁ ନା ଆପଣ ଆମ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିଲେ । ଛି ଛି, ଆପଣ ଏତେ ତଳକୁ ଯିବେ ବୋଲି ମୋର ବିଶ୍ୱାସ ନଥିଲା । ମିଛଟା ଆମେ ସୃଷ୍ଟିକଲୁ, ନା ଆପଣ କରୁଥିଲେ ?

 

ତାଙ୍କ କଥା ଶୁଣି ମୋ ରକ୍ତ ତାତିଉଠୁଥିଲା । ଏମିତି ମିଥ୍ୟାର ଆଶ୍ରୟ ଏମାନେ ନେଇପାରନ୍ତି ! ମୋର ମନେପଡ଼ୁଥିଲା ମାର୍କେଟ ରାସ୍ତାରେ ସେ ଦିନର ଦୃଶ୍ୟ । ଏଇ ସେଇ ନୟନା ମିଶ୍ର ! ଯାହାଙ୍କ ଚରିତ୍ରରେ ରାଜଧାନୀ ଉଦ୍ଭାସିତ । ସେ ପୁଣି ଦମ୍ଭର ସହିତ ମୋ ସାଙ୍ଗରେ କଥାବାର୍ତ୍ତା କରୁଛନ୍ତି । ଏହା ଭାଗ୍ୟର ବିଡ଼ମ୍ୱନା ଛଡ଼ା କ’ଣ ହେଇପାରେ ?

 

ମୁଁ କହିଲି–କେଉଁଟା ସତ, କେଉଁଟା ମିଛ, ସେ ପିଅନକୁ ମୋ ସାମନାକୁ ଡାକିଲେ ।

 

ନୟନା କହିଲେ–ପିଅନ ତା’ କାମ ସାରି ଚାଲିଗଲାଣି । ତାକୁ ଆଉ କ’ଣ ପଚାରିବେ-? ତା’ର ଯାହା କହିବାର କଥା ସେ ଲେଖିଦେଇଚି । ଆପଣ ନା ତାକୁ ଶିଖାଇ ମୋ ବିରୁଦ୍ଧରେ ମିଛ କଥାଗୁଡ଼ା ଲେଖାଇଥିଲେ ? ଆପଣ ଏଡ଼େ ଜଘନ୍ୟ....

 

ଆଉ ଆପଣ.....

 

ଆଉ ତୁମେ.....

 

ଆଉ ତୁ.....

 

ନୟନା ମିଶ୍ର ! ମୁଁ ୟାର ପ୍ରତିଶୋଧ ନେବି । ଏତେ ବଡ଼ ଅନ୍ୟାୟ ମୁଁ ବରଦାସ୍ତ କରିପାରିବି ନାହିଁ–ସ୍ୱାଧୀନ ଦେଶରେ କେହି କରିବା ମଧ୍ୟ ଉଚିତ ନୁହେଁ । ଏଇଥିପାଇଁ ରକ୍ତ ଦେଇ ଆମେ ସ୍ୱାଧୀନତା ଆଣି ନଥିଲୁ ! ମୁଁ ପ୍ରତିଶୋଧ ନେବି । ଗଳାଟିପି ତୋତେ ସବୁଦିନପାଇଁ ଶେଷ କରିଦେବି । ପ୍ରତାରଣା–ଷଡ଼ଯନ୍ତ୍ରର ଚରମ ଶାସ୍ତି ତୋତେ ମୁଁ ଦେବି ।

 

ମୋ ହାତ ଦି’ଟାକୁ ଉପରକୁ ଟେକିଲି । ଆଗେଇଗଲି ତା’ ଆଡ଼େ । ସେ ପଛେଇଯାଉଥିଲା । ଚିତ୍କାର କରୁଥିଲା । ସେ ଯାଇ କାନ୍ଥରେ ଅଟକିଗଲା । ମୁଁ ଦପ୍‌କିନି ଠିଆହେଇଗଲି । ଠିକ୍‌ ଅସଲବେଳରେ ଦେହରୁ ଝାଳ ବହିଆସିଲା । ହଠାତ୍‌ ମୋ ବିବେକ ସଚେତନ ହେଇଉଠିଲା । କିଏ ଯେମିତି କହିଲା–ଛି, ଏ କ’ଣ କରୁଚୁ ? ମୃତ୍ୟୁର ଡୋରିରେ ବେକଟାକୁ ବାନ୍ଧିଦବାକୁ ଚାହୁଁ ? ମଣିଷ ମାରିବୁ ? ମାରିବାର ପରିଣତି ଜାଣୁ ତ ? ଇଂରେଜମାନେ ଯୋଉ ଫାଶୀଦଣ୍ଡଟାକୁ ରଖିଦେଇଯାଇଛନ୍ତି, ତାହା ଆଜିବି ଅଛି । ପଢ଼ିନୁ ଭଗବତୀ ପାଣିଗ୍ରାହୀଙ୍କ ‘ଶିକାର’ ଗଳ୍ପ ? ଅତ୍ୟାଚାରୀ ସର୍ଦ୍ଦାରକୁ ମାରି ଘିନୁଆ କି ଦଣ୍ଡ ପାଇଲା ? ଗାନ୍ଧୀହତ୍ୟାକାରୀ ନାଥୁରାମ ଗଡ଼ସେ, ତାକୁ କି ଶାସ୍ତି ମିଳିଲା ? ଏଇ ସେ ଦିନର ପାକିସ୍ତାନର ସର୍ବମୟ କର୍ତ୍ତା ଭୁଟ୍ଟୋ ରକ୍ଷାପାଇଲେ କି ? ନୟନା ମିଶ୍ରକୁ ମାଇଲେ ତୁ ବି ଫାଶୀ ପାଇବୁ । ପାଗଳା....ଫେରିଯା, ଫେରିଯା ! ତୋ ଘରେ ତୋ ସ୍ତ୍ରୀ ବିଚାରୀ ଉଷା, ଛୋଟପୁଅ ମୁନ୍ନା ତୋପାଇଁ ଆଗ୍ରହରେ ଅପେକ୍ଷା କରିଚନ୍ତି । କୁକୁର ଯଦି ମଣିଷକୁ କାମୁଡ଼େ, ମଣିଷ କ’ଣ ତାକୁ କାମୁଡ଼ିବାକୁ ଦଉଡ଼ିଯାଏ ? ପ୍ରତିଶୋଧ ଏଭଳି ନିଆଯାଏନା । ସେଥିପାଇଁ ଅନ୍ୟ ବାଟ ଆବଶ୍ୟକ । ଅନ୍ୟାୟ ବିରୁଦ୍ଧରେ ଲଢ଼ିବାକୁ ହେଲେ ଅନ୍ୟାୟ ବାଟ ଛାଡ଼ିବାକୁ ପଡ଼ିବ । ଗାନ୍ଧୀ ଲଢ଼ିଥିଲେ ଗୁଳିଗୋଳା ବନ୍ଧୁକରେ ନୁହେଁ–ସତ୍ୟ ଉପରେ ଥିଲା ତାଙ୍କର ଗଭୀର ଆସ୍ଥା । ତୁ ସତ୍ୟ ଉପରେ ଆସ୍ଥା ରଖ ।

 

ପଛଆଡ଼ୁ ମୋତେ କିଏ ଟାଣୁଛି ଯେମିତି । ଦେଖିଲି ସେ ଆଉ କେହି ନୁହେଁ ଜଗଦୀଶବାବୁଙ୍କ ପିଅନ । ସେ ମୋତେ ଜାବୋଡ଼ି ଧରିଛି । ତା’ର ଶକ୍ତ ହାତ ଦୁଇଟା ଭିତରେ ମୁଁ ମୋର ସମସ୍ତ ଶକ୍ତି ହରେଇବସିଚି । ନୟନା ଏହି ଅବସରରେ ଘର ଭିତରକୁ ଯାଇ ଏକ ଶକ୍ତ ଦଉଡ଼ି ଆଣି ମୋତେ ବାନ୍ଧି ପକାଉଚି । ମୁଁ ଆଉ ପ୍ରତିବାଦ କରିପାରୁନାହିଁ ।

 

ପୋଲିସ୍‌ ଅଫିସର ଗୋଟାଏ ଜିପ୍‌ରେ କିଛି ପୋଲିସ୍ ନେଇ ଆସି ପହଞ୍ଚିଲେ । ମୋ ଦୁଇହାତରେ ହାତକଡ଼ି ପିନ୍ଧେଇଦେଲେ । ମୋତେ ଜିପ୍‌ରେ ବସେଇଦେଲେ । ନୟନା ମିଶ୍ର ତାଙ୍କୁ କହିଲେ–ବାବୁ, ପୁରୀ ଯାଇଥିବାର ସୁଯୋଗ ନେଇ ଲୋକଟା ମୋ ଉପରେ ଅତ୍ୟାଚାର କରିବାକୁ ବସିଥିଲା ।

 

ମୋ ଆଖିରୁ ନିଆଁ ବାହାରୁଥିଲା । ମୁଁ ପାଟିକରିଉଠିଲି–ମିଛ, ମିଛ, ସବୁଗୁଡ଼ାକ କପୋଳକଳ୍ପିତ....

 

ଚକ୍ରବ୍ୟୂହ ଭିତରେ ଅସହାୟ ଅଭିମନ୍ୟୁକୁ ସପ୍ତରଥୀ ଘେରିବାପରି ପୋଲିସ୍‌ ଲୋକେ ମୋ ଚାରିପାଖରେ ଘେରି ବସିଥିଲେ । ଜିପ୍‌ ଚାଲିବା ଆରମ୍ଭ କରି ଦେଇଥିଲା । ମୋର ଚିତ୍କାର କାହାରିକୁ ଶୁଭୁ ନଥିଲା ।

 

ଥାନାରେ ପହଞ୍ଚି ମୁଁ କହିଲି–ମୁଁ ଆଉ ଏଭଳି କାମ କରିବି ନାହିଁ । ମୋତେ ଛାଡ଼ିଦିଅ । ମୁଁ ଘରକୁ ଯିବି ।

 

ପୋଲିସ୍‌ମାନେ ମୋତେ ଟଣାଟଣିକରି ଜିପ୍‌ରୁ ଓହ୍ଲାଇ ଆଣୁ ଆଣୁ କହୁଥିଲେ–ଘରକୁ ଯିବା ଆଗରୁ କିଛିଦିନ ମାମୁଘରେ ରହିଯା ।

 

ଅଫିସର କହିଲେ–ହାଜତ ଭିତରେ ପୂରେଇ ଦିଅ । ହାଜତର ଲୁହା ଫାଟକ ଖୋଲି ମୋତେ ସେମାନେ ପୂରେଇ ଦେଲେ; ମୋର କୌଣସି କଥା ଶୁଣିଲେନାହିଁ । ରାତି ବଢ଼ିଉଠିଲା । ସେଇ ନିର୍ଜନ ଅନ୍ଧାର ଭିତରେ ଭୟର ପିଶାଚମାନେ ନାଚ ଆରମ୍ଭ କଲେ । ମୁଁ ଯେମିତି ଅନୁଭବ କଲି ସମସ୍ତେ ଲୁହା ଧରି ମୋତେ ପିଟୁଛନ୍ତି ଓ କହୁଛନ୍ତି–ପରସ୍ତ୍ରୀକି ଲୋଭ କରିବାର ଫଳ ପାଆ ।

 

କିନ୍ତୁ ମୁଁ କ’ଣ ସତରେ ଲୋଭର ବଶବର୍ତ୍ତୀ ହେଇ ସେଠିକି ଧାଇଁଯାଇଥିଲି ? ନା.....

 

ତାହାହେଲେ ?

 

କିଏ ଦେବ ମୋ ପ୍ରଶ୍ନର ଉତ୍ତର ? କେହି ଆଉ ନଥିଲେ । ସକାଳେ ମୋତେ କୋର୍ଟରେ ହାଜର କରାଗଲା । ମୋତେ ଜାମିନ୍‌ ନେବାପାଇଁ କେହି ନଥିଲେ ।

 

ଜଣେ ଭଦ୍ରମହିଳାଙ୍କ ପ୍ରତି ଅସଦାଚରଣ କରିବାପାଇଁ ଜଣେ ଭଦ୍ରଲୋକଙ୍କ ଗୃହ ମଧ୍ୟକୁ ବେଆଇନଭାବେ ଅନଧିକାର ପ୍ରବେଶ କରିଥିବାରୁ ଓ ସେଥିପାଇଁ ପୋଲିସ୍‌ ମୋ ବିରୁଦ୍ଧରେ ଫୌଜଦାରି ମୋକଦ୍ଦମା ଆଗତ କରିଥିବାରୁ ମୋତେ ଚାକିରିରୁ ସସ୍‌ପେଣ୍ଡ୍ କରିଦିଆଗଲା । ଖବରକାଗଜମାନଙ୍କରେ ଏ ସମ୍ୱାଦ ପ୍ରକାଶିତହେବା ସଙ୍ଗେ ସଙ୍ଗେ ଏହା ମୋ ଶଳାମାନଙ୍କର ଦୃଷ୍ଟିକୁ ଆସିବାରୁ ସେମାନେ ଉଷା ଓ ମୁନ୍ନା ସହ ରାଜଧାନୀକୁ ଧାଇଁଆସିଲେ । କଚେରିରୁ ସମସ୍ତ ଖବର ସଂଗ୍ରହ କରି ଓକିଲ ନିଯୁକ୍ତ କରି ମୋତେ ଜାମିନ୍‌ରେ ନେବାପାଇଁ କୋର୍ଟରେ ଦରଖାସ୍ତ କଲେ । ମୋ ବଡ଼ଶଳା ଯେତେବେଳେ ଓକିଲାତିନାମାରେ ମୋର ଦସ୍ତଖତ ନେବାପାଇଁ ଜେଲ୍‌ ହାଜତକୁ ଗଲା, ତାକୁ ଦେଖି ମୁଁ କାନ୍ଦିପକାଇଲି । ପ୍ରଥମେ ମୁଁ ଓକିଲାତିନାମାରେ ଦସ୍ତଖତ ଦେବାକୁ ରାଜି ହେଉ ନଥିଲି । ମୋର ଯୁକ୍ତି ଥିଲା–କ’ଣ ଦରକାର ଜାମିନ୍‌ରେ ଯିବା ? ଅଭିଯୋଗ ଯେତେବେଳେ ସମ୍ପୂର୍ଣ୍ଣ ମିଥ୍ୟା, ଦିନେ ନା ଦିନେ ସତ୍ୟ ପ୍ରକାଶିତ ହେବ । ଏଇ ଜେଲ୍‌ଖାନାର ଅନ୍ଧକାର ଭିତରେ ମୁଁ ସେଇଦିନପାଇଁ ଅପେକ୍ଷା କରିବି ।

 

ପ୍ରଭୁଲାଲ୍‌ କହିଲା–ଜାମିନ୍‌ରେ ନ ଗଲେ କେସ୍‌ ଲଢ଼ିବ କେମିତି ? ଅପା ଆଉ ମୁନ୍ନା କେମିତି ଏକାଏକା ରହିବେ ? କେସ୍‌ କ’ଣ ମାସକରେ ଛିଣ୍ଡିଯିବ ? ତୁମେ ଓକିଲାତିନାମାରେ ଦସ୍ତଖତ କରି ଜାମିନ୍‌ରେ ବାହାରିଆସ । ତା’ପରେ ଆମେ ଲଢ଼ିବା ।

 

ମୁନ୍ନାର ଛୋଟ ମୁହଁ ଓ ଗୁଲ୍‌ଗୁଲ୍‌ କଥା ମୋତେ ଅସ୍ଥିର କରୁଥିଲା । ଉଷା କଥା ଭାବି ମୁଁ ବ୍ୟସ୍ତ ହେଉଥିଲି ଯାତିକି, ଭୟଭୀତ ହେଉଥିଲେ ସେତିକି । ତା’ର ସାମନାସାମନି ମୁଁ ହେବି କେମିତି ? ମୋ ଛଡ଼ା ଏ ଘଟଣାର ସତ୍ୟାସତ୍ୟ ଆଉ କିଏ ଜାଣିଚି ? ଉଷା ଯଦି ମୋ କଥାକୁ ବିଶ୍ୱାସ ନ କରେ ?

 

ସରଳ ମନ ତା’ର ! ଦୁନିଆର ଆବର୍ଜନା ସେ ଦେଖିନାହିଁ । ମଣିଷ ଯେ ପ୍ରତିଶୋଧ ନେବାପାଇଁ ପଶୁ ପାଲଟିଯାଏ, ଏ ଖବର ସେ ଜାଣେ କି ?

 

ପ୍ରଭୁଲାଲ ପୁଣି କହିଲା–ଅପା ଆଉ ମୁନ୍ନା ବାହାରେ ଅପେକ୍ଷା କରିଚନ୍ତି । ଶ୍ୟାମଲାଲ ସେମାନଙ୍କ ପାଖରେ ଅଛି । ତୁମେ ଶୀଘ୍ର ଦସ୍ତଖତ କରିଦିଅ । କୋର୍ଟର ଟାଇମ୍‌ ଚାଲିଯାଇଚି । ଆଜି ତୁମକୁ ଆମେ ଜାମିନ୍‌ରେ ନେଇଯିବୁ ।

 

ଉଷା ଆଉ ମୁନ୍ନା ବାହାରେ ଅପେକ୍ଷା କରିଚନ୍ତି । ତାଙ୍କୁ ସାଙ୍ଗରେ ଆଣିଲ ନାହିଁ କାହିଁକି-?

 

ଆଣିବାପାଇଁ ଅନୁମତି ଦରକାର । ଇଚ୍ଛା କଲେ କ’ଣ ଜେଲ୍‌ଖାନା ଭିତରକୁ ଆସିହୁଏ-?

 

ପ୍ରଭୁଲାଲ ଖୁବ୍‌ ଅସହାୟ ଦେଖାଯାଉଥିଲା । ମୁଁ ବର୍ତ୍ତମାନ ବେଶ୍‌ ବୁଝିପାରୁଥିଲି ମୋର ସ୍ୱାଧୀନତାକୁ ଅପହରଣ କରାଯାଇଛି । ମୁଁ ଅପରାଧୀ । ମୁଁ ବନ୍ଦୀ । ମନଟା ବ୍ୟାକୁଳ ହେଇଉଠିଲା-। ମୁଁ ଚାହେଁ ମୁକ୍ତି–ମୁଁ ଚାହେଁ ଆଲୋକ ।

 

ସେଇ ଆଲୋକ ପାଇବାପାଇଁ ମୁଁ ଜାମିନ୍‌ରେ ଯିବା ଦରକାର ।

 

ଅନ୍ୟାୟ ବିରୁଦ୍ଧରେ ଲଢ଼ିବାପାଇଁ ମୁଁ ଜାମିନ୍‌ରେ ଯିବା ଦରକାର ।

 

ମନେପଡ଼ୁଥିଲେ ମୋର ବାପା । ଏଇ ବିପଦ ସମୟରେ ତାଙ୍କର ସାହାଯ୍ୟ ମୋର ଦରକାର ଥିଲା । ମନେପଡ଼ୁଥିଲେ ମୋର ମା’ । ଏଇ ବିପଦ ସମୟରେ ତାଙ୍କର ସ୍ନେହ ମୋର ଦରକାର ଥିଲା । ମନେପଡ଼ୁଥିଲା ଉଷା–ମନେପଡ଼ୁଥିଲା ମୁନ୍ନା–ସେମାନଙ୍କର ସେଇ ଅଦୃଶ୍ୟ ଆକର୍ଷଣ ମୋତେ ବାହାରକୁ ଆସିବାକୁ ଅସ୍ଥିର କଲା ।

 

ମୁଁ ଓକିଲାତିନାମାରେ ଦସ୍ତଖତ କଲି । ପ୍ରଭୁଲାଲ ଖୁସିମନରେ ଫେରିଆସିଲା । ମୁଁ ପୁଣି ରହିଲି ସେଇ ଅନ୍ଧାର ଭିତରେ ।

 

ସ୍ୱାଧୀନତା ପୂର୍ବରୁ କେତୋଟି ଦିନ ମୁଁ ଏଇ ହାଜତ୍‌ରେ ରହିଥିଲି । ସ୍ୱାଧୀନତା ପରେ ପୁଣି ଏଇ ରହିଚି । ସେତେବେଳେ ଥିବା ଘରଗୁଡ଼ିକର କୌଣସି ପରିବର୍ତ୍ତନ ହେଇନାହିଁ । ଭିତରେ ଲୋକସଂଖ୍ୟା ବଢ଼ିଚି । ସେତିକି ସଂଖ୍ୟକ ଘରେ ଯେତିକି ଲୋକ ଆଗରୁ ରହୁଥିଲେ, ଏବେ ତା’ର ଚାରିଗୁଣ ଲୋକ ରହୁଚନ୍ତି । ସେତେବେଳେ ଶୃଙ୍ଖଳା ଥିଲା; ଏବେ ଜେଲ୍‌ ବିଶୃଙ୍ଖଳ । ଜେଲ୍‌ର କ’ଣ ସେ ସଂସ୍କାର ହେଉଛି ମୁଁ ଅନୁଭବ କରିପାରୁ ନଥିଲି ।

 

ଏଇ କେଇଟା ଦିନ ଭିତରେ ଗୋଟିଏ ଛୋଟପିଲା ସହିତ ବେଶ୍‌ ଦୋସ୍ତି ଜମିଯାଇଥିଲା-। ପିଲାଟି ଚୋରି ଅଭିଯୋଗରେ ଦି’ ମାସ ହେବ ଆସିଚି । ଜାମିନ୍‌ ନବାପାଇଁ ତା’ର କେହି ନାହାନ୍ତି-। ସେଇ ପିଲାଟି ‘ଦାଦା ଦାଦା’ ଡାକି ପ୍ରତିଦିନ ମୋରି ପାଖରେ ଆସି ବସେ । ପଚାରେ, ଚୋରି କରିଚି ବୋଲି ମୋତେ କ’ଣ ଦି’ ଚାରିବର୍ଷ ସଜା ହେଇଯିବ ? ମୁଁ ଯଦି ଏଠି ରହିଯାଏ ଘରେ ମୋ ସାନଭଉଣୀ କ’ଣ କରିବ ?

 

ଘରେ ତା’ର ସାନଭଉଣୀଟିଏ ବ୍ୟତୀତ କେହି ନାହାନ୍ତି । ସେ ସବୁବେଳେ ତା’ରି କଥା କହେ । ତା’ରି କଥା ଭାବି କାନ୍ଦେ । ପିଲାଟିର ବୟସ ପନ୍ଦର କି ଷୋଳ । ତା’ ସାନଭଉଣୀର ବୟସ ବାର କି ତେର ।

 

ସେଦିନ ସେ ବସି ବସି କହୁଥିଲା–ଦାଦା, ମୁଁ ତ ଆଗରୁ କେବେ ଚୋରି କରି ନଥିଲି । ମୋର ଗୋଟେ ଏପାରି ସେପାରି ବଡ଼ଭାଇ ଅଛି । ସେ ଭାରି ଚୋର । ଚୋରିକରି ଦି’ତିନିଥର ଜେଲ୍‌ ଗଲାଣି । ମୁଁ ଶୋଇଥିଲି । ମୋତେ ଆସି ସାଙ୍ଗରେ ଡାକିନେଲା । କହିଲା–କୁଶ, ତୁ ଖାଲି ମୋ ସାଙ୍ଗରେ ଆ । ଜଡ଼ାଟାକୁ ସକାଳଠୁ ପାଉନି । କୋଉଠିକି ଯାଇଚି କେଜାଣି । ଶଳା ମୋତେ ଫାଙ୍କିଦେଇ ଆଉ କୋଉଠିକି ଚାଲିଯାଇଥିବ । ମୋ ସାଙ୍ଗରେ ଯାଇ ଇସ୍ପାତ ହେଇଗଲାଣି । ତୁ ଟିକିଏ ଚାଲ । ଏଇ ପାଖ ଗାଁକୁ ଯିବା । ତୁ ନଗଲେ ଜିନିଷପତ୍ର ଆଣିବାପାଇଁ ସୁବିଧା ହବନି ।

 

ମୁଁ ତ କିଛି ବୁଝି ନଥିଲି । ନିଦ–ମଳମଳ ଆଖିରେ ତା’ ସାଙ୍ଗରେ ଚାଲିଗଲି । ଆମେ ଗଲୁ ପାଖ ଗାଁରେ ଧନୀ ସାହୁ ଘରକୁ । ଧନୀ ସାହୁର ଗୋଟେ ଭୁଷାମାଲ ଦୋକାନ ଅଛି । ଦୋକାନଘରଟା ବାହାରକୁ । ଭିତରୁ କବାଟ ବନ୍ଦ ଥିଲା । ଗୋଟେ ଲୁହା ପାତିଆରେ ସନାଭାଇ ସେ କବାଟ ‌ଖୋଲିଦେଲା । ଦି’ଜଣଯାକ ଭିତରକୁ ପଶି ଜିନିଷପତ୍ର ବନ୍ଧାବନ୍ଧି କରୁଚୁ, ହଠାତ୍‌ ବାହାରୁ କିଏ କବାଟ ବନ୍ଦ କରିଦେଲା । ଘରବାଲା ଜାଣିପାରି ଏମିତି କରିଦେଲା । ସକାଳ ପର୍ଯ୍ୟନ୍ତ ଆମେ ସେଇ ଘର ଭିତରେ ବନ୍ଦହେଇ ରହିଲୁ ! ସକାଳେ ଗାଁଲୋକ ମିଳି ଆମକୁ ଢେର୍‌ ବାଡ଼େଇ ପୋଲିସ୍‌ ଡାକି ଦେଇଦେଲେ ।

 

ପଚାରିଲି–ତୋର ସେ ସନାଭାଇ କାହିଁ ?

 

–ସେ ପନ୍ଦର ଦିନ ହେଲା ଜାମିନ୍‌ରେ ଚାଲିଗଲାଣି ।

 

–ବେଶ୍‌ ଭାଇ ତ ? ତୋତେ ଡାକିହାକି ନେଇ ଜେଲ୍‌କୁ ପଠେଇଦେଇ ନିଜେ ଖସିଗଲା ।

 

–ଯିବାବେଳେ ମୁଁ କାନ୍ଦିଲି । ସେ କହିଲା, ତୁ କାନ୍ଦନା । ମୁଁ ବାହାରକୁ ଗଲେ ଦିନ ଦି’ଟା ଭିତରେ ବ୍ୟବସ୍ଥା କରି ତୋତେ ନେଇଯିବି । କାହିଁ, ପନ୍ଦରଦିନ ତ ହେଇଗଲାଣି, ତା’ର ଦେଖାନାହିଁ-। ଦାଦା, ମୁଁ ଯେ କାହିଁକି ତା’ ବୁଦ୍ଧିରେ ପଡ଼ି ସେ ଦିନ ଏ କାମ କଲି !

 

ମୋରବି ଇଚ୍ଛା ହେଉଥିଲା ତାକୁ କହିଦବାକୁ–ଭାଇରେ, ତୋରି ଭଳି ମୁଁ ବି ସେଦିନ ଯେ କାହିଁକି ଏଭଳି କାମ କଲି । ଅବା ଆମେ କିଛି କରିନାହୁଁ, କାହାର ଏକ ଅଦୃଶ୍ୟ ହାତ ଆମପାଇଁ ସବୁ କରିଯାଉଚି, ଆଉ ଆମେ ତା’ର ଫଳାଫଳ ଭୋଗକରୁଚେ । କର୍ତ୍ତା ଆଉ କିଏ; ଆମେ ନିମିତ୍ତ ମାତ୍ର ।

 

ପ୍ରଭୁଲାଲ ମୋ’ଠୁ ଦସ୍ତଖତ ନେଇଯିବାର ତିନିଦିନ ପରେ ଜେଲର୍‌ ମୋତେ ଆସି କହିଲେ ଯେ, ମୋର ଜାମିନ୍‌ ଆଦେଶ ହେଇଯାଇଚି । ଆଜି ଦଶଟାବେଳେ ମୋତେ କୋର୍ଟକୁ ଯିବାକୁ ହେବ ଓ ସେଇଠୁ ମୁଁ ଆଉ ଜେଲ୍‌କୁ ନ ଫେରି ଘରକୁ ଯିବି ।

 

ଏ ଖବରରେ ମନଟା ଆନନ୍ଦିତ ହେଲା ଯେତିକି, ମୋର ଅଜଣାରେ ମୋ ମନ ଭିତରଟା ଦୁଃଖରେ ଭାଙ୍ଗିପଡ଼ିଲା ସେତିକି । କାରଣ ନୁହେଁ ଯେ ମୁଁ ଜେଲ୍‌ରେ ରହିବାକୁ ଚାହୁଁଥିଲି । ମାତ୍ର ଜେଲ୍‌ରେ କେତେ ଜଣଙ୍କ ସହିତ ମୋର ଆତ୍ମୀୟତା ବଢ଼ିଯାଇଥିଲା । ଗୋଟିଏ ପରିବାରର ଲୋକଙ୍କ ଭଳି ଆମେ କିଛିଦିନ ରହିଯିବା ପରେ ସେଇ ସମ୍ପର୍କ ତୁଟାଇ ମୋତେ ଚାଲିଯିବାକୁ ପଡ଼ିବ ।

 

ସେଇ ସାନପିଲାଟି, ଯିଏ କି ଏଇ କେଇଦିନ ଭିତରେ ମୋତେ ଏକ ସ୍ନେହ–ରଜ୍ଜୁରେ ବାନ୍ଧିଦେଇଚି । ଦିନସାରା ମୋରି ସାଙ୍ଗରେ ରହି ସେ ଯେମିତି ମୋତେ ପାଇ ତା’ର ସବୁ ଦୁଃଖ ଭୁଲିଯାଏ । ଆଉ ମୁଁ ବି ତା’ରି ସାନ୍ନିଧ୍ୟରେ ବାହାରଜଗତକୁ କିଛିକ୍ଷଣ ଲାଗି ମନରୁ ପାସୋରିଦିଏ । ସନ୍ଧ୍ୟା ହେଲେ ଦୁହେଁ ପୁଣି ଛଡ଼ାଛଡ଼ି ହେଇଯାଉ । ରାତିରେ ଏକାଏକା ଭାରି ଖରାପ ଲାଗେ । ଖାଲି ଭାବୁଥାଏ ସକାଳ କେତେବେଳେ ହେବ, ସେ ପୁଣି ଆସି ମୋ ଜୀବନରେ ସରସତା ଭରିହେବ !

 

ନିଷ୍ପାପ ପିଲାଟା, ଏଇ ଅପରାଧୀମାନଙ୍କ ଭିତରେ ଯଦି ଆଉ କେତେ ଦିନ ରହିଯାଏ, ତାହାହେଲେ ସେ ବାହାରିବାବେଳକୁ ଅପରାଧୀ ପାଲଟି ବାହାରିବ ସିନା ! ମୁଁ ବାହାରକୁ ଯିବା ପରେ ତା’ପାଇଁ କ’ଣ କରିପାରିବି ? ତା’ର ନାମ, ଠିକଣା, ତା’ ସମ୍ପର୍କୀୟ ଭାଇର ନାମ ଠିକଣା ଲେଖି ନେଇଯିବି । ତା’ର ସେଇ ଭାଇକି ପଠେଇବି ତା’ପାଇଁ ଜାମିନ୍‌ ଦରଖାସ୍ତ କରିବାକୁ !

 

ମୋର କୋର୍ଟକୁ ଯିବାର ବେଳ ହେଇଗଲା । ପିଲାଟି ଆଜି ସକାଳଠୁ ମୋତେ ମିନିଟିଏ ପାଇଁ ବି ଛାଡ଼ି ଯାଉନାହିଁ । ଦେଖିଲି ବେଳେବେଳେ ତା’ ଆଖି ଲୁହରେ ଭର୍ତ୍ତି ହେଇଯାଉଚି-। ଏଇ କେଇଟା ଦିନର ପରିଚୟରେ ଏତେ ମମତା !

 

ତା’ର ନାମ ଠିକଣା ନେଲି । ତା’ ନାଁ କୃଷ୍ଣ ଦାସ, ଡାକ ନାଁ କୁଶ । ଗାଁ ପଧାନିଆ ଇତ୍ୟାଦି ।

 

କୋର୍ଟରେ ପ୍ରଭୁଲାଲ ଶ୍ୟାମଲାଲ ଉପସ୍ଥିତ ଥିଲେ । ଉଷା ବା ମୁନ୍ନା କେହି ନଥିଲେ । କୋର୍ଟକୁ ମୋତେ ଯେତେବେଳେ ନିଆଯାଉଥିଲା ଲଜ୍ଜାରେ ମୋ ମୁଣ୍ଡ ତଳକୁ ହେଇଯାଉଥିଲା–ମୁହଁ ଲାଲ୍‌ ପଡ଼ିଯାଉଥିଲା । ଏପରିକି ପ୍ରଭୁଲାଲ ଓ ଶ୍ୟାମଲାଲ ମୁହଁକୁ ମଧ୍ୟ ମୁଁ ଚାହିଁ ପାରୁ ନଥିଲି-। ଅନ୍ତର ଭିତରଟା ଯନ୍ତ୍ରଣାରେ ଖଣ୍ଡଖଣ୍ଡ ହେଇଯାଉଥିଲା । ବାହାରଜଗତକୁ ମୁଁ ମୁହଁ ଦେଖେଇବି କେମିତି ? କାହିଁକି ବାହାରକୁ ଆସିଲି ? ଜେଲ୍‌ଖାନାର ଉଚ୍ଚ ପାଚେରି ଭିତରେ ବରଂ ମୁଁ ଭଲଥିଲି-। ବାହାରଠୁ ବିଚ୍ଛିନ୍ନ ନିଜସ୍ୱ ଏକ ସାମ୍ରାଜ୍ୟ ସେ’ଠି ମୋର ଥିଲା । ସେଠାରେ ବାସ କରୁଥିବା ଅଧିବାସୀମାନେ ମୋତେ ସମ୍ମାନ ଦେଖାଉଥିଲେ । ସେମାନଙ୍କ ଭିତରେ ମୁଁ ଯେତିକି ଗର୍ବିତ ହେଉଥିଲି, ବାହାରକୁ ଆସି ସେତିକି ଲଜ୍ଜିତ ହେଉଚି ।

 

ମନକୁ କ’ଣ ଆସିଲା କେଜାଣି ହଠାତ୍‌ ହାକିମଙ୍କୁ ମୁଁ କହିଲି–ଆଜ୍ଞା, ମୁଁ ଜାମିନ୍‌ରେ ଯିବାକୁ ଚାହେଁନା । ମୁଁ ଜେଲ୍‌କୁ ଫେରିଯିବି ।

 

ମୋ କଥା ଶୁଣି ହାକିମ ହୁଏତ ନିଜେ ବିସ୍ମିତ ହେଲେ । ସିଧାସଳଖ କଠିନ ଦୃଷ୍ଟିରେ ମୋ ମୁହଁକୁ ଚାହିଁ କ’ଣ କହିଲେ, ମୁଁ ଶୁଣିପାରିଲି ନାହିଁ । ଜଣେ ଓକିଲ (ବୋଧହୁଏ ମୋ ତରଫ ଓକିଲ) ପଛରେ ଠିଆହେଇଥିବା ପ୍ରଭୁଲାଲ ସହିତ କ’ଣ କଥାବାର୍ତ୍ତା କରି ହାକିମଙ୍କୁ କହିଲେ–ଆସାମୀ କଥା ଉପରେ କୌଣସି ଗୁରୁତ୍ୱ ଦିଅନ୍ତୁ ନାହିଁ । ତା’ର ସାମାନ୍ୟ ମାନସିକ ବିକୃତି ଘଟିଛି ।

 

ହାକିମ କହିଲେ–ମୁଁ ଜାମିନ୍‌ନାମା ଗ୍ରହଣ କରି ତାଙ୍କୁ ଖଲାସ କରିଦଉଚି ଏବଂ ତା’ ସହିତ ଆଦେଶ ଦେଉଚି ସାତ ଦିନପାଇଁ ତାଙ୍କୁ ମାନସିକ ରୋଗ ଡାକ୍ତରଙ୍କ ପର୍ଯ୍ୟବେକ୍ଷଣରେ ରଖାଯିବ । ଯଦି ଆବଶ୍ୟକ ପଡ଼େ, ଚିକିତ୍ସା ମଧ୍ୟ କରାଯିବ ।

 

ସତକୁସତ କୋର୍ଟରୁ ମୋତେ ପୁଣି ପୋଲିସ୍ ଜଗୁଆଳିରେ ଡାକ୍ତରଖାନାର ମାନସିକ ରୋଗ ବିଭାଗକୁ ନିଆଗଲା । ଡାକ୍ତରଖାନାରେ ପହଞ୍ଚିବେଳକୁ ସତକୁସତ ମୁଁ ପାଗଳ ହେଇଯାଇଥିଲି । ମୋତେ ଯେତେବେଳେ ଗାଡ଼ିରୁ ଓହ୍ଲାଇବାକୁ କୁହାଗଲା ମୁଁ ଓହ୍ଲାଇଲି ନାହିଁ । କହିଲି–ଏଠିକି ନୁହେଁ, ମୋତେ ଜେଲ୍‌ଖାନାକୁ ନେଇଚାଲ । ମୋତେ ଜୋର୍‌ କରି ସେମାନେ ପାଗଳା–ଓ୍ୱାଡ଼୍‍କୁ ନବାକୁ ଚେଷ୍ଟାକଲେ । ମୁଁ ପ୍ରତିବାଦ କଲି–ପ୍ରତିରୋଧ କଲି । ମୋତେ ଓହ୍ଲାଇନବାକୁ ଚେଷ୍ଟା କରୁଥିବା ପୋଲିସ୍‍ମାନଙ୍କୁ ଦୁଇ ଚାରି ଚାପୋଡ଼ ମାଇଲି । ତା’ପରେ ସେମାନେ ମୋଟା ଦଉଡ଼ି ଆଣି ମୋତେ ବାନ୍ଧିପକାଇଲେ । ସାରା ଦେହରେ ଦଉଡ଼ିକୁ ଗୁଡ଼େଇଦେଲେ । ଗୋଟାଏ ଷ୍ଟ୍ରେଚର୍‍ରେ ଶୁଆଇ ଦେଇ ୱାଡ଼୍‍ ଭିତରକୁ ବୋହିନେଲେ । ଡାକ୍ତରଖାନାର ଖଟ ଉପରେ ମୋତେ ପକାଇ ଦିଆଗଲା । ମୁଁ ବଦ୍ଧପାଗଳ; ତେଣୁ ବନ୍ଧାଥିବା ଅବସ୍ଥାରେ ମୋତେ ସାରା ରାତି ରଖାଗଲା । ମୁଁ ଯେମିତି ଏକ ଭିନ୍ନ ଜୀବରେ ପରିଣତ ହୋଇଯାଇଥିଲି । ମୋ ପାଖକୁ କେହି ଆସୁ ନଥିଲେ । ଦୂରରେ ଥିବା ଜଣେ ସିଷ୍ଟର୍‍ଙ୍କୁ ଡାକି କହିଲି–ସିଷ୍ଟର୍ ! ମୋ ହାତଗୋଡ଼ ତ ବନ୍ଧାହେଇଚି, ମୋପାଇଁ ଗୋଟାଏ କାମ କରିପାରିବ ?

 

ସିଷ୍ଟର୍‌ କହିଲେ–କି କାମ କୁହ ।

 

ମୁଁ କହିଲି–ମୋପାଇଁ ଗୋଟେ ଦରଖାସ୍ତ ଲେଖିଦିଅ । ମୁଁ ଏଠି ରହିବାକୁ ଚାହେଁନା, ଜେଲ୍‌ରେ ରହିବାକୁ ଚାହେଁନା, ଘରେବି ରହିବାକୁ ଚାହେଁନା, ମୁଁ ଜଙ୍ଗଲକୁ ଯିବାକୁ ଚାହେଁ.....

 

ସିଷ୍ଟର୍‌ ହୋ–ହୋ କରି ହସିଉଠିଲେ । ଭାବିଲେ ମୋର ଏଇ କଥାଟା ପାଗଳର ପ୍ରଳାପ ।

 

ମୋତେ ସାନ୍ତ୍ୱନା ଦେବାପାଇଁ କହିଲେ–ହଉ ହଉ, ଲେଖିଦିଆଯିବ ।

 

ତା’ପରେ ସେ ତାଙ୍କ କାମରେ ଚାଲିଗଲେ । ମୁଁ ରାତିସାରା ଡାକ୍ତରଖାନା ବେଡ଼୍‌ରେ ଚିତ୍‌ହେଇ ଶୋଇ ଉପରକୁ ଚାହିଁରହିଥିଲି । ସବୁବେଳେ ଭୟ କରୁଥିଲି ଛାତ କେତେବେଳେ ମୋ ଉପରେ ଖସିପଡ଼ି ମୋତେ ଚାପିଦବ; ମୁଁ ଅଣନିଃଶ୍ୱାସୀ ହେଇ ମରିଯିବି ।

 

ପ୍ରଭୁଲାଲ ଓ ଶ୍ୟାମଲାଲ ଉଭୟ କଟକ ଚାଲିଯାଇଥିଲେ ହୁଏତ ମୋର ଏ ଅବସ୍ଥା କଥା ଘରେ ଜଣାଇବାପାଇଁ । ରାତିସାରା ଛଟପଟ ହେବାପରେ ସକାଳ ଆଠଟାବେଳେ ସଦଳବଳେ ସେମାନେ କଟକରୁ ଆସି ପହଞ୍ଚିଲେ । ଉଷା ମୁନ୍ନା ତ ଆସିଛନ୍ତି; ତାଙ୍କ ସହିତ ଶ୍ୱଶୁରବି ଆସିଛନ୍ତି । ସେମାନେ ୱାଡ଼୍‍ ଭିତରକୁ ଆସିଲେ ସତ; କିନ୍ତୁ ମୋ ଖଟ ପାଖକୁ ଆସିଲେ ନାହିଁ । ବେଶ୍‌ କିଛି ଦୂରରେ ଠିଆହୋଇ ମୋତେ ଲକ୍ଷ୍ୟ କଲେ । ଉଷା ବୋଧହୁଏ ମୁନ୍ନାକୁ ନେଇ ମୋ ଆଡ଼କୁ ମାଡ଼ିଆସୁଥିଲା; ମାତ୍ର ପ୍ରଭୁଲାଲ ଓ ଶ୍ୟାମଲାଲ ତାକୁ ବାଧାଦେଲେ ।

 

ପ୍ରଭୁଲାଲ କହିଲା–ମୁନ୍ନାକୁ ସେଠିକି ନେନା । ମୁଣ୍ଡ ଠିକ୍‌ ନାହିଁ, କ’ଣ ନା କ’ଣ କରି ବସିବେ ।

 

ଉଷା ଭୋ–ଭୋ କାନ୍ଦୁଥିଲା; ହେଲେ ସେ କାନ୍ଦ ବନ୍ଦ କରିବାର କ୍ଷମତା ମୋର ନଥିଲା-। ମୋର ମନେହେଉଥିଲା, କେବଳ ମୋ’ ଛଡ଼ା ଅନ୍ୟ ସମସ୍ତେ ପାଗଳ-। ଏ ଦୁନିଆଟା ପାଗଳ । ପାଗଳଗାରଦ ଭିତରେ ସମସ୍ତେ ଯେମିତି ସେମାନଙ୍କର ନିଜତ୍ୱ ହରାଇ ବସିଛନ୍ତି ।

 

ମୁନ୍ନା ଡହଳବିକଳ ହେଉଚି ମୋ ପାଖକୁ ଆସିବ–ଡାକୁଚି, ‘ବାପା ବାପା ।’

 

ମୋ ହାତ ବନ୍ଧା ହେଇଚି । ମୁଁ ହାତ ଟେକି ପାରୁନାହିଁ । ଚିତ୍‌ ହେଇ ଯେ ଶୋଇଚି, କର ଲେଉଟାଇବାର ଯୁ’ ନାହିଁ । ବେକ ଭାଙ୍ଗି କଣେଇ କଣେଇ ତଥାପି ଚାହୁଁଥିଲି । ସେମାନେ ସମସ୍ତେ କେମିତି ଏକ ଭୟମିଶ୍ରିତ ମୁଖଭଙ୍ଗିରେ ମୋତେ ଦେଖୁଥିଲେ ।

 

ସେମାନେ ସବୁ ମୋର ନିଜର ମଣିଷ !

 

ମୋତେ ଦେଖିବାପାଇଁ ଆମ ଅଫିସ୍‍ରୁ ମୋର କିଛି ବନ୍ଧୁ ଓ ଆମ ସଂଘର କେତେଜଣ କର୍ମକର୍ତ୍ତା ଆସିଥିଲେ । ମୋର ଏପ୍ରକାର ଅବସ୍ଥାରେ ସମସ୍ତେ ମୌଖିକ ସହାନୁଭୂତି ଜଣେଇଲେ । ଏଇ ଜଣାଇବାଟା ସେମାନଙ୍କ ଭିତରେ; କାରଣ ମୋତେ କେହି କିଛି କହୁ ନଥିଲେ । ଗୋଟାଏ ବଦ୍ଧପାଗଳ ସହିତ କିଏ ବା କ’ଣ କଥାବାର୍ତ୍ତା କରିବ ?

 

ଜଗତ ଭିତରେ ରହିବି ମୁଁ ବର୍ତ୍ତମାନ ସମଗ୍ର ଜଗତଠାରୁ ବିଚ୍ଛିନ୍ନ । ମୋର ଇଚ୍ଛା ବିରୁଦ୍ଧରେ ମୋତେ ଔଷଧ, ଇଞ୍ଜେକ୍‌ସନ୍, ଶକ୍‌ ସବୁ କିଛି ଦିଆଯାଉଛି ।

 

ମୋର ଆତ୍ମୀୟମାନଙ୍କୁ ଡାକ୍ତର ମୋ’ରି ସାମନାରେ ଆଶ୍ୱାସନା ଦେଉଥାନ୍ତି–ଚିନ୍ତା କରନ୍ତୁ ନାହିଁ, ସାତଦିନ ଭିତରେ ସବୁ ଠିକ୍‌ ହେଇଯିବ ।

 

ସାତଦିନରେ ମୁଁ ଯେ ଜଣେ ସ୍ୱାଭାବିକ ମିଣଷରେ ପରିଣତ ହେଇଯିବି ଏତକ ଶୁଣି ମୁଁ ଆଶ୍ୱସ୍ତ ହେଲି ଓ ସେଥିପାଇଁ ମୋର ମାନସିକ ପ୍ରସ୍ତୁତି ଆରମ୍ଭ ହେଇଗଲା ।

 

ସେ ଦିନ ଦୂରରେ ଠିଆହେଇଥିବା ମୁନ୍ନାକୁ ମୁଁ ଡାକିଲି–ମୁନ୍ନା ! ବାପା, ମୋ ପାଖକୁ ଆସିଲୁ ।

 

ମୋ’ଠୁ ଏଇ ପଦକ ଶୁଣି ଉଷାକୁ ଆଉ କିଏ ସମ୍ଭାଳେ ? କାହାର ବାରଣ ବା ସେ ଆଉ ମାନେ ? ମୁନ୍ନାକୁ ନେଇ ମୋ ବେଡ଼୍‌ପାଖରେ ପହଞ୍ଚିଗଲା । ବନ୍ଧାହେବା ଅବସ୍ଥାରୁ ମୁଁ ସେତେବେଳକୁ ମୁକ୍ତ ହେଇ ସାରିଥିଲି । ମୁନ୍ନାକୁ ଛାତି ଉପରକୁ ଆଉଜେଇ ଆଣି ଅଜସ୍ର ଗେଲ କଲି । ଉଷା ଆଖିରୁ ଧାର ଧାର ଲୁହ ବହିଚାଲିଥାଏ ।

 

ମୋ ଆଖିପତା ମଧ୍ୟ ଆର୍ଦ୍ର ହେଇ ଆସିଲା । ରୁଦ୍ଧ ହୃଦୟ ଭିତରେ ଜମାଟ ବାନ୍ଧି ରହିଥିବା ଲୁହର ଝରଣା ସ୍ରୋତ ହଠାତ୍‌ ଯେମିତି ଖୋଲିଗଲା । ମୁଁ ବି କାନ୍ଦିଲି । ମୋ ମୁହଁରେ କି ଉଷା ମୁହଁରେ ଭାଷା ନାହିଁ; କିନ୍ତୁ ଆମେ ପରସ୍ପରର ଦୁଃଖ ବୁଝିପାରୁଥିଲୁ । ମୋର ଇଚ୍ଛା ହେଉଥିଲା, ସେଇ ପାଗଳାଖାନା ଭିତରେ ଉଷାକୁ ମୋ ଛାତି ଉପରକୁ ଟାଣିଆଣନ୍ତି । ବିରହ–ଜ୍ୱାଳାର ଅବସାନ ଘଟାଇ ଭବିଷ୍ୟତ ସଂଗ୍ରାମପାଇଁ ପୁଣି ନିଜକୁ ପ୍ରସ୍ତୁତ କରି ନିଅନ୍ତି । ଅନେକ ଭାବନା; କିନ୍ତୁ ମୁଁ ନାଚାର । ଉଷା ମୋ ସ୍ତ୍ରୀ ହେଲେବି ଏଠି କୌଣସି ପ୍ରକାର ଅସ୍ୱାଭାବିକ ବ୍ୟବହାର ମୋ ପାଗଳାମିକୁ ପୁଣି ଥରେ ସାବ୍ୟସ୍ତ କରିବ । ଡାକ୍ତରଙ୍କ ମତ ‘‘ମୁଁ ପାଗଳ ଥିଲି, ତାଙ୍କରି ଅକ୍ଳାନ୍ତ ଚେଷ୍ଟା ଫଳରେ ଭଲ ହେଇ ଆସିଚି’’ ବଦଳିଯିବ । ଦଣ୍ଡସ୍ୱରୂପ ପୁଣି ହୁଏତ କିଛିଦିନ ପାଇଁ ମୋର ଏଠିକା ରହଣି ବଢ଼ିଯିବ । ଥାଉ, ଆଉ ତ ମାତ୍ର ଦୁଇଦିନ । ଦୁଇଦିନ ପରେହିଁ ମୋତେ ଡାକ୍ତରଖାନାରୁ ଛାଡ଼ ମିଳିବ ।

 

ଦୁଇଦିନ ପରେ ଡାକ୍ତରଖାନାରୁ ମୁକୁଳି ମୁଁ ସିଧା କଟକ ଆସିଲି । ମୋତେ ଆଣିବାପାଇଁ ସେମାନେ ପୁଣି ଯାଇଥିଲେ ଗୋଟାଏ ଟେକ୍‌ସି ନେଇ । ଏଇ ଟେକ୍‌ସି ନେବାରୁ, ମୋ ଶଳାମାନଙ୍କ ବ୍ୟବସାୟର ଯେ ଉନ୍ନତି ଘଟିଚି, ଏ ସୂଚନା ମୁଁ ପାଇଲି । ଟେକ୍‌ସି ଭିତରେ ଉଷା ଆଉ ମୁଁ ପାଖାପାଖି ବସିଚୁ । ମୁନ୍ନା ବସିଚି ମୋ କୋଳରେ । ସମସ୍ତେ ନୀରବ । ନୀରବତାର ଯେମିତି ଏକ ଶୋଭାଯାତ୍ରା ଚାଲିଥିଲା ।

 

କଟକରେ ପହଞ୍ଚିବାପରେ ଶ୍ୱଶୁରଙ୍କୁ ଯାଇ ଭୂମିଷ୍ଠ ପ୍ରଣାମ କଲି । ଦେଖିଲି ମୋତେ ଦେଖି ତାଙ୍କ ଆଖିରୁ ଧାର ଧାର ଲୁହ ବହିଯାଉଚି । ମୁଁ ତାଙ୍କରି ପାଖରେ ବସିଲି । ସେ ବି କିଛି କହୁନାହାନ୍ତି । କିଛି ସମୟପରେ ଶ୍ୟାମଲାଲ ମୁନ୍ନାକୁ ଆଣି ମୋ ପାଖରେ ଛାଡ଼ିଦେଇଗଲା ଓ କପେ ଚା’ ମଧ୍ୟ ଦେଇଗଲା । ଚା’ ଖାଇସାରି ଭାବୁଥିଲି ମୁନ୍ନାକୁ ନେଇ ବଜାରଆଡ଼େ ଯିବି । କିନ୍ତୁ ମୁନ୍ନାପାଇଁ ବୁଟ କି ଚିନାବାଦାମ କିଣିଦବାକୁ ଦଶ କୋଡ଼ିଏ ପଇସାବି ମୋ ପାଖରେ ନାହିଁ । ବଜାରରେ ଯାଇ ସେ ଯଦି ବୁଟ, ବାଦାମ ବା କମଳାଲେମ୍ୱୁଟେ ପାଇଁ ଅଝଟ କରେ ! କାହାକୁ ପଇସା ମାଗିବାପାଇଁ ମୋ ମୁହଁ ହେଉନାହିଁ । ଅଗତ୍ୟା ବଜାର ଯିବାର ଇଚ୍ଛାଟାକୁ ଚାପିଚୁପିଦେଇ ଧୀର ହେଇ ବସିରହିଲି । ରାତି ନ’ । ମୁନ୍ନା ମୋ ପାଖରେ ବସି ବସି ଶୋଇପଡ଼ିଚି । ଖାଇବାପାଇଁ ଡାକରା ଆସିଲା । ସେଇମିତି ଏକ ଅସ୍ୱାଭାବିକ ନୀରବତା ଭିତରେ ଖାଇବା ପର୍ବ ଶେଷ ହେଲା । ଅପେକ୍ଷା କେବଳ ରାତ୍ରିର ସେଇ ଅନାଗତ ମୁହୂର୍ତ୍ତକୁ–ଯୋଉ ମୁହୂର୍ତ୍ତରେ ସ୍ତ୍ରୀର ସାନ୍ନିଧ୍ୟରେ ସବୁ ଦୁଃଖଯାତନା ମନରୁ ପାଶୋରିଯାଏ ।

 

ବାହାରର ଆଲୋକରୁ ମୁଁ ଘର ଭିତରର ଅନ୍ଧକାରକୁ ଆସିଲି । ଉଷାକୁ କୈଫିୟତ ଦେବି ? ସତ କହିବି ନା ମିଛ କହିବି, ନା ଯାହା ଅଙ୍ଗେ ନିଭେଇଚି ତାହା କହିବି ? ବିବାହ ପରେ ବହୁତ ରାତି ତ ସାଙ୍ଗରେ କଟେଇଲୁ; କିନ୍ତୁ ଆଜିର ଏ ରାତ୍ରି କି ଭୀଷଣ ! କି ଭୟଙ୍କର ୟା’ର ରୂପ-। ଏଇ ରାତ୍ରି ଯେମିତି ଭୀଷଣକାୟ ଏକ ଅସୁରୀ ରୂପ ଧରି ମୋତେ ଗ୍ରାସ କରିବାକୁ ଆସୁଛି-। ମୁଁ ଖାଦ୍ୟ; ସେ ଖାଦକ ।

 

ଉଷା କାନ୍ଦୁଚି । ମୁଁ ଦୁର୍ବଳ । କ’ଣ କହି ଓ କିପରି ଭାବରେ ତା’ର ଅଭିମାନ ଭାଙ୍ଗିବି ?

 

ମୁଁ ତାକୁ ମୋ ପାଖକୁ ଟାଣିଆଣିଲି । ସେ ଘୁଞ୍ଚିଗଲା । କହିଲା–କାହିଁକି ଏମିତି କଲ ?

 

ମୁଁ ଅବସ୍ଥାକୁ ସ୍ୱାଭାବିକ କରିବାପାଇଁ କହିଲି–କ’ଣ କରିଚି ନ କରିଚି, ଆଗେ ମୋ’ଠୁ ଶୁଣ ।

 

‘‘କ’ଣ ଆଉ ଶୁଣିବି ?’’ ତା’ର କଣ୍ଠରେ ସାମାନ୍ୟ ରୁକ୍ଷତା ।

 

ମୁଁ ତାକୁ ପୁଣି ଥରେ ମୋ ପାଖକୁ ଟାଣିଆଣିବାର ଚେଷ୍ଟା କଲି । ସେ ଏଥର କିଛି ପ୍ରତିବାଦ ନ କରି ମୋ ପାଖକୁ ଘୁଞ୍ଚିଆସିଲା ।

 

ମୁଁ କହିଲି–ମୋ ବିରୁଦ୍ଧରେ ଭୀଷଣ ଚକ୍ରାନ୍ତ । ମୁଁ କର୍ମଚାରୀ ସଂଘର ସେକ୍ରେଟେରି ହୋଇ ଅଫିସରମାନଙ୍କ ଅନ୍ୟାୟ ଓ ଦୁର୍ନୀତିକି ପଦାରେ ପକାଇଦେବାରୁ ସେମାନେ ସଂଘବଦ୍ଧ ହୋଇ ମୋ ଉପରେ ପ୍ରତିଶୋଧ ନେଇଛନ୍ତି । ନୟନା ମିଶ୍ରର ଅଭିଯୋଗ ମିଛ ।

 

ଉଷା କହିଲା–ମିଛ ହଉ, ସତ ହଉ, ତୁମେ ତା’ ଘରକୁ ଗଲ କାହିଁକି ? ପୋଲିସ୍‌ ତୁମକୁ ତାଙ୍କ ଘରୁ ଗିରଫ୍‍ କଲା କେମିତି ?

 

ଉଷା ତାହାହେଲେ ଘଟଣାର ଟିକିନିଖି ଖବର ରଖିଚି । ତେଣୁ ତାକୁ ସବୁ କଥା ପ୍ରାଞ୍ଜଳ ଭାବରେ ବୁଝେଇଦବାକୁ ହବ ।

 

ସବୁ କଥା ଶୁଣିସାରିବାପରେ ତା’ର ରାଗ ପ୍ରଶମିତ ହେଲା । ମୋର କଥାକୁ ସେ ବିଶ୍ୱାସ କଲା । ତା’ର ଆଉ କହିବାକୁ କିଛି ନାହିଁ । ତା’ପରେ ମୋ ଔଷଧ ମୁଁ ପ୍ରୟୋଗ କଲି । ସ୍ତ୍ରୀ ନିକଟରେ ସ୍ୱାମୀର ପ୍ରେମ–ନିବେଦନ । ମୋର ଆଦରରେ ସେ ନିଜକୁ ଭୁଲିଗଲା । ମନେ ହେଲା ଆଜିହିଁ ବୋଧହୁଏ ବିବାହ ପରର ପ୍ରଥମ ମଧୁଶଯ୍ୟା ରାତି । ଆମର ପ୍ରଥମ ମିଳନ । ସେଇ ମିଳନ–ସୁରା ପିଇ ଆମେ ଦୁହେଁ ବିଭୋର ହେଲୁ ।

 

ମନୁଷ୍ୟ ଅବସ୍ଥାର ଦାସ । ମୁଁ ହୋଇଥିଲି ଏକ ସୁପରିକଳ୍ପିତ ଚକ୍ରାନ୍ତର ଶିକାର–ଯେମିତି ଅଭିମନ୍ୟୁ ହେଇଥିଲା, ହେଇଥିଲା ଜୟଦ୍ରଥ, ହେଇଥିଲେ ଯେସସ୍‌, ଗାନ୍ଧୀ, କେନେଡ଼ି । କିନ୍ତୁ ସେମାନେ ନିଜ ନିଜର ଜୀବନ ବିନିମୟରେ କିଛି ନା କିଛି ଆଦର୍ଶ ରଖିଯାଇଛନ୍ତି । ଆଉ ମୁଁ ?

 

ମୋର ସଂଗ୍ରାମ କ’ଣ ଶ୍ରେଣୀ–ସଂଗ୍ରାମ ନୁହେଁ ?

 

ଜଙ୍ଗଲରେ ବାସକରୁଥିବା ପ୍ରବଳ ପ୍ରତାପୀ ସିଂହ ବାଘମାନଙ୍କ ବିରୁଦ୍ଧରେ ଠେକୁଆ ହରିଣମାନଙ୍କର ଏ ସଂଗ୍ରାମ । ଅଫିସ୍‌ର ପିଅନ କିରାଣିମାନେ ମୂକ ପଶୁ ଭଳି ରହିଲେ ସେମାନଙ୍କ ଉପରେ ଅତ୍ୟାଚାର ବଢ଼ି ବଢ଼ି ଚାଲିଥିବ ।

 

ମୁଁ ସେ ଦିନ ଦଉଡ଼ିଲି ସଂଘ ଅଫିସ୍‍କି । କିନ୍ତୁ ଯାଇ କ’ଣ ଦେଖିଲି ? ସଂଘର ସଂପାଦକତ୍ୱରୁ ମୁଁ ବିତାଡ଼ିତ । ମୋ ପ୍ରତି କାହାରି ସହାନୁଭୂତି ଅଛି ବୋଲି ଜଣାପଡ଼ିଲା ନାହିଁ । ସମସ୍ତେ ତ ଭୟଭୀତ, ମୋ ପ୍ରତି ସହାନୁଭୂତି ଦେଖାଇବ କିଏ ? ପୋଲିସ୍‌ କେସ୍‌ ସାଙ୍ଗକୁ ମୋ ନାଁରେ ବିଭାଗୀୟ ପ୍ରସିଡ଼ିଂ ମଧ୍ୟ ହୋଇଛି ।

 

ମୁଁ ଲମ୍ପଟ, କାମୁକ, ଚରିତ୍ରହୀନ !

 

ନୟନା ସତୀ, ସାଧ୍ୱୀ, ପତିବ୍ରତା !

 

ମୋ ବିରୁଦ୍ଧରେ ଚରିତ୍ରହୀନତାର ଅଭିଯୋଗ ପ୍ରମାଣିତ ହେଇଗଲା । ମାଧ, ନୟନା ଓ ସ୍ୱୟଂ ଜଗଦୀଶବାବୁଙ୍କ କଥାକୁ ଅବିଶ୍ୱାସ କରିବ କିଏ ?

 

ମୋର ସମସ୍ତ କଥା, ନେହୁରା, ଗୁହାରି ଅର୍ଥହୀନ ହେଲା । ବିଭାଗୀୟ ସଚିବ ଅବିନାଶ ସେନ୍‌ ଭାରି ଦୟାଳୁ । ସତେଅବା ଦୟାର ମୂର୍ତ୍ତିମନ୍ତ ଅବତାର । ଡାକି କହିଲେ–ତୁମ ଦୋଷ ପ୍ରମାଣିତ ହେଲା । ତୁମକୁ ଡିସ୍‌ମିସ୍‌ କରିଦେଲେ ତୁମ ଜୀବନଟା ନଷ୍ଟ ହେଇଯିବ । ତୁମ ମୁଣ୍ଡ ଉପରେ ପୋଲିସ୍‌ କେସ୍‌ର ଖଡ଼ଗ ଝୁଲୁଚି । ଯଦି ଜେଲ ହୋଇଯାଏ ତୁମ ପରିବାର ଉଚ୍ଛନ୍ନ ହେଇଯିବେ । ତା’ଠୁ ବରଂ ତୁମେ ଯଦି ଇସ୍ତଫା ଦେଇଦିଅନ୍ତ, ମୁଁ ଚେଷ୍ଟା କରି ତୁମ କେସ୍‌ ଉଠାଇଆଣିବାର ବା ତୁମେ ଖଲାସ ପାଇବାର ଉପାୟ କରନ୍ତି ।

 

ଏହା ଶୁଣି ମୋ ମନ ଭିତରେ ରାମ–ରାବଣର ଯୁଦ୍ଧ । ବାପା ଥିଲେ ବା କିଛି ପରାମର୍ଶ ଦେଇପାରିଥାନ୍ତେ । କାହାରି ସହିତ କିଛି ଆଲୋଚନା କରି ସଦୁପଦେଶ ପାଇବାର ଆଶା ନାହିଁ । ବର୍ତ୍ତମାନ ମୋ ନିଜ ମନ ମୋ ନିଜର ଗୁରୁ । ମୋର ଆତ୍ମୀୟ–ସ୍ୱଜନ ଭିତରେ ଶ୍ୱଶୁର ଓ ଶାଳକଦ୍ୱୟ । ସେମାନେ ବା ଏ ବିଷୟରେ ମୋତେ କି ପରାମର୍ଶ ଦେବେ !

 

କାଲି ମୋର ନିଷ୍ପତ୍ତି ଜଣାଇବି କହି ସେ ଦିନ ସେକ୍ରେଟେରିଙ୍କଠାରୁ ଚାଲିଆସିଲି । ରାତିରେ ଉଷା ସହିତ ଆଲୋଚନା କଲି । ତା’ ରକ୍ତ ଶୁଖିଗଲା । ଚାକିରି ଚାଲିଯିବ । ତା’ପରେ କ’ଣ ହେବ ?

 

ମୋର ଅସଂଖ୍ୟ ସାଙ୍ଗସାଥୀଙ୍କ ଭିତରୁ ମୋ ପରି ହତଭାଗ୍ୟ କିଏ ଅଛି ? ଜୀବନରେ ଯେ ଯେଉଁ ପନ୍ଥା ବାଛିନେଇଛି, ସେ ସେଠି ଉନ୍ନତି କରିଚି । କିଏ ହେଇଚି ଲକ୍ଷପତି, କିଏ ହେଇଚି ଶାସନମୁଖ୍ୟ, ଆଉ କିଏ ବା ବିଦ୍ୟାବାଗୀଶ ସରସ୍ୱତୀଙ୍କ ବରପୁତ୍ର ।

 

ନିରାଶାର ଅତଳ ଜଳରେ ଉବୁଟୁବୁ ହେଇ ବାଧ୍ୟତାବଶତଃ ଚାକିରିରୁ ଇସ୍ତଫା ଦେଲି ଓ ଅବିନାଶବାବୁଙ୍କ କଥିତ ମୁତାବକ ମୋ ମୁଣ୍ଡ ଉପରେ ଝୁଲୁଥିବା ଡେମୋକ୍ଲିସ୍‌ର ଖଡ଼୍‌ଗରୁ ରକ୍ଷା ପାଇଲି । ଶୂନ୍ୟ ମନରେ ଫେରିଲି ଘରକୁ । ଘରେ କେହି ମରିଗଲେ ଯେଉଁ ଅବସ୍ଥା ହୁଏ, ଆମ ଘରେ ସେହି ଅବସ୍ଥା ଉପୁଜିଥିବା ଭଳି ଭାବ । କିଏ ମରିଗଲା ? ମୁଁ ? ନୀଳମାଧବର ମୃତ୍ୟୁ ହେଇଗଲା ? କାହିଁ, ନା ତ । ସଶରୀରେ ମୁଁ ନୀଳମାଧବ ସାଇକେଲ୍‌ ଚଢ଼ି ଘରକୁ ଫେରି ଆସିଚି । ସ୍ତ୍ରୀ ପୁତ୍ର...ସଭିଏଁ ଜୀବିତ...ଏଇ ତ ସେମାନେ ମୋ ଆଖି ସାମନାରେ, ତେବେ.... ?

 

ଚାକିରି ଯେ ନିମ୍ନମଧ୍ୟବିତ୍ତ ପରିବାରରେ ପିତାମାତା, ସ୍ତ୍ରୀ, ପୁତ୍ର, ଭାଇ, ବନ୍ଧୁଙ୍କଠାରୁ ଆହୁରି ଅଧିକ.... ଜୀବନର ଅବଲମ୍ୱନ । ମଣିଷର ଦମ୍ଭ ଅଭିମାନ ଗାରିମା ସବୁକିଛି ସମ୍ଭବ ଏହାରି ପ୍ରସାଦରୁ । ଚାକିରି ନଥିବା ମଣିଷର ଅର୍ଥନୈତିକ ମୂଲ୍ୟ କ’ଣ ? ଆଜିର ଏଇ ଚାକିରିସର୍ବସ୍ୱ ସମାଜରେ ତା’ର ସ୍ଥିତି କ’ଣ ?

 

ମୁଁ ଚାକିରିରୁ ଯଥାସମୟରେ ଅବସର ଗ୍ରହଣ କରିଥିଲେ ମୋର ଅନୁଶୋଚନା ନଥାନ୍ତା-। ସେ ଦୁଃଖ ମାସେ ପନ୍ଦରଦିନେ ଦେହସୁହା ହେଇଯାଇଥାନ୍ତା; କିନ୍ତୁ ନିଜର ଦୁର୍ବୁଦ୍ଧିରୁ ମୁଣ୍ଡରେ ବୋଝେ କଳଙ୍କ ମୁଣ୍ଡେଇ ଚାକିରିରୁ ଇସ୍ତଫା ଦେବାର ମରଣଯନ୍ତ୍ରଣା କେବଳ ଅନୁଭବୀହିଁ ବୁଝିପାରିବ । ମୂଳରୁ ଚାକିରି ଖୋଜି ଚାକିରି ନପାଇବା ଅଲଗା କଥା; କିନ୍ତୁ ବେଶ୍‌ କିଛିଦିନ ଚାକିରି କରି ତାକୁ ହରେଇବସିବାର ମର୍ମଦାହୀ ବେଦନା ମରଣଠୁ ଅଧିକ ।

 

ମୁଁ ଇସ୍ତଫା ଦେଇ ଆସିବାର ଦୁଇଘଣ୍ଟା ଭିତରେ ମୋ ଇସ୍ତଫା ଗୃହୀତ ହେଇଗଲା । ସନ୍ଧ୍ୟା ସୁଦ୍ଧା ନୋଟିଫିକେସନ୍‌ର କପି ମୋ ପାଖରେ ପହଞ୍ଚିଗଲା । ସରକାରୀ କଳ ସତରେ କେଡ଼େ ତତ୍ପର । ଯେ ସରକାରୀ କଳକୁ କୁମ୍ଭକର୍ଣ୍ଣ ଆଖ୍ୟା ଦିଏ, ସେ ଆସି ଥରେ ଦେଖିଯାଉ ମୋ ଇସ୍ତଫାପତ୍ର କେଡ଼େ ବେଗି ବେଗି ଏ ଟେବୁଲ୍‌ରୁ ସେ ଟେବୁଲ୍‌କୁ ଡେଇଁ ଡେଇଁ ଶେଷ ଟେବୁଲ୍‌ରେ ଘଣ୍ଟାକ ଭିତରେ ପହଞ୍ଚିଯାଇଚି । ସମସ୍ତଙ୍କର ଧାରଣା–ଭୁଲ୍‌ ନିଶ୍ଚୟ ମୋର । ଯେଉଁ ଦେଶରେ ତିନି ତୁଣ୍ଡରେ ଛେଳି କୁକୁର ପାଲଟିଯାଏ, ସେ ଦେଶରେ ମୋ କଥା ଶୁଣନ୍ତା ବା କିଏ ?

 

କର୍ମଚାରୀ ସଂଘ ମୋପାଇଁ ଯାହା କରିବାର ଆଶା ମୁଁ କରୁଥିଲି, ସେମାନେ ତାହା କଲେନାହିଁ । ବନ୍ଧୁଭାବାପନ୍ନ କୌଣସି ସହକର୍ମୀବି ମୋ ଦୁରବସ୍ଥାରେ ଉଁଚୁ ପାଟି ଫିଟେଇଲେ ନାହିଁ-। ‘ସମ୍ପଦବେଳେ ସର୍ବେ ସଖା, ବିପଦେ ନ ଦିଅନ୍ତି ଦେଖା’–କଥାଟା ମୋ ଜୀବନରେ ଯେମିତି ଅକ୍ଷରେ ଅକ୍ଷରେ ସତ ହେଇଗଲା ।

 

ସରକାରଘରୁ କାଗଜଖଣ୍ଡକ ଆଣି ମୋ ଉପରେ ଯିଏ ଜାରିକଲା ସେଇ ଜଗଦୀଶବାବୁଙ୍କ ପିଅନ ଯାହାହେଉ ମୋତେ ସମବେଦନା ଜଣାଇ କହିଲା–ସାର୍‌ ! ଏମିତି ହେଇଯିବ ମୁଁ ଜାଣି ନଥିଲି । ମୁଁ ଯଦି ମିଛରେ ଲେଖିଦେଇ ନଥାନ୍ତି, ସେମାନେ ନିଶ୍ଚେ ମୋ ଚାକିରି ନେଇଯାଇଥାନ୍ତେ । ମୋର ଛ’ଟି ଛୁଆ । ଏଇ ଚାକିରି ଛଡ଼ା ସଂସାରରେ ମୋର ଆଉ କିଛି ନାହିଁ । ମୋ ଚାକିରି ଚାଲିଯାଇଥିଲେ ମୋ ପରିବାର ମରିଯାଇଥାନ୍ତେ ସାର୍‌ ! ନିଜ ଚାକିରି ବଞ୍ଚେଇବାକୁ ଯାଇ ଆପଣଙ୍କ ଚାକିରି ମୋରି ଯୋଗୁଁ ଚାଲିଗଲା । ମୋତେ କ୍ଷମାଦିଅନ୍ତୁ ସାର୍‌.....

 

ଲୋକଟା ଅନୁତାପ କରି ମୋ ଗୋଡ଼ ଧରିନେଇଚି । ତାକୁ ପ୍ରଥମେ ଦେଖି ମୋ ମନରେ ଜାତ ହେଇଥିବା ଘୃଣା କ୍ରମଶଃ ନରମ ହେଇଆସୁଚି । ଗୀତାବର୍ଣ୍ଣିତ ସ୍ଥିତପ୍ରଜ୍ଞଭଳି ମୋର ଅବସ୍ଥା । ଦୁଃଖ କ୍ରୋଧରେ ମୁଁ ଅସ୍ଥିର ନୁହେଁ । ମୁଁ ଉଦ୍‌ବିଗ୍ନମନା ଆଉ ବିଗତସ୍ପୃହ । ମୋର ସର୍ବନାଶ ହେଇସାରିବାପରେ ମୁଁ କାହିଁକି ଆଉ କାହାର ସର୍ବନାଶ ଚିନ୍ତାକରିବି ?

 

ଲୋକଟା ତା’ କର୍ତ୍ତବ୍ୟ ଶେଷକରି ଚାଲିଗଲା । ରାତିରେ ଘରେ ଆଉ କିଛି ରନ୍ଧାଗଢ଼ା ହେଲାନାହିଁ । ଚୁଡ଼ା ମୁଠେ ଧୋଇ ମୁନ୍ନାକୁ ଖୁଆଇଦେଇ ଆମେ ଦି’ ପ୍ରାଣୀ କଥା କହି ପାରୁନଥିବା ଦୁଇଟି ଜୀବଭଳି ସାରା ରାତି କଟେଇଦେଲୁ । ଭୋର ଭୋର ମୋ ଆଖିକି ନିଦ ଘାରିଲା । ସକାଳର ସୂର୍ଯ୍ୟକିରଣ ଆସି କେତେବେଳେ ଘର ଚାରିପାଖରେ ବିଛେଇ ଯାଇଚି ମୋତେ ଜଣାନାହିଁ । ମୋ ନିଦ ଭାଙ୍ଗିବାବେଳକୁ ଘଡ଼ିରେ ଆଠଟା ବାଜିଲାଣି । ଅନ୍ୟ ଦିନ ହେଇଥିଲେ ସାତଟା ପରେ ଆଉ ମୋର ଶୋଇ ରହିବା ସମ୍ଭବ ହେଇ ନଥାନ୍ତା; କିନ୍ତୁ ଅନ୍ୟଦିନ ଓ ଆଜି ଭିତରେ ତଫାତ୍‌ ଅନେକ । ଆଜି ଅଫିସ୍‌ ଯିବାର ତାଗଦା ନାହିଁ । ପେଟରେ ମୁଁ ଅନୁଭବ କରୁଥିଲି ରାକ୍ଷସୀ କ୍ଷୁଧା । ଲାଗୁଥିଲା ଯେମିତି ମାସେ ଖଣ୍ଡେ ହେବ ପେଟରେ କିଛି ପଡ଼ିନାହିଁ ।

 

ଉଷା କହିଲା ସେମିତି ହସହୀନ ପାଣ୍ଡୁର ମୁହଁରେ–କାଲିଠୁ ତ ଖାଇନ, ଚଞ୍ଚଳ ଗାଧେଇପଡ଼ି ଖାଇନେଇ ମୁନ୍ନାକୁ ନେଇ ସ୍କୁଲ୍‍ରେ ଆଜି ନାଁ ଲେଖେଇ ଦେଇ ଆସ । ସ୍କୁଲ୍‍ର ଦିଦି ସକାଳେ ଏଇ ବାଟଦେଇ ଯାଉଥିଲେ । କହିଲେ–ବର୍ତ୍ତମାନ ସବୁ ପିଲାଙ୍କ ନାମ ଲେଖାଯାଉଚି । ଆଜି ନେଇ ନାମ ଲେଖାଇ ଦେବାପାଇଁ ସେ କହିଗଲେ ।

 

ମୁନ୍ନା ଆସି ମୋ ପାଖରେ ଠିଆହେଇପଡ଼ିଲା । ମୋର ମନେହେଉଥିଲା, ଆଉ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଚି । ମୁନ୍ନା ମୋର ପରବର୍ତ୍ତୀ ବଂଶଧର । ସେ ମୋ’ରି ପରି ବା ମୋଠୁ ବେଶି ପାଠ ପଢ଼ିବ । ମୋର ସମ୍ୱଳ ଥାଉ ନଥାଉ ମୁଁ ତାକୁ ପାଠ ପଢ଼େଇବି । ଅନେକ ବାପ ଏମିତି ତାଙ୍କ ପିଲାମାନଙ୍କୁ ପାଠ ପଢ଼ାନ୍ତି । ଅନେକ ଧାରକରଜ କରି ସର୍ବସ୍ୱାନ୍ତ ହୁଅନ୍ତି । ପିଲାମାନେ ଡିଗ୍ରୀହାସଲ କରନ୍ତି । ତା’ପରେ.....ଏକ ଜଞ୍ଜାଳ–ଜର୍ଜରିତ ବିଭୀଷିକାମୟ ସଂସାର ଭିତରକୁ ସେମାନେ ପ୍ରବେଶ କରନ୍ତି । ମୁଁ ତ ସ୍ପଷ୍ଟ ଦେଖିପାରୁଚି ଆଗାମୀ ଯୁଗର ହଳାହଳମୟ ଛବି । ସେମାନଙ୍କ ପାଇଁ ଅପେକ୍ଷା କରିଚି ମାୟାମମତାଶୂନ୍ୟ ନିରାପତ୍ତାବିହୀନ ଏକ ସମାଜ । ଦ୍ୱାପର ଯୁଗରେ କଂସର ସମାଜ, ତ୍ରେତୟା ଯୁଗରେ ରାବଣର ସମାଜ, ଆଉ ଏଇ କଳିଯୁଗର ଆଗାମୀ ସମାଜ ମଧ୍ୟରେ ବୋଧହୁଏ ଆଉ କିଛି ପାର୍ଥକ୍ୟ ରହିବ ନାହିଁ । ଗ୍ରାସ କରି ଆସୁଚି ପ୍ରଚଣ୍ଡ ବେଗରେ ଅସୁର–ସଭ୍ୟତା । ଶ୍ରୀ ଅରବିନ୍ଦଙ୍କର ଅତିମାନବମାନେ ବଣଜଙ୍ଗଲକୁ ଫେରିଯିବେ କେଉଁ ଏକ ସତ୍ୟଯୁଗର ସନ୍ଧାନରେ । ସମଗ୍ର ବାୟୁମଣ୍ଡଳ ହେବ ବିଷାକ୍ତ । ପାଠ ପଢ଼ି ପିଲାମାନେ କ’ଣ କରିବେ ?

 

ମୁଁ ପାଠ ପଢ଼ି କ’ଣ କଲି ? ଚାକିରି ଯିବାପରେ ଆଉ କି କାମ କରିବାପାଇଁ ମୁଁ ଯୋଗ୍ୟ-? ଯାହା କିଛି ଜମି ଅଛି ତାକୁ ନିଜେ ଚାଷକରି ମୁଁ ଯଦି ମୋର ଜୀବିକା ନିର୍ବାହ କରି ନ ପାରିଲି, ତେବେ ମୋର ଏ ଶିକ୍ଷାର ମୂଲ୍ୟ କ’ଣ ? ବି.ଏ. ପାସ୍ କରିବାପାଇଁ ଷୋଳବର୍ଷ କାଳ ମୁଁ ଅକ୍ଳାନ୍ତ ପରିଶ୍ରମ କରିଚି । ରାତିରାତି ଅନିଦ୍ରା ରହି ବହିସବୁ ମୁଖସ୍ଥ କରିଚି ଏବଂ ଶେଷରେ ନିଜକୁ ଅକର୍ମା କରିଚି । ଜୀବନକୁ ସଦୁପଯୋଗ କରିବାର ବାଟ ମତେ ଜଣାନାହିଁ । ଅଧୁନା ମର୍ମଦାହୀ ହାହାକାର ଭିତରେ ଜଳିପୋଡ଼ି ମରୁଚି ।

 

ମୋର ଡେରି ଦେଖି ଉଷା ପୁଣି ଆସି ତାଗିଦ୍‌ କଲା–‘‘କ’ଣ, ଉଠିବାପାଇଁ ବେଳ ହେଇନିକି ?’’ ଏଥର ଉଠିଲି ।

 

ଉଷା କହିଲା–ଶୀଘ୍ର ନିତ୍ୟକର୍ମ ସାର । ଡେରି ହେଇଯାଉଚି ।

 

ସତରେ ସବୁ କାମ ମୋର ଡେରି ହେଉଚି । ସବୁଯାକ ଆଗ୍ରହ ଯେମିତି ମରିଯାଇଚି । ଦାନ୍ତ ଘଷିବା ଡେରି, ଗାଧୋଇବା ଡେରି....ଅବସନ୍ନତା ଗ୍ରାସ କରିଚି ମୋତେ ।

 

ହଠାତ୍‌ କହିବସିଲି–ଆଜି ତମେ, ମୁଁ, ମୁନ୍ନା ସାଥିରେ ଖାଇବା । ଉଷା ପ୍ରଥମେ ରାଜି ହଉ ନଥିଲା–କିନ୍ତୁ ମୁଁ ତାକୁ ଜୋର୍‌କରି ବସେଇଲି । ଚାକିରି ଜୀବନରେ ଯଦି ଏମିତି ଖାଇପାରିଥାନ୍ତୁ, ପରିତୃପ୍ତିରେ ପେଟ ପୂରିଯାଇଥାନ୍ତା । ମାତ୍ର ସେତେବେଳେ ତ ଆଖିକାନ ବୁଜି ଏଣୁତେଣୁ ଦି’ ଗୁଣ୍ଡା ଗିଳିଦେଇ ଅଫିସ୍ ଦଉଡ଼ିବା କାମ ଥିଲା । ସେ ଥିଲା ଏକ ନିଶା । ଅଫିସ୍‌ ବାହାରିବାବେଳେ କି ସ୍ତ୍ରୀ, କି ପୁଅ, କେହି ନିଜର ନୁହନ୍ତି; ନିଜର କେବଳ ଚାକିରି । ସଚିବାଳୟର ସେଇ ଚେୟାର ଖଣ୍ଡକର ଆକର୍ଷଣ ଚୁମ୍ୱକ ଲୁହାକୁ ଟାଣିବାଭଳି ଟାଣିନିଏ । ନଅଟାବେଳଠୁ ଆଖିକି ଆଉ କିଛି ଦେଖାଯାଏନା । ଦେଖାଯାଏ ଖାଲି ସେଇ ଚେୟାର, ଟେବୁଲ୍‌ ଆଉ ଗଦାଗଦା ଫାଇଲ୍‌ ।

 

ଏବେ ଆଖି ଆଗରେ ସ୍ତ୍ରୀ ପୁତ୍ର ଛଡ଼ା ଅନ୍ୟ ବସ୍ତୁଇ ନାହିଁ । ମୋର ସଂସାର, ମୋର ପରିବାର । ମୋର ସ୍ୱର୍ଗ ମୋର ଏଇ ଘର ।

 

ସାଧାରଣତଃ ମୁଁ ଯାହା ଖାଏ ଆଜି ଅଧିକ ଖାଇଲି । ଖାଦ୍ୟର ସ୍ୱାଦୁ ଅଧିକ ଅନୁଭବ କଲି । ମୋ ଘରକୁ ମୁଁ ଅଧିକ ଚିହ୍ନିଲି ।

 

ଉଷା କହିଲା–ଏତେଦିନ ସିନା ତୁମେ ଅଧାପେଟ ଖାଇ ଅଫିସ୍ ଦଉଡ଼ୁଥିଲ ।

 

କଥାଟା ନିରାଟ ସତ । ମୁଁ ଏକା ନୁହେଁ, ଯେଉଁମାନେ ଦଶଟାବେଳେ ଅଣନିଃଶ୍ୱାସୀ ହେଇ ଅଫିସ୍‌ ଦଉଡ଼ନ୍ତି, ସେମାନଙ୍କ ଭାଗ୍ୟରେ ଥାଏ ଅଧାପେଟ ଖାଇବା । ରବିବାର କି ଛୁଟିଦିନମାନଙ୍କରେ ଅବା ସେମାନେ ପୂରାପେଟ ଖାଉଥିବେ । ତା’ପୁଣି ସବୁ ଛୁଟିଦିନରେ ସମ୍ଭବ ନୁହେଁ; ବିଶେଷତଃ ଅନୁଗ୍ରହପ୍ରାର୍ଥୀ ଚାକିରିଆମାନଙ୍କର । ଛୁଟିଦିନମାନଙ୍କରେ ମଧ୍ୟ ବହୁ ସମୟରେ ବସ୍‌ମାନଙ୍କ ଘରକୁ ଯିବାକୁ ପଡ଼େ । ସେମାନଙ୍କ ଡୋମେଷ୍ଟିକ୍‌ ଡିପାଟ୍‍ମେଣ୍ଟ କଥା ବୁଝିବାକୁ ପଡ଼େ, ଯାହା ବିରୁଦ୍ଧରେ ସଂଗ୍ରାମ କରି ମୁଁ ସର୍ବସ୍ୱାନ୍ତ ହେଲି ।

 

ଅବସର ଥିବା ଛୁଟିମାନଙ୍କରେ ଖାଇସାରି ନିଦ ଯିବାକୁ ହୁଏ । ଦିପହରେ ରେଡ଼ିଓ ଖୋଲିବାର ସୁଯୋଗ ମିଳେ । ଆଜି ଖାଇସାରି ମୁନ୍ନାକୁ ନେଇ ମୁଁ ଶୋଇବାକୁ ଗଲାବେଳେ ଉଷା କହିଲା–ଶୋଇବାକୁ କ’ଣ ଚାଲିଲ, ମୁନ୍ନାକୁ ନେଇ ସ୍କୁଲ୍ ଯିବ ପରା ?

 

ମୁଁ କହିଲି–ନା ।

 

ସେ କହିଲା–ତୁମେ ଯଦି ନ ଯିବ, ତେବେ ମୁଁ ଯାଉଚି ।

 

କହିଲି–ନା, ତୁମେବି ନୁହେଁ । ମୋର ଏ ପ୍ରକାର ନିଷ୍ପତ୍ତି ଶୁଣି ଉଷା ଏକେବାରେ ତଟସ୍ଥ-। ହୁଏତ ଭାବିଲା ମୋର ପୁଣି ପାଗଳାମି ଆରମ୍ଭହେଲା ବୋଲି ।

 

ମୁଁ ତାକୁ ବୁଝେଇଲି–ମୁନ୍ନାକୁ କାହିଁକି ପାଠ ପଢ଼େଇବ ? ପାଠ ପଢ଼ି ସେ କ’ଣ କରିବ-? ସେ ପାଠ ପଢ଼ିସାରିବାବେଳକୁ ଚାକିରି ଶେଷ ହେଇ ଯାଇଥିବ । ପାଠ ପଢ଼ି ସେ କ’ଣ ଜମିରେ କୃଷକ ହେଇ ପାରିବ । କୃଷିପ୍ରଧାନ ଭାରତବର୍ଷ–ବିଶେଷକରି ଏ ଓଡ଼ିଶା ରାଜ୍ୟ । ଏଠି ପିଲା ଯଦି ପାଠ ପଢ଼ି ଚାଷ କରି ନ ଜାଣିଲା, ସେ ପାଠ ପଢ଼େଇ ଲାଭ କ’ଣ ?

 

ଉଷା କହିଲା–ତମେ କ’ଣ କହୁଚ ମୁଁ ବୁଝିପାରୁନାହିଁ । ତମ ମୁଣ୍ଡ ପୁଣି କ’ଣ ହେଇଗଲାଣି ନା କ’ଣ ? ପୁଅକୁ ପାଠ ନ ପଢ଼େଇ ମୂର୍ଖ କରିବ ?

 

ପାଠ ପଢ଼ିଥିବା ଲୋକଙ୍କ ଭିତରୁ କେତେଜଣ ଆମର ମନେରହନ୍ତି; ପାଠ ନ ପଢ଼ି ଭୀମ ଭୋଇ ଆଜି ଅମର । କବିସମ୍ରାଟ ଉପେନ୍ଦ୍ରଭଞ୍ଜ, ବିଶ୍ୱକବି ରବୀନ୍ଦ୍ରନାଥ କୋଉ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିଲେ ?

 

ପାଠ ପଢ଼ା ଅର୍ଥ କ’ଣ ଖାଲି ଅକ୍ଷରଶିକ୍ଷା ? ଖାଲି ବହି ପଢ଼ିଲେ କ’ଣ ପାଠ ପଢ଼ା ହୁଏ-? ଜୀବନରେ ଯଦି କିଛି କରିବାକୁ ଚାହଁ ପ୍ରକୃତିକୁ ଚିହ୍ନ–ପ୍ରକୃତିକୁ ଅଧ୍ୟୟନକର–ପ୍ରକୃତି ସହିତ ମିଶିଯାଅ ।

 

ମୋର ଏ ସବୁ ଯୁକ୍ତି କିନ୍ତୁ ହାର ମାନିଲା । ଉଷା ଲୁଗାପଟା ପିନ୍ଧି ଶ୍ରୀମାନ ମୁନ୍ନା ଓରଫ୍‌ ଚନ୍ଦ୍ରମାଧବକୁ ନେଇ ଗାଁ ସ୍କୁଲ୍‍ରେ ନାମ ଲେଖେଇ ଦେଇ ଆସିଲା । ଆମ ଜୀବନରେ ଆଉ ଏକ ନୂତନ ଯୁଗର ସୂତ୍ରପାତ ହେଲା ।

 

ଆମର ଏ ଦୁରବସ୍ଥାର ଖବର ପାଇ ହଠାତ୍‌ ସେଦିନ ଦୁଇ ଶାଳକ ଆସି ଆମ ଘରେ ହାଜର ହେଲେ । ସାଙ୍ଗରେ ଦୁଇବୋହୂବି ଆସିଚନ୍ତି । ଆଜି ଯେମିତି ମନେହେଉଥିଲା ସେମାନଙ୍କ ପାଖରେ ଆମେ କେତେ ଛୋଟ ! ଆମ ଏ ଘର ଯେମିତି ସେମାନଙ୍କ ରହିବାପାଇଁ ଉପଯୁକ୍ତ ନୁହେଁ-। ଅବସ୍ଥା ଆମର ଦୟନୀୟ ।

 

ସେମାନେ ଆଣିଥିଲେ ଦୁଇଟି ଜିନିଷ ଭର୍ତ୍ତି ବେଗ୍‌ । ସେମାନଙ୍କୁ ଦେଖି ଉଷା ଭୋ–ଭୋ–କିନି କାନ୍ଦିଲା । ମୁଁ ଅପ୍ରସ୍ତୁତ ହେଲି । ପ୍ରଭୁ ଓ ଶ୍ୟାମ ମଧ୍ୟ କାନ୍ଦିଲେ । ସେମାନଙ୍କର ସହାନୁଭୂତିର କାନ୍ଦଣାରେ ମୋ ଆଖି ମଧ୍ୟ ଛଳଛଳ ହେଇଆସିଲା । ସତରେ ମୁଁ ଓ ଆମେ ଆଜି କେଡ଼େ ଦୟାର ପାତ୍ର । କ୍ରନ୍ଦନପର୍ବ ଶେଷହେବାପରେ ଉଷା ସେମାନଙ୍କୁ ଚା’ ପିଆଇଲା । ଘରର ସ୍ୱାଭାବିକତା ଫେରିଆସିଲା । ଉଷାକୁ ରନ୍ଧାବଢ଼ାରେ ବୋହୂ ଦୁଇଜଣ ସାହାଯ୍ୟ କଲେ ।

 

ରାତିରେ ସେମାନଙ୍କ ସହିତ ଅନେକ କଥାବାର୍ତ୍ତା ହେଲା । ସେମାନେ କହିଲେ–ବାପା ଚାହାନ୍ତି, ତମେ ଆଉ ନୌକରି–ଗୋଲାମି ନ କରି ବ୍ୟବସାୟ କର । ଚାକିରି କରି ମାସକୁ ତିନିଶ ଟଙ୍କା ପାଇବ–ବ୍ୟବସାୟ କରିପାରିଲେ ମାସକୁ ତିନିହଜାର ଟଙ୍କା ରୋଜଗାର କରିପାରିବ । ରାଜଧାନୀରେ ବ୍ୟବସାୟ ପାଇଁ ଅନେକ ସୁଯୋଗ ଅଛି । ନୂଆ କରି ଦୋକାନବଜାର ବସୁଚି । ସରକାରବି ଘର ତିଆରିକରି ଦୋକାନପାଇଁ ଦେଉଛନ୍ତି । ମାର୍କେଟ ତିଆରି ହେଇଗଲାଣି । ସେ ସବୁ ଘର ଦୋକାନପାଇଁ ଭଡ଼ାରେ ଦିଆଯିବ । ତମର ସିନା ଚାକିରି ଯାଇଚି, ହେଲେ ତମେ ଚେଷ୍ଟାକଲେ କ’ଣ ଘରଟାଏ ପାଇବନି ? ବାପା କହିଚନ୍ତି, ଆମ ତରଫରୁବି ଆମେ ସାହାଯ୍ୟ କରିବୁ । ଯଦି ଦରକାର ପଡ଼େ ବ୍ୟାଙ୍କ୍‍ରୁ କିଛି ଋଣ ଆଣିବାକୁ ହେବ । ସବୁ ପ୍ରକାରର ଜିନିଷ ରଖି ଏଠି ଗୋଟାଏ ବଡ଼ ଧରଣର ଦୋକାନ କଲେ ବେଶ୍‌ ଚଳିବ ।

 

ମୋ ଶଳାମାନେ ବର୍ତ୍ତମାନ ବ୍ୟବସାୟରେ ସୁପ୍ରତିଷ୍ଠିତ । କେତେକ ଜିନିଷର ହୋଲ୍‌ସେଲ୍‌ ବ୍ୟବସାୟ କରୁଛନ୍ତି । ବ୍ୟବସାୟର ମହୁ ସେମାନେ ଭଲକରି ଚାଖିଛନ୍ତି । ତେଣୁ ସେମାନଙ୍କର ମୋ ପ୍ରତି ଏ ଉପଦେଶଟା ଅପ୍ରାସଙ୍ଗିକ ନୁହେଁ ।

 

ମନରେ ଉଙ୍କିମାରୁଥିଲା ରାଜନୀତି କରିବାର ନିଶା । କିଛିଦିନ ଚାକିରିର ସ୍ୱାଦ ପାଇଲି-। ଆଗରୁ କହିଚି, ମୋ ସାଙ୍ଗସାଥୀମାନେ ରାଜନୀତିର ଶୀର୍ଷ ସ୍ଥାନରେ ପହଞ୍ଚିଗଲେଣି-। ମୁଁ ଯଦି ରାଜନୀତି କରି କୌଣସିମତେ ଉପରକୁ ଉଠିଯାଇ ପାରନ୍ତି, ଆଉ କିଛି ନ ହଉ, ମୋ ଉପରେ ହୋଇଥିବା ଅନ୍ୟାୟର ପ୍ରତିଶୋଧ ତ ନେଇପାରନ୍ତି ।

 

କିନ୍ତୁ ରାଜନୀତି କରିବାକୁ ହେଲେ ଅର୍ଥରବି ପ୍ରୟୋଜନ ରହିଛି । ଆଜିର ରାଜନୀତି ଦରିଦ୍ରମାନଙ୍କପାଇଁ ନୁହେଁ । ବର୍ତ୍ତମାନ ମୋର କ’ଣ ଅଛି ? ଅନ୍ନଚିନ୍ତା ଯାହାର ଦୈନନ୍ଦିନ କାର୍ଯ୍ୟ ତା’ ପକ୍ଷରେ ବର୍ତ୍ତମାନ ରାଜନୀତି ଚିନ୍ତା, ବାଚାଳତା ଛଡ଼ା ଆଉ କ’ଣ ? ଉଷାର ମଧ୍ୟ ଇଚ୍ଛା ମୁଁ ହଠାତ୍‌ ଏଭଳି ଏକ ବାଚାଳ ନହୁଏ ।

 

ସମସ୍ତଙ୍କ ମିଳିତ ଚେଷ୍ଟାରେ କୁହାବୋଲା କରି ଓ କିଛି ଅଣ୍ଟାଗୁଞ୍ଜା ଦେଇ ମାର୍କେଟ ପ୍ଲେସ୍‌ରେ ଘରଟିଏ ଯୋଗାଡ଼ କଲୁ । ଦୁଇ ଶଳା ଏବଂ ମୁଁ–ଏଇ ତିନିଜଣଙ୍କ ନାଆଁରେ ପାର୍ଟ୍‍ନରସିପ୍‌ ପ୍ରତିଷ୍ଠିତ ହେଲା । କଟକରୁ ଟ୍ରକ୍‌ରେ ଚିନି, ଅଟା, ମଇଦା, କିରାସିନି ପ୍ରଭୃତି ବୁହା ହୋଇ ଆସିଲା । ମୋ ଗାଁ ଜମି ବନ୍ଧକ ଦେଇ ବ୍ୟାଙ୍କ୍‍ରୁ ଦଶ ହଜାର ଟଙ୍କା ଋଣ ନିଆଯାଇ କଲିକତା ବଜାରରୁ ମନୋହରି ଜିନିଷ ଖର୍ଦ୍ଦିହୋଇ ଆସିଲା । ଦୋକାନର ନାଁ ଦିଆଗଲା–ସେଣ୍ଟ୍ରାଲ୍‌ ଷ୍ଟୋର୍ । ଦୋକାନ ଆରମ୍ଭ ହେଲା । ବାପୁଜୀନଗରରେ ଗୋଟିଏ ଘରଭଡ଼ା ନେଇ ଆମେ ସେଠିକି ଉଠିଗଲୁ । ଦୋକାନ ଆରମ୍ଭ ହେବାର ଦୁଇମାସ ପରେ ପ୍ରଭୁଲାଲ ମଧ୍ୟ ତା’ ପରିବାର ନେଇ ଭୁବନେଶ୍ୱର ଚାଲିଆସିଲା ।

 

ଏଇ ନୂଆ ଅନୁଭୂତି ବେଶ୍‌ ଭଲଲାଗିଲା । ସନ୍ଧ୍ୟାବେଳକୁ କେସ୍‌ ବାକ୍‌ସରେ ହଜାରେ ଟଙ୍କା ବିକ୍ରି–ଲବ୍ଧ ଧନ ଦେଖିବାକୁ କାହାକୁ ଭଲ ନଲାଗିବ ? ମୁଁ ପୁନର୍ଜନ୍ମ ପାଇଲି । ମୋ ମନର ସ୍ଥାଣୁତା, ନିରାଶ କଟିଗଲା । ତା’ ବଦଳରେ ଆସିଲା ଦୃଢ଼ତା, ସ୍ଥିରତା, ମାନସିକ ପ୍ରସନ୍ନତା । ମଣିଷର ସବଳତା ଦୁର୍ବଳତା ନିର୍ଭର କରେ ଏଇ ଟଙ୍କା ଉପରେ । ଯାହାର ଯେତେ ଟଙ୍କା, ସେ ସେତେ ସବଳ । ଟଙ୍କାହୀନ ଲୋକ ଦୁର୍ବଳ, ଭୟାତୁର । ଟଙ୍କାହିଁ ବଳ ଓ ସାହସର ପ୍ରତୀକ ।

 

ଆମ ଦୋକାନରେ ସବୁପ୍ରକାର ଆବଶ୍ୟକୀୟ ପଦାର୍ଥ ମିଳୁଥିବାରୁ ଆମର ଗ୍ରାହକସଂଖ୍ୟା ବଢ଼ୁଛନ୍ତି । ଦିନେ ଦିନେ ଦୁଇହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । ପ୍ରଭୁଲାଲ ଓ ମୁଁ ଦୋକାନ ପରିଚାଳନା ବାବଦକୁ ହଜାରେ ଲେଖାଏଁ ଟଙ୍କା ଦରମା ଆକାରରେ ନେଉଛୁ । ଦୋକାନର ମୂଳଧନ ବଢ଼ି ଚାଲିଚି ଦ୍ରୁତଗତିରେ ।

 

ବାପା ଆଜି ଥିଲେ ଦେଖିଥାନ୍ତେ ବିବାହ ସମୟରେ ଯୌତୁକର ମୂଲ୍ୟ ବେଶି ନା ଜୀବନର ଅସମୟରେ ଏ ପ୍ରକାର ସାହାଯ୍ୟର ମୂଲ୍ୟ ବେଶି ?

 

ଚାକିରିଆ ମନୋବୃତ୍ତି ମୋର କଟିଯାଇଛି; ଯେହେତୁ ମୁଁ ବର୍ତ୍ତମାନ ସ୍ୱାଧୀନ । ଉଷାକୁ ଏ ଜୀବନ ଚାକିରିଜୀବନଠାରୁ ଅଧିକ ଭଲଲାଗୁଚି । ହୁଏତ ଏଇଥିପାଇଁ ପିଲାଦିନେ ସେ ଏଇ ପ୍ରକାର ଏକ ପରିବେଶରେ ବଢ଼ିଉଠିଥିଲା । ମୋ ପାଖକୁ ଆସି ସେ ସେଇ ଜୀବନରୁ ବିଚ୍ଛିନ୍ନ ହେଇଯାଇଥିଲା ।

 

ସକାଳ ନଅଟାରେ ମୁଁ ଦୋକାନ ଯାଏଁ, ଫେରେ ଗୋଟାକରେ । ପୁଣି ସନ୍ଧ୍ୟା ପାଞ୍ଚଟାରେ ଯାଏଁ, ଫେରେ ରାତି ଦଶଟାରେ । ମୁଁ ଓ ପ୍ରଭୁଲାଲ ପାଖପାଖ ଘର ନେଇ ରହିଚୁ–ଏପାଖ ସେପାଖ । ପ୍ରଭୁଲାଲର ସ୍ତ୍ରୀ ଲଳିତା ଦିପହରଟାଯାକ ଆମରି ଘରେ ଥାଏ । ପ୍ରଭୁଲାଲ ଖିଆପିଆ କରି ପ୍ରାୟ ବାରଟାବେଳକୁ ଦୋକାନ ଚାଲିଆସେ । ସେ ଆସିବା ପରେ ମୁଁ ଯାଏଁ । ସେ ବାରଟାରୁ ରାତି ଦଶଟା ପର୍ଯ୍ୟନ୍ତ ଦୋକାନରେ ରହେ । ଲଳିତାକୁ ଏକାଏକା ଲାଗେ । ଘରେ ବକଟେ ବୋଲି ଚାକର ପିଲା । ତା’ ସାଙ୍ଗରେ କେତେ ସମୟ ଧରି କି କଥା ବା ସେ ହବ ? ତେଣୁ ଆମରି ଘରେହିଁ ତା’ର ଆଡ଼୍‌ଡ଼ା । ବିଶେଷକରି ମୁନ୍ନା ତାବୁ ଖୁବ୍‌ ଆଦରିଯାଇଚି । ଲଳିତା ହେଉଚି ମୁନ୍ନାର ଆଣ୍ଟି । ଏବେ ଉଷା ତା’ର ମମି, ମୁଁ ତା’ର ଡାଡ଼ି । ତାକୁ କନ୍‌ଭେଣ୍ଟ୍‌ ସ୍କୁଲ୍‍ରେ ଭର୍ତ୍ତି କରାଯାଇଛି ।

 

ସଂସାରଟାକୁ ଯଦି ସମୁଦ୍ର ବୋଲି ଧରାଯାଏ, ତା’ଭିତରେ ଆମ ପରିବାର ତରୀଟି ବେଶ୍‌ ସୁରୁଖୁରୁରେ ଆଗେଇ ଆଗେଇ ଭାସିଯାଉଚି । ମୋର ଦୁର୍ଦ୍ଦିନଗୁଡ଼ାକର ସ୍ମୃତି ସମ୍ପୂର୍ଣ୍ଣ କବର ନେଲାଣି । ଦୁଃସ୍ଥ କିରାଣିଜୀବନରୁ ପ୍ରାଚୁର୍ଯ୍ୟମୟ ଜୀବନକୁ ମୁଁ ଲମ୍ଫ ଦେଇଚି–ଏକବାରେ ଲଂ ଜମ୍ପ-। ଆଶାତୀତ ସଫଳତା ।

 

ଆମ ଦୋକାନକୁ ଅବିନାଶବାବୁ ଆସନ୍ତି, ଆସନ୍ତି ଜଗଦୀଶବାବୁ ଓ ଆସେ ମଧ୍ୟ ନୟନା । ୟା’ ଭିତରେ ଅବିନାଶବାବୁ ଓ ଜଗଦୀଶବାବୁଙ୍କ ସହିତ ଅଲଗାଅଲଗା ମୁହଁ ଚାହାଁଚାହିଁ ହେଇଗଲା । ଅବିନାଶବାବୁ ଦେଖି ପକାଇ ପଚାରିଦେଲେ–କ’ଣ ଭଲ ?

 

ମୁଁ କହିଲି–ସାର୍‌, ଆପଣଙ୍କ ଦୟାରୁ ।

 

ସେ ଆଉ କିଛି କହିଲେନାହିଁ । ମୁଁ କାଉଣ୍ଟର୍‌ ବାହାରେ ଠିଆହେଇଥିବାରୁ ସେ ବୋଧହୁଏ ଜାଣିପାରିଲେ ନାହିଁ ଯେ ଏ ଦୋକାନ ମୋର ବୋଲି ।

 

ଠିକ୍‌ ସେମିତି ଜଗଦୀଶବାବୁଙ୍କ ସହିତ ଦେଖାହେଲା । ସେ ମୋତେ ପଚାରିଲେ–କ’ଣ ନୀଳମାଧବବାବୁ, କେମିତି ଅଛନ୍ତି ?

 

ମୋର ସେଇ ଏକା ଉତ୍ତର–ସାର୍‌, ଆପଣଙ୍କ ଦୟାରୁ....

 

ସେ ମୋ ଚାକିରିର ଦୁଃଖାନ୍ତ ପରିଣତି ପାଇଁ ଦୀର୍ଘନିଃଶ୍ୱାସଟାଏ ପକାଇବା ଭଳି ମୋର ମନେହେଲା । ହଁ, ଦୀର୍ଘ–ନିଃଶ୍ୱାସ ନିଶ୍ଚୟ; କିନ୍ତୁ ଏଇଟା ମୋପାଇଁ ବା ତାଙ୍କପାଇଁ ତାହା ତାଙ୍କୁହିଁ ଜଣା; କିନ୍ତୁ ମୋତେ ଦେଖି ଯେତେବେଳେ ପକେଇଲେ ମୁଁ ଭାବୁଚି ହୁଏତ ମୋ’ରିପାଇଁ ହେଇପାରେ ।

 

ତାଙ୍କର ଗୋଟିଏ ପ୍ରଶ୍ନ–ମୋର ଗୋଟିଏ ଉତ୍ତର । ତା’ପରେ ସେ ମୋ ମୁହଁ ଉପରୁ ତାଙ୍କ ଆଖି ଦି’ଟା ଫେରେଇନେଲେ । ପୁଣି ପଚାରିଲେ–ବର୍ତ୍ତମାନ କ’ଣ ଏଇ ଦୋକାନରେ ଚାକିରି କରୁଛନ୍ତି ? ଆଜିକାଲି ପ୍ରାଇଭେଟ୍‌ ଚାକିରିବି ମନ୍ଦ ନୁହେଁ ?

 

ତାଙ୍କର ଏ କଥାରେ ମୁଁ ନୀରବ ରହିଲି । ମୋର ଅସଲ ପରିଚୟ ତାଙ୍କୁ ଦେଇ ବା ଲାଭ କ’ଣ ? ବରଂ ସେମାନେ ନ ଜାଣିବା ଭଲ । ଜାଣିଲେ ପୁଣି ମୋ ବିରୁଦ୍ଧରେ ଚକ୍ରାନ୍ତ କରିପାରନ୍ତି । ଏମାନଙ୍କ ପକ୍ଷେ ଅସମ୍ଭବ କ’ଣ ?

 

ନୟନାଙ୍କ ସହିତ ଯେତେବେଳେ ପ୍ରଥମେ ଦେଖାହେଲା, ସେ ଏକା ନଥିଲେ । ତାଙ୍କ ସହିତ ଆଉରି ଦୁଇ ତିନି ଜଣ ଅତ୍ୟାଧୁନିକା ବିବାହିତା ମହିଳା ଥିଲେ । ସେ ମୋତେ ଚିହ୍ନିଚନ୍ତି, ଏଇ ଭାବ ଦେଖେଇ ମୁହଁରେ ସାମାନ୍ୟ ଟିକିଏ ହସିଦେଲେ । ହସଟା ଯେ ତାଙ୍କ ହୃଦୟ–କନ୍ଦରର ପରିପ୍ରକାଶ ତା’ ନୁହେଁ, ଏମିତି ମାମୁଲି ହସ ।

 

ତାଙ୍କ ହସର ପ୍ରତିବଦଳରେ ମୁଁ କିନ୍ତୁ ହସିପାରିଲି ନାହିଁ । ମୋର ସର୍ବାଙ୍ଗ ତାଙ୍କୁ ଦେଖି ଜଳିଯାଉଥିଲା । ମୋ ଅଜାଣତରେ ମୁଁ ଭାବୁଥିଲି ସେ ଦିନ ଯୋଉଥିପାଇଁ ତାଙ୍କ ଘର ପର୍ଯ୍ୟନ୍ତ ଦଉଡ଼ିଯାଉଥିଲି ଆଜି ଏଇ ସୁଯୋଗରେ ସେଇ କାମଟା କରିନେବି କି ?

 

ସେ ଦିନ ଆଉ ଆଜି । ଅନେକ ତଫାତ୍‌...ସେଦିନ ମୁଁ ଥିଲି ଦାରିଦ୍ର୍ୟ–ପ୍ରପୀଡ଼ିତ ପାରିବାରିକ ଅଶାନ୍ତିରେ ଜର୍ଜରିତ, ପ୍ରେମ ଓ କାମନାର କ୍ଷତ–ବିକ୍ଷତ ଏକ ଜୀବ । ଆଉ ଆଜି ଆର୍ଥିକ ସ୍ୱଚ୍ଛଳ, ଏକ ଶାନ୍ତ ପରିବାରର କର୍ତ୍ତା, ସମ୍ମାନଜନକ ପରିସ୍ଥିତିରେ ରହିଥିବା ଜଣେ ଭଦ୍ରମଣିଷ । ଆଉ ମୁଁ କ’ଣ ତଳକୁ ଯାଇପାରେ ? ଚାକିରି ଯିବାଟା ମୋ ପକ୍ଷରେ ସାମୟିକ ଅଶାନ୍ତି ଓ ଦୁର୍ଦ୍ଦଶାର କାରଣ ହେଇଥିଲା; କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ତାହା କ’ଣ ମୋପାଇଁ ଏଇ ବିରାଟ ସୁଯୋଗର ସୃଷ୍ଟି କରିନାହିଁ ? ନୟନା ମୋର ସର୍ବନାଶ କରିଚନ୍ତି, ପୁଣି ଏ ପରିସ୍ଥିତି ପାଇଁ ମଧ୍ୟ ବାଟ ଫିଟେଇ ଦେଇଚନ୍ତି । ସେମାନେ ପ୍ରାୟ ତିନିଶ’ ଟଙ୍କାର ବିଭିନ୍ନ ଜିନିଷ କିଣିଲେ । ଟଙ୍କା ଚୁକ୍ତି କରିବାବେଳେ ନୟନା କ’ଣ ପଚାରିବେ ପଚାରିବେ ଭାବ ଦେଖେଇ ଶେଷ ପର୍ଯ୍ୟନ୍ତ ଆଉ କିଛି ପଚାରିଲେନି । ତାଙ୍କର ମଧ୍ୟ ଧାରଣା ହେଇଥିବ ମୁଁ ଏ ଦୋକାନରେ କେସିୟାର୍‌ । ମୋର ପୁଣି ଏତେ ବଡ଼ ଗୋଟାଏ ଦୋକାନ ହେବ ଏହା ସେମାନଙ୍କର କଳ୍ପନାର ଅତୀତ ନିଶ୍ଚୟ ।

 

ମୁଁ ନିଜ ବିଷୟରେ ଖୁବ୍‌ ସତର୍କ ଏବଂ ସଚେତନ । ସେମାନଙ୍କ ବିଷୟରେ ଆଦୌ ଭାବୁ ନଥିଲି; କିନ୍ତୁ ଏବେ କାହିଁକି ସେମାନଙ୍କ ବିଷୟରେ ବେଳେବେଳେ ଭାବୁଚି । ଉଚ୍ଚ ପାହ୍ୟାରେ ଅଧିଷ୍ଠିତ ଅବିନାଶବାବୁ, ତାଙ୍କର ଅଧସ୍ତନ ଜଗଦୀଶବାବୁ ଓ ଏ ଦୁହିଁଙ୍କୁ କେନ୍ଦ୍ର କରି ଘୂରୁଥିବା ନୟନା ମିଶ୍ର । ସେମାନଙ୍କର ପ୍ରତ୍ୟେକଙ୍କ ଜୀବନକୁ ବିଶ୍ଳେଷଣ କଲେ ସୃଷ୍ଟିର ଏକ ବିରାଟ ପ୍ରବଞ୍ଚନା ଧରାପଡ଼ିଯାଉଛି । ମଣିଷ ଜନ୍ମ–ରହସ୍ୟ ମୂଳରେ ସୃଷ୍ଟିକର୍ତ୍ତାଙ୍କର ସୃଷ୍ଟିକୁ ସୁନ୍ଦର କରିବାର ଇଚ୍ଛା ପ୍ରକଟିତ । ଆଦାମ୍‌ ଓ ଇଭ୍‌ଙ୍କୁ ଯଦି ପ୍ରଥମ ମଣିଷ ବୋଲି ଧରାଯାଏ, ସେମାନଙ୍କ ଜୀବନ ଏକ ସ୍ୱର୍ଣ୍ଣସୂତ୍ରରେ ଗ୍ରଥିତ ଥିଲା । ଅବିନାଶ, ଜଗଦୀଶ, ନୟନା–କାହା ଜୀବନ ସହିତ କାହା ଜୀବନ ସ୍ୱର୍ଣ୍ଣସୂତ୍ରରେ ଗ୍ରଥିତ ହେଇଚି ? ସଂସାର ରଙ୍ଗମଞ୍ଚର ଜୀବନ–ନାଟକରେ କିଏ ନାୟକ, କିଏ ନାୟିକା ?

 

ବ୍ୟବସାୟ ପରିଚାଳନାରେ ପ୍ରଭୁଲାଲର ବୁଦ୍ଧିର ତୀକ୍ଷ୍ଣତାରେ ମୁଁ ଆଶ୍ଚର୍ଯ୍ୟ ହେଉଥିଲି । ଗରାଖମାନଙ୍କୁ ଭଲ ବ୍ୟବହାର ଦେଖେଇ ଆକୃଷ୍ଟ କରିବା ଏବଂ ସେମାନଙ୍କ ମନରେ ଆପଣାର ପରି ବିଶ୍ୱାସ ଜନ୍ମଇବାରେ ସେ ଧୁରନ୍ଧର । ତା’ କଥାରେ ଗରାଖମାନେ ଏତେ ସନ୍ତୁଷ୍ଟ ଯେ ଅଧିକ ଦର ଦେବାକୁ ମଧ୍ୟ କେହି କୁଣ୍ଠିତ ହୁଅନ୍ତି ନାହିଁ । ପ୍ରଭୁଲାଲ କିନ୍ତୁ କହେ–ନ୍ୟାଯ୍ୟ ଦରଠାରୁ ଅଧିକ ଦର ନେଇ ଠକେଇବାଟା ସୁବ୍ୟବସାୟୀର କର୍ତ୍ତବ୍ୟ ନୁହେଁ । ପ୍ରଭୁଲାଲର ଆଉ ଏକ ମହତ୍‌ ଗୁଣ ମଧ୍ୟ ମୁଁ ଲକ୍ଷ୍ୟ କରୁଥିଲି । ଦୋକାନକୁ ଆସୁଥିବା କୌଣସି ନାରୀଙ୍କ ମୁହଁକୁ ସେ ସିଧା ଚାହେଁନାହିଁ । ବିନୟ, ଧୀରତା, ନମ୍ରତାର ସେ ମୂର୍ତ୍ତିମନ୍ତ ଅବତାର । ତା’ରି ବୁଦ୍ଧିବଳରେ ଦୋକାନର ସମୃଦ୍ଧି ଘଟିଚାଲିଚି । ଦୁଇବର୍ଷପରେ ବ୍ୟବସାୟର ଯେଉଁ ହିସାବ ହେଲା, ସେଥିରୁ ଦେଖାଗଲା ଯେ ବ୍ୟାଙ୍କ୍‍ର ଦଶହଜାର ଟଙ୍କା ସୁଧ ସହ ପରିଶୋଧ ହୋଇଯାଇଛି ଓ ଆମେ ମାସିକ ହଜାରେ କରି ଟଙ୍କା ନେବା ବ୍ୟତୀତ ଦୁଇବର୍ଷରେ ଆଉରି ଛ’ ହଜାର ଟଙ୍କା ଲାଭ ହେଇଚି ।

 

ପ୍ରଭୁଲାଲ ହସି ହସି କହିଲା–ଭାଇନା, କୋଉ ଚାକିରି ତୁମକୁ ଏତେ ଟଙ୍କା ଦେଇଥାନ୍ତା-? ତୁମ ଆଇ.ଏ. ଏସ୍‌.ମାନେବି ଏତେ ଦରମା ପାଉ ନଥିବେ । ବାଣିଜ୍ୟେ ବସତେ ଲକ୍ଷ୍ମୀ.....

 

ଇତିମଧ୍ୟରେ ଶ୍ୱଶୁରଙ୍କର ପରଲୋକ ହୋଇଗଲା । ପ୍ରାୟ ତିନିମାସ ଧରି ସେ ଅସୁସ୍ଥ ଥିଲେ । ତାଙ୍କର ଚିକିତ୍ସାର ମଧ୍ୟ ସୁବନ୍ଦୋବସ୍ତ ହୋଇଥିଲା । ସାନ ଶଳା ଶ୍ୟାମଲାଲ ବ୍ୟବସାୟରେ ଆଉରି କୃତିତ୍ୱ ପ୍ରଦର୍ଶନ କରି କଟକ ଦୋକାନର ମୂଳଧନକୁ ୟା ଭିତରେ ଦଶଗୁଣ ବଢ଼ାଇସାରିଚି-। ସେ ଦୋକାନର ଲାଭାଂଶରୁ ପ୍ରଭୁଲାଲ ତା’ର ପ୍ରାପ୍ୟ ପାଇଛି ବର୍ଷକୁ ପ୍ରାୟ ପନ୍ଦର ହଜାର ଟଙ୍କା-। ଦୁଇଭାଇଙ୍କ ମଧ୍ୟରେ ସୁସମ୍ପର୍କ; ଅବିଶ୍ୱାସ ନାହିଁ କି ପ୍ରତାରଣା ନାହିଁ । ଦୁଇଆଡ଼େ ଦୁଇ ବ୍ୟବସାୟ ପ୍ରତିଷ୍ଠାନ ଦୁଇ ଭାଇଙ୍କ ତତ୍ତ୍ୱାବଧାନରେ ଗଙ୍ଗା–ଯମୁନା ଭଳି ପ୍ରବାହିତ ହୋଇ ଚାଲିଛି-। ମୁଁ ତା’ ଭିତରେ ଅଦୃଶ୍ୟ ସରସ୍ୱତୀର ଧାରଭଳି ।

 

ପ୍ରଭୁଲାଲ ପରିବାରରେ ଆଉ ଏକ ଜୀବନର ସଞ୍ଚାର ହେଇଚି ।

 

ଲଳିତା ଜନ୍ମ କରିଚି ଏକ ପୁତ୍ର–ସନ୍ତାନ । ତିନିଦିନ ହେଲା ପ୍ରଭୁଲାଲ ଦୋକାନ ଆସିପାରିନାହିଁ । ହାସ୍‌ପାତାଳର କେବିନ୍‌ରେ ତାକୁ ଜଗିରହିବାକୁ ପଡ଼ୁଚି । ଖବର ଯାଇ ଶ୍ୟାମଲାଲ ଓ ବୋହୂ ଆସିଥିଲେ । ଡାକ୍ତରଖାନାରେ ଦୁଇଘଣ୍ଟା ରହି ଚାଲିଯାଇଛନ୍ତି । ମା’ ଓ ପିଲା ଉଭୟ ଭଲ ଅଛନ୍ତି ।

 

ସେ ଦିନର କଅଁଳ ଅପରାହ୍‌ଣ । ମୁଁ ଏବଂ ଜଣେ ସେଲ୍‍ସ୍‌ମେନ୍‌କୁ ଛାଡ଼ି ଅନ୍ୟ ସମସ୍ତେ ଖାଇବାକୁ ଯାଇଛନ୍ତି । ନୟନା ମିଶ୍ର ହଠାତ୍‌ ଦୋକାନରେ ପହଞ୍ଚିଗଲେ ତାଙ୍କ ଝିଅଟି ସହିତ । ଝିଅଟି ବେଶ୍‌ ଡଉଲ ଡାଉଲ ହୋଇଚି ଠିକ୍‌ ଡୋଲ୍‌ କଣ୍ଢେଇଟିଏ ଭଳି । ଏବେଠୁ ସାହେବୀ ଆଦବକାଇଦାରେ ଚାଲୁଚି–କଥାବାର୍ତ୍ତା କରୁଚି । ନୟନା ତାକୁ ଖୁବ୍‌ ଅଲଟ୍ରା ମଡ଼ର୍ଣ୍ଣ କରି ଯେ ଗଢ଼ିବାକୁ ଚାହାନ୍ତି, ତା’ର ସୂଚନା ଏବେଠୁ ମିଳୁଚି ।

 

ଝିଅପାଇଁ କିଛି ଡ୍ରେସ୍‌ କିଣିବାକୁ ସେ ଆସିଥିଲେ । ଖୁବ୍‌ ମନୋଯୋଗ ସହକାରେ ଡ୍ରେସ୍‌ ଦେଖୁଥିବାବେଳେ ମୁଁ ଦୂରରୁ ତାଙ୍କୁ ଲକ୍ଷ୍ୟ କରୁଥିଲି ।

 

ତାଙ୍କ ଦେହର ସବୁଜିମା ହଜିଆସିଚି । ଚାଲିଯିବାକୁ ଚାହୁଁଥିବା ଦେହର ଲାଳିତ୍ୟକୁ ସେ ଧରିବାନ୍ଧି ରଖିବାକୁ ଚାହୁଁଛନ୍ତି । ସର୍ବାଙ୍ଗରେ ଅସମ୍ଭବ ରକମର ମେକପ୍‌ । କାହାପାଇଁ ତାଙ୍କର ଏ କୃତ୍ରିମ ସାଜସଜ୍ଜା ? କୃତ୍ରିମ–ପ୍ରେମର ନାୟକମାନଙ୍କ ପାଇଁ ଏ ପ୍ରକାର ସାଜସଜ୍ଜାର ଆବଶ୍ୟକତା ପଡ଼େ । ବାରବଧୂ ନିଜକୁ ସଜାଏ ଅଚିହ୍ନା ପୁରୁଷକୁ ଆକୃଷ୍ଟ କରିବାପାଇଁ । ଆଉ ତୁମେ ନୟନା ମିଶ୍ର ? କାହାପାଇଁ ତୁମର ଏ ଅଭିସାରିକା ବେଶ ? ବୃଦ୍ଧ ଅବିନାଶ ସେନ୍‌....ଯେ ରିଟାୟାର କରିବେ ଆଉ ଦୁଇଚାରିବର୍ଷ ପରେ ?

 

ଧନ୍ୟ ନାରୀ !

 

ଧନ୍ୟ ତୁମ କାମନାର ଲେଲିହାନ ଶିଖା ।

 

ଝାସଦିଏ ପୁରୁଷ–ପତଙ୍ଗ ।

 

କପାଳେ ତା’ ମରଣର ଟୀକା ।

 

ଧ୍ୱଂସ ଅନିବାର୍ଯ୍ୟ ।

 

–କେତେ ଟଙ୍କା ହେଲା ?

 

ତାଙ୍କର ଏ ପ୍ରଶ୍ନରେ ସେଲ୍‌ସ୍‌ମେନ୍‌ କହିଲା–ବାବୁଙ୍କ ପାଖକୁ ଯାଆନ୍ତୁ, ହିସାବ କରି କହିବେ । କେସ୍‌ କାଉଣ୍ଟର୍‍ରେ କେସ୍‌ମୋମୋ ଧରି ବସିଚି ମୁଁ । ସେଲ୍‌ସ୍‌ମେନ୍‌ ଆଣି ସେ ବାଛିଥିବା ପୋଷାକଗୁଡ଼ା ମୋ ପାଖରେ ରଖିଦେଇ ଗଲା । ସେ ଆସିଲେ । ହସିଲେ । ମୁଁ ତାଙ୍କ ମୁହଁକୁ ନ ଚାହିଁ ଖଣ୍ଡେ ବାଜେ କାଗଜରେ ଆଗେ ହିସାବ କରିବସିଲି । ଟଙ୍କାର ଅଙ୍କ ଦେଖି ସେ ଚମକି ପଡ଼ିଲେ । ତିନିଶ ଛପନ ଟଙ୍କା ! ସେ କହିଲେ–ଏତେ ଟଙ୍କା ହେଇଗଲା ? ମୁଁ କହୁଚି ଏତେ ପୋଷାକ ନବା ନାହିଁ । ଝିଅଟା କ’ଣ କିଛି ମାନୁଚି ? ନୀଳମାଧବବାବୁ, ରାଣୀକି ଚିହ୍ନୁଚନ୍ତି ? ଏ ସେଇ, ଆପଣ ଯାହାପାଇଁ ଅମୂଲ ଆଣିଦେଇଥିଲେ ।

 

–ସେ ତ କୋଉ ଯୁଗରେ ! ଆଜି ମୋତେ ସେଥିରୁ ମିଳିବ କ’ଣ ? ଆଜି ମୋର ଦରକାର ନଗଦ ତିନିଶ ଛପନ ଟଙ୍କା ।

 

–ମୁଁ ତ ଏତେ ଟଙ୍କା ଆଣିନାହିଁ । କୋଉଟା ରଖିବି କୋଉଟା ଫେରେଇବି ? ଜିଦ୍‌ଖୋରିଆ ଝିଅ କ’ଣ ଛାଡ଼ିବ ? ନୀଳମାଧବବାବୁ ! ଦୁଇଶ ଟଙ୍କା ଦେଇ ଯାଉଚି, ଆଉ ଶହେ ଛପନ ଟଙ୍କା ପରେ ପଠେଇଦେଲେ ଚଳିବନି ?

 

ନା ନା ନା, ମୋର ଅନ୍ତର ଭିତରଟା ଚିତ୍କାର କରି ଉଠିଲା । ତା’ ହେଇପାରେନା । ମୁଁ ତୁମକୁ ଭଲ କରି ଚିହ୍ନିଚି ନୟନା ମିଶ୍ର ! ପୁଣି କାହିଁକି ? ଅଭିନୟ ଏବେ ବନ୍ଦ କର ।

 

ମୁଁ କହିଲି–ଦୋକାନର ଚାରିକାନ୍ଥରେ କ’ଣ ଲେଖାହେଇଚି ଦେଖନ୍ତୁ ।

 

ଆଜି ନଗଦ କାଲି ଧାର ।

 

ସେ ସାମନାରେ ଲେଖାଥିବା ବୋଡ଼୍‍ଟାକୁ ପଢ଼ିଲେ । ତାଙ୍କ ମୁହଁର ଆକାର ଯେମିତି ଅଧା କମିଗଲା । ବାଛିଥିବା ପୋଷାକରୁ ଅଧେ ରଖିଦେଲେ । କିନ୍ତୁ ରାଣୀ ସେଥିରେ ସମ୍ମତ ନୁହେଁ-। ସେ ନା ନା କହି ଖଣ୍ଡେ ଦୂରରେ ଯାଇ ଠିଆ ହେଲା; ଦଉଡ଼ି ବାହାରକୁ ପଳେଇଲା-

 

ନୟନା କହିଲେ–ଦେଖିଲେ ତ ତା’ କାଣ୍ଡ । ସେ ବାହାରକୁ ଯାଇ ତାକୁ ଧରିଆଣିଲେ । ତା’ର ଜିଦ୍‌ ଦେଖି ତାକୁ ଦୁଇ ଚାପୋଡ଼ ମାଇଲେ ।

 

ମୁଁ କହିଲି–ଥାଉ ଥାଉ, ପିଲାଟାକୁ ମାରନ୍ତୁନି ।

 

ସେ କହିଲେ–ମାରିଲିଣି କ’ଣ ? ଘରକୁ ଗଲେ ପୁଣି ଦେଖିବୁ ।

 

ମୁଁ କହିଲି–ପିଲାଟା ଅଝଟ ହଉଚି । ଆପଣ ନେଇଯାଆନ୍ତୁ । ଅବଶିଷ୍ଟ ଟଙ୍କା ମନେ କରି ପଠେଇଦେବେ ।

 

ସେ କହିଲେ–ମନେ କରି ପଠେଇଦେବି । ଯଦି ଭୁଲିଯାଏ ? ନା ନା, ସବୁ ରଖନ୍ତୁ, ମୁଁ ପରେ ଆସି ନେଇଯିବି ।

 

ତାଙ୍କର ଜିଦ୍‌ବି କମ୍‌ ନୁହେଁ । ହେ ଭଗବାନ ! ମୋତେଇ ପୁଣି କହିବାକୁ ପଡ଼ିଲା–ନା ନା, ଆପଣ ସବୁ ନେଇଯାଆନ୍ତୁ । ପିଲାଟା ମନରେ କଷ୍ଟ ଦିଅନ୍ତୁ ନାହିଁ ।

 

ମୁଁ ଜୋର କରି ତାଙ୍କୁ ଜିନିଷତକ ଦେଇଦେଲି । ସତକୁସତ ସନ୍ଧ୍ୟାବେଳେ ସେ ପୁଣି ଆସି ଟଙ୍କାଟା ଦେଇଗଲେ; ମୋ ସାଙ୍ଗରେ ପଦେହେଲେ କଥା କହିଲେ ନାହିଁ । ମୁଁ ବି କିଛି ନକହି ଟଙ୍କାଟା ଗଣି କେସ୍ ବାକ୍‍ସରେ ରଖିଦେଲି । ସେ ଚାଲିଗଲେ । ସେ ବାହାରକୁ ଚାଲିଯିବା ପରେ ପରେ କାର୍ ଷ୍ଟାର୍ଟ୍ ହେବାର ଶବ୍ଦ ଶୁଭିଲା । ନିଶ୍ଚୟ ଅବିନାଶ ସେନ୍‌ । ନହେଲେ ତାଙ୍କୁ ଆଉ କିଏ କାର୍‌ରେ ନେଇ ଆସିବ ? ଟଙ୍କାଟା କୋଉଠୁ ଆସିଲା ତା’ବି ମୁଁ ସହଜରେ ଅନୁମାନ କରିନେଲି ।

 

ମୁଁ କେସିୟର୍ ନୁହେଁ, ଦୋକାନର ମାଲିକ, ଏ କଥା ବା କେତେ ଦିନ ସେମାନଙ୍କ ନିକଟରେ ଅଛପା ରହନ୍ତା ! ଏତେ ବଡ଼ ଦୋକାନଟା ଯେ ମୋର, ଏ ଖବର ପ୍ରଥମେ ମାଧ ପାଇଲା । ତା’ଠୁ ନୟନା, ସେଠୁ ଜଗଦୀଶବାବୁ, ଅବିନାଶବାବୁ ପ୍ରଭୃତି । ଜାଣିବା ଭଲ । ମୋର ସମୃଦ୍ଧିର ଖବର ସେମାନଙ୍କ ପାଖରେ ପହଞ୍ଚିବା ଉଚିତ । ଯେ ଦିନେ ସେମାନଙ୍କ ହୀନ ଚକ୍ରାନ୍ତର ଶିକାର ହେଇଥିଲା, ତା’ର ଆଜିର ଏ ଅବସ୍ଥା କ’ଣ ସେମାନଙ୍କୁ ଏକ ଆହ୍ୱାନ ନୁହେଁ ? ଖାଲି ନୟନା ମିଶ୍ର, ଜଗଦୀଶବାବୁ ବା ଅବିନାଶବାବୁ ନୁହନ୍ତି, ସମଗ୍ର ବିଶ୍ୱର ଅନିଷ୍ଟକାରୀ ଶକ୍ତି ଆସି ଦେଖିଯାଉ–ଅନ୍ୟାୟ ଉପାୟରେ କାହାରି ସର୍ବନାଶ କରାଯାଇପାରେନା । ଚୋର ଡକାୟତମାନେ ସଂପଦକୁ ଲୁଟିକରି ନେଇପାରନ୍ତି; କିନ୍ତୁ ସୌଭାଗ୍ୟକୁ ନୁହେଁ ।

 

ମୁଁ ଆତ୍ମବିଶ୍ୱାସ ଫେରିପାଇଚି । ମୁନ୍ନା କେମିତି ଭଲ ପାଠ ପଢ଼ିବ ସେଥିପାଇଁ ମୁଁ ସତତ ଚେଷ୍ଟିତ । ଉଷାକୁ କହେ–ମୁନ୍ନା ଯେମିତି ଘରେ ପାଠ ପଢ଼େ ସେଥିପ୍ରତି ସତର୍କ ଦୃଷ୍ଟି ରଖିବାକୁ । ୟା ଭିତରେ ମୁନ୍ନାପାଇଁ ଟିଉସନ୍‌ ମାଷ୍ଟର ନିଯୁକ୍ତ ହେଇଚନ୍ତି । ସେ ଭଲ ପାଠ ପଢ଼ୁଚି; କ୍ଲାସ୍‌ରେ ପୋଜିସନ୍‌ ରଖୁଚି । ତା’ ପାଠପଢ଼ାରେ ମୁଁ ସନ୍ତୁଷ୍ଟ ଏବଂ ଆନନ୍ଦିତ । ପାଠର ଅସାରତା ସମ୍ପର୍କରେ ଚିନ୍ତା କରିବାକୁ ମୋର ଅବକାଶ ନାହିଁ ।

 

ମୋର ପୁରୁଣା ସାଙ୍ଗସାଥୀମାନେ ଏବେ ଆଉ କରଛଡ଼ା ଦେଇ ରହୁନାହାନ୍ତି; ଅନେକ ନୂଆ ସାଙ୍ଗସାଥୀବି ଜୁଟିଲେଣି । ପ୍ରତିଦିନ ସନ୍ଧ୍ୟାରେ ପାଞ୍ଚରୁ ଦଶପର୍ଯ୍ୟନ୍ତ ସାଙ୍ଗ ଏକାସାଙ୍ଗରେ ଆସି ପହଞ୍ଚନ୍ତି । ଚା’ ଖାଆନ୍ତି, ସିଗ୍ରେଟ ପିଅନ୍ତି । ସେମାନେ ଆସିବାଦ୍ୱାରା ଗ୍ରାହକମାନଙ୍କର ଅସୁବିଧା ହେଉଚି । ପ୍ରଭୁଲାଲ ତ ପକ୍କା ବ୍ୟବସାୟୀ । ଦିନେ ସେ ମୋତେ କହିଲା–ସନ୍ଧ୍ୟାରେ ମୁଁ ଆଉ ଦୋକାନକୁ ନ ଆସିଲେବି ସେ ଏକା ଚଳେଇନବ । ତା’ କହିବାର ଉଦ୍ଦେଶ୍ୟ ମୁଁ ବୁଝିପାରିଲି-। ଯେହେତୁ ଉଦ୍ଦେଶ୍ୟ ମହତ୍‌, ତା’ କହିବାନୁସାରେ ମୁଁ କିଛିଦିନ ପାଇଁ ସନ୍ଧ୍ୟାରେ ଦୋକାନ ଯିବା ବନ୍ଦ କରିଦେଲି । ମୁଁ ନ ଯିବାରୁ ସାଙ୍ଗସାଥୀମାନଙ୍କର ଆସିବାଟାବି କମିଗଲା ।

 

ପ୍ରଭୁଲାଲ କହେ–ଦୋକାନରେ ବାହାର ଲୋକ ଆସି ଆଡ଼୍‌ଡ଼ା ଦେଲେ ଦୋକାନର ଶିରୀ ତୁଟିଯାଏ । ଦୋକାନଟା ତ କ୍ଲବ୍‌ ନୁହେଁ । ସେ ମୋତେ ପରାମର୍ଶ ଦେଲା–ମୁଁ ଯଦି ଚାହେଁ କୌଣସି କ୍ଲବ୍‌ ମେମ୍ୱର ହେଇ ସନ୍ଧ୍ୟାଟା ସେଇଠି କଟେଇ ଦିଏ । କ୍ଲବ୍‌–ଫ୍ଲବ୍‌କୁ ଯିବାର ଅଭ୍ୟାସ ବା ମନୋବୃତ୍ତି ମୋର ନାହିଁ । ଆଜି ସିନା ମୁଁ ପ୍ରାଚୁର୍ଯ୍ୟ ଅଧିକାରୀ; କିନ୍ତୁ ମୋର ଅତୀତ....

 

ମୁଁ ବର୍ତ୍ତମାନ–ସର୍ବସ୍ୱ ନୁହେଁ । ମୋ ସମ୍ପର୍କରେ ମୁଁ ସମ୍ପୂର୍ଣ୍ଣ ସଚେତନ । ଆଜିର ପ୍ରାଚୁର୍ଯ୍ୟ କ’ଣ ମୋର ? ସବୁକିଛିର ମୂଳରେହିଁ ପ୍ରଭୁଲାଲ–ସବୁ କିଛି ତା’ରି ।

 

ସେ କିନ୍ତୁ ଏକଥା ସ୍ୱୀକାର କରିବାକୁ ନାରାଜ । ସେ କହେ–ମୋର ଚାକିରି ଯାଇ ନଥିଲେ ଏହା ସମ୍ଭବ ହେଇଥାନ୍ତା କେମିତି ? ସେ ରାଜଧାନୀକୁ ଆସିଥାନ୍ତା ବା କାହିଁକି ?

 

Necessity is the mother of invention–ଏ କ୍ଷେତ୍ରରେ ଆବଶ୍ୟକତାଟା କାହାର ଥିଲା ? ମୋର ନା ପ୍ରଭୁଲାଲର ?

 

ପ୍ରଭୁଲାଲ ମୋତେ ଭକ୍ତି କରେ । କହିବାକୁ ଗଲେ ସେ ଦୁଇଭାଇଙ୍କର ମୁଁ ତ ବର୍ତ୍ତମାନ ଗାର୍ଜନ; ବୟୋଜ୍ୟେଷ୍ଠ ।

 

ପିତାମାତାଙ୍କ ଶୁଦ୍ଧିକ୍ରିୟାବେଳେ କରଜ କରାଯାଇଥିବା ଟଙ୍କା ପରିଶୋଧ କରିଦିଆଯାଇଛି । ପ୍ରଭୁଲାଲ ଭୁବନେଶ୍ୱରରେ ଦୁଇଟି ପ୍ଲଟ୍‌ କିଣିଛି, ଖଣ୍ଡିଏ ମୋ ନାଁରେ ଓ ଆଉ ଖଣ୍ଡିଏ ତା’ ନାଁରେ । ଆମରି ପ୍ଲଟ୍‌ ପାଖରେ ଥିବା ଆଉ ଖଣ୍ଡିଏ ପ୍ଲଟ୍‌ କିଣିବାପାଇଁ ସେ ବୁଝାବୁଝି କରୁଚି । ଯଦି ମିଳିଯାଏ, ସେ ଖଣ୍ଡକ ଶ୍ୟାମଲାଲ ନାଁରେ କିଣିବ । ଯଦି ନ ମିଳେ ଦୁଃଖ ନାହିଁ । ଶ୍ୟାମ ତ କଟକରେ ବ୍ୟବସାୟ କରୁଚି । ସେଇଠି ରହିଚି । ତେଣୁ କଟକର ଘର ତାକୁ ଦେଇଦେବାରେ ଅସୁବିଧା କିଛି ହେବ ନାହିଁ ।

 

ଶୁଭଲଗ୍ନରେ ଦୁଇଟି ପ୍ଲଟ୍‌ ଉପରେ ଏକାରକମର ଦୁଇଟି ଘରତୋଳା ଆରମ୍ଭ ହେଲା । ସେ ସବୁ ଦାୟିତ୍ୱ ପ୍ରଭୁଲାଲର । ସେ ସବୁ କରୁଛି ।

 

ବାର୍ଷିକ ପରୀକ୍ଷାରେ ମୁନ୍ନା କ୍ଲାସ୍‌ରେ ପ୍ରଥମ ହେଇଚି । ପ୍ରଭୁଲାଲ ଏ ଖବର ପାଇ ସେ ଦିନ ମୁନ୍ନାପାଇଁ ବଢ଼ିଆ ପୋଷାକ ଓ ଗୁଡ଼ାଏ ମିଠା ନେଇ ଆମ ଘରେ ପହଞ୍ଚିଗଲା । ସେ ଦିନଟା ବେଶ୍‌ ଭଲରେ କଟିଗଲା ।

 

ୟା’ ଭିତରେ ଦିନେ ମାଧ ନୟନା ମିଶ୍ରଙ୍କଠାରୁ ଗୋଟେ ଚିଠି ନେଇ ଆସିଥିଲା । ଚିଠିର ମର୍ମ–ହଜାରେ ଟଙ୍କା ଧାର ସେ ଚାହାନ୍ତି । ମାସେ ପରେ ଦେଇଦେବେ ।

 

ସେ ଚିଠିଟି ପଢ଼ି ମୁଁ ମନେମନେ ହସିଲି । ମାଧକୁ କହିଲି–ଭାଗୁଆଳି ବ୍ୟବସାୟ । ବ୍ୟବସାୟର ଟଙ୍କା ମୁଁ ଚାହିଁଲେବି ଏଠାରେ ଧାର ଦେବାର ଅଧିକାର ମୋର ନାହିଁ ।

 

ମାଧ ଚାଲିଗଲା ପରେ ମୁଁ ମନେମନେ ଭାବୁଥିଲି–ସତରେ ନୟନା ମିଶ୍ର ସୃଷ୍ଟିର ଏକ ବ୍ୟତିକ୍ରମ । ତାଙ୍କ ମୁହଁରେ କ’ଣ ଲାଜସରମ ନାହିଁ । ମୋତେ ମାଗୁଛନ୍ତି ହଜାରେ ଟଙ୍କା ଧାର ! ତାଙ୍କରିପାଇଁ ମୁଁ ଦାଣ୍ଡର ଭିକାରି ହେଇଥିଲି । ସବୁଗୁଡ଼ା କଥା ସେ କେମିତି ଏତେ ଶୀଘ୍ର ଭୁଲିଗଲେ-? ନା, ଏ ବି ଆଉ ଏକ ନୂତନ ଚକ୍ରାନ୍ତ ! ନୂତନ ଫନ୍ଦି !

 

ଅବିନାଶ ସେନ୍‌ ଆଇ.ଏ.ଏସ୍‌., ସ୍ୱେଚ୍ଛାକୃତ ଅବସର ନେଇ ଶାନ୍ତିନିକେତନ ଯାତ୍ରା କରିଛନ୍ତି । ଶୁଣିଲି ସେଇଠି ସେ କୁଆଡ଼େ ଘର ଖଣ୍ଡିଏ ତୋଳାଇ ଅବଶିଷ୍ଟ ଜୀବନ କଟେଇବେ । ଅବିନାଶବାବୁ ଚାଲିଯିବା ପରେ ନୟନା ମିଶ୍ରଙ୍କ ଆର୍ଥିକ ଅବସ୍ଥାର ଅଧୋଗତି ଘଟିଥିଲା । ମାତ୍ର ତାଙ୍କର ସୌଭାଗ୍ୟକୁ ଜଗଦୀଶବାବୁ ଆଇ.ଏ.ଏସ୍‌. ପାହ୍ୟାକୁ ଉନ୍ନୀତ ହେଇଚନ୍ତି । ପାରିବାରିକ କ୍ଷେତ୍ରରେ ସେ ସିନା ନିଜକୁ ଅଯୋଗ୍ୟ ପ୍ରମାଣିତ କରିଥିଲେ; କିନ୍ତୁ ଚାକିରି କ୍ଷେତ୍ରରେ ତାଙ୍କର ଯୋଗ୍ୟତା ସ୍ୱୀକୃତ ହେଇଚି ।

Unknown

 

ରାଜଧାନୀରେ ଆଇ.ଏ.ଏସ୍‌.ମାନଙ୍କର ଏକ ସ୍ୱତନ୍ତ୍ର ଗୋଷ୍ଠୀ । ସେମାନଙ୍କ ସ୍ତ୍ରୀମାନେ ମଧ୍ୟ ଭିନ୍ନ ଏକ ଗୋଷ୍ଠୀର । ନୟନା ଏବେ କ୍ଲବ୍‌କୁ ଯାଆନ୍ତି । ମୁଁ ମଧ୍ୟ ସେଇ କ୍ଲବ୍‌ର ମେମ୍ୱର । ପ୍ରଭୁଲାଲର ତାଡ଼ନାରେ ମୁଁ ମଧ୍ୟ ବେଳେବେଳେ ଯାଏଁ । ସେ କ୍ଲବ୍‌କୁ ଉଚ୍ଚପାହ୍ୟା ଅଫିସର ଓ ସମ୍ଭ୍ରାନ୍ତ ବ୍ୟବସାୟୀ ବ୍ୟତୀତ ଅନ୍ୟ କାହାରି ଯିବାର ଅଧିକାର ନାହିଁ । ସଭ୍ୟ ଚାନ୍ଦା ମାସିକ ଶହେଟଙ୍କା ।

 

ସେଇ କ୍ଲବ୍‌ରେ ବେଳେବେଳେ ନୟନାଙ୍କ ସହିତ ଦେଖାହେଇଯାଏ । ସେ ଏକାଏକାହିଁ ଆସନ୍ତି । ଥରେ ମାତ୍ର ଜଗଦୀଶବାବୁଙ୍କୁ ସେ କ୍ଲବ୍‌ରେ ଦେଖିଥିଲି; ଆଉ ଦେଖି ନାହିଁ । ନୟନା ମୋତେ ନମସ୍କାର କରନ୍ତି, ହସନ୍ତି । ବେଳେବେଳେ କଥାବାର୍ତ୍ତା ଆରମ୍ଭ କରନ୍ତି । ଆଗେ ମୁଁ ସ୍କୁଟର୍‌ ଚଢ଼ୁଥିଲି, ଏବେ କାର୍‌ ଚଢ଼ୁଚି । ପ୍ରଭୁଲାଲ ଏକ ସେକେଣ୍ଡ୍‌ ହାଣ୍ଡ୍‌ କାର୍‌ କିଣିଛି । ସେ କାର୍‌ଟାକୁ ଉଭୟ ବ୍ୟବହାର କରୁଛୁ । ୟା ଭିତରେ ଦୁହେଁଯାକ କାର୍‌ ଚଳେଇବା ଶିଖିନେଇଛୁ । ଡ୍ରାଇଭର ରଖିନାହୁଁ ।

 

ଦିନେ ନୟନା ଅନୁରୋଧ କରି ବସିଲେ ତାଙ୍କୁ ତାଙ୍କ ଘରେ ଡ୍ରପ୍‌ କରିଦେବାପାଇଁ । ଗାଡ଼ି ଷ୍ଟାର୍ଟ୍ ହେଇ ସାରିଥିଲା । ମୁଁ କିଛି ନକହି ପଛ ସିଟ୍‌ର କବାଟ ଖୋଲିଦେଲି; ମାତ୍ର ସେ ପଛ ସିଟ୍‌ରେ ନବସି ସାମନା ଦରଜା ଖୋଲି ବସିଗଲେ । ମୁଁ ଗାଡ଼ି ଚଲାଇନେଲି । ତାଙ୍କ ଘରକୁ ଦୁଇତିନି ମିନିଟ୍‌ର ରାସ୍ତା । ସେଇ ଦୁଇ ତିନି ମିନିଟ୍‌ ଭିତରେ ସେ କହିଲେ–ତଥାପି ମନ ଭିତରେ ରାଗ ରଖିଛନ୍ତି ନା ?

 

ସେ ପ୍ରଶ୍ନର କିଛି ଉତ୍ତର ନଦେଇ ମୁଁ କହିଲି–ଆପଣଙ୍କ ନୂଆ କ୍ୱାଟର୍‌ ତ ମୁଁ ଦେଖିନି । କହିଦେବେ ।

 

ରାଜଭବନ ପାଖ ବାଁହାତି ଶେଷ କ୍ୱାଟର୍‌ଟା ।–ସେ କହିଲେ ।

 

ମୁଁ ଗାଡ଼ି ବ୍ରେକ୍‌ କଲି । ସେ କହିଲେ–ଓହ୍ଲେଇବେନି ?

 

ମୁଁ କହିଲି–ରାତି ଏଗାରଟା ବାଜିଲାଣି ।

 

ମୁଁ ଚାଲିଆସିଲି । କାର୍‌ ଭିତରଟା କେୟୋଡ଼ା ଅତରର ଗନ୍ଧରେ ମହକି ଉଠୁଥାଏ । ସେ ଗଲାପରେବି ସେ ଗନ୍ଧ କାର୍‌ରେ ଲାଗିରହିଥାଏ । ଖାଲି କ’ଣ କେୟୋଡ଼ା ଅତରର ଗନ୍ଧ ? ନା, ତା’ ସହିତ ମଧ୍ୟ ମିଶିଥାଏ ତାଙ୍କ ଦେହର ମନମତାଣିଆ ଗନ୍ଧ । ବର୍ତ୍ତମାନ ତାଙ୍କ ଦେହଟା କୃତ୍ରିମତାର ଖଣି ହେଇଥିଲେବି ତା’ରି ଭିତରେ ତାଙ୍କର ଏକ ନିଜସ୍ୱ ସତ୍ତା ରହିଚି । ମୁଁ ଶୁଣିପାରୁଥିଲି ତାଙ୍କ ମାଂସର ଚିତ୍କାର; ଦେଖିପାରୁଥିଲି ଆଖିର ନିମନ୍ତ୍ରଣ; ବୁଝିପାରୁଥିଲି ତାଙ୍କ ଦେହର ଜ୍ୱାଳା ।

 

ଅନ୍ଧ ଥରେ ସିନା ବାଡ଼ି ହଜାଏ; ଆରଥରକୁ ସତର୍କ ହେଇଯାଏ । ମୁଁ ଠିକି ଶିଖିଥିବା ଲୋକ; ତେଣୁ ସତର୍କ ହେଇଗଲି । ମନର କୋମଳତାକୁ ଜୋର କରି ତଡ଼ିଦେଲି । ମୁଁ ଜୀବନ୍ତ, ସଚେତନ ମଣିଷ । ନିର୍ଜୀବ ଶବ ନୁହେଁ ଯେ କାଳିକାଙ୍କର ସମସ୍ତ ଅତ୍ୟାଚାର ସହିଯିବି, ଏକଦା ସର୍ବଶକ୍ତିମାନ ଶିବ ଯେମିତି ସହିଥିଲେ ।

 

ମୋ ଅନିଚ୍ଛା ସତ୍ତ୍ୱେ ବେଳେବେଳେ ମୁଁ କ୍ଲବ୍‌କୁ ଯାଉଥିଲି । ହଠାତ୍‌ ଯିବା ବନ୍ଦ କରିଦେଲି । କ୍ଲବ୍‌ର ଆବହାୱା ପାଇଁ ମୋତେ ସେଠିକି ଯିବାକୁ ଭଲ ଲାଗିଲାନାହିଁ ।

 

ମୁଁ କାହିଁକି କ୍ଲବ୍‌କୁ ଯାଉନାହିଁ ମାଧକୁ ପଠେଇ ନୟନା ମିଶ୍ର ଥରେ ବୁଝିଥିଲେ । ନୟନାଙ୍କ ଉପରେ ଯେତେ ରାଗ ଆସୁଥିଲେବି, ମାଧକୁ ଦେଖିଲେ ମୋ ରାଗ କୁଆଡ଼େ ପାଣିଫୋଟକା ପରି ମିଳେଇଯାଏ । ମୁଁ ତାକୁ କହିଲି–ଦୋକାନରେ ଏତେ ଭିଡ଼ ହେଉଚି ଯେ ରାତି ଏଗାରଟା ପର୍ଯ୍ୟନ୍ତ ଫୁରୁସତ୍‌ ପାଉନି ।

 

ସେ ଦିନ ମାଧ କହିଲା–ଅବିନାଶବାବୁ ଚାଲିଗଲା ପରେ ମା’ ପ୍ରତିଦିନ କ୍ଲବ୍‌କୁ ଯାଉଛନ୍ତି । ଘରେ ରହିବାକୁ ତାଙ୍କୁ ଭଲ ଲାଗୁନାହିଁ । ବାବୁବି ଆଜିକାଲି ଆଉ ବେଶି ଟୁର୍‌ରେ ଯାଉନାହାନ୍ତି ।

 

ଏ ସବୁର ତାତ୍ପର୍ଯ୍ୟ ମୁଁ ଯାହା ବୁଝିଲି ତା’ର ଅର୍ଥ ହେଲା, ନୟନା ମିଶ୍ର ଏ ବୟସରେବି ନୂଆ ଶିକାର ଖୋଜୁଛନ୍ତି ।

 

ମୋର କିନ୍ତୁ ଶିକାରୀର ଶରବ୍ୟ ହବାକୁ ଇଚ୍ଛା ନଥିଲା । ଆଉ ବୟସ....ସେ ଧାଇଁ ଧାଇଁ ଚାଲିଚି ଅବିରାମ ଗତିରେ । ଯୌବନ ଯାଇ ପ୍ରୌଢ଼ତ୍ୱ ଆସୁଚି । ଅର୍ଥର ପ୍ରାଚୁର୍ଯ୍ୟ କ’ଣ ହଜିଯାଉଥିବା ଯୌବନକୁ ଫେରେଇ ଆଣିପାରିବ ?

 

ଆମ ଘର ତିଆରି କାମ ସରିଯାଇଚି । ଦୁଇଟିଯାକ ଘରର ପ୍ରତିଷ୍ଠା ଉତ୍ସବ ଏକସାଙ୍ଗରେ ହେଲା । ଏହି ଉପଲକ୍ଷେ ନୂଆରାଜଧାନୀରେ ଥିବା ବହୁ ଭଦ୍ରବ୍ୟକ୍ତିଙ୍କୁ ଆମେ ଡାକିଥିଲୁ । ଆମର ସମୃଦ୍ଧି ତ ଏଇଠିକାର ବାସିନ୍ଦାମାନଙ୍କ ପାଇଁ, ବିଶେଷତଃ ଉଚ୍ଚ ପାହ୍ୟା ଅଫିସରମାନଙ୍କର ଘରଣୀମାନେହିଁ ଆମ ଦୋକାନର ପୃଷ୍ଠପୋଷକତା କରିଥାନ୍ତି । ସବୁ ଆଇ.ଏ.ଏସ୍‌. ଅଫିସରଙ୍କୁ ସସ୍ତ୍ରୀକ ଆସିବାପାଇଁ ନିମନ୍ତ୍ରଣ କରାଯାଇଥିଲା । ଆସିଥିଲେବି ଅନେକେ । ସେମାନଙ୍କ ଭିତରେ ଆସିଥିଲେ ଜଗଦୀଶବାବୁ ଓ ନୟନା ମିଶ୍ର । ଉଷା ସେମାନଙ୍କୁ ଦେଖି ତ ପାଟିକରିଉଠିଲା–କିଏ ଡାକିଲା ସେମାନଙ୍କୁ ଏଠିକି ? ସେମାନଙ୍କୁ ବିଦାକର ଏଠୁ ।

 

ଜୀବନରେ ପ୍ରଥମେ ମୁଁ ଆଜି ଉଷା ଉପରେ ବିରକ୍ତ ହେଲି । କହିଲି–ସମସ୍ତଙ୍କ ଭିତରେ ସେ ଆସିଚନ୍ତି । ତୁମେ ଏମିତି କ’ଣ କଥାବାର୍ତ୍ତା କରୁଚ ?

 

ଉଷା ଏଡ଼େ ଏଡ଼େ ଆଖିକରି ମୋତେ ଚାହିଁଲା । ମୁଁ ଡରିନଯାଇ ଅତିଥିମାନଙ୍କୁ ସ୍ୱାଗତ ଜଣେଇଲି । ଉଷା ମୁହଁ ଭାରିକଲା । ମୁଁ ପୁଣି ତାକୁ କହିଲି–କଥା କହିବାର ଢଙ୍ଗ ଶିଖୁଛ ? କୋଉଠି କ’ଣ କୁହାଯାଏ ଜାଣିଲନି । ସେତେବେଳର ପରିସ୍ଥିତି ଆଉ କ’ଣ ଅଛି ?

 

ଉଷା କହିଲା–ବେଶ୍‌, ତୁମ ଘର, ତୁମର ଯାହା ଇଚ୍ଛା, ତୁମେ କର । ମୋର ସେଥିରେ କ’ଣ ଅଛି ?

 

ଦୁମ୍‌ଦୁମ୍‌ ହେଇ ସେ ଭିତରକୁ ଚାଲିଗଲା ।

 

ନାରୀର ଅନ୍ୟନାମ ଈର୍ଷା ବୋଲି ଯୋଉ ମହାତ୍ମା କହିଥିଲେ, ସେ ନାରୀଚରିତ୍ରକୁ ଠିକଣା ଭାବରେ ବୁଝି ଏ କଥାଟି କହିଥିଲେ । ଉଷାର ମନଭିତରେ ତଥାପି କ’ଣ ସେଇ ଅତୀତ ଏବେବି ଉଙ୍କିମାରୁଚି ? ସେ କ’ଣ ଧରିନେଇଚି ଯେ ନୟନାଙ୍କ ପ୍ରତି ଅସଦାଚରଣ କରିବାକୁ ଯାଇ ମୁଁ ପୋଲିସ୍‌ କେସ୍‌ରେ ପଡ଼ିଥିଲି ? ଯଦି ତା’ ମନରେ ତଥାପି ଏ ପ୍ରକାର ଭାବନା ରହିଥାଏ, ତାହାହେଲେ କହିବାକୁ ହେବ ସେଇଟା ମୋର ଦୁର୍ଭାଗ୍ୟ । ମୁଁ ପ୍ରଭୁକୁ ଉଷାର ଏ ପ୍ରକାର ବ୍ୟବହାର କଥା କହିବାପରେ ସେ ଯାଇ ତାକୁ ବୁଝାଇ ଶୁଝାଇ ଅତିଥିମାନଙ୍କ ପାଖକୁ ଆଣିଥିଲା । ନୟନା ସହିତ ସେ ବିଶେଷକଥାବାର୍ତ୍ତା ନକରି ଗମ୍ଭୀର ହେଇ ରହିଲା । ଆଉ ମୁଁ ବି...କଥାବାର୍ତ୍ତା କରିବାକୁ ବିପଜ୍ଜନକ ମନେକରି ସେଥିରୁ କ୍ଷାନ୍ତ ହେଲି ।

 

ଅତିଥିମାନେ ରାତି ଦଶବେଳକୁ ବିଦାୟ ନେଇ ଚାଲିଗଲେ । ଉତ୍ସବର ଧୁମ୍‍ଧାମ୍ ଶେଷ ହେଇଗଲା । ପ୍ରଭୁ ଓ ଲଳିତା ବାହାରର କାମ ତୁଟେଇ ନିଜ ଘର ଭିତରକୁ ଚାଲିଗଲେ ଓ ଆମେ ମଧ୍ୟ ଆମ ଘର ଭିତରକୁ ଗଲୁ । ଗୃହପ୍ରବେଶ–ନୂଆ ଘରେ ବସତି ଆରମ୍ଭ ।

 

ରାତିରେ ପୁଣି ମାନଭଞ୍ଜନ ପାଲା । ମୁଁ ଉଷାକୁ କହିଲି–ଆଜି ପରା ଦିନରେ ମନ ଖରାପ କରି ନୂଆ ଘରକୁ ଆସିଲେ ଜୀବନଭରି ଦୁଃଖ ମିଳିବାର ସମ୍ଭାବନା ଅଛି । ତୁଚ୍ଛା କଥାକୁ ନେଇ ମୁଣ୍ଡ ଖରାପ କରିବାର କିଛି ମାନେ ହୁଏନା । ଉଷାର ରାଗ ଅବଶ୍ୟ ‘ଦାମ୍ପତ୍ୟ କଳହେଚୈବ ବହ୍ୱାରମ୍ଭେ ଲଘୁକ୍ରିୟା’ରେ ପରିଣତ ହେଲା ।

 

ମୁଁ ଆଶ୍ୱସ୍ତ ହେଇ ମୋ ନୂଆ ଘରେ ମୋ ଯୌବନକୁ ଫେରିପାଇଲି ।

 

କିନ୍ତୁ କେତେକ୍ଷଣ ପାଇଁ ?

 

ପ୍ରଥମେ ବାଣିଜ୍ୟକର ବିଭାଗ ଓ ପରେ ଆୟକର ବିଭାଗର କୋପଦୃଷ୍ଟି ପଡ଼ିଲା ଆମ ବ୍ୟବସାୟ ଉପରେ । ହଠାତ୍‌ ଦିନେ ଅଚାନକ ସେମାନେ ଆମ ଦୋକାନ ଉପରେ ଚଢ଼ଉକଲେ ।

 

ନିଶ୍ଚୟ ଆମେ ଟିକସ ଫାଙ୍କୁଚୁ । ନୋହିଲେ କାର୍‌, ଘର ଏ ସବୁ କଲୁ କେମିତି ?

 

ନ୍ୟାୟସଙ୍ଗତ ଆୟରେ କେହି କ’ଣ ଏ ସବୁ କରିପାରେ ?

 

ଦିନ ଦିନ ଧରି ଦୋକାନ ଆରମ୍ଭ ହେବାଠାରୁ ଆଜି ପର୍ଯ୍ୟନ୍ତ ସମସ୍ତ ଖାତାପତ୍ର ତନଖି ହେଲା । ମୁଁ ଅସମ୍ଭବ ଭାବରେ ଦବିଯାଇଚି । ଚାକିରିରେ ନିରାପତ୍ତା ନାହିଁ, ବ୍ୟବସାୟରେବି ନାହିଁ–ତେବେ ଅଛି କେଉଁଠି ?

 

ହିସାବପତ୍ର ଯାଞ୍ଚପରେ ଜଣାପଡ଼ିଲା ହିସାବପତ୍ର ଯଦିଓ ଠିକ୍‌ ଅଛି; କିନ୍ତୁ ସେ ହିସାବପତ୍ର ଉପରେ ଅଫିସରମାନଙ୍କର ବିଶ୍ୱାସ ନାହିଁ । ଟିକସ ଫାଙ୍କି ନଥିଲେ ବର୍ଷ କେଇଟା ଭିତରେ ବ୍ୟବସାୟ ଏତେ ବଡ଼ରେ ପରିଣତ ହେଲା କିପରି ?

 

ପ୍ରଭୁଲାଲ ହିସାବପତ୍ରରେ ଖୁବ୍‌ ପାରଙ୍ଗମ । ତା’ ଶକ୍ତି ମୁତାବକ ସେ ସବୁ କଥା ବୁଝେଇଦେଲା; ମାତ୍ର ସବୁ ବୁଝି ମଧ୍ୟ ବୁଝିବାଲୋକ ଯଦି କହନ୍ତି–‘ହଁ ଖାତାପତ୍ର ଠିକ୍‌ କରି ରଖିଚ ଯେ, କିନ୍ତୁ ମୋର ବିଶ୍ୱାସ ହେଉନାହିଁ ।’ ତା’ପରେ ଆମେ କ’ଣ କରିବୁ ? ତାଙ୍କର ବିଶ୍ୱାସ ହେବାଭଳି କ’ଣ କରିପାରିବୁ ?

 

ଜଣେ ବନ୍ଧୁ କହିଲେ–ଏତେ ବଡ଼ ବ୍ୟବସାୟ କରି ଟିକସ ବିଭାଗୀୟ ଅଫିସରମାନଙ୍କ ସହିତ ସମ୍ପର୍କ ନରଖି ଭୁଲ କରିଚ । ସେମାନେ କ’ଣ ଛାଡ଼ିବେ ? କିନ୍ତୁ ଦୋଷ ନଥାଇ ଆମେ ଦଣ୍ଡିତ ହେବୁ ? ନା ତାହାହିଁ ଆମ ଭାଗ୍ୟର ଲିଖନ ?

 

ଆଉ ଜଣେ ବନ୍ଧୁ କହିଲେ–ଖୋଦ୍‌ ରାଜଧାନୀରେ ଏତେ ବଡ଼ ବ୍ୟବସାୟ କରି ରାଜନୈତିକ ନେତାମାନଙ୍କ ସହବି ସମ୍ପର୍କ ରଖିନାହଁ ! ତୁମକୁ ରକ୍ଷାକରିବ କିଏ ?

 

ମୁଁ ଜାଣିଥିଲି ଜଗଦୀଶବାବୁ ଆଇ.ଏ.ଏସ୍‌. ହବାପରେ ଏବେ ଅର୍ଥ ବିଭାଗର ଡେପୁଟୀ ସେକ୍ରେଟାରି ଅଛନ୍ତି । ଶେଷରେ ଯାଇ କ’ଣ ତାଙ୍କରି ଶରଣାପନ୍ନ ହେବି ? ତାଙ୍କ ଶରଣାପନ୍ନ ହବା ଅର୍ଥ ନୟନା ମିଶ୍ରଙ୍କ ଶରଣାପନ୍ନ ହବା । କିନ୍ତୁ କିଏ ଜାଣେ, ଏଇ ଅଚାନକ ତଦନ୍ତ ପଛରେ ନୟନା ମିଶ୍ରଙ୍କ ହାତବି ଥାଇପାରେ ! ଉଷା କହିଲା–ଦେଖିଲ, ନୟନା ମିଶ୍ରକୁ ଭୋଜି ଖାଇବାକୁ ଡାକିଥିଲ ପରା ! ଫଳ ପାଇଲ ?

 

ମୁଁ କହିଲି–ପ୍ରକୃତ ସତ୍ୟଟା ନ ଜାଣି ତାଙ୍କୁ ଦୋଷ ଦେଇ କି ଲାଭ ?

 

ଉଷା କହିଲା–ସତଟା ଆଉରି ବୁଝିବାକୁ ବାକି ଅଛି ? ସେ ତମକୁ ଏତେସରି କଲାଣି, ତଥାପି ତମ ମୋହ ଭାଙ୍ଗୁନାହିଁ ?

 

ସେ ଦିନ ମାଧ ଦୋକାନକୁ ଆସିଥିଲା । ସେ କହିଲା–ବାବୁ, ମା’ ସେ ଦିନ ହଜାରେ ଟଙ୍କା ମଗେଇପଠେଇଥିଲେ, ଦେଇଦେଇଥିଲେ ତ ଏ ବିପଦ ପଡ଼ି ନଥାନ୍ତା ।

 

ଏତେବେଳେ ମୁଁ ବୁଝିପାରିଲି କଥା ଯାଇ କୋଉଠି !

 

ମୁଣ୍ଡରେ ବିଛା କାମୁଡ଼ିଲା । କ’ଣ କରିବି ? କାହାକୁ କହିବି ? ମୋର ଯୋଉ ବନ୍ଧୁ ଏକଦା ମନ୍ତ୍ରୀ ଥିଲେ, ସେ ଏଥର ନିର୍ବାଚନରେ ହାରିଯାଇଚନ୍ତି । ତାଙ୍କ ଦଳବି ହାରିଯାଇଛି । ବର୍ତ୍ତମାନ ନିରାଶୟଂ ମାଂ ଜଗଦୀଶ ରକ୍ଷଃ ।

 

ସେମାନେ ଆମ ଉପରେ ଅନେକ ଟଙ୍କା ଧାର୍ଯ୍ୟ କରିଦେଲେ । ଆମେ ଅପିଲ୍ କଲୁ । ଅପିଲ୍‌ରେ ତଳଧାର୍ଯ୍ୟ ପରିମାଣ କାଏମ ରହିଲା । ଦୋକାନ ସମ୍ୱଳରୁ ତାହା ଦେଲେ ଦୋକାନ ଅଚଳ ହେଇଯିବ । ଠିକ୍‌ କଲୁ ଘର ବିକ୍ରି କରିଦବୁ । ଘର ବିକ୍ରି କଥା ଶୁଣି ଉଷା ଆଉ ଲଳିତା ଉଭୟ କାନ୍ଦିକାଟି ଅସ୍ଥିର ।

 

ଉଷା କହିଲା–ବରଂ ଗାଁରେ ଥିବା ଆମ ଜମିଜାଗା ବିକିଦିଅ । ଶ୍ୟାମଲାଲକୁ କୁହ, ସେ କିଛି ଦେଉ । ଅବଶିଷ୍ଟ ଦୋକାନରୁ ଦେଇ ଚଳେଇଦିଅ; ଘର ବିକ ନାହିଁ ।

 

ତା’ର ପ୍ରସ୍ତାବ ମୋ ମନକୁ ପାଇଲା । ପ୍ରଭୁଲାଲ ଅବଶ୍ୟ ଆମ ଗାଁ ଘରଜମି ବିକ୍ରି କରିଦେବା ପ୍ରସ୍ତାବରେ ଆପତ୍ତି କଲା; ମାତ୍ର ଉଷାର ଜିଦ୍‌ ପାଖରେ ତା’ର ପ୍ରତିବାଦର ମୂଲ୍ୟ କିଛି ରହିଲାନାହିଁ ।

 

ତାହାହିଁ ହେଲା । ଏସବୁର ବିକ୍ରୟଲବ୍‌ଧ ଟଙ୍କା ନଅଣ୍ଟ ହେବାରୁ କାର୍‌ଟାକୁ ମଧ୍ୟ ବିକିଦେଲୁ । ରାଜଧାନୀର ଆଉ ଜଣେ ବ୍ୟବସାୟୀ ସେଇଟାକୁ କିଣିନେଲେ । କିଛିଦିନ ପରେ ଦେଖିଲି ସେଇ କାର୍‌ଟାରେ ନୟନା ମିଶ୍ର ଚଢ଼ି ବୁଲୁଚନ୍ତି ।

 

ଗାଁ ପୈତୃକ ଭିଟାମାଟି ବିକିଦେବାରେ ମୋ ମନରେ ଖୁବ୍‌ କଷ୍ଟ ହେଲା । ପୂର୍ବପୁରୁଷ ବିଶେଷକରି ବାପାମା’ଙ୍କର ସ୍ମୃତି ଆମେ ହଜେଇଦେଲୁ; ଐତିହାସିକ ଧଉଳି ପାହାଡ଼ ସହିତ ସମସ୍ତ ସମ୍ପର୍କ ତୁଟେଇଦେଲୁ ।

 

ଗଙ୍ଗାଯମୁନା ସରସ୍ୱତୀ ଭଳି ଆଧୁନିକ ଜୀବନ ତିନିଟି ଧାରାରେ ବିକଶିତ ହେଉଛି । ତାହା ହେଲା ଚାକିରି, ବ୍ୟବସାୟ ଏବଂ ରାଜନୀତି । ମୁଁ ଏକ ମଣିଷ, ଯେ’ ଚାକିରି ଏବଂ ବ୍ୟବସାୟର ସ୍ୱାଦ ଚାଖିସାରିଲିଣି ! କିନ୍ତୁ ମୋର ଆଜି ମନେ ହୁଏ ମୁଁ କ’ଣ ଜୀବନରେ ସେ ସ୍ୱପ୍ନ ଦେଖିଥିଲି ? ଏକ ଟାଣୁଆ ସୈନିକର ମନୋବୃତ୍ତି ନେଇ ମୁଁ ଜୀବନ ଆରମ୍ଭ କରିଥିଲି; କିନ୍ତୁ ସଂସାରୀ ହବାପରେ ସବୁଗୁଡ଼ା ସ୍ୱପ୍ନ ଯେମିତି ଧୂଆଁଚ୍ଛନ୍ନ ହେଇଗଲା । ଇଚ୍ଛା ହେଉଥିଲା ରାଜନୀତି କରିବାକୁ । ଜୀବନରେ ଯେଉଁ ଦିଗଟି ଏପର୍ଯ୍ୟନ୍ତ ପ୍ରାୟ ମୋ ପାଖରେ ଅନାସ୍ୱାଦିତ ହେଇ ରହିଥିଲା-। ପରାଧୀନ ଭାରତର ଗୋରା କଲେକ୍‍ଟର ମୋ ଜୀବନର ଏଇ ଦିଗଟିରେ ପୂର୍ଣ୍ଣଚ୍ଛେଦ ପକେଇ ଦେଇଥିଲେ । ସେ କଲେକ୍‍ଟର ଆଜି ନାହାନ୍ତି; କିନ୍ତୁ ତାଙ୍କ ନାମରେ ନାମିତ କେତେଗୁଡ଼ିଏ ଅନୁଷ୍ଠାନ ଆଜିବି ଏ ସ୍ୱାଧୀନ ଦେଶରେ ଅଛି । ସେମାନଙ୍କ ବିରୁଦ୍ଧରେ ଯେଉଁମାନେ ଲଢ଼େଇ କରୁଥିଲେ ସେମାନେ ଆଜି ଶାସନରେ ରହି ସେଇସବୁ ଅନୁଷ୍ଠାନକୁ ମୁଖ୍ୟଅତିଥି, ସଭାପତି, ବରେଣ୍ୟ ବକ୍ତା ହେଇ ଯାଉଛନ୍ତି ଓ ସେମାନଙ୍କ ମାର୍ବଲ ମୂର୍ତ୍ତିରେ ଫୁଲହାର ପିନ୍ଧେଇ ଦଉଚନ୍ତି-

 

ସତକୁସତ ପ୍ରଭୁଲାଲ ଦିନେ କହିଲା–ମୁଁ ଦୋକାନ ଦେଖୁଚି, ତୁମେ କିଛିଦିନ ରାଜନୀତି କର ।

 

ମୁଁ ହସିଲି । ସେ କହିଲା–ମୁଁ ଥଟ୍ଟା କରୁନି ଭାଇନା ! ଆଜିକାଲି ଏହାର ଆବଶ୍ୟକତା ଅଧିକରୁ ଅଧିକ ହେଉଛି । ଅତ୍ୟାଚାରୀ ଶାସନକଳ ରାଜନୀତି କରୁଥିବା ଲୋକମାନଙ୍କୁହିଁ କେବଳ ଡରେ । ତମେ ଯଦି ରାଜନୀତି ଭିତରେ ଥାନ୍ତ, ଆମକୁ କ’ଣ ଅଯଥାରେ ଏତେ କ୍ଷତି ସହିବାକୁ ପଡ଼ିଥାନ୍ତା !

 

ଜୀବନର ଦୁଇ–ତୃତୀୟାଂଶ ସମୟ ମୋର କଟିଗଲାଣି । ବର୍ତ୍ତମାନ ଆଉ ଏକ ନୂତନ ପରୀକ୍ଷା କରିବା କ’ଣ ସମ୍ଭବ ? ଛାତ୍ରଜୀବନରେ ପଢ଼ିଥିଲି–Life is full of experiments–ପ୍ରତ୍ୟେକ ମୁହୂର୍ତ୍ତରେ ଆମେ ପରୀକ୍ଷାର ସମ୍ମୁଖୀନ ହେଉଛୁ ।

 

ତାହାହେଲେ ? କ୍ଷତି କ’ଣ ? ରାଜନୀତିରେ କୌଣସି ବୟସ ସୀମା ନଥାଏ, ଯେମିତି ଥାଏ ଚାକିରିରେ । ରାଜନୀତିରେ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନଥାଏ, ଯେମିତି ଥାଏ ଚାକିରିରେ । କୌଣସି ଦିଗରୁ ରାଜନୀତି କରିବାପାଇଁ ମୁଁ ଅଯୋଗ୍ୟ ନୁହେଁ । ଅନେକ ଲୋକ ତ ପୁଣି ପରିଣତ ବୟସରେ ନୂଆ କାମରେ ହାତଦେଇ ସଫଳତା ହାସଲ କରିଚନ୍ତି । ଆଧୁନିକ ଓଡ଼ିଆ ଭାଷାର ଜନକ ଫକିରମୋହନ ସେନାପତି ଷାଠିଏବର୍ଷ ବୟସରେ ଉପନ୍ୟାସଲେଖା ଆରମ୍ଭ କରି ଅପୂର୍ବ ସଫଳତା ହାସଲ କରିପାରିଥିଲେ ତ ! ଯୋଗୀ ଶ୍ରୀ ଅରବିନ୍ଦ ପ୍ରଥମ ଜୀବନରେ ସ୍ୱାଧୀନତା–ସଂଗ୍ରାମରେ ଝାସଦେଇ ପରେ ସେ ଜୀବନ ତ୍ୟାଗ କରି ମହାଯୋଗୀରେ ପରିଣତ ହେଇପାରିଥିଲେ ତ ! ଲୋକ ତ ପୁଣି ପଚାଶବର୍ଷରେ ବିବାହିତ ଜୀବନ ଆରମ୍ଭ କରି ସନ୍ତାନ ଉତ୍ପାଦନ କରିବା ଦିଗରେ ସଫଳ ହୋଇପାରୁଛନ୍ତି ! ମୁଁ ପଛେଇଯିବି କାହିଁକି ?

 

ପ୍ରଭୁଲାଲର ଆଗ୍ରହ ଓ ଉଷାର ତାଡ଼ନାରେ ମୁଁ ଦିନେ ଶାସକଦଳର ଅଫିସ୍‌କୁ ଯାଇ ସଭ୍ୟ ହୋଇପଡ଼ିଲି ।

 

ଜୀବନରେ ମୁଁ ଅନେକ ଅତ୍ୟାଚାର ସହିଚି । ଅନ୍ୟାୟ ଦୁର୍ନୀତି ବିରୁଦ୍ଧରେ ଲଢ଼େଇ କରିବାକୁ ଯାଇ ପରାଜୟ ବରଣ କରିଚି । ଏଥର ହେବ ମୋର ଶେଷ ଚେଷ୍ଟା–ଶେଷ ସଂଗ୍ରାମ ।

 

ଦିନେ ମୋର ସେଇ ବନ୍ଧୁ ପୂର୍ବତନ ମନ୍ତ୍ରୀଙ୍କ ସହିତ ଦେଖାହେଲା । ମୁଁ ବର୍ତ୍ତମାନ ଶାସନ କରୁଥିବା ଦଳର ସଭ୍ୟ ହେଇଯାଇଥିବା ଶୁଣି ସେ ଭାରି ଦୁଃଖିତ ହେଲେ । ତାଙ୍କର ମତ ହେଲା କୌଣସି ବ୍ୟବସାୟୀ କୌଣସି ଏକ ବିଶିଷ୍ଟ ରାଜନୈତିକ ଦଳର ସଭ୍ୟ ହେବା ଉଚିତ ନୁହେଁ । କାରଣ ଭାରତବର୍ଷରେ ପ୍ରଚଳିତ ଗଣତାନ୍ତ୍ରିକ ପଦ୍ଧତିରେ କେତେବେଳେ ଯେ କେଉଁ ଦଳ ଶାସନକ୍ଷମତାକୁ ଆସିବ, ତାହା କହିହେବ ନାହିଁ । ତୁମେ ସଭ୍ୟଥିବା ଦଳ ଯଦି କ୍ଷମତାକୁ ନଆସି ତୁମ ବିରୋଧୀଦଳ ଆସେ, ତେବେ ତୁମର ହଇରାଣର ସୀମା ରହିବନାହିଁ । ବ୍ୟବସାୟୀମାନେ କୌଣସି ନିର୍ଦ୍ଦିଷ୍ଟ ଦଳର ନ ହେଇ ସବୁ ଦଳ ସହିତ ସୁସମ୍ପର୍କ ରଖିବା ଉଚିତ; ତାହାହେଲେ ଯାଇ ସେମାନେ ତିଷ୍ଠି ରହିପାରିବେ ।

 

ବର୍ତ୍ତମାନର ରାଜନୀତି ସମ୍ପର୍କରେ ମୋର ପ୍ରତ୍ୟକ୍ଷ ଜ୍ଞାନ ନାହିଁ । ଆମେ ଯେତେବେଳେ ସ୍ୱାଧୀନତା ପାଇଲୁ, ସେତେବେଳେ ଯୋଉ ରାଜନୀତି ଆମ ଆଗରେ ଥିଲା, ଆଉ ସେତେବେଳର ନିୟନ୍ତ୍ରକମାନେ ଯୋଉମାନଙ୍କୁ ଆମେ ମହାନ୍‌ ଆଦର୍ଶର ଅବତାରରୂପେ ଦେଖୁଥିଲୁ, ସେ ରାଜନୀତି ଓ ସେ ନିୟନ୍ତ୍ରକମାନେ ଆଜି ଆମଠୁ ଅନେକ ଦୂରରେ । ଅନେକ ନେତା ମରିହଜି ଗଲେଣି । ସ୍ୱାଧୀନତା ପାଇବା ସାଙ୍ଗେ ସାଙ୍ଗେ ତ ଆମେ ଗାନ୍ଧୀଙ୍କୁ ଗୁଳି କରି ମାରିଦେଲୁ । ବଲ୍ଲଭଭାଇ ପଟେଲ୍‌, ମୌଲାନା ଆଜାଦ୍‌, ରାଜେନ୍ଦ୍ର ପ୍ରସାଦ, ପଣ୍ଡିତ ଜବାହରଲାଲ୍‌ ନେହେରୁ, ଲାଲ୍‌ ବାହାଦୁର ଶାସ୍ତ୍ରୀ ବିଦାୟ ନେଇଗଲେଣି ମହାକାଳର ଆହ୍ୱାନରେ । ସେଇମାନଙ୍କର ଆଦର୍ଶ ସବୁ କ୍ରମଶଃ ଭାଙ୍ଗି ଚୂରମାର ହେଇଯାଉଚି ।

 

ଖାଲି କ’ଣ ଓଡ଼ିଶାର ଏଇ ଅବସ୍ଥା ? ଭାରତର ଏଇ ଅବସ୍ଥା ? ସମଗ୍ର ପୃଥିବୀ ଆଜି ଏଇ ରୋଗରେ ଆକ୍ରାନ୍ତ । ବିଶୃଙ୍ଖଳା ସବୁଆଡ଼େ । ଭାରତରେ ଆମେ ଗାନ୍ଧୀଙ୍କୁ ହତ୍ୟା କରିଚୁ–ଆଫ୍ରିକାରେ ଲୁମୁମ୍ୱାଙ୍କୁ ହତ୍ୟା କରିଚୁ–ଆମେରିକାରେ କେନେଡ଼ୀଙ୍କୁ ହତ୍ୟାକରିଚୁ–ଏଇ ସେଦିନ ଇଂଲଣ୍ଡରେ ଭାରତବର୍ଷର ବନ୍ଧୁ ଲର୍ଡ଼ ମାଉଣ୍ଟ୍‌ବେଟେନ୍‌ଙ୍କୁ ହତ୍ୟା କରିଚୁ । ସମଗ୍ର ପୃଥିବୀ ଆଜି ଅଶାନ୍ତ ।

 

ପୃଥିବୀକଥା ଚିନ୍ତା କରି ମୋର ଲାଭ କ’ଣ ? ଅଯଥା ମୁଣ୍ଡବଥା । ମୁଁ ଚିନ୍ତା କରିବି ମୋ ଦେଶ କଥା–ମୋ ରାଜ୍ୟ କଥା–ମୋରି ଚାରିପାଖରେ ଘେରିରହିଥିବା ମଣିଷମାନଙ୍କ କଥା ।

 

ନୂଆ ରାଜଧାନୀ ବଢ଼ୁଚି । କୋଠା ପରେ କୋଠା ଗଢ଼ିଉଠୁଚି । ଆଉ ଏଇଠିବି ଅସଂଖ୍ୟ ଝୁମ୍ପୁଡ଼ି ଭିତରେ ପାନ, ବିଡ଼ି, ସିଗ୍ରେଟ, ଚା’, ବରା, ଗୁଲ୍‌ଗୁଲା ବିକ୍ରି ଚାଲିଚି । ସହର ମଝିରେ ଅଧାଭଙ୍ଗା ପଲା କୁଡ଼ିଆରେ ଅଧାଭୋକିଲା ପିଲା ଚିତ୍କାର କରି କରି ଆକାଶ ଫଟଉଚି । ମାଇକ୍‌ରେ ଅଶ୍ଳୀଳ ରୁଚିହୀନ ସଙ୍ଗୀତ ଆଉ ଏ ପାଖରେ ମୁମୂର୍ଷୁ ପିଲାର କ୍ରନ୍ଦନ । ଶୀତ ସକାଳେ ଦେହ ଆଚ୍ଛାଦନ କରିବାର ବସ୍ତ୍ର ଅଭାବରୁ ପିଲାଗୁଡ଼ିକ ଫୁଙ୍ଗୁଳା ଦେହରେ ବାଲିମାଟି ସହିତ ଏକାକାର ହେଇଯାଉଚନ୍ତି । ଶିକ୍ଷିତ ପିଲାଏ ଅବଲମ୍ୱନ ଅଭାବରୁ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହି ସମାଜକୁ ବିଷାକ୍ତ କରୁଚନ୍ତି । ବର୍ଷକୁ ବର୍ଷ ଅବକାରୀ ବିଭାଗର ଆୟ ବଢ଼ୁଚି । ଯେକୌଣସି ସହରକୁ ଯାଅ, ଦେଖିବ ବିଦେଶୀ ମଦଦୋକାନ ବଢ଼ି ବଢ଼ି ଚାଲିଚି । ମଫସଲରେ ଦେଖିବାକୁ ମିଳେ ସନ୍ଧ୍ୟାପରେ ଦେଶୀ ମଦ ଦୋକାନରେ ଅସମ୍ଭବ ଭିଡ଼ । ବସ୍ତିରେ ବସ୍ତିରେ ବିକ୍ରିହୁଏ ନାରୀର ଯୌବନ । ବିପର୍ଯ୍ୟସ୍ତ ଅର୍ଥନୀତି । ସମଗ୍ର ଦେଶଟା ଏକ କଠିଣ ସମୟ ଭିତରଦେଇ ଗତିକରୁଚି ।

 

ମୁନ୍ନା ଭଲ ନମ୍ୱର ରଖି ଗୋଟେ ପରେ ଗୋଟେ ପରୀକ୍ଷା ପାସ୍‌ କରି କଲେଜରେ ଭର୍ତ୍ତି ହେଲାଣି; କିନ୍ତୁ ତା’ର ଭବିଷ୍ୟତ କ’ଣ ? ତା’ରି ପରି ଅସଂଖ୍ୟ ଯୁବକଙ୍କର ଭବିଷ୍ୟତ କ’ଣ ?

 

ମୁଁ ରାଜନୀତି ସ୍କୁଲ୍‍ରେ ନାମ ଲେଖାଇବା ପରେ ଏଇସବୁ ମୋର ଚିନ୍ତା । ମୋର ଏଇସବୁ ଚିନ୍ତାକୁ ବଦଚିନ୍ତା କୁହାଯାଇପାରେ; କାରଣ ମୁଁ ଏକାଟିଆ ଚିନ୍ତାକରି କ’ଣ ବା କରିପାରିବି-?

 

ସେ ଦିନ ଦଳର ଏକ ବୈଠକକୁ ଯାଇଥିଲି । ବଡ଼ବଡ଼ ନେତାମାନଙ୍କର ଭାଷଣ ଶୁଣିଲି-। କାହିଁ ଏଇସବୁ ସମସ୍ୟା ସମାଧାନର ଚିନ୍ତା ? ଦେଶଟା ଭାଷଣସର୍ବସ୍ୱ ହେଇଗଲାଣି-। ଯାହା ଭାଷଣ ଦିଆଯାଉଚି ସେସବୁକୁ କାର୍ଯ୍ୟରେ ପରିଣତ କରିବାର ଆନ୍ତରିକତା କାହିଁ-? ଭୋଟପାଇଁ ରାଜନୀତି । ସବୁଆଡ଼େ ‘ଭୋଟ ଭିକ୍ଷାଂ ଦେହୀ’ ଚିତ୍କାର ।

 

ପ୍ରଭୁଲାଲ କହୁଥିଲା–ଭାଇନା, ଅକାରଣରେ ଏତେଗୁଡ଼ାଏ ଟଙ୍କା ଆମଠୁ ସରକାର ନେଲେ । ନହେଲେ ଆଉ କିଛି ଖରଚ ହେବ ! ଆଗାମୀ ଭୋଟ୍‌ରେ ତମକୁ ଠିଆହବାକୁ ପଡ଼ିବ । ତା’ ପ୍ରସ୍ତାବକୁ ଅବାନ୍ତର ବୋଲି ଉଡ଼େଇ ଦେଇ ହବ ନାହିଁ; କିନ୍ତୁ ସେ ବେଳ ଡେରି ଅଛି । ଡେରି ଅଛି ବୋଲି କ’ଣ ନାହିରେ ତେଲ ଦେଇ ଶୋଇଲେ ଲୋକେ ଭୋଟ ଦେବେ । ଲୋକଙ୍କ ପାଖକୁ ଯାଇ ତାଙ୍କର ବିଶ୍ୱାସଭାଜନ ହେବାକୁ ପଡ଼ିବ ।

 

କେତେକଙ୍କର ମତ ଲୋକଙ୍କ ପାଖକୁ ଯାଇ ସମୟ ନଷ୍ଟ କରିବାର ପ୍ରୟୋଜନ ନାହିଁ । ହାଓ୍ୱା ସୃଷ୍ଟିକରି ଟଙ୍କା ଖର୍ଚ୍ଚ କରିପାରିଲେ ଭୋଟରେ କିଣିବା କଷ୍ଟ ନୁହେଁ ।

 

ସେ ଦିନ ମୁନ୍ନା କହିଲା–ତାଙ୍କ କଲେଜର ବାର୍ଷିକୋତ୍ସବକୁ ଯିବାପାଇଁ ଜଣେ ମନ୍ତ୍ରୀ ଦରକାର । ମୋତେଇ ଠିକ୍‌ କରିଦେବାକୁ ପଡ଼ିବ । ଦଳର ଅଫିସ୍‍କୁ ଯାଇ କେତେଜଣ ମନ୍ତ୍ରୀଙ୍କ ସହିତ ଆଲୋଚନା କଲି । ସମସ୍ତେ ବୁକ୍‌ଡ଼–ମାସେ ଭିତରେ କେହି ମିଳିବା ସମ୍ଭବ ନୁହେଁ ।

 

ମୁଁ ମୁନ୍ନାକୁ କହିଲି–କୌଣସି ଶିକ୍ଷାବିତ୍‌ ବା କୌଣସି ସାହିତ୍ୟିକଙ୍କୁ ନେଇ ଉତ୍ସବ ପାଳନ କରିଦିଅ । ମାତ୍ର ତା’ କେମିତି ସମ୍ଭବ ହେବ ? ପାଖରେ ଥିବା ଅମୁକ ଘରୋଇ କଲେଜର ଉତ୍ସବକୁ ମନ୍ତ୍ରୀ ଯାଇଥିଲେ । ମୁନ୍ନା ପଢ଼ୁଥିବା ସରକାରୀ କଲେଜକୁ ମନ୍ତ୍ରୀ ଯିବା ନିହାତି ଦରକାର । ବରଂ ଉତ୍ସବକୁ ମାସେ ଘୁଞ୍ଚାଇ ଦିଆଯିବ; କିନ୍ତୁ ମନ୍ତ୍ରୀ ନ ଗଲେ ଉତ୍ସବ ହେବା ଅସମ୍ଭବ । ମାସେ ପରେ ମନ୍ତ୍ରୀ ଗଲେ । ଉତ୍ସବ ହେଲା । ମେଧାବୀ ଛାତ୍ର ହିସାବରେ ମୁନ୍ନା ପୁରସ୍କାର ପାଇଲା । ଘରକୁ ଆସିବାପରେ ପଚାରିଲି–ମନ୍ତ୍ରୀ ଯାଇଥିଲେ, କ’ଣ ହେଲା ?

 

ସେ କହିଲା–ହେବ ଆଉ କ’ଣ ? ସଭା ହେଲା, ପ୍ରାଇଜ ଦିଆଗଲା । ମନ୍ତ୍ରୀ ଏକସ୍‌କରସନ୍‌ପାଇଁ ହଜାରେ ଟଙ୍କା ଓ ଦିନେ ଛୁଟି ଦେଇଗଲେ । ଏଇ ହେଲା ମନ୍ତ୍ରୀଙ୍କ ଯିବାର ପରିଣତି । ସେ ଯେଉଁ ବକ୍ତୃତା ଦେଲେ, କିଏ ତାକୁ ମନେରଖିଲା ? ମନେରଖିବା ଭଳି ସେ ବା କ’ଣ କହିଲେ ? ହଠାତ୍‌ ସେଦିନ ରାଜଧାନୀ ବସ୍‌ ଷ୍ଟାଣ୍ଡରେ ଥିବା ଦୋକାନଗୁଡ଼ାକୁ ଭାଙ୍ଗିଦବାପାଇଁ ସରକାର ନୋଟିସ୍‌ ଦେଲେ । ବେଆଇନଭାବେ ଏସବୁ ଦୋକାନ ହେଇଚି । ଏସବୁ ଦୋକାନ ହବାଦ୍ୱାରା ବସ୍‌ ଷ୍ଟାଣ୍ଡ୍‍ର ସୌନ୍ଦର୍ଯ୍ୟ ହାନିଘଟୁଚି । ତେଣୁ ସେଗୁଡ଼ାକ ଉଠିଯିବା ଦରକାର । ଯଦି ଆପେଆପେ ଉଠି ନଯାଏ ସେଗୁଡ଼ିକୁ ଜବରଦସ୍ତ ଭାଙ୍ଗି ଦିଆଯିବ ।

 

ରାଜନୀତି ସହିତ ସଂପୃକ୍ତ ଥିବା ମୁଁ ଜଣେ ଦୋକାନଦାର । ଲୋକେ ଆସି ମୋରି ପାଖରେ ପହଞ୍ଚିଲେ, ସରକାରଙ୍କୁ କହି ଏସବୁ ବନ୍ଦ କରିବାପାଇଁ । ଏଇସବୁ ଛୋଟ ଛୋଟ ଦୋକାନୀମାନେ ଅତି ଦରିଦ୍ର । ଦୋକାନ ଛଡ଼ା ସେମାନଙ୍କର ଅନ୍ୟ ଅବଲମ୍ୱନ ନାହିଁ । ସରକାର ସେମାନଙ୍କୁ ଦୋକାନପାଇଁ ଜାଗା ନ ଦେଇ ସେଗୁଡ଼ାକୁ ଯଦି ଭାଙ୍ଗିଦିଅନ୍ତି, ଅନେକ ପରିବାର କ୍ଷତିଗ୍ରସ୍ତ ହେବେ–ଅନାହାରରେ ରହିବାର ସମ୍ଭାବନା ମଧ୍ୟ ରହିଚି ।

 

ଏ ଦିଗରେ ମୋର ଚେଷ୍ଟା ଯତ୍ନ ବିଫଳ ହେଲା । ଦିନେ ସକାଳେ ପୋଲିସ୍‌ ଫଉଜ ଆସି ଏ ସବୁ ଦୋକାନ ଭାଙ୍ଗିଦେଲେ । ଦୋକାନ ଭିତରେ ଥିବା ଜିନିଷପତ୍ର ଓ ଆସବାବପତ୍ରକୁ ଫିଙ୍ଗିଦେଲେ । ସେଦିନ ଛୋଟ ଛୋଟ ଦୋକାନୀମାନଙ୍କର ଯୋଉ କାନ୍ଦଣା....ଆଇନର ଫିସାଦି ତଥା ଆଇନରକ୍ଷକମାନଙ୍କର କଠୋରତା ନିକଟରେ ସେଇସବୁ କ୍ରନ୍ଦନ ଧ୍ୱନି ବାଷ୍ପାକାରରେ ଉପରକୁ ଉଠି ମହାଶୂନ୍ୟରେ ମିଳାଇଗଲା ।

 

ମୁଁ ସ୍ତମ୍ଭୀତ । ପ୍ରଭୁଲାଲ ମୋଠୁ ବେଶି । ସେ କହିଲା–ଭାଇନା, ଲୋକଙ୍କର ସମୂହ ସ୍ୱାର୍ଥ ତ ତୁମେ ରକ୍ଷାକରି ପାରିଲନାହିଁ । ନିଜର ସ୍ୱାର୍ଥ କେମିତି ରକ୍ଷାକରିବ ? ଯଦି ନକରିପାର, ରାଜନୀତିରେ ମିଶି ଟଙ୍କା ଅପବ୍ୟୟ କରିବାର ମାନେ କିଛି ହୁଏନା । ଗଙ୍ଗା ଗଲେ ଯେତିକି, ଫଳ ପାଇଲେ ସେତିକି । ଏଥର ପାଉ ।

 

ଗୁଡ଼ାଏ ଟଙ୍କା ଅପବ୍ୟୟ ହେଉଛି । ଦଳର ନେତୃବୃନ୍ଦଙ୍କର ଧାରଣା–ବ୍ୟବସାୟୀମାନେ ସୁନାଅଣ୍ଡା ପ୍ରସବ କରୁଥିବା କୁକୁଡ଼ା । ଯୋଉ ବ୍ୟବସାୟୀମାନେ ରାଜନୀତି ସହିତ ସଂପୃକ୍ତ, ଦଳଟା ସେଇମାନଙ୍କ ଦାନରେ ଚଳିବା ଆବଶ୍ୟକ । ନହେଲେ ଦଳ ଚଳିବ କେମିତି ? ବଞ୍ଚିତ କେମିତି ? ଏଇ ଯୁକ୍ତିରେ ପ୍ରତ୍ୟେକ ମାସରେ ଆମର ଯେ ବ୍ୟୟ ହେଉଚି, ତା’ର ପ୍ରତିଦାନରେ ଆମେ ତ ଏଯାଏ କିଛି ପାଇନାହୁଁ । ଯଦି ନ ପାଇଛୁ ଓ ପାଇବାର ସମ୍ଭାବନା ନ ଦେଖୁଚୁ, ତାହାହେଲେ ସେଗୁଡ଼ାକ ଅଯଥା ଅପବ୍ୟୟ ଛଡ଼ା ଆଉ କ’ଣ ?

 

ସେ ଦିନ ପାର୍ଟି ଅଫିସ୍‌ରେ ହଠାତ୍‌ ନୟନା ମିଶ୍ରଙ୍କୁ ଦେଖି ମୁଁ ନିଜ ଆଖିକୁ ନିଜେ ବିଶ୍ୱାସ କରିପାରିଲି ନାହିଁ । ଶୁଣିଲି ସେ କୋଉ ମହିଳା ସଂଗଠନର ଦାୟିତ୍ୱ ନେଇଛନ୍ତି । ରାଜଧାନୀରେ ଏକ ବିରାଟ ମହିଳା ସମାବେଶ କରାଉଛନ୍ତି । ତାହାହେଲେ ରାଜନୀତିର ପୃଷ୍ଠପୋଷକତା ଖାଲି ଯେ ବ୍ୟବସାୟୀମାନେ କରୁଛନ୍ତି, ତା’ ନୁହେଁ, ସରକାରୀ କର୍ମଚାରୀମାନେ ମଧ୍ୟ ପରୋକ୍ଷରେ କରୁଛନ୍ତି । ଜଗଦୀଶବାବୁଙ୍କର ଆହୁରି ପଦୋନ୍ନତି ହେଉଚି । ସେ ଏକ ମୁଖ୍ୟ ସରକାରୀ ବିଭାଗର ଶାସନ ସଚିବ ହେଇସାରିଲେଣି ।

 

ମୁଁ ଦୋକାନରେ ନଥିବାବେଳେ ସେଦିନ ନୟନା ମିଶ୍ର ଦୋକାନକୁ ଆସିଥିଲେ । ପ୍ରଭୁଲାଲକୁ କହିଲେ–ମହିଳା ସମାବେଶପାଇଁ ପାଞ୍ଚହଜାର ଟଙ୍କା ଚାନ୍ଦା ଦେବାକୁ ପଡ଼ିବ । ଏ ନେଇ ପ୍ରଭୁଲାଲ ସହିତ ତାଙ୍କର ବଚସା ହେଲା । ପ୍ରଭୁଲାଲ କହିଲା–ପାଞ୍ଚ ଦଶ ପଚିଶ ସିନା ଚାନ୍ଦା ଦିଆଯାଏ, ପାଞ୍ଚ ହଜାର ଟଙ୍କା କ’ଣ ଦିଆଯାଏ ?

 

ନୟନା ମିଶ୍ର କୁଆଡ଼େ କହିଲେ–ଯୋଉଠି ଖର୍ଚ୍ଚର ଅଟକଳ ପଚାଶ ହଜାର ଟଙ୍କା, ସେଠି ପାଞ୍ଚ ଦଶ ପଚିଶ ନେଇ କେତେବର୍ଷରେ ଆମେ ସମ୍ମିଳନୀପାଇଁ ଟଙ୍କା ଉଠେଇପାରିବୁ ?

 

ପ୍ରଭୁଲାଲ କହିଲା–ଖୁବ୍‌ ବେଶି ହେଲେ ମୁଁ ଶହେ ଏକ ଟଙ୍କା ଦେଇପାରେ, ତା’ଠୁଁ ବେଶି ନୁହେଁ । ନୟନା ମିଶ୍ର କହିଲେ–ଲକ୍ଷ ଲକ୍ଷ ଟଙ୍କା ଟିକସ ଫାଙ୍କୁଚନ୍ତି, ଆମକୁ ପାଞ୍ଚ ହଜାର ଟଙ୍କା ନ ଦେବେ କାହିଁକି ? ଯଦି ନ ଦିଅନ୍ତି, ପରିଣାମ କ’ଣ ହବ ଜାଣିଚନ୍ତି ତ ?

 

ତାଙ୍କର ଏ ଧମକରେ ପ୍ରଭୁଲାଲ ଡରିଗଲାନାହିଁ । କହିଲା–ଆପଣଙ୍କର ଯାହା ଇଚ୍ଛା ତାହା କରନ୍ତୁ, ମୁଁ ଚାନ୍ଦା ଦେବିନାହିଁ ।

 

ନୟନା ମିଶ୍ର ରାଗରେ ଲାଲ୍‌ ହେଇ ଚାଲିଗଲେ । ସେଦିନ ପ୍ରଭୁଲାଲ ମତେ କହିଲା–ଭାଇନା, ତମର ଆଉ ରାଜନୀତିରେ ରହିବା ଦରକାର ନାହିଁ । ଆଜି ସେମାନଙ୍କ ସହିତ ସମସ୍ତ ସମ୍ପର୍କ ତୁଟେଇଦିଅ ।

 

ମୁଁ କହିଲି–ଏତେ ଖର୍ଚ୍ଚ ତ ହେଲାଣି । ଆଉ କିଛିଦିନ ଅପେକ୍ଷା କର । ଆଉ ଅଳ୍ପଦିନ ପରେ ତ ପୁଣି ନିର୍ବାଚନ ହେବ, ଶେଷ ଚେଷ୍ଟା କରିବା । ତା’ପରେ ରାଜନୀତିରେ ରହିବି ବା ନ ରହିବି ବସି ଠିକ୍‌ କରିବା ।

 

ପ୍ରଭୁଲାଲ ଯଦିଓ ସହସା ଆଉ କିଛି କହିଲା ନାହିଁ; କିନ୍ତୁ ମୋ କଥାରେ ତା’ ମନ ବୁଝିଲାନାହିଁ । ନୟନା ମିଶ୍ରଙ୍କ ବ୍ୟବହାରରେ ସେ ଅତିମାତ୍ରାରେ କ୍ଷୁଣ୍ଣ ହେଇଛି ।

 

ମୋ ମନରେ ଦ୍ୱନ୍ଦ୍ୱ । ମୋର ତ୍ରିଶଙ୍କୁ ଅବସ୍ଥା । ଜୀବନରେ ପୂର୍ଣ୍ଣତା ପାଇବି କେମିତି ? ଚିରଦିନ ଶାନ୍ତିଠୁ କ’ଣ ରହିଯିବି ଦୂରରେ ? ଅଶାନ୍ତିର ଧ୍ୱଂସ ସ୍ତୂପ ଉପରେ ଠିଆହେଇ ମୁଁ ଶାନ୍ତି ଖୋଜୁଚି । ଜୀବନର ଦୁଇତୃତୀୟାଂଶ ଅତିବାହିତ ହେଇଗଲା । ବାକିତକ ଜୀବନରେ ମୁଁ କାର୍ଯ୍ୟକ୍ଷମ ରହିବି ବା କେତେ ବର୍ଷ ? ସବୁ କ୍ଷେତ୍ରରେ ଅନ୍ୟାୟ ତା’ର ଡେଣାମେଲି ଜୀବନର ସ୍ୱପ୍ନକୁ ଭାଙ୍ଗିଦେଉଥିବ ? କେମିତି ହେବ ତା’ର ପ୍ରତିକାର ?

 

ଏଇସବୁ କଥା ଭାବିବସିଲେ ମୋର ହୃତ୍‌କମ୍ପ ହୁଏ । ବିଫଳତା ମୋତେ ମାଡ଼ିବସିଚି । ମୋର ଚିନ୍ତାଶକ୍ତି କ୍ରମଶଃ ପଙ୍ଗୁ ହେଇଯାଉଚି । ମୋର ଏ ଅବସ୍ଥା ଦେଖି ଉଷା କହେ–ତମ ମୁହଁରୁ ହସ କ’ଣ ନିଭିଗଲା ? କ’ଣ ହେଇଚି ତୁମର ? କ’ଣ ଏତେ ଭାବୁଚ ?

 

ମୋର ଭାବନାଗୁଡ଼ାକୁ ମୁଁ ଯଦି ଲିପିବଦ୍ଧ କରିପାରନ୍ତି ତାହା ଏକ ବିରାଟ ଗ୍ରନ୍ଥ ହୁଅନ୍ତା-। ମାତ୍ର ମୋର ବା ସେ ଶକ୍ତି କାହିଁ ? ସକ୍ରେଟିସ୍‌ ଏଇଭଳି ଭାବୁଥିଲେ–ମାର୍କସ୍‌ ଭାବୁଥିଲେ–ଗାନ୍ଧୀ ଭାବୁଥିଲେ । ତା’ପରେ ଆଉ କିଏ ଭାବୁଚି ? ଉତ୍ପୀଡ଼ିତ ମଣିଷପାଇଁ ଆଉ କିଏ ଭାବୁଚି ?

 

ଉଷା ପ୍ରଶ୍ନର କି ଉତ୍ତର ମୁଁ ଦେବି ? କେଉଁ ଭାଷାରେ ତାକୁ ଏକ ଅକୃତଜ୍ଞ ସମୟର କଥା ବୁଝାଇବି । ମର୍ତ୍ତ୍ୟଲୋକରେ ଅଗ୍ନି ଲାଗିଚି ।

 

ଜଳୁଚି ହିନ୍ଦୁସ୍ତାନ

ଜଳୁଚି ପାକିସ୍ତାନ

ଜଳୁଚି ଆଫଗାନିସ୍ତାନ.....

ଜଳୁଚି ଚାକିରି

ଜଳୁଚି ବ୍ୟବସାୟ

ଜଳୁଚି ରାଜନୀତି....

 

ସେଇ ଜ୍ୱଳନର ପୀଡ଼ାରେ ଜୀବନ ଆମର ଯନ୍ତ୍ରଣାମୟ । ଆଉ ହସିବୁ କେମିତି ? ଯେଉଁମାନେବି ହସୁଚନ୍ତି ବୋଲି ଦେଖେଇହଉଚନ୍ତି, ସେମାନେ ଛଳନା କରୁଚନ୍ତି । ଏବେ ଖୁବ୍‌ ମୋଟା ଦରମା ପାଉଥିବା ଉଚ୍ଚ ପାହ୍ୟାରେ ଥିବା ଜଗଦୀଶବାବୁ କ’ଣ ହସିପାରୁଚନ୍ତି ? ନା ହସିପାରୁଚନ୍ତି ନୟନା ମିଶ୍ର ? ସେ ଯଦି ହସିବା ଭଳି ହସୁଥାନ୍ତେ, ତାହାହେଲେ ତାଙ୍କ ଚରିତ୍ରଟା ସମ୍ପୂର୍ଣ୍ଣ ଭିନ୍ନ ହୋଇଥାନ୍ତା । ଧୈର୍ଯ୍ୟ ମଣିଷର ଅମୂଲ୍ୟ ରତ୍ନ । ଆଉ କିଛିଦିନ ଅପେକ୍ଷା କରାଯାଉ ।

 

ପୁଣି ଆସିଗଲା ନିର୍ବାଚନର ବେଳ । ମୁଁ ପ୍ରାର୍ଥୀ ହେବାପାଇଁ ଦଳକୁ ଆବେଦନ କଲି । ପ୍ରାର୍ଥୀ ହବାର ସମସ୍ତ ଯୋଗ୍ୟତା ମୋର ଅଛି ବୋଲି ବିଶ୍ୱାସ । ମାତ୍ର ଫଳ ହେଲା ଓଲଟା । ଦଳର ନିଷ୍ପତ୍ତି ଯୁବକ ଓ ମହିଳାମାନଙ୍କୁ ଯଥାସମ୍ଭବ ସୁଯୋଗ ଦିଆଯିବ । ମୁଁ ତ ଏଇ ସହରରୁ ପ୍ରାର୍ଥୀ ହେବା କଥା; ମାତ୍ର ସେଠାରୁ ପ୍ରତିଦ୍ୱିନ୍ଦ୍ୱିତା କରିବାପାଇଁ ନୟନା ମିଶ୍ରଙ୍କୁ ଟିକେଟ ଦିଆଗଲା । ମୋ ବିବେଚନାରେ ମୋ ପ୍ରତି ଘୋର ଅନ୍ୟାୟ କରାଗଲା । ମୁଁ ଏକ ସୁଯୋଗରୁ ବଞ୍ଚିତ ହେଲି । ଆଉ କାହାକୁ କିଛି କହିବାର ନାହିଁ । କ୍ଷଣିକ ଦୁଃଖରେ ଭାଙ୍ଗିପଡ଼ିଲି । ମୋର ଏକମାତ୍ର ଆଶ୍ୱାସନା ଯେ–Politics is the last resort of the scoundrels–ତେଣୁ ମୋତେ ସୁଯୋଗ ଦିଆ ନଯାଇଥିବା ଦୁଃଖ ଭୁଲିଯିବାକୁ ଚେଷ୍ଟାକଲି । ନାଃ, ଆଉ Jack of all trades ହବାପାଇଁ ମନବଳେଇବି ନାହିଁ Master of one trade ହେବା ଦରକାର । ପୁଣି ଷୋଳପଣ ଫେରିଯିବି ବ୍ୟବସାୟକୁ । ବାଣିଜ୍ୟେ ବସତେ ଲକ୍ଷ୍ମୀଃ–ତଦର୍ଦ୍ଧିଂ କୃଷି କର୍ମଣି । ଜମି ନାହିଁ ତେଣୁ କୃଷି ନାହିଁ । କଲେଜରେ ଅର୍ଥନୀତ ସାର୍‌ ସବୁବେଳେ କହୁଥିଲେ–You must be wedded to one thing. ପୁଣି ଥରେ ମୋର ବିବାହ–ସେ ବିବାହ ବ୍ୟବସାୟ ସହିତ । ମୋର ଏଇ ପରିବର୍ତ୍ତନରେ ପ୍ରଭୁଲାଲ, ଉଷା ସମସ୍ତେ ଖୁସି । ମୁନ୍ନା କଲେଜରେ ପାଠ ପଢ଼ୁଚି । ଭଲବି ପଢ଼ୁଚି । ଇଚ୍ଛା, ଡିଗ୍ରୀ ହାସଲ କଲାପରେ କୌଣସି ଉଚ୍ଚ ଚାକିରିପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷା ଦେବ । ସେ ଆଉ ମୋ ପରି କିରାଣି ଜୀବନ ଆରମ୍ଭ ନକରୁ ।

 

ନିର୍ବାଚନ ସରିଯାଇଚି । ଶାସନରେ ଥିବା ଦଳ ହାରି ଯାଇଚନ୍ତି–ବିରୋଧରେ ଥିବା ଦଳ ପୁଣି ସରକାରକୁ ଆସିଚନ୍ତି । ନୟନା ମିଶ୍ର ମଧ୍ୟ ହାରି ଯାଇଚନ୍ତି । ଲୋକେ ବୋଧହୁଏ ତାଙ୍କୁ ହରେଇଦେଇ ନ୍ୟାୟ ବିଚାର କରିଛନ୍ତି । ମୋର ବନ୍ଧୁ ଏଥର ଏଇ ସହରକୁ ନିର୍ବାଚିତ ହେଇ ପୂରାପୂରି କ୍ୟାବିନେଟ୍‌ ପାହ୍ୟାର ମନ୍ତ୍ରୀ ହେଇଚନ୍ତି । ମୁଁ ତାଙ୍କୁ ସମ୍ୱର୍ଦ୍ଧନା ଜଣାଇ ଏକ ଟେଲିଗ୍ରାମ୍‌ ପଠାଇଦେଲି । ଯାଇ ଦେଖା କରିଥାନ୍ତି; ମାତ୍ର ଯିବାକୁ ସଂକୋଚ ଲାଗିଲା । ତାଙ୍କ ଉପଦେଶ ମୁଁ ତ ମାନି ନଥିଲି; ତେଣୁ ଯାଇ ଦେଖାକରିବି କେଉଁ ମୁହଁରେ ! ମୋ ଟେଲିଗ୍ରାମ୍‌ ପାଇ ସେ ତା’ର ଉତ୍ତର ଦେଲେ–ପ୍ରିୟବନ୍ଧୁ, ଟେଲିଗ୍ରାମ୍‌ ପାଇଁ କୃତଜ୍ଞ । ସମୟ ପାଇଲେ ଆସି ସାକ୍ଷାତ କରିବ ।

 

ମୁଁ ଏଇ ଚିଠି ପ୍ରଭୁଲାଲକୁ ଦେଖାଇଲି । କାହିଁକି କେଜାଣି ସେ ହଠାତ୍‌ ଉତ୍ସାହିତ ହେଇପଡ଼ିଲା । କହିଲା–ଭାଇନା, ସୁଯୋଗ । ଯାଇ ଭିଡ଼ିଯାଅ । ଦରକାରବେଳେ କର୍ମରେ ଆସିବ-

 

ମୁଁ କିନ୍ତୁ ଉତ୍ସାହିତ ହେଲିନାହିଁ । ପୋଡ଼ିଗଲା ତିଅଣରେ ଆଉ କି ସ୍ୱାଦ ? ଯାହା ଥରେ ତ୍ୟାଗ କରିଚି, ପୁଣି ତା’ ପଛରେ ଧାଇଁବି କାହିଁକି ?

 

ପ୍ରଭୁଲାଲକୁ ଥଟ୍ଟାରେ କହିଲି–କିଛି କଳାଟଙ୍କା ଜମା ହେଇଗଲାଣି କି, ଯାହା ଶୀଘ୍ର ଖର୍ଚ୍ଚ ହେଇଯିବା ଆବଶ୍ୟକ । କ’ଣ ମିଳିବ ସେଥିରୁ ? ଆମ ବ୍ୟବସାୟ ଭଲ ତ ଆମେ ଭଲ, ଆମେ ଏଇ ନୀତି ଧରି ଚାଲିବା । ମୋ କଥା ଉପରେ ଜୋର୍‌କରି ପ୍ରଭୁଲାଲ କିଛି କହେନା । ମୁଁ କିନ୍ତୁ ଅନୁଭବ କଲି ମୋ କଥାରେ ସେ ସନ୍ତୁଷ୍ଟ ହେଲାନାହିଁ । ତେଣୁ ମୁଁ ପୁଣି ମୋଆଡ଼ୁ ପଚାରିଲି–ପ୍ରଭୁ, ଏ ସଂସାରରେ କେହି କାହାରି ନୁହେଁ । କାହିଁକି ଯାଇ ସେମାନଙ୍କ ପଛରେ ଗୋଡ଼ାଇବା ?

 

ପ୍ରଭୁଲାଲ କହିଲା–ଗୋଡ଼େଇବା ନାହିଁ ଯେ; କିନ୍ତୁ ଡାକିଚନ୍ତି ଯେତେବେଳେ ଥରେ ଯାଇ ଦେଖାକରି ଆସ । ଦେଖାକରିବାରେ କ୍ଷତି କ’ଣ ?

 

ମନ୍ତ୍ରୀବନ୍ଧୁଙ୍କୁ ମୁଁ ଭଲ ଭାବରେ ଜାଣିଚି । ମୋର ବିଶ୍ୱାସ ସେ ଅନ୍ତତଃ ମୋ ସହିତ ଅନ୍ୟାୟ କାରବାର କରିବେ ନାହିଁ । ପ୍ରଭୁଲାଲ କଥା ମାନି ମୁଁ ଦିନେ ତାଙ୍କ କ୍ୱାଟର୍‌କୁ ଗଲି । ସାକ୍ଷାତ ହେଲା । ଭାରି ବ୍ୟସ୍ତ ଥିଲେ । ତଥାପି କହିଲେ–ମୁଁ ତମର ସବୁ ଖବର ରଖିଚି । ଠିଆ ନ ହେଇଚ ଭଲ ହେଇଚି । ହେଇଥିଲେ ହାରିଥାନ୍ତ । ଯେତେବେଳେ ଯାହା ଦରକାର କହିବ ମୁଁ ସାହାଯ୍ୟ କରିବି ।

 

ମୁଁ କୃତକୃତ୍ୟ ହେଲି । ତା’ପରେ ସେ ମୋତେ ଏକାନ୍ତ ଗୋପନରେ କହିଲେ–ନୟନା ମିଶ୍ର ତୁମର ସର୍ବନାଶ କରିଚି ନା....ମତେବି ଏଥର ନିର୍ବାଚନରେ ପାଣି ପିଏଇ ଦେଇଚି । କୁତ୍ସାରଟନା କରିବାରେ ସେ ଏତେ ତଳକୁ ଯାଇପାରେ ? ମୁଁ ବି ଏଥର ତାକୁ ଠିକ୍‌ ଜବାବ୍‌ ଦେଇଚି-। ଆହୁରି ଦେବି । ବୁଝିବ ଏଥର ମୁଁ କିଏ ?

 

ମୋ ଭଳି ଏକ ମଣିଷପାଇଁ ଏଇଟା ଏକ ସୁସମ୍ୱାଦ । ମୁଁ ଯାହା କରିବାକୁ ଚାହିଁ କରିପାରୁ ନଥିଲି, ମୋ ବନ୍ଧୁ ଯଦି ତାହା କରନ୍ତି ଓ ଶ୍ରୀମତୀ ନୟନା ମିଶ୍ର ଉଚିତ ଶିକ୍ଷା ପାଆନ୍ତି, ଏଥିରେ ମୋର ସବୁଠୁ ଖୁସି ହେବା କଥା ।

 

ହେ ଭଗବାନ ! ଅନ୍ୟାୟର ମୂଳୋତ୍ପାଟନ କର । ତୁମେ ପରା ‘ପରିତ୍ରାଣାୟ ସାଧୂନାମ୍‌, ବିନାଶାୟ ଚ ଦୁଷ୍କୃତାମ୍‌, ଧର୍ମ ସଂସ୍ଥାପନାର୍ଥାୟ’ ଯୁଗେଯୁଗେ ଅବତାର ଗ୍ରହଣ କର । ଆଜି ଯେଉଁମାନେ ଅଧର୍ମମାର୍ଗରେ ଯାଇ ସଭ୍ୟତାର ସଙ୍କଟ ସୃଷ୍ଟିକରୁଚନ୍ତି; ନିଜର ପବିତ୍ର କର୍ତ୍ତବ୍ୟ ଭୁଲି ସ୍ୱାର୍ଥକୁହିଁ ଏକମାତ୍ର ଜୀବିକା ବୋଲି ଧରିନେଇଛନ୍ତି, ସେମାନଙ୍କର ବିନାଶରେ ଧରା ଯନ୍ତ୍ରଣାର ଉପଶମ ଘଟିବ । ସଭ୍ୟତା ହେବ ବିପଦମୁକ୍ତ । ପ୍ରଭୁ, ସତେ କି ସେ ଆଲୋକମୟ ଦିନ ଆମେ ଦେଖିପାରିବୁ ? ଯନ୍ତ୍ରଣାରୁ ମୁକ୍ତି ପାଇପାରିବୁ ?

 

ମୋର ବନ୍ଧୁ ମନ୍ତ୍ରୀଙ୍କ ଚରିତ୍ର–ଚିନ୍ତା ସହିତ ମୋର ଅନେକ ସାମଞ୍ଜସ୍ୟ ଥିବାରୁ ଆମେ ପୁନର୍ବାର ଖୁବ୍‌ ଘନିଷ୍ଠ ହେଇପଡ଼ିଲୁ । କଲେଜ ଛାଡ଼ିବା ପରେ ଏ ପ୍ରକାର ସୁଯୋଗ ଆଉ ଆମର ଘଟି ନଥିଲା । ବନ୍ଧୁ ଅନୁଗ୍ରହ କରି ତାଙ୍କ ବିଭାଗର ଏକ ପରାମର୍ଶଦାତା କମିଟିରେ ମୋତେ ଜଣେ ସଭ୍ୟ କରିଦେଲେ । ମନ୍ତ୍ରୀଙ୍କ ସହିତ ଘନିଷ୍ଠତା ଥିବାରୁ ମୋର ପ୍ରତିପତ୍ତି ମଧ୍ୟ କିଛି ବଢ଼ିଲା ।

 

ନୟନା ମିଶ୍ର ଆହତ ସର୍ପିଣୀ । ନିର୍ବାଚନରେ ଯାହାଙ୍କଠାରୁ ହାରିଲେ ତାଙ୍କରି ସହିତ ମୋର ଏ ସମ୍ପର୍କରେ ସେ ଯେ ପରମଅସୁଖୀ ଏହା ସ୍ୱତଃସିଦ୍ଧ । ଦୀର୍ଘଦିନ ଧରି ତାଙ୍କ ସହିତ ଥିବା ମୋର ସମ୍ପର୍କକୁ ତିକ୍ତମଧୁର କୁହାଯାଇପାରେ; କିନ୍ତୁ ଗତ ନିର୍ବାଚନ ପରଠାରୁ ସେ ସମ୍ପର୍କର ସମ୍ପୂର୍ଣ୍ଣ ପରିବର୍ତ୍ତନ ହେଇଗଲା । ପୁଣି ବର୍ତ୍ତମାନ ସେ ସମ୍ପର୍କ ପୂରାପୂରି ଶତ୍ରୁତାରେ ପରିଣତ ହେଲା ।

 

କିନ୍ତୁ ମୁଁ କ’ଣ ଶତ୍ରୁଘ୍ନ ହେଇପାରିବି ? ଏଯାବତ୍‌ ହେଇପାରିନାହିଁ । ଏବେ ଯଦି ବନ୍ଧୁଙ୍କ ସହାୟତାରେ ହେଇପାରେ !

 

ନୟନା ମିଶ୍ରଙ୍କ ଚରିତ୍ରକୁ ବିଶ୍ଳେଷଣ କରି ମୁଁ କିଛି ବୁଝିପାରେନା । କ’ଣ ତାଙ୍କର ମନସ୍ତତ୍ତ୍ୱ ? କ’ଣ ତାଙ୍କର ଆକାଂକ୍ଷା ?

 

ଅଥବା ସେ କାର୍ଯ୍ୟ କାରଣ ରହିତ କେଉଁ ଉଦ୍ଭଟ ନାଟକର ନାୟିକା ?

 

ସେଦିନ ଥାଏ ଛୁଟିର ଦିନ । ବନ୍ଧୁଙ୍କର ବାହାରକୁ ଯିବାର କାର୍ଯ୍ୟକ୍ରମ ନଥାଏ । ଚାରିଟା ବାଜୁ ନ ବାଜୁଣୁ ତାଙ୍କ ଗାଡ଼ି ଆସି ମୋତେ ନେଇଗଲା ।

 

ବୈଠକଖାନାରେ ବସି ନାନା କଥାବାର୍ତ୍ତା ଭିତରେ ଚା’ କପ୍‌ ସବୁ ନିଃଶେଷ କଲୁ । ଆମ ଆଲୋଚନାର କେନ୍ଦ୍ରଥିଲେ ନୟନା ମିଶ୍ର । ଆମେ ଦୁହେଁ ଏକମତ ହେଲୁ ଯେ ପରିବାରରେ ପୁରୁଷ ଯଦି ଦୁର୍ବଳ ହୁଏ, ସ୍ତ୍ରୀ ସେଠି ଉଗ୍ର ହେବା ସ୍ୱାଭାବିକ । ଜଗଦୀଶ ମିଶ୍ର ଏକ ଦୁର୍ବଳ ସ୍ୱାମୀ । ତାଙ୍କ ଦୁର୍ବଳତାର କାରଣ ଆମକୁ ଜଣାନାହିଁ । ଚାକିରି କ୍ଷେତ୍ରରେ ସେ ସଫଳ ହେଇପାରିଚନ୍ତି ମାତ୍ର ପାରିବାରିକ ଜୀବନରେ ତାଙ୍କର ଏ ପ୍ରକାର ବିଫଳତାର କାରଣ କ’ଣ ?

 

ନୟନା ମିଶ୍ର ପରିବାର ତଥା ସମାଜର ଏକ କଳଙ୍କ । ସେଦିନ ନୟନାଙ୍କ ସମ୍ପର୍କରେ ଏକ ନୂତନ ଏବଂ ଅବିଶ୍ୱାସ ତଥ୍ୟ ବନ୍ଧୁ ମୋ ଆଗରେ ପରିବେଷଣ କଲେ । ମୁଁ ବିଶ୍ୱାସ କଲି ନାହିଁ-। ତଥାପି ବନ୍ଧୁ କହିଲେ–ଏହା ସତ୍ୟ ।

 

ଘଟଣାଟା ନୟନା ଏବଂ ମାଧକୁ କେନ୍ଦ୍ରକରି । ମୁଁ କେମିତି ଏ ପ୍ରକାର ଏକ ଜଘନ୍ୟତାକୁ ବିଶ୍ୱାସ କରିପାରନ୍ତି ? ମାଧର ବୟସ ଆଉ ତାଙ୍କର ବୟସ; ତୁମେବି କ’ଣ ବିଶ୍ୱାସ କରିପାରିବ ଏମିତି ହେଇପାରେ ବୋଲି ? ଅଥବା ଏମିତି ଅଘଟଣ ଆଜି ମଧ୍ୟ ଘଟେ । ପୁରାଣ ଇତିହାସ କିମ୍ବଦନ୍ତୀ କହେ–ପିତା ପୁତ୍ରୀ, ମାତା ପୁତ୍ରର ଅବୈଧ କାହାଣୀ....ସେଇଟା ଯଦି ସମ୍ଭବ, ନୟନା–ମାଧ ଗଳ୍ପ ଅସମ୍ଭବ ହେବ କାହିଁକି ?

 

ବନ୍ଧୁ କହିଲେ–ନାରୀ ପକ୍ଷରେ ପୁରୁଷ ବିରୁଦ୍ଧରେ ଚକ୍ରାନ୍ତ କରିବା ସହଜ । ନାରୀର କଟାକ୍ଷହିଁ ପୁରୁଷକୁ ଶାସ୍ତିଦେବାର ଅମୋଘ ଅସ୍ତ୍ର । ବେଳ ଥାଉଁଥାଉଁ ପ୍ରତିବିଧାନ ନ କଲେ ତାଙ୍କ ଭଳି ନାରୀ ପକ୍ଷରେ ମୋ ବନ୍ଧୁଙ୍କୁ ବଦନାମ କରିଦେବାଟା ହୁଏତ କଷ୍ଟସାଧ୍ୟ ହେବନାହିଁ ।

 

କିନ୍ତୁ ଖାଲି ନୟନାଙ୍କ ଉପରେ କ’ଣ ପ୍ରତିଶୋଧ ନିଆଯାଇପାରିବ ? ସେ ତ ଆମ ନିୟନ୍ତ୍ରଣ ବାହାରେ । ତାଙ୍କ ଉପରେ ପ୍ରତିଶୋଧ ନବାକୁ ହେଲେ ବିଚରା ଜଗଦୀଶବାବୁକୁହିଁ ଶାସ୍ତିଦବାକୁ ପଡ଼ିବ । ନୟନାଙ୍କ କାର୍ଯ୍ୟକଳାପ ସହିତ ତାଙ୍କର ହୁଏତ ପ୍ରତ୍ୟକ୍ଷଭାବରେ କିଛି ସମ୍ପର୍କ ନାହିଁ; ମାତ୍ର ପରୋକ୍ଷ ଭାବରେ ସେ ଯଦି ନୀରବଦ୍ରଷ୍ଟା ହେଇ ସ୍ତ୍ରୀର ଯଥେଚ୍ଛାଚାରକୁ ମୁଣ୍ଡ ପାତି ପ୍ରଶ୍ରୟ ଦିଅନ୍ତି, ତାଙ୍କୁ ଏ କ୍ଷେତ୍ରରେ ଅଧିକ ଦୋଷୀ ବୋଲି ଧରିନେବାକୁ ହେବ ।

 

ଜଗଦୀଶବାବୁଙ୍କ ବିରୁଦ୍ଧରେ ଆରମ୍ଭ ହେଲା ବନ୍ଧୁଙ୍କର ଚକ୍ରାନ୍ତ ।

 

ସହରର ଅନ୍ୟ ଜଣେ ବ୍ୟବସାୟୀ ଆମରି କାର୍‌କୁ କିଣି ଜଗଦୀଶବାବୁଙ୍କୁ ଉପହାର ଦେଇଥିଲେ । ସେ କାର୍‌ ଏବେ ନୟନା ମିଶ୍ରଙ୍କ ନାଁରେ ହସ୍ତାନ୍ତରିତ ହେଇଚି । ଜଗଦୀଶବାବୁ ସେ ବ୍ୟବସାୟୀଙ୍କୁ ଆଇନମାର୍ଗରୁ ବିଚ୍ୟୁତ ହେଇ ଅନେକ ସୁବିଧା ସୁଯୋଗ ଦେଇଚନ୍ତି, ଯାହାଫଳରେ କି ସେ ବ୍ୟବସାୟୀ ଲକ୍ଷ ଲକ୍ଷ ଟଙ୍କା ଲାଭ କରିଚନ୍ତି ।

 

ଜଗଦୀଶବାବୁଙ୍କ ବିରୁଦ୍ଧରେ କେନ୍ଦ୍ର ସି.ବି.ଆଇ. ତଦନ୍ତ । ସାକ୍ଷୀ ଯୋଗାଇ ଦେବାର ସମ୍ପୂର୍ଣ୍ଣ ଦାୟିତ୍ୱ ନେଇଛି ପ୍ରଭୁଲାଲ । କାର୍‌ ଦାନ କରିଥିବା ବ୍ୟବସାୟୀଙ୍କୁ ମଧ୍ୟ ମୋର ବନ୍ଧୁ ହାତ କରିସାରିଲେଣି । ସେ ବ୍ୟବସାୟୀ ବନ୍ଧୁଙ୍କୁ ସାହାଯ୍ୟ ନକଲେ ତାଙ୍କର ମଧ୍ୟ ସର୍ବନାଶ ହେଇଯିବ ।

 

‘‘ଯେ ପ୍ରାଣୀ ପାଞ୍ଚେ ପର ମନ୍ଦ

ତା’ ମନ୍ଦ ପାଞ୍ଚନ୍ତି ଗୋବିନ୍ଦ ।’’

 

ଠିକ୍‌ ଏଇପରି ଉପାୟରେ ଦିନେ ମୋର ମଧ୍ୟ ସର୍ବନାଶ ହୋଇଥିଲା । ଯେଉଁମାନେ କରିଥିଲେ ବର୍ତ୍ତମାନ ସେଇମାନଙ୍କ ପାଳି । ଚକ୍ରବତ୍‌ ପରିବର୍ତ୍ତନ୍ତେ ଦୁଃଖାନି ଚ ସୁଖାନି ଚ–ଚକ୍ରାକାରରେ ସୁଖ–ଦୁଃଖର ଗତି । ଅନ୍ୟାୟରେ ଜଣକୁ ତା’ର ନ୍ୟାଯ୍ୟ ଦାବିରୁ ବଞ୍ଚିତକଲେ ତା’ର ପରିଣତି ଭୋଗକରିବାକୁ ପଡ଼ିବହିଁ ପଡ଼ିବ । ଅନ୍ୟାୟ କରି କିଛିଦିନ ଖସିଯାଇପାର; ମାତ୍ର ସବୁଦିନ ନୁହେଁ । ଦିନେ ନା ଦିନେ ଯନ୍ତାରେ ପଡ଼ିବ । ଜଗଦୀଶ ଓ ନୟନା ଆଜି ସେଇଭଳି ଏକ ଯନ୍ତାରେ ପଡ଼ିଛନ୍ତି ।

 

ନୟନା ମିଶ୍ରଙ୍କର ମୋ ପାଖକୁ ସନ୍ଧିର ପ୍ରସ୍ତାବ–ମାଧ ଜରିଆରେ । ଏଥର ଦେଖିଲି ମାଧର ପୋଷାକପତ୍ରରେ ଅସମ୍ଭବ ପରିବର୍ତ୍ତନ । ସତରେ ସେ କ’ଣ ନୟନା ମିଶ୍ରଙ୍କର ଚାକର ! ଏଥର ତାକୁ ଦେଖି ତାହା ମନେହେଲା ନାହିଁ । ତା’ର ଚେହେରା ସମ୍ପୂର୍ଣ୍ଣ ରୋମାଣ୍ଟିକ୍‌ । ତା’ ପିଲା ବୟସରୁ ମୁଁ ତାକୁ ଦେଖିଆସିଚି । କେବେ ଆଖିରେ କଳା ନାଇବାର ତାକୁ ଦେଖି ନଥିଲି । ଆଜି ପ୍ରଥମ କରି ଦେଖିଲି ଆଖିରେ କଜ୍ଜଳ–ମୁଣ୍ଡରେ ତେଲଚିକଣିଆ କେଶ । ନାଗରବେଶ ।

 

ତା’ ପ୍ରତି ମୁଁ ସବୁବେଳେ ସମ୍ୱେଦନଶୀଳ ଥିଲି; ମାତ୍ର ଆଜି ତାକୁ ଦେଖି ମୋର ସବୁତକ ସହାନୁଭୂତି ଘୃଣାରେ ରୂପାନ୍ତରିତ ହେଇଗଲା । ହୁଏତ ଏ ଘୃଣାଟା ନୟନା ମିଶ୍ରଙ୍କର ତା’ ଉପରେ ଚାରିତ୍ରିକ ପ୍ରଭାବ ଯୋଗୁଁ ।

 

ମାଧ ଅନେକ ଅନୁନୟ କଲା । ମନେହେଲା ସେ ଯେମିତି ନିଜେ କିଛି ଦୋଷ କରିଚି ଓ ସେଥିପାଇଁ କ୍ଷମା ଚାହୁଁଚି । ନୟନାଙ୍କର ଜଣେ ଘନିଷ୍ଠ ଆତ୍ମୀୟଭଳି ତା’ର ବ୍ୟବହାର । ଆଜି କିନ୍ତୁ ମୁଁ ଆଉ ଟଳିବାର ପାତ୍ର ନୁହେଁ । ମୁଁ ନିଆଁକୁ ଝାସଦେଇ ଡେଣା ପୋଡ଼ି ଫେରିଆସିଥିବା ପତଙ୍ଗ । ଆଉଥରେ ଝାସ ଦେବି କ’ଣ ମରିବାପାଇଁ ?

 

ମୁଁ ମାଧକୁ କହିଲି–ବୃଥାରେ ମୋ ସହିତ କାହିଁକି ଲାଗିଚୁ ? ମୋ ହାତରେ କ’ଣ ଅଛି-? ମୁଁ କିଛି ନୁହେଁ । ଯେ ଏସବୁ କରାଉଚନ୍ତି, ସେ ଯେ ମୋ ଅନୁରୋଧରେ ଏଥିରୁ କ୍ଷାନ୍ତହେବେ ସେ ବିଶ୍ୱାସ ମୋର ନାହିଁ ।

 

ମାଧ ନିରସ୍ତ୍ର । ବାକ୍‌ଯୁଦ୍ଧରେ ମୋ ସହିତ ବା କେତେବେଳେ ସେ ପାରି ଉଠନ୍ତା !

 

ତା’ର ଶେଷକଥା, ନୟନା ମିଶ୍ର ଥରେ ମୋତେ ସାକ୍ଷାତ କରିବେ । ମୋର ଶେଷକଥା, କୌଣସି ଲାଭ ହେବ ନାହିଁ ।

 

ମାଧ ଫେରିଗଲା ।

 

ମୋ ବନ୍ଧୁ ରାଜନୀତିରେ ପ୍ରବୀଣ । ଏଥର ନିର୍ବାଚନ ଅଭିଜ୍ଞତାରୁ ସେ ଭଲକି ଜାଣିଚନ୍ତି ନୟନା ମିଶ୍ର ସବୁଦିନପାଇଁ ତାଙ୍କର ଏକ ବିପଦ ହେଇ ରହିଥିବେ । ଏଥର ସେ ଯେମିତି ଖୁବ୍‌ କମ୍‌ ଭୋଟରେ ଜିତିଲେ, ଭବିଷ୍ୟତପାଇଁ ତାହା ତାଙ୍କ ପକ୍ଷରେ ଏକ ଚେତାବନୀ । ତେଣୁ ରାଜନୀତିର ନିୟମ ଅନୁସାରେ ‘ମୂଳୁ ମାଇଲେ ଯିବ ସରି, ଦେବଙ୍କ ସଙ୍ଗେ କିମ୍ପା କଳି ।’ ନୀତି ସେ ଅନୁସରଣ କରୁଛନ୍ତି ।

 

ସି.ବି.ଆଇ. ଅନୁସନ୍ଧାନରେ ଜଗଦୀଶବାବୁ ଦୋଷୀ ସାବ୍ୟସ୍ତ ହେଲେ । ତାଙ୍କୁ ସାମୟିକଭାବେ କାର୍ଯ୍ୟରୁ ଅନ୍ତରକରାଯାଇ ତାଙ୍କ ବିରୁଦ୍ଧରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରାଗଲା । ସେ ଦିନ ପ୍ରଭୁଲାଲର ଯେ କି ଆନନ୍ଦ ତାହା ମୋ ପକ୍ଷରେ ଭାଷାରେ ବର୍ଣ୍ଣନାକରିବା ସମ୍ଭବ ନୁହେଁ । ଯେତେବଡ଼ ଶତ୍ରୁ ହେଉ ପଛେ ତା’ର ବିପତ୍ତିରେ ମୁଁ ସୁଖୀ ନୁହେଁ । ପ୍ରଭୁଲାଲ ସେ ଦିନ ମିଠାଇ ବଣ୍ଟନ କଲା । ଖାଲି କହୁଥାଏ–ଭାଇନା, ଯାହା କୁହ ପଛେ ଏ ସଂସାରରେ ଧର୍ମ ଅଛି-

 

ଉଷାବି ଖୁସି । ସେ କହୁଥାଏ–‘ଯେସାକୁ ତେସା, ହାରାମଜାଦୀକୁ ଟାଙ୍କିଆ ପଶା ।’ ନୟନା ମିଶ୍ରର ଉଚିତ ଶିକ୍ଷା ହେଇଚି । ପ୍ରଭୁହେ, ତା’ ବଂଶ ନାଶ କର ।

 

ଆଃ ! ଏ କି ଅନ୍ୟାୟ ! ଉଷା ! ତୁମେ ନା ଭାରତୀୟ ନାରୀ ! ତୁମ ପଛରେ ରହିଚି ଏକ ମହାନ୍‌ ଆଦର୍ଶ ! ତୁମେ ପୁଣି ଏ କି ଅଭିଶାପ ଢାଳିଦେଉଚ ! ଶତ୍ରୁର ଅନିଷ୍ଟ ଚିନ୍ତା କରିପାର; କିନ୍ତୁ ତା’ର ସନ୍ତାନ–ସନ୍ତତିର ଅମଙ୍ଗଳ ପାଞ୍ଚିବା ଆଦୌ ଉଚିତ ନୁହେଁ ।

 

ପ୍ରଭୁଲାଲକୁ କହିଲି–ଆଜି ଆନନ୍ଦ କରିବାର କ’ଣ ଅଛି ? ଯୋଉଦିନ ଜଗଦୀଶବାବୁ କୋର୍ଟଦ୍ୱାରା ଦୋଷୀସାବ୍ୟସ୍ତ ହେବେ, ସେଇଦିନ ଆନନ୍ଦ କରିବ । ଏ ତ ଅୟମାରମ୍ଭ । There are many a slip between cup and the lip–ଶେଷ ଫଳକୁ ଅପେକ୍ଷା କର ।

 

ବନ୍ଧୁ ଲାଗିପଡ଼ିଚନ୍ତି ସରକାରୀ ସ୍ତରରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରି କାର୍ଯ୍ୟରୁ ବହିଷ୍କାର କରିବେ । ପରେ ଯଦି କୋର୍ଟରେ ତାଙ୍କ ଦୋଷ ପ୍ରମାଣିତ ହୁଏ, ସେ ଜେଲ୍‌ ଯିବେ । ସେ ଜେଲ୍‌ ଯିବାପରେ ନୟନା ମିଶ୍ରଙ୍କର ଆଉ କ’ଣ ରହିବ ? କୋଉ ରାଜନୈତିକ ଦଳ ଆଉ ତାଙ୍କୁ ସ୍ଥାନ ଦବ ? ରାଜନୈତିକ ମାନଚିତ୍ରରୁ ସବୁଦିନ ପାଇଁ ନୟନା ମିଶ୍ର ଲୋପ ପାଇଯିବେ । ମୋ ବନ୍ଧୁ ଆଶ୍ୱସ୍ତ ହେବେ । ମାତ୍ର ମୁଁ ? ଜଗଦୀଶ ମିଶ୍ର, ନୟନା ମିଶ୍ର ଉଭୟ ଯଦି ଜେଲ୍‌ ଯାନ୍ତି ମୋର କ’ଣ ଲାଭ ହେବ ? କ’ଣ ମୋର ଅଭିଳାଷ ? ସେ ଅଭିଳାଷର ପୂର୍ଣ୍ଣତା କେଉଁଠି ? ବର୍ତ୍ତମାନ ମୁଁ ଏକ ବିଫଳ ବ୍ୟକ୍ତିତ୍ୱ । ଚାକିରି ଓ ବ୍ୟବସାୟର ସୁଆଦ ଚାଖିବା ପରେ ରାଜନୀତିରେ ପ୍ରବେଶ କରିଥିଲି–ଛାତ୍ର–ଜୀବନର ଅଭିଳାଷର ପୂର୍ଣ୍ଣାହୂତି ପାଇଁ; କିନ୍ତୁ ତା’ ଆଉ କ’ଣ ସମ୍ଭବ ?

 

ରାଜନୀତି ଅର୍ଥ କ୍ଷମତା । କ୍ଷମତା ଅର୍ଥ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା; କିନ୍ତୁ ସେ ସୁଯୋଗ ମୋ ଜୀବନରେ କ’ଣ ଆସିବ ? କେଉଁଠି ମୁଁ ଠିଆହେବି ? ମୋପାଇଁ ଗୋଟିଏ ସ୍ଥାନ ଏଇ ସହର–ଏଇ ନିର୍ବାଚନ ମଣ୍ଡଳୀ । ମାତ୍ର ଏଇଠୁ ତ ମୋ ବନ୍ଧୁ ଜିତି ମନ୍ତ୍ରୀ ଆସନ ଅଳଙ୍କୃତ କରିଛନ୍ତି । ମୁଁ କ’ଣ ତାଙ୍କରି ବିରୁଦ୍ଧରେ ଠିଆ ହେବି ? କୋଉ ଦଳ ମୋତେ ଠିଆକରେଇବ ? ଯୋଉ ଦଳରେ ମୁଁ ପଶିଥିଲି ସେ ଦଳ ସହିତ ମୋର ଆଉ ବର୍ତ୍ତମାନ କିଛି ସମ୍ପର୍କ ନାହିଁ । ସମ୍ପର୍କର ପୁନଃପ୍ରତିଷ୍ଠା ମଧ୍ୟ ସମ୍ଭବ ନୁହେଁ; ନୟନା ମିଶ୍ର ରାଜନୀତି କ୍ଷେତ୍ରରୁ ବିଦାହେଇଗଲା ପରେବି । ବର୍ତ୍ତମାନ ଶାସନରେ ଥିବା ଦଳର ମନ୍ତ୍ରୀଙ୍କ ସହିତ ମୋର ଘନିଷ୍ଠ ସମ୍ପର୍କ । ଏ ଦଳକୁ ବିରୋଧ କରୁଥିବା ଦଳ ପୁଣି ମୋତେ ଅବା ବିଶ୍ୱାସକରିବ କାହିଁକି ?

 

ମୋର ବନ୍ଧୁ ଖୁବ୍‌ ଧୂର୍ତ୍ତ । ଗୋଟିଏ ବାଟୁଳିରେ ଦୁଇଟି ପକ୍ଷୀ ଶିକାର କରିବାକୁ ଯାଉଛନ୍ତି । ସେ ଦୁଇ ପକ୍ଷୀ ନୟନା ମିଶ୍ର ଓ ମୁଁ ନୀଳମାଧବ । ତାହାହେଲେ କ’ଣ ନୟନା ମିଶ୍ର ଓ ମୁଁ ଗୋଟିଏ ନାବର ଯାତ୍ରୀ–ଯାତ୍ରିଣୀ ?

 

ରାଜ୍ୟର କେତେକ ବ୍ୟବସାୟୀଙ୍କୁ ଶିଳ୍ପ ପ୍ରତିଷ୍ଠା ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଅର୍ଜନ କରିବାକୁ ଅନ୍ୟ ରାଜ୍ୟକୁ ମାସକପାଇଁ ସରକାର ପଠେଇଲେ । ମୋ ବନ୍ଧୁଙ୍କର ଅନୁଗ୍ରହରୁ ସେ ଦଳରେ ମୁଁ ବି ଗଲି । ମୁଁ ହେଲି ସେ ଦଳର ନେତା । ଫେରିଆସି ରାଜ୍ୟରେ ଶିଳ୍ପ ବିକାଶ କିପରି ହେବ, ସେ ସମ୍ପର୍କରେ ସରକାରଙ୍କୁ ପରାମର୍ଶ ଦେବା ମୋର କାର୍ଯ୍ୟ ।

 

ବାହାରର ଅଗ୍ରଗତି ମୋତେ ବିସ୍ମିତ କଲା । ଯେଉଁ ରାଜ୍ୟ ଦିନେ ଅନଗ୍ରସର ଥିଲା, ସେ ରାଜ୍ୟ ଆଜି ଉନ୍ନତିର ଅନେକ ସୋପାନ ଆରୋହଣ କରିଯାଇଛି । ଦେଖିଲେ ଈର୍ଷା ହୁଏ । ଯାହା ଅନ୍ୟଠି ସମ୍ଭବ ହେଇଚି, ଏଠି ହେଇନାହିଁ କାହିଁକି ? ସବୁ ଆମର ଥାଇ କିଛି ନଥିବା ପରି । ପରଶ୍ରୀକାତରତା ଆମକୁ ପଙ୍ଗୁ କରିଦେଇଛି; ଆମ ଅଗ୍ରଗତିକୁ ବ୍ୟାହତ କରିଛି । ଆମର ଉଦ୍ୟମ ନାହିଁ । ଆମେ ଭୁଲିଯାଇଚୁ ‘ନ ହି ସୁପ୍ତସ୍ୟ ସିଂହସ୍ୟ ପ୍ରବିଶନ୍ତି ମୁଖେମୃଗାଃ’ । ଆମେ ଭୁଲିଯାଉଚୁ ପରସ୍ପର କଳହର ପରିଣତି ବିଷମୟ ।

 

ଭାରତଗସ୍ତରୁ ଫେରି ଏକ ଲିଖିତ ରିପୋର୍ଟ ବନ୍ଧୁଙ୍କ ହାତରେ ଦେଲି ।

 

ପ୍ରଭୁଲାଲର ଇଚ୍ଛା କିଛି ଗୋଟାଏ ଶିଳ୍ପପ୍ରତିଷ୍ଠା କରିବ । ତା’ର ମଧ୍ୟ ବନ୍ଧୁଙ୍କ ସହିତ ଘନିଷ୍ଠତା ବଢ଼ିଯାଇଛି । ସେ ଦିଗରେ ବନ୍ଧୁ ତାକୁ ସାହାଯ୍ୟ କରୁଚନ୍ତି । ମୁଁ କିନ୍ତୁ ସେ ବିଷୟରେ ଅନୁଦ୍‌ବିଗ୍ନମନା–ବିଗତସ୍ପୃହ । ମୋ ନିଜପାଇଁ ମୁଁ ଆଉ ଚିନ୍ତା କରୁନାହିଁ । ମୋ ପୁଅ ମୁନ୍ନା ଖୁବ୍‌ ଭଲ ପଢ଼ୁଚି । ଏମ୍.ଏ. ଫାଇନାଲ୍‌ ପରୀକ୍ଷା ଦେଇଛି । ଆଶା ପ୍ରଥମ ଶ୍ରେଣୀରେ ପାସ୍‌ କରିବ । ମୋର ଇଚ୍ଛା ଏମ୍‌.ଏ. ପାସ୍‌ କରି ସେ ଆଇ.ଏ.ଏସ୍‌. ପରୀକ୍ଷା ଦେଉ । ଯଦି ପାଇଯାଏ, ତେବେ ସେଇଟା ତା’ପକ୍ଷେ ଓ ଆମ ପରିବାରପକ୍ଷେ ଖୁବ୍‌ ଭଲହେବ । ମୋର ଆଉ ଭବିଷ୍ୟତ ଚିନ୍ତା ବୋଲି କିଛି ଦୁଶ୍ଚିନ୍ତା ରହିବ ନାହିଁ ।

 

ପ୍ରଭୁଲାଲ ଚାରିଟି ସନ୍ତାନର ପିତା । ଦୁଇଟି କନ୍ୟା, ଦୁଇଟି ପୁତ୍ର । ତେଣିକି ସବୁଯାକ ବ୍ୟବସାୟ ସେ ଯଦି ଉପଭୋଗ କରେ ମୋର ତିଳେମାତ୍ର ଆପତ୍ତି ରହିବ ନାହିଁ ।

 

ମହାଭାରତ ଯୁଦ୍ଧ ଜୟ କରିବାପାଇଁ ଅର୍ଜ୍ଜୁନ ଥିଲେ ନିମିତ୍ତ ମାତ୍ର, ପ୍ରକୃତ ନାୟକ ଥିଲେ ଶ୍ରୀକୃଷ୍ଣ । ଆମ ବ୍ୟବସାୟ ପ୍ରତିଷ୍ଠାନରେ ମୁଁ ନିମିତ୍ତ ମାତ୍ର, ପ୍ରକୃତ ବ୍ୟବସାୟୀ ହେଲା ପ୍ରଭୁଲାଲ । ତା’ବିନା ଛୋଟରୁ ବଡ଼ ବ୍ୟବସାୟ କ’ଣ ସମ୍ଭବ ହୋଇଥାନ୍ତା ? ମୁଁ କିଏ, ବ୍ୟବସାୟ କିଏ ? ଦୋକାନରେ ମୁଁ ବସେ; କିନ୍ତୁ କୋଉ ଜିନିଷର ଦର କେତେ ଲେଖାହେଇଥିବା ଦାମ୍‌ଟା ନ ଦେଖିଲେ ମୁଁ କହିପାରିବି ନାହିଁ; କିନ୍ତୁ ଲେଖା ଦାମ୍‌ ନ ଦେଖି ପ୍ରତ୍ୟେକ ଜିନିଷର ଦର ପ୍ରଭୁଲାଲ କହିପାରିବ । ସାରା ଦୋକାନଟା ତା’ ଜିଭ ଆଗରେ । ତା’ ବଡ଼ପୁଅ ମଝିରେ ମଝିରେ ଦୋକାନକୁ ଆସୁଛି, ଦରକାର ପଡ଼ିଲେ ଜିନିଷବି ବିକ୍ରି କରୁଛି । ତା’ର ବ୍ୟବସାୟ–ବୁଦ୍ଧି ଦେଖି ମୁଁ ତ ଆଶ୍ଚର୍ଯ୍ୟ ହୁଏ । ମୋ ପୁଅ ମୁନ୍ନା କିନ୍ତୁ ଦୋକାନର ସୀମା ମାଡ଼େ ନାହିଁ; ଜଣେ ଦୋକାନୀର ପୁଅ ବୋଲି ପରିଚୟ ଦେବାକୁ ମଧ୍ୟ କୁଣ୍ଠାବୋଧ କରେ । ତା’ର ସାଙ୍ଗସାଥୀ ବଡ଼ବଡ଼ ଅଫିସରଙ୍କ ପୁଅ, ଝିଅମାନେ । ସେ ଏକ ଭିନ୍ନ ଜଗତର ମଣିଷ । ବ୍ୟବସାୟଟା ମୋତେ ଯେତେବେଳେ ସୁହାଉନାହିଁ, ମୋ ପୁଅକୁ ନ ସୁହାଇବାରେ ମୋର ଦୁଃଖ ନାହିଁ । ତେଣୁ ପ୍ରତ୍ୟକ୍ଷରେ ତ ନୁହେଁ, ପରୋକ୍ଷରେବି କେବେହେଲେ ମୁଁ ତାକୁ ଦୋକାନ ବିଷୟରେ କିଛି କହେନା ।

 

ସାରା ଦେଶଟାରେ ବ୍ୟବସାୟୀମାନଙ୍କ ବିରୁଦ୍ଧରେ କାହିଁକି କେଜାଣି ଏକ ମସ୍ତବଡ଼ ଅସନ୍ତୋଷ ବ୍ୟାପିଯାଇଛି । ବଡ଼ବଡ଼ ବ୍ୟବସାୟ, କଳକାରଖାନାର ମାଲିକ ଯେଉଁମାନେ, ସେମାନଙ୍କ କଥା ଅଲଗା । ସେମାନେ ଦେଶଟାକୁ ନିୟନ୍ତ୍ରଣ କରନ୍ତି । ସେମାନଙ୍କ ଅନୁଗ୍ରହ ପାଇବାପାଇଁ ନେତୃସ୍ଥାନୀୟ ଲୋକେ ମଧ୍ୟ ଧାଡ଼ିବାନ୍ଧି ଠିଆହେଇଥାନ୍ତି । ସେମାନେ ‘ଅମୃତସ୍ୟ ପୁତ୍ରାଃ’, କିନ୍ତୁ ତଳିଆ ବ୍ୟବସାୟୀମାନେ ସାଧାରଣ ଲୋକଙ୍କର ଘୃଣାର ପାତ୍ର । ସାଧାରଣ ଲୋକେ ତ ବଡ଼ବଡ଼ ବ୍ୟବସାୟୀଙ୍କୁ ଦେଖନ୍ତିନି ବା ସେମାନଙ୍କର ସେମାନଙ୍କ ସହିତ କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନାହିଁ । ସେମାନେ ଦେଖନ୍ତି ଯୋଉମାନଙ୍କୁ ରାଗଟା ହୁଏ ତାଙ୍କରି ଉପରେ । ପ୍ରତିଦିନ ମୂଲ୍ୟସୂଚୀ ବଢ଼ି ବଢ଼ି ଚାଲିଚି । ଯେଉଁ ବ୍ୟବସାୟୀମାନେ ସାଧାରଣ ଲୋକଙ୍କୁ ନିତ୍ୟ–ବ୍ୟବହାର୍ଯ୍ୟ ପଦାର୍ଥ ଚଢ଼ାଦରରେ ବିକ୍ରୟ କରନ୍ତି, ଲୋକମାନଙ୍କର କ୍ରୋଧଟା ହୁଏ ସେଇମାନଙ୍କୁ ଲକ୍ଷ୍ୟକରି । ଉତ୍ପାଦନକାରୀ ମୂଲ୍ୟବୃଦ୍ଧି କେତେ କଲା ସେ ଖବର ଜନତା ପାଖରେ ପହଞ୍ଚେ ନାହିଁ । ବଢ଼ାଦର ଯେ ନେଲା, ସେ ହେଲା ଲୋକଙ୍କ ଚକ୍ଷୁଃଶୂଳ । ଏଇଭଳି ଏକ ଅସମ୍ମାନଜନକ ପରିସ୍ଥିତିରେ ବ୍ୟବସାୟୀଗୋଷ୍ଠୀ ପଡ଼ିଥିବାବେଳେ ମୋର ଯେ ବ୍ୟବସାୟ ପ୍ରତି ଆଗ୍ରହ କମିଯିବ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ମୋର ଆଗ୍ରହ କମୁଥିବାବେଳେ ମୋ ପୁଅର ଯେ ଆଗ୍ରହ ବଢ଼ିବ, ଏଇଟା ବା କେମିତି ସମ୍ଭବ ହୁଅନ୍ତା ?

 

ସ୍ୱାଧୀନ ଦେଶରେ ସବୁ କିଛି ସ୍ୱାଧୀନ ହେଇଯାଇଚି । କାହାର କିଛି କହିବାର ତ ଯୁ ନାହିଁ, ପ୍ରତିବାଦ ତ ଦୂରର କଥା । ସଂସ୍କୃତି–ପରିବେଷ୍ଟିତ ରାଜଧାନୀ ଭୁବନେଶ୍ୱର ଅସନାବସ୍ତାରେ ପରିଣତ ହେଉଛି । ଯାହାର ଯୋଉଠି ଖୁସି, ଦୋକାନ କରି ବସିଯାଉଛି । ଯୋଉଠି ସେଇଠି ଅସଂଲଗ୍ନ ଭାବରେ ଗଢ଼ିଉଠୁଛି ମନ୍ଦିର–ଧର୍ମ ନିକେତବ । ସ୍ୱାଧୀନୋତ୍ତର ଯୁବକଯୁବତୀମାନେ କିମ୍ଭୂତକିମାକାର ବେଶ–ପୋଷାକରେ ବିମଣ୍ଡିତ । ଏ ଦେଶରେ ଦ୍ରୁତ ଭାବରେ ପ୍ରବେଶକରୁଚି ପଶ୍ଚିମାଗତ ହିପ୍‌ପି ସଭ୍ୟତା ।

 

ସେଦିନ ଦୋକାନରେ ବସିଥିବାବେଳେ ଅସଂଯତ ପୋଷାକ ପିନ୍ଧି ଦୋକାନକୁ ଆସୁଥିବାର ଦେଖିଲି ତିନିଜଣ ଯୁବତୀଙ୍କୁ । ସେମାନଙ୍କୁ ଚାହିଁଦେଇ ଆଖି ଫେରାଇ ନେଲି । ତା’ ଭିତରୁ ଜଣକ ମୁହଁ ଚିହ୍ନା ଚିହ୍ନା ଭଳି ମନେ ହେଲା । ଏ କ’ଣ ତାହାହେଲେ.....

 

ଝିଅଟା ଆସି ମୋ ସମ୍ମୁଖରେ ଠିଆ ହେଇଗଲା । ମତେ ନମସ୍କାର କରି କହିଲା–ତା’ର ଜଣେ ବାନ୍ଧବୀ କିଛି ଡ୍ରେସ୍‌ ନେବାକୁ ଆସିଚି ।

 

ମୁଁ ସେମାନଙ୍କୁ କାଉଣ୍ଟର୍‌ ନିର୍ଦ୍ଦେଶ କରିଦେଲି । ସେମାନେ ଚାଲିଗଲେ । କାଉଣ୍ଟର୍‌ରେ ନିଜ ଇଚ୍ଛା ମୁତାବକ ଡ୍ରେସ୍‌ ବାଛି ଟଙ୍କା ଦେବାକୁ ପୁଣି ମୋ ପାଖକୁ ଆସିଲେ ।

 

ଝିଅଟି କହିଲା–ମୋତେ ଚିହ୍ନିପାରୁନାହାନ୍ତି ମଉସା ? ମୁଁ ରାଣୀ ?

 

ମୋ ପ୍ରଥମ ଅନୁମାନ ତାହାହେଲେ ସତ୍ୟ । କହିଲି–ଛୋଟବେଳେ ଦେଖିଥିଲି ।

 

ସେ କହିଲା–ହଁ, ମୁନ୍ନା ଭାଇ କେମିତି ଅଛନ୍ତି ? ତାଙ୍କର ଆଇ.ଏ.ଏସ୍‌. ପରୀକ୍ଷା ଭଲହେଇଚି ବୋଲି କହୁଥିଲେ । ରେଜଲ୍‌ଟ ବାହାଲାଣି ନା ?

 

ମୁଁ କହିଲି–ଏଇ ଦୁଇ ଚାରି ଦିନ ଭିତରେ ବାହାରିବ ବୋଲି କହୁଥିଲା ।

 

ସେମାନେ ପଇସା ଚୁକ୍ତି କରି ଚାଲିଗଲେ ।

 

ନୟନା ମିଶ୍ରଙ୍କ ଅବିକଳ ଫଟୋଗ୍ରାଫ୍‌ ମୁଁ ଦେଖିଲି ରାଣୀ ମିଶ୍ର ମୁହଁରେ ।

 

ମାୟା ହେଲା । ଏହାରି ଭିତରେ ଏଇ ପରିବାରର ସର୍ବନାଶ ହେଇଯିବ । ଜଗଦୀଶବାବୁଙ୍କ ବିରୁଦ୍ଧରେ ଅଭିଯୋଗ ପ୍ରମାଣିତ । ଚାକିରି ଯିବାଯିବା ଉପରେ । ତା’ପରେ ସେମାନଙ୍କର ଅବସ୍ଥା ।

 

ମୁଁ ଜାଣିଚି ଚାକିରି ଯିବାର ଯନ୍ତ୍ରଣା; କିନ୍ତୁ ଜାଣି ବା କ’ଣ କରିବି ! ଶରଶଯ୍ୟା ଉପରେ ଶୋଇରହିଥିବା ବିଷଣ୍ଣବଦନ ଭୀଷ୍ମ ମୁଁ–ମହାଯୁଦ୍ଧକୁ ବନ୍ଦ କରିବାର କ୍ଷମତାରୁ ରହିତ । ମୋତେ ଦେଖିଯିବାକୁ ହେବ ମହାଭାରତ ଯୁଦ୍ଧର ଶେଷ ପର୍ବ–ଜଗଦୀଶବାବୁ ଓ ନୟନାଙ୍କର ସର୍ବନାଶ ।

 

କିନ୍ତୁ ଏଇ ‘ରାଣୀ’ ନାମ୍ନୀ ଝିଅଟି ମୋତେ ଆଜି ଏକ ନୂତନ ଚିନ୍ତାରେ ଆଚ୍ଛନ୍ନ କରିଦେଇଗଲା ।

 

ମୁନ୍ନା ଭାଇ କେମିତି ଅଛନ୍ତି ?

 

ଆଇ.ଏ.ଏସ୍‌. ପରୀକ୍ଷାରେ ଭଲ ହେଇଚି ବୋଲି କହୁଥିଲେ ?

 

ମୁନ୍ନା ଓ ରାଣୀଙ୍କର ଏଇ ପରିଚୟ ମୋର ସମ୍ପୂର୍ଣ୍ଣ ଅଜ୍ଞାତରେ–ଉଷାର ଅଜ୍ଞାତରେବି ନିଶ୍ଚୟ । ସେ ଜାଣିଥିଲେ ମୋତେ ନିଶ୍ଚୟ କହିଥାନ୍ତା ଓ ମୁନ୍ନାକୁ ନିଶ୍ଚୟ ନିବୃତ୍ତ କରିଥାନ୍ତା ।

 

ସବୁଦିନ ପରି ସେ ଦିନ ରାତିରେ ଘରକୁ ଫେରିଲି ସତ; କିନ୍ତୁ ମୁହଁରେ ଥିଲା ଅହେତୁକ ଗାମ୍ଭୀର୍ଯ୍ୟ । ଭାବୁଥିଲି ମୁନ୍ନାକୁ ଏହାର ରହସ୍ୟ ପଚାରିବି; ମାତ୍ର ରାତିରେ ଉଷା ସହିତ ପରାମର୍ଶ କରିବା ପରେ ।

 

ପହିଲି ଶୁଣାରେ ଉଷା ଜିଭ କାମୁଡ଼ି ପକାଇଲା । ତା’ପରେ ଚୁପ୍‌ ରହିଗଲା । ମୋ’ରି ଭଳି ତାକୁ ମଧ୍ୟ ଚିନ୍ତା ଘାରିଲା; କିନ୍ତୁ ଏଥିରେ ଭାବିବାର କ’ଣ ଅଛି ? ଏକାସାଙ୍ଗରେ ପଢ଼ୁଥିଲେ । ପରିଚୟଟା ସ୍ୱାଭାବିକ । ମାମୁଲିବି ହୋଇପାରେ । ହଠାତ୍‌ ଅନ୍ୟ କିଛି ଭାବନାକୁ ମୁଣ୍ଡ ଭିତରେ ପୂରେଇବା କ’ଣ ଠିକ୍‌ ହେବ ?

 

ଉଷା ଗମ୍ଭୀର । ମୁଁ ନୀରବ ।

 

ମୁନ୍ନା ଆମର ଭଲପିଲା । ଇଂରାଜୀରେ ଯାହାକୁ କୁହାଯାଏ ‘ଗୁଡ଼୍‌ ବୟ’ । ତା’ର ଚରିତ୍ର, ଆଚାର–ବ୍ୟବହାରରେ କୌଣସି ଗଲ୍‌ତି ଆମେ ଏଯାଏ ଦେଖିନାହୁଁ । କୌଣସି ଦିନ ସେ ଆମର ଦୁଶ୍ଚିନ୍ତାର କାରଣ ହୋଇନାହିଁ । ଆମ ଅଲକ୍ଷ୍ୟରେ ଏବଂ ଆମ ବିନା ଅନୁମତିରେ ସେ ଯେ କିଛି ଆମେ ଅନୁମୋଦନ ନ କରୁଥିବା କାମ କରିବସିବ, ଆମେ ତାହା ବିଶ୍ୱାସଇ କରିପାରୁନା । ଏଇସବୁ ଚିନ୍ତାକରି ଆମେ ଆମର ପୁଅକୁ ଏ ସମ୍ପର୍କରେ କିଛି ପଚାରିଲୁ ନାହିଁ ।

 

କିନ୍ତୁ ସେଇ ଦିନହିଁ ଆଉ ଏକ ଘଟଣା ଘଟିଲା, ଯାହା ଆମ ବିଶ୍ୱାସକୁ ଦୋହଲାଇ ଦେଲା । ଦିପହରେ ରାଣୀ ଆସି ଆମ ଘରେ ହାଜର । ପ୍ରାୟ ଅଢ଼େଇଟା ବାଜିବ । ଖିଆପିଆର ପର୍ବ ଶେଷକରି ଆମେ ଟିକିଏ ବିଶ୍ରାମ ନେଉଥାଉ । ମୁନ୍ନା ମଧ୍ୟ ତା’ ରୁମ୍‌ ଭିତରେ ଥାଏ । ଉଷା ଆସି କବାଟ ଖୋଲିଲା । ରାଣୀ ଉଷାକୁ ସାଷ୍ଟାଙ୍ଗ ପ୍ରଣିପାତ କରି ପଚାରିଲା–ମୁନ୍ନା ଭାଇ ଅଛନ୍ତି ?

 

ଉଷା ହୁଏତ ରାଣୀକୁ ଚିହ୍ନି ପାରି ନଥିଲା । ମୁନ୍ନାକୁ ଉଦ୍ଦେଶ୍ୟ କରି ସେ ଡାକିଲା–ମୁନ୍ନା ମୁନ୍ନା !

 

ମୁନ୍ନା ତା’ ରୁମ୍‌ ଭିତରୁ ବାହାରିଆସିଲା । ଝିଅଟିକୁ ଦେଖି କହିଲା–ଆରେ ରାଣୀ ! ହଠାତ୍‌ ଏ ଖରାବେଳେ !

 

ରାଣୀ କହିଲା–ଭାରି ଭଲ ଖବର, ମୁନ୍ନା ଭାଇ, କ’ଣ ହବ କହିଲ ?

 

ସେମାନଙ୍କର ଏଇ କଥାବାର୍ତ୍ତା ଭିତରେ ଉଷା ନିର୍ବାକ୍–ନିସ୍ପନ୍ଦ ହୋଇ ଠିଆ ହେଇଥାଏ-। ତା’ର ହୁଏତ ମନେହେଉଥାଏ–ହଠାତ୍‌ ଆମ ଗୃହ ମଧ୍ୟରେ ଏକ ଅଶୁଭ ଗ୍ରହ ପ୍ରବେଶ କରିଚି-

 

ରାଣୀ କହିଲା–ବାପା ହୋମ୍‌ ଡିପାର୍ଟ୍‍ମେଣ୍ଟରୁ ଲିଷ୍ଟ୍‌ ଦେଖି ଆସିଲେ ତୁମେ ଆଇ.ଏ.ଏସ୍‌. ପାଇଚ । ସାତଜଣ ଓଡ଼ିଆ ପିଲା ସିଲେକ୍ଟେଡ଼–ତାଙ୍କ ଭିତରେ ତୁମେ ପ୍ରଥମ ।

 

ତା’ପରେ ମୁନ୍ନା ଏବଂ ରାଣୀ ମୁନ୍ନାର ଘର ଭିତରକୁ ଯାଉ ଯାଉ ମୁନ୍ନା କହିଗଲା–ମା’, ରାଣୀ ଏତେବଡ଼ ଖବରଟା ଦେଲା; ତାକୁ ମିଠାମୁହଁ କରାଅ ।

 

ଉଷା ଆସି ଏଇ ସୁଖବରଟା ମୋତେ ଦେଇଗଲା । ତା’ରି ଭିତରେ ସେ ଭୁଲିଗଲା ରାଣୀ ଝିଅଟା ଆମ ଘରକୁ ଆସିଚି ବୋଲି । ଖବରଟାର ଆନନ୍ଦରେ ଆତ୍ମହରା ହେଇ ମୁଁ ମୁନ୍ନାକୁ ଦେଖିବି ବୋଲି ଘର ଭିତରୁ ବାହାରିଆସିଲି । ରାଣୀ ମୁନ୍ନାର ଖଟ ଉପରେ ବସିଥିଲା । ମୋତେ ଦେଖି ଉଠି ଆସି ମାଟିତଳେ ମୁଣ୍ଡ ଲଗାଇ ମୋ ଜାଣିବାପାଇଁ ଖବରଟାକୁ ଆଉଥରେ ପ୍ରକାଶ କଲା ଏବଂ କହିଲା–ବାପା ମୋତେ କହିଲେ ଆସି ମୁନ୍ନା ଭାଇକୁ ଏ ଖବରଟା ଦେଇ ଯିବାପାଇଁ ।

 

ମୁନ୍ନା ମଧ୍ୟ ବସିଥିବା ଜାଗାରୁ ଉଠିଆସି ମୋ ପାଖରେ ଠିଆହେଲା । ତା’ର ଏ ସଫଳତାର ସୌଭାଗ୍ୟରେ ସେ ହୁଏତ ମୋ’ଠୁ ଚାହୁଁଥିଲା ଆଶୀର୍ବାଦ । ଭଗବାନ ତା’ର ଯାତ୍ରାପଥକୁ ନିଷ୍କଣ୍ଟକ କରନ୍ତୁ ।

 

ଉଷା ଫ୍ରିଜ୍‌ରୁ ମିଠା କାଢ଼ି ଦୁଇଟି ପ୍ଲେଟ୍‌ରେ ସଜେଇ ନେଇ ଆସିଚି । ରାଣୀ କହିଲା–ମାଉସୀ, ମୁନ୍ନାଭାଇ କହିଲେ ବୋଲି ଆପଣବି ସତକୁସତ କଷ୍ଟ କରି ମିଠା ନେଇଆସିଲେ ?

 

ଉଷା ମୁହଁରେ ମୁଁ ହସ ଦେଖିଲି । ସେ କହିଲା–ଏତେ ବଡ଼ ଖବରଟା ତୁମେ ଦେଲ, ତା’ ତୁଳନାରେ ଏ ମିଠା ଦି’ଟା କିଛି ନୁହେଁ । ଖରାରେ ଆସିଚ, ଖାଇ ଦିଅ । ମୁଁ ସରବତ ଆଣିଦଉଚି ।

 

ମୁନ୍ନା ଘର ଟେବୁଲ୍‌ ଉପରେ ମିଠା ପ୍ଲେଟ୍‌ ରଖିଦେଇ ଉଷା ଚାଲିଆସିଲା । ମୁନ୍ନା ରାଣୀକୁ କହିଲା–ମା’ ଦେଇଗଲେଣି ଯେତେବେଳେ ଖାଇବାକୁଇ ତ ହେବ ।

 

ଦୁହେଁ ଚାଲିଗଲେ । ମୁଁ ମଧ୍ୟ ମୋ ରୁମ୍‌ ଭିତରକୁ ଫେରିଆସିଲି । ଚେୟାର୍‌ ଉପରେ ବସି ଭାବୁଥିଲି, ସତରେ ମୁଁ ଆଜି ରାଣୀକୁ ଦେଖିଲି ନା ନୟନାକୁ ଦେଖିଲି ! ଆଦ୍ୟ ଜୀବନରେ ନୟନାଙ୍କୁ ମୁଁ ଯାହା ଦେଖିଥିଲି, ରାଣୀ ଅବିକଳ ସେମିତି ଦିଶୁଚି । ଖାଲି ଚେହେରା ନୁହେଁ, ତା’ର କଥାବାର୍ତ୍ତା ଓ କଣ୍ଠସ୍ୱର ନୟନାଙ୍କ ଅନୁରୂପ । ତା’ ଚେହେରା ନ ଦେଖି ଖାଲି କଣ୍ଠସ୍ୱର ଶୁଣିଥିଲେ ମୁଁ ହୁଏତ ଭାବିଥାନ୍ତି ନୟନା ଆସିଛନ୍ତି ବୋଲି ।

 

ରାଣୀ ସିକ୍‌ସଥ ଇଅରରେ ପଢ଼ୁଚି । ଭଲ ପଢ଼ୁଚି । ଫାଷ୍ଟ୍‌ କ୍ଲାସ୍‌ ପାଇବ ବୋଲି ଆଶା କରୁଚି । ସବ୍‌ଜେକ୍‌ଟ ତା’ର ପଲିଟିକାଲ୍‌ ସାଇନ୍‌ସ । ମୁନ୍ନାର ମଧ୍ୟ ଥିଲା ପଲିଟିକାଲ୍‌ ସାଇନ୍‌ସ । ଇଚ୍ଛା ହେଉଥିଲା ତା’ ବାପାଙ୍କ ଖବର ଅନ୍ତର ପଚାରିବି; ମାତ୍ର ଅଯଥାରେ ପୁଣି ସେ ଦ୍ୱନ୍ଦ୍ୱ ଭିତରକୁ ପଶିବାକୁ ଆଗ୍ରହୀ ହେଲି ନାହିଁ ।

 

ଜଗଦୀଶବାବୁ ମୁନ୍ନାର କୃତିତ୍ୱ ଖବର ତାଙ୍କରି ଝିଅ ହାତରେ ଆମ ଘରକୁ ପଠାଇଲେ । ତାଙ୍କ ସହିତ ମୋର ଯେତେ ଶତ୍ରୁତା ଥାଉନା କାହିଁକି, ହଠାତ୍‌ ମନଟା ମୋର ତାଙ୍କ ପ୍ରତି ସମବେଦନାରେ ପୂରିଉଠିଲା । ସ୍ତ୍ରୀ ନୟନା ମିଶ୍ରଙ୍କପାଇଁ ସେ ଆଜି ଦଣ୍ଡିତ ହେବାକୁ ଯାଉଛନ୍ତି । ନୟନାଙ୍କୁ ବିବାହ କରି ସେ କେତେଟା ଶାନ୍ତି ପାଇଚନ୍ତି, କେତେଦିନ ସୁଖରେ କାଟିଚନ୍ତି, ତା’ର ସମ୍ପୂର୍ଣ୍ଣ ଖବର ତାଙ୍କ ପାଖରେ ଥିଲେବି, ସେ ଖବରରୁ କିଛି ଅଂଶ ମୋତେବି ଜଣାଅଛି ।

 

ନିରୀହ ଜଗଦୀଶ ମିଶ୍ର ! ତୁମପାଇଁ ମୁଁ ଆଜି ସମବେଦନା ଜଣାଉଛି । ତୁମ ଦୁଃଖରେ ଅଶ୍ରୁସମ୍ୱରଣ କରୁଚି ।

 

ସେମାନଙ୍କୁ ସରବତ ଦେଇସାରି ଉଷା ଆସିଲା । ମୁଁ ସେମିତି ବସିରହିଥିଲି । ଟେବୁଲ୍‌ ଉପରେ ଥିବା ଡବାରୁ ସାଦା ଧଣିଆ କାଢ଼ି ପାଟିରେ ପକେଇଲା । ଆମ ଦୁହିଁଙ୍କର ଅନେକ କିଛି ଆଲୋଚନା କରିବାର ଥିଲେବି ଦୁହେଁଯାକ ପାଟି ନ ଫିଟେଇ ନୀରବ ରହିଥିଲୁ ।

 

ଆମେ କି ଆଲୋଚନା କରିଥାନ୍ତୁ ? ଏ ପରିସ୍ଥିତିରେ ରାଣୀ ତ ହେଇଥାନ୍ତା ଆମର ଆଲୋଚ୍ୟ ବିଷୟ; କିନ୍ତୁ ଏ ଘରେ ଆମର ଆଲୋଚନାଟା ଆରଘରକୁ ଶୁଭିବାର ସମ୍ଭାବନା ରହିଛି-। ଆମ କଥା ସେମାନେ କୁଆଡ଼େ ଶୁଣିନେବେ । ସେହି ଭୟରେ ଆମେ ଚୁପ୍‌ ରହିଲୁ ।

 

କିଛି ସମୟପରେ ଜଣାଗଲା ମୁନ୍ନା ଓ ରାଣୀ ବାହାରକୁ ଆସିଲେ । ମୁନ୍ନା ସ୍କୁଟର୍‌ କାଢ଼ିବାର ଶବ୍ଦ ଆମେ ଶୁଣିଲୁ । ତା’ପରେ ସ୍କୁଟର୍‌ ଷ୍ଟାର୍ଟ୍ ହେବାର ଶବ୍ଦ ହେଲା । ଶବ୍ଦ ଦୂରେଇଗଲା-। ଉଷା ଓ ମୁଁ ଉଭୟ ବାହାରକୁ ଆସିଲୁ । ଦେଖିଲୁ ରାଣୀକୁ ସ୍କୁଟର୍‌ ପଛରେ ବସେଇ ମୁନ୍ନା ଚାଲିଯାଉଛି । ଏ ଦୃଶ୍ୟରେ ଆମ ମୁହଁର ସରସତା ହଜିଗଲା । ବୋଧହୁଏ ଦୁହେଁଯାକ ଦୀର୍ଘନିଃଶ୍ୱାସ ପକେଇ ରୁମ୍‌ ଭିତରକୁ ଫେରିଆସିଲୁ । ମୁଁ ଯାଇ ପଲଙ୍କ ଉପରେ ଶୋଇଗଲି-। ଉଷା ଚେୟାର୍‌ ଉପରେ ବସିପଡ଼ିଲା ।

 

ପୁଣି ସେଇ ନୀରବତା ।

 

ଚାକରପିଲାଟା ଆସି ପଚାରିଲା–ମା’, ଏବେ ଚା’ କରିବି ?

 

ମୁଁ କହିଲି–ହଁ, ଏବେ କରିଆଣ ।

 

ରୋଷେଇଘରର ଦର୍ଜା ଖୋଲି ଚାକରପିଲାଟା ଚା’ କରିବାକୁ ଗଲା । ତା’ ପଛେ ପଛେ ଉଷା ମଧ୍ୟ ଉଠିଯାଇ ରୋଷେଇଘର ଭିତରେ ପଶିଲା । ଗ୍ୟାସ୍‌ ଚୁଲିରେ ଚା’ ତିଆରି । ତିନି ମିନିଟ୍‌ ସମୟ ଲାଗେ । ଦି’ହାତରେ ଦି’କପ୍‌ ଚା’ ଧରି ଉଷା ଘରଭିତରେ ପୁନଃପ୍ରବେଶ କଲା । ଅଧା ଚା’ ଖାଇବା ପରେ ସତେ ଯେମିତି ଆମ ଦୁହିଁଙ୍କର ବାକ୍‌ଶକ୍ତି ଫେରିଆସିଲା ।

 

ଉଷା ପଚାରିଲା–କ’ଣ ଦେଖିଲ ?

 

କହିବାକୁ ଗଲେ ଦେଖିବାର କ’ଣ ବା ଥିଲା ? ରାଣୀର ସୁସମ୍ୱାଦ ନେଇ ଆସିବା, ମିଠା ଖାଇବା ଓ ଫେରିଯିବାରେ ଗୁରୁତ୍ୱ କ’ଣ ଅଛି ? ଏହା କ’ଣ ଏକ ମାମୁଲି ଘଟଣା ନୁହେଁ ? ତାକୁ ନେଇ ଏତେ ମୁଣ୍ଡବ୍ୟଥା କରେଇବାର ଲାଭ କ’ଣ ?

 

ଉଷା ମୋ’ଠୁ ତା’ ପ୍ରଶ୍ନର କୌଣସି ଉତ୍ତର ପାଇଲାନାହିଁ । ମୁଁ ଚା’ଟା ନିଃଶେଷ କରି ଦୋକାନ ବାହାରିପଡ଼ିଲି । ପ୍ରଶ୍ନର ଉତ୍ତରପାଇଁ ସେ ବି ବେଶି ଜିଗର କଲାନାହିଁ । ମୋ ମୁହଁର ଭାବରୁ ସେ ବି ଜାଣିପାରିଥିଲା, ମୁଁ ମଧ୍ୟ ତା’ ଭଳି ଚିନ୍ତିତ ।

 

X X X X

 

ଦୋକାନରେ ପହଞ୍ଚି ଆଉ ଏକ ସୁସମ୍ୱାଦ ପାଇଲି । ପ୍ରଭୁଲାଲ ଯେଉଁ ଇଣ୍ଡଷ୍ଟ୍ରିପାଇଁ ଯୋଗାଡ଼ଯନ୍ତ୍ର କରୁଥିଲା, ସେ ଇଣ୍ଡଷ୍ଟ୍ରିପାଇଁ ସରକାରୀ ଅନୁମତି ମିଳିଯାଇଛି । ଏହା ପାଞ୍ଚଲକ୍ଷ ଟଙ୍କାର ଏକ ଯୋଜନା । ଏହି କାରଖାନାରେ ଇଲେକ୍‌ଟ୍ରିକ୍‌ କେବଲ୍‌ ତିଆରି ହେବ । ନବେଭାଗ ଟଙ୍କା ଋଣ ଆକାରରେ ମିଳିବ, ଦଶଭାଗ ଟଙ୍କା ନିଜକୁ ଖଟେଇବାକୁ ପଡ଼ିବ ।

 

କେଉଁ କାରଖାନା ବସେଇବ ସେ ନେଇ ପ୍ରଭୁଲାଲ ଅନେକ ଅନୁସନ୍ଧାନ କରିବାପରେ କେବଲ୍ ତିଆରି କାରଖାନା ବସେଇବାପାଇଁ ସିଦ୍ଧାନ୍ତ କରି ସରକାରୀ ଅନୁମତି ଓ ଋଣ ପ୍ରଭୃତି ସମ୍ପର୍କରେ ଦରଖାସ୍ତ କରିଥିଲା । ସାରା ଦେଶଟାରେ ବିଦ୍ୟୁତ୍‌ର ସଂପ୍ରସାରଣ ଯେପରି ଭାବରେ ଘଟୁଚି, କେବଲ୍ ତିଆରି ଏକ ଲାଭଜନକ ବ୍ୟବସାୟ । ଉତ୍ପାଦିତ ସମସ୍ତ କେବଲ୍‍ ସରକାର କିଣିନେବେ । ସେଥିପାଇଁ ବାହାରେ ମାର୍କେଟ ଖୋଜିବାର ଆବଶ୍ୟକତା ନାହିଁ ।

 

ପ୍ରଭୁଲାଲଠୁ ଶୁଣିଲି ସରକାରୀ ମଞ୍ଜୁରିର ସୁଖବରଟା ଜଗଦୀଶବାବୁ ତାଙ୍କ ଚାକର ମାଧ ହାତରେ ପଠାଇଛନ୍ତି । ଖବରଟା ପାଇ ପ୍ରଭୁଲାଲ ଯାଇ ଜଗଦୀଶବାବୁଙ୍କ ସହିତ ସାକ୍ଷାତ କରି ଆସିଚି ।

 

ଜଗଦୀଶବାବୁ ସେଦିନ ନିଜ ସମ୍ପର୍କରେ ବୁଝିବାପାଇଁ ସେକ୍ରେଟେରିଏଟ୍‌ ଯାଇଥିଲେ । ସେଇଠୁ ଏ ସବୁ ଖବର ସଂଗ୍ରହ କରି ଫେରି ରାଣୀକୁ ଆମ ଘରକୁ ଏବଂ ମାଧକୁ ଦୋକାନକୁ ପଠାଇଥିଲେ ।

 

ପ୍ରଭୁଲାଲ କହିଲା–ଭାଇନା, ଜଗଦୀଶବାବୁ ଆଜି ଭାରି ଅନୁତାପ କରୁଥିଲେ । ତାଙ୍କପାଇଁ କ’ଣ କିଛି କରି ହୁଅନ୍ତା ନାହିଁ ?

 

ମୁଁ ପ୍ରଭୁଲାଲର ମୁହଁକୁ ଚାହିଁଲି । ଆଜିର ଏଇ ସାମାନ୍ୟ ଘଟଣାରେ ସେ ଜଗଦୀଶବାବୁଙ୍କ ପ୍ରତି ଏତେ ଅନୁରକ୍ତ ହେଇପଡ଼ିଲା । ଶିଳ୍ପ ପ୍ରତିଷ୍ଠାପାଇଁ ତାକୁ ମୋର ଯେଉଁ ମନ୍ତ୍ରୀବନ୍ଧୁ ସବୁପ୍ରକାର ସାହାଯ୍ୟ କରିଛନ୍ତି ଏବଂ ଯେ ଆଜି କରିବାକୁ ଯାଉଛନ୍ତି ଜଗଦୀଶବାବୁଙ୍କର ସର୍ବନାଶ, ତାଙ୍କ କାମକୁ ସମର୍ଥନ ନ କରିବାଟା କ’ଣ ବିଶ୍ୱାସଘାତକତା ହେବ ନାହିଁ ? ମୁଁ ଜାଣେ, ମୋ ବନ୍ଧୁ ତାଙ୍କ ନିଷ୍ପତ୍ତିରେ କିପରି ଅଟଳ । ତାଙ୍କ ପାଖରେ ଜଗଦୀଶବାବୁଙ୍କ ସପକ୍ଷରେ କିଛି କହିଲେ ସେ ନିଶ୍ଚୟ ଭୁଲ୍‌ ବୁଝିବେ ।

 

ପ୍ରଭୁଲାଲକୁ ମୁଁ ବୁଝେଇଦେଲି–ମନ୍ତ୍ରୀଙ୍କର ଅନୁଗ୍ରହ ଚାହୁଁଥିବାବେଳେ ଜଗଦୀଶବାବୁଙ୍କ ସମ୍ପର୍କରେ ମୁଣ୍ଡ ଖେଳେଇବା ଉଚିତ ନୁହେଁ । କର୍ମ ଘେନି ଫଳ । As you sow, so you reap–ଜଗଦୀଶବାବୁ ନିଜ ସ୍ତ୍ରୀକୁ ଆୟତ୍ତରେ ନ ରଖିପାରିବାଟା ତାଙ୍କର ଭୁଲ । ତାଙ୍କ ସମ୍ପର୍କରେ କାର୍ଯ୍ୟଟା ଶେଷହେବା ଉପରେ । ଏଇମାତ୍ର କିଛିଦିନ ତଳେ ମନ୍ତ୍ରୀ ସେହି କଥାର ସୂଚନା ଦେଉଥିଲେ । ବର୍ତ୍ତମାନର ପରିସ୍ଥିତିରେ ସବ୍‌ସେ ଚୁପ୍‌ ଭଲା ।

 

ପ୍ରଭୁଲାଲ ମୋ କଥାର ପ୍ରତିବାଦ କଲା ନାହିଁ । ତା’ ମନ ଭିତରେ କିନ୍ତୁ ଜଗଦୀଶବାବୁଙ୍କ ପ୍ରତି ସହାନୁଭୂତିର କ୍ଷୀଣ ମନ୍ଦାକିନୀଧାରା ପ୍ରବାହିତ ହେଉଥିଲା ।

 

ଆଉ ମୋ ମନ ଭିତରେ ? ମୁଁ ବି କ’ଣ ସେଥିରୁ ମୁକ୍ତ ଥିଲି ? ମୁଁ ବି କ’ଣ ଭାବୁ ନଥିଲି ଯେ–ଜଗଦୀଶବାବୁଙ୍କ ପ୍ରତି ଯେଉଁ ଦଣ୍ଡବିଧାନ ହେବାକୁ ଯାଉଛି, ତାହା ତାଙ୍କ ପ୍ରତି ଚରମ ଶାସ୍ତି–ମୃତ୍ୟୁଦଣ୍ଡ ତୁଲ୍ୟ । ଜଣକର ଚାକିରି ନିଆଯିବାଠାରୁ ତାକୁ ମୃତ୍ୟୁଦଣ୍ଡ ବରଂ ଦେଇଦେବା ଭଲ । ଆଖି ବୁଜିଲେ ଦୁଶ୍ଚିନ୍ତା–ଜଞ୍ଜାଳର ଶେଷ । ତେଣିକି ପିଲାଛୁଆ ପରିବାର ଜାହାନ୍ନମକୁ ଗଲେବି ଭାବିବାର କିଛି ନଥାଏ । ମୋ ବ୍ୟକ୍ତିଗତ ଜୀବନରେ ସେମାନେ ମୋ ପ୍ରତି କରିଥିବା ଚରମ ଅନ୍ୟାୟ ସତ୍ତ୍ୱେବି ଆଜି ମୋ ମନୁଷ୍ୟତ୍ୱ, ବିବେକ ସେମାନଙ୍କ ଭାବୀ–ଦୁଃଖରେ କାତର ହେଇ ଉଠୁଥିଲା । ଉଷା ଭୟରେହିଁ ମୁଁ ଯଦିଓ ମୋ ମନର ଭାବକୁ ପ୍ରକାଶ କରୁ ନଥିଲି; କିନ୍ତୁ ମନଟା ମହମବତୀ ପରି ତରଳି ତରଳି ଯାଉଥିଲା । ଉପରେ ଦୃଢ଼ତା ଦେଖେଇ ଭିତରେ ମୁଁ ଦବି ଦବି ଯାଉଥିଲି ।

 

ହଠାତ୍‌ ଆଜି ମୋ ମନଭିତରେ ଏଭଳି ଭାବନାର ଉଦୟ ହେଲା କିପରି ଓ କାହିଁକି ?

 

ଜଗଦୀଶବାବୁଙ୍କର ଏଇ ସାମାନ୍ୟ ଉପକାର ପାଇଁ ?

 

ରାଣୀକୁ ମୁନ୍ନା ସହିତ ଦେଖିବା ପରେ ?

 

ନୟନାଙ୍କର ଦୁଃଖମୟ ଭବିଷ୍ୟତ ଜୀବନର ଚିତ୍ର କଳ୍ପନା କରି ?

 

ଏ ପ୍ରଶ୍ନର ଉତ୍ତର ମୁଁ ଆଜି ପାଉ ନଥିଲି । ପ୍ରଭୁଲାଲକୁ କହିଲି–ବରଂ ସନ୍ଧ୍ୟାରେ ଯାଇ ଏଥିପାଇଁ ମନ୍ତ୍ରୀଙ୍କ ପାଖରେ କୃତଜ୍ଞତା ପ୍ରକାଶ କରି ଆ ।

 

ମୋର ଏ ଉପଦେଶ ପରେ ଯଦିଓ ସେ ଆଉ କିଛି କହିଲା ନାହିଁ; କିନ୍ତୁ ମୋ କଥାରେ ଯେ ସେ ସନ୍ତୁଷ୍ଟ ନୁହେଁ, ତା’ର ମୁଖଭଙ୍ଗି ମୋତେ ଏ କଥା ଜଣେଇଦେଲା ।

 

ପରଦିନ ଖବରକାଗଜରେ ମୁନ୍ନାର କୃତିତ୍ୱ ବିଷୟ ପ୍ରକାଶିତ ହେବାପରେ ଆମ ଘରେ ବେଶ୍‌ ଭିଡ଼ ଜମିଗଲା । ମୁନ୍ନାର ବନ୍ଧୁଗଣ ତ ଆସିବାର କଥା–ଆସିଲେ, ତାକୁ ବଧେଇ ଜଣେଇଲେ, କେହି କେହିବା ଫୁଲତୋଡ଼ା, ସନ୍ଦେଶ ପୁଡ଼ିଆ ଆଣି ଉପହାର ଦେଇଗଲେ; ମାତ୍ର ତା’ ସହିତ ମୋର ଅନେକ ବନ୍ଧୁବାନ୍ଧବବି ଆସି ମୋତେ ଅଭିନନ୍ଦନ ଜଣେଇଗଲେ । ସତେ ଯେମିତି ମୁଁ ହିଁ ଆଇ.ଏ.ଏସ୍‌. ପାଇଚି ।

 

ଆସିଥିଲେ ଜଗଦୀଶ ମିଶ୍ର, ନୟନା ମିଶ୍ର ଓ ରାଣୀ । ମୋତେ ଦେଖି ନୟନାଙ୍କ ଆଖିରୁ ଲୁହ ଝରିପଡ଼ିଲା । ତାଙ୍କ ମୁହଁରେ ସେ ତେଜ ନାହିଁ କି ସେ ଚଞ୍ଚଳତା ନାହିଁ । ଆଖି ନିସ୍ତେଜ । କଥାରେ ଅନୁଗ୍ରହ–ପ୍ରାର୍ଥନାର ନମ୍ରତା । ଜଗଦୀଶବାବୁଙ୍କୁ ଦେଖି ମନେହେଲା ସେ ଯେମିତି କାହିଁ କେତେ ଦିନୁ ଅବସରଗ୍ରହଣର ବୟସରେ ପହଞ୍ଚି ଅବସର ନେଇସାରିଲେଣି । ବାର୍ଦ୍ଧକ୍ୟ ଘୋଟିଯାଇଚି ଆଖିରେ, ମୁଖମଣ୍ଡଳରେ । ତାଙ୍କୁ ଦେଖି ମୋ ମନଟା ସମବେଦନାରେ ଆର୍ଦ୍ର ହେଇଆସିଲା । ମୋର ଆଜି ଆନନ୍ଦର ଦିନ । ଆଜିପରା ଦିନରେ ମୋର ଭଗବାନଙ୍କ ନିକଟରେ ପ୍ରାର୍ଥନା ହେବା ଉଚିତ–ମୋ ଶତ୍ରୁପାଇଁବି ଆଜି ଦିନଟା ନିରାନନ୍ଦରେ ପରିଣତ ନ ହେଉ ।

 

ଜଗଦୀଶବାବୁ ମୋତେ କହିଲେ–ନୀଳମାଧବବାବୁ, ଚନ୍ଦ୍ରମାଧବର ଭବିଷ୍ୟତ ଜୀବନ ସୁଗନ୍ଧମୟ ହେଉ ।

 

ମୁଁ ଦୁଇହାତ ଯୋଡ଼ି ପୁଅ ତରଫରୁ ତାଙ୍କ ଆଶୀର୍ବାଦଟା ଗ୍ରହଣ କରି ନେଇଥିଲି । ମୋ’ରି ସାମନାରେ ରାଣୀ ଧରିଥିବା ଫୁଲତୋଡ଼ାଟାକୁ ମୁନ୍ନା ହାତରେ ଦେଲା । ମୁନ୍ନା ତା’ର ବନ୍ଧୁ ଏବଂ ବାନ୍ଧବୀମାନଙ୍କୁ ନେଇ ତା’ ଶୋଇବାଘରେ ବସାଉଥାଏ । ଯୌବନଯାତ୍ରୀ–ଯାତ୍ରିଣୀମାନଙ୍କର ଅଫୁରନ୍ତ ଉନ୍ମାଦନାର ଉତ୍ତାଳ ସ୍ରୋତର ଗତି ଭିନ୍ନମୁଖୀ । ଆମର ଉପସ୍ଥିତି ସେ ଗତିକୁ ସାବଲୀଳ ହେବାରେ ବାଧା ସୃଷ୍ଟି କରିବ । ତେଣୁ ସେମାନଙ୍କୁ ଆମେ ଏ ଦିଗରେ ସ୍ୱାଧୀନତା ଦେବା ସ୍ୱାଭାବିକ ।

 

ନୟନା ଭିତରକୁ ଚାଲିଗଲେ ଉଷାର କକ୍ଷକୁ । ସେଠି ଆଗରୁ ଆଉ କିଛି ମହିଳାଙ୍କର ସମାବେଶ ହୋଇଥିଲା । ବାହାରେ ରହିଗଲୁ ଆମେ କିଛି ସମବୟସ୍କ ବନ୍ଧୁ ଯେଉଁମାନଙ୍କର ଆଉ ଭବିଷ୍ୟତ ନାହିଁ, ଅଛି କେବଳ ଅତୀତ । ସତରେ, ପଚାଶ ଟପିଥିବା ମଣିଷମାନଙ୍କର ଅତୀତ ଛଡ଼ା ଆଉ କ’ଣ ଥାଏ ? ବିଗତ ଜୀବନର ସ୍ମୃତିକୁ ଚର୍ବିତ–ଚର୍ବଣ କରିବାରେହିଁ ଏମାନଙ୍କର ଥାଏ ଆନନ୍ଦ-। ଅତୀତ ଭିତରେ କେବଳ ନୟନା ମିଶ୍ରଙ୍କ ମୁହଁ ଛଡ଼ା ମୋତେ ଆଉ କିଛି ଦେଖାଯାଉ ନଥିଲା-। ଜୀବନରେ ଅନେକ ଘଟଣା ଦୁର୍ଘଟଣା ଘଟିଚି । ପିତାମାତାଙ୍କର ବିୟୋଗ, ଚାକିରିରେ ପଦୋନ୍ନତି, ବୈଧବ୍ୟ, ବ୍ୟବସାୟ, ରାଜନୀତି, ମୁନ୍ନାଭଳି ସପୁତ୍ରର ଭାଗ୍ୟୋଦୟ ମୋ ଜୀବନରେ ଏକ ଏକ ଅଭୁଲା ଅଧ୍ୟାୟ । କିନ୍ତୁ ସେ ଅଧ୍ୟାୟଗୁଡ଼ାକ ଆଜି କାହିଁକି କେଜାଣି ମନେ ପଡ଼ୁନାହିଁ ।

 

ଖାଲି ମନେପଡ଼ୁଛନ୍ତି ନୟନା ମିଶ୍ର । ତାଙ୍କୁହିଁ ଘେରି ମନଚାତକପକ୍ଷୀ ଉଡ଼ି ବୁଲୁଚି । ତାଙ୍କରି ଦେହ–ତରୁରେ ସେ କ’ଣ ଠାବର ସନ୍ଧାନ କରୁଛି ? ପାଇନାହିଁ–ପାଉନାହିଁ ବୋଲି ମନ ଭିତରେ ଆଜି ଆଲୋଡ଼ନ ! ବୟସ ଖସିଚି । ନୀଳ ଆଖିର ତାରକା ଆଜି ଭାଷାହୀନ । ଦେହଡ଼େଣା ଅବଶ ।

 

ନୟନାଙ୍କୁ ଦେଖି ଆଜି ଖାଲି ଯେ ଦୁଃଖ ହେଉଥିଲା ତା’ ନୁହେଁ, ହୃଦୟରେ ଗଭୀର ଯନ୍ତ୍ରଣା ମୁଁ ଅନୁଭବ କରୁଥିଲି । ସେ ଦିନର ରୂପଗରବିଣୀ–ବସନ୍ତର ଐଶ୍ୱର୍ଯ୍ୟରେ ଉନ୍ମତ୍ତା–ଯୌବନରାଜ୍ୟରେ ପ୍ରଥମ ଅଭିଷିକ୍ତା ନୟନା ମିଶ୍ରଙ୍କୁ ମୁଁ ଆଜି ମନଭିତରେ ଖୋଜୁଥିଲି । ଦିନେ ସୁଯୋଗ ଆସିଥିଲା । ସେ ସୁଯୋଗକୁ ପାଦରେ ଠେଲିଦେବାର ଦୋଷଟା ନୟନାଙ୍କର ନୁହେଁ, ମୋର । କେଉଁଠି ଥିଲେ ଅବିନାଶ ସେନ୍‌ ? କେଉଁଠି ଥିଲା ଚାକର ମାଧବ ? ଥିଲି କେବଳ ମୁଁ । ଥିଲି, ଥାଆନ୍ତିବି । ବେଶ୍‌ ଖେଳିପାରିଥାନ୍ତି । ଖେଳିଥିଲେ ଆଜି ତାଙ୍କୁ ନେଇ ଏତେଟା ଚିନ୍ତିତ ହେବାକୁ ପଡ଼ି ନଥାନ୍ତା ।

 

ହଠାତ୍‌ ମୋ ଭାବନାରେ ଆଘାତ ଦେଇ ଜଗଦୀଶବାବୁ କହିଉଠିଲେ–ନୀଳମାଧବବାବୁ, କାଲି କେତେବେଳେ ଟିକିଏ ସମୟ କରି ଆମ ଘର ଆଡ଼େ ଆସିପାରିବେ ? କାଲି ରାଣୀର ଜନ୍ମଦିନ ।

 

ସାମାଜିକତାର ବିନିମୟ କରିବାକୁ ପଡ଼ିବ । ସେ ପୁଣି କହିଲେ–ସସ୍ତ୍ରୀକ ସପୁତ୍ର ଆସିବେ । ନୟନା ଭିତରେ ଶ୍ରୀମତୀଙ୍କୁ ନିମନ୍ତ୍ରଣ ଜଣାଇଥିବ । ରାଣୀ ମଧ୍ୟ ଚନ୍ଦ୍ରମାଧବକୁ କହିଥିବ-

 

ତାଙ୍କର ନିମନ୍ତ୍ରଣ ଗ୍ରହଣ କରିବା ଛଡ଼ା ଗତ୍ୟନ୍ତର ନଥିଲା । ପ୍ରଭୁଲାଲ ପ୍ଲେଟ୍‌ରେ ମିଠା ଆଣି ସମସ୍ତଙ୍କ ସାମନାରେ ପରଷିଦେଇ ଯାଉଥିଲା । ଏକ ଆନନ୍ଦମୟ ପରିବେଶ ମଧ୍ୟରେ ଆମ ଘରଟା ବେଶ୍‌ ଉତ୍ସବମୁଖର ହେଇ ଉଠିଥିଲା । ମୁନ୍ନା ଟେପ୍‌ରେକର୍ଡ଼ର ମାଧ୍ୟମରେ ମୃଦୁ ସଙ୍ଗୀତ ମଧ୍ୟ ପରିବେଷଣ କରୁଥିଲା ।

 

ରାତି ନଅଟାବେଳେ ମନ୍ତ୍ରୀବନ୍ଧୁ ଆସି ପହଞ୍ଚିଗଲେ । କହିଲେ–ନୀଳ, ଏତେ ବଡ଼ଖବରଟା ମୋଠୁ ଲୁଚେଇ ରଖିଥିଲ ! ଦିଦିନ ହେଲା ଟୁର୍‌ରେ ଯାଇଥିଲି । ଆଜି ଫେରିବାମାତ୍ରେ ମୋ ପି.ଏ. ଏ ଖବରଟା ମୋତେ ଦେଲେ । ଯାହଉ, ତୁମେ ଭାଗ୍ୟବାନ ।

 

ମନ୍ତ୍ରୀ ବନ୍ଧୁ ହେଲେବି ତାଙ୍କ ଆଗମନ ପାଇଁ ଆମେ କେହି ପ୍ରସ୍ତୁତ ନଥିଲୁ । ତାଙ୍କୁ ଦେଖି ସମସ୍ତେ ଉଠିପଡ଼ି ତାଙ୍କୁ ସ୍ୱାଗତ ଜଣେଇଲୁ । ଜଗଦୀଶବାବୁଙ୍କୁ ଦେଖି ସେ ମୁହଁର ଭଙ୍ଗି ଏପରି କଲେ, ଯେମିତି କୁଇନାଇନ୍‌ ମିକ୍‌ଶ୍ଚର୍‌ରୁ ଚାମଚାଏ ଆଣି କିଏ ତାଙ୍କ ପାଟିରେ ଢାଳିଦେଲା । ମୁଁ ମୁନ୍ନାକୁ ଡାକିଦେଲି । ସେ ଆସିବାରୁ ମନ୍ତ୍ରୀ ବନ୍ଧୁ ତାକୁ କୁଣ୍ଢେଇ ପକେଇଲେ । ବାପର ନାଁ ରଖିଲ । ବେଶ୍‌ ଉନ୍ନତି କର ।

 

ମୁନ୍ନା ଯାଇ ତାଙ୍କପାଇଁ ମିଠା ଆଣିଦେଲେ । ପ୍ଲେଟ୍‌ରୁ ଗୋଟାଏ ପାଟିରେ ପକାଇ କହିଲେ–ମୋ ଡ୍ରାଇଭରକୁ ନେଇ ଦେଇଦିଅ ।

 

ମୁନ୍ନା କହିଲା–ମାମୁ ତା’ପାଇଁ ନେଇଗଲେଣି । ଆପଣ ଖାଆନ୍ତୁ ।

 

ସେ କହିଲେ–ନାଇଁ ବାବା, ଡାକ୍ତର ତ ମିଠା ଖାଇବାକୁ ପୂରା ମନା କରିଚି । ଡାଇବେଟିସ୍‌ ପେସେଣ୍ଟ୍‌, ଗୋଟେ ଖାଇଲିଣି, ସେଇ ଢେର୍‌ ।

 

ସେ ଯିବାକୁ ବାହାରିଲେ । ଟୁର୍‌ରୁ କ୍ଳାନ୍ତ ହେଇ ଫେରିଚନ୍ତି । ଏଇ ଯେ ଆସିଲେ ସେ ଆମର ସୌଭାଗ୍ୟ । ମୁଁ ତାଙ୍କ ସହିତ ଗାଡ଼ି ପର୍ଯ୍ୟନ୍ତ ଗଲି । ଗାଡ଼ିରେ ବସି କହିଲେ–ଜଗଦୀଶବାବୁଙ୍କୁ ଏଠି ଦେଖିଲି ଯେ–

 

ମୁଁ କହିଲି–ହଁ, ଆସିଛନ୍ତି । ତାଙ୍କ ଆସିବା ଦେଖ‌ି ମୁଁ ତ ଆଶ୍ଚର୍ଯ୍ୟ ହେଇଗଲି ।

 

ସେ କହିଲେ–ମୋ ପାଖକୁବି ଯାଇଥିଲା । ଏ ସଦ୍‌ବୁଦ୍ଧିଟା ଯଦି ଆଗରୁ ହେଇଥାନ୍ତା, ଆଜି ଏ ଅବସ୍ଥା ବା ହେଇଥାନ୍ତା କାହିଁକି ? ତା’ପରେ ମୋ ହାତରେ ବର୍ତ୍ତମାନ କ’ଣ ଅଛି ? ଫାଇଲ୍‌ ଚିଫ୍‌ ମିନିଷ୍ଟରଙ୍କ ଦସ୍ତଖତ ହେଇ ଫାଇନାଲ୍‌ ଅଡ଼ର୍‍ପାଇଁ ଦିଲ୍ଲୀ ଚାଲିଗଲାଣି । ଆଇ.ଏ.ଏସ୍‌. ଅଫିସରଙ୍କ ଦରଖାସ୍ତଟା ରାଷ୍ଟ୍ରପତିହିଁ କରିବେ । ନୟନା ମିଶ୍ରର ରାଜନୀତି କରିବା ସଉକ ଏବେ ବାହାରିଯିବ ।

 

ଗାଡ଼ି ଷ୍ଟାର୍ଟ୍ ହେଲା । ବନ୍ଧୁ ଚାଲିଗଲେ । ତାଙ୍କଠୁ ଫେରି ଜଗଦୀଶବାବୁଙ୍କୁ ଦେଖି କାନ୍ଦିବାକୁ ଇଚ୍ଛା ହେଉଥିଲା । ଦେବୀ–ଖପରରେ ବଳି ପଡ଼ିବେ ବୋଲି ସେ ନିର୍ଦ୍ଦିଷ୍ଟ ହେଇସାରିଲେଣି; କେବଳ ଅପେକ୍ଷା ସନ୍ଧିପୂଜାର ମୁହୂର୍ତ୍ତକୁ ।

 

ଦଶଟା ସୁଦ୍ଧା ସମସ୍ତେ ବିଦାୟ ନେଇ ଚାଲିଗଲେ । ଏତେ ଆନନ୍ଦମୁଖର ପରିବେଶଟା ପରେବି ଉଷା ଆଉ ମୁଁ ସାରା ରାତିଟା ନିଃସ୍ୱତା ଭିତରେ କଟେଇଦେଲୁ ।

 

ପରଦିନ ରାଣୀର ଜନ୍ମଦିନ । ଉଷାର ଯିବାପାଇଁ ଆଗ୍ରହ ନାହିଁ । ମୁଁ ତାକୁ ବାଧ୍ୟ କଲି । କାହାରି ସହିତ ଚିରସ୍ଥାୟୀ ଶତ୍ରୁତା ନଥାଏ । ଯାହା ହବାର ହେଇଯାଇଚି । ସେଗୁଡ଼ାକ ଭୁଲିଯିବାହିଁ ମଙ୍ଗଳ । ନଗଲେ ସବୁଆଡ଼ୁ କଥାଟା ଖରାପ ହବ । ପ୍ରଭୁଲାଲ ସପରିବାର ଯିବ । ଆମେ ନଗଲେ ସେ ବି ଯିବନାହିଁ । ମୁନ୍ନା ମଧ୍ୟ ନଯାଇପାରେ ।

 

ଉଷା କହିଲା–ମୁଁ ଚାହେଁ, ମୁନ୍ନା ତାଙ୍କ ଘରକୁ ନଯାଉ ।

 

ମୁଁ କହିଲି–ତୁମେ ଅସମ୍ଭବ କଥା କହୁଚ । ମୁନ୍ନା ନଯିବ କେମିତି ? ମୁନ୍ନା ନଗଲେ ସେମାନଙ୍କ ବନ୍ଧୁତ୍ୱରେ ଆଞ୍ଚ ଆସିବନି ?

 

ଉଷା କହିଲା–ମୁଁ ଚାହେଁ, ସେମାନଙ୍କ ଭିତରେ କୌଣସି ବନ୍ଧୁତା ନରହୁ ।

 

ମୁଁ ଆହୁରି ଉଦାର ହେଇ କହିଲି–ତୁମେ ଚାହିଁବା ନ ଚାହିଁବା ଉପରେ ସେମାନଙ୍କ ବନ୍ଧୁତା ନିର୍ଭର କରେନା । ଆମେ ନ ଗଲେ ପୁଅ ଭାବିବ କ’ଣ ?

 

ଉଷା ଟିକିଏ ଦୃଢ଼ ହେଇ କହିଲା–ଏବେଠୁ ବନ୍ଦ ନକରି ପ୍ରଶ୍ରୟ ଦେଲେ ଭବିଷ୍ୟତକୁ ଭାରି ଖରାପ ହେବ । ମୁଁ ତ ଆଦୌ ତାଙ୍କ ଘରକୁ ଯିବିନାହିଁ । ତୁମର ଯଦି ଇଚ୍ଛା, ତୁମ ପୁଅକୁ ନେଇ ଯାଅ ।

 

ପୁଣି ସେଇ ଅବୁଝା ନାରୀର ବିରକ୍ତିକର ଖିଆଲ । ମୁଁ କହିଲି–ପୁଅ ତ ନାବାଳକ ସ୍କୁଲ୍‍ଛାତ୍ର ହେଇ ନାହିଁ । ଆମର ସେଠିକି ଯିବା ନଯିବା ଉପରେ ତ ତା’ର ଭବିଷ୍ୟତଟା ନିର୍ଭର କରେନା । ସେ ଯଦି ବାପମା’ଙ୍କ ମୁହଁରେ କାଳି ଲେପି କିଛି ଗୋଟାଏ କରିବସେ, ଆମେ କ’ଣ ତାକୁ ସେଥିରୁ ନିବର୍ତ୍ତେଇ ପାରିବା ?

 

ସେ କହିଲା–ତୁମେ ଦୃଢ଼ ହେଲେ ସବୁ ହେବ ।

 

ମୁଁ କହିଲି–ନା ।

 

ସେ ଅବାକ୍‌ ହେଇ ମୋ ମୁହଁକୁ ଚାହିଁଲା । ମୁଁ କହିଲି–ମୁନ୍ନାର ମନୋଭାବ କ’ଣ ଏଯାଏ ଆମେ ଜାଣିନାହୁଁ ରାଣୀ ଛଡ଼ା ଆଉରି ଅନେକ ଝିଅ ତ କାଲି ଆସିଥିଲେ । ସେମାନଙ୍କର ଆସିବାଟା ସ୍ୱାଭାବିକ । ଆମେ ଏତେ ଶୀଘ୍ର ଏତେଟା ଶଙ୍କାକୁଳ ହବା ଉଚିତ ନୁହେଁ ।

 

ଯା’ ହଉ ଆମେ ଗଲୁ । ଯିବାବେଳେ ରାଣୀପାଇଁ ଦାମିକା ଶାଢ଼ିଟେ ମଧ୍ୟ ଉପହାର ନେଇଗଲୁ । ସେଦିନ ସେମାନଙ୍କର ଆମ ପ୍ରତି ଆତ୍ମୀୟତା ଦେଖି ଉଷାବି କ୍ଷଣକାଳ ପାଇଁ ନିଜକୁ ଭୁଲିଗଲା । ‘ମାଉସୀ ମାଉସୀ’ ଡାକି ରାଣୀ ଯେମିତି ଭାବରେ ଉଷାର ପାଦଧୂଳି ନେଇ ମୁଣ୍ଡରେ ମାରିଲା ଓ ଉଷା ତାକୁ ଯେପରି ଭାବରେ ତଳୁ ଉଠେଇ ନେଇ ନିଜ ଛାତିଭିତରେ ଜାକି ଧରିଲା, ମୁଭିକେମେରାରେ ତା’ର ଫଟୋ ଉଠାହେଇ ସର୍ବସାଧାରଣରେ ପ୍ରଦର୍ଶିତ ହେଇଥିଲେ ଦର୍ଶକମାନେ ନିଶ୍ଚୟ ଭାବିଥାନ୍ତେ ‘ରାଣୀ’ ନାମ୍ନୀ ଏଇ ଝିଅଟି ହୁଏତ ଉଷାର ଗର୍ଭଜାତ କନ୍ୟା ଅଥବା ପୁତ୍ରବଧୂ । ଭାଗ୍ୟକୁ ଫଟୋ ଉଠେଇବାର କୌଣସି ବ୍ୟବସ୍ଥା ସେଠି ନଥିଲା; ତେଣୁ ସେ ଦୃଶ୍ୟକୁ ଧରିରଖିହେଲାନାହିଁ ।

 

ବେଶ୍‌ ଆଦର ଆପ୍ୟାୟନ ମଧ୍ୟରେ ଘଣ୍ଟାଏକାଳ ସେଠାରେ କଟାଇ ମୁଁ ଓ ଉଷା ଫେରିଆସିଲୁ । ମୁନ୍ନା ତା’ର ଆଉ କିଛି ବନ୍ଧୁମାନଙ୍କ ସହିତ ପଛରେ ଫେରିବାପାଇଁ ରହିଗଲା । ଉଷା ଚାହୁଁଥିଲା ମୁନ୍ନା ଆମ ସହିତ ଫେରିଆସୁ ।

 

ମୁଁ କହିଲି–କ’ଣ ଲାଭ ହେବ ? ଯଦି ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ବଢ଼ିଉଠିଥାଏ, ଆମେ ଏମିତି ତାକୁ ଥରେ ନେଇଆସିଲେ ସେ ସମ୍ପର୍କର କ’ଣ ପୂର୍ଣ୍ଣଚ୍ଛେଦ ପଡ଼ିଯିବ-! ତୁମେ କ’ଣ ସବୁଦିନେ ତାକୁ ବାନ୍ଧି ରଖିପାରିବ ? କେହି କୋଉଠି ପାରିଲାଣି ? ତୁମେ କ’ଣ ଭୁଲିଗଲ ଆମ ନିଜ ଜୀବନର କଥା.....

 

ଆମ ଜୀବନର ସେଇ ଦୁର୍ବଳ ମୁହୂର୍ତ୍ତର ସ୍ମୃତି ଉଷାର ମନପଟରେ ଉଙ୍କିମାରିବାରୁ ତା’ ମୁହଁରେ ପ୍ରଫୁଲ୍ଲତା ଭରିଗଲା । ମୋର ମନେହେଲା, ରିସ୍କା ଉପରେ ବସି ସେ ଯେମିତି ମୋ ପାଖକୁ ଆଉରି ଲାଗିଆସୁଚି । ତା’ ଦେହର ଉଷ୍ଣତା ମୁଁ ଅନୁଭବ କରୁଥିଲି । ସେ ତା’ର ମୁଣ୍ଡଟାକୁ ମୋ କାନ୍ଧଉପରେ ବାରମ୍ୱାର ରଖୁଥିଲା । ଅନେକ ଦିନ ପରେ ସେ ଦିନ ରାତିରେ ଆମେ ଆମର ତାରୁଣ୍ୟକୁ ଫେରିପାଇଥିଲୁ । ଏମିତି ଅନେକ ରାତି କଟିଗଲା । ପୁଅ ମୁନ୍ନା ଓ ତା’ର ବାନ୍ଧବୀ ରାଣୀ କ’ଣ ଆମ ଜୀବନର ରୋମାଞ୍ଚ ଫେରାଇଆଣିଲେ ?

 

ଯଥାସମୟରେ ଆଇ.ଏ.ଏସ୍‌. ଟ୍ରେନିଙ୍ଗ୍ ଅଡ଼ର୍ ପାଇ ମୁନ୍ନା ଚାଲିଗଲା ଅନେକ ଦୂରକୁ-। ତା’ ଯିବା ଦିନ ମଧ୍ୟ ରାଣୀ ଆମ ଘରକୁ ଆସିଥିଲା । ସେଦିନ ତା’ ଆଖିରେ ଲୁହ ଦେଖି ମୋର ଭାବାନ୍ତର ହେଇଥିଲା ।

 

ଉଷା ମନରେ ସେଇ ଗୋଟିଏ ଚିନ୍ତା । ମୁନ୍ନା ଆଉ ରାଣୀର ସମ୍ପର୍କ ବିଷୟରେ ତା’ର ସନ୍ଦେହ ଦିନକୁଦିନ ବଢ଼ୁଚି । ଦିନେ ସେ ହଠାତ୍‌ ମୋତେ ପ୍ରଶ୍ନ କରି କହିଲା–ଯଦି ମୁନ୍ନା ରାଣୀକି ବିବାହ କରିବାକୁ ଜିଦ୍‌ ଧରେ ?

 

ମୁଁ ତା’ ମୁହଁକୁ ଚାହିଁ ଭବିଷ୍ୟତରେ ଏକ ବିରାଟ ବିପଦର ସମ୍ଭାବନା ସେଥିରେହିଁ ଦେଖୁଥିଲି । ସେ ଚାହେଁ ନୟନା ମିଶ୍ରଙ୍କର କୌଣସି ସ୍ମୃତି ଆମ ଘରେ ନ ରହୁ ।

 

ବୟସ ଗଡ଼ିଯାଇଚି । ଜୀବନରେ ନୂଆ ରୋମାଞ୍ଚର ଆଉ ସମ୍ଭାବନା ନାହିଁ । ଆଇ.ଏ.ଏସ୍‌. ଚାକିରି ଚାଲିଯିବା ପରେ ନୟନା ଏକ ଦୟନୀୟ ଜୀବନ ଅତିବାହିତ କରୁଚନ୍ତି । ଜଗଦୀଶବାବୁ ଘରୁ ବାହାରୁନାହାନ୍ତି । ଅନେକ କଷ୍ଟରେ ରହୁଥିବା କ୍ୱାଟର୍‍ରେ ତିନିମାସ ରହିବାର ଅନୁମତି ପାଇଚନ୍ତି ।

 

ଜଗଦୀଶ ଓ ନୟନା ସେମାନଙ୍କ କୃତକର୍ମର ଫଳ ପାଇଲେ ବୋଲି ଯଦି କୁହାଯାଏ, ସେମାନଙ୍କ ଦୁଷ୍କୃତିର ଶିକାର ରାଣୀ ହେବ କାହିଁକି ? ରାଣୀର ଦୋଷ କ’ଣ ? ଭବିଷ୍ୟତରେ ସ୍ୱପ୍ନ ଦେଖୁଥିବା ଅସଂଖ୍ୟ ଝିଅଙ୍କ ଭିତରୁ ସେ ବି ଜଣେ । ପାଠ ପଢ଼ିଚି । ସୌନ୍ଦର୍ଯ୍ୟ ଅଛି । ଘର ବାନ୍ଧିବାକୁ ଚାହୁଁଥିବା ଯେକୌଣସି ଯୁବକ ଯେଉଁ ପ୍ରକାର ଜୀବନ–ସଙ୍ଗିନୀ ଚାହେଁ, ରାଣୀର ସେ ସବୁ ଯୋଗ୍ୟତା ଅଛି ।

 

ମୁନ୍ନା ଯଦି ରାଣୀକୁ ବିବାହ କରିବାକୁ ଚାହେଁ, ଉଷାର ଏ ପ୍ରଶ୍ନର କି ଉତ୍ତର ମୁଁ ଦେଇପାରେ । ଉଷାକୁ ସନ୍ତୁଷ୍ଟ କରିବାକୁ ହେଲେ ମୋତେ ହୁଏତ କହିବାକୁ ପଡ଼ିବ–ନା, ତା’ କଦାପି ହେଇପାରେନା । ଆମେ ବଞ୍ଚି ଥାଉଁଥାଉଁ ତା’ କଦାପି କରେଇଦବାନାହିଁ ।

ମୋର ଏ ଭଳିଆ ଉତ୍ତରରେ ସେ ଖୁବ୍‌ ସନ୍ତୁଷ୍ଟ ହବ; ହୁଏତ ମୋ ପାଖକୁ ଘୁଞ୍ଚିଆସି ମୋ ପ୍ରତି ତା’ ପ୍ରେମର ଉଷ୍ଣତା ମୋତେ ଜଣେଇଦବ । ଆଉ ଯଦି ମୁଁ ଅନ୍ୟ ପ୍ରକାର ଉତ୍ତର ଦିଏ-? ଅର୍ଥାତ୍‌ ମୁନ୍ନାକୁ ସନ୍ତୁଷ୍ଟ ରଖିବାପାଇଁ ମୁଁ ଯଦି କହେ–ମୁନ୍ନାର ଭବିଷ୍ୟତ ନେଇ ଆମର ଆଉ ଚିନ୍ତାକରିବା ଦରକାର ନାହିଁ । ସେ ସାବାଳକ । ଦାୟିତ୍ୱସମ୍ପନ୍ନ ଉଚ୍ଚ ଅଫିସର । ସେ ଯାହାକୁ ବିଭା କରିବାକୁ ଚାହିଁବ, ଆମେ ସେଥିରେ ପ୍ରତିବାଦ କରିବାର କ’ଣ ଅଛି ? ସେ ଯଦି ରାଣୀକୁ ନେଇ ସୁଖୀ ହେଇପାରିବ, ଆମେ ସେ ସୁଖର ଅନ୍ତରାୟ ହେବା କାହିଁକି ?

ମୋ’ଠୁ ଏ ଉତ୍ତର ଶୁଣି ଉଷାର ମୁହଁ ଶୁଖିଯିବ । ତା’ ଆଖି ଲୁହରେ ଭରିଆସିବ । ସେ ମୋ’ଠୁ ଦୂରେଇ ଯାଇ ପଲଙ୍କ ଉପରେ ଶୋଇ ହୁଏତ କାନ୍ଦିବ ।

ବିଷମ ସମସ୍ୟା ।

ଉଷା କହିଲା–ଯାହାକୁ ଆମର ସବୁଠୁ ଭୟ, ସେଇ ଆଜି ଆମ ଉପରେ ସବାର ହେବାକୁ ଯାଉଛି । ତୁମେ ମୁନ୍ନାକୁ ଲେଖ ।

କ’ଣ ଲେଖିବି ? ସେ ତ ଆମକୁ ଏଯାଏ କିଛି କହିନାହିଁ । ମୋର ବିଶ୍ୱାସ, ଆମକୁ ନ କହି ସେ ନିଶ୍ଚୟ କିଛି କରିବନାହିଁ ।

ଉଷାର କିନ୍ତୁ ଏ କଥା ଉପରେ ବିଶ୍ୱାସ ନାହିଁ । ତା’ ନିଜ ଜୀବନରେ ଯାହା ଘଟିଥିଲା, ସେ ଯେଭଳିଭାବରେ ଆମ ଘରକୁ ସେ ଦିନ ବୋହୂ ହେଇ ଆସିଥିଲା; ସେ କଥାଗୁଡ଼ା ଉଷା କ’ଣ ଜୀବନରେ ଭୁଲିଯାଇପାରେ ?

 

ଇତିହାସର ପୁନରାବୃତ୍ତି ଯଦି ଘଟେ, ତାକୁ କିଏ ରୋକିପାରିବ ?

 

ଉଷାକୁ ସନ୍ତୁଷ୍ଟ କରିବାପାଇଁ ମୁଁ ଯାହା କହୁଚି, ମୁଁ ଯେ ସେଇଟାକୁ ଧ୍ରୁବ ସତ୍ୟ ବୋଲି ଧରିନେଇଛି; ତା’ ମଧ୍ୟ ନୁହେଁ । ଉଷା ଭଳି ମୋ ମନରେ ମଧ୍ୟ ଘୋର ସନ୍ଦେହ । ପ୍ରେମ ନାମକ ବସ୍ତୁଟି ଏକ ଅବୋଧ୍ୟ ଚରିତ୍ର । ତାକୁ ବୁଝିହୁଏନା; ଜାଣିହୁଏନା । ଜୀବନରେ ହଠାତ୍‌ ଯେମିତି ଦୁର୍ଘଟଣା ଘଟେ, ପ୍ରେମ ମଧ୍ୟ ସେହିଭଳି ଘଟେ । ଅଧିକାଂଶ କ୍ଷେତ୍ରରେ ଏହି ଘଟିବାଟା ଆକସ୍ମିକ । ତେଣୁ ମୁନ୍ନା ଏବଂ ରାଣୀଙ୍କ ଜୀବନରେ ଯଦି ଏଭଳି କୌଣସି ପରିସ୍ଥିତି ଘଟିଥାଏ ?

 

ଉଷା ଭାବୁଚି, କୌଣସି ନା କୌଣସି ମୁହୂର୍ତ୍ତରେ ତା’ ମୁଣ୍ଡରେ ଅଥବା ଆମ ବଂଶ ମୁଣ୍ଡରେ ବଜ୍ର ପଡ଼ିବ । ସେଇ ବଜ୍ରାଘାତରେ ଆମର ସବୁ ଚିନ୍ତା ଧୂଳିସାତ୍‌ ହେଇଯିବ ।

 

ଦୋକାନ ଯିବା ପ୍ରାୟ ମୁଁ ଛାଡ଼ିଦେଲିଣି । ମୋର ଏଇ ବୀତସ୍ପୃହ ଭାବ ଦେଖି ପ୍ରଭୁଲାଲ କେବେ କୌଣସି ଦିନ କିଛି ଆପତ୍ତି କରିନାହିଁ । ସେ ମଧ୍ୟ ଆସ୍ତେ ଆସ୍ତେ ଦୋକାନର ପରିସରକୁ ଆଉ ବଢ଼ିବାକୁ ଦେଉନାହିଁ । କେବଲ୍ କାରଖାନା କାମ ଆରମ୍ଭ ହେଇଯାଇଚି । ପ୍ରଭୁଲାଲ ଅଧିକ ସମୟ କାରଖାନା ତିଆରିପାଇଁ ବିନିଯୋଗ କରୁଛି ।

 

ବର୍ତ୍ତମାନ ଅଭାବରହିତ ମୋର ଜୀବନରେ ପରମ ଶାନ୍ତି ଆସିବା କଥା । ଏକମାତ୍ର ପୁଅ ମୋର ଯୁଗ–ଯୁଗର ଅପ୍ରକାଶିତ ସ୍ୱପ୍ନକୁ ସଫଳ କରିଚି । ବାପ ମା’ ହିସାବରେ ଆମେ ଏଇଭଳି ଆମ ପୁଅ ପାଖରେ କୃତଜ୍ଞ । ଆମର ଆଉ ଚିନ୍ତା କରିବାର କ’ଣ ଅଛି ?

 

ତଥାପି ଚିନ୍ତା କ’ଣ ଆମକୁ ଛାଡ଼ୁଚି ? ସେ ଚିନ୍ତା ପୁଣି ଦୁଶ୍ଚିନ୍ତା । ମୁନିଋଷିଙ୍କ ବାଣୀ–‘‘ଚିତା ଚିନ୍ତା ଦ୍ୱୟୋର୍ମଧ୍ୟେ ଚିନ୍ତା ଏବ ଗରୀୟସୀ ।’’ ଚିନ୍ତାର ଚିତାନଳ ଭିତରେ ଆମେ ଜଳିବାକୁ ଆରମ୍ଭ କଲୁଣି ।

 

ଉଷାର ମୁଣ୍ଡବାଳ ସମ୍ପୂର୍ଣ୍ଣ ଧଳା ହେଇଗଲାଣି । ମୋ ମୁଣ୍ଡରେ ଗଙ୍ଗାଯମୁନାର ସଙ୍ଗମ । ଉଷା ସବୁଦିନେ ସ୍ୱଳ୍ପଭାଷିଣୀ ଥିଲା; ଏବେ ଯେମିତି ଦିନକୁଦିନ ସେ ତା’ର ବାକ୍‌ଶକ୍ତି ହରେଇ ବସୁଚି । ପରିବାରରେ ଆମେ ଦୁଇ ପ୍ରାଣୀ । ବାହାର ଯିବା ଛାଡ଼ିଦେଇ ଦିନର ଚବିଶିଘଣ୍ଟାଯାକ ଘରଟା ଭିତରେ ବସିରହିଚୁ । ପୂଝାରି ରନ୍ଧାବଢ଼ା କରିଦିଏ । ଉଷା ଆଜିକାଲି ଆଉ ରୋଷେଇଘରର ଖବରବି ବୁଝେନା; ଘରର ଖବରବି ବୁଝେନା । ସକାଳେ ଏକାସାଙ୍ଗରେ ଚା’ ଖାଉ; କିନ୍ତୁ କେହି କାହାକୁ କିଛି କହୁନା । କଥାବାର୍ତ୍ତା ହୁଏ କ୍ୱଚିତ୍‌ । ଦୁଇଜଣଯାକ ଭାବୁ ସେଇ ମୁନ୍ନା–ରାଣୀଙ୍କ ବ୍ୟତୀତ ଆମର ଆଉ କଥାବାର୍ତ୍ତା ହେବାର କିଛି ନାହିଁ । ସେ ସମ୍ପର୍କରେ ମଧ୍ୟ କେବଳ ଅପେକ୍ଷା କରି ଦେଖିବା ଛଡ଼ା କଥାବାର୍ତ୍ତା ହେବାର ଆଉ କ’ଣ ଅଛି ?

 

ବନ୍ଧୁ କୃପାସିନ୍ଧୁ ସେ ଦିନ ଆମ ଦୁହିଁଙ୍କୁ ତାଙ୍କ କ୍ୱାଟର୍‌କୁ ନେଇଯାଇଥିଲେ; ଆମ ବିମର୍ଷତାର କାରଣ ସମ୍ପର୍କରେ ଅନେକ ଜାଣିବାକୁ ଚେଷ୍ଟା କଲେ । ଆମ ନିଜ ଘରକଥା ଆମେ ବା ତାଙ୍କୁ କ’ଣ କହନ୍ତୁ ? ସେ କିନ୍ତୁ ଜାଣିଥିଲେ । ଆମଠୁ ଉତ୍ତର ନପାଇ ନିଜେ ନିଜେ କହିଲେ–ମୁଁ ଜାଣେ । ନୟନା ମିଶ୍ର ଆଉ ନିଜେ ନ ଲାଗି ତା’ ଝିଅକୁ ଲଗେଇଦେଇଚି । ତାହାହିଁ ତୁମ ମନସ୍ତାପର କାରଣ । ସେଥିପାଇଁ ଆଦୌ ଚିନ୍ତା କରନାହିଁ । ମୁଁ ସବୁ ଠିକ୍‌ କରିଦେବି । ମୁନ୍ନାର ବାହାଘର ମୋ’ରି ଝିଅ ସହିତ ହେବ ।

 

ସତେ କି ଉଷାର ମୁହଁ ଉଜ୍ଜ୍ୱଳ ହେଇଉଠିଲା । ଏକ ନୂତନ ସ୍ୱପ୍ନ ନେଇ ଆମେ ସେଦିନ ତାଙ୍କ ଘରୁ ଫେରିଲୁ । ଯଦିଓ ଏ ପ୍ରସ୍ତାବ ଥିଲା ଆମପାଇଁ ଏକ ବିରାଟ ଆଶ୍ୱାସନା; ମାତ୍ର ମୁନ୍ନା ଏଥିରେ ରାଜିହେଲେ ତ ?

 

ସୁଦୂର ଅତୀତରେ ମୋ ବାପାମା’ଙ୍କର ଇନ୍ଦୁପୁର ଗାଁର ନୟନା ନାମ୍ନୀ ଝିଅ ସହିତ ମୋ ବିବାହ ପ୍ରସ୍ତାବକୁ ମୁଁ ମାନିନେଇଥିଲି ତ ? ଆଜି ଯଦି ସେଇଭଳି ପରିସ୍ଥିତିରେ ମନ୍ନା ଆମ ପ୍ରସ୍ତାବରେ ରଜି ନହୁଏ....

 

ପୁଣି ସେଇ ଚିନ୍ତା । ସେଇ ଦୁଶ୍ଚିନ୍ତା ।

 

ମୁନ୍ନାର ଟ୍ରେନିଙ୍ଗ୍ ସରିବାବେଳକୁ ରାଣୀର ଏମ୍‌.ଏ. ପରୀକ୍ଷା ଫଳ ମଧ୍ୟ ବାହାରିଯାଇଚି-। ଏମ୍‌.ଏ.ରେ ପ୍ରଥମ ଶ୍ରେଣୀ ପାଇ ସେ ବିଶ୍ୱବିଦ୍ୟାଳୟରେ ତୃତୀୟ ସ୍ଥାନ ଅଧିକାର କରିଛି-। ପରୀକ୍ଷା ଫଳ ବାହାରିବା ଦିନହିଁ ଆମ ଘରକୁ ଆସି ଆମ ଦୁହିଁଙ୍କୁ ମୁଣ୍ଡିଆ ମାରି ଯାଇଛି । ଉଷା ତାକୁ ନିଜ ହାତରେ ମିଠା ଖୁଆଇଛି । ସେ ଚାଲିଯିବାପରେ ଉଷା ଆଉ ମୁଁ ପ୍ରକାଶ୍ୟରେ ତା’ ସମ୍ପର୍କରେ କିଛି ଆଲୋଚନା ନ କରିଥିଲେହେଁ ଆମ ଭିତରେ ତାକୁଇ ନେଇ ଚିନ୍ତାର ଦ୍ୱନ୍ଦ୍ୱ ଦେଖାଦେଇଛି ।

 

ଝିଅଟା ଯଦି ଖରାପ ହେଇଥାନ୍ତା ପରୀକ୍ଷାରେ ଏଭଳି ରେଜଲ୍‍ଟ କରି ଥାଆନ୍ତା କି ?

 

ଝିଅଟା ଯଦି ତା’ ମା’ଠୁ ଭିନ୍ନ ଧାତୁରେ ଗଢ଼ାହୋଇଥାଏ ?

 

ଆମ ମନରେ ରାଣୀକୁ କେନ୍ଦ୍ରକରି ଯେଉଁ ଭାବାନ୍ତର ଆରମ୍ଭ ହେଉଚି, ତାହା କିନ୍ତୁ ତାକୁ ନିଶ୍ଚିତ ଭାବରେ ଗ୍ରହଣ କରିନେବାପାଇଁ ଯଥେଷ୍ଟ ନୁହେଁ । ଏଣେ ଉଷା ବନ୍ଧୁ କୃପାସିନ୍ଧୁ ଝିଅପାଇଁ ଆଗ୍ରହୀ ହେଇଉଠିଚି । ସେ ଝିଅବି ଏଥର ଏମ୍‌.ଏ. ପାସ୍ କରିଚି । ସେ ଝିଅକୁ ମଧ୍ୟ ଆମେ ଦେଖିଚୁ; କିନ୍ତୁ ତା’ ଭିତରେ ଆମ ପ୍ରତି କୌଣସି ଆନ୍ତରିକତା ଥିବା ଆମେ ଏଯାଏ ଲକ୍ଷ୍ୟ କରିନାହୁଁ-

 

ମୁନ୍ନା ଫେରିଆସିଚି । ତା’ର ପ୍ରଥମ ପୋଷ୍ଟିଂ କାପିଟାଲର ଏସ୍‌.ଡ଼ି.ଓ. ଭାବରେ ।

 

ବନ୍ଧୁ କୃପାସିନ୍ଧୁ ସେ ଦିନ ପୁଣି ଆମ ଘରକୁ ଆସିଥିଲେ ମୁନ୍ନାକୁ ଶୁଭେଚ୍ଛା ଜଣାଇବାପାଇଁ । ମାତ୍ର ଆମଠୁ ଶୁଣିଲେ ଯେ ସେ ଆମ ପାଖରେ ରହୁନାହିଁ; ଏସ୍‌.ଡ଼ି.ଓ.ଙ୍କ ପାଇଁ ନିର୍ଦ୍ଧାରିତ ହେଇଥିବା କ୍ୱାଟର୍‌ରେ ଯାଇ ରହୁଚି । ମୋତେ ଏବଂ ଉଷାକୁ ସାଙ୍ଗରେ ନେଇ ସେ ତା’ କ୍ୱାଟର୍‍କୁ ଗଲେ । ସେତେବେଳକୁ ରାତି ଆଠ ।

 

ମୁନ୍ନାର କ୍ୱାଟର୍‌ରେ ଯାଇ ଆମେ ଦେଖିଲୁ ବୈଠକଖାନାରେ ବସି ମୁନ୍ନା ଆଉ ରାଣୀ କଥାବାର୍ତ୍ତା କରୁଛନ୍ତି । ଆମକୁ ଦେଖି ଦି’ଜଣଯାକ ଉଠିଆସିଲେ । କ’ଣ ହେଲା କେଜାଣି, ଉଷା ବୈଠକଖାନା ଘର ଭିତରକୁ ପଶୁ ପଶୁ ହଠାତ୍‌ ତଳେ ପଡ଼ିଗଲା । ସାଙ୍ଗେ ସାଙ୍ଗେ ତା’ର ଚେତା ବୁଡ଼ିଗଲା । ମୁନ୍ନା, ରାଣୀ ଓ ରୋଷେଇଘରେ ରନ୍ଧାରନ୍ଧି କରୁଥିବା ମୁନ୍ନାର ପିଅନ ସଭିଏଁ ମିଳି ଉଷାକୁ ନେଇ ଶୋଇବାଘର ଖଟ ଉପରେ ଶୁଆଇଦେଲେ । କୃପାସିନ୍ଧୁ ଗାଡ଼ି ନେଇ ଗଲେ ଡାକ୍ତର ଡାକିବାକୁ ।

 

ମୁଁ ନିର୍ବାକ୍‌ ନିସ୍ପନ୍ଦ ହେଇ ବୈଠକଖାନା ଘରେ ବସି ରହିଥାଏ । ଉଷା ପାଖରେ ଥାଆନ୍ତି ମୁନ୍ନା ଆଉ ରାଣୀ ।

 

ପନ୍ଦର ମିନିଟ୍‌ ଭିତରେ କୃପାସିନ୍ଧୁଙ୍କ ଗାଡ଼ି ଡାକ୍ତରଙ୍କୁ ନେଇ ଫେରିଆସିଲା; କିନ୍ତୁ କୃପାସିନ୍ଧୁ ନିଜେ ଆସିନାହାନ୍ତି । ଡାକ୍ତର ଯାଇ ଉଷାକୁ ପରୀକ୍ଷା କଲେ । ଚେତା ଫେରିଆସିବାର ଇଞ୍ଜେକ୍‌ସନ୍ ଦେଇ ମୋ’ରି ପାଖରେ ଆସି ବସିଲେ; ବୋଧହୁଏ ଆଶା କରୁଥିଲେ ମୁଁ ତାଙ୍କୁ କିଛି ପଚାରିବି । ମୁଁ କିନ୍ତୁ ନୀରବ । ସେ ନିଜେ ନିଜେ କହିଲେ–ହଠାତ୍‌ ଶକ୍‌ ଲାଗିଚି; ତେବେ ଭୟର କୌଣସି କାରଣ ନାହିଁ । ମୁଁ ଇଞ୍ଜେକ୍‌ସନ୍‌ ଦେଇଗଲି । ଘଣ୍ଟାଏ ଭିତରେ ଚେତା ଫେରିଆସିବ ।

 

ମୁନ୍ନାର ପିଅନ ଦୁଇକପ୍‌ ଚା’ ଆଣି ମୋତେ ଓ ଡାକ୍ତରଙ୍କୁ ଦେଇଗଲା । ମୁହଁ ପାଖକୁ ଚା’ ନେବାବେଳେ ମୁଁ ଭାବୁଥିଲି–ଅଫିସରଙ୍କ ଘରେ କାମ କରୁଥିବା ପିଅନର ହାତତିଆରି ଚା’ । ହାୟରେ ଭାଗ୍ୟ ! ଯୋଉଥିପାଇଁ ମୋର ସଂଗ୍ରାମ, ଯୋଉଥିପାଇଁ ମୋର ସର୍ବନାଶ, ମୋର ନିଜ ପୁଅ ଘରେ ତାହାରି ପୁନରାବୃତ୍ତି । ନିଜ ଘରକୁ ସଜାଡ଼ିବାର ଶକ୍ତିବି ମୁଁ ହରାଇ ବସିଚି ।

 

ଚା’ ଖାଇ ଡାକ୍ତର ଚାଲିଗଲେ । ମୁନ୍ନା ତାଙ୍କୁ ବିଦାୟ ଦେଲା । ପୁଣି ଫେରିଗଲା ଉଷା ପାଖକୁ ।

 

ସତକୁସତ ଘଣ୍ଟାଏ ପରେ ଉଷାର ଚେତା ଫେରିଲା । ଡାକ୍ତର କହିଯାଇଥିବା ମୁତାବକ ରାଣୀ ଗରମ ଦୁଧ କପେ ଆଣି ଧୀରେ ଧୀରେ ତାକୁ ପିଆଇବାକୁ ଚେଷ୍ଟା କଲା । ଉଷା କିନ୍ତୁ ନ ପିଏ, ମୁହଁ ନ ଖୋଲେ । ମୋତେ ଡକରା ପଡ଼ିଲା । ମୋର ଅବଶ ପାଦ ଦି’ଟାକୁ ଘୋଷାରି ଘୋଷାରି ମୁଁ ଯାଇ ଉଷାର ଶଯ୍ୟାପାଖରେ ପହଞ୍ଚିଲି । ତା’ ଆଖିରୁ ଧାର ଧାର କରି ଲୁହ ବହିଯାଉଛି । ମୁଣ୍ଡ ପାଖରେ ବସି ମୁଁ କହିଲି–ଦୁଧ ପିଇଦିଅ ।

 

ସେ ଉଠିବାକୁ ଚେଷ୍ଟାକଲା । ତା’ର ଉଠିବାର ଉପକ୍ରମ ଦେଖି ରାଣୀ ତାକୁ ସାହାଯ୍ୟ କଲା । ମୁନ୍ନା ଦି’ଟା ତକିଆ ନେଇ ତା’ ପିଠି ପାଖରେ ରଖିଦେଲା । ସେ ବସିଲା । ଦୁଧ କପ୍‌ଟାପାଇଁ ହାତ ବଢ଼େଇଲା । ମୁଁ ତା’ ହାତକୁ ବଢ଼େଇ ଦେଲି । ସେ ପିଇଲା । ପଚାରିଲା–କୃପାସିନ୍ଧୁବାବୁ ?

 

ମୁଁ କହିଲି–ଚାଲିଗଲେଣି ।

 

ସେ ପୁଣି ପଚାରିଲା–ଡାକ୍ତର ଆସିଥିଲେ ?

 

ମୁଁ କହିଲି–ହଁ, ଆସିଥିଲେ । ଇଞ୍ଜେକ୍‌ସନ୍ ଦେଇଗଲେ ।

 

ତା’ର ପୁଣି ପ୍ରଶ୍ନ–ମୋର କ’ଣ ହୋଇଥିଲା ?

 

ମୁଁ କହିଲି–କିଛି ନାହିଁ । ସବୁ ଠିକ୍‌ ହୋଇଗଲାଣି ।

 

ସେ ଚୁପ୍‌ ରହିଲା । କିଛି ସମୟ ପରେ ପଚାରିଲା–ଘରକୁ କେତେବେଳେ ଯିବା ?

 

ମୁଁ କିଛି କହିବା ପୂର୍ବରୁ ମୁନ୍ନା କହିଲା–ଡାକ୍ତର କହିଗଲେ ତୁମେ ଭାରି ଦୁର୍ବଳ ହୋଇପଡ଼ିଚ ମା’ ! କିଛିଦିନ ଏଇଠି ତାଙ୍କ ଚିକିତ୍ସାରେ ରହିବ ।

 

ମୁନ୍ନାର ଏଇ କଥା ପରେ ସମସ୍ତେ କିଛି ସମୟପାଇଁ ନୀରବ ହୋଇଗଲେ । ରାତି ଦଶଟା ବାଜିବାକୁ ବସିଲାଣି । ରାଣୀ ଆଉ ମୁନ୍ନା ଦୁଇଜଣଯାକ ସେ ଘରୁ ବାହାରିଯାଇ କ’ଣ କଥାବାର୍ତ୍ତା ହେଇସାରି ପୁଣି ଫେରିଆସିଲେ ।

 

ମୁଁ କହିଲି–ମୁନ୍ନା ! ମା’ ତ ରହିବେ । ମୁଁ ଏବେ ଚାଲିଯାଉଛି । ପୁଣି କାଲି ସକାଳେ ଆସିବି ।

 

ମୁନ୍ନା କହିଲା–ଖାଇସାରି ଯିବ; ଖାଇବା ହେଇଯାଇଚି ।

 

ତା’ପରେ ରାଣୀକୁ ଲକ୍ଷ୍ୟକରି କହିଲା–ରାଣୀ, ବାପାଙ୍କପାଇଁ ଖାଇବାକୁ ଦେଇଦିଅ ।

 

ରାଣୀ ମୋତେ ଖାଇବାକୁ ଦେବ । ସେ ରୋଷେଇଘରକୁ ଚାଲିଗଲା । ଟେବୁଲ୍‌ ଉପରେ ପାଣି ଗ୍ଲାସ୍‌ ସଜେଇ ରଖିଲା । ନିଜେ ବଢ଼ାବଢ଼ି କରି ଆଣି ଟେବୁଲ୍‌ ଉପରେ ଥୋଇଦେଇ କହିଲା–ବାପା, ଆସନ୍ତୁ ।

 

ମୁଁ ମୁନ୍ନାକୁ ପଚାରିଲି–ତୋ ମା’ର ରାତିଖାଦ୍ୟ ବିଷୟରେ ଡାକ୍ତର କ’ଣ କହିଯାଇଛନ୍ତି-?

 

କିଛି ନ ଜାଣିବାପରି ମୁନ୍ନା ରାଣୀ ମୁହଁକୁ ଚାହିଁଲା । ରାଣୀ କହିଲା–ମା’ ରାତିରେ ପାଉଁରୁଟି ଦୁଧ ଖାଇବେ ।

 

ମୁନ୍ନା ରାଣୀକୁ ଉଦ୍ଦେଶ୍ୟ କରି କହିଲା–ମା’ଙ୍କ ଖାଇବାବି ନେଇଆସ ।

 

ରାଣୀ କହିଲା–ମା’ କ’ଣ ଆପେ ଖାଇପାରିବେ ? ମୁଁ ତାଙ୍କୁ ଖୁଆଇଦେବି ।

 

ଏ କଥା ଶୁଣି ଉଷା କହିଲା–ମୁଁ ନିଜେ ଖାଇପାରିବି । ମୁଁ ବି ଘରକୁ ଯିବି ।

 

ମୁନ୍ନା କହିଲା–ମା’, ତୁମର ଦୁର୍ବଳତା କମିବା ପର୍ଯ୍ୟନ୍ତ ଚଲାବୁଲା କରିବାକୁ ଡାକ୍ତର ମନାକରିଯାଇଛନ୍ତି । ଏଠି କ’ଣ ଅସୁବିଧା ଅଛି ? ଏଇଟା କ’ଣ ଘର ନୁହେଁ । ମୁଁ ତ ରାଣୀକି କହିଚି ତୁମେ ସମ୍ପୂର୍ଣ୍ଣ ଭଲ ହବା ପର୍ଯ୍ୟନ୍ତ ସେ ଏଇଠି ତୁମ ପାଖରେ ରହିବ; ତୁମର ସେବା କରିବ । ଘରକୁ ଗଲେ ସେଠି ବାପା ଏକୁଟିଆ ତୁମର କ’ଣ କରିପାରିବେ ?

 

ହଠାତ୍‌ ରାଣୀ କହିଉଠିଲା–ବାପାବି କାହିଁକି ଯାଉଚନ୍ତି ଯେ....ସେ ବି ରହନ୍ତୁ ।

 

ମୁନ୍ନା ଘର ଉପରେ ରାଣୀର କର୍ତ୍ତୃତ୍ୱ ଦେଖି ମୁଁ ନିଜର ଅସ୍ତିତ୍ୱ ଭୁଲିଯାଉଥିଲି ।

 

ଆଉ ଉଷା ? ଏ ସବୁ କାରବାର ଦେଖି ସେ ବି ତା’ର କଳ୍ପନାଶକ୍ତି ହରେଇବସୁଥିଲା ।

 

ମୁନ୍ନା ଏବଂ ରାଣୀ କ’ଣ ନିଜ ଜୀବନ–ସମ୍ପର୍କୀୟ ସିଦ୍ଧାନ୍ତରେ ପହଞ୍ଚିସାରିଛନ୍ତି ?

 

ଜୀବନସାରା ଯାହା ବିରୁଦ୍ଧରେ ମୁଁ ସଂଗ୍ରାମ କଲି, ସେହି କ’ଣ ଶେଷରେ ମୋତେ ଗ୍ରାସ କରିବ ?

 

ଗୋଟିଏ ରାତ୍ରି ମୁନ୍ନାଘରେ ଅବସ୍ଥାନ କରି ସକାଳେ ମୁଁ ଓ ଉଷା ଆମ ନିଜ ଘରକୁ ଚାଲିଆସିଲୁ । ମନରେ ଆମର ଅନାସକ୍ତ ଭାବ । ଦିନ ନ’ଟାବେଳେ ଜଗଦୀଶବାବୁ ଓ ନୟନା ମିଶ୍ର ଆସି ଆମ ଘରେ ପହଞ୍ଚିଲେ । ଇସ୍‌, ସେମାନଙ୍କ ମୁହଁକୁ ଆମେ ଚାହିଁ ପାରୁ ନଥିଲୁ । ଦିନ କେଇଟାର ବ୍ୟବଧାନରେ ଚେହେରାରେ କି ପରିବର୍ତ୍ତନ ! ମନେହେଲା ସେ ଦୁହେଁ ଯେମିତି ଷାଠିଏବର୍ଷରେ ପହଞ୍ଚି ସାରିଲେଣି । ଆଉ ମୁଁ ? ଉଷା ? ମୁଁ ଯେମିତି ଏକ ଫଳହୀନ ଲମ୍ୱା ତାଳଗଛ–ସମ୍ପୂର୍ଣ୍ଣ ଏକ ଅଦରକାରୀ ବସ୍ତୁ–ଯାହା ପାଖକୁ କୌଣସି କାରଣରୁ କେହି କେବେ ଆସିବେ ନାହିଁ । ଉଷାର ଅବସ୍ଥା ମୋ’ଠାରୁ ଆହୁରି ଦୟନୀୟ । ସେ ଆଉ ବଞ୍ଚିରହିବାକୁବି ଚାହେଁନା ।

 

ବୈଠକଖାନାରେ ଦୁଇଜଣ ବୃଦ୍ଧ–ଦୁଇଜଣ ବୃଦ୍ଧା । କାହାରି ମୁହଁରେ ସରସତା ନାହିଁ । ଗୋଟାଏ ବିକଟାଳ ଅତୀତ ରାକ୍ଷସପରି ସମସ୍ତଙ୍କୁ ଗ୍ରାସ କରିଚି । ବୀଭତ୍ସ, ନିଷ୍କରୁଣ ସେଇ ସବୁ ଦରହଜା ସ୍ମୃତି ।

 

ଆମେ ଚାରିଜଣ ଗୋଟାଏ ଚତୁର୍ଭୁଜ ଅଙ୍କନ କରି ବସିରହିଥିଲୁ; ସମବାହୁ ସମକୋଣୀ ଏକ ଚିତ୍ର । ଯାହା ସବୁ ଘଟିଯାଇଚି ସେଥିରେ କାହାର କେତେ ଦୋଷ ତାହା ବିଚାରର ବେଳ ଆଉ ନାହିଁ । ଅତୀତରେ ପରସ୍ପର ପାଇଁ ଆମେ ଗାତ ଖୋଳିଥିଲୁ, ପୁଣି ପ୍ରତ୍ୟେକେ ସେଇ ଗାତରେ ପଡ଼ି ନିଜର ଆଣ୍ଠୁଗଣ୍ଠିକୁ ରକ୍ତାକ୍ତ କଲୁ । ପ୍ରତ୍ୟେକେ ଆଜି ଅବସନ୍ନ–କ୍ଳାନ୍ତ–ପରାଜିତ ।

 

ନୟନା କହିଲେ–ଯାହା କିଛି ଘଟିଯାଇଚି; ସେ ସବୁପାଇଁ ମୁଁ ଦାୟୀ । ସବୁ ଦୋଷ ମୋର । ଚରମ ଦଣ୍ଡଭୋଗ କରିସାରିଲିଣି । ମୋତେ କ୍ଷମା ଦିଅନ୍ତୁ ।

 

ହଠାତ୍‌ ସେ ଆସି ଉଷାର ହାତ ଧରିନେଲେ ଓ ତାକୁ କହିଲେ–ଭଉଣୀ, ପଛକଥା ସବୁ ଭୁଲିଯାଅ ।

 

ଉଷା କାନ୍ଦିଉଠିଲା । ସେ ସ୍ୱର ସହିତ ମଧ୍ୟ ମିଶିଗଲା ନୟନାଙ୍କ କଣ୍ଠସ୍ୱର । ଦୁଇଟି ନାରୀ କ୍ରନ୍ଦନରତା । କ’ଣ ପାଇଁ ? ଅନୁତାପ ? ପ୍ରାୟଶ୍ଚିତ୍ତ ?

 

ଜଗଦୀଶବାବୁ ଓ ମୁଁ ପରସ୍ପରକୁ ଚାହୁଁଚୁ ଓ ପରମୁହୂର୍ତ୍ତରେ ଆଖି ତଳକୁ କରୁଚୁ । ଉଭୟ ଉଭୟଙ୍କୁ କ’ଣ କହିବୁ କହିବୁ କହିପାରୁନାହୁଁ । ଏ ଏକ ବିଚିତ୍ର ଦୃଶ୍ୟ–ବିଚିତ୍ର ଅନୁଭୂତି ।

 

ସେମାନେ ଆସିଛନ୍ତି କାହିଁକି ? ସେମାନେ ମୁହଁ ଖୋଲି ଏଯାକେ ନ କହିଥିଲେବି ମୁଁ କ’ଣ ବୁଝିପାରୁନାହିଁ ସେମାନଙ୍କ ଆସିବାର ଉଦ୍ଦେଶ୍ୟ ? କିଛି ସମୟ ପରେ ଉଷା ଓ ନୟନା ପ୍ରକୃତିସ୍ଥ ହେଲେ ।

 

ନୟନା ପୁଣି କହିଲେ–ସେମାନେ ରାଜି । ଆମେ ରାଜି । ଆପଣମାନଙ୍କ ମତ ହେଲେ ବିବାହର ଆୟୋଜନ ଆମେ କରିବୁ ।

 

ରାଣୀ ଓ ମୁନ୍ନାର ଅବସ୍ଥା ଦେଖିବା ପରେ ଆମେ ଆଉ କି ମତ ଦେବୁ ? ଜୀବନ୍ତ ଇତିହାସର ମୂକ ସାକ୍ଷୀ ପରି ଆମେ ସ୍ୱାମୀ–ସ୍ତ୍ରୀ ଖାଲି ଠିଆହେଇ ରହିବୁ ଦେଖିବାକୁ ଆମ ପରବର୍ତ୍ତୀ ଯୁଗର ଇତିହାସ ।

 

ଆମେ ଖୁସିହେବୁ ଯଦି ଆମ ପୁଅ–ଝିଅମାନେ ଆମ ଭିତରେ ଥିବା ଶତ୍ରୁତା, ଶଠତା ଓ ପ୍ରବଞ୍ଚନାର ନଦୀ ଉପରେ ରଚନା କରିପାରନ୍ତି ସଂଯୋଗର ସେତୁ.....

 

ଆମେ ଖୁସିହେବୁ ଯଦି ସେମାନେ ଅଶାନ୍ତ ଯନ୍ତ୍ରଣାମୟ ପୃଥିବୀରେ ସୁଖ–ଶାନ୍ତିର ସ୍ୱର୍ଗ ସୃଷ୍ଟି କରି ହୋଇପାରିବେ ଅମୃତର ସନ୍ତାନ ।

 

ଆମେ ଅତୀତକୁ ଭୁଲିଯିବାକୁ ଚେଷ୍ଟାକରିବୁ ଏବଂ ସେଇ ଚେଷ୍ଟା କରିବା ଭିତରେ ନିଜେ ଅତୀତ ହୋଇଯିବୁ ।

 

ଆମେ ଚାରିଜଣ–ଜଗଦୀଶ, ନୟନା, ନୀଳମାଧବ ଓ ଉଷା । ଆମ ସମସ୍ତଙ୍କ ଦେହରେ ରକ୍ତାକ୍ତ ଅତୀତର ସ୍ୱାକ୍ଷର । ଧଉଳିର ଅଶାନ୍ତ ଆତ୍ମା ଆଜିବି ଆକାଶରେ ଘୂରିବୁଲି ଆମ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି କହୁଚି–ହେ ଚଣ୍ଡାଶୋକର ଦଳ ! ଭବିଷ୍ୟତକୁ ଆଲୋକିତ କର ।

 

ବୈଠକଖାନାରେ ବସି ଆମେ ଚାରିଜଣ ପଥର ପାଲଟିଗଲୁ; କାରଣ ଏ ପୃଥିବୀରେ ଆମର ଆଉ ଆବଶ୍ୟକତା ନଥିଲା ।

Image